ଏହା ଥିଲା କରମରେ
ଲେଖକ/କବି: ଚନ୍ଦ୍ରମଣି ଦାସ

ଆକ୍ଷେପାନୁରାଗ

( ରାଗ—ଢିପା । ତାଳ—ଝୁଲା )

ଶ୍ରୀରାଧାଙ୍କ ଉକ୍ତି

ଏହା ଥିଲା କରମରେ
ପଡ଼ିଗଲି ଶ୍ୟାମ ଫାନ୍ଦରେ, ମୁଁ ଭରମରେ । ଘୋଷା ।

ଶାଶୁ ନଣନ୍ଦ ମିଳି, ଲଗାନ୍ତି କଳି,
ବାଧୁଛି ତାଙ୍କ ଗାଳି ମୋ ମରମରେ । ୧ ।

ପଡ଼ିଗଲାଣି ବାଟ, ହାଟ ବଜାର ଘାଟ,
ଚାଲି ନ ପାରେ ବାଟ ମୁଁ ସରମରେ । ୨ ।

ଝୁରିଝୁରି ଦିବା ରାତ୍ରି, କରତି ପକାଏ ଛାତି,
ସାକ୍ଷୀ ଦେଉଥାଏଁ ନିତି ମୁଁ ଧରମରେ । ୩ ।

ଯେଣେ ଗଲେ ଅପବାଦ, ବାଜେ ନାଗରା ଶବଦ,
ଚନ୍ଦ୍ର କହେ ଭାଳି ଭାଳି ନରମରେ । ୪ ।