ଓଡ଼ିଶା ଇତିହାସ/ଓଡ଼ିଶାରେ ମରହଟ୍ଟା ଶାସନ

ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଓଡ଼ିଶାରେ ମରହଟ୍ଟା ଶାସନ

ଓଡ଼ିଶାରେ ମରହଟ୍ଟା ଶାସନ


୧୭୦୭ରେ ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟର ଦ୍ରୁତ ପତନ ହେଲା । ଦୀର୍ଘ କାଳ ଧରି ପ୍ରାୟ ସମଗ୍ର ଭାରତବର୍ଷକୁ ଗୋଟିଏ ସାମ୍ରାଜ୍ୟରେ ଏକୀକୃତ କରିଥିବା ମୋଗଲ ଶକ୍ତିର ପତନ ପରେ ହାଇଦ୍ରାବାଦ, ବଙ୍ଗ, ଅଯୋଧ୍ୟା, କର୍ଣ୍ଣାଟକ ଏବଂ ସର୍ବୋପରି ମରାଠା ଆଦି ଆଞ୍ଚଳିକ ଶକ୍ତିମାନଙ୍କର ଅଭ୍ୟୁତ୍‍ଥାନ ହେଲା । ଅବସୋସର ବିଷୟ ଯେ, ଏହି ସମୟରେ ଓଡ଼ିଶାର କୌଣସି ସ୍ଥାନୀୟ ଶକ୍ତି ପ୍ରଭୁତ୍ୱ ବିସ୍ତାର କରିପାରିଲେ ନାହିଁ । ବରଂ ଓଡ଼ିଶାକୁ ବଙ୍ଗ ରାଜ୍ୟର କର୍ତ୍ତୃତ୍ୱାଧୀନ ହୋଇ ରହିବାକୁ ପଡ଼ିଲା । ଫଳରେ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ସୀମାନ୍ତକୁ ଲାଗି ରହିଥିବା ନିଜାମ ଓ ମରାଠାମାନେ ବଙ୍ଗ କର୍ତ୍ତୃତ୍ୱରୁ ଓଡ଼ିଶାକୁ ଅଧିକାର କରିନେବାକୁ ସାମରିକ ଉଦ୍ୟମମାନ ଆରମ୍ଭ କଲେ । ଦକ୍ଷିଣ ସୀମାକୁ ଲାଗିଥିବା ଅଞ୍ଚଳ ନିଜାମ ଅଧିକାର କରିନେବାରୁ ଓଡ଼ିଶାପାଇଁ ଚିଲିକା ସୀମାନ୍ତ ହେଲା । ଅନ୍ୟ ପକ୍ଷରେ ପଶ୍ଚିମ ଓଡ଼ିଶା ଆଡୁ ମରାଠାମାନେ ମାଡ଼ି ଆସିବାକୁ ଉଦ୍ୟମ କଲେ । ଏହା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଯୁଦ୍ଧ, ଲୁଣ୍ଠନ, ଆତଙ୍କ ଓ ଆକ୍ରମଣର ରୂପ ନେଲା ।

ଏହି ସମୟର ଅନ୍ୟ ଏକ ରାଜନୀତିକ ବାସ୍ତବତା ହେଲା, ଇଂରେଜ ଓ ଫରାସୀଙ୍କ ପରି ବିଦେଶୀ ବଣିକ ଗୋଷ୍ଠୀର ଭାରତର ରାଜନୀତିରେ ଅନୁପ୍ରବେଶ । ଏହି ବଣିକ ଗୋଷ୍ଠୀ ବାଣିଜ୍ୟରେ ସୀମିତ ନ ରହି ନୂତନ ଭାବେ ମୁଣ୍ତ ଟେକିଥିବା ଆଞ୍ଚଳିକ ଶକ୍ତିମାନଙ୍କ ମାଧ୍ୟମରେ ନିଜ ପ୍ରଭୁତ୍ୱ ବିସ୍ତାର କରିବାକୁ ଲାଗିଲେ । ସେମାନେ କୌଣସି ଗୋଟିଏ ଭାରତୀୟ ଶକ୍ତିକୁ ପ୍ରୋତ୍ସାହିତ କରି ଅନ୍ୟ ଉପରେ ଦାଉ ସାଧିବାକୁ ଉଦ୍ୟମ କଲେ । ଫଳରେ ବାରମ୍ବାର ଯୁଦ୍ଧ ସଂଘଟିତ ହେଲା । ମାତ୍ର ତା'ଠାରୁ ବଡ଼ କଥା ଯେ, ଯୁଦ୍ଧରେ ଇଉରୋପରୁ ଆମଦାନୀ କରାଯାଇଥିବା ଆଧୁନିକ ଓ ମହଙ୍ଗା ଅସ୍ତ୍ରଶସ୍ତ୍ରର ବ୍ୟବହାର ହେଲା । ଏହା ଯୁଦ୍ଧକୁ ଖର୍ଚ୍ଚବହୁଳ କରିଦେଲା । ସେତେବେଳେ ଖର୍ଚ୍ଚ ତୁଲାଇବାପାଇଁ ରାଜାମାନେ ଭୂ-ରାଜସ୍ୱ ଉପରେ ପୂର୍ଣ୍ଣତଃ ଆଶ୍ରିତ ଥିଲେ । ପୁଣି ନିଜ ପ୍ରଜାଙ୍କଠାରୁ ଅଧିକ ଭୂ-ରାଜସ୍ୱ ଆଦାୟ କରିବାର ସଂଭାବନା ନଥିଲା । କାରଣ କୃଷିର ବିକାଶ ହୋଇ ନଥିଲା; ଉତ୍ପାଦନ ବୃଦ୍ଧି ପାଇ ନଥିଲା । ତେଣୁ ଅନ୍ୟ ରାଜ୍ୟ ଉପରେ ଆକ୍ରମଣ ଓ ଅଧିକାର ନୂତନ ଭାବେ ଗଢ଼ି ଉଠୁଥିବା ପ୍ରତ୍ୟେକ ଆଞ୍ଚଳିକ ଶକ୍ତିପାଇଁ ଆବଶ୍ୟକ ହୋଇପଡ଼ିଲା । ଯୁଦ୍ଧ ବିନା ସେମାନଙ୍କ ଅସ୍ତିତ୍ୱ ସଙ୍କଟାପନ୍ନ ହୋଇ ରହିଲା । ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ପ୍ରବର୍ତ୍ତମାନ ଏଭଳି ଏକ ରାଜନୀତିକ ଓ ସାମାଜିକ ପୃଷ୍ଠଭୂମିରେ ବଙ୍ଗ କବଳରୁ ମରାଠାମାନଙ୍କର ଓଡ଼ିଶା ଅଧିକାର ପ୍ରସଙ୍ଗକୁ ଦେଖିହେବ । ମରାଠାମାନେ ସେତେବେଳେ ଏକାଧିକ କ୍ଷୁଦ୍ରଶକ୍ତିରେ ପରିଣତ ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରେ ଅନ୍ତର୍ବିବାଦ ଥିଲା, କିନ୍ତୁ ଆବଶ୍ୟକ ସମୟରେ ସେମାନେ ଏକଜୁଟ ହୋଇ ଯାଉଥିଲେ । ସେମାନଙ୍କର ବଡ଼ ଶକ୍ତି ଥିଲା ଗରିଲା ଯୁଦ୍ଧ ପ୍ରଣାଳୀ, ଯାହା ଫଳରେ ସେମାନେ ଅନ୍ୟ ଭାରତୀୟ ଶକ୍ତିଙ୍କ ଅପେକ୍ଷା ସାମରିକ ଦୃଷ୍ଟିରୁ ଯଥେଷ୍ଟ ଆଗରେ ଥିଲେ । ନିରନ୍ତର ଗରିଲା ପ୍ରଣାଳୀରେ ସେମାନେ ଆକ୍ରମଣ କରି ପଡେ଼ାଶୀ ରାଜାମାନଙ୍କୁ ତଥା ସେଠାର ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲେ । ଫଳରେ ପଡେ଼ାଶୀ ରାଜାମାନେ ତାଙ୍କୁ ସୁରକ୍ଷା କର ବା ଚୌଥ ଏବଂ ସରଦେଶମୁଖୀ ଦେବାକୁ ବାଧ୍ୟ ହେଉଥିଲେ । ଅନେକ ସମୟରେ ଆକ୍ରମଣର କେବଳ ଧମକ ଦେଇ ମରାଠାମାନେ ବହୁ ପରିମାଣର କର ଅସୁଲ କରି ନେଉଥିଲେ ।

ମରାଠାମାନଙ୍କ ମଧ୍ୟରୁ ନାଗପୁରର ଭୋଁସଲେ ରାଜା ସଦାଶିବ ରାଓ ସେତେବେଳେ ଓଡ଼ିଶା ଅଧିକାର କରିବାକୁ ପ୍ରସ୍ତୁତି କରି ସଫଳ ହୋଇଥିଲେ । ୧୭୫୧ରୁ ୧୮୦୩ ଯାଏ ଭୋଁସଲେ ବଂଶର ରାଜତ୍ୱ ଓଡ଼ିଶାରେ ଚାଲିଲା । ଏହା ପଛରେ ଅନ୍ୟାନ୍ୟ କାରଣ ମଧ୍ୟରେ ବଙ୍ଗ ପ୍ରଶାସନ ମଧ୍ୟରେ ଲାଗି ରହିଥିବା ଅନ୍ତର୍ବିବାଦ ପ୍ରଧାନ ଥିଲା ।

୧୭୩୯ରେ ନାଜିମ୍‍ ନବାବ ସୁଜାଉଦ୍ଦିନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସରଫରାଜ ନୂଆ ନଜିମ୍‍ ହେଲେ । ନୂଆ ନଜିମ୍‍ଙ୍କ ଦୁର୍ବଳତାର ସୁଯୋଗ ନେଇ ସୁଜାଉଦ୍ଦିନ୍‌ଙ୍କ ସମୟର ପ୍ରମୁଖ ଅଧିକାରୀ ଭାବରେ କାମ କରିଥିବା ଅଲିବର୍ଦ୍ଦି ଖାଁ ୧୭୪୦ରେ ସରଫ୍‍ରାଜଙ୍କୁ ହତ୍ୟା କଲେ ଏବଂ ନିଜେ ବଙ୍ଗର ନୂଆ ନବାବ ହେଲେ । ଅଲିବର୍ଦ୍ଦି ଓଡ଼ିଶାର ନାଏବ ନଜିମ୍‍ ଭାବରେ ନିଜ ପୁତୁରା ସୟଦ୍‍ ଅହମ୍ମଦ ଖାଁଙ୍କୁ ନିଯୁକ୍ତ କଲେ । ଏହାର ପ୍ରତିବାଦ କରି ପୂର୍ବରୁ ଅବସ୍ଥାପିତ ନାଏବ ନଜିମ୍‍ ମୁର୍ସିଦ୍‍ କୁଲି ଖାଁ ବିଦ୍ରୋହ କଲେ । ମାତ୍ର ଆଲିବର୍ଦ୍ଦି ଖାଁଙ୍କ ସେନା ହାତରେ ସେ ଫୁଲଓ୍ୱାରିଠାରେ (ବାଲେଶ୍ୱର ନିକଟସ୍ଥ ଫୁଲାଡ଼ି) ପରାସ୍ତ ହେଲେ । ଏହା ପରେ ଯଦିଓ ମୁର୍ସିଦ୍‍ ଖୋର୍ଦ୍ଧା ରାଜାଙ୍କ ପାଖରେ ଆଶ୍ରା ନେଇ ରହିଲେ, ତାଙ୍କ ବିଶ୍ୱସ୍ତ ସହଯୋଗୀ ମୀର୍‍ ହବିବ୍‍ ବଙ୍ଗ ନବାବଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ । ସେ ଏଥିପାଇଁ ନାଗପୁର ଭୋଁସଲେ ରାଜାଙ୍କଠାରୁ ସହଯୋଗ ନେଲେ । ଅନ୍ୟ ପକ୍ଷରେ ଓଡ଼ିଶା ଅଧିକାରପାଇଁ ଯୋଜନା କରୁଥିବା ଭୋଁସଲେ ମୀର ହବିବ୍‍ଙ୍କ ସହଯୋଗକୁ ସୁବର୍ଣ୍ଣ ସୁଯୋଗ ରୂପେ ଗ୍ରହଣ କଲେ । ଏହାର ପରିଣାମ ସ୍ୱରୂପ ୧୯ ଏପ୍ରିଲ୍‍ ୧୭୪୨ରେ ମୀର୍‍ ହବିବ୍‍ଙ୍କ ନେତୃତ୍ୱରେ ମରାଠା ସେନା କଟକ ଅଧିକାର କରିନେଲେ । ପଶ୍ଚିମ ଓଡ଼ିଶା ଦେଇ ସେମାନେ କଟକ ଆସିବା ବେଳେ ରାସ୍ତାରେ ଲୁଣ୍ଠନ ଓ ଆକ୍ରମଣ ଜାରି ରଖିଥିଲେ । ୧୭୪୨ରୁ ୧୭୫୧ ମଧ୍ୟରେ ମରାଠା ଓ ବଙ୍ଗ ନବାବଙ୍କ ମଧ୍ୟରେ ଓଡ଼ିଶା ଅଧିକାରପାଇଁ ଛକାପଞ୍ଝା ଚାଲିଲା । କେତେବେଳେ ଅଲିବର୍ଦ୍ଦି ପରାସ୍ତ ହେଲେ ତ ଆଉ କେତେବେଳେ ସାମୟିକ ଭାବେ ମରାଠାମାନେ ପରାସ୍ତ ହେଲେ । ନ୍ୟାୟ ପାଇବା ନିମନ୍ତେ ଅଲିବର୍ଦ୍ଦି ନାମମାତ୍ର ମୋଗଲ ସମ୍ରାଟ ମହମ୍ମଦ ଶାହ ଓ ମରାଠା ପ୍ରମୁଖ ପେଶଓ୍ୱାଙ୍କଠାରେ ମଧ୍ୟ ଫେରାଦ ହେଲେ । ହାଇଦ୍ରାବାଦର ନିଜାମ ମରାଠା ଆକ୍ରମଣରୁ ତ୍ରାହି ପାଇବା ସକାଶେ ମରାଠାମାନଙ୍କର ବଙ୍ଗ ଆକ୍ରମଣକୁ ପରୋକ୍ଷରେ ସମର୍ଥନ କଲେ । ପ୍ରତିଥର ମରାଠାମାନେ ନାଗପୁରରୁ ପଶ୍ଚିମ ଓଡ଼ିଶା ଦେଇ କଟକ, ବାଲେଶ୍ୱର ଓ ଆଗକୁ ମେଦିିନିପୁର ପର୍ଯ୍ୟନ୍ତ ସୈନ୍ୟ ଚାଳନା କରୁଥିଲେ । ରାସ୍ତାରେ ଗାଁ ଗଣ୍ତା ଲୁଟ୍‍ କରିବା, ଲୋକଙ୍କ ଉପରେ ଅତ୍ୟାଚାର କରିବା, ହାଣ-କାଟ କରିବା, ଧନରତ୍ନ ଲୁଣ୍ଠନ କରିବା ଆଦି ସେମାନଙ୍କର ପ୍ରମୁଖ କାମ ହେଲା । ଏହାକୁ ଲୌକିକ ଭାଷାରେ ପଶ୍ଚିମ ଓଡ଼ିଶାରେ 'ଗଣ୍ତମାରୁ' ବୋଲି କୁହାଯାଏ, କାରଣ ମରାଠା ସେନାରେ ଅନେକ ସଂଖ୍ୟାରେ ଗଣ୍ତ ଆଦିବାସୀ ସଂପ୍ରଦାୟର ସୈନିକ ଥିଲେ । ସେମାନେ ରାଜକୋଷ ମଧ୍ୟ ଲୁଟି ନେଉଥିଲେ । ସେମାନଙ୍କ ଗରିଲା ଆକ୍ରମଣରୁ ତ୍ରାହି ପାଇବାଲାଗି ବଙ୍ଗ ନବାବ ଅନେକ ଥର ବହୁ ପରିମାଣର ଅର୍ଥ ଦେବାକୁ ବାଧ୍ୟ ହେଉଥିଲେ । ୧୭୫୧ରେ ଅଲିବର୍ଦ୍ଦି ଖାଁ ସମସ୍ୟାର ଏକ ସ୍ଥାୟୀ ସମାଧାନପାଇଁ ରଘୁଜୀ ଭୋଁସଲେଙ୍କ ସହିତ ଚୁକ୍ତି ସ୍ୱାକ୍ଷର କଲେ । ଚୁକ୍ତି ଅନୁଯାୟୀ ଓଡ଼ିଶାର ଅଧିକାର ମରାଠାମାନଙ୍କ ହାତକୁ ଗଲା । ମୀର୍‍ ହବିବ୍‍ ନାଏବ ନାଜିମ୍‍ ନିଯୁକ୍ତ ହେଲେ । ଯଦିଓ ଓଡ଼ିଶାର ଅଧିକାର ଭୋଁସଲେଙ୍କ ହାତରେ ରହିଲା, ଅଲିବର୍ଦ୍ଦି ଖାଁ ବଙ୍ଗର ନବାବ ଭାବରେ ଏହାର ନାମମାତ୍ର ନବାବ ରହିଲେ । ମାତ୍ର ଯୁଦ୍ଧ କ୍ଷତିପୁରଣ ବାବଦକୁ ଓଡ଼ିଶାର ରାଜସ୍ୱ ଭୋଁସଲେ ରାଜକୋଷକୁ ଯିବ ବୋଲି ସ୍ଥିର ହେଲା । ଏହା ବ୍ୟତୀତ ବଙ୍ଗକ୍ଷେତ୍ର ଉପରେ ମରାଠା ଆକ୍ରମଣରୁ ନିବୃତ୍ତି ପାଇବାଲାଗି ଅଲିବର୍ଦ୍ଦି ବାର୍ଷିକ ୧୨ ଲକ୍ଷ ଟଙ୍କା ଚୌଥକର ଦେବେ ବୋଲି ସହମତ ହେଲେ । ଏହା ବ୍ୟତୀତ ମରାଠା ଓ ବଙ୍ଗ ମଧ୍ୟରେ ସୁବର୍ଣ୍ଣରେଖା ନଦୀକୁ ସୀମାରେଖା ରୂପେ ମାନିନେବାକୁ ଉଭୟ ପକ୍ଷ ରାଜି ହେଲେ ।

ଓଡ଼ିଶାରେ ମରାଠା ଶାସନ ୧୭୫୧ରୁ ୧୮୦୩ ପର୍ଯ୍ୟନ୍ତ ଅର୍ଥାତ୍‍ ଅର୍ଦ୍ଧଶତାବ୍ଦୀରୁ ସାମାନ୍ୟ ଅଧିକ କାଳ ଧରି ଚାଲିଥିଲା । କଟକର ବାରବାଟୀ ଦୁର୍ଗ ଥିଲା ଓଡ଼ିଶା ସୁବା ବା ପ୍ରଦେଶର ରାଜଧାନୀ । ସୁବାଦାର ଥିଲେ ଏହାର ଶାସକ । ପରିସୀମା ଦୃଷ୍ଟିରୁ ଏହାର ସୀମାନ୍ତ ଦକ୍ଷିଣରେ ଚିଲିକା, ଉତ୍ତରରେ ବାଲେଶ୍ୱର ଏବଂ ପଶ୍ଚିମରେ ସମ୍ବଲପୁର ଜିଲ୍ଲା ଯାଏ ବ୍ୟାପି ଥିଲା । ଓଡ଼ିଶା ସୁବାକୁ ମୋଗଲମାନେ ମୋଗଲବନ୍ଦି ଓ ଗଡଜାତ ଭାବରେ ଦୁଇଭାଗରେ ବିଭକ୍ତ କରିଥିଲେ, ଯାହା ମରାଠାମାନଙ୍କ ସମୟରେ ମଧ୍ୟ ଅବ୍ୟାହତ ରହିଲା । ମୋଗଲବନ୍ଦି ଅଂଚଳରେ ମରାଠାମାନଙ୍କର ପ୍ରତ୍ୟକ୍ଷ ଶାସନ ଚାଲିଥିଲା । ଗଡ଼ଜାତରେ ରାଜାମାନେ ବାର୍ଷିକ ଦେୟ ଜମା କଲା ପରେ ସ୍ୱାଧୀନ ଭାବେ ପ୍ରଶାସନ ପରିଚାଳନା କରୁଥିଲେ । ସେତେବେଳେ ମୋଟ ୨୪ଟି ଗଡ଼ଜାତ ରହିଥିଲେ । ମୋଗଲବନ୍ଦି ଅଂଚଳରେ ନିୟମିତ ଜମି ବନ୍ଦୋବସ୍ତ କରାଯାଉଥିଲା ଏବଂ ଜମିଦାରମାନଙ୍କ ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରାଯାଉଥିଲା ।

ମରାଠା ଶାସନ ସମୟରେ ଭୂ-ରାଜସ୍ୱ ଓ ବଙ୍ଗ ନବାବଙ୍କଠାରୁ ଚୌଥ ବା ଚୌଠ କର ଆଦାୟ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା । ତୀର୍ଥଯାତ୍ରୀ କର ଅସୁଲିପାଇଁ ମରାଠା ପ୍ରଶାସକମାନେ ଜଗନ୍ନାଥ ମନ୍ଦିର ଉପରେ ନିୟନ୍ତ୍ରଣକୁ ମଧ୍ୟ ଖୁବ୍‍ ମହତ୍ତ୍ୱ ଦେଉଥିଲେ । ପୁରୀରେ ତୀର୍ଥଯାତ୍ରୀ ସମାଗମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କିଛି ରାସ୍ତାଘାଟର ନିର୍ମାଣପାଇଁ ମଧ୍ୟ ଉଦ୍ୟମ କରିଥିଲେ । ମରାଠା ଶାସନ ସମୟରେ ନାଗପୁରସ୍ଥିତ ଭୋଁସଲେ ଯଦିଓ ଓଡ଼ିଆ ସୁବାର ସର୍ବେସର୍ବା ଥିଲେ, ଦୂରତ୍ୱ ଓ ଗମନାଗମନର ଅସୁବିଧାଯୋଗୁଁ ସୁବାଦାର ଥିଲେ ରାଜ୍ୟର ପ୍ରକୃତ ଶାସକ । ତାଙ୍କର ମୁଖ୍ୟ କାମ ଥିଲା, ଧାର୍ଯ୍ୟମତେ ଭୂ-ରାଜସ୍ୱ ଓ ବଙ୍ଗ ନବାବଙ୍କଠାରୁ ଚୌଠ ଆଦାୟ କରି ଭୋଁସଲେଙ୍କ ରାଜକୋଷରେ ପଇଠ କରିବା । ମାତ୍ର ଧାର୍ଯ୍ୟମତେ ଭୂ-ରାଜସ୍ୱ ଆଦାୟ ହୋଇ ପାରୁ ନଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଥିଲା ଏବଂ ସୁବାଦାର ପଦରୁ ବହିଷ୍କାର କରି ଦିଆଯାଉଥିଲା । ନୂଆ ସୁବାଦାର ନିଯୁକ୍ତ ହେଉଥିଲେ । ଅନ୍ୟ ପକ୍ଷରେ ମୋଗଲବନ୍ଦି ଅଞ୍ଚଳରେ ନିୟମିତ ଜମି ବନ୍ଦୋବସ୍ତ କରି ଜମିଦାର ଓ ପ୍ରଜାଙ୍କ ଉପରେ ବାରମ୍ବାର ଖଜଣା ବୃଦ୍ଧି କରାଯାଉଥିଲା । ଯେହେତୁ ଭୋସଲେଁଙ୍କ ଦାବି ପରିମାଣ ଖୁବ୍‍ ଅଧିକ ଥିଲା, ବହିଷ୍କାରର ଆଶଙ୍କା ସତ୍ତ୍ୱେ ସୁବାଦାର ଧାର୍ଯ୍ୟମତେ ରାଜସ୍ୱ ଅସୁଲ କରି ପାରୁ ନଥିଲେ । ନିୟମିତ ଖଜଣା ବୃଦ୍ଧି ହେଉଥିବାରୁ ମରାଠାମାନଙ୍କ ବିରୁଦ୍ଧରେ ବିଦ୍ରୋହ ମଧ୍ୟ ହେଉଥିଲା । ରାଜସ୍ୱ ପଇଠ କରିବାକୁ ମରାଠା ଅଧିକାରୀମାନେ ନିଜ ପ୍ରଜା ଓ ଜମିଦାରଙ୍କୁ ଲୁଣ୍ଠନ କରୁଥିଲେ ।

ମାତ୍ର ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଓଡ଼ିଶା ସୁବାରେ ମୋଟ ଦଶଜଣ ସୁବାଦାର ନିଯୁକ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଦୁଇଜଣ ମୀର୍‍ ହବିବ୍‍ (୧୭୫୧-୧୭୫୨) ଓ ମିର୍ଜା ସାଲେ (୧୭୫୨-୧୭୫୯)ଥିଲେ ମୁସଲମାନ । ଉଭୟେ ବଙ୍ଗଶାସକ ଅଲିବର୍ଦ୍ଦି ଖାଁ ଓ ଭୋଁସଲେ ରାଜା ରଘୁଜୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ନିଯୁକ୍ତି ପାଇଥିଲେ । ଅନ୍ୟ ଆଠଜଣ ସୁବାଦାର ଥିଲେ ମରହଟ୍ଟା । ସେମାନେ ହେଲେ- ଶେଓ ଭଟ୍ଟ ସାଠେ (୧୭୬୦-୧୭୬୪), ଭବାନୀ ପଣ୍ତିତ (୧୭୬୪-୬୮), ଶମ୍ଭାଜୀ ଗଣେଶ (୧୭୬୮-୧୭୭୦) । ବାବୁଜୀ ନାଏକ(୧୭୭୧-୧୭୭୩), ମାଧୋଜୀ ହରି (୧୭୭୩-୧୭୭୭), ରାଜାରାମ ପଣ୍ତିତ (୧୭୭୮-୧୭୯୩) ଏବଂ ସଦାଶିବ ରାଓ (୧୭୯୩-୧୮୦୩) । ଏମାନଙ୍କ ବ୍ୟତୀତ ସାମୟିକ ଭାବେ ଆଉ କେତେ ଜଣ ମଧ୍ୟ ସୁବାଦାର ପଦରେ ନିଯୁକ୍ତ ହୋଇଥିଲେ । ଅଧିକାଂଶ ସୁବାଦାର ଦାବିମତେ ଖଜଣା ଅସୁଲ କରି ନ ପାରି ପଦରୁ ବରଖାସ୍ତ ହେଉଥିଲେ ।

ମୀର୍‍ ହବିବ୍‍ ଥିଲେ ଓଡ଼ିଶାର ପ୍ରଥମ ମରାଠା ସୁବାଦାର । ତାଙ୍କର ପ୍ରକୃତ ନାମ ଥିଲା ମୀର୍‍ ହବିବୁଲ୍ଲା । ପାରସ୍ୟରୁ ସେ ଭାରତ ଆସି ବଙ୍ଗ ନବାବଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ । ମାତ୍ର ଅଲିବର୍ଦ୍ଦି ଖାଁ ନବାବ ପଦ ଅଧିକାର କରିନେବା ପରେ ସେ ଓଡ଼ିଶାରେ ପୂର୍ବରୁ ନିଯୁକ୍ତ ନାଏବ ନବାବ ମୁର୍ସିଦ୍‍ କୁଲି ଖାଁଙ୍କ ସହ ମିଶି ନବାବଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ପରାଜିତ ହେଲା ପରେ ଓଡ଼ିଶା ଉପରେ ମରାଠା ଆକ୍ରମଣପାଇଁ ସହଯୋଗ କଲେ ।୧୭୫୧ରେ ଅଲବର୍ଦ୍ଦି ଓ ଭୋଁସଲେଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ପଛରେ ମୀର ହବିବ୍‍ଙ୍କ ବଡ଼ ଭୂମିକା ରହିଥିଲା । ସେ ଓଡ଼ିଶାର ସୁବାଦାର ନିଯୁକ୍ତ ହେଲେ ଏବଂ ଓଡ଼ିଶାର ରାଜସ୍ୱ ଆଦାୟ କରିବାର ପ୍ରତିଶ୍ରୁତି ଦେଲେ । ଚୁକ୍ତିର ସର୍ତ୍ତ ଅନୁଯାୟୀ ଅଲିବର୍ଦ୍ଦିଙ୍କ ବଙ୍ଗ ଅଧୀନରେ ଓଡ଼ିଶା ରହିବ, ମାତ୍ର ରାଜସ୍ୱ ଜମା ହେବ ଭୋଁସଲେଙ୍କ ରାଜକୋଷରେ । ମୀର ହବିବ୍‍ ଅଲିବର୍ଦ୍ଦିଙ୍କଠାରୁ ଚୌଠ କର ଆଦାୟ କରି ନାଗପୁର ପଠାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ । ମାତ୍ର ରାଜସ୍ୱ ଅସୁଲିରେ ସେ ବିଫଳ ହେଲେ । ଚୌଠ ଆଦାୟ ମଧ୍ୟ କରି ପାରିଲେ ନାହିଁ । ଅନ୍ୟ ପକ୍ଷରେ ସେ ରାଜକୋଷର ଅର୍ଥ ତୋସରପାତ କରିଥିବାର ଅଭିଯୋଗ ନାଗପୁରରେ ପହଞ୍ଚିଲା । ରଘୁଜୀ ଭୋଁସଲେଙ୍କ ପୁତ୍ର ଜାନୁଜୀ ତଦନ୍ତପାଇଁ କଟକ ଆସିଥିବା ସମୟରେ ମୀର୍‍ ହବିବ୍‍ଙ୍କର ମୃତ୍ୟୁ ହେଲା । ଦ୍ୱିତୀୟ ସୁବାଦାର ମିର୍ଜା ସାଲେ (୧୭୫୨-୫୯) ସାତ ବର୍ଷ ଧରି ଓଡ଼ିଶାରେ ଶାସନ କଲେ । ମୀର୍‍ ହବିବ୍‍ଙ୍କ ସହଯୋଗୀ ଭାବରେ ସେ ଓଡ଼ିଶାର ଭୂଗୋଳ ଓ ରାଜନୀତି ସହିତ ପରିଚିତ ଥିଲେ । ପୂର୍ବରୁ ଧାର୍ଯ୍ୟମତେ ଭୂ-ରାଜସ୍ୱ ଓ ଅଲିବର୍ଦ୍ଦିଙ୍କଠାରୁ ଚୌଠ କର ସହିତ ଅଧିକ ଚାରି ଲକ୍ଷ ଟଙ୍କା ଜମା କରିବାକୁ ତାଙ୍କୁ ଆଦେଶ ଦିଆଗଲା । ଅଲିବର୍ଦ୍ଦିଙ୍କଠାରୁ ସେ ଏହି ବଳକା ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ । ଅଲିବର୍ଦ୍ଦି ଚୌଠ ଦେବାକୁ ମନା କରିବାରୁ ମିର୍ଜା ସାଲେ ଓଡ଼ିଶାର ଜମିଦାରମାନଙ୍କଠାରୁ ତାହା ବଳପୂର୍ବକ ଆଦାୟ କରିବାକୁ ପ୍ରୟାସ କଲେ । ମାତ୍ର ତାଙ୍କୁ ଆଶାନୁରୂପ ସଫଳତା ମିଳି ପାରିଲା ନାହିଁ । ଅନ୍ୟ ପକ୍ଷରେ ମରାଠାଶାସନ ଅଧିକରୁ ଅଧିକ ଅପ୍ରିୟ ହେଲା । ରାଜସ୍ୱ ଜମା କରି ନପାରିବାରୁ ତାଙ୍କୁ ୧୭୫୯ରେ ଭୋଁସଲେ ରାଜା ଓଡ଼ିଶା ସୁବାଦାର ପଦବୀରୁ ବରଖାସ୍ତ କଲେ ।

ମିର୍ଜା ସାଲେ ଧାର୍ଯ୍ୟ ରାଜସ୍ୱ ରାଜକୋଷରେ ଜମା କରି ଭୋଁସଲେଙ୍କ ପ୍ରିୟଭାଜନ ହେବାକୁ ନାନା ଉପାୟ କରିଥିଲେ । ତାଙ୍କ ସମୟରେ ସିରାଜ ଉଦ୍ଦୌଲା ଓ ଇଂରେଜମାନଙ୍କ ମଧ୍ୟରେ ପଲାସୀ ଯୁଦ୍ଧ (୧୭୫୭) ସଂଘଟିତ ହେଲା । ସେ ଇଂରେଜମାନଙ୍କ ପକ୍ଷ ନେଇ ଯୁଦ୍ଧରେ ଜିଣିଲା ପରେ ସହଜରେ ଚୌଠ ଆଦାୟ କରିବେ ବୋଲି ଆଶା ରଖିଥିଲେ । ଏ ନେଇ ଏକ ପ୍ରତିଶ୍ରୁତି ମଧ୍ୟ ସେ ଇଂରେଜମାନଙ୍କ ପାଖରୁ ହାସଲ କରିଥିଲେ । ମାତ୍ର ପଲାସୀ ଯୁଦ୍ଧରେ ଜିଣିଲା ପରେ ଇଂରେଜମାନଙ୍କ ଶକ୍ତି ବୃଦ୍ଧି ପାଇଲା । ୧୭୬୪ରେ ବକ୍ସର ଯୁଦ୍ଧରେ ବିଜୟ ହାସଲ କଲା ପରେ ସେମାନେ ବଙ୍ଗ, ବିହାର ଓ ଓଡ଼ିଶାର ଦିଓ୍ୱାନୀ କ୍ଷମତା ହାସଲ କଲେ, ଯାହା ଫଳରେ ପ୍ରତିଶ୍ରୁତି ଭଙ୍ଗ କରିବା ସେମାନଙ୍କପାଇଁ ସହଜ ହେଲା । ଏମିତିରେ ବି ଇଂରେଜ ଇଷ୍ଟ ଇଣ୍ତିଆ କମ୍ପାନୀର ସାମ୍ରାଜ୍ୟବାଦୀ ଚରିତ୍ରକୁ ଯଦି ମିର୍ଜା ସାଲେ ବା ତତ୍‍କାଳୀନ ଅନ୍ୟ ଭାରତୀୟ ଶକ୍ତିମାନେ ବୁଝି ପାରିଥାନ୍ତେ, ପ୍ରତିଶ୍ରୁତି ହାସଲ କରିବା ଅମୂଳକ ବୋଲି ଜାଣି ପାରିଥାନ୍ତେ ।

୧୭୫୫ରେ ରଘୁଜୀ ଭୋଁସଲେଙ୍କ ମୃତ୍ୟୁ ହେଲା । ଏହାକୁ ସୁଯୋଗ ମନେକରି ବାରମ୍ବାର ମରାଠା ଆକ୍ରମଣରେ ତ୍ରସ୍ତ ଓଡ଼ିଶାର କେତେକ ଜମିଦାର ବିଦ୍ରୋହ ଆରମ୍ଭ କଲେ । ଏହା ଫଳରେ ମିର୍ଜା ସାଲେ ସୁବାଦାର ଭାବରେ ଅଧିକ ଅପଦସ୍ତ ହେଲେ । ତାଙ୍କ ପଦଚ୍ୟୁତି ପରେ (୧୭୫୯ରେ) ଶେଓ ଭଟ୍ଟ ସାଠେ (୧୭୬୦-୧୭୬୪) ଓଡ଼ିଶାର ସୁବାଦାର ନିଯୁକ୍ତ ହେଲେ ।

ଶେଓ ଭଟ୍ଟ ସାଠେ ସୁବାଦାର ନିଯୁକ୍ତ ହେବା ପୂର୍ବରୁ ଓଡିଶାରେ ବ୍ୟାପିଥିବା ଅରାଜକତାକୁ ଦୂର କରିବାଲାଗି ସୈନ୍ୟ ଚାଳନା ମଧ୍ୟ କରିଥିଲେ । ଏପରିକି ବାରବାଟୀ ଦୁର୍ଗର ଫୌଜଦାର (ରକ୍ଷକ) ଫତେହ ଖାନ୍‍ଙ୍କ ସହ ମଧ୍ୟ ତାଙ୍କୁ ଯୁଦ୍ଧ କରିବାକୁ ପଡ଼ିଥିଲା । ଅରାଜକତାକୁ ଦୂରକରି ମରାଠା ଶାସନ ପୁନର୍ପ୍ରତିଷ୍ଠା କରିବାରେ ସଫଳ ହୋଇଥିବାରୁ ଶେଓ ଭଟ୍ଟଙ୍କ ଉପରେ ନୂତନ ଭୋଁସଲେ ରାଜା ଜାନୁଜୀଙ୍କର ଅଗାଧ ବିଶ୍ୱାସ ଥିଲା । ମାତ୍ର ବଙ୍ଗର ନୂତନ ନବାବ ମୀର୍‍ ଜାଫର ଏବଂ ତାଙ୍କ ପରେ ମୀର୍‍ କାଶିମ୍‍ଙ୍କ ପାଖରୁ ସେ ବକେୟା ଚୌଠ ଅସୁଲ କରି ପାରିଲୋହିଁ । ୧୭୬୩ରେ ସେ ବଙ୍ଗର ନବାବ ମୀର୍‍ କାଶିମ୍‍ଙ୍କଠାରୁ ବକେୟା ଚୌଠ ଆଦାୟ କରିବାକୁ ଜଳେଶ୍ୱର ଓ ମେଦିନିପୁର ଅଧିକାର କରିନେଲେ । ଇଂରେଜମାନେ ଏହା ଚାହୁଁ ନଥିଲେ । ସେମାନେ ଭୋଁସଲେଙ୍କୁ ଚୌଠ ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ ଏବଂ ପ୍ରତିବଦଳରେ ମରାଠାମାନେ ଯୁଦ୍ଧ ପରିସ୍ଥିତିରେ ମୀର୍‍ କାଶିମ୍‍ଙ୍କୁ ସହଯୋଗ କରିବେ ନାହିଁ ବୋଲି ଚୁକ୍ତି ହେଲା । ମାତ୍ର ବକ୍ସର ଯୁଦ୍ଧରେ ଜିଣିଲା ପରେ ଇଂରେଜମାନେ ପ୍ରତିଶ୍ରୁତିକୁ ଉପେକ୍ଷା କଲେ ଏବଂ ମରାଠାମାନଙ୍କ ବିରୁଦ୍ଧରେ ଲଢ଼ିବାପାଇଁ ଶକ୍ତି ସଂଚୟ କଲେ । ସେ ଯାହା ହେଉ, ଶେଓ ଭଟ୍ଟ ରାଜସ୍ୱ ଦାବିପୂରଣ କରି ନ ପାରିବାରୁ ୧୭୬୪ରେ ଗିରଫ ହେଲେ ଏବଂ ତାଙ୍କୁ ନାଗପୁରକୁ ପଠାଇ ଦିଆଗଲା ।

୧୭୬୪ରେ ଭବାନୀ ପଣ୍ଡିତ ଓଡ଼ିଶାର ସୁବାଦାର ନିଯୁକ୍ତ ହୋଇ ୧୭୬୮ରେ ଚୌଠ ଆଦାୟ କରି ନ ପାରିବା ଅପରାଧରେ ପଦଚ୍ୟୁତ ହେଲେ । ବଳପୂର୍ବକ ବର୍ଦ୍ଧିତ ରାଜସ୍ୱ ଆଦାୟ କରିବାପାଇଁ ସେ ଜମିମାଲିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ଏହା ମରାଠା ପ୍ରଶାସନକୁ ଓଡ଼ିଶାରେ ଅଧିକ ବଦନାମ କଲା । ଭବାନୀ ପଣ୍ଡିତଙ୍କ ପରେ ଶମ୍ଭାଜୀ ଗଣେଶ (୧୭୬୮-୭୦) ଦୁଇ ବର୍ଷ ସୁବାଦାର ପଦରେ ରହିଲେ । ୧୭୭୦ରେ ତାଙ୍କର ମୃତ୍ୟୁ ହେବା ପରେ ଅସ୍ଥାୟୀ ଭାବେ ରାଜାରାମ ପଣ୍ଡିତ କିଛି କାଳ ଓଡ଼ିଶାର ସୁବାଦାର ଦାୟିତ୍ୱ ନେଲେ । ତା' ପରେ ୧୭୭୧ରେ ବାବୁଜୀ ନାୟକ ସୁବାଦାର ନିଯୁକ୍ତ ହେଲେ ।

୧୭୭୩ରେ ମାଧୋଜୀ ହରି ସୁବାଦାର ପଦରେ ନିଯୁକ୍ତ ହୋଇ ୧୭୭୭ ପର୍ଯ୍ୟନ୍ତ ପଦବୀରେ ରହିଲେ । ମାଧୋଜୀଙ୍କ ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳଦସ୍ୟୁମାନଙ୍କର ଉତ୍ପାତ ବୃଦ୍ଧି ପାଇଲା । ଏହାଦ୍ୱାରା ଇଂରେଜ ବଣିକମାନେ ବିଶେଷ କ୍ଷତିଗ୍ରସ୍ତ ହେଲେ । ମରାଠା ସୁବାଦାର ଜଳଦସ୍ୟୁମାନଙ୍କ ପ୍ରତି ବା ସେମାନଙ୍କ ଉତ୍ପାତପାଇଁ ଦାୟୀ ମନେ କରାଯାଉଥିବା ଜମିଦାରମାନଙ୍କ ପ୍ରତି ବିଶେଷ କଠୋର ହୋଇପାରି ନଥିଲେ । କାରଣ ଜଳଦସ୍ୟୁମାନଙ୍କ ଉପରେ ଉକ୍ତ ଜମିଦାରମାନଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ନଥିଲା । ଇଂରେଜମାନେ ଭୋଁସଲେଙ୍କ ପାଖରେ ଯାଇ ମାଧୋଜୀଙ୍କ ବିରୁଦ୍ଧରେ ଫେରାଦ ହେଲେ । ଇଂରେଜମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଶକ୍ତିର ଅନୁମାନ କରି ଭୋଁସଲେ ମାଧୋଜୀ ହରିଙ୍କୁ ଓଡ଼ିଶାରୁ ପ୍ରତ୍ୟାହାର କରିନେଲେ । ଏଣିକି ଭାରତରେ ଏକ ବିଶାଳ ଶକ୍ତି ଭାବରେ ଇଂରେଜମାନଙ୍କର ଉଦୟ ହେଲା । ସେମାନଙ୍କୁ ଅବହେଳା କରିବା କଥା ମରାଠାମାନେ ଚିନ୍ତା ବି କରିପାରିଲେ ନାହିଁ ।

ରାଜାରାମ ପଣ୍ଡିତ କେବଳ ସୁବାଦାର ପଦରେ (୧୭୭୮-୧୭୯୩) ଅଧିକ କାଳ ରହି ନଥିଲେ, ତା' ସହିତ ଇଂରେଜମାନଙ୍କ ସହ ବୁଝାମଣା କରି ସେ ସୂଚାରୁ ରୂପେ ଓଡ଼ିଶାରେ ମରାଠା ପ୍ରଶାସନ ମଧ୍ୟ ପରିଚାଳନା କରିଥିଲେ । ଜଣେ ଦକ୍ଷ କୂଟନୀତିଜ୍ଞ ଭାବରେ ରାଜାରାମ ପଣ୍ଡିତ ଅନୁଭବ କଲେ ଯେ, ଇଂରେଜମାନଙ୍କ ସହ ବନ୍ଧୁତାପୂର୍ଣ୍ଣ ସଂପର୍କ ରକ୍ଷାକରି ଓଡ଼ିଶାର ମରାଠା ଶକ୍ତିକୁ ଦୃଢ଼ କରାଯାଇ ପାରିବ । ଏହି ସମୟରେ କର୍ଣ୍ଣାଟକର ହାଇଦର ଅଲ୍ଲିଙ୍କ ବିରୁଦ୍ଧରେ ସୈନ୍ୟ ଚାଳନା କରିବା ଲାଗି ଇଂରେଜମାନେ ଓଡ଼ିଶାର ସହଯୋଗ ଲୋଡୁଥିଲେ । ଇଂରେଜ ସେନାଙ୍କୁ ବଙ୍ଗ ପ୍ରେସିଡେନ୍‍ସିରୁ ମାଡ୍ରାସ୍‍ ପ୍ରେସିଡେନ୍‍ସିକୁ ସ୍ଥଳପଥରେ ଓଡ଼ିଶା ଉପକୂଳ ଦେଇ ଯିବାକୁ ହେବ । ଏଥିପାଇଁ ଇଂରେଜ ମରାଠା ସୁବାଦାରଙ୍କ ଅନୁମତି ଲୋଡ଼ିଥିଲେ । ବଙ୍ଗ ଅଧିକାର ପରେ ଦକ୍ଷିଣକୁ ସାମ୍ରାଜ୍ୟ ବିସ୍ତାର ଲାଗି ଓଡ଼ିଶା ଅଧିକାର କରିବା ଇଂରେଜମାନଙ୍କ ପକ୍ଷେ ଏକ ଆବଶ୍ୟକତା ଥିଲା । ମାତ୍ର ଆରମ୍ଭରେ ସେମାନେ ଓଡ଼ିଶା ଅଧିକାର ନକରି ଅନୁମତି ଲୋଡ଼ିଥିଲେ । ଏହାର ସୁଯୋଗ ନେଇ ରାଜାରାମ ବଙ୍ଗ ନବାବଙ୍କଠାରୁ ମିଳିବାକୁ ଥିବା ବକେୟା ଦୁଇ କୋଟି ଟଙ୍କା ଚୌଠ କର ଇଂରେଜମାନଙ୍କଠାରୁ ଦାବି କଲେ । ଇଂରେଜମାନେ ପ୍ରଥମେ ୧୨ ଲକ୍ଷ ଟଙ୍କା ଏବଂ ବୁଝାମଣା ପରେ ଅଧିକ ୧୩ ଲକ୍ଷ ଟଙ୍କା ଦେବାକୁ ରାଜି ହେଲେ । ପ୍ରତିବଦଳରେ ରାଜାରାମ ଓଡ଼ିଶା ମଧ୍ୟ ଦେଇ ଇଂରେଜ ସେନାଙ୍କୁ ବଙ୍ଗରୁ ମାଡ଼୍ରାସ୍‍ ପ୍ରେସିଡେନ୍‌ସି ଯିବାଲାଗି ଅନୁମତି ଦେଲେ । ବୁଝାମଣାପାଇଁ ଇଂରେଜମାନଙ୍କ ପକ୍ଷରୁ ଏଣ୍ଡରସନ୍‍ ନାମକ ଜଣେ ପ୍ରତିିନିଧି ଦୁଇଥର କଟକ ଆସିଥିଲେ । ଅନୁମତି ପ୍ରଦାନ କଲା ପରେ ରାଜାରାମ ନିଜର କେତେକ ଅଧିକାରୀଙ୍କୁ ମଧ୍ୟ ଦଣ୍ଡଦେବାକୁ ହେଳା କରି ନଥିଲେ । କାରଣ ସେମାନେ ଇଂରେଜ ସେନାର ଯିବାରେ ବାଧକ ହୋଇଥିଲେ । ବାଲେଶ୍ୱରର ଫୌଜଦାର ଭବାନୀ ଦାସ ଚୌଧୁରୀଙ୍କୁ ମଧ୍ୟ ସେ ବରଖାସ୍ତ କରି ତାଙ୍କ ସ୍ଥାନରେ ମୁରାରି ପଣ୍ଡିତଙ୍କୁ ନିଯୁକ୍ତ କଲେ । ଭବାନୀ ଦାସଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ଇଂରେଜ ବଣିକମାନଙ୍କୁ ହଇରାଣ କରୁଥିଲେ । ଗଞ୍ଜାମର ଜଣେ ଜମିଦାର ବଳରାମ ମହାରଥା ଇଂରେଜମାନଙ୍କୁ ବିରୋଧ କରୁଥିଲେ ଏବଂ ଖୋର୍ଦ୍ଧା ରାଜା ବୀରକିଶୋର (ପାଠାନ୍ତରେ ବୀରକିଶୋରୀ)ଦେବ ତାଙ୍କୁ ଆଶ୍ରୟ ଦେଇଥିଲେ ବୋଲି ସେ ରାଜାଙ୍କ ଉପରେ ଦଶ ହଜାର ଟଙ୍କା ଜୋରିମାନା କଲେ ।


ରାଜାରାମ ପଣ୍ଡିତ ପୁରୀ, ଜଗନ୍ନାଥ ମନ୍ଦିର ଓ ଖୋର୍ଦ୍ଧା ଉପରେ ମଧ୍ୟ ପ୍ରତ୍ୟକ୍ଷ ନିୟନ୍ତ୍ରଣ ରଖିଥିଲେ । ଏହା ତାଙ୍କ ରାଜସ୍ୱ ବୃଦ୍ଧିରେ ସହାୟକ ହେଉଥିଲା । ୧୭୬୦ରେ ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ ଖୋର୍ଦ୍ଧା ଆକ୍ରମଣ କଲେ ଏବଂ ପୁରୀ ଓ ଜଗନ୍ନାଥ ମନ୍ଦିର ଅଧିକାର କରିନେଲେ । ଗଙ୍ଗ ବଂଶର ଦାୟାଦ ଭାବରେ ସେ ମଧ୍ୟ ନିଜକୁ ଗଜପତି ବୋଲି ଦାବି କରୁଥିଲେ ଏବଂ ପୁରୀ ଅଧିକାର କରି ଏହା ପ୍ରମାଣ ମଧ୍ୟ କରିଥିଲେ । ଖୋର୍ଦ୍ଧାରାଜା ବୀରକିଶୋର ଦେବ ମରାଠା ସେନାର ସହାୟତା ନେଇ ପୁନଶ୍ଚ ପୁରୀ ଅଧିକାର କଲେ । ଏଥିପାଇଁ ସେ ମରାଠା ସୁବାଦାରଙ୍କୁ ଲକ୍ଷେ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଲେ । ମାତ୍ର ଟଙ୍କା ଦେଇ ନ ପାରିବାରୁ ମରାଠାମାନେ ପୁରୀ, ଲେମ୍ବାଇ ଓ ରାହାଙ୍ଗର ରାଜସ୍ୱ ଅସୁଲ କରିବେ ବୋଲି କଥା ଛିଣ୍ଡିଲା । ଏହା ସହିତ ଆକବରଙ୍କ ସମୟରୁ ଖୋର୍ଦ୍ଧା ରାଜା ଅସୁଲ କରୁଥିବା ୧୪ଟି ଗଡ଼ଜାତର ବାର୍ଷିକ ଦେୟ ମଧ୍ୟ ମରାଠା ସୁବାଦାରଙ୍କ ହାତକୁ ଗଲା । ପୁରୀ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ଓ ରାଜସ୍ୱ ହାତରୁ ଗଲା ପରେ ଅପମାନରେ ବୀରକିଶୋର ଦେବ ପାଗଳ ହୋଇ ନିଜ ପୁତ୍ରମାନଙ୍କୁ ହତ୍ୟା କଲେ । ପରିଣାମ ସ୍ୱରୂପ, ମରାଠା ସୁବାଦାର ତାଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ (୧୭୯୩) ବନ୍ଦୀ କରି କଟକ ଦୁର୍ଗରେ ରଖିଲେ । ମୋଟ କଥା ହେଲା, ରାଜାରାମ ପଣ୍ଡିତଙ୍କ ସମୟରେ ଜଗନ୍ନାଥ ମନ୍ଦିର ଉପରେ ମରାଠାମାନଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ପ୍ରତିଷ୍ଠିତ ହୋଇ ସାରିଥିଲା । ରାଜାରାମ ମନ୍ଦିରର ସୁପରିଚାଳନା ନିମନ୍ତେ କେତେକ ପଦକ୍ଷେପ ନେଇଥିଲେ । ଏହା ପଛରେ ନିଶ୍ଚିତ ଭାବରେ ତାଙ୍କର ହିନ୍ଦୁ ଧର୍ମଭାବ ଥିଲା । ମାତ୍ର ତା' ସହିତ ଯାତ୍ରୀ ସମାଗମ ବୃଦ୍ଧିପାଇ ମନ୍ଦିରରୁ ଆୟ ଅଧିକ ହେବାର ବି ସମ୍ଭାବନା ଥିଲା । ଭୂ-ରାଜସ୍ୱ ଆଦାୟକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ସେ ବଡ଼ ଚାଷୀ ଓ ଗ୍ରାମ ମୁଖିଆମାନଙ୍କୁ ଅନେକ ଅଧିକାର ଦେଇଥିଲେ । ଜଗନ୍ନାଥ ମନ୍ଦିରର ସରକାରୀ ଖର୍ଚ୍ଚ ଊଣା କରିବା ଉଦ୍ଦେଶ୍ୟରେ ସେ ଧନୀ ଲୋକମାନଙ୍କୁ ଦାନ କରିବାକୁ ଚାପ ପ୍ରୟୋଗ କରୁଥିଲେ ।

୧୭୯୩ରେ ରାଜାରାମ ପଣ୍ଡିତଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସଦାଶିବ ରାଓ ଓଡ଼ିଶାର ସୁବାଦାର ହେଲେ । ପିତାଙ୍କ ସମୟରେ ସେ ଓଡ଼ିଶାର ଉପ-ସୁବାଦାର ଭାବରେ କାର୍ଯ୍ୟ କରିଥିଲେ । ସ୍ଥାନୀୟ ରୀତି ନୀତି ସହିତ ସୁପରିଚିତ ଥିଲେ । ଇଂରେଜମାନଙ୍କୁ ସହଯୋଗ କରିବାରେ ମଧ୍ୟ ଊଣା କରିନଥିଲେ । ଏହା ସତ୍ତ୍ୱେ ୧୮୦୩ରେ ଇଂରେଜମାନେ ତାଙ୍କ ସମୟରେ ଓଡ଼ିଶା ଅଧିକାର କରିନେଲେ, କାରଣ ଇଂରେଜ ସାମ୍ରାଜ୍ୟ ବିସ୍ତାର ଲାଗି ଏହା ଅତ୍ୟନ୍ତ ଆବଶ୍ୟକ ଥିଲା । ଅକ୍ଟୋବର ୧୮୦୩ରେ ଯେତେବେଳେ ଇଂରେଜସେନା କଟକ ଅଧିକାର କଲେ, ସେତେବେଳେ ସଦାଶିବ ରାଓ ଓଡ଼ିଶାରେ ନଥିଲେ । ତାଙ୍କ ପ୍ରତିନିଧି ଏକଜୀ ସୁଖଦେଓଙ୍କ ପ୍ରତିରୋଧରେ ବିଶେଷ ଶକ୍ତି ନଥିଲା । ରାଜସ୍ୱ ଅସୁଲି ଉପରେ ମରାଠାମାନେ ଅଧିକ ଗୁରୁତ୍ୱ ଦେଉଥିବାରୁ ଓଡ଼ିଶାର ସାମନ୍ତ ରାଜା ଓ ଜମିଦାରମାନଙ୍କର ମଧ୍ୟ ସେମାନଙ୍କ ପ୍ରତି କୌଣସି ସମର୍ଥନ ନଥିଲା । ଫଳସ୍ୱରୂପ ଇଂରେଜମାନେ ଓଡ଼ିଶା ଅଧିକାର ବେଳେ କେତେକ ରାଜା- ଜମିଦାରଙ୍କ ସହଯୋଗ ମଧ୍ୟ ଲାଭ କରିଥିଲେ । ଓଡ଼ିଶା ଅଧିକାର କରିବାନିମିତ୍ତ ସେମାନଙ୍କୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ିନଥିଲା । ୧୭୫୭ର ପଲାସୀ ବିଜୟ ପରେ ଇଂରେଜମାନଙ୍କର ସମଗ୍ର ଭାରତବର୍ଷକୁ ଅଧିକାର କରିନେବା ଲାଗି ମହାତ୍ତ୍ୱାକାଂକ୍ଷା ଯେତେ ମାତ୍ରାରେ ବୃଦ୍ଧି ପାଇଥିଲା, ତହିଁରେ ଓଡ଼ିଶା ଭଳି କ୍ଷେତ୍ରଗୁଡ଼ିକର ଇଂରେଜ ସାମ୍ରାଜ୍ୟରେ ସାମିଲ ହେବା ଏକ ତାର୍କିକ ପରିଣାମ ସଦୃଶ ଥିଲା ।

ମରାଠା ପ୍ରାଶାସନିକ ବ୍ୟବସ୍ଥା

ଦୀର୍ଘ ଅର୍ଦ୍ଧଶତାବ୍ଦୀର ଶାସନ (୧୭୫୧-୧୮୦୩) କାଳ ମଧ୍ୟରେ ନାଗପୁରର ଭୋଁସଲେ ରାଜା ଓଡ଼ିଶାରେ ଯେଉଁ ପ୍ରାଶାସନିକ ବ୍ୟବସ୍ଥାର ପ୍ରବର୍ତ୍ତନ କରିଥିଲେ, ତାକୁ ମରାଠା ବା ମରହଟ୍ଟା ପ୍ରଶାସନ ବୋଲି ନାମିତ କରାଯାଇଥାଏ । ବିଭିନ୍ନ ସୂତ୍ରରୁ ରାଜସ୍ୱ ଆଦାୟ ଥିଲା ତତ୍‍କାଳୀନ ପ୍ରଶାସନର ପ୍ରମୁଖ ଉଦ୍ଦେଶ୍ୟ । ଏହା କେବଳ ଭୋଁସଲେ ରାଜା କାହିଁକି, ଅନ୍ୟ ଭାରତୀୟ ରାଜାମାନଙ୍କ ଶାସନରେ ମଧ୍ୟ ପରିଲକ୍ଷିତ ହେଉଥିଲା । ଅଷ୍ଟାଦଶ ଶତାବ୍ଦୀରେ ରାଜାମାନେ ହୁଏତ ବିଦେଶୀ ପ୍ରରୋଚନାରେ ପଡ଼ି ଆପୋସରେ କଳହ କରୁଥିଲେ ଅଥବା ବିଦେଶୀ (ଇଂରେଜ ଓ ଫରାସୀ) ଶକ୍ତିର ମୁକାବିଲା କରିବାକୁ ବାଧ୍ୟ ହେଉଥିଲେ । ଅର୍ଥାତ୍‍ ସେମାନେ ଅଧିକରୁ ଅଧିକ ମାତ୍ରାରେ ଯୁଦ୍ଧରେ ଜଡ଼ିତ ରହୁଥିବାରୁ ସର୍ବଦା ଅର୍ଥର ଆବଶ୍ୟକତା ରହୁଥିଲା । ତାହା ପାଇଁ ପ୍ରମୁଖ ଉତ୍ସ ଥିଲା ଚାଷ ଜମିରୁ ଆଦାୟ ହେଉଥିବା ଜମିକର । ଏହା ବାହାରେ ବି ରାଜସ୍ୱର ଅନ୍ୟ ଉତ୍ସ ଯଥା: ବାଣିଜ୍ୟ କର, ଯାତ୍ରୀ କର, ପଥ କର, ଲୁଣ କର ଆଦିକୁ ପ୍ରଶାସନ ହାତଛଡ଼ା କରିବାକୁ ଚାହୁଁ ନଥିଲା । ଶାନ୍ତି ଶୃଙ୍ଖଳା ବ୍ୟାହତ ହେଲେ କର ଆଦାୟର ପଥ ସୁଗମ ହୋଇ ପାରିବ ନାହିଁ । ତେଣୁ ପ୍ରଶାସନ ଅଧିକାରୀ ଓ କର୍ମଚାରୀଗଣ ରାଜସ୍ୱ ଆଦାୟ ସହିତ ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଯତ୍ନ ନେଉଥିଲେ । ରାସ୍ତାଘାଟର ସୁବିଧା ଓ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ପଛରେ ମଧ୍ୟ ରାଜସ୍ୱ ପ୍ରଶ୍ନକୁ ଦେଖିହେବ । ଅନ୍ୟଥା ତୀର୍ଥଯାତ୍ରୀ ସଂଖ୍ୟା ଓ ତହିଁରୁ ମିଳୁଥିବା ତୀର୍ଥଯାତ୍ରୀ କର ବୃଦ୍ଧି ହୋଇ ନପାରେ । ଏହା ସତ୍ତ୍ୱେ ଜନସାଧାରଣ ସର୍ବଦା ମାତ୍ରାଧିକ ଅତ୍ୟାଚାର ଓ ଶୋଷଣର ଶିକାର ହେଉଥିଲେ ବୋଲି କୁହାଯାଇ ପାରିବ ନାହିଁ । କାରଣ ଲୋକଙ୍କ ଆର୍ଥିକ ସମ୍ପନ୍ନତା ଓ ସାଧାରଣ ସୁରକ୍ଷା ବିନା କର ଆଦାୟ ପ୍ରକ୍ରିୟା ସୁଗମ ହୋଇ ପାରିବ ନାହିଁ । ଅତ୍ୟାଚାର ବା କରଭାର ଅସହ୍ୟ ହେଲେ ପ୍ରଜା ରାଜ୍ୟ ଛାଡ଼ି ପଳାୟନ କରୁଥିଲେ । ଫଳରେ ରାଜ୍ୟର ରାଜସ୍ୱ ହ୍ରାସ ପାଇବାର ଆଶଙ୍କା ରହୁଥିଲା । ଏହି ସାଧାରଣ ସ୍ଥିତି ବାହାରେ କେତେକ ରାଜା ଓ ରାଜାଧିକାରୀ ଅଧିକ ସ୍ୱେଚ୍ଛାଚାରୀ, ଅତ୍ୟାଚାରୀ ଓ ଶୋଷଣକାରୀ ହେବାର ନଜିର ଯେମିତି ରହିଥିଲା, ସେମିତି କେତେକ ରାଜାଙ୍କ ଦୟାଶୀଳତା, ଲୋକପ୍ରିୟତା ଓ ମାନବିକତାର ଉଦାହରଣ ମଧ୍ୟ ରହିଥିଲା । ଓଡ଼ିଶାରେ ମୋଗଲ ପ୍ରଶାସନ ଓ ତା'ର ଉତ୍ତରାଧିକାରୀ ରୂପେ ଉତ୍‍ଥାନ ଲାଭ କରିଥିବା ମରହଟ୍ଟା ପ୍ରଶାସନକୁ ମଧ୍ୟ ସେହି ପରିପ୍ରେକ୍ଷୀରେ ଦେଖିହେବ ।

ମୋଗଲ ଶାସନ ସମୟରେ ରହିଥିବା ବ୍ୟବସ୍ଥାକୁ ଓଡ଼ିଶାରେ ମରହଟ୍ଟାମାନେ ବିଶେଷ ପରିବର୍ତ୍ତନ କରି ନଥିଲେ, କାରଣ ମୋଗଲମାନେ ମଧ୍ୟ ରାଜସ୍ୱ ଆଦାୟ ପ୍ରଣାଳୀକୁ ସୁଗମ କରିବା ଲକ୍ଷ୍ୟରେ ପ୍ରଶାସନକୁ ପରିଚାଳନା କରିଥିଲେ । ମୋଟ ଓଡ଼ିଶା ପ୍ରଦେଶକୁ ମୋଗଲମାନେ ଦୁଇ ଭାଗରେ ବିଭକ୍ତ କରିଥିଲେ । ମୋଗଲବନ୍ଦି ଓ ଗଡ଼ଜାତ । ଏହା ମରହଟ୍ଟା ସମୟରେ ଏବଂ ପରେ ଇଂରେଜ ଅମଳରେ ମଧ୍ୟ ଅବ୍ୟାହତ ରହିଲା । ଗଡ଼ଜାତ ଗମନାଗମନ ଦୃଷ୍ଟିରୁ ଦୁର୍ଗମ ଥିଲା ଏବଂ ସେଠାରେ ରାଜା ଆଭ୍ୟନ୍ତରୀଣ ପ୍ରଶାସନ ପରିଚାଳନା ଓ ରାଜସ୍ୱ ଆଦାୟ କରୁଥିଲେ । ମରହଟ୍ଟାମାନେ ତାଙ୍କଠାରୁ ବାର୍ଷିକ ଦେୟ ଅସୁଲ କରୁଥିଲେ । ଦେୟ ଦେଲା ପରେ ଗଡ଼ଜାତ ରାଜା ପ୍ରାୟତଃ ସ୍ୱାଧୀନ ଭାବେ ନିଜ ରାଜ୍ୟରେ ରାଜତ୍ୱ କରୁଥିଲେ । ତାଙ୍କର ଅନ୍ୟ ଗଡ଼ଜାତ ସହ କଳହ ହେଲେ କିମ୍ବା ମୋଗଲବନ୍ଦି ପ୍ରଜାଙ୍କ ସହ ସମସ୍ୟା ଉପୁଜିଲେ ମରହଟ୍ଟାମାନେ ହସ୍ତକ୍ଷେପ କରୁଥିଲେ । ଗଡ଼ଜାତ ରାଜା ଓ ପ୍ରଜାଙ୍କ ମଧ୍ୟରେ କିମ୍ବା ଗଡ଼ଜାତ ପ୍ରଜାମାନଙ୍କ ଭିତରେ ଉପୁଜୁଥିବା ପାରସ୍ପରିକ ବିବାଦରେ ସଂଭବତଃ କୌଣସି ପ୍ରକାରର ମରହଟ୍ଟା ହସ୍ତକ୍ଷେପ ରହୁଥିଲା । ବହିଃ ଶତ୍ରୁ ଆକ୍ରମଣ ବେଳେ ଗଡ଼ଜାତମାନେ ଭୋଁସଲେ ରାଜାଙ୍କଠାରୁ ସାମରିକ ସହଯୋଗ ଲାଭ କରୁଥିଲେ । ଗଡ଼ଜାତଗୁଡ଼ିକ ଉପରେ ଧାର୍ଯ୍ୟ କର ପରିମାଣ ସମାନ ନଥିଲା । ମୟୂରଭଞ୍ଜ ଏକ ବଡ଼ ଗଡ଼ଜାତ ହେବା ସତ୍ତ୍ୱେ ତା'ର ରାଜାଙ୍କୁ ବାର୍ଷିକ ୬ ହଜାର ଟଙ୍କା କର ଦେବାକୁ ପଡୁଥିଲା । ନୀଳଗିରି ଏକ କ୍ଷୁଦ୍ର ରାଜ୍ୟ ହେବା ସତ୍ତ୍ୱେ ତାକୁ ୩୦ ହଜାର ଟଙ୍କା ବାର୍ଷିକ ଦେୟ ଦେବାକୁ ପଡ଼ୁଥିଲା । ଦଶପଲ୍ଲା ରାଜ୍ୟକୁ ଆଦୌ ଦେୟ ଦେବାକୁ ପଡୁ ନଥିଲା ଏବଂ ଖୋର୍ଦ୍ଧାକୁ ୧୦ ହଜାର ଟଙ୍କା ଦେବାକୁ ପଡୁଥିଲା । ଏଭଳି ପୃଥକ୍‍ କର ନିର୍ଦ୍ଧାରଣ ପଛରେ ଅନେକ କାରଣ ରହିଥିଲା । ଖୋର୍ଦ୍ଧାରୁ ବାର୍ଷିକ ୧୦ହଜାର ଟଙ୍କା ଦେୟ ନେବା ପରେ ଜଗନ୍ନାଥ ମନ୍ଦିରରୁ ଅଲଗା ଭାବେ ମରହଟ୍ଟାମାନେ ତୀର୍ଥଯାତ୍ରୀ କର ଅସୁଲ କରୁଥିଲେ । ସେହିଭଳି ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ଓ ମୟୂରଭଞ୍ଜ ଆଦି ରାଜ୍ୟରୁ ମରହଟ୍ଟାମାନେ ଅନେକ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ । ଅନେକ ସମୟରେ ଧାର୍ଯ୍ୟ ଦେୟ ଓ ଆଦାୟ ହେଉଥିବା ଦେୟ ମଧ୍ୟରେ ଅନେକ ପାର୍ଥକ୍ୟ ରହୁଥିଲା । ଭୋଁସଲେ ରାଜାଙ୍କ ଶକ୍ତି ହ୍ରାସ ପାଉଥିବାର ଆଶା କରି କେତେକ ଗଡ଼ଜାତ ଦେୟ ଦେବାରେ ଅବହେଳା କରୁଥିଲେ । ସେମାନଙ୍କ ଉପରେ ମରହଟ୍ଟାମାନେ ଚାପ ପ୍ରୟୋଗ କରୁଥିଲେ । ବିଦ୍ରୋହ ଦମନପାଇଁ ମଧ୍ୟ ମରହଟ୍ଟା ପ୍ରଶାସନ ପ୍ରୟାସ କରୁଥିଲେ ।

ମୋଟ ଓଡ଼ିଶାର ମରାଠା ଶାସନ ମୁଖ୍ୟ ଥିଲେ ସୁବାଦାର । ମୋଗଲବନ୍ଦି ବ୍ୟତୀତ ଗଡ଼ଜାତରେ ରାଜସ୍ୱ ଆଦାୟ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ଏହା ଛଡ଼ା ବଙ୍ଗ ନବାବଙ୍କଠାରୁ ଚୌଠ ବା ମରାଠା ସୁରକ୍ଷା କର ମଧ୍ୟ ତାଙ୍କୁ ଆଦାୟ କରିବାକୁ ପଡ଼ୁଥିଲା । କର ପରିମାଣ ଖୁବ୍‍ ଅଧିକ ଥିବାରୁ ତାଙ୍କ ପକ୍ଷରେ ସମସ୍ତ କର ଅସୁଲ କରିବା କଷ୍ଟକର ଥିଲା । ଏହାର ପରିଣାମ ସ୍ୱରୂପ, ତାଙ୍କୁ ଅନେକ ସମୟରେ ପଦଚ୍ୟୁତ ହେବାକୁ ପଡ଼ୁଥିଲା (ଯାହା ପୂର୍ବରୁ ଉଲ୍ଲିଖିତ) । ଧାର୍ଯ୍ୟମତେ କର ଆଦାୟ କରି ଭୋଁସଲେ ରାଜାଙ୍କ ପ୍ରିୟଭାଜନ ହେବାକୁ ସେ ନାନା ପ୍ରୟାସ ମଧ୍ୟ କରୁଥଲୋ ଉଦାହରଣ ସ୍ୱରୂପ, ରାଜାରାମ ପଣ୍ଡିତ ସୁବାଦାର ଥିବା ସମୟରେ ଜମିଦାରମାନଙ୍କୁ ମଧ୍ୟସ୍ଥି ରୂପେ ନ ରଖି ସିଧାସଳଖ ସମ୍ପନ୍ନ ପ୍ରଜାଙ୍କଠାରୁ କର ଆଦାୟ କରିବାର ବ୍ୟବସ୍ଥା କରିଥିଲେ ।

ଭୂ-ରାଜସ୍ୱ ଅସୁଲପାଇଁ ମୋଗଲବନ୍ଦିକୁ ଏକଶହ ପଚାଶଟି ପ୍ରଗଣାରେ ବିଭକ୍ତ କରାଯାଇଥିଲା । ରାଜସ୍ୱ ଅସୁଲପାଇଁ ସୁବାଦାରଙ୍କ ଅଧୀନରେ ଚୌଧୁରୀ, କାନୁନ୍‌ଗୋ ଓ ତାଲୁକ୍‍ଦାର ଆଦି କର୍ମଚାରୀ ଥିଲେ । ମାସିକ ବେତନ ପରିବର୍ତ୍ତେ ସେମାନେ ଭୂ-ସମ୍ପତ୍ତି ଲାଭ କରିଥିଲେ । ଅସୁଲ ହୋଇଥିବା ରାଜସ୍ୱର କିୟଦଂଶ କମିଶନ ଆକାରରେ ମଧ୍ୟ ସେମାନଙ୍କୁ ମିଳୁଥିଲା ।

ଭୂ-ରାଜସ୍ୱ ଯେହେତୁ ରାଜକୋଷର ମୁଖ୍ୟ ଆୟ ଥିଲା, କୃଷିର ଉନ୍ନତିପାଇଁ ତକାବି ଋଣ ମଧ୍ୟ ଚାଷୀମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିଲା । ମକଦ୍ଦମମାନେ ଗ୍ରାମର ଚାଷୀଠାରୁ ଖଜଣା ଆଦାୟ କରି ତାଲୁକ ଦାୟିତ୍ୱରେ ଥିବା ତାଲୁକ୍‍ଦାରଙ୍କ ନିକଟରେ ଜମା କରୁଥିଲେ । କେତେକ କ୍ଷେତ୍ରରେ ତାଲୁକ୍‍ଦାର୍‍ ସିଧାସଳଖ ଚାଷୀଠାରୁ ଖଜଣା ଅସୁଲ କରିବାର ବ୍ୟବସ୍ଥା ମଧ୍ୟ ରହିଥିଲା । ସମସ୍ତ ଖର୍ଚ୍ଚ ବାଦ୍‍ ଦେଲା ପରେ ସୁବାଦାର ଓଡ଼ିଶାରୁ ବାର୍ଷିକ ଚାରି ଲକ୍ଷ ଟଙ୍କା ଭୂ-ରାଜସ୍ୱ ନାଗପୁରକୁ ପଠାଉଥିବାର ଉଦାହରଣ ରହିଛି । ଭୂ-ରାଜସ୍ୱ ବ୍ୟତୀତ ଯାତ୍ରୀ କର, ବାଣିଜ୍ୟ କର, ଲୁଣ କର ଓ ହାଟବଜାରର ନିଲାମ ଆଦିରୁ ମଧ୍ୟ ରାଜକୋଷକୁ ଅର୍ଥ ଯାଉଥିଲା । କେବଳ ଯାତ୍ରୀ କର ବାବଦକୁ ପୁରୀରୁ ବାର୍ଷିକ ଦୁଇରୁ ପାଞ୍ଚ ଲକ୍ଷ ଟଙ୍କା ଆଦାୟ ହେଉଥିଲା । ରାଜ୍ୟରେ ଅନେକ ଲୁଣ ଆରଙ୍ଗ ବା ପ୍ରସ୍ତୁତି କେନ୍ଦ୍ର ଥିଲା । ତହିଁରୁ ରାଜ୍ୟକୁ କିଛି ରାଜସ୍ୱ ମିଳୁଥିଲା । ଉଦାହରଣ ସ୍ୱରୂପ, କେବଳ ଚିଲିକା ଲୁଣ ଆରଙ୍ଗରୁ ରାଜ୍ୟ ବାର୍ଷିକ ୪୫୦୦ଟଙ୍କା ଆଦାୟ କରୁଥିଲା । ବାରମ୍ବାର ଯୁଦ୍ଧରେ ଜଡ଼ିତ ହୋଇ ଭୋଁସଲେ ରାଜାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା । ତେଣୁ ସୁବାଦାରମାନଙ୍କୁ ଧାର୍ଯ୍ୟମତେ ଖଜଣା ଅସୁଲ କରିବାକୁ ରାଜା ବାଧ୍ୟ କରୁଥିଲେ । ଏହା ସତ୍ତ୍ୱେ ରାଜାଙ୍କ ଆର୍ଥିକ ଅବସ୍ଥା ଭଲ ରହୁ ନଥିବାରୁ ମରାଠାମାନେ ନିଜ ପ୍ରଜାଙ୍କୁ ଲୁଣ୍ଠନ ମଧ୍ୟ କରୁଥିଲେ ।

ମରହଟ୍ଟା ଶାସନ ସମୟରେ ରାଜଧାନୀ କଟକ ବାହାରେ ବାଲେଶ୍ୱର, ସୋରୋ, ପଦ୍ମପୁର, ଯାଜପୁର, ନରସିଂହପୁର, ରାମଚନ୍ଦ୍ରପୁର, ମୟୂରଭଞ୍ଜ ଆଦି ସ୍ଥାନରେ ସେନା ଛାଉଣିମାନ ରହିଥିଲା । ନିୟମିତ ଅଶ୍ୱାରୋହୀଙ୍କ ସଂଖ୍ୟା ପ୍ରାୟ ୨୦୦ ଥିଲା । ପଦାତିକ ସୈନ୍ୟଙ୍କ ସଂଖ୍ୟା ଖୁବ୍‍ ଅଧିକ ଥିଲା । ସାମରିକ ଦୃଷ୍ଟିରୁ ମରାଠାମାନେ ଖୁବ୍‍ ବଳଶାଳୀ ନଥିଲେ । ଗରିଲା ଯୁଦ୍ଧରେ ସେମାନେ ପାରଙ୍ଗମ ଥିଲେ । ମାତ୍ର ମରାଠା ରାଜ୍ୟ ପ୍ରତିଷ୍ଠା ପରେ ଗରିଲା ବାହିନୀର ବିଶେଷ ଆବଶ୍ୟକତା ନଥିଲା । ଇଂରେଜ ତୁଳନାରେ ମରାଠା ସେନାର ପାରମ୍ପରିକ ଯୁଦ୍ଧ ପ୍ରଣାଳୀ ଖୁବ୍‍ ନଗଣ୍ୟ ଥିଲା । ଏହି କାରଣରୁ ଇଂରେଜ ଶକ୍ତି ହାତରେ ସେମାନେ ପରାଜିତ ହେବା ଆଦୌ ଆଶ୍ଚର୍ଯ୍ୟଜନକ ନଥିଲା ।

କଟକ ବାରବାଟୀ ଦୁର୍ଗର ସୁରକ୍ଷା ଦାୟିତ୍ୱ ଜଣେ କିଲାଦାର୍‍ଙ୍କ ହାତରେ ନ୍ୟସ୍ତ ଥିଲା । ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଆଇନର ସୁରକ୍ଷାପାଇଁ ଫୌଜଦାରମାନେ ନିଯୁକ୍ତ ହୋଇଥିଲେ । ସ୍ଥାନୀୟ ସ୍ତରରେ ଆଇନ୍‍ କାନୁନ, ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଉଭୟ ଦେବାନୀ ଓ ଫୌଜଦାରୀ ମାମଲାଗୁଡ଼ିକର ବିଚାର ଦାୟିତ୍ୱ ସେମାନଙ୍କ ହାତରେ ରହିଥିଲା । ଫୌଜଦାରକୁ ସହାୟତା କରିବାପାଇଁ ଜମିଦାରମାନେ ରହିଥିଲେ । ସେମାନଙ୍କ ପଦବୀ ପୁରୁଷାନୁକ୍ରମିକ ଥିଲା । ପ୍ରଜାଙ୍କଠାରୁ ଖଜଣା ଆଦାୟ କରିବା, ଜମିଦାରୀରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ତଥା ଉଭୟ ଦେବାନୀ ଓ ଫୌଜଦାରୀ ମାମଲାର ବିଚାର କରିବା ମଧ୍ୟ ସେମାନଙ୍କ ଦାୟିତ୍ୱରେ ଥିଲା । ଫୌଜଦାର ଏବଂ ସର୍ବୋପରି ସୁବାଦାରଙ୍କଠାରେ ସେମାନେ ଉତ୍ତରଦାୟୀ ଥିଲେ । ଭୋଁସଲେ ରାଜା ସବୁ ମାମଲାରେ ସୁବାଦାରଙ୍କର ସର୍ବୋଚ୍ଚ ଅଧିକାରୀ ଥିଲେ ।

ମରହଟ୍ଟା ପ୍ରଶାସନରେ ନ୍ୟାୟିକ ବ୍ୟବସ୍ଥା ଖୁବ୍‍ ସରଳ ଥିଲା । ମୋଗଲ ସମୟରେ ପ୍ରଚଳିତ ଥିବା କାଜି ଓ ସାରିୟତ୍‍ ବିଧି ବ୍ୟବସ୍ଥାକୁ ମରହଟ୍ଟାମାନେ ପ୍ରୋତ୍ସାହିତ କରି ନଥିଲେ । ଗ୍ରାମ ସ୍ତରରେ ପଞ୍ଚାୟତଗୁଡ଼ିକ ସବୁ ମାମଲାର ସମାଧାନ କରୁଥିଲେ । ପାରମ୍ପରିକ ରୀତିନୀତି ଅନୁସାରେ ମାମଲାର ବିଚାର ହେଉଥିଲା । ତା'ପାଇଁ ଅଧିକ ସମୟ ବା ଖର୍ଚ୍ଚର ଆବଶ୍ୟକତା ପଡୁଥିଲା । ରାଜ୍ୟରେ ଅମିଲ୍‍ ନାମରେ ଜଣେ ନ୍ୟାୟ ଅଧିକାରୀ ମଧ୍ୟ ରହିଥିଲେ । କେତୋଟି ପରଗଣାକୁ ନେଇ ଗଠିତ ମଣ୍ଡଳ ସ୍ତରରେ ଅମିଲମାନେ ନିଯୁକ୍ତ ଥିଲେ । ନ୍ୟାୟିକ ଅଧିକାର ବ୍ୟତୀତ ବଂଶାନୁକ୍ରମିକ ଭାବେ ଖଜଣା ଆଦାୟ କରୁଥିବା ଚୌଧୁରୀ, କାନୁନ୍‌ଗୋ ଏବଂ ତାଲୁକ୍‍ଦାରଙ୍କ ଉପରେ ମଧ୍ୟ ତାଙ୍କର ନିୟନ୍ତ୍ରଣ ରହୁଥିଲା । ଇଂରେଜ ଐତିହାସିକମାନେ ମରାଠା ପ୍ରଶାସନକୁ ଖୁବ୍‍ ଅରାଜକତାପୂର୍ଣ୍ଣ, ଅତ୍ୟାଚାରୀ, ଶୋଷଣକାରୀ ଏବଂ ଅମାନବୀୟ ବୋଲି ବର୍ଣ୍ଣନା କରିଛନ୍ତି । ଏହା କେତେକାଂଶରେ ସତ ହୋଇଥିଲେ ମଧ୍ୟ ସମସାମୟିକ ଅନ୍ୟ ଶାସନଗୁଡ଼ିକଠାରୁ ଖୁବ୍‍ ପୃଥକ୍‍ ବୋଲି କୁହାଯାଇ ନପାରେ । ବିଶେଷକରି ମରାଠାଶାସନକୁ ପରବର୍ତ୍ତୀ ଇଂରେଜ ଶାସନ ତୁଳନାରେ ମଧ୍ୟ ଖୁବ୍‍ ଅଧିକ ନିରଙ୍କୁଶ, ଅରାଜକତାପୂର୍ଣ୍ଣ କିମ୍ବା ଅଧିକ ଶୋଷଣକାରୀ ବୋଲି ପରିଭାଷିତ କରାଯାଇପାରିବ ନାହିଁ । ଭୂ-ରାଜସ୍ୱ ଅସୁଲପାଇଁ କଠୋର ନିୟମ ପ୍ରବର୍ତ୍ତନ କରିବାରେ ଇଂରେଜମାନେ କାହାରିଠାରୁ କମ୍‍ ନଥିଲେ । ପାର୍ଥକ୍ୟ ଏତିକି ଯେ, ମରାଠା ଅଧିକାରୀମାନେ ତା'ପାଇଁ ନିଜ ଅଧୀନରେ ନିଯୁକ୍ତ ଅସୁଲକାରୀ ଉପରେ ଶାରୀରିକ ଦଣ୍ଡ ଦେବାକୁ ହେଳା କରୁ ନଥିଲେ ଏବଂ ଇଂରେଜମାନେ ଶାରୀରିକ ଦଣ୍ଡ ନଦେଇ କୋର୍ଟ କଚେରିରେ ତାକୁ ପେଷି ଦେଉଥିଲେ ବା ତା'ର ଜମି ବାଜ୍ୟାପ୍ତ କରୁଥିଲେ । ମରାଠା ଏବଂ ତାଙ୍କ ପୂର୍ବରୁ ମୋଗଲ ପ୍ରଶାସନରେ ଜମି ଅଧିକାରରୁ ଚାଷୀ ବା ତା' ଉପରେ ରହିଥିବା ଜମିଦାରଙ୍କୁ ବଞ୍ଚିତ କରିବାର ପରମ୍ପରା ନଥିଲା । କାରଣ ସେ କ୍ଷେତ୍ରରେ ଚାଷ ଜମି ଅନୁପଯୋଗୀ ହେବାର ଆଶଙ୍କା ଥିଲା । ମାତ୍ର ଇଂରେଜ ରାଜତ୍ୱରେ ବାଜ୍ୟାପ୍ତ ଜମି ପଣ୍ୟ ବସ୍ତୁ ଭଳି ନୂଆ ମାଲିକ ହାତକୁ ଚାଲିଯାଉଥିଲା ।

କର ଅସୁଲପାଇଁ କୃଷି ଉତ୍ପାଦନ ବୃଦ୍ଧି ହେବା ଏକ ଆବଶ୍ୟକତା ଥିଲା । ବନ୍ୟା ନିୟନ୍ତ୍ରଣକୁ ଏକ ଦାୟିତ୍ୱ ଭାବରେ ମରାଠା ସରକାର ଗ୍ରହଣ କରିଥିଲେ । ସେଥିଯୋଗୁଁ ନଦୀ ତଟ ବନ୍ଧଗୁଡ଼ିକୁ ସୁଦୃଢ଼ କରିବାପାଇଁ ରାଜକୋଷରୁ ଅର୍ଥ ସାହାଯ୍ୟ ଦେଉଥିଲେ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନେ ଋଣ ରିହାତି ମଧ୍ୟ ଦେଉଥିଲେ । ଚାଷୀମାନଙ୍କୁ ଜମିଦାର ଶସ୍ୟ ଋଣ ମଧ୍ୟ ଦେଉଥିଲେ, ଯଦିଓ ଏଥିପାଇଁ ଚାଷୀଙ୍କୁ ସୁଧ ଦେବାକୁ ପଡ଼ୁଥିଲା । ଦୁର୍ଭିିକ୍ଷ ବ୍ୟତୀତ ଅନ୍ୟ ସମୟରେ କୃଷିଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ ଥିଲା ।

ଅଷ୍ଟାଦଶ ଶତାବ୍ଦୀ ବେଳକୁ ଓଡ଼ିଶାର ନଦୀଗୁଡ଼ିକ ଉପରେ ସ୍ଥାୟୀ ପୋଲ ନଥିଲା । ଫଳରେ ଗମନାଗମନ କ୍ଷେତ୍ରରେ ବିଶେଷ ଅସୁବିଧା ହେଉଥିଲା । ପ୍ରଧାନ ରାସ୍ତା ମଧ୍ୟରେ ଥିଲା ଜଗନ୍ନାଥ ସଡ଼କ, ଯାହା ବିଭିନ୍ନ ସ୍ଥାନରୁ ପୁରୀକୁ ସଂଯୋଗ କରୁଥିଲା । ଗୋଟିଏ ଜଗନ୍ନାଥ ସଡ଼କ ବଙ୍ଗଳାରୁ ମେଦିନୀପୁର, ଜଳେଶ୍ୱର, ବାଲେଶ୍ୱର, ଭଦ୍ରକ ଓ କଟକ ଦେଇ ପୁରୀ ପର୍ଯ୍ୟନ୍ତ ଯାଇଥିଲା । ଅନ୍ୟ ଏକ ଜଗନ୍ନାଥ ସଡ଼କ ନାଗପୁରରୁ ସୋନପୁର, ବୌଦ୍ଧ, କଣ୍ଟିଲୋ, ବାଙ୍କୀ ଓ କଟକ ଦେଇ ପୁରୀକୁ ସଂଯୋଗ କରୁଥିଲା । କଟକରୁ ମାଡ଼୍ରାସକୁ ମଧ୍ୟ ରାସ୍ତା ରହିଥିଲା । ସ୍ଥଳ ପଥରେ ପଥିକମାନଙ୍କ ଆଶ୍ରୟପାଇଁ ବୃକ୍ଷରୋପଣ କରାଯାଇଥିଲା । ସରକାରଙ୍କ ପକ୍ଷରୁ ସ୍ଥାନୀୟ ଜମିଦାରମାନେ ଏହା କରିଥିଲେ । ଯାତ୍ରୀ ବିଶ୍ରାମାଗାର ମଧ୍ୟ ରାସ୍ତାକଡ଼ରେ ରହିଥିଲା । ବିଶ୍ରାମାଗାର ପାଖରେ ଯାତ୍ରୀଙ୍କୁ ରସଦ ଯୋଗାଣର ବ୍ୟବସ୍ଥା ମଧ୍ୟ ରହିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏ ସବୁ ବ୍ୟବସ୍ଥା ମରାଠାମାନଙ୍କ ପୂର୍ବରୁ ଚଳି ଆସୁଥିଲା । ମରାଠା ସମୟରେ କେବଳ ତାର ପ୍ରଚଳନ ଅବ୍ୟାହତ ରହିଥିଲା । ତା' ସହିତ ସମୟକ୍ରମେ ତହିଁରେ ସାମାନ୍ୟ ଉନ୍ନତି ମଧ୍ୟ ଦେଖିବାକୁ ମିଳିଥିଲା । ଦ୍ୱିତୀୟ କଥା ହେଲା ଯେ, ଏହି ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିବାରେ କେନ୍ଦ୍ରୀୟ ଭୋଁସଲେ ସରକାର ସିଧାସଳଖ ସଂପୃକ୍ତ ନହେଲେ ସୁଦ୍ଧା, ସ୍ଥାନୀୟ ସ୍ତରରେ ତାଙ୍କ ଅଧିକାରୀମାନେ ଅନେକ ସମୟରେ ଅଲିଖିତ ଭାବେ ଦାୟିତ୍ୱ ନେଉଥିଲେ । ସ୍ଥାନୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଏହାର ସଫଳତା ଅନେକାଂଶରେ ନିର୍ଭର କରୁଥିଲା । ଅର୍ଥାତ୍‍ ମରାଠାଶାସିତ ଓଡ଼ିଶାର ଗୋଟିଏ ଅଂଚଳରେ ଏହି ବ୍ୟବସ୍ଥାମାନ ସୂଚାରୁ ରୂପେ ପରିଚାଳିତ ହେବା ସମୟରେ ଅନ୍ୟ କେଉଁ ଅଞ୍ଚଳରେ ସ୍ଥାନୀୟ ଜମିଦାର ଓ ଗଡ଼ଜାତ ରାଜା କିମ୍ବା ଅଧିକାରୀଙ୍କ ଅନାଗ୍ରହ ଓ ଅପାରଗତା ହେତୁ ତାହା ବିପର୍ଯ୍ୟସ୍ତ ହେବା ଅସମ୍ଭବ ନଥିଲା । ଭୋଁସଲେ ରାଜା ଅନ୍ୟ ସମସାମୟିକ ରାଜାମାନଙ୍କ ଭଳି ଅଧିକ ସମୟ ଯୁଦ୍ଧରେ ଜଡ଼ିତ ରହୁଥିଲେ । ତେଣୁ ଜନକଲ୍ୟାଣକାରୀ କାର୍ଯ୍ୟଗୁଡ଼ିକ ଉପରେ ସେ ଯଥେଷ୍ଟ ଧ୍ୟାନ ଦେଇପାରୁଥିଲେ । ଆଶାନୁରୂପ କର ଅସୁଲ ନହେଲେ ହୁଏତ ସେ ଅଧିକାରୀମାନଙ୍କୁ କଠୋର ହେବାକୁ ନିର୍ଦ୍ଦେଶ ଦେଉଥିଲେ ଅଥବା କୃଷି ଓ ବାଣିଜ୍ୟର ଉନ୍ନତି ପ୍ରତି ଧ୍ୟାନ ଦେବାକୁ ବାଧ୍ୟ ହେଉଥିଲେ । ସ୍ଥଳପଥ ବ୍ୟତୀତ ମରହଟ୍ଟାକାଳୀନ ଓଡ଼ିଶାରେ ଅନେକ ଜଳପଥ ରହିଥିଲା । ଜଳପଥ ଦେଇ ନିୟମିତ ବାଣିଜ୍ୟିକ ସାମଗ୍ରୀ ପରିବହନ କରାଯାଉଥିଲା । ପୁରୀକୁ ଓଡ଼ିଶା ବାହାରୁ ତୀର୍ଥଯାତ୍ରୀ ମଧ୍ୟ ଅନେକ ସମୟରେ ଜଳପଥ ଦେଇ ଆସୁଥିଲେ । କଟକଠାରୁ ମହାନଦୀରେ ପଶ୍ଚିମ ଓଡ଼ିଶା ଓ ମଧ୍ୟ ଭାରତକୁ ଏକ ଜଳପଥ ରହିଥିଲା । ଏହି ପଥରେ ବର୍ଷା ଋତୁରେ ଆଭ୍ୟନ୍ତରୀଣ ଓଡ଼ିଶାରୁ ଲୁଣ, ଶୁଖୁଆ ଆଦି ସାମଗ୍ରୀ ଯାଉଥିଲା ଏବଂ କଟକ ଅଞ୍ଚଳକୁ ଚାଉଳ ଓ ବିଭିନ୍ନ ବନଜାତ ଦ୍ରବ୍ୟ ଆସୁଥିଲା । କଟକରୁ ପଟାମୁଣ୍ଡାଇ ଦେଇ ଧାମରା ପର୍ଯ୍ୟନ୍ତ ଏକ ନଦୀପଥ ମଧ୍ୟ ରହିଥିଲା । ସେହିଭଳି ବାଲେଶ୍ୱରରୁ ବଙ୍ଗକୁ ମଧ୍ୟ ଜଳପଥରେ ନାନା ଦ୍ରବ୍ୟ ପରିବହନ କରାଯାଉଥିଲା ।

ମରହଟ୍ଟାମାନଙ୍କ ସମୟରେ ପୂର୍ବ ତୁଳନାରେ ବାଣିଜ୍ୟ କାରବାର ବୃଦ୍ଧି ପାଇଥିଲା । ଏହି ବୃଦ୍ଧି ପଛରେ ଅନ୍ୟତମ କାରଣ ଥିଲା ତତ୍‍କାଳୀନ ଘାଟ ବ୍ୟବସ୍ଥା । ନଦୀ ଉପରେ ପୋଲ ନଥିବାରୁ ଯାତାୟାତ ଓ ମାଲ ପରିବହନପାଇଁ ନଦୀର ଉଭୟ ପାର୍ଶ୍ୱରେ ଘାଟମାନ ରହିଥିଲା । ଘାଟରୁ ଅବକାରୀ ଓ ଯାତ୍ରୀକର ଅସୁଲ କରିବା ସକାଶେ ରାହଦାର, ଗୁଜରବନ ଓ ମୁସ୍ତାଫିଜାନ ଆଦି କର୍ମଚାରୀମାନେ ନିଯୁକ୍ତ ଥିଲେ । ସରକାରୀ କର୍ମଚାରୀଙ୍କ ଯାତାୟାତ ଓ ସରକାରୀ ସାମଗ୍ରୀ ପରିବହନପାଇଁ ଶୁଳ୍କ ଛାଡ଼ ଥିଲା । ଘାଟରୁ ମରାଠାମାନେ ଯଥେଷ୍ଟ ରାଜସ୍ୱ ଆଦାୟ କରୁଥିଲେ । ତେଣୁ ଘାଟର ଉନ୍ନତିପାଇଁ ଯଥାସମ୍ଭବ ପଦକ୍ଷେପମାନ ନେଉଥିଲେ । କେତେକ ଘାଟରେ ଡଙ୍ଗାଗୁଡ଼ିକର ଆକାର ଏତେ ବଡ଼ ଥିଲା ଯେ, ତହିଁରେ ଏକାଧିକ ହାତୀ ମଧ୍ୟ ପାର ହେଉଥିଲେ । ଏତେ ବଡ ଡଙ୍ଗା ତିଆରିପାଇଁ ଆବଶ୍ୟକ ପୁଞ୍ଜି ଯେ ସାଧାରଣ ନାବିକ ଖଟାଇ ପାରିବ ନାହିଁ ଏହା ସୁସ୍ପଷ୍ଟ ଥିଲା । ସେ କ୍ଷେତ୍ରରେ ଜମିଦାର ଓ ଧନୀ ବ୍ୟକ୍ତିମାନେ ଡଙ୍ଗା ନିର୍ମାଣପାଇଁ ପୁଞ୍ଜି ବିିଯୋଗ କରୁଥିବାର ଅନୁମାନ କରିହୁଏ । ଓଡ଼ିଶାର ସମୁଦ୍ର ଉପକୂଳରେ ପ୍ରଚୁର ମାଛ ଓ ଲୁଣ ମରାଯାଉଥିଲା । ସ୍ଥାନୀୟ ବଜାରରେ ଲୁଣ ଖୁବ୍‍ ଶସ୍ତାରେ ମିଳୁଥିଲା । କେବଳ ବେରାର୍‍କୁ ବାର୍ଷିକ ତିିନିଲକ୍ଷ ମହଣ ଲୁଣ ରପ୍ତାନି ହେଉଥିଲା । ଲୁଣ ମରା ଓ ପରିବହନକୁ ନେଇ ଅନେକ ଲୋକ ନିଯୁକ୍ତ ହୋଇଥିଲେ । ଇଂରେଜମାନେ ଓଡ଼ିଶା ଅଧିକାର କରିବାର ଅବ୍ୟବହିତ ପୂର୍ବରୁ, ଓଡ଼ିଶା ବଙ୍ଗକୁ ଲୁଣ ବିକ୍ରୀ କରି ବାର୍ଷିକ ଦୁଇ ଲକ୍ଷ ଟଙ୍କା ଆୟ କରୁଥିବା ଅନୁମାନ କରାଯାଏ ।

ତାରକସି କାମ, କଂସା ବାସନ ଓ ହସ୍ତତନ୍ତ ପ୍ରସ୍ତୁତ ଲୁଗା ରପ୍ତାନି କରିବାରେ ମଧ୍ୟ ଓଡ଼ିଶାର ସେତେବେଳେ ପ୍ରସିଦ୍ଧି ଥିଲା । ସାରା ଓଡ଼ିଶାରେ ଲୁଗା ବୁଣା ଯାଉଥିଲାା ଭଦ୍ରକ ଓ ପଦ୍ମପୁରରେ ଉଚ୍ଚମାନର ଲୁଗା ବୁଣା ଯାଉଥିଲା । ଇଂଲଣ୍ଡ, ହଲାଣ୍ଡ, ଫ୍ରାନ୍‍ସ ଓ ମାଲଡିଭ୍‌ସରେ ମଧ୍ୟ ଓଡ଼ିଶା ଲୁଗାର ଖୁବ୍‍ ଚାହିଦା ଥିଲା ।

ମୋଟ ଉପରେ କହିବାକୁ ଗଲେ, କେବଳ ମାତ୍ର ଅର୍ଦ୍ଧ-ଶତାବ୍ଦୀର ମରହଟ୍ଟା ଶାସନଯୋଗୁଁ ଓଡ଼ିଶାର ଆର୍ଥିକ ଓ ବାଣିଜ୍ୟିକ ସ୍ଥିତି ବିଗିଡ଼ିଗଲା ବୋଲି କହିବା ବୋଧହୁଏ ଅଯୌକ୍ତିକ ହେବ । ପୂର୍ବରୁ ଚଳି ଆସିଥିବା ଶାସନ ଓ ବାଣିଜ୍ୟ ବ୍ୟବସ୍ଥାକୁ ମରହଟ୍ଟାମାନେ କେବଳ ପରିଚାଳନା କରିଥିଲେ । ତତ୍‍କାଳୀନ ଅନ୍ୟ ଶାସକମାନଙ୍କ ପରି ସେମାନେ ମଧ୍ୟ ଅଧିକରୁ ଅଧିକ କର ଓ ଭୂ-ରାଜସ୍ୱ ଅସୁଲ କରିବାକୁ ପ୍ରୟାସ କରୁଥିଲେ । ଅଷ୍ଟାଦଶ ଶତାବ୍ଦୀରେ ପ୍ରଶାସନିକ ବ୍ୟୟ ବୃଦ୍ଧି ପାଇଥିଲା । ମାତ୍ର ସେହି ଅନୁପାତରେ ଆୟର ସ୍ରୋତ ବୃଦ୍ଧି ପାଉନଥିଲା । ତେଣୁ ଯାହା କିଛି ଆୟର ଉତ୍ସ ଥିଲା, ତହିଁରୁ ଅଧିକରୁ ଅଧିକ ଅସୁଲ କରିବାକୁ ମରାଠାମାନେ ଉଦ୍ୟମ କରିଥିଲେ ଏବଂ ସେହି ଅନୁସାରେ ପ୍ରଶାସନିକ ଅଧିକାରୀ ନିଯୁକ୍ତ କରିଥିଲେ । ଯେଉଁ ଅଧିକାରୀ କର ଓ ଭୂ-ରାଜସ୍ୱ ଆଦି ଅସୁଲ କରିବାରେ ଅସମର୍ଥ ହେଉଥିଲେ, ତାଙ୍କ ଉପରେ ଉପରିସ୍ଥ ଅଧିକାରୀ ବଳ ପ୍ରୟୋଗ କରୁଥିଲେ । କାରଣ ଏହି ବିଫଳତାପାଇଁ ନିଜ ଉପର ଅଧିକାରୀଙ୍କ ପାଖରେ ତାଙ୍କୁ ଉତ୍ତରଦାୟୀ ହେବାକୁ ପଡୁଥିଲାା ଏହି ବ୍ୟବସ୍ଥାରେ ସ୍ୱୟଂ ସୁବାଦାର ମଧ୍ୟ ଦୋଷୀ ସାବ୍ୟସ୍ତ ହେବାର ଭୟ ରହିଥିଲା । ଇଂରେଜ ଅଧିକାର ପରେ ନିଜର କାର୍ଯ୍ୟକୁ ଯୁକ୍ତି ସଙ୍ଗତ ପ୍ରତିପାଦନ କରିବା ଲକ୍ଷ୍ୟରେ ଇଂରେଜମାନେ ମରାଠା ଶାସନକୁ ଖୁବ୍‍ ଅରାଜକତାପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି ।

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ସମାଜ ଓ ସଂସ୍କୃତି ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ ଏକ ନୂତନ ସାମନ୍ତ ଶ୍ରେଣୀର ଉତ୍‍ଥାନ ଦେଖିବାକୁ ମିଳିଥିଲା । ବାଣିଜ୍ୟ କାରବାର ବୃଦ୍ଧି ପାଇବା ସଙ୍ଗେସଙ୍ଗେ ବଜାରରେ ବିଳାସ ସାମଗ୍ରୀ ଉପଲବ୍ଧ ହେଲା । ମୋଗଲ ଓ ମରାଠା ସମୟରେ ସୁବାଦାରଙ୍କୁ ପ୍ରଶାସନରେ ତଥା ରାଜସ୍ୱ ଅସୁଲରେ ସାହାଯ୍ୟ କରିବାଲାଗି ଅନେକ ଅଧିକାରୀ ନିଯୁକ୍ତ ହୋଇଥିଲେ । ସେମାନଙ୍କ ପଦପଦବୀ ଅନେକ କ୍ଷେତ୍ରରେ ବଂଶାନୁକ୍ରମିକ ଥିଲା ଏବଂ ପାଉଣା ଆକାରରେ ସେମାନଙ୍କୁ ବିପୁଳ ପରିମାଣର ଜାଗିରମାନ ମିଳିଥିଲା । ଅନେକ ସମୟରେ ବଳ ପ୍ରୟୋଗ କରି ସେମାନେ ସାଧାରଣ ପ୍ରଜାଙ୍କଠାରୁ ବିନା ମୂଲ୍ୟରେ ଶ୍ରମ ନେଉଥିଲେ । ଏହା ସେମାନଙ୍କୁ (ଅଧିକାରୀ ବର୍ଗକୁ) ଧନ ସଞ୍ଚୟ କରିବାରେ ସାହାଯ୍ୟ କଲା । ସାମନ୍ତ ବା ସମ୍ଭ୍ରାନ୍ତ ଶ୍ରେଣୀର ଉତ୍‍ଥାନ ପରେ ସମାଜରେ ସଭ୍ୟତା ଓ ସଂସ୍କୃତି ନାମରେ ଅନେକ ନୂଆ ନୂଆ କଥା ଦେଖିବାକୁ ମିଳିଲା । ମୋଗଲ ଓ ମରହଟ୍ଟା ପ୍ରଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏହି ସମ୍ଭ୍ରାନ୍ତ ଶ୍ରେଣୀ ସହଯୋଗ କଲା ଏବଂ ପ୍ରତିଦାନରେ ସ୍ୱ-ଅଭିବୃଦ୍ଧି ନିମନ୍ତେ ସହଯୋଗ ପାଇଲା । ସେତେବେଳେ ଧନୀ ତଥା ଉଚ୍ଚ ପଦ ପଦବୀଧାରୀ ଲୋକେ ଯାତାୟାତପାଇଁ ଘୋଡ଼ା ଓ ଘୋଡ଼ାଗାଡ଼ିର ବ୍ୟବହାର କରୁଥିଲେ । କ୍ରମଶଃ ଘୋଡ଼ାର ବ୍ୟବହାର ସମାଜରେ ମର୍ଯ୍ୟାଦା ଓ ରୁଚିର ପ୍ରତୀକ ହେଲା । ଘୋଡା ପିଠିରେ ଚଢ଼ୁଥିବା ଲୋକମାନଙ୍କୁ ଅନ୍ୟମାନେ ଭୟ ଓ ସମ୍ମାନର ସହିତ ଦେଖିଲେ । ସଂଭ୍ରାନ୍ତ ବର୍ଗର ଲୋକେ ପାଲିଙ୍କି ବ୍ୟବହାର କରୁଥିଲେ । ନିମ୍ନ ଶ୍ରେଣୀର ଲୋକଙ୍କପାଇଁ ଏହାର ବ୍ୟବହାର ବାରଣ ଥିଲା । ଏଥିପାଇଁ କୌଣସି ଲିଖିତ ଆଇନ ନଥିଲେ ସୁଦ୍ଧା ସ୍ଥାନୀୟ ଅଧିକାରୀ ଓ ଜମିଦାରମାନେ ତା'ର କ୍ରିୟାନ୍ୱୟନ ଦିଗରେ ବିଶେଷ ଧ୍ୟାନ ଦେଉଥିଲେ ।

ସେ ସମୟରେ କୌଣସି ବ୍ୟକ୍ତି ବା ଅଧିକାରୀ ନିଜଠାରୁ ଅଧିକ କ୍ଷମତାସଂପନ୍ନ ଅନ୍ୟ କୌଣସି ଅଧିକାରୀଙ୍କ ପାଖକୁ ସାକ୍ଷାତପାଇଁ ଗଲେ ମର୍ଯ୍ୟାଦା ଓ ପଦବୀ ଅନୁସାରେ ଭେଟି ନେଇ ଯାଉଥିଲେ । ସୁବାଦାର ଯେତେବେଳେ ନାଗପୁର ରାଜାଙ୍କୁ ଭେଟିବାକୁ ଯାଉଥିଲେ, ତାଙ୍କୁ ମଧ୍ୟ ଭେଟି ଦେବାକୁ ପଡୁଥିଲା । ଓଡ଼ିଶାର ଗଡ଼ଜାତରେ ମଧ୍ୟ ଏହି ଭେଟି ବ୍ୟବସ୍ଥା ରହିଥିଲା ।

ଅତିଥିମାନଙ୍କୁ ଗଦି ପକାଇ ସାଦର ଅଭ୍ୟର୍ଥନା କରିବା ଏକ ସାଧାରଣ ପରମ୍ପରା ଥିଲା । ଅତି ସଂଭ୍ରାନ୍ତ ଅତିଥି ନିମନ୍ତେ ଅଭ୍ୟର୍ଥନା ବେଳେ ଗାଲିଚା ପଡ଼ୁଥିଲା । ଅତିଥିମାନେ ବସିବା ମାତ୍ରେ ପାନ ଓ ଅତର ପ୍ରଦାନ କରାଯାଉଥିଲା । ଉପର ଶ୍ରେଣୀର ଲୋକଙ୍କପାଇଁ ଚିତ୍ତବିନୋଦନର ଏକ ପ୍ରମୁଖ ମାଧ୍ୟମ ଥିଲା ମୃଗୟା ବା ଶିକାର । ଏଥିପାଇଁ ଅନେକ ଲୋକ ସାଙ୍ଗରେ ଯାଉଥିଲେ ଏବଂ ଶିକାର ନିମନ୍ତେ ଆବଶ୍ୟକୀୟ ସୁବିଧା ସୃଷ୍ଟି କରୁଥିଲେ । ରାଜା, ଜମିଦାର ବା ସଂଭ୍ରାନ୍ତ ବ୍ୟକ୍ତି ଯେଉଁ ବନ୍ୟଜନ୍ତୁ ଶିକାର କରୁଥିଲେ, ତା' ପଛରେ ଅନେକ ସାଧାରଣ ଲୋକଙ୍କ ପରିଶ୍ରମ ଥିଲା ।

ଲୋକମାନେ ସାଧାରଣତଃ ପାନ ଖାଉଥିଲେ । କାରଣ ଓଡ଼ିଶାରେ ପ୍ରଚୁର ପାନ ଉତ୍ପାଦନ ହେଉଥିଲା । ସଂଭ୍ରାନ୍ତ ବର୍ଗର ଲୋକେ ମନୋରଞ୍ଜନର ମାଧ୍ୟମ ରୂପେ ସଂଗୀତ ଓ ନୃତ୍ୟର ପୃଷ୍ଠପୋଷକତା କରୁଥିଲେ । ଗ୍ରାମାଞ୍ଚଳରେ ମନୋରଞ୍ଜନ ଭାବରେ ସୁଆଙ୍ଗ, କୃଷ୍ଣଲୀଳା ଓ ରାମଲୀଳା ପ୍ରଚଳିତ ଥିଲା । ଅଧିକାଂଶ ଗ୍ରାମରେ ବ୍ୟାୟାମଶାଳା ଥିଲା । ସେଠାରେ ଶରୀରଗଠନ ଲାଗି ଭାର ଉତ୍ତୋଳନ ଆଦି କରାଯାଉଥିଲା । ଗଡ଼ମାନଙ୍କରେ ବ୍ୟାୟାମକୁ ଖୁବ୍‍ ପ୍ରୋତ୍ସାହିତ କରାଯାଉଥିଲା । ଯୁଦ୍ଧରେ ଯୋଗ ଦେଉଥିବା ସୈନିକପାଇଁ ବ୍ୟାୟାମ ଏକ ପ୍ରକାରର ପ୍ରଶିକ୍ଷଣ ଥିଲା । ଅବସର ବିନୋଦନପାଇଁ ତାସ୍‍ ଖେଳର ପ୍ରଚଳନ ଥିଲା । ବାଳିକାମାନଙ୍କ ମଧ୍ୟରେ କଉଡ଼ି ଖେଳର ପ୍ରସାର ରହିଥିଲା । ମୋଗଲ ସମୟରେ ସରକାରୀ ନଥିପତ୍ରରେ ପାର୍ସୀ ଭାଷାର ବ୍ୟବହାର ହେଉଥିଲା । ମରାଠାମାନେ ପାର୍ସୀ ସହିତ ମରାଠୀ ଭାଷାକୁ ମଧ୍ୟ ସରକାରୀ ଭାଷା ଭାବରେ ବ୍ୟବହାର କଲେ । କିଛି ପୁସ୍ତକ ଓଡ଼ିଆ ଭାଷାରେ ମଧ୍ୟ ଲେଖାଯାଇଥିଲା । ମରହଟ୍ଟାମାନେ ସରକାରୀ ସ୍ତରରେ କାଗଜ ବ୍ୟବହାର କରୁଥିଲେ । ବୌଦ୍ଧିକ ଲୋକ କାଗଜ ସ୍ଥାନରେ ତାଳପତ୍ରର ବ୍ୟବହାର କରୁଥିଲେ । ତାଳପତ୍ରରେ ଲିଖିତ ପାଠ ଦୀର୍ଘସ୍ଥାୟୀ ହେବ ବୋଲି ଆଶା କରାଯାଉଥିଲା । ଉଚ୍ଚ ଜାତିର ଲୋକେ କାଗଜର ଲେଖା କାର୍ଯ୍ୟକୁ ଅଶୁଦ୍ଧ ବୋଲି ମନେ କରୁଥିଲେ । ବୌଦ୍ଧିକ ଭାଷା ରୂପେ ସଂସ୍କୃତର ଆଦର ଅଷ୍ଟାଦଶ ଶତାବ୍ଦୀରେ ମଧ୍ୟ ଊଣା ହୋଇ ନଥିଲା ।

ଅଷ୍ଟାଦଶ ଶତାବ୍ଦୀରେ ଉଭୟ ସଂସ୍କୃତ ଓ ଓଡ଼ିଆରେ ଅନେକ କାବ୍ୟ କବିତା ରଚିତ ହୋଇଥିଲା । ଗଡ଼ଜାତ ରାଜାମାନେ କବି ଓ ଲେଖକମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି ସାହିତ୍ୟ ଓ ସଂସ୍କୃତି ପ୍ରତି ନିଜର ଅନୁରାଗ ପ୍ରଦର୍ଶନ କରୁଥିଲେ । ଚଇନି ଚନ୍ଦ୍ରଶେଖର ରାଜଗୁରୁଙ୍କ 'ନୈଷଧୀୟ ମହାକାବ୍ୟମ୍‍' ଓ 'ଊଷାନିରୁଦ୍ଧ ନାଟକମ୍‍', ରାଜଗୁରୁ ବାସୁଦେବ ରଥ ସମାଜୀଙ୍କର 'ଗଙ୍ଗବଂଶାନୁଚରିତମ୍‍', ମହାମହୋପାଧ୍ୟାୟ ନରହରି ପଣ୍ଡାଙ୍କର 'ମୃଚ୍ଛକଟିକମ୍‍' ଓ 'ମେଘଦୂତମ୍‍', କବିବର ନୀଳକଣ୍ଠ ମିଶ୍ରଙ୍କର 'ବ୍ରଜଯୁବ ବିଳାସ' ଓ 'ଭାଗବତ ଲୀଳା ଚିନ୍ତାମଣି' ଆଦି ଏହି ସମୟର କେତୋଟି ପ୍ରମୁଖ କାବ୍ୟ । 'ମୃଚ୍ଛକଟିକମ୍‍' ଓ 'ମେଘଦୂତମ୍‍' ଆଦି ରଚନାକୁ ଲେଖକ ପୁନଃରଚନା କରି ତହିଁରେ ନିଜ ସୃଜନଶୀଳତାର ନିଦର୍ଶନ ଦେଇଥିଲେ । ଅନ୍ୟ କାବ୍ୟଗୁଡ଼ିକ ମଧ୍ୟ ପୌରାଣିକ କାହାଣୀର ଅବଲମ୍ବନରେ ଲିଖିତ ହୋଇଥିଲା । ସାମାଜିକ ପ୍ରସଙ୍ଗଗୁଡ଼ିକ ଉପରେ କାବ୍ୟ-କବିତା ରଚନାର ବିଶେଷ ପରମ୍ପରା ସଂସ୍କୃତରେ ପ୍ରାୟ ନଥିଲା । ଗୋବିନ୍ଦ ବଳବନ୍ତରାୟଙ୍କ 'ସୁସୁବର୍ଣ୍ଣମ୍‍' ଓ ବ୍ରଜସୁନ୍ଦର ପଟ୍ଟନାୟକଙ୍କ 'ସୁଲୋଚନା ମାଧବ କାବ୍ୟ' ମଧ୍ୟ ସେ ସମୟର ଦୁଇଟି ପ୍ରମୁଖ ଗ୍ରନ୍ଥ ।

ଓଡ଼ିଆ ସାହିତ୍ୟରେ ଏହି ସମୟରେ ବ୍ରଜନାଥ ବଡ଼ଜେନାଙ୍କ 'ସମର ତରଙ୍ଗ' ଓ 'ଚତୁର ବିନୋଦ', ଶ୍ରୀଧର ଦାସଙ୍କ 'ହିତୋପଦେଶ'ର ଓଡ଼ିଆ ଅନୁବାଦ, ପୁରୁଷୋତ୍ତମ ଦାସଙ୍କ 'କାଞ୍ଚି କାବେରୀ' ମଧ୍ୟ ଖୁବ୍‍ ଚର୍ଚ୍ଚିତ ଥିଲା । ଓଡ଼ିଆରେ ସଂସ୍କୃତରୁ ବିଭିନ୍ନ ଗ୍ରନ୍ଥର ଅନୁବାଦ ମଧ୍ୟ ଏହି ସମୟରେ ହୋଇଥିଲା । ଅନୁବାଦକଙ୍କ ମଧ୍ୟରେ କାଶ୍ମୀର ସିଂ, କବି ଗୋପାଳ, ଜୟସିଂହ, ମଧୁସୂଦନ ଜଗଦ୍ଦେବ, ବଳଭଦ୍ର ମଙ୍ଗରାଜ, ଦୀନବନ୍ଧୁ ଖାଡ଼ଙ୍ଗା ଓ କେଶବ ଚନ୍ଦ୍ର ପଟ୍ଟନାୟକ ଅଷ୍ଟାଦଶ ଶତାବ୍ଦୀର କେତେ ଜଣ ଚର୍ଚ୍ଚିତ ଲେଖକ ଓ କବି । ଏହା ବ୍ୟତୀତ 'ଦାର୍ଢ଼୍ୟତା ଭକ୍ତି'ର ରଚୟିତା ରାମ ଦାସ, 'ବୈଦେହୀଶ ବିଳାସ' ଆଦି ଅନେକ କାବ୍ୟର କବି ଉପେନ୍ଦ୍ର ଭଞ୍ଜ, ଧରାକୋଟର ରାଜା କୃଷ୍ଣ ସିଂହ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଓ 'ପ୍ରେମଚିନ୍ତାମଣି'ର କବି ଅଭିମନ୍ୟୁ ସାମନ୍ତସିଂହାର ଆଦି ଅନେକ ରସୋତ୍ତୀର୍ଣ୍ଣ ରଚନା ଛାଡ଼ି ଯାଇଛନ୍ତି । ଅଷ୍ଟାଦଶ ଶତାବ୍ଦୀର ବୌଦ୍ଧିକ ପରମ୍ପରାରେ ସଂସ୍କୃତର ମଧ୍ୟ ବହୁତ ଆଦର ଥିଲା । ମାତ୍ର ଏହି କବିମାନେ ଓଡ଼ିଆରେ ଲେଖି ଦୁଃସାହସର ପରିଚୟ ଦେଇଥିଲେ । ବିଶେଷକରି ଅବ୍ରାହ୍ମଣ ସଂପ୍ରଦାୟର ସର୍ଜନାକାରମାନେ ଏହି ସମୟରେ ଆଞ୍ଚଳିକ ଓଡ଼ିଆ ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ଜଣାଯାଏ । ସଂସ୍କୃତର ବିକଳ୍ପ ଭାଷା ରୂପେ ଓଡ଼ିଆକୁ ସ୍ଥାପିତ କଲାବେଳେ ସେମାନେ ଦମ୍ଭ ଦେଖାଇବାକୁ ମଧ୍ୟ ଆଦୌ ହେଳା କରୁ ନଥିଲେ । ଉଦାହରଣ ସ୍ୱରୂପ, ତତ୍‍କାଳୀନ କବି ଉପେନ୍ଦ୍ର ଭଞ୍ଜ ନିଜକୁ 'କବିକୁଳ ଚନ୍ଦ୍ର' ବୋଲି କହୁଥିଲେ । ଏହା ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷାପାଇଁ ଉଦ୍ଦିଷ୍ଟ ଥିଲା । ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ବା ମରାଠା ପ୍ରଶାସନ ଶିକ୍ଷାର ପ୍ରସାରକୁ ନିଜ ଦାୟିତ୍ୱ ଭାବରେ ଗ୍ରହଣ କରି ନଥିଲା । ଧର୍ମାନୁଷ୍ଠାନମାନଙ୍କର ପାରମ୍ପରିକ ଶିକ୍ଷାକେନ୍ଦ୍ରମାନ ରହିଥିଲା । ଗ୍ରାମାଞ୍ଚଳରେ ଲୋକେ ନିଜ ଉଦ୍ୟମରେ 'ଚାଟଶାଳୀ' ଶିକ୍ଷାକୁ ପ୍ରୋତ୍ସାହିତ କରୁଥିଲେ । ଶିକ୍ଷା ବିଶେଷ ଖର୍ଚ୍ଚବହୁଳ ନଥିଲା । ଉଦାହରଣ ସ୍ୱରୂପ, ବିଦ୍ୟାଳୟ ନାମରେ ଘର ନଥିଲା । ସଂଭ୍ରାନ୍ତ ବ୍ୟକ୍ତିଙ୍କ ଘରେ ବା ଅଗଣାରେ ଶିକ୍ଷା ଦାନ ହେଉଥିଲା । ଧନିକ ବର୍ଗର ଲୋକେ ଘରୋଇ ଶିକ୍ଷକ ନିଯୁକ୍ତ କରୁଥିଲେ । ନାରୀ ଶିକ୍ଷାପାଇଁ କୌଣସି ବ୍ୟବସ୍ଥା ନଥିଲା । 'ତଳ' ଜାତିର ଲୋକଙ୍କ ସନ୍ତାନ ମଧ୍ୟ ଶିକ୍ଷାରୁ ବଂଚିତ ଥିଲେ ।

ମରହଟ୍ଟା ଶାସନର ଇତିକଥା ଅଷ୍ଟାଦଶ ଶତାବ୍ଦୀ ଶେଷ ହେବା ବେଳକୁ ଓଡ଼ିଶାରେ ମରହଟ୍ଟା ଶାସନର ମଧ୍ୟ ଅବସାନ ହେଲା ଏବଂ ତା' ସ୍ଥାନରେ ଇଂରେଜ ଶାସନ ଆରମ୍ଭ ହେଲା । ବ୍ରିଟିଶ୍‍ ସାମ୍ରାଜ୍ୟବାଦର ଉତ୍‍ଥାନ ହିଁ ମରାଠା ଶାସନର ଅନ୍ତର କାରଣ ହେଲା । ୧୮୦୩ରେ ମୋଗଲବନ୍ଦି ଓ ଗଡ଼ଜାତ ଓଡ଼ିଶାକୁ ଇଂରେଜମାନେ ଅଧିକାର କଲେ । ଏହାର କେତେ ବର୍ଷ ପୂର୍ବରୁ ମାଡ଼୍ରାସ୍‍ ପ୍ରେସିଡେନ୍‍ସି ଅଧୀନରେ ଥିବା ଦକ୍ଷିଣ ଓଡ଼ିଶା ଉପରେ ଇଂରେଜ ଅଧିକାର ସାବ୍ୟସ୍ତ ହୋଇ ସାରିଥିଲା । ରାଜନୈତିକ ଅଧିକାର ଜାହିର୍‍ କରିବାର ବହୁ ପୂର୍ବରୁ ଇଂରେଜଶକ୍ତି ଓଡ଼ିଶାରେ ନିଜର ଉପସ୍ଥାନ ଘୋଷଣା କରିଥିଲେ । ଓଡ଼ିଶାରେ ରାଜନୈତିକ ଅଧିକାର ସାବ୍ୟସ୍ତ ହେବାର ବହୁ ପୂର୍ବରୁ ୧୬୩୩ରେ କଟକ ଜିଲ୍ଲାର ହରିହରପୁରଠାରେ ଏକ କାରଖାନା ଇଂରେଜମାନେ ସ୍ଥାପନ କରିଥିଲେ । ଏହା ପରେ ବାଲେଶ୍ୱର ଓ ପିପିଲିଠାରେ ମଧ୍ୟ ନଦୀ କୂଳରେ ସେମାନଙ୍କର କାରଖାନା ସ୍ଥାପିତ ହେଲା । ଏହି କାରଖାନା ବା 'ଫେକ୍‍ଟ୍ରି' ଗୁଡ଼ିକରେ କୌଣସି ଉତ୍ପାଦନ କାର୍ଯ୍ୟ ହେଉ ନଥିଲା । କେବଳ ନଦୀ କୂଳରେ ଏକ ଭଣ୍ଡାର ଘର ରୂପେ ଏହା କାର୍ଯ୍ୟ କରୁଥିଲାା 'ଫେକ୍‍ଟ୍ରି' ଅଂଚଳରେ ଇଂରେଜମାନେ ନିଜ ନୀତି ନିୟମ ପ୍ରଚଳନ କରୁଥିଲେ । ରାଜନୈତିକ ଶକ୍ତି ସ୍ଥାନୀୟ ସ୍ତରରେ ଦୁର୍ବଳ ହେବାରୁ ଫେକ୍ଟ୍ରିପାଇଁ ଇଂରେଜମାନେ ସ୍ଥାନୀୟ ଅଧିକାରୀଙ୍କୁ କର ସୁଦ୍ଧା ଦେବାକୁ ଇଚ୍ଛା କରୁ ନଥିଲେ । ଏହି ପ୍ରକ୍ରିୟାରେ ସେମାନେ ବହୁ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଥିଲେ । ୧୭୫୭ର ପଲାସୀ ଯୁଦ୍ଧର ସଫଳତା ପରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ବଙ୍ଗ, ବିହାର ଓ ଓଡ଼ିଶାର ଦେବାନୀ ଲାଭ କଲା । ମାତ୍ର ଏହି କ୍ଷେତ୍ରରେ ଓଡ଼ିଶାର ଅର୍ଥ ଥିଲା କେବଳ ମେଦିନିପୁରର କିଛି ଅଂଶ, ଯାହା ବଙ୍ଗ ନବାବଙ୍କ ଅଧୀନରେ ରହିଥିଲା । ମାତ୍ର ଏହା ପରେ ଇଂରେଜମାନେ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଲେ ଏବଂ ଓଡ଼ିଶା ଅଧିକାରର ଆବଶ୍ୟକତା ତୀବ୍ର ଭାବରେ ଅନୁଭବ କଲେ । ବଙ୍ଗ ଓ ମାଡ୍ରାସ୍‍ ପ୍ରେସିଡେନ୍‍ସି ମଧ୍ୟରେ ସ୍ଥଳପଥରେ ଯୋଗାଯୋଗପାଇଁ ଓଡ଼ିଶା ଦେଇ ଯିବାକୁ ପଡୁଥିଲା । ମରାଠା ଶକ୍ତିର ଦୁର୍ବଳତାର ସୁଯୋଗ ନେଇ ଓଡ଼ିଶାକୁ କବ୍‍ଜା କରିବାପାଇଁ ଇଂରେଜମାନେ ଯୋଜନା କଲେ । ପ୍ରଥମେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ଅଧିକାରପାଇଁ ଭୋଁସ୍‍ଲେ ରାଜାଙ୍କୁ ସାମନ୍ତ ସନ୍ଧି ଗ୍ରହଣ କରିବାକୁ ଇଂରେଜମାନେ ପ୍ରସ୍ତାବ ଦେଲୋ ପ୍ରସ୍ତାବ ସ୍ୱୀକୃତ ନ ହେବାରୁ, ୧୮୦୩ରେ ଯୁଦ୍ଧରେ ଭୋଁସଲେମାନଙ୍କୁ ପରାସ୍ତ କରି ସେମାନେ ଓଡ଼ିଶା ଅଧିକାର କରିନେଲେ । ମରାଠାମାନେ ପ୍ରତିରୋଧ କରିପାରିଲେ ନାହିଁ । ଓଡ଼ିଶାର ସ୍ଥାନୀୟ ରାଜା ଓ ଜମିଦାରମାନେ ମଧ୍ୟ ସେମାନଙ୍କୁ କୌଣସି ସମର୍ଥନ ଦେଇ ନଥିଲେ କି ଇଂରେଜମାନଙ୍କୁ ପ୍ରତିରୋଧ କରି ନଥିଲେ; ବରଂ ଖୋର୍ଦ୍ଧାର ରାଜା ଇଂରେଜମାନଙ୍କୁ ସୈନ୍ୟ ସାହାଯ୍ୟ କରିଥିଲେ । ଏହିଭଳି ଭାବେ ଅକ୍ଟୋବର ୧୪, ୧୮୦୩ରେ ମରାଠାମାନଙ୍କ ସ୍ଥାନରେ ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କଲେ । ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଅଧିକାର କରିବାକୁ ଯଦିଓ ଇଂରେଜମାନେ ଅଧିକ କିଛି ସମୟ ନେଇଥିଲେ, ବାରବାଟୀରେ ମରାଠାଙ୍କ ପରାଜୟ ପରେ ଓଡ଼ିଶାରେ ମରହଟ୍ଟା ଶାସନର ଯବନିକା ପଡ଼ିଲା ବୋଲି ବୁଝିବାକୁ ହେବ ।

...