ଓଡ଼ିଶା ଇତିହାସ/ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ତଳ, ସ୍ୱାଧୀନତା ପ୍ରାପ୍ତି ଓ ଗଡ଼ଜାତର ସମ୍ମିଶ୍ରଣ

ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ତଳ, ସ୍ୱାଧୀନତା ପ୍ରାପ୍ତି ଓ ଗଡ଼ଜାତର ସମ୍ମିଶ୍ରଣ

ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ,
ସ୍ୱାଧୀନତା ପ୍ରାପ୍ତି ଓ ଗଡ଼ଜାତ ମିଶ୍ରଣ

ମିଳିତ ମନ୍ତ୍ରିମଣ୍ଡଳ

ଅଗଷ୍ଟ ବିପ୍ଳବ ସମୟରେ ଓଡ଼ିଶାରେ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହୋଇ ସରକାରଙ୍କ ସହଯୋଗରେ କାର୍ଯ୍ୟ କଲା । ନଭେମ୍ବର ୧୯୩୯ରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବା ପରେ ଦୁଇବର୍ଷ କାଳ ରାଜ୍ୟର ଶାସନ ରାଜ୍ୟପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଲା । ପରେ ବିଶ୍ୱଯୁଦ୍ଧର ଜଟିଳତା ବୃଦ୍ଧିପାଇଲାଏବଂ ମିତ୍ର ପକ୍ଷ ଭାରତର ସହଯୋଗ ପାଇବାଲାଗି ରାଜନୈତକ ଦଳଗୁଡ଼ିକୁ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ପ୍ରୋତ୍ସାହିତ କଲେ । ରାଜନୈତିକ ଦଳ ନେତୃତ୍ୱରେ ପ୍ରାଦେଶିକ ସ୍ତରରେ ସରକାର ଗଠିତ ହେଲେ ଲୋକଙ୍କର ବ୍ରିଟିଶ ବିରୋଧୀ ଭାବ ଊଣା ହୋଇପାରେ ବୋଲି କର୍ତ୍ତୃପକ୍ଷ ବିଚାର କରୁଥିଲେ ।

୧୯୪୧ରେ କଂଗ୍ରେସର ଜଣେ ପ୍ରମୁଖ ନେତା ଭାବରେ ପ୍ରସିଦ୍ଧି ପାଇଥିବା ନୀଳକଣ୍ଠ ଦାସ, ସୁଭାଷ ଚନ୍ଦ୍ର ବୋଷଙ୍କ ଫରଓ୍ୱାର୍ଡ଼ ବ୍ଲକ୍‍ ସହ ସଂପର୍କ ରଖିଥିବା ଅଭିଯୋଗରେ ଦଳରୁ ବହିଷ୍କୃତ ହେଲେ । ହରେକୃଷ୍ଣ ମହତାବ ଓ ବିଶ୍ୱନାଥ ଦାସ ଆଦି ରାଜ୍ୟ କଂଗ୍ରେସ ଦଳରେ ଏକ ପ୍ରଭାବଶାଳୀ ଗୋଷ୍ଠୀ ଗଢ଼ିଥାନ୍ତି । ନୀଳକଣ୍ଠ ଦାସଙ୍କ ସହିତ ସେମାନଙ୍କର ଗୋଷ୍ଠୀକନ୍ଦଳ ଚାଲିଥାଏ । କଂଗ୍ରେସର କେନ୍ଦ୍ର ସ୍ତରର ନେତୃବୃନ୍ଦ ମଧ୍ୟ ହରେକୃଷ୍ଣ ମହତାବ ଗୋଷ୍ଠୀକୁ ସମର୍ଥନ କରୁଥାନ୍ତି । ଅନ୍ୟ ପକ୍ଷରେ ନବକୃଷ୍ଣ ଚୌଧୁରୀ ଆଦି ସୋସିଆଲିଷ୍ଟ ନେତୃବର୍ଗ ନୀଳକଣ୍ଠଙ୍କୁ ରକ୍ଷଣଶୀଳ କହି ବିରୋଧ କରୁଥାନ୍ତି । ଏହି ପରିସ୍ଥିତିରେ ନୀଳକଣ୍ଠ ତାଙ୍କର ପୁରୁଣା ସହଯୋଗୀ ସତ୍ୟବାଦୀର ଅନ୍ୟତମ ପ୍ରତିଷ୍ଠାତା ଗୋଦାବରୀଶଙ୍କୁ ନେଇ ସରକାରଙ୍କ ସହାୟତାରେ ମିଳିତ ମନ୍ତ୍ରିମଣ୍ଡଳ ଗଢିବାକୁ ଉଦ୍ୟମ କଲେ । ଅନ୍ୟାନ୍ୟ କାରଣ ମଧ୍ୟରେ କଂଗ୍ରେସର ଗୋଷ୍ଠୀକନ୍ଦଳ ଉଭୟଙ୍କୁ କଂଗ୍ରେସ ଦଳ ଛାଡ଼ିବାକୁ ବାଧ୍ୟ କଲା । ସରଳାଦେବୀ ଓ ଯଦୁମଣି ମଙ୍ଗରାଜ ଆଦି ମଧ୍ୟ ସେମାନଙ୍କୁ ସହଯୋଗ କଲେ । କଂଗ୍ରେସ ବାହାରେ ପାରଳା ମହାରାଜାଙ୍କ ସହିତ ସେମାନଙ୍କର ଯୋଗସୂତ୍ର ବଢ଼ିଲା । ସମସ୍ତେ ମିଶି ୧୯୪୧ ନଭେମ୍ବର ୨୪ରେ ପାରଳା ମହାରାଜାଙ୍କ ପ୍ରଧାନମନ୍ତ୍ରିତ୍ୱରେ (ସେତେବେଳେ ରାଜ୍ୟ ମନ୍ତ୍ରିମଣ୍ଡଳର ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) ମିଳିତ ମନ୍ତ୍ରିମଣ୍ଡଳ ଗଢ଼ିଲେ, ଯାହା ୧୯୪୪ ଜୁନ୍ ୨୯ ତାରିଖ ପର୍ଯ୍ୟନ୍ତ କ୍ଷମତାରେ ରହିଲା । ଗୋଦାବରୀଶ ମିଶ୍ରଙ୍କୁ ବାଦଦେଲେ ମନ୍ତ୍ରିମଣ୍ଡଳରେ ଅନ୍ୟ ଜଣେ ମନ୍ତ୍ରୀ ଥିଲୋ ସେ ହେଲେ ଅବଦୁସ୍‍ ଶୋଭନ ଖାଁ । ମିଳିତ ମନ୍ତ୍ରିମଣ୍ଡଳକୁ ବିଶେଷ ଲୋକ ସମର୍ଥନ ମିଳି ନଥିଲା । ଇଂରେଜ ବିରୁଦ୍ଧରେ ଜନମତବୃଦ୍ଧିପାଉଥିବା ବେଳେ ଏହା ଇଂରେଜ ସରକାରର ସମର୍ଥନ କରୁଥିଲା । ଦ୍ୱିତୀୟତଃ, କଂଗ୍ରେସ ଦଳ ତ୍ୟାଗ କରି ଅନେକ ନେତା ଏଥିରେ ସାମିଲ ହୋଇଥିଲେ । ସେମାନେ କ୍ଷମତାପାଇଁ ଦଳତ୍ୟାଗ କଲେ ଏବଂ ଇଂରେଜ ସମର୍ଥକ ସାଜିଲେ ବୋଲି କୁତ୍ସାରଟନା ହେଲା । ଅଗଷ୍ଟ ବିପ୍ଳବ ସମୟରେ କଂଗ୍ରେସ ଲୋକ ଜେଲ ଦଣ୍ଡ ଭୋଗୁଥିବା ବେଳେ ଏବଂ କଂଗ୍ରେସ କର୍ମୀ ପୋଲିସର ଲାଠି, ଗୁଳିର ଶିକାର ହେଉଥିବା ବେଳେ ଏହି ଦଳତ୍ୟାଗୀମାନେ କ୍ଷମତାଭୋଗୀ ହେଲେ ବୋଲି ତୀବ୍ର ସମାଲୋଚନା ପ୍ରକାଶ ପାଇଲା । ଏହାଛଡ଼ା ମନ୍ତ୍ରିମଣ୍ଡଳକୁ ସଂଖ୍ୟାଗରିଷ୍ଠ ଗୋଷ୍ଠୀର ସମର୍ଥନ ନଥିଲା । ଯାହାଦ୍ୱାରା ମନ୍ତ୍ରୀମାନେ ଅଧିକ ଲୋକଲଜ୍ଜାର ଶିକାର ହେଲେ । ମୋଟ ୬୦ ସଭ୍ୟବିଶିଷ୍ଟ ବିଧାନସଭାରେ ମନ୍ତ୍ରିମଣ୍ଡଳକୁ ୨୭ ଜଣ ସଭ୍ୟଙ୍କର ସମର୍ଥନ ରହିଥିଲା । ଲୋକସମ୍ମାନ ନଥିଲା ବୋଲି ଇଂରେଜ ସରକାର ମଧ୍ୟ ମିଳିତ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଯଥୋଚିତ ସମ୍ମାନ ଦେଉ ନଥିଲେ । ୧୯୪୨ ମାର୍ଚ୍ଚରେ ସରକାରୀ ଦଳର ପ୍ରାର୍ଥୀ ରାଜେନ୍ଦ୍ର ନାରାୟଣ ଭଞ୍ଜ (କନିକା ଜମିଦାର) ବାଲିଗୁଡ଼ା ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଉମାଚରଣ ପଟ୍ଟନାୟକଙ୍କଠାରୁ ପରାଜିତ ହେଲେ, ଯାହା ମନ୍ତ୍ରିମଣ୍ଡଳ ବିରୁଦ୍ଧରେ ଥିବା ଜନମତକୁ ସୁସ୍ପଷ୍ଟ କଲା ।

ନିଜ ସୀମିତ କାର୍ଯ୍ୟକାଳରେ ମଧ୍ୟ ମିଳିତ ମନ୍ତ୍ରିମଣ୍ଡଳ କେତୋଟି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ଉତ୍ତାରୁ ରାଜ୍ୟପାଇଁ ସ୍ୱତନ୍ତ୍ର ନ୍ୟାୟାଳୟ, ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଏବଂ ସ୍ୱତନ୍ତ୍ର ମେଡ଼ିକାଲ୍‍ କଲେଜର ଆବଶ୍ୟକତା ଥିଲା । ସେ ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପମାନ ନେଇଥିଲେ । ୧୯୪୩ ଜୁନ୍ ୩୦ ତାରିଖରେ ସ୍ୱତନ୍ତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ବିଲ୍‍ ବିଧାନସଭାରେ ଉତ୍‍ଥାପନ ହୋଇ ଅନୁମୋଦନ ଲାଭ କଲା ପରେ ୧୯୪୩ ନଭେମ୍ବର୨୭ରେ କଟକରେ ଅସ୍ଥାୟୀ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲା । ପରେ ଏହା ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେଲା । ୧୯୪୪ ମସିହା ଜୁନ୍ ୧ ତାରିଖରେ କଟକର ମେଡ଼ିକାଲ ସ୍କୁଲ୍‍କୁ କଲେଜରେ ପରିଣତ କରାଗଲା । ଉଚ୍ଚ ନ୍ୟାୟାଳୟ ସ୍ଥାପନପାଇଁ ମଧ୍ୟ ପ୍ରାଥମିକ ପଦକ୍ଷେପମାନ ନିଆଗଲା, ଯାହା ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳର ଶାସନକାଳରେ ଜୁଲାଇ ୧୯୪୮ରୁ କାର୍ଯ୍ୟ ଆରମ୍ଭ କଲା । ୧୯୪୪ରେ ପୁରୀ, ବାଲେଶ୍ୱର ଓ ସମ୍ବଲପୁରରେ ସରକାରୀ କଲେଜ ଖୋଲିବାକୁ ନିଷ୍ପତ୍ତି ହେଲା । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଥିଲା ଏକ ଅତି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ମିଳିତ ମନ୍ତ୍ରିମଣ୍ଡଳର ଭିତ୍ତି ଥିଲା ଦ୍ୱିଧାପୂର୍ଣ୍ଣ । ମନ୍ତ୍ରିମଣ୍ଡଳ ନେଇଥିବା କେତୋଟି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବଦଳରେ ଲୋକ ତା'ର ବିଫଳତା ଏବଂ ଲୋକ ବିରୋଧୀ ଚରିତ୍ରକୁ ଗଣି ବସିଲେ । ମନ୍ତ୍ରିମଣ୍ଡଳର ଶାସନ କାଳ ମଧ୍ୟରେ ଅଗଷ୍ଟ ବିପ୍ଳବ ହେଲା । ସେହି ସମୟରେ ଯେଉଁ ଅକଥନୀୟ ଦମନ ଲୀଳା ଚାଲିଲା, ତା' ପଛରେ ମିଳିତ ମନ୍ତ୍ରିମଣ୍ଡଳର ହାତ ଥିଲା ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହେଲା । କାରଣ ଯେଉଁଭଳି ଭାବେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳ (୧୯୩୭-୩୯) ପ୍ରଜାମଣ୍ଡଳ ଆନ୍ଦୋଳନକୁ ପରୋକ୍ଷ ସୁରକ୍ଷା ଦେଇଥିଲା, ମିଳିତ ମନ୍ତ୍ରିମଣ୍ଡଳ ଅଗଷ୍ଟ ବିପ୍ଳବ ପ୍ରତି ସେହି ଧରଣର ସହାନୁଭୂତିଶୀଳ ମନୋଭାବ ରଖିଲା ନାହିଁ । ବରଂ କଂଗ୍ରେସର ବିଧାନସଭା ସଦସ୍ୟମାନଙ୍କୁ ଏହା ଜେଲରେ ରଖିବାକୁ ଚାହିଁଲା, ଯେହେତୁ ସଂଖ୍ୟାଲଘୁ ମିଳିତ ମନ୍ତ୍ରିମଣ୍ଡଳ ତିଷ୍ଠି ରହିବାଲାଗି କଂଗ୍ରେସ ସଭ୍ୟଙ୍କର ବିଧାନସଭାରେ ଅନୁପସ୍ଥିତ ରହିବା ଏକ ଆବଶ୍ୟକତା ଥିଲା । ଏହା ମନ୍ତ୍ରିମଣ୍ଡଳର ଜନ ବିରୋଧୀ ସ୍ୱଭାବ ଏବଂ କ୍ଷମତା ଲୋଭକୁ ଦର୍ଶାଉଥିଲା । ଇଂରେଜ ସରକାର ହାତରେ କଣ୍ଢେଇ ସାଜି ଏହା ଲୋକଙ୍କୁ ଦମନ କଲା ବୋଲି ଲୋକ ଅଭିଯୋଗ କଲେ । ଯୁଦ୍ଧପାଣ୍ଠି ସଂଗ୍ରହ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସରକାରର ଏକ ପ୍ରମୁଖ କାର୍ଯ୍ୟ । ଏହାରି ମାଧ୍ୟମରେ ଭାରତୀୟ ବର୍ଗର ଯୁଦ୍ଧ ପ୍ରତି ସମର୍ଥନ ରହିଛି ବୋଲି ସରକାର ପ୍ରମାଣ କରିବାକୁ ଚାହୁଁଥିଲେ । ଏହା ସରକାରଙ୍କ ପ୍ରତି କଂଗ୍ରେସର ମନୋଭାବକୁ ଭୁଲ ବୋଲି ମଧ୍ୟ ସିଦ୍ଧ କରୁଥିଲା । ଆର୍ଥିକ ଦୃଷ୍ଟିରୁ ଲୋକ ଯେହେତୁ ଅସଂପନ୍ନ, ସେମାନଙ୍କ ପକ୍ଷେ ଯୁଦ୍ଧପାଣ୍ଠିକୁ ଅର୍ଥଦେବା କାଠିକର ଲା । ପୁଣି ଯୁଦ୍ଧପାଇଁ ଆଦିବାସୀ ଅଞ୍ଚଳରୁ ସ୍ୱେଚ୍ଛାସେବକ ନାଁରେ କୁଲି ସଂଗ୍ରହ କରାଯାଉଥିଲା । ଲୋକଙ୍କର ବିରୋଧ ସତ୍ତ୍ୱେ ଗଡ଼ଜାତ ରାଜା ଓ ଜମିଦାରମାନେ ସରକାରର ପ୍ରିୟପାତ୍ର ହେବା ଉଦ୍ଦେଶ୍ୟରେ ବଢ଼ିଚଢ଼ି ଲୋକଙ୍କଠାରୁ ପାଣ୍ଠି ଓ ଗାଁମାନଙ୍କରୁ କୁଲି ସଂଗ୍ରହ କରୁଥିଲେ । ଏଥିପାଇଁ ସେମାନେ ବଳ ପ୍ରୟୋଗ ମଧ୍ୟ କରୁଥିଲେ । ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେବା ପରେ ଯୁଦ୍ଧପାଣ୍ଠି ସଂଗ୍ରହ ଭାର ମନ୍ତ୍ରୀ ଓ ବିଧାନସଭା ସଭ୍ୟମାନଙ୍କ ଉପରେ ପଡ଼ିଲା । ତା'ଠାରୁ ବିଡ଼ମ୍ବନାର ବିଷୟ ଯେ ମନ୍ତ୍ରିମଣ୍ଡଳର ଦୁଇ ଜଣ ପ୍ରମୁଖ ସହଯୋଗୀ ଖଲିକୋଟ ରାଜା ଏବଂ ନୀଳକଣ୍ଠ ଦାସ ଜାତୀୟ ଯୁଦ୍ଧ ଫ୍ରଣ୍ଟ (National War Front) ଓଡ଼ିଶା ଶାଖାର ମୁଖ୍ୟ ହେବାପାଇଁ ଗୋଷ୍ଠୀ କନ୍ଦଳରେ ଲାଗିଲେ । ଏହି ଯୁଦ୍ଧ ଫ୍ରଣ୍ଟ ମାଧ୍ୟମରେ ହିଁ ଯୁଦ୍ଧପାଣ୍ଠି ଆଦି ସଂଗୃହୀତ ହେଉଥିଲା । ନୀଳକଣ୍ଠଙ୍କୁ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନିଜର ସମର୍ଥନ ଦେଇ ଯୁଦ୍ଧ ଫ୍ରଣ୍ଟ୍‍ର ମୁଖ୍ୟ ପଦରେ ନିଯୁକ୍ତ କରିବାରୁ ଖଲିକୋଟ ରାଜା ଅସନ୍ତୁଷ୍ଟ ହେଲେ ଏବଂ ନିଜର ଜଣେ ସମର୍ଥକଙ୍କ ସହ ମିଳିତ ମନ୍ତ୍ରିମଣ୍ଡଳକୁ ବିରୋଧ କଲେ । ତାଙ୍କୁ ମନ୍ତ୍ରିମଣ୍ଡଳର ଅର୍ଥମନ୍ତ୍ରୀ ଗୋଦାବରୀଶ ମିଶ୍ର ସମର୍ଥନ କଲେ । ଫଳରେ ମନ୍ତ୍ରିମଣ୍ଡଳ ଦୁଇ ଭାଗରେ ବିଭକ୍ତ ହୋଇଗଲା । ପ୍ରଧାନମନ୍ତ୍ରୀ ଓ ନୀଳକଣ୍ଠ ଦାସ ଗୋଟାଏ ଗୋଷ୍ଠୀରେ ଏବଂ ଗୋଦାବରୀଶ ଓ ଖଲିକୋଟ ରାଜା ଅନ୍ୟ ପକ୍ଷରେ । ଗୋଦାବରୀଶ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ନୀତିକୁ ମଧ୍ୟ ପସନ୍ଦ କରୁ ନଥିଲେ । ଏହା ଗୋଷ୍ଠୀ କନ୍ଦଳକୁ ବୃଦ୍ଧି କଲା । ପରିସ୍ଥିତି ଜଟିଳ ହେବାରୁ ପ୍ରଧାନମନ୍ତ୍ରୀ ଜୁନ୍ ୧୯୪୪ରେ ଗୋଦାବରୀଶଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ । ଗୋଦାବରୀଶ ନିର୍ଦେଶର ଅବମାନନା କରିବାରୁ ସେ (ପ୍ରଧାନମନ୍ତ୍ରୀ) ନିଜେ ୨୦ ଜୁନ୍ ଦିନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ । ତାଙ୍କର ଧାରଣା ଥିଲା, ରାଜ୍ୟପାଳ ସାର ହଥର୍ଣ୍ଣ ଲୁଇ ତାଙ୍କୁ ନୂଆ କରି ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଆମନ୍ତ୍ରଣ ଜଣାଇବେ ଏବଂ ତହିଁରେ ଗୋଦାବରୀଶଙ୍କୁ ସ୍ଥାନ ମିଳିବ ନାହିଁ । ମାତ୍ର ଜୁନ୍ ୨୯ ତାରିଖ ୧୯୪୪ରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଇସ୍ତଫା ଗ୍ରହଣ କଲେ ଏବଂ ରାଜ୍ୟକୁ ରାଜ୍ୟପାଳ ଶାସନରେ ରଖିଲେ । ୧୯୪୬ରେ ଦ୍ୱିତୀୟ ଥର ଲାଗି ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳର ଗଠନ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ରାଜ୍ୟପାଳ ଶାସନ ଚାଲିଲା । ଏଥିରୁ ସିଦ୍ଧ ହୁଏ ଯେ, ଇଂରେଜ ସରକାର ମଧ୍ୟ ମିଳିତ ମନ୍ତ୍ରିମଣ୍ଡଳକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରୁ ନଥିଲେ । ଅତୀତରେ ଯେଉଁ ଢଙ୍ଗରେ ଗଡ଼ଜାତମାନେ ଔପନିବେଶ ବିରୋଧୀ ଚେତନାକୁ ଅବରୁଦ୍ଧ କରିଥିଲେ, ସେହି ଢଙ୍ଗରେ ମିଳିତ ମନ୍ତ୍ରିମଣ୍ଡଳ ଅଗଷ୍ଟ ବିପ୍ଳବକୁ ରୋକି ପାରିଲା ନାହିଁ । ତେଣୁ ଇଂରେଜ ସରକାର ମନ୍ତ୍ରିମଣ୍ଡଳ ଉପରେ ପ୍ରସନ୍ନ ନଥିଲେ । ଆନ୍ତରିକ ବିଶୃଙ୍ଖଳା ଯୋଗୁଁ ମିଳିତ ମନ୍ତ୍ରିମଣ୍ଡଳ ସରକାର ଉପରେ ଆବଶ୍ୟକ ଚାପ ମଧ୍ୟ ପ୍ରୟୋଗ କରି ପାରି ନଥିଲା । ଏକଦା ସୁଭାଷ ବୋଷଙ୍କର ଫରଓ୍ୱାର୍ଡ଼ ବ୍ଲକ୍‍ର ଖୋଲା ସମର୍ଥନ କରି କଂଗ୍ରେସରୁ ବହିଷ୍କୃତ ହୋଇଥିବା ନୀଳକଣ୍ଠ ଦାସ ଯେତେବେଳେ ଯୁଦ୍ଧରେ ଇଂରେଜ ପକ୍ଷର ସମର୍ଥନଲାଗି ଗଠିତ ଜାତୀୟ ଯୁଦ୍ଧ ଫ୍ରଣ୍ଟର ରାଜ୍ୟ ଶାଖାର ମୁଖ୍ୟ ହେଲେ, ଲୋକ ତାଙ୍କ ସାମାଜିକ ଅଂଗୀକାରବଦ୍ଧତାକୁ ପ୍ରଶ୍ନ କରିବାକୁ ଆରମ୍ଭ କଲେ । ଏହା ମିଳିତ ମନ୍ତ୍ରିମଣ୍ଡଳର ଲୋକ ଦୃଷ୍ଟିରେ ପତନକୁ ନିର୍ଦେଶ କଲା । ୧୯୪୩-୪୪ରେ ବଂଗରେ ଭୀଷଣ ଦୁର୍ଭିିକ୍ଷ ପଡ଼ିଲା । ଲକ୍ଷ ଲକ୍ଷ ଲୋକ ସେଠି ଅନାହାରରେ ମୃତ୍ୟୁବରଣ କଲେ । ପଡେ଼ାଶୀ ରାଜ୍ୟ ଭାବରେ ଓଡ଼ିଶାର କେତେକ ଅଞ୍ଚଳ (ବାଲେଶ୍ୱର ଓ ବ୍ରହ୍ମପୁର ଆଦି) ମଧ୍ୟ ଉତ୍କଟ ଅଭାବର ସମ୍ମୁଖୀନ ହେଲେ । ସେଠାରେ ସରକାର ଅନାଥାଶ୍ରମ ଓ ଅନ୍ନଛତ୍ର ଆରମ୍ଭ କରିବାକୁ ବାଧ୍ୟ ହେଲେ । ଓଡ଼ିଶାରେ ଦେଖା ଦେଇଥିବା ଖାଦ୍ୟଶସ୍ୟର ଅଭାବ ପଛରେ ଏକ ପ୍ରମୁଖ କାରଣ ହେଲା, ବଙ୍ଗକୁ ଶସ୍ୟର ମୁକ୍ତ ରପ୍ତାନି । ସରକାରଙ୍କ ଚାପରେ ପ୍ରଧାନମନ୍ତ୍ରୀ ଏଭଳି ଯୋଗାଣ ନୀତିକୁ ସ୍ୱୀକୃତି ଦେଲେ । ଅର୍ଥମନ୍ତ୍ରୀ ଗୋଦାବରୀଶଙ୍କ ଏ ନେଇ ବିରୋଧକୁ ମଧ୍ୟ ସେ ଉପେକ୍ଷା କଲେ । ଲୋକେ ମଧ୍ୟ ଶସ୍ୟ ରପ୍ତାନିକୁ ତୀବ୍ର ବିରୋଧ କରୁଥିଲେ । ଅଗଷ୍ଟ ବିପ୍ଳବର କ୍ରୂର ଦମନ ପରେ ଏହି ପ୍ରଶ୍ନକୁ ନେଇ ଗଣ ଆନ୍ଦୋଳନ ସଂଘଟିତ ହୋଇ ନଥିଲେ ସୁଦ୍ଧା ଜନ ଅସନ୍ତୋଷ ସୁସ୍ପଷ୍ଟ ଥିଲା । ସେ କ୍ଷେତ୍ରରେ ମିଳିତ ମନ୍ତ୍ରିମଣ୍ଡଳ ଓଡ଼ିଶାରୁ ଖାଦ୍ୟଶସ୍ୟ ରପ୍ତାନିକୁ ପ୍ରୋତ୍ସାହିତ କରୁଛି ବୋଲି ଧାରଣା ସୃଷ୍ଟି ହେଲା, ଯାହା ମିଳିତ ମନ୍ତ୍ରିମଣ୍ଡଳର ଲୋକ ଅପ୍ରିୟତାକୁ ବୃଦ୍ଧି କଲା ।

ମୋଟ କଥା ହେଲା, ଇଂରେଜ ସରକାର ନିଜ ସାମ୍ରାଜ୍ୟବାଦୀ ସ୍ୱାର୍ଥରକ୍ଷାଲାଗି ରାଜ୍ୟରେ ମିଳିତ ମନ୍ତ୍ରିିମଣ୍ଡଳ ଗଢିଥିଲେ । ସରକାର ସମସ୍ତ ପ୍ରକାର ଜନବିରୋଧୀ ପଦକ୍ଷେପ ନେଲେ ଏବଂ ତା'ପାଇଁ ମିଳିତ ମନ୍ତ୍ରିମଣ୍ଡଳକୁ ଲୋକ ଦୃଷ୍ଟିରେ ଦୋଷୀ ଗଣନା କରାଗଲା । ଅବସୋସର ବିଷୟ ଯେ, ଅନେକ ଜ୍ଞାନୀ ଓ ଗୁଣୀ ବ୍ୟକ୍ତିଙ୍କର ସମାହାର ହୋଇଥିବା ସତ୍ତ୍ୱେ ମିଳିତ ମନ୍ତ୍ରିମଣ୍ଡଳ ଇଂରେଜର ମନ୍ଦ ଉଦ୍ଦେଶ୍ୟକୁ ବୁଝି ପାରିଲେ ନାହିଁ । ତାତ୍କାଳିକ ଲାଭପାଇଁ ତଥା ଓଡ଼ିଶାର ଉନ୍ନତି କରିବା ନାଁରେ ମିଳିତ ମନ୍ତ୍ରିମଣ୍ଡଳ ଓ ତାଙ୍କ ସହଯୋଗୀବର୍ଗ ଇଂରେଜ ସରକାର ହାତରେ କଣ୍ଢେଇ ସାଜିଲେ । ଓଡ଼ିଶାର ଜନସାଧାରଣ ଇଂରେଜ ସରକାର ସହ ନେତୃବର୍ଗର ମେଣ୍ଟକୁ ସହଜରେ ଗ୍ରହଣ କରି ପାରି ନଥିଲେ । ଏହା ଯେ ଲୋକଙ୍କ ସଂଗ୍ରାମୀ ଚରିତ୍ରକୁ ପ୍ରତିଫଳିତ କଲା, ଏଥିରେ ଆଦୌ ସନ୍ଦେହ ନାହିଁ ।

ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ

୧୯୪୬ ଏପ୍ରିଲ୍‍ ମାସରେ ଓଡ଼ିଶାରେ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦ୍ୱିତୀୟ ଥର ଲାଗି ମନ୍ତ୍ରିମଣ୍ଡଳ ଗଠନ କଲା । ଏହି ମନ୍ତ୍ରିମଣ୍ଡଳ ମେ' ୧୯୫୦ ଯାଏ କାର୍ଯ୍ୟ କଲା । କଂଗ୍ରେସର ଏହି ଦ୍ୱିତୀୟ ମନ୍ତ୍ରିମଣ୍ଡଳର ଶାସନ କାଳରେ ରାଜ୍ୟରେ ଗଡ଼ଜାତଗୁଡ଼ିକର ସମ୍ମିଶ୍ରଣ ହେଲା, ଦେଶ ସ୍ୱାଧୀନତା ଲାଭ କଲା ଏବଂ ଆଧୁିନିକ ଶିଳ୍ପ ଓ ଯୋଜନାଗୁଡ଼ିକର ଭିତ୍ତି ପଡ଼ିଲା । ଏହି ଦୃଷ୍ଟିରୁ ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ ଆଧୁିନିକ ଓଡ଼ିଶା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ । ଦେଶର ସ୍ୱାଧୀନତା ପ୍ରାପ୍ତି ଓ ସ୍ୱତନ୍ତ୍ର ତଥା ସମ୍ମିଶ୍ରିତ ଓଡ଼ିଶାର ଗଠନକୁ ନେଇ ଆଧୁିନିକ ଯୁଗରେ ଅସ୍ମିତାର ଯେଉଁ ଉନ୍ମେଷ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଦେଖିବାକୁ ମିଳିଥିଲା, ତାହା ଏହି ଅବଧିରେ ଏକ ରକମର ପୂର୍ଣ୍ଣାଙ୍ଗତା ଲାଭ କଲା ।

୧୯୪୫ ଜୁନ୍ ମାସ ସୁଦ୍ଧା ଦ୍ୱିତୀୟ ବିଶ୍ୱଯୁଦ୍ଧ ଶିଥିଳ ହୋଇ ଆସିଲା । ସୋଭିଏତ୍‍ ରୁଷ୍‍ ଓ ମିତ୍ରଶକ୍ତି ନିଶ୍ଚିତ ହେଲେ ଯେ ନାଜିବାଦୀ ଓ ଫାସୀବାଦୀ ଶକ୍ତିଙ୍କର ଯୁଦ୍ଧରେ ପରାଜୟ ସୁନିଶ୍ଚିତ । ଯୁଦ୍ଧରେ ବିଜୟ ସତ୍ତ୍ୱେ ଇଂଲଣ୍ଡ ଆଉ ଅଧିକ କାଳ ବଳ ପ୍ରୟୋଗ କରି ଭାରତ ଭଳି ଏକ ବିଶାଳ ଉପନିବେଶକୁ ନିଜ କର୍ତ୍ତୃତ୍ୱରେ ରଖିପାରିବ ବୋଲି ଆଶା କରୁ ନଥିଲା । ଭାରତର ଜନ ପ୍ରତିିନିଧିଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବା ହିଁ ଏକମାତ୍ର ବିକଳ୍ପ ବୋଲି ଇଂଲଣ୍ଡର ନେତୃବର୍ଗ ଅନୁଭବ କଲେ । ସେହି ବର୍ଷ ଅଗଷ୍ଟ ମାସର ୬ ଓ ୯ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ବୋମା ନିକ୍ଷେପ କରିବାଦ୍ୱାରା ଯେଉଁଭଳି କ୍ଷୟକ୍ଷତି ହେଲା, ତାହା ମିତ୍ରଶକ୍ତିର ବିଜୟର ଦିଗକୁ ନିଶ୍ଚିତ କରିଦେଲା । ଏହି ସମୟରେ ଭାରତର ଯୋଗକୁ ବ୍ରିଟେନରେ ଶ୍ରମିକ ଦଳ ନିର୍ବାଚନରେ ଜୟଯୁକ୍ତ ହେଲେ । ଦଳର ନେତା ଭାବରେ କ୍ଲିମେଣ୍ଟ ଅଟଲୀ ସରକାର ଗଠନ କଲେ । ଅଟଲୀ ଓ ତାଙ୍କ ଦଳ ଚିରାଚରିତ ଭାବେ ଭାରତର ଦାବି ପ୍ରତି ଅପେକ୍ଷାକୃତ ଅଧିକ ସହାନୁଭୂତିଶୀଳ ଥିଲେ । ଏବେ କ୍ଷମତା ତାଙ୍କ ହାତକୁ ଆସିବା ପରେ ଭାରତରେ କ୍ଷମତା ହସ୍ତାନ୍ତରପାଇଁ ପ୍ରସ୍ତୁତି ଚାଲିଲା ।

ଏହି ପ୍ରସ୍ତୁତିର ଏକ ଦିଗ ଭାବରେ ୧୯୪୬ରେ ରାଜ୍ୟମାନଙ୍କରେ ବିଧାନସଭାପାଇଁ ନିର୍ବାଚନ ହେଲା ଏବଂ କେନ୍ଦ୍ରରେ ଅନ୍ତରୀଣ ସରକାର (Interim Government) ଗଠିତ ହେଲା । ଓଡ଼ିଶାରେ ୧୯୪୬ ଏପ୍ରିଲ୍‍ରେ ବିଧାନସଭାପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ମୋଟ ୬୦ଟି ଆସନରୁ କଂଗ୍ରେସ ପ୍ରାର୍ଥୀ ୪୭ଟି ଆସନରେ, ମୁସଲିମ୍‍ ଲିଗ୍‍ ୪ଟି ଆସନରେ, କମ୍ୟୁନିଷ୍ଟ ଗୋଟାଏ ଆସନରେ ଏବଂ ସ୍ୱାଧୀନ ସଭ୍ୟ ୪ଟି ଆସନରେ ଜୟଯୁକ୍ତ ହେଲେ । ଏମାନଙ୍କ ବ୍ୟତୀତ ୪ଜଣ ସଭ୍ୟ ବିଧାନସଭାକୁ ମନୋନୀତ ହୋଇ ଯାଇଥିଲେ । ସେମାନଙ୍କ ମନୋନୟ ବେଳେ ସଂଖ୍ୟାଗରିଷ୍ଠ ଦଳ ଭାବରେ କଂଗ୍ରେସର ମତ ନିଆଯାଇଥିଲା । କଂଗ୍ରେସର ଏହି ଅଭୂତପୂର୍ବ ନିର୍ବାଚନୀ ସଫଳତାଠାରୁ ମଧ୍ୟ ଅଧିକ ଚମକପ୍ରଦ ଥିଲା ପୂର୍ବରୁ ସରକାର ଗଢ଼ିଥିବା ମିଳିତ ମନ୍ତ୍ରିମଣ୍ଡଳର ମୁଖ୍ୟ ଦଳ ମିଳିତ ଜାତୀୟ ଦଳ (United National Party) ଓ ଓଡ଼ିଶା ପ୍ରଜା ଦଳ(Orissa Peoples' Party) ର ଦାରୁଣ ପରାଜୟ । ଉଭୟ ଦଳକୁ ନିର୍ବାଚନରେ ଗୋଟାଏ ସୁଦ୍ଧା ଆସନ ମିଳିଲା ନାହିଁ । ୧୯୪୬ ଏପ୍ରିଲ୍‍ ୨୩ ତାରିଖରେ ହରେକୃଷ୍ଣ ମହତାବଙ୍କ ପ୍ରଧାନମନ୍ତ୍ରିତ୍ୱରେ କଂଗ୍ରେସ ଦ୍ୱିତୀୟଥର ଲାଗି ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ କଲା । ଏହି ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲେ ମୋଟ ୪ ଜଣ ମନ୍ତ୍ରୀ ରହିଥିଲେ । ସେମାନେ ହେଲେ ନବକୃଷ୍ଣ ଚୌଧୁରୀ, ଲିଙ୍ଗରାଜ ମିଶ୍ର, ନିତ୍ୟାନନ୍ଦ କାନୁନ୍‌ଗୋ ଏବଂ କୋରାପୁଟର କଂଗ୍ରେସ ନେତା ରାଧାକୃଷ୍ଣ ବିଶ୍ୱାସରାୟ । ଏମାନେ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମରେ ଭାଗନେଇ ବାରମ୍ବାର ଜେଲ ଦଣ୍ଡ ଭୋଗିଥିଲେ । ବିଧାନସଭାର ବାଚସ୍ପତି ହେଲେ କଂଗ୍ରେସର ଲାଲମୋହନ ପଟ୍ଟନାୟକ ଓ ଉପବାଚସ୍ପତି ହେଲେ ଏ. ଲକ୍ଷ୍ମୀବାଈ । ପ୍ରଧାନମନ୍ତ୍ରୀ ମହତାବ ନିଜ ହାତରେ ଗୃହ ବିଭାଗ, ଅର୍ଥ ବିଭାଗ, ଯୋଜନା ଓ ନିର୍ମାଣ ବିଭାଗ ରଖିଥିଲେ । ଜଣେ ସମାଜବାଦୀ ନେତା ଭାବରେ ବହୁ ପରିଚିତ ନବକୃଷ୍ଣ ଚୌଧୁରୀଙ୍କ ଦାୟିତ୍ୱରେ ରାଜସ୍ୱ, ଯୋଗାଣ ଓ ପରିବହନ ବିଭାଗ ରହିଲା । 'ସମାଜ' ପତ୍ରିକାର ସଂପାଦକ ଦାୟିତ୍ୱରେ ରହିଥିବା ତଥା ସତ୍ୟବାଦୀ ଗୋଷ୍ଠୀର ଅଂଗ ହୋଇଥିବା ଲିଙ୍ଗରାଜ ମିଶ୍ର ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାୟତ୍ତ ଶାସନ ବିଭାଗ ଦାୟିତ୍ୱରେ ଥିଲେ ଏବଂ ନିତ୍ୟାନନ୍ଦ କାନୁନ୍‌ଗୋ ଆଇନ ବିଭାଗ ଦାୟିତ୍ୱରେ ଥିଲେ । ରାଧାକୃଷ୍ଣ ବିଶ୍ୱାସରାୟଙ୍କୁ ପୂର୍ତ୍ତ ବିଭାଗ, ବାଣିଜ୍ୟ ବିଭାଗ ଓ ଶ୍ରମ ବିଭାଗର ଦାୟିତ୍ୱ ଦିଆଯାଇ ଥିଲା । ମହତାବ ମନ୍ତ୍ରିମଣ୍ଡଳରେ ଜଣେ ମୁସଲିମ ସଦସ୍ୟଙ୍କୁ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ । ସାଂପ୍ରଦାୟିକ ସଦ୍‍ଭାବ ରକ୍ଷା ନିମନ୍ତେ ଏହାର ଆବଶ୍ୟକତା ମଧ୍ୟ ଥିଲା । କଟକରେ ସୟଦ ବରକତୁଲ୍ଲାଙ୍କ ନେତୃତ୍ୱରେ ମୁସ୍‍ଲିମ୍‍ ଲିଗ୍‍ରୁ ବାହାରି ଆସି ଏକ ଗୋଷ୍ଠୀ କଂଗ୍ରେସର କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲା, ଯାହାର ଅର୍ଥ ହେଲା ଦେଶର ବିଭାଜନକୁ ବିରୋଧ କରିବା । ମାତ୍ର ନାନା କାରଣରୁ ଜଣେ ମୁସଲିମ ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଇ ପାରିଲା ନାହିଁ । ଏସବୁ ସତ୍ତ୍ୱେ ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ଡଳ ସଚ୍ଚା ଦେଶପ୍ରେମୀଙ୍କର ଗୋଷ୍ଠୀ ବୋଲି ଲୌକିକ ସ୍ତରରେ ସ୍ୱୀକୃତି ପାଇଲା । ମନ୍ତ୍ରିମଣ୍ଡଳ ଗଠନ ବେଳେ ଓଡ଼ିଶାର ରାଜ୍ୟପାଳ ଥିଲେ ଚନ୍ଦୁଲାଲ ମାଧବଲାଲ ଦ୍ୱିବେଦୀ । ଜଣେ ଦକ୍ଷ ସେନା ପ୍ରଶାସକ ଓ ଶୃଙ୍ଖଳାପସନ୍ଦ ବ୍ୟକ୍ତି ଭାବରେ ତାଙ୍କର ଖ୍ୟାତି ଥିଲା । ମନ୍ତ୍ରିମଣ୍ଡଳ ଗଠନରେ ସେ କୌଣସି ହସ୍ତକ୍ଷେପ ନ କରି ଏକ ନୂଆ ପରଂପରା ସୃଷ୍ଟି କଲେ, ଯାହା ପରେ ମଧ୍ୟ ଅତୁଟ ରହିଲା । କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଠନ କଲା ପରେ ପ୍ରଥମେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ନିର୍ଦେଶ ଦେଲା । ଏହା ଫଳରେ ଅଗଷ୍ଟ ଆନ୍ଦୋଳନ ସମୟରେ ଜେଲ ଦଣ୍ଡ ପାଇଥିବା ଅନେକ ଆନ୍ଦୋଳନକାରୀ ଜେଲରୁ ଛାଡ଼ ପାଇଲେ । ଏଥିପାଇଁ ଶାସନ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଥିବା ଇଂରେଜ ସରକାର ପକ୍ଷରୁ ବିଶେଷ ପ୍ରତିବନ୍ଧକ ସୃଷ୍ଟି ହୋଇ ନଥିଲା । ଓଡ଼ିଶାପାଇଁ ଏକ ନୂତନ ରାଜଧାନୀ ନିର୍ମାଣକୁ ନେଇ ଏହି ସମୟରେ ନିଷ୍ପତ୍ତି ନିଆଗଲା । ଏଥିପାଇଁ ଚାରୋଟି ସ୍ଥାନ କଥା ପ୍ରସ୍ତାବକୁ ଆସିଲା । ସେଗୁଡ଼ିକ ହେଲେ: କଟକ ନିକଟସ୍ଥ ଚୌଦ୍ୱାର, ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା, ଭୁବନେଶ୍ୱର ଓ ମଞ୍ଚେଶ୍ୱର । ରାଜ୍ୟରେ ପୂର୍ବରୁ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିବା ସାର ଜନ୍‍ ଅଷ୍ଟିନ୍ ହବାକ୍‍ଙ୍କ ନେତୃତ୍ୱରେ ସ୍ଥାନ ମନୋନୟପାଇଁ ଏକ କମିଟି ଗଠିତ ହେଲା । କମିଟି ଭୁବନେଶ୍ୱରକୁ ପ୍ରସ୍ତାବ ଦେଲେ । ମହତାବ ମଧ୍ୟ ଭୁବନେଶ୍ୱରକୁ ମନୋନୟକଲେ । ଭୁବନେଶ୍ୱରର ଐତିହାସିକ ଭିତ୍ତିଭୂମି, ପରିବେଶ ଓ ପାଣିପାଗ ତଥା ନିର୍ମାଣ ସାମଗ୍ରୀର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ମତ ଦେଲେ । କଂଗ୍ରେସ ଭିତରେ ଏବଂ ବାହାରେ ଗୋଟାଏ ଗୋଷ୍ଠୀ ରଂଗେଇଲୁଣ୍ଡାପାଇଁ ଯୁକ୍ତି ବାଢ଼ିଲେ । ଏହାଦ୍ୱାରା ଦକ୍ଷିଣ ଓଡ଼ିଶାର ବିକାଶ ହୋଇପାରିବ ବୋଲି ସେମାନେ ତର୍କ ଦେଲେ । ରାଜଧାନୀପାଇଁ ସ୍ଥାନ ଚିହ୍ନଟ ପ୍ରଶ୍ନକୁ ନେଇ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ ବିବାଦ ଓ ଆଞ୍ଚଳିକ ମନୋଭାବ ସୁସ୍ପଷ୍ଟ ହେଲା । ଶେଷରେ ୩୦ ସେପ୍ଟେମ୍ବର ୧୯୪୬ରେ ବିଧାନସଭାରେ ଭୁବନେଶ୍ୱର ନିମିତ୍ତ ପ୍ରସ୍ତାବ ପାସ୍‍ ହେଲା । କଟକରୁ ୧୦ ଅକ୍ଟୋବର ୧୯୪୯ରେ ରାଜଧାନୀ ଭୁବନେଶ୍ୱରକୁ ସ୍ଥାନାନ୍ତର ହେଲା ।

ଅସ୍ପୃଶ୍ୟତା, ନିଶା ନିବାରଣ, ମୌଳିକ ଶିକ୍ଷା ଓ ଭୂସଂସ୍କାର ଦିଗରେ ମଧ୍ୟ ମହତାବ ସରକାର କେତୋଟି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ସେତେବେଳେ ହରିଜନ କୁହାଯାଉଥିବା 'ଅସ୍ପୃଶ୍ୟ' ଦଳିତମାନଙ୍କୁ ମନ୍ଦିରପ୍ରବେଶରୁ ନିବାରଣ କରାଯାଇ ପାରିବ ନାହିଁ ବୋଲି ପ୍ରସ୍ତାବ ବିଧାନସଭାରେ ପାଶ୍‍ ହେଲା । ଏହା ସତ୍ତ୍ୱେ ଯଦିଓ ଆଜି ପର୍ଯ୍ୟନ୍ତ ଅବାଧରେ 'ଅସ୍ପୃଶ୍ୟ' ଦଳିତମାନଙ୍କୁ ମନ୍ଦିର ପ୍ରବେଶନିମନ୍ତେ ସମାଜ ବ୍ୟବସ୍ଥା ସ୍ୱାଗତ କରିନାହିଁ, ଅସ୍ପୃଶ୍ୟତା ନିବାରଣ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିଶା ନିବାରଣପାଇଁ ପରୀକ୍ଷାମୂଳକ ଭାବେ କଟକ ଜିଲ୍ଲାର ୧୬ଟି ଥାନାରେ ଦେଶୀ ଓ ବିଦେଶୀ ମଦର ପ୍ରସାରକୁ ଏପ୍ରିଲ୍‍ ୧୯୪୭ରେ ନିଷେଧ କରାଗଲା । ମାତ୍ର ସରକାରୀ ନିଷେଧାଜ୍ଞା ସତ୍ତ୍ୱେ ସଂପୂର୍ଣ୍ଣ ନିଶା ନିବାରଣ ସଂଭବ ହୋଇ ପାରିଲା ନାହିଁ । ଲୋକେ ଚୋରାରେ ମଦ କାରବାର କଲେ ଏବଂ ନିଷେଧାଜ୍ଞା ଆଳରେ ର୍ଦୁନୀତି ମଧ୍ୟ ବୃଦ୍ଧିପାଇଲା । ଅନ୍ୟ ପକ୍ଷରେ ଅବକାରୀରୁ ଆଦାୟ ହେବାକୁ ଥିବା ରାଜସ୍ୱ ଊଣା ହେଲା । କଂଗ୍ରେସ ଦଳ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ବୃଦ୍ଧିପାଇଲା । ମନ୍ତ୍ରିମଣ୍ଡଳରେ ଥିବା ନେତା ନିଶାନିବାରଣକୁ ନେଇ ସରକାରର ଅସହାୟତା ପ୍ରଦର୍ଶନକଲାବେଳେ, ଗାନ୍ଧିବାଦୀ ଗୋଷ୍ଠୀ ଏହା ସରକାରର ଅପାରଗତା ବୋଲି ସମାଲୋଚନା କଲେ । ପ୍ରକୃତରେ ଅସ୍ପୃଶ୍ୟତା ଓ ନିଶା ନିବାରଣ ପ୍ରଶ୍ନ ଏକ ସାମାଜିକ ଆନ୍ଦୋଳନ । ତାକୁ ଆଇନ ବଳରେ ନିୟନ୍ତ୍ରଣ କରାଯିବ ବୋଲି ଚିନ୍ତା କରିବା ଏକ କଳ୍ପନାବିଳାସ ମାତ୍ର । ମନ୍ତ୍ରିମଣ୍ଡଳର ଦାୟିତ୍ୱ ନେବା ପରେ କଂଗ୍ରେସ ଲୋକ ଏହାକୁ ହୃଦୟଙ୍ଗମ କରିପାରିଲେ । ଗାନ୍ଧିବାଦୀ ଆଦର୍ଶରେ ମୌଳିକ ଶିକ୍ଷାର ବିକାଶପାଇଁ ମୌଳିକ ଶିକ୍ଷା ବୋର୍ଡ଼ ସ୍ଥାପନ କରିବାକୁ ଉଦ୍ୟମ ହେଲା । ଅନୁଗୁଳ ଓ ଭଂଜନଗରରେ ଏଥିପାଇଁ ଦୁଇଟି ପ୍ରଶିକ୍ଷଣ ସ୍କୁଲ୍‍ ମଧ୍ୟ ସ୍ଥାପନ କରାଗଲା । ରାଜ୍ୟରେ ଅନେକ ବେସିକ୍‍ ସ୍କୁଲ୍‍ ମଧ୍ୟ ଆରମ୍ଭ ହେଲା । ତହିଁରେ ସୂତାକଟା, ଖଦିବୁଣା, ବଗିଚାକାମ ଆଦି ହସ୍ତଶିଳ୍ପର ପ୍ରଶିକ୍ଷଣ ଉପରେ ମହତ୍ତ୍ୱ ଦିଆଗଲା । ମାତ୍ର ପରବର୍ତ୍ତୀ ସମୟରେ ଏହାର ଅସଫଳତାଯୋଗୁଁ ଯୋଜନାକୁ ବନ୍ଦ କରି ଦିଆଗଲା ।

ଜମିଦାରୀ ପ୍ରଥା ଉଚ୍ଛେଦପାଇଁ ୧୯୩୦ ଦଶକରେ କଂଗ୍ରେସ ଦଳ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା । ବିଶେଷକରି ସମାଜବାଦୀ ଓ କମ୍ୟୁନିଷ୍ଟ ଗୋଷ୍ଠୀର ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ପ୍ରାଣନାଥ ପଟ୍ଟନାୟକ ଆଦିଙ୍କ ନେତୃତ୍ୱରେ ଏଥିପାଇଁ ଆନ୍ଦୋଳନ ହୋଇଥିଲା । ଅଗଷ୍ଟ ବିପ୍ଳବରେ ସାଧାରଣ ପ୍ରଜା ବଢ଼ିଚଢ଼ି ସକ୍ରିୟ ହେବା ପଛରେ ରାଜା ଜମିଦାରଙ୍କ ଅତ୍ୟାଚାର ଊଣା ହେବାର ଆଶା ରହିଥିଲା । ମହତାବଙ୍କ ମନ୍ତ୍ରିମଣ୍ଡଳରେ ନବକୃଷ୍ଣ ଚୌଧୁରୀ ରାଜସ୍ୱ ମନ୍ତ୍ରୀ ହେବା ପରେ ବାମପନ୍ଥୀ ଗୋଷ୍ଠୀ ଓ ସାଧାରଣ ପ୍ରଜାର ଆଶା ଅନେକ ପରିମାଣରେ ବୃଦ୍ଧି ପାଇଥିଲା । ମନ୍ତ୍ରିମଣ୍ଡଳ ଖାତକ ପ୍ରଜା ଉପରେ ଜମିଦାରଙ୍କ ଋଣଭାର ଊଣା କରିବାକୁ ୧୯୪୭ରେ 'ଗଞ୍ଜାମ ସ୍ମଲ୍‍ ହୋଲଡର୍ସ ରିଲିଫ୍‍ ଏକ୍ଟ' (ଗଞ୍ଜାମ କ୍ଷୁଦ୍ରଚାଷୀ ରିଲିଫ୍‍ ଆଇନ) ପାସ କଲେ । ଜମିଦାରମାନଙ୍କ ସହିତ ଆଲୋଚନା କରି ସରକାର ସୁଧ ପରିମାଣ ପୂର୍ବ ତୁଳନାରେ ଏକ ତୃତୀୟାଂଶ ଊଣା ହେବ ବୋଲି ମଧ୍ୟ ଘୋଷଣା କଲେ । ମାତ୍ର କାର୍ଯ୍ୟତଃ ଏହା ଦେଖିବାକୁ ମିଳିଲା ନାହିଁ । ପରିଣାମ ସ୍ୱରୂପ ୧୯୪୭ରେ କମ୍ୟୁନିଷ୍ଟମାନଙ୍କ ନେତୃତ୍ୱରେ ପୁରୀର ମାଳିପଡ଼ା, କାକଟପୁର ଓ ମୀନାପୁର ଆଦି କେତେକ ସ୍ଥାନରେ ରୟତ ଆନ୍ଦୋଳନ ଆରମ୍ଭ ହେଲା । ରୟତମାନେ ଜମିଦାରମାନଙ୍କ ନାମରେ ଥିବା ଚାଷ ଜମିକୁ ବଳପୂର୍ବକ ଅଧିକାର କରିବାକୁ ଉଦ୍ୟମ କଲେ । କଂଗ୍ରେସ ସରକାର ରୟତମାନଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ କରି ନିଜର ସମାଲୋଚକମାନଙ୍କ ମୁହଁ ଟାଣ କଲେ । ଏହା ପ୍ରକାରାନ୍ତରେ ଜମିଦାରମାନଙ୍କୁ ସୁରକ୍ଷା ପ୍ରଦାନ କଲା ।

ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳର କାର୍ଯ୍ୟକାଳକୁ ଏକ ନିର୍ମାଣ ଯୁଗ ମଧ୍ୟ କୁହାଯାଇ ପାରିବ । ଆଧୁିନିକ ଶିଳ୍ପୋଦ୍ୟୋଗର ବିକାଶ ନିମନ୍ତେ ଏହି ସମୟରେ ଚୌଦ୍ୱାରରେ ଓଡ଼ିଶା ଟେକ୍ସଟାଇଲ୍‍ ମିଲ୍‍ ଓ କଳିଙ୍ଗ ଟ୍ୟୁବ୍‍ସର ଶୁଭାରମ୍ଭ ହୋଇଥିଲା । ତରୁଣ ଶିଳ୍ପୋଦ୍ୟୋଗୀ ବିଜୁ ପଟ୍ଟନାୟକଙ୍କର ଏହି ପ୍ରକଳ୍ପ ସ୍ଥାପନରେ ଅନେକ ସହଯୋଗ ରହିଥିଲା । ଜଣେ ବୈମାନିକ ଭାବରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏବଂ ତା' ପରେ ମଧ୍ୟ ଅଦମ୍ୟ ସାହସର ପରିଚୟ ଦେଇ ସ୍ୱାଧୀନତା ସଂଗ୍ରାମକୁ ସହଯୋଗ କରିଥିଲେ । ପରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଏବଂ ଶିଳ୍ପ ବିକାଶପାଇଁ ଆହୁରି ଅନେକ ପଦକ୍ଷେପ ନେଲେ । ୧୯୪୬-୫୦ ମଧ୍ୟରେ 'ଦ ଓଡ଼ିଶା ମାଇନିଂ କର୍ପୋରେସନ', ଶିଳ୍ପପତି ଟାଟାଙ୍କ ସହଯୋଗରେ 'ଦ ବେଲପାହାଡ଼ ରିଫେକ୍ଟରିଜ୍‍, ରାୟଗଡ଼ା ଓ ଯୋଡ଼ାରେ 'ଦ ଫେରୋ-ମାଙ୍ଗାନିଜ ପ୍ଲାଣ୍ଟ', ବଡ଼ବିଲ୍‍ରେ 'ଦ କଳିଙ୍ଗ ଆଇରନ ୱାର୍କ୍ସ' ଏବଂ ହୀରାକୁଦରେ 'ଦ ହୀରାକୁଦ ଆଲୁମିନିୟମ୍‍ ପ୍ଲାଣ୍ଟ' ଆଦି ସ୍ଥାପିତ ହୋଇଥିଲା । କେତେକ ଉଦ୍ୟୋଗର ନିର୍ମାଣକାର୍ଯ୍ୟ ମଧ୍ୟ ୧୯୫୦ ପୂର୍ବରୁ ଶେଷ ହେଲା, ଯାହା ମନ୍ତ୍ରିମଣ୍ଡଳର ଉପଲବ୍ଧି ଭାବେ ଗଣା ହେବ । କଟକରେ ଉଚ୍ଚନ୍ୟାୟାଳୟ, ବାରବାଟୀ ଷ୍ଟାଡ଼ିୟମ୍‍ ଓ ଅଲ୍‍ ଇଣ୍ଡିଆ ରେଡ଼ିଓ ଷ୍ଟେସନର ସ୍ଥାପନ ମଧ୍ୟ ଏହି ସମୟର ଉପଲବ୍ଧି । ହୀରାକୁଦ ବନ୍ଧ ଓ ଦକ୍ଷିଣ ଓଡ଼ିଶାରେ ମାଛକୁଣ୍ଡ-ଡୁଡ଼ୁମା ଜଳପ୍ରକଳ୍ପ ଥିଲା ମହତାବଙ୍କ ମନ୍ତ୍ରିମଣ୍ଡଳର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରକଳ୍ପକୁ ନେଇ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଥିଲା । ୧୯୪୫ ମସିହାରେ ମହାନଦୀ ଉପରେ ହୀରାକୁଦଠାରେ ନଦୀବନ୍ଧ ନିର୍ମାଣପାଇଁ ଶିଳାନ୍ୟାସ ଦିଆଯାଇଥିଲା । ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାଲାଗି ମହତାବଙ୍କ ସରକାର ଉଦ୍ୟମ କଲେ । ଏହି ବହୁମୁଖୀ ନଦୀବନ୍ଧ ଯୋଜନାଦ୍ୱାରା ବନ୍ୟା ନିୟନ୍ତ୍ରଣ, ବିଜୁଳି ଶକ୍ତି ଉତ୍ପାଦନ ଏବଂ ସଂବଲପୁର ଓ ବଲାଙ୍ଗୀର ଅଞ୍ଚଳରେ ବ୍ୟାପକ ଜଳସେଚନ ହେବାର ଯୋଜନା ରହିଲା । ମାତ୍ର ନଦୀବନ୍ଧ ବିରୋଧରେ ପଶ୍ଚିମ ଓଡ଼ିଶାରେ ଏବଂ ବିଶେଷକରି ସମ୍ବଲପୁରରେ ଏକ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ ହେଲା । ଆନ୍ଦୋଳନରେ କଂଗ୍ରେସର ତୁଙ୍ଗ ନେତା ଲକ୍ଷ୍ମୀନାରାୟଣ ମିଶ୍ର, ବୋଧରାମ ଦୁବେ ଆଦି ସକ୍ରିୟ ଭାବେ ଅଂଶଗ୍ରହଣ କଲେ । ଆନ୍ଦୋଳନକୁ ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ମଧ୍ୟ ସମର୍ଥନ ଦେଲେ । ସେହି ଆଳରେ ଓଡ଼ିଶାର ପଶ୍ଚିମାଞ୍ଚଳକୁ ନେଇ ଏକ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ କରିବାପାଇଁ ଦାବି ଉଠିଲା । ରାଜାବିରୋଧୀ ଗୋଷ୍ଠୀ ଅଭିଯୋଗ କଲେ ଯେ, ନିଜର ବ୍ୟକ୍ତିଗତ ଓ ରାଜ କର୍ତ୍ତୃତ୍ୱ ବଜାୟ ରଖିବାଲାଗି ପାଟଣା ରାଜା ଓଡ଼ିଶାକୁ ଭାଗ କରିବାକୁ ଉଦ୍ୟମ କରୁଛନ୍ତି ଏବଂ ତା'ପାଇଁ ହୀରାକୁଦ ବନ୍ଧବିରୋଧୀ ଆନ୍ଦୋଳନକୁ ସମର୍ଥନ ଦେଉଛନ୍ତି ।

ଆନ୍ଦୋଳନ ପଛରେ ଏକ ପ୍ରମୁଖ କାରଣ ହେଲା ବିସ୍ଥାପନ । ହୀରାକୁଦ ବନ୍ଧଯୋଗୁଁ ହଜାର ହଜାର ଚାଷୀଙ୍କର ଜମି ଜଳମଗ୍ନ ହେଲା । ପ୍ରାୟ ୩୦୦ ଗାଁ ମଧ୍ୟ ବୁଡ଼ିଗଲା । ଭିଟାମାଟି ହରାଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିଲା ନାହିଁ । ତେଣୁ ଲୋକଙ୍କର ବିରୋଧ ବୃଦ୍ଧି ପାଇଲା । ଦ୍ୱିତୀୟତଃ ମହାନଦୀରେ ବନ୍ୟାଯୋଗୁଁ ସାଧାରଣତଃ ଉପକୂଳ ଅଞ୍ଚଳ କ୍ଷତିଗ୍ରସ୍ତ ହେଉଥିଲା । ତେଣୁ ଉପକୂଳର ବନ୍ୟା ସୁରକ୍ଷାଲାଗି ପଶ୍ଚିମ ଓଡ଼ିଶାର ଲୋକେ କାହିଁକି ବାସ୍ତୁହରା ହେବେ ବୋଲି ଆଞ୍ଚଳିକ ବିଦ୍ୱେଷ ସୃଷ୍ଟି ହେଲା । ଏହା ଛଡ଼ା ଜଳ ବିଦ୍ୟୁତ୍‍ ଉତ୍ପାଦନ ପ୍ରକଳ୍ପ ସହ ଲୋକଙ୍କ ପ୍ରତ୍ୟକ୍ଷ ଅନୁଭୂତି ନଥିଲା । ତେଣୁ ଏ ନେଇ ସୃଷ୍ଟି ହେଉଥିବା ଗୁଜବକୁ ଲୋକେ ବିଶ୍ୱାସ କଲେ । ଗୁଜବ ଅନୁଯାୟୀ ବିଜୁଳି ଉତ୍ପାଦନ ହେବା ଫଳରେ ପାଣିରୁ ସାର ଅଂଶ ଲୋପ ହେବ ଓ ଉକ୍ତ ପାଣି ଜଳ ସେଚନନିମିତ୍ତ ଉପଯୋଗୀ ହେବ ନାହିଁ । ଆନ୍ଦୋଳନ ଏତେ ତୀବ୍ର ଆକାର ଧାରଣ କଲା ଯେ, ୧୯୫୧- ୫୨ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ପଡ଼ିଲା । ଏସବୁ ବିରୋଧ ସତ୍ତ୍ୱେ ୧୯୪୭ ଅଗଷ୍ଟ ମାସରେ ବିଧାନସଭାରେ ହୀରାକୁଦ ବନ୍ଧ ସଂପୂର୍ଣ୍ଣ କରିବାକୁ ପ୍ରସ୍ତାବ ପାସ ହେଲା ଏବଂ ୧୯୫୬ରେ ବନ୍ଧ ନିର୍ମାଣ ଶେଷ ହେଲା । ଏହାକୁ ଉଦ୍‍ଘାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ଜବାହରଲାଲ୍‍ ନେହରୁ ହୀରାକୁଦ ଆସିଥିଲେ । ୧୯୪୬ ଜାନୁଆରି ମାସରେ ମହତାବ ମନ୍ତ୍ରିମଣ୍ଡଳର ଗଠନ ପୂର୍ବରୁ ଓଡ଼ିଶା ସରକାର ଓ ମାଡ଼୍ରାସ୍‍ ସରକାର (ସେତେବେଳେ ଆନ୍ଧ୍ରପ୍ରଦେଶ ଗଠିତ ହୋଇ ନଥିଲା) ମଧ୍ୟରେ ମାଛକୁଣ୍ଡ- ଡୁଡୁମା ଜଳ ପ୍ରକଳ୍ପକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ତା' ଅନୁଯାୟୀ କୋରାପୁଟର କୋଲାବ ନଦୀ ଉପରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ବ୍ୟୟ ଓ ଉତ୍ପାଦିତ ଜଳ ବିଦ୍ୟୁତ୍‍କୁ ଉଭୟ ରାଜ୍ୟ ୭୦:୩୦ (ମାଡ୍ରାସ୍‍ ୭୦ ଭାଗ ଓ ଓଡ଼ିଶା ୩୦ ଭାଗ) ଅନୁପାତରେ ଭାଗ କରିନେବେ । ମହତାବ ମନ୍ତ୍ରିମଣ୍ଡଳ ଗଠିତ ହେବା ପରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଆଦି ନେତୃବୃନ୍ଦ ଯେଉଁମାନେ କଂଗ୍ରେସର ସୋସିଆଲିଷ୍ଟ ଗୋଷ୍ଠୀ ଗଠନ କରିଥିଲେ, ଏହି ଚୁକ୍ତିନାମାକୁ ତୀବ୍ର ବିରୋଧ କଲେ । ଚୁକ୍ତିନାମାକୁ ସମର୍ଥନ କରୁଥିବାରୁ ସେମାନେ ମହତାବ ସରକାରଙ୍କୁ ଅନେକ ସମାଲୋଚନା କଲେ । ସରକାରଙ୍କ ମତ ଥିଲା ଯେ, ପ୍ରକଳ୍ପ ନିର୍ମାଣପାଇଁ ଓଡ଼ିଶା ଏତେ ପରିମାଣର ବ୍ୟୟବରାଦ କରିପାରିବ ନାହିଁ । ଦ୍ୱିତୀୟତଃ ସେଠାରେ ଉତ୍ପାଦିତ ହେବାକୁ ଥିବା ଜଳବିଦ୍ୟୁତ୍‍କୁ ବ୍ୟବହାର କରିବା ନିମିତ୍ତ ଓଡ଼ିଶାରେ ଆବଶ୍ୟକୀୟ ଆଧୁନିକ ଶିଳ୍ପ ଉଦ୍ୟୋଗ ନାହିଁ । ଏ ନେଇ ୧୯୪୬ ସେପ୍ଟେମ୍ବରରେ ବିଧାନସଭାରେ ଆଲୋଚନା ହେଲା ଓ ମହତାବ ଚୁକ୍ତିନାମାର ସମର୍ଥନ କଲେ । ମହତାବଙ୍କ ଯୁକ୍ତି ଯଦିଓ ମୁତଫରକା ନଥିଲା, ତାଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛି ବୋଲି ମାଛକୁଣ୍ଡ ଯୋଜନା ପରେ ଅପବାଦ ରଟିଲା । ପ୍ରକଳ୍ପଯୋଗୁଁ ମାଛକୁଣ୍ଡର ଦକ୍ଷିଣକୁ ଥିବା ଅଞ୍ଚଳ ମାଡ଼୍ରାସ୍‍ ଅଧୀନକୁ ଚାଲିଯିବ ବୋଲି ଆଶଙ୍କା ସୃଷ୍ଟି ହେଲା ।

ମୋଟ କଥା ହେଲା ଯେ, ମହତାବ ମନ୍ତ୍ରିମଣ୍ଡଳ ୨୩ ଏପ୍ରିଲ୍‍ ୧୯୪୬ରେ ଗଠିତ ହେଲା ପରେ ପ୍ରାୟ ବର୍ଷେ ଚାରି ମାସ କାଳ ଇଂରେଜର ଶାସନ ରହିଥିଲା । ତେଣୁ ମହତାବ ମନ୍ତ୍ରିମଣ୍ଡଳକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତ ହୋଇ ନଥିଲା । ମନ୍ତ୍ରିମଣ୍ଡଳର ଅନେକ କାର୍ଯ୍ୟ ଉପରେ ଇଂରେଜ ସରକାରର କର୍ତ୍ତୃତ୍ୱ ଶେଷ ହୋଇ ନଥିଲା । ତେଣୁ ମନ୍ତ୍ରିମଣ୍ଡଳକୁ ସରକାରର ଊର୍ଦ୍ଧ୍ୱରେ ବୋଲି ବିଚାର କରିବା ଉଚିତ ହେବ ନାହିଁ । ମାତ୍ର, କଂଗ୍ରେସ ଦଳ ମଧ୍ୟରେ ଥିବା ପ୍ରଗତିଶୀଳ ଗୋଷ୍ଠୀ, ଯାହାକୁ ତରୁଣ ତୁର୍କ ବୋଲି କୁହାଯାଉଥିଲା, ଏହାକୁ ବୁଝି ପାରୁ ନଥିଲେ ଏବଂ ମନ୍ତ୍ରିମଣ୍ଡଳର ସମାଲୋଚନା କରୁଥିଲେ । ବିଶେଷକରି ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ ଏହି ଗୋଷ୍ଠୀର ନେତୃତ୍ୱ ନେଉଥିଲେ । ମନ୍ତ୍ରିମଣ୍ଡଳରେ ଯୋଗଦେବା ପରେ ମଧ୍ୟ ନବକୃଷ୍ଣ ଚୌଧୁରୀ ଅନେକ ସମୟରେ ସରକାରଙ୍କୁ ସମାଲୋଚନା କରିବାରୁ ବିରତ ହେଉ ନଥିଲେ । ତରୁଣ ତୁର୍କ ଗୋଷ୍ଠୀ ବ୍ୟତୀତ ଆହୁରି ଅନେକ ବର୍ଗ ମଧ୍ୟ ମହତାବ ମନ୍ତ୍ରିମଣ୍ଡଳଠାରୁ ରାଜ୍ୟପାଇଁ ଅଧିକ ଆଶା କରିବାକୁ ଲାଗିଲେ । ସେମାନେ ମନ୍ତ୍ରିମଣ୍ଡଳକୁ ସମାଲୋଚନା କଲାବେଳେ ଆବଶ୍ୟକ ମତେ ବ୍ୟାବହାରିକ ମନୋଭାବ ପ୍ରଦର୍ଶନ କଲେ ନାହିଁ । ଏହା ସେମାନଙ୍କୁ ଅଧିକରୁ ଅଧିକ ନିରାଶ କଲା । ପରିଶେଷରେ ସେମାନେ କଂଗ୍ରେସ ଦଳ ତ୍ୟାଗ କଲେ । କଂଗ୍ରେସ ଦଳରୁ ଏଭଳି ଲୋକ ଓ ଗୋଷ୍ଠୀ ଚାଲିଯିବା ପରେ ଦଳ ତା'ର ପ୍ରକୃତ ଶକ୍ତି ହରାଇଲା । ଉଦାହରଣ ସ୍ୱରୂପ, ୧୯୪୮ରେ କଂଗ୍ରେସରୁ ବାହାରିଯାଇ ତରୁଣ ତୁର୍କ ଗୋଷ୍ଠୀର ଅନେକ ନେତା ସୋସିଆଲିଷ୍ଟ ଦଳ ଗଠନ କଲେ । ଗଡ଼ଜାତ ମିଶ୍ରଣ

ମହତାବ ମନ୍ତ୍ରିମଣ୍ଡଳପାଇଁ ଅନ୍ୟ ଏକ ସମସ୍ୟା ଥିଲା ଗଡ଼ଜାତ ସମ୍ମିଶ୍ରଣ । ଓଡ଼ିଶାରେ ୨୬ଟି ଗଡ଼ଜାତ ରହିଥିଲେ । ସେଠାରେ ଗଣତନ୍ତ୍ର ଓ ନାଗରିକ ଅଧିକାର ଲାଗି ପ୍ରଜାମଣ୍ଡଳ ଆନ୍ଦୋଳନ ହୋଇଥିଲା । ଅଗଷ୍ଟ ବିପ୍ଳବ ସମୟରେ ମଧ୍ୟ ଗଡ଼ଜାତ ପ୍ରଜା ପୂର୍ଣ୍ଣ ପ୍ରାଣରେ ଆନ୍ଦୋଳନରେ ଭାଗ ନେଇଥିଲେ । ଇଂରେଜ ସରକାର ଦେଶରୁ ଗଲା ପରେ ଗଡ଼ଜାତଗୁଡିକ ଲୋପ ପାଇବ ଏବଂ ସମସ୍ତେ ଏକ ଗଣତାନ୍ତ୍ରିକ ଶାସନାଧୀନ ହେବେ ବୋଲି ପ୍ରଜା ଆଶା ବାନ୍ଧି ବସିଥିଲେ । ଗଡ଼ଜାତ ପ୍ରଜା ଆନ୍ଦୋଳନରେ କଂଗ୍ରେସ ନେତାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସ୍ୱୟଂ ହରେକୃଷ୍ଣ ମହତାବ ଏବଂ ନବକୃଷ୍ଣ ଚୌଧୁରୀ ଥିଲେ ଗଡ଼ଜାତ ଆନ୍ଦୋଳନ ସହ ଓତପ୍ରୋତ ଭାବେ ଜଡ଼ିତ ।

୧୯୪୬ ଏପ୍ରିଲ୍‍ରେ ମହତାବଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ଗଠିତ ହେବା ପରେ ଗଡ଼ଜାତର ମିଶ୍ରଣ ଆଶା ଉଜ୍ଜ୍ୱଳ ହେଲା । କେବିନେଟ୍‍ ମିଶନର ସଦସ୍ୟ ସାର୍‍ ଷ୍ଟାଫୋର୍ଡ଼ କ୍ରିପ୍‍ସଙ୍କୁ ଏ ସଂପର୍କରେ ମହତାବ ନିଜର ମତ ମଧ୍ୟ ୨୬ ଏପ୍ରିଲ୍‍ ୧୯୪୬ରେ ଲେଖିଥିବା ଏକ ପତ୍ରରେ ସୁସ୍ପଷ୍ଟ କରି ସାରିଥିଲେ । ଗଡ଼ଜାତର ମିଶ୍ରଣ ଓଡ଼ିଶାପାଇଁ ଏକ ଆବଶ୍ୟକତା ହୋଇ ପଡ଼ିଲା କାରଣ, ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଇଷ୍ଟର୍ଣ୍ଣ ଷ୍ଟେଟସ୍‍ ୟୁନିଅନ୍‍ (ପୂର୍ବାଞ୍ଚଳ ଗଡ଼ଜାତ ସଂଘ) ନାମରେ ଗଡ଼ଜାତଗୁଡିକ ସଂଘବଦ୍ଧ ହୋଇ ସେମାନଙ୍କୁ ଏକ ସ୍ୱତନ୍ତ୍ର ପ୍ରଦେଶର ମର୍ଯ୍ୟାଦା ଦାବି କରୁଥିଲେ । ଗଡ଼ଜାତର ରାଜାମାନେ ବର୍ତ୍ତମାନର ଛତିଶଗଡ଼ର ଦେଶୀୟ ରାଜାଙ୍କ ସହିତ ୨୧ ଓ ୨୨ ଡିସେମ୍ବର ୧୯୪୬ରେ ଏକ ବୈଠକରେ ବସି ସଂଘର ସ୍ଥାପନା କରିଥିଲେ । ପାଟଣା ରାଜା ଆଞ୍ଚଳିକତା ଆଧାରରେ ସ୍ୱତନ୍ତ୍ର କୋଶଳ ପ୍ରଦେଶର ଦାବିକୁ ସମର୍ଥନ କରି ପ୍ରସଙ୍ଗଟିକୁ ଖୁବ୍‍ ସ୍ପର୍ଶକାତର କରିଦେଇଥିଲେ । ହୀରାକୁଦ ବନ୍ଧ ବିରୋଧୀ ଆନ୍ଦୋଳନର ଆରମ୍ଭ ପରେ ମନ୍ତ୍ରିମଣ୍ଡଳ ପାଟଣା ରାଜାଙ୍କ ଇଷ୍ଟର୍ଣ୍ଣ ୟୁନିଅନ୍‍ କଥାକୁ ଉପେକ୍ଷା କରିବାକୁ ସାହସ ମଧ୍ୟ କରି ପାରୁ ନଥିଲେ । ଅନ୍ୟ ପକ୍ଷରେ, ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃବୃନ୍ଦ ଗଡ଼ଜାତମାନଙ୍କୁ କଂଗ୍ରେସ ମନ୍ତ୍ରିମଣ୍ଡଳ ବଳପୂର୍ବକ ଓଡ଼ିଶା ସହିତ ମିଶ୍ରଣ କରୁ ନଥିବାରୁ ସରକାରର ତୀବ୍ରସମାଲୋଚନା କରୁଥିଲେ । ଏହି ପରିସ୍ଥିତିରେ ଆପୋସ କଥାବାର୍ତ୍ତା ମାଧ୍ୟମରେ ଗଡ଼ଜାତଗୁଡ଼ିକୁ ଓଡ଼ିଶାରେ ମିଶ୍ରଣପାଇଁ ମହତାବ ପ୍ରସ୍ତାବ ଦେଲେ । ଆଗରୁ ଯେମିତି ମୋଗଲବନ୍ଦି ଓ ଗଡ଼ଜାତ ଥିଲା, ସେହି ରୀତିରେ ଏକ ସାଧାରଣ ପ୍ରଶାସନ ଅଧୀନରେ ଉଭୟ ପ୍ରଦେଶ ଓ ଗଡ଼ଜାତ ରହିବ ବୋଲି ସେ ଲିଖିତ ଭାବେ ଜଣାଇଲେ । ମାତ୍ର ରାଜାମାନଙ୍କ ପକ୍ଷରୁ ଦାବି ହେଲା ଯେ ସେମାନଙ୍କୁ ସାର୍ବଭୌମ କ୍ଷମତା ଦିଆଯାଉ । ଯେହେତୁ ସ୍ୱାଧୀନତା ମିଳି ନଥାଏ, କେନ୍ଦ୍ର ଓ ରାଜ୍ୟର କଂଗ୍ରେସ ନେତୃତ୍ୱପାଇଁ ଏ ଦିଗରେ ସ୍ୱାଧୀନ ଭାବେ କୌଣସି ପଦକ୍ଷେପ ନେବା ସଂଭବ ହେଉ ନଥାଏ ।

ପ୍ରଦେଶ ସହିତ ଗଡ଼ଜାତର ମିଶ୍ରଣରେ ବିଳମ୍ବ ଘଟୁଥିବାରୁ ସ୍ୱାଧୀନତା ପରେ ପରେ ୧୯୪୭ ଅକ୍ଟୋବର-ନଭେମ୍ବରରେ ନୀଳଗିରିରେ ପ୍ରଜାମଣ୍ଡଳ ପକ୍ଷରୁ ଆନ୍ଦୋଳନ ପୁଣି ଆରମ୍ଭ ହେଲା । ଏହା କ୍ରମଶଃ ଅଧିକରୁ ଅଧିକ ଜଟିଳ ହୋଇପଡ଼ୁଥିବା ଗଡ଼ଜାତ ପ୍ରସଙ୍ଗକୁ ଏକରକମ ସମାଧାନ ଦେଇଗଲା । ଆନ୍ଦୋଳନର ସମାଧାନପାଇଁ ରାଜା ପ୍ରଜାମଣ୍ଡଳ ସହିତ ରାଜିନାମା ସ୍ୱାକ୍ଷର କଲେ । ତଦନୁଯାୟୀ ରାଜ୍ୟରେ ପ୍ରଜାମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧୀନରେ ସରକାର ଗଠିତ ହେଲା । ଏହା ସତ୍ତ୍ୱେ ଆନ୍ଦୋଳନ ଭୀଷଣ ରୂପ ନେବାରୁ ୧୪ ନଭେମ୍ବରରେ ସେଠାରେ ଓଡ଼ିଶା ମିଲିଟାରୀ ପୋଲିସ ପ୍ରବେଶ କଲେ ଏବଂ ରାଜା ବିନା କୌଣସି ପ୍ରତିରୋଧରେ କ୍ଷମତା ହସ୍ତାନ୍ତର କଲେ । ଅଗଷ୍ଟ ୧୫ ତାରିଖ ୧୯୪୭ରେ ଦେଶରୁ ଇଂରେଜମାନେ ଯିବା ପରେ ଏବଂ ଦେଶ ସ୍ୱାଧୀନ ହେବା ପରେ ନୀଳଗିରି ରାଜା ପ୍ରାଦେଶିକ ହସ୍ତକ୍ଷେପକୁ ପ୍ରତିରୋଧ କରିପାରିବେ ନାହିଁ ବୋଲି ବୁଝିପାରିଲେ । ଅନ୍ୟ ପକ୍ଷରେ, ଓଡ଼ିଶା ସରକାର ଏବଂ ଭାରତ ସରକାର ଏହି ଅନୁଭୂତି ପରେ ଦୃଢ଼ ନିଶ୍ଚିତ ହେଲେ ଯେ, ସାମାନ୍ୟ ଚାପ ପ୍ରୟୋଗ କଲେ ଦେଶୀୟ ରାଜ୍ୟମାନେ ଦେଶ ସହିତ ମିଶ୍ରଣକୁ ପ୍ରତିରୋଧ କରିବେ ନାହିଁ । ଜବାହରଲାଲ୍‍ ନେହରୁଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାରରେ ଗୃହମନ୍ତ୍ରୀ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍ । ମହତାବଙ୍କ ପରି ସେ ମଧ୍ୟ ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହ ସମ୍ମିଶ୍ରଣପାଇଁ ବ୍ୟକ୍ତିଗତ ଭାବେ ଉଦ୍ୟମ କରୁଥିଲେ । ପ୍ରକୃତରେ ଯଦି ଦେଖାଯାଏ, ଜନମତକୁ ମହତାବ ଓ ପଟେଲ୍‍ ଭଳି ନେତୃବର୍ଗ ପ୍ରତିଫଳିତ କରୁଥିଲେ ମାତ୍ର । ୧୪ ଡିସେମ୍ବର ୧୯୪୭ରେ ପଟେଲ୍‍ ଓଡ଼ିଶା ଆସି ଓଡ଼ିଶାର ପ୍ରଧାନମନ୍ତ୍ରୀ, କେତେକ ମହତ୍ତ୍ୱପୂର୍ଣ୍ଣ ଉଚ୍ଚ ଅଧିକାରୀ ଓ ଅନେକ ଗଡ଼ଜାତ ରାଜାଙ୍କ ସହ ବୈଠକ କଲେ ଏବଂ ମିଶ୍ରଣ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସୁସ୍ପଷ୍ଟ କଲେ । ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ଯିବା ବାଟରେ ତାଙ୍କୁ ଲୋକେ ଶହ ଶହ ସଂଖ୍ୟାରେ ଶୋଭାଯାତ୍ରା କରି ମିଶ୍ରଣପାଇଁ ଦାବି ଜଣାଇଥିଲେ । ଏଥିରେ ପ୍ରଭାବିତ ହୋଇ ସର୍ଦ୍ଦାର ପଟେଲ ମିଶ୍ରଣ ପ୍ରସ୍ତାବକୁ ଅଧିକ ଦୃଢ଼ତାର ସହିତ ଆଗତ କଲେ । ସେ କହିଥିଲେ:

"ଓଡ଼ିଶାର ଗଡ଼ଜାତରେ ଥିବା ଉଭୟ ରାଜା ଓ ପ୍ରଜାଙ୍କ ସୁରକ୍ଷା ବିପଦପୂର୍ଣ୍ଣ । ସେହି କାରଣରୁ ସାର୍ବଭୌମ ଭାରତର ପ୍ରତିିନିଧି ବା ଅନ୍ୟ କୌଣସି ବିଦେଶୀ ଶକ୍ତିର ଦୂତ ହୋଇ ନୁହେଁ, ବରଂ ମୁଁ କଟକକୁ ଆସିଛି ରାଜାମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ପରାମର୍ଶ ଦେବାପାଇଁ । ପ୍ରଜାଙ୍କ ସ୍ୱାର୍ଥରେ ତଥା ନିଜ ବ୍ୟକ୍ତିଗତ ସ୍ୱାର୍ଥରେ ସେମାନେ ମିଶ୍ରଣ ଚୁକ୍ତିକୁ ସ୍ୱୀକାର କରିିନିଅନ୍ତୁ ।"

ସର୍ଦ୍ଦାର ପଟେଲ ଆହୁରି ମଧ୍ୟ ଉଲ୍ଲେଖ କଲେ ଯେ, ପ୍ରଦେଶର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଶୀଘ୍ର ମିଶ୍ରଣ ହେବା କଥା । ଯଦି ତାଙ୍କର ପରାମର୍ଶକୁ ରାଜାମାନେ ଉପେକ୍ଷା କରନ୍ତି, ପ୍ରଜା ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଦିଲ୍ଲୀକୁ ଠେଲି ଦେବେ । ସେତେବେଳେ ଗୃହମନ୍ତ୍ରୀ ଭାବରେ ତାଙ୍କଠାରୁ ରାଜାମାନେ କୌଣସି ସହଯୋଗ ଚାହିଁଲେ, ତାହା ମିଳିବା ନୋହିବ । ସେ ଆହୁରି ଧମକପୂର୍ଣ୍ଣ ଭାବେ କହିଲେ, "ଗଡ଼ଜାତମାନେ ହେଲେ ପ୍ରଦେଶର ରୋଗ ସଦୃଶ । ହୁଏତ ସେମାନଙ୍କୁ ରୋଗମୁକ୍ତ କରିବାକୁ ହେବ ଅଥବା ରୋଗକୁ ନିଶ୍ଚିହ୍ନ କରିବାକୁ ହେବ । ଯଦି ସେମାନେ ମୋ' କଥା ଶୁଣନ୍ତି, ରୋଗରୁ ମୁକ୍ତି ମିଳିବ ନଚେତ୍‍ ପ୍ରଜାଙ୍କଦ୍ୱାରା ସେମାନେ ନିର୍ମୂଳ ହେବେ ।" ସେ ରାଜାମାନଙ୍କର କୌଣସି ଦାବିକୁ ଗ୍ରହଣ କଲେ ନାହିଁ । ଶେଷରେ ମୟୂରଭଞ୍ଜ, ଷଢେ଼ଇକଳା ଓ ଖରସୁଆଁ ବ୍ୟତୀତ ଅନ୍ୟ ଗଡ଼ଜାତମାନ ୧ ଜାନୁଆରି ୧୯୪୮ରୁ ଓଡ଼ିଶା ପ୍ରଦେଶ ସହିତ ସମ୍ମିଶ୍ରିତ ହେଲେ । ଏହି ଦିନକୁ ଗଡ଼ଜାତ ମୁକ୍ତି ଦିବସ ରୂପେ ପାଳନ କରାଗଲା । ଷଢ଼େଇକଳା ଓ ଖରସୁଆଁ ଗଡ଼ଜାତର ମଧ୍ୟ ଓଡ଼ିଶା ସହ ମିଶ୍ରଣ ହେବା କଥା । ମାତ୍ର ସେଠାକାର ସ୍ଥାନୀୟ ଆଦିବାସୀ ଲୋକ ଓଡ଼ିଶା ସହିତ ନ ମିଶି ବିହାର ସହିତ ମିଶିବେ ବୋଲି ଦାବି କଲେ । ଏପରିକି ସେଠାକାର ଓଡ଼ିଆ ସମାଜ ଏ ଦିଗରେ ଯଥେଷ୍ଟ ମୁଖର ହୋଇ ପାରିଲା ନାହିଁ ବୋଲି ଅଭିଯୋଗ ହେଲା । ମୟୂରଭଞ୍ଜ ମଧ୍ୟ ମିଶ୍ରଣକୁ ଆରମ୍ଭରେ ବିରୋଧ କରୁଥିଲା । ମାତ୍ର ସେଠାକାର ଆଦିବାସୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା । ଆଦିବାସୀମାନେ ଏକ ସ୍ୱତନ୍ତ୍ର ଆଦିବାସୀ ପ୍ରଦେଶ ପାଇଁ ଦାବି କରୁଥିଲେ । ସେମାନଙ୍କର ନେତା ଥିଲେ ସୋନାରାମ ସୋରେନ୍ ଓ ରାମଚନ୍ଦ୍ର ମାଝି । ବିହାରର ଆଦିବାସୀ ନେତା ଜୟପାଳ ସିଂ ସେମାନଙ୍କୁ ସମର୍ଥନ ଜଣାଇଲେ । ଶେଷରେ ଆନ୍ଦୋଳନ ତୀବ୍ର ହେବାରୁ ମୟୂରଭଞ୍ଜ ରାଜା (ମହାରାଜା) ଓ ତାଙ୍କ ମୁଖ୍ୟମନ୍ତ୍ରୀ ଶରତ ଚନ୍ଦ୍ର ଦାସ ଦିଲ୍ଲୀରେ ଭାରତ ସରକାରଙ୍କ ସହ ୧୬ ଅକ୍ଟୋବର ୧୯୪୮ ଦିନ ମିଶ୍ରଣପାଇଁ ଚୁକ୍ତିନାମା ସ୍ୱାକ୍ଷର କଲେ । ୧୯୪୯ ଜାନୁଆରି ୧ ତାରିଖ ଦିନ ଭାରତ ସରକାର ମୟୂରଭଞ୍ଜକୁ ଓଡ଼ିଶା ରାଜ୍ୟ ସରକାରଙ୍କ ହାତରେ ଅର୍ପଣ କଲେ । ଏହିଭଳି ଭାବେ ଗଡ଼ଜାତଗୁଡ଼ିକ ଓଡ଼ିଶାରେ ମିଶ୍ରିତ ହେଲା, ଯାହା ରାଜ୍ୟକୁ (ଓଡ଼ିଶାକୁ) ଏକ ରକମର ପୂର୍ଣ୍ଣାଙ୍ଗ ରୂପ ଦେଲା । ଏହା ପୂର୍ବରୁ ୧୫ ଅଗଷ୍ଟ ୧୯୪୭ ଦିନ ଦେଶ ସ୍ୱାଧୀନତା ଲାଭ କଲାରୁ ଯେଉଁ ଆନନ୍ଦ ଓଡ଼ିଶା ପାଇଥିଲା, ଗଡ଼ଜାତର ସମ୍ମିଶ୍ରଣଯୋଗୁଁ ତାହା ଦ୍ୱିଗୁଣିତ ହେଲା । ଭାରତ ଭଳି ଓଡ଼ିଶାରେ ମଧ୍ୟ ସ୍ୱାଧୀନତା ସଂଗ୍ରାମର ଇତିହାସ ଢେର ପୁରୁଣା । ଓଡ଼ିଶା ୧୮୦୩ରେ ଇଂରେଜମାନଙ୍କ ହାତକୁ ଗଲା ଦିନଠାରୁ ଏଠାରେ ନିରନ୍ତର ଆନ୍ଦୋଳନ ହୋଇଛି । ଊନବିଂଶ ଶତାବ୍ଦୀରେ ଇଂରେଜ ଉପନିବେଶ ବିରୋଧରେ ଲଢ଼ିବା ବେଳେ ଓଡ଼ିଶାର ନେତୃବର୍ଗ ସ୍ଥାନୀୟ ଅସ୍ମିତା ପ୍ରଶ୍ନକୁ ମଧ୍ୟ କଦାଚିତ ଗୌଣ କରି ନାହାନ୍ତି । ଭାଷା ଓ ସଂସ୍କୃତିର ପ୍ରଶ୍ନ ଓଡ଼ିଶା ପାଇଁ ବିଦେଶୀ କବଳରୁ ସ୍ୱାଧୀନତା ଭଳି ମହତ୍ତ୍ୱପୂର୍ଣ୍ଣ, ନା କମ୍‍ ନା ବେଶି ? ତେଣୁ ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହେବା ସହିତ ୧୯୩୬ ଏପ୍ରିଲ୍‍ ୧ ତାରିଖରେ ସ୍ୱତନ୍ତ୍ର ପ୍ରଦେଶର ସ୍ୱୀକୃତି ମିଳିବା ଏବଂ ୧୯୪୭-୪୮ରେ ଗଡ଼ଜାତମାନଙ୍କର ରାଜ୍ୟରେ ମିଶ୍ରଣ ତଥା ବିଲୟ ହେବା ମଧ୍ୟ ଓଡ଼ିଶାର ଆଧୁିନିକ ଇତିହାସରେ ଏକା ମାତ୍ରାରେ ମର୍ଯ୍ୟାଦା ଦାବି କରନ୍ତି । ପ୍ରକାରାନ୍ତରେ, ଏହା ଭାରତର ଅନୈକ୍ୟ ଭିତରେ ରହିଥିବା ଐକ୍ୟକୁ ଦର୍ଶାଏ । ସେହି ଦୃଷ୍ଟିରୁ ଭାରତର ଜାତୀୟ ଇତିହାସ କିମ୍ବା ଅନ୍ୟ କୌଣସି ପ୍ରଦେଶର ଇତିହାସ ଭଳି ଓଡ଼ିଶା ଇତିହାସ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଭାରତର ଅନ୍ୟ ଅଞ୍ଚଳର ଇତିହାସ ଅପେକ୍ଷା କମ୍‍ ବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଦାବି କରିବା ଅଯୌକ୍ତିକ ନିଶ୍ଚୟ । ମାତ୍ର ତା'ଠାରୁ ବଡ଼କଥା, ଏଭଳି ଦାବି ଖୁବ୍‍ ଅଧିକ ଇତିହାସ-ଅସମ୍ମତ ମଧ୍ୟ ।

...