ଉଇକିପାଠାଗାର:କର୍ମଶାଳା/କିପରି କରିବେ
କିପରି କରିବେ
ଏହି ପୃଷ୍ଠାଟି ଉଇକିପାଠାଗାର କର୍ମଶାଳା ଆୟୋଜନ କରିବାକୁ ଚାହୁଁଥିବା ଉଇକିଆଳିଙ୍କ ପାଇଁ ତିଆରି କରାଯାଇଛି । ଏଥିରେ ବିଭିନ୍ନ ଶିକ୍ଷଣ ଓ ବୈଷୟିକ ବିଷୟରୁ ଆୟୋଜକ ଉଇକିଆଳି ଶିଖିପାରିବେ ।
କର୍ମଶାଳା ପାଇଁ ପ୍ରସ୍ତୁତି:
- କର୍ମଶାଳା କରିବା ଆଗରୁ ଆଗ୍ରହୀ ଯୋଗଦାନକାରୀଙ୍କ ପୂରାନାମ, ଇମେଲ, ଫୋନ ନମ୍ବର ଆଦି ଏକ ବ୍ୟକ୍ତିଗତ ଫର୍ମରେ ସଂଗ୍ରହ କରନ୍ତୁ ।
- କର୍ମଶାଳାର ଦିନେ/ଦୁଇ ଦିନ ଆଗରୁ ସେମାନଙ୍କୁ ଇମେଲ ଯୋଗେ ଯୋଗାଯୋଗ କରନ୍ତୁ । ଇମେଲରେ କେବଳ ସ୍ଥାନ ଓ ସମୟ ନ ଦେଇ ଉଇକିପାଠାଗାର ବାବଦରେ କିଛି ସଂକ୍ଷିପ୍ତ ସୂଚନା ଦିଅନ୍ତୁ । ଏଥି ସହିତ http://bitly. com/joinwikisourceରେ ଯାଇ ନାମ ଲେଖାଇବା ପାଇଁ ଲିଙ୍କଟିଏ ସେ ଇମେଲରେ ଦିଅନ୍ତୁ ।
- ଯୋଗଦାନକାରୀଙ୍କ ସଂଖ୍ୟା ୧୦-୨୦ ଭିତରେ ଥିଲେ ସେମାନଙ୍କୁ ତାଙ୍କ ପରିଚୟ ଓ ଆଗ୍ରହ ବାବଦରେ ପଚାରି ବୁଝନ୍ତୁ । ସେମାନେ ବସି/ଠିଆ ହୋଇ ନିଜ ବାବଦରେ ବଖାଣିପାରିବେ । ସେମାନଙ୍କ ପସନ୍ଦ-ଅପସନ୍ଦ ଆଗୁଆ ଜାଣିଲେ ସେହି ଅନୁସାରେ କର୍ମଶାଳାଟିକୁ ପରିଚାଳନା କରିପାରିବେ ।
କର୍ମଶାଳା ପରିଚାଳନା:
- କର୍ମଶାଳାଟିକୁ ଶ୍ରୋତା-ବକ୍ତା ଭଳି ନ କରି ବରଂବେଶୀ ଆଲୋଚନା ପ୍ରକାରର କରନ୍ତୁ ।
- ଅନେକ ଲୋକ ମନ୍ତବ୍ୟ ଦେବକୁ ପସନ୍ଦ କରନ୍ତି । ତାଙ୍କ ପାଇଁ ଆଗୁଆ ଏମିତି କିଛି ପ୍ରଶ୍ନ ତିଆରି କରି ଯାଇଥାନ୍ତୁ, ଯଥା:
୧. ଓଡ଼ିଆରେ ପ୍ରଥମ ଛପା ବହି କଣ ଓ ତାହା କେବେ ଛପା ହେଲା? (ଉତ୍ତର: ୧୮୦୭ରେ ଆରମ୍ଭ ହୋଇ ୧୮୦୯ରେ ଶେଷ ହୋଇଥିବା ବାଇବେଲର ନିଉ ଟେଷ୍ଟାମେଣ୍ଟ । ଏହା ଏବେର ପଶ୍ଚିମ ବଙ୍ଗଳାର ଶିରାମପୁର ପ୍ରେସରେ ଛପା ହୋଇଥିଲା ।) ୨. କେଉଁ ମସିହାରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଲା? (ଉତ୍ତର: ୨୦୧୪ ମସିହା ଫେବୃଆରୀ ୨୦ ତାରିଖ)
- ପ୍ରଶ୍ନ ପଚରା ଉଚୁରା ସେମାନଙ୍କୁ ଆପଣଙ୍କ ସହ ବେଶି ପରିଚିତ କରାଇବ । ଆପଣ ଏହି ଗୋଟିଏ କର୍ମଶାଳାରେ ସେମାନଙ୍କୁ କେତେ ଜଣାଇ ପାରିବେ ତା' ଯେତେ ଗୁରୁତ୍ତ୍ୱପୂର୍ଣ୍ଣ ନୁହେଁ ତା'ଠୁ ବେଶି ଗୁରୁତ୍ତ୍ୱପୂର୍ଣ୍ଣ ହେଲା ଆପଣ ସେମାନଙ୍କୁ କେତେ ସାଙ୍ଗ ହୋଇପାରୁଛନ୍ତି । ସେମାନଙ୍କ ସହ ମିତ ହେଲେ ପରେ ଧୀରେ ଧୀରେ ସେମାନଙ୍କୁ ଅଧିକ କଠିନ ବିଷୟମାନ ଶିଖାଇପାରିବେ ।
- ଯୁଗେ ଯୁଗେ ଗପର ଆଦର ରହିଛି । କାରଣ ଲୋକେ ନିରସିଆ ଭାଷଣ ଅପେକ୍ଷା କାହାଣୀ ଭଳି ଜିନିଷରେ ବେଶୀ ଆଗ୍ରହ ଦେଖାନ୍ତି । ଏଇ ମାନସିକତାର ଲାଭ ଉଠାନ୍ତୁ । ସେମାନଙ୍କ ଆଗରେ ବିଭିନ୍ନ ଅସୁବିଧା ଠିଆ କରାନ୍ତୁ । ଆଉ ସେମାନଙ୍କୁ ସମୟ ଦିଅନ୍ତୁ ସେଗୁଡ଼ିକର ସମାଧାନ କରିବା ପାଇଁ । କିଛି ଉଦାହରଣ ତଳେ ଦିଆଗଲା ।
- ଆମର ପ୍ରକାଶନ ଆରମ୍ଭ ହେଲାଣି ୧୮୦୭ ମସିହାରୁ । ଭାବନ୍ତୁ ଥରେ କେତେ ବହି ଏ ଭିତରେ ଛପା ଯାଇନଥିବ । ତା' ଭିତରୁ କେତେ ଆପଣ ଦରକାର ବେଳେ ଲାଇବ୍ରେରି ଯାଇ ଖୋଜିପାରିବେ?
- ୨୦୦୭ ମସିହା ବେଳକୁ ଓଡ଼ିଆ ଭାଷା ଭାଷୀ ଲୋକଙ୍କ ସଂଖ୍ୟା ସାଢ଼େ ତିନି କୋଟି । ଏଥିରେ ଅନେକ ଓଡ଼ିଶା ବାହାରେ । ସେମାନଙ୍କ ହାତପାହାନ୍ତାରେ ଲାଇବ୍ରେରି ବି ନାହିଁ । କେମିତି ପାଇବେ ସେମାନେ ବହିଟିଏ? ମାଣବସା ହେଉ କି ଭାଗବତ ହେଉ, ଘରେ ଛପା ବହିଟିଏ ନ ଥିଲେ ଲୋଡ଼ା ପଡ଼ିଲେ ଆପଣ କେମିତି ପାଇବେ ବହି? ଆପଣ ନିଜେ ଏମିତି ଓଡ଼ିଆ ବହି ଇଣ୍ଟରନେଟରେ ଖୋଜନ୍ତି କି?
- ସମ୍ବାଦ, ସମାଜ, ଧରିତ୍ରୀ ଆଦି ସବୁଠାରୁ ଅଧିକ ପଠିତ ଓଡ଼ିଆ ଖବରକାଗଜ ଏବେବି ତାଙ୍କ ୱେବସାଇଟରେ ଇଉନିକୋଡ଼ରେ ଲେଖା ଦିଅନ୍ତି ନାହିଁ । ଇଉନିକୋଡ଼ ନ ହେଲେ ଇଣ୍ଟରନେଟରେ ଖୋଜିଲେ ଲେଖାସବୁ ମିଳିବ ନାହିଁ । ଧରନ୍ତୁ ଆପଣ ଅମୁକ ଦିନରେ ବାହାରିଥିବା ସମୁକ ଲେଖା ପଢ଼ିବାକୁ ଚାହାନ୍ତି । ଇଉନିକୋଡ଼ ହୋଇନଥିଲେ ଲେଖାର ଶିରୋନାମ ଇଣ୍ଟରନେଟରେ ଖୋଜି ଖବରଟିକୁ ପାଇପାରିବେ ନାହିଁ ।
- ଓଡ଼ିଶା ସରକାରଙ୍କ ମୁଖ୍ୟ ସାଇଟ ଓ ବାକି ଅନେକ ସାଇଟରେ ଓଡ଼ିଆରେ ଲେଖା ନାହିଁ । ଏପରିକି ଉତ୍କଳ ପ୍ରସଙ୍ଗ ଭଳି ଜଣାଶୁଣା ପତ୍ରିକା ମଧ୍ୟ ଅଣ-ଇଉନିକୋଡ଼ ଲେଖାରେ ପ୍ରକାଶିତ ।
- ୧୯୫୫ ଆଗର ପ୍ରାୟ ବହି କପିରାଇଟ ବାହାରେ । ଆଉ ସେଥିରୁ ଅନେକ ବହି ଧୀରେ ଧୀରେ ନଷ୍ଟ ହୋ ଇଯାଉଛନ୍ତି । ସେଗୁଡ଼ିକର ସୁରକ୍ଷା ହେବ କିପରି?
- ୧୮୫୦-୧୯୫୦ ଭିତରେ ବାହାରୁଥିବା ବିଭିନ୍ନ ଓଡ଼ିଆ ପତ୍ରପତ୍ରିକା, ୨୫ ଗୋଟି ଅଭିଧାନ ଓ ଆଉ ଅନେକ ବହି ମିଶାଇ ଦେଢ଼ ଲକ୍ଷ ପାଖାପାଖି ପୃଷ୍ଠା ସୃଜନିକା ଅନୁଷ୍ଠାନ ଦ୍ୱାରା ସ୍କାନ କରାଯାଇଛି । ହେଲେ ଏ ବିରାଟ ସମ୍ପତ୍ତି ମଧ୍ୟ ଇଣ୍ଟରନେଟରେ ଖୋଜି ପାଇବା କଷ୍ଟ ।
- ଏକ ବହିର ଅଧ୍ୟାୟ ନାମ କି ଶବ୍ଦଟିଏ ବି ଖୋଜିଲେ ତାକୁ ଖୋଜିପାଇବାର ଏକ ମାତ୍ର ବାଟ ହେଲା ଇଉନିକୋଡ଼ । ଏଣୁ ଆଗରୁ ବହିକୁ ସ୍କାନ କରି ଇଣ୍ଟରନେଟରେ ରଖିବାର ବାଟ ଥିଲେ ହେଁ ଉଇକିପାଠାଗାର ଦେଇ ବହିକୁ ଡିଜିଟାଇଜ କରିବାର ବାଟ ଖୋଲିଲା ।
ଉଇକିପାଠାଗାର ବାବଦରେ:
- ଏବେ ଆସିଲା ଯୋଗଦାନକାରୀଙ୍କୁ କିଛି ଜଣାଇବାର ପାଳି । ପ୍ରଥମେ ଆଗରୁ ବଖାଣିଥିବା ପ୍ରତିଟି ଅସୁବିଧାର ସମାଧାନ ଗୋଟେ ଗୋଟେ କରି ଜଣାନ୍ତୁ ।
- ଛପା ବହିକୁ ସ୍କାନ କରିବା ହେଲା ପ୍ରଥମ ସୋପାନ । ତା' ପର ସୋପାନ ହେଲା ତାକୁ ଡିଜିଟାଇଜ କରିବା ।
- ବହିଟି ସ୍କାନ କରି ତିଆରି କରାଯାଇଥିଲେ ଅପଲୋଡ଼ ହେଲା ପରେ ତାହାକୁ ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ (OCR) ବ୍ୟବହାର କରି ସ୍କାନ ଛବିରୁ ଲେଖା ବାହାର କରିହେବ ।
- ବହିଟିର PDF ଟାଇପସେଟରେ ତିଆରି ହୋଇଥିଲେ ଲେଖାକୁ କନଭର୍ଟର ବ୍ୟବହାର କରି ଇଉନିକୋଡ଼ରେ ରୂପାନ୍ତର କରିହେବ ।
କର୍ମଶାଳା ପରର କାମ:
- କର୍ମଶାଳା ପରର ସମୟ ଅତି ଗୁରୁତ୍ତ୍ୱପୂର୍ଣ୍ଣ । କର୍ମଶାଳାରେ ଭାଗ ନେଇଥିବା ନୂଆ ଉଇକିଆଳିଙ୍କ ଭିତରେ ଉତ୍ସାହ ଭରିରହିଥିବ। ଆଉ ସେ ବେଳ ହେଉଛି ତାଙ୍କୁ ବିଭିନ୍ନ ବାଟରେ ଆହୁରି ଉତ୍ସାହିତ କରିବା । ତାଙ୍କ ଲିଖିତ ବହି ବାବଦରେ ସୋସିଆଲ ମିଡ଼ିଆରେ ଲେଖିବାଠୁ ତାଙ୍କୁ ବାକି ଉଇକିଆଳିଙ୍କ ସହ ପରିଚିତ କରାଇବା କିମ୍ବା ତାଙ୍କୁ ବ୍ୟକ୍ତିଗତ ଭାବେ ଲେଖା ପାଇଁ ବାହାବା ଦେବାର ନିହାତି ଆବଶ୍ୟକ ରହିଛି । ନୂଆ ଉଇକିଆଳିଏ ଉଇକିପାଠାଗାରର ଆଲୋଚନା ପୃଷ୍ଠା ସହ ପରିଚିତ ହେବାକୁ ଟିକେ ସମୟ ନିଅନ୍ତି । ତେଣୁ ଉଭୟ ସୋସିଆଲ ମିଡ଼ିଆ ଓ ଆଲୋଚନା ସଭାର ବ୍ୟବହାର ଜରୁରୀ ।