ଓଡ଼ିଶା ରାଜନୀତିର ଇତିହାସ/ଗଡ଼ଜାତ ମିଶ୍ରଣ ଓ ଷ୍ଟେଟ୍‍ ବିଧାନସଭା

ଓଡ଼ିଶା ରାଜନୀତିର ଇତିହାସ  (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ଗଡ଼ଜାତ ମିଶ୍ରଣ ଓ ଷ୍ଟେଟ୍‍ ବିଧାନସଭା


ସପ୍ତମ ପରିଚ୍ଛେଦ
ଗଡ଼ଜାତ ମିଶ୍ରଣ ଓ ଷ୍ଟେଟ୍‍ ବିଧାନସଭା

ଦେଶ ସ୍ୱାଧୀନ ହେଲା । ଚାରିଆଡେ଼ ଖେଳିଗଲା ଆନନ୍ଦ ଲହରୀ । ସ୍ୱାଧୀନ ଭାରତ ଅଗ୍ରସର ହେଲା ଏକ ନୂତନ ଐତିହାସିକ ମାର୍ଗରେ । କେନ୍ଦ୍ର ବ୍ୟବସ୍ଥାପକ ସଭା ଓ ପ୍ର।ଦେଶିକ ବିଧାନସଭାଗୁଡିକର ଭୂମିକା ହୋଇ ପଡ଼ିଲା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ପ୍ରଥମ ସାମ୍ବିଧାନିକ ରାଜ୍ୟପାଳ ଭାବରେ ଡକ୍ଟର କୈଳାସ ନାଥ କାଟ୍‍ଜୁ ଯୋଗଦାନ କଲେ ସ୍ୱାଧୀନତାପ୍ରାପ୍ତି ଦିବସ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ।

ଓଡ଼ିଶାର ରାଜଧାନୀ କଟକ ନଗରୀରେ ଅଗଷ୍ଟ ୨୭ ତାରିଖ ପ୍ରଭାତରେ ଅନୁଷ୍ଠିତ ହେଲା ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ । ରାଜ୍ୟପାଳ ଏହି ଅଧିବେଶନରେ ଉଦ୍‍ବୋଧନ ଦେଲେ । ସର୍ବପ୍ରଥମେ ସେ ଦେଶର ଅଗଣିତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ।

ମାନ୍ୟବର ରାଜ୍ୟପାଳ ତାଙ୍କ ଭାଷଣରେ କହିଲେ, 'ପ୍ରଦେଶର ସୀମା ନିର୍ଦ୍ଧାରଣ, ଏକୀକରଣ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ସମସ୍ତ ଓଡ଼ିଆ ଲୋକ ମିଳିତ ହୋଇ କାର୍ଯ୍ୟକରିବା ଉଚିତ । ତାହାହେଲେ ପ୍ରଦେଶ ଲାଭ କରିବ ଉତ୍ତମ ଶାସନସେବା । ଲୋକଙ୍କର ଦ୍ରୁତ ଉନ୍ନତି ଘଟିବ, ଭାରତର ସ୍ୱାର୍ଥ ବଜାୟ ରହିବ । ଶୀଘ୍ର ଓଡ଼ିଶା ପ୍ରଦେଶରେ ହାଇକୋର୍ଟ, ଅନ୍ୟାନ୍ୟ ବୈଷୟିକ ସଂସ୍ଥା ଓ ସ୍ୱତନ୍ତ୍ର ଅନୁଷ୍ଠାନମାନ ପ୍ରତିଷ୍ଠାହେବାର ଜରୁରୀ ଆବଶ୍ୟକତା ରହିଛି । ଗଡ଼ଜାତ ରାଜ୍ୟମାନେ ପ୍ରଦେଶ ସହ ଉତ୍ତମ ସଂପର୍କ ସ୍ଥାପନ କଲେ ଏହି ପ୍ରସ୍ତାବିତ ଅନୁଷ୍ଠାନଗୁଡ଼ିକ ଅବିଳମ୍ବେ ପ୍ରତିଷ୍ଠା ହୋଇପାରିବ । ଗଡ଼ଜାତ ରାଜ୍ୟ ଓ ପ୍ରଦେଶ ପୂର୍ଣ୍ଣପ୍ରାଣରେ ଏକାଠି ହେଲେ ବଡ଼ବଡ଼ ଯୋଜନା, ପ୍ରକଳ୍ପ, ଜଳସେଚନ ଓ ଶକ୍ତି ଉତ୍ପାଦନ ଆଦି ସମ୍ଭବ ହେବ । ଯାହା ଫଳରେ କି ଭାରତବର୍ଷର ଏହି ଅଂଶର ସର୍ବାଙ୍ଗୀନ ଉନ୍ନତି ସାଧିତ ହେବା ସଙ୍ଗେ

ସଙ୍ଗେ ଓଡ଼ିଶା ହେବ ଭାରତର ଏକ ଅଗ୍ରଣୀ ପ୍ରଦେଶ । ଶେଷରେ ମାନ୍ୟବର ରାଜ୍ୟପାଳ କହିଲେ, ବିଧାୟକମାନେ ଜନସାଧାରଣ ହାସଲ କରିିଥିବା ନବଜାତ ସ୍ୱାଧୀନତା ରୂପକ ଶିଶୁକୁ ବଳିଷ୍ଠ କରି ଗଢ଼ି ତୋଳନ୍ତୁ । ସର୍ବଶକ୍ତିମାନ ଈଶ୍ୱର ଆପଣଙ୍କ ବିଚାର ବୁଦ୍ଧିରେ ଚିର ସହାୟକ ହୁଅନ୍ତୁ ।"

ମାନ୍ୟବର ରାଜ୍ୟପାଳଙ୍କ ଭାଷଣ ପରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଏକ ସ୍ମରଣୀୟ ପ୍ରସ୍ତାବ ଆଗତ କରିିଥିଲେ:

"ଏହି ବିଧାନସଭା ସ୍ୱାଧୀନତାର ଆଗମନ ତ‌ଥା ପ୍ରାଦେଶିକ ସ୍ୱାୟତ୍ତ ଶାସନ କ୍ଷମତା ଲାଭକରି ଆନନ୍ଦ ସହକାରେ ହୃଦୟର ଗଭୀର କୃତଜ୍ଞତା ଜ୍ଞାପନ କରୁଛି ସେହି ମହାନ୍‍ ଜାତୀୟ ନେତୃବର୍ଗ, ମହାତ୍ମାଗାନ୍ଧି, ଓଡ଼ିଶାର ଜାତୀୟବାଦୀ ଜନକ ପଣ୍ଡିତ ଗୋପବଂଧୁ ଦାସ ଏବଂ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ଆତ୍ମବଳି ଦେଇଥିବା ଅଗଣିତ ସଂଗ୍ରାମୀ ଓ ଯୋଦ୍ଧାମାନଙ୍କୁ ।"

ଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ମହତାବ ସଂକ୍ଷିପ୍ତ ଭାବରେ ଦେଶର ସ୍ୱାଧୀନତା ସଂଗ୍ରାମର ଘଟଣାବଳୀ ଓ ମହାତ୍ମାଗାନ୍ଧିଙ୍କ ଅହିଂସା ଓ ଅସହଯୋଗ ଆନ୍ଦୋଳନର ଅସୀମ ଶକ୍ତି ସମ୍ପର୍କରେ ବର୍ଣ୍ଣନା କରିିଥିଲେ । ସ୍ୱାଧୀନତା ସଂଗ୍ରାମୀ ଓ ଆତ୍ମବଳି ଦେଇଥିବା ବ୍ୟକ୍ତିମାନଙ୍କ କୀର୍ତ୍ତିିର ସ୍ମାରକୀ ସ୍ୱରୂପ ଅଗଷ୍ଟ ୧୫ ତାରିଖକୁ ଏ ରାଜ୍ୟର ଜନସାଧାରଣ ଓ ବିଧାନସଭା ସଦସ୍ୟଗଣ ପ୍ରତିବର୍ଷ ସ୍ୱାଧୀନତା ଉତ୍ସବ ଭାବରେ ପାଳନ କରିବେ ବୋଲି ପ୍ରସ୍ତାବ ଆଗତ କରିିଥିଲେ । ତାଙ୍କର ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।

ସ୍ୱାଧୀନତା ପରେ ଓଡ଼ିଶା କାହିିଁକି ଭାରତର ବିଭିନ୍ନ ଗଡ଼ଜାତ ରାଜ୍ୟର ଶାସକ ରାଜାମାନେ ନିଜକୁ ଓ ନିଜ ରାଜ୍ୟକୁ ସ୍ୱତନ୍ତ୍ର ଓ ସାର୍ବଭୌମ ଭାବରେ ଗଢ଼ିତୋଳିବାପାଇଁ ଉଦ୍ୟମ ଅବ୍ୟାହତ ରଖିଲେ, ଯାହାକି ନୂତନ କେନ୍ଦ୍ର ସରକାରଙ୍କପାଇଁ ମୁଣ୍ଡବ୍ୟଥାର କାରଣ ଭାବରେ ଦେଖାଗଲା । ଓଡ଼ିଶାର ଗଡ଼ଜାତ ରାଜ୍ୟର ଶାସକ ରାଜାମାନେ ଇଷ୍ଟର୍ଣ୍ଣ ଷ୍ଟେଟ୍‍ ଫେଡ଼େରାଲ ଇଉନିଅନ୍‍ ସହ ସାମିଲ ହୋଇ ଓଡ଼ିଶା ପ୍ରଦେଶ ସହ ମିଶିବାପାଇଁ ଧରାଛୁଆଁ ଦେଲେନାହିିଁ । ସ୍ୱତନ୍ତ୍ର ସାର୍ବଭୌମ କ୍ଷମତା ହାସଲପାଇଁ ବିଭିନ୍ନ ସମୟରେ ଆଲୋଚନା ଓ ବୈଠକମାନ ଅନୁଷ୍ଠିତ କରିବାରେ ଲାଗିଲେ ।

ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ଓଡ଼ିଶା ପ୍ରଦେଶରେ ମିଶିବାପାଇଁ ୧୯୩୮ ମସିହାଠାରୁ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଜାମଣ୍ଡଳର ନେତୃବର୍ଗ ଏଥିପାଇଁ ବହୁ ଚେଷ୍ଟା କରିଥିଲେ । ୧୯୪୬ ମସିହାରେ ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ ଏଥିପାଇଁ ଚେଷ୍ଟା କରିିଥିଲେ । କିଛି ଫଳ ହୋଇ ନ ଥିଲା । କିନ୍ତୁ ଏଥିପାଇଁ ଆପେ ଆପେ ବାଟ ଖୋଲିଗଲା ନୀଳଗିରି ଆନ୍ଦୋଳନ ପରେ ।

ସ୍ୱାଧୀନତା ପୂର୍ବରୁ ନୀଳଗିରି, ଢେ଼ଙ୍କାନାଳ ତ‌ଥା ଅନ୍ୟ କେତେକ ଗଡ଼ଜାତ ରାଜାମାନଙ୍କୁ ସେମାନଙ୍କର କୁ-ଶାସନପାଇଁ ପ୍ରାଶାସନିକ କ୍ଷମତାରୁ ବଂଚିତ କରାଯାଇଥିଲା । ପ୍ରତ୍ୟେକ ରାଜାଙ୍କର କୁ-ଶାସନଜନିତ ବିବରଣୀ ତତ୍‍କାଳୀନ ବ୍ରିଟିଶ ସରକାରଙ୍କ ମିଲିଟାରୀ ଗୋଇନ୍ଦା ପୁଲିସ ବ୍ରିଟିଶ୍‍ କ୍ରାଉନର ଭାରତ ପ୍ରତିନିଧିଙ୍କ ପାଖରେ ପହଞ୍ଚାଇଥିଲା । ସେହି ତ‌ଥ୍ୟକୁ ଭିତ୍ତିକରି କୁ-ଶାସନରେ ରତ‌ଥିବା ରାଜା ମହାରାଜାମାନଙ୍କର ପ୍ରାଶାସନିକ କ୍ଷମତାକୁ ରଦ୍ଦ କରି ଦିଆଯାଇଥିଲା । ସେହି ରାଜ୍ୟଗୁଡ଼ିକ ବ୍ରିଟିଶ ସରକାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଥିଲେ । ସ୍ୱାଧୀନତା ପରେ ନୀଳଗିରି ରାଜ୍ୟରେ ପ୍ରାଶାସନିକ ସଂକଟ ଦେଖାଦେବା ସହ ରାଜ୍ୟରେ ବହୁ ବିଶୃଙ୍ଖଳା, ଲୁଟତରାଜ, ପୋଡ଼ାଜଳା ଆଦି ଦେଖାଦେଲା । ନୀଳଗିରି ଏକ ଆଦିବାସୀବହୁଳ ଗଡ଼ଜାତ ରାଜ୍ୟ । ରାଜାଙ୍କ ନିର୍ମମ ଅତ୍ୟାଚାରରେ ଲୋକେ ତ୍ରାହିତ୍ରାହି ଡାକ ଛାଡ଼ୁଥିଲେ । ଦେଶ ପରାଧୀନ ଥିବାବେଳେ ପ୍ରଜାମଣ୍ଡଳର ନେତୃବର୍ଗ ରାଜାଙ୍କ ସହ ସମ୍ମୁଖ ଯୁଦ୍ଧରେ ସଦାବେଳେ ଦଣ୍ଡାୟମାନ ହେଉଥିଲେ । ସ୍ୱାଧୀନତା ପରେ ପ୍ରଜାମଣ୍ଡଳ କର୍ମୀମାନଙ୍କ ଉପରେ ପ୍ରତିଶୋଧ ନେବାପାଇଁ ରାଜା କେତେକ ଆଦିବାସୀ ଅପରାଧୀଙ୍କୁ ପ୍ରବର୍ତ୍ତାଇ ପ୍ରଜାମଣ୍ଡଳର ସଭ୍ୟମାନଙ୍କ ଘରେ ନିଆଁ ଲଗାଇଦେଲେ ।

ରାଜାଙ୍କ ପ୍ରୋତ୍ସାହନରେ ଏହି ଦୁର୍ଦ୍ଦାନ୍ତ ଅପରାଧୀମାନେ ଗାଁ ଗାଁ ବୁଲି ମନଇଚ୍ଛା ଚାରିଆଡ଼େ ନିଆଁ ଲଗାଇଲେ । ନୀଳଗିରି ରାଜ୍ୟରେ ପୂରା ଅରାଜକତା ଦେଖାଦେଲା । ଓଡ଼ିଶାର ପ୍ରଧାନମନ୍ତ୍ରୀ ଏହାର ପୂର୍ଣ୍ଣ ବିବରଣୀ ଭାରତ ସରକାରଙ୍କ ପାଖକୁ ପଠାଇଲେ । ଆଇନଶୃଙ୍ଖଳା ରକ୍ଷା ନିମନ୍ତେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସେଥିପାଇଁ ମଧ୍ୟ ଅପେକ୍ଷା କରି ରହିଲେ । କେନ୍ଦ୍ରରେ ଉପପ୍ରଧାନମନ୍ତ୍ରୀ ତ‌ଥା ଘରୋଇ ବିଭାଗ ମନ୍ତ୍ରୀ

ଥାଆନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । ସେ ଆଦେଶ ଦେଲେ ଶୀଘ୍ର ନୀଳଗିରି ରାଜ୍ୟର ଦାୟିତ୍ୱ ଗ୍ରହଣ କରିବାପାଇଁ ।

ସେହି ସମୟରେ ମିଃ ପିଅରମ୍ୟାନ୍‍ ଥାଆନ୍ତି ଓଡ଼ିଶାର ପୋଲିସ୍‍ ଆଇ.ଜି । ଡିଭିଜନାଲ କମିଶନର ନୀଳମଣି ସେନାପତିଙ୍କ ସହ ପରାମର୍ଶ କରି ନୀଳଗିରି ରାଜ୍ୟକୁ ପିଅରମ୍ୟାନ୍‍ ସୈନ୍ୟ ଚାଳନା କଲେ । ବାଲେଶ୍ୱରରୁ ଓଡ଼ିଶାର ମିଲିଟାରୀ ପୋଲିସ୍‍ ମାର୍ଚ୍ଚିଙ୍ଗ କରି ନୀଳଗିରି ରାଜ୍ୟରେ ପ୍ରବେଶ କଲେ । ବାଟରେ ତାଙ୍କୁ ଜନସାଧାରଣ ସମ୍ବର୍ଦ୍ଧନା ଜଣାଇଲେ । ଓଡ଼ିଶା ପ୍ରାଦେଶିକ ସରକାର ନୀଳଗିରି ରାଜ୍ୟକୁ ନିଜ ଅକ୍ତିଆରକୁ ଆଣିଲେ ୧୯୪୭ ମସିହା ନଭେମ୍ବର ୧୪ ତାରିଖ ଦିନ । ପ୍ରଧାନମନ୍ତ୍ରୀ ଏହା ସର୍ଦ୍ଦାର ପଟେଲଙ୍କୁ ଜଣାଇଦେଲେ ।

ଗଡ଼ଜାତ ମିଶ୍ରଣପାଇଁ ନୀଳଗିରି ବାଟ ଦେଖାଇଲା । ଏହି ସମୟରେ 'ଏ' ଶ୍ରେଣୀର ଗଡ଼ଜାତ ରାଜାମାନେ ପ୍ରଦେଶ ସହ ନ ମିଶି ନିଜର ସାର୍ବଭୌମତ୍ୱ ରକ୍ଷା କରିବେ ବୋଲି ଲିଖିତ ଆକାରରେ କେନ୍ଦ୍ର ସରକାରଙ୍କୁ ଜଣାଇଦେଲେ । ଓଡ଼ିଶାର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ ନିମନ୍ତ୍ରଣ କଲେ ଶୀଘ୍ର ଓଡ଼ିଶା ଆସିବାପାଇଁ ଓ ଗଡ଼ଜାତ ମିଶ୍ରଣ ନିମନ୍ତେ ନୀଳଗିରି ଆମକୁ ବାଟ ଦେଖାଇଛି ବୋଲି ଜଣାଇଦେଲେ । ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ନିମନ୍ତ୍ରଣ ରକ୍ଷା କରି ସର୍ଦ୍ଦାର ପଟେଲ ୧୯୪୭ ମସିହା ଡିସେମ୍ବର ୧୩ ତାରିଖରେ ଓଡ଼ିଶା ଆସିଲେ । ତାଙ୍କ ସହ ଆସିଲେ ମିଃ କେ.ଭି.କେ. ସୁନ୍ଦରମ୍‍- ଭାରତ ସରକାରଙ୍କ ବ୍ୟବସ୍ଥାପକ ସଭା ବିଭାଗର ଯୁଗ୍ମ ଶାସନ ସଚିବ; ମିଃ ଭି. ଶଙ୍କର, ଆଇ.ସି.ଏସ୍‍.- ଭାରତର ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ଘରୋଇ ସଚିବ; ମିଃ.ଭି.ପି. ମେନ୍‍ନ୍‍- ଭାରତ ସରକାରଙ୍କ ରାଜ୍ୟ ମନ୍ତ୍ରଣାଳୟର ଶାସନ ସଚିବ ଓ କୁମାରୀ ମଣିବେନ ପଟେଲ । ସେହିଦିନ ଭୁବନେଶ୍ୱର ବିମାନ ବନ୍ଦରଠାରୁ ରାଜଧାନୀ କଟକ ନଗରଯାଏ ଦୀର୍ଘ ୨୦ ମାଇଲ ବ୍ୟାପୀ ଲୋକଙ୍କର ବିକ୍ଷୋଭ । ସମସ୍ତଙ୍କର ଗୋଟିଏ ଦାବି- "ଓଡ଼ିଶା ଗଡ଼ଜାତ ରାଜ୍ୟଗୁଡ଼ିକର ଓଡ଼ିଶା ପ୍ରଦେଶ ସହ ଶୀଘ୍ର ମିଶ୍ରଣ ।" ସର୍ଦ୍ଦାର ପଟେଲ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କର ଅତିିଥି ହୋଇ ରହିଲେ । ସେଦିନ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲ, ତାଙ୍କ ସହ ଦିଲ୍ଲୀରୁ ଆସିିଥିବା ଅଧିକାରୀଗଣ, ଓଡ଼ିଶାର ପ୍ରଧାନମନ୍ତ୍ରୀ, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଓ ଓଡ଼ିଶା ପ୍ରଦେଶ ମନ୍ତ୍ରିମଣ୍ଡଳର ସଦସ୍ୟଗଣଙ୍କର ଏକ ମିଳିତ ବୈଠକରେ ଗଡ଼ଜାତ ମିଶ୍ରଣ ସମ୍ପର୍କରେ ଆଲୋଚନା ହେଲା । ମହତାବଜୀ ପ୍ରଥମେ ମିଶ୍ରଣ କଥା ଉଠାଇଲେ । ରାଜାମାନଙ୍କୁ ପ୍ରଦାନ କରାଯାଇିବା ସନନ୍ଦ ବିଷୟରେ ଆଲୋଚନା ହେଲା । ସର୍ଦ୍ଦାର ପଟେଲ ସନନ୍ଦକୁ ଦେଖିବା ମାତ୍ରକେ ତୀବ୍ର ସ୍ୱରରେ କହି ଉଠିଲେ, How could these petty rulers comply with the conditions of sanandas ? It is impossible । ପୂର୍ବରୁ ତା୨୦.୧୧.୧୯୪୭ରେ ଦିଲ୍ଲୀ ବୈଠକରେ ଆଲୋଚିତ ହୋଇଥିବା memorandumକୁ ସିଧା ଚିରି ଖଣ୍ଡ ଖଣ୍ଡ କରିଦେଲେ ଏବଂ ସ୍ଥିରକଲେ ଯେ, ଏହି ଗଡ଼ଜାତ ରାଜ୍ୟଗୁଡ଼ିକ ଓଡ଼ିଶା ପ୍ରଦେଶ ସହ ମିଶିବ । ତା'ପରେ ସେ ମହତାବଜୀଙ୍କୁ ପଚାରିଲେ, ଆସନ୍ତାକାଲି ଓଡ଼ିଶାର ରାଜାମାନଙ୍କ ସହ

ଆଲୋଚନା ହେବାକୁ ଥିବା ବିବରଣୀ ପତ୍ର ପ୍ରସ୍ତୁତ ହୋଇଛି ତ? ମହତାବଜୀ ହଁ ମାରି କହିଲେ, ତାହା ଆସନ୍ତାକାଲି ବୈଠକରେ ବଣ୍ଟନ କରାଯିବ । ରାଜ୍ୟ ମନ୍ତ୍ରିମଣ୍ଡଳଦ୍ୱାରା ଅନୁମୋଦିତ ହୋଇ ପ୍ରସ୍ତୁତ ହୋଇଥିବା memorandumକୁ ମଧ୍ୟ ଚିରିଦେଇ ରାତାରାତି ତତ୍‍କାଳୀନ ମୁଖ୍ୟ ଶାସନସଚିବଙ୍କ ସହାୟତାରେ ଅନ୍ୟଗୋଟିଏ memorandum ପ୍ରସ୍ତୁତ କରି ସରକାରୀ ପ୍ରେସ୍‌ରେ ଛପାଇ ବାହାର କରି ଆଣିଲେ । ଏଣେ ରାତିସାରା ସର୍ଦ୍ଦାର ପଟେଲ ମହାତାବଜୀଙ୍କ ସହ ଘନଘନ ଆଲୋଚନା କରୁଥାଆନ୍ତି କିପରି ମିଶ୍ରଣ କାର୍ଯ୍ୟକାରୀ ଓ ଫଳବତୀ ହେବ । ମହତାବଜୀ ସର୍ଦ୍ଦାର ପଟେଲଙ୍କୁ ପୂରା ଆଶ୍ୱାସନା ଦେଇାଆନ୍ତି ସଫଳ ହେବ ବୋଲି ।

ପରଦିନ ତା୧୪.୧୨.୧୯୪୭ ସକାଳ ୯ଘଟିକାରେ କଟକ ରାଜଭବନ ସଭାଗୃହରେ ଏକ ସମ୍ମିଳନୀରେ ଓଡ଼ିଶାର ରାଜାମହାରାଜାମାନଙ୍କୁ ଭାରତର ଉପପ୍ରଧାନନ୍ତ୍ରୀ ତ‌ଥା କେନ୍ଦ୍ର ଘରୋଇ ମନ୍ତ୍ରୀ ସର୍ଦ୍ଦାର ପଟେଲ୍‍ ଭେଟିଲେ । ଏହି ବୈଠକରେ ଦିଲ୍ଳୀରୁ ଆସିିଥିବା ପ୍ରତିନିଧି ବର୍ଗ, ଓଡ଼ିଶା ପ୍ରଦେଶ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ, ମାନ୍ୟବର ରାଜ୍ୟପାଳ ଡଃ କାଟଜୁ ଓ ପ୍ରଧାନମନ୍ତ୍ରୀ ମହତାବଜୀ ଆଦି ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ସର୍ଦ୍ଦାର ପଟେଲ ପ୍ରଥମେ ରାଜା ମହାରାଜାମାନଙ୍କୁ ଲକ୍ଷ୍ୟକରି କହିଲେ, "ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ରାଜା ମହାରାଜା ଓ ପ୍ରଜାମାନଙ୍କ ହିତ ତ‌ଥା ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଶା ପ୍ରଦେଶ ସହିତ ଶୀଘ୍ର ମିଶିଯିବା ଉଚିତ ।"

ସର୍ଦ୍ଦାର ପଟେଲଙ୍କ ମୁହଁରୁ ଏକା ଶୁଣି ରଣପୁରର ଯୁବକ ରାଜା ଉଠିପଡ଼ି କହିଲେ, "ରାଜାମାନେ ତାଙ୍କ ରାଜ୍ୟର ପ୍ରଜାମାନଙ୍କ ସହ ଏହି ବିଷୟରେ ପରାମର୍ଶ କରିବା ପରେ ଯାହା ହେବ ।" ରଣପୁର ରାଜାଙ୍କର ଏକଥା ଶୁଣି ସର୍ଦ୍ଦାର ପଟେଲ ରାଗିଗଲେ । ତା'ପରେ ଷଢେ଼ଇକଳା ରାଜା ୨୦.୧୧.୧୯୪୭ରେ ଦିଲ୍ଳୀରେ ଅନୁଷ୍ଠିତ ହୋଇଥିବା ଆଲୋଚନା ବିଷୟକୁ ଦୋହରାଇଲେ । ସର୍ଦ୍ଦାର ପଟେଲ କହିଲେ, "ପଛ କଥା ପଛକୁ ପକାଇ ଦିଅନ୍ତୁ । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ସର୍କୁଲାର ଯାହା ଆପଣମାନଙ୍କୁ ଦିଆଯାଇଛି, ସେଥିରେ ଲେଖାଅଛି ପୂରା ମିଶ୍ରଣ । ସେହି ଅନୁସାରେ କାର୍ଯ୍ୟ କରନ୍ତୁ ।"

ସେହି ସମୟକୁ ପ୍ରାୟ ସମସ୍ତ ଗଡ଼ଜାତ ରାଜା ନିଜ ନିଜ ରାଜ୍ୟରେ ପ୍ରଜାମଣ୍ଡଳ ଜରିଆରେ ଗୋଟିଏ ଗୋଟିଏ ଦାୟିତ୍ୱପୂର୍ଣ୍ଣ ସରକାର ଗଠନ କରିସାରିଥାଆନ୍ତି । କେହି କିନ୍ତୁ ନିଜ ନିଜ ରାଜ୍ୟରେ ଗଠନ କରିିବା ମନ୍ତ୍ରିମଣ୍ଡଳ କଥା ଉଠାଇଲେ ନାହିିଁ । କେବଳ ମୟୂରଭଂଜ ରାଜା କହିଲେ, "ମୋ ରାଜ୍ୟର ମନ୍ତ୍ରିମଣ୍ଡଳ ସହ ପରାମର୍ଶ କରିବି, କାରଣ ସେମାନଙ୍କ ହାତରେ ରାଜ୍ୟର ସମସ୍ତ ପ୍ରକାର ଶାସନ ଅର୍ପଣ କରି ସାରିଛି । ଆଉ କେତେଜଣ ରାଜା ମଧ୍ୟ ସମୟ ନେଲେ ଚିନ୍ତା କରିବା ପାଇଁ । କେନ୍ଦ୍ର ଆଇନ ସଚିବ ମିଶ୍ରଣ ଦଲିଲରେ ବିଷୟବସ୍ତୁ ପଢ଼ି ଶୁଣାଇଦେଲେ । ସେହିଦିନ ପ୍ରାୟ ଅଧିକାଂଶ ରାଜା ମହାରାଜା ମିଶ୍ରଣ ଦଲିଲରେ ଦସ୍ତଖତ କରିଦେଲେ । ଆଉ ଯେଉଁମାନେ ରହିଲେ ସେମାନେ ୧୫ ତାରିଖ ସକାଳେ ଦସ୍ତଖତ କରିଦେଲେ । କିନ୍ତୁ କଳାହାଣ୍ଡି ମହାରାଜା ଡେରିରେ ସର୍ବଶେଷରେ ଦସ୍ତଖତ କଲେ । ସେଥିପାଇଁ ସର୍ଦ୍ଦାର ପଟେଲଙ୍କୁ ଅପେକ୍ଷା କରିବାକୁ ପଡ଼ିିଲା । ଶେଷରେ କଳାହାଣ୍ଡି ମହାରାଜା ଅଭିଯୋଗ କଲେ କି, ମିଃ ମେନନ୍‍ (ଭାରତ ସରକାରଙ୍କ ରାଜ୍ୟ ବିଭାଗ ସଚିବ) ତାଙ୍କଠାରୁ ଜୋରକରି ମିଶ୍ରଣ ଦଲିଲରେ ଦସ୍ତଖତ କରି ନେଇଛନ୍ତି । ଏହି ଅଭିଯୋଗ ମଧ୍ୟ ଗାନ୍ଧିଜୀଙ୍କ ପାଖରେ ପହଞ୍ଚିିଥିଲା ।

ମୟୂରଭଞ୍ଜକୁ ଛାଡ଼ି ଅନ୍ୟ ୨୫ଟି ଗଡ଼ଜାତ ରାଜ୍ୟ ମିଶ୍ରଣ ଚୁକ୍ତିରେ ଦସ୍ତଖତ କରିଦେଲେ । ମୟୂରଭଞ୍ଜ ଏକ ଆଦିବାସୀ ରାଜ୍ୟ ହୋଇଥିବାରୁ ସର୍ଦ୍ଦାର ପଟେଲ ମୟୂରଭଞ୍ଜ ରାଜାଙ୍କ ଇଚ୍ଛାକୁ ଅନୁମତି ଦେଲେ । ହେଲେ ଗୋଟିଏ ବର୍ଷ ଭିତରେ ମୟୂରଭଞ୍ଜରାଜା ତାଙ୍କ ସରକାରଙ୍କ କାର୍ଯ୍ୟକଳାପରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ । ରାଜ୍ୟର ପ୍ରଜାମାନେ ଭଲରେ ରହିବା ପାଇଁ ଇଚ୍ଛାକଲେ । ନିଜ ରାଜ୍ୟକୁ ଶୀଘ୍ର ଦେଶ ହାତରେ ଟେକି ଦେବାପାଇଁ ଇଚ୍ଛାପ୍ରକାଶ କଲେ । ଫଳରେ ସର୍ଦ୍ଦାର ପଟେଲ ସରକାରଙ୍କ ତରଫରୁ ପ୍ରତିନିଧି ପଠାଇ ମିଶ୍ରଣ ଦଲିଲରେ ମୟୂରଭଞ୍ଜ ରାଜାଙ୍କ ଠାରୁ ଦସ୍ତଖତ କରି ଆଣିଲେ । ୧.୧.୧୯୪୯ରେ ଭାରତ ସରକାର ମୟୂରଭଞ୍ଜକୁ ଓଡ଼ିଶା ସରକାରଙ୍କ ହାତରେ ଅର୍ପଣ କଲେ ।

ସମସ୍ତ ଗଡ଼ଜାତରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶିଲେ । ଅଧିକାଂଶ ରାଜା ସନ୍ତୋଷ ପ୍ରକାଶ କଲେ ଯେ ସର୍ଦ୍ଦାର ବଲ୍ଲଭ ଭାଇ ତାଙ୍କପାଇଁ ହାତପାଣ୍ଠି ସହ ଅନ୍ୟାନ୍ୟ ସୁବିଧା ତ‌ଥା ସୁରକ୍ଷା ବ୍ୟବସ୍ଥା କରିଦେଲେ । ଆଉ କେତେକ ଅସନ୍ତୋଷରେ କାଳକାଟିଲେ । ସେମାନେ ମିଶ୍ରଣ ଦଲିଲରେ ଦସ୍ତଖତ କରିସାରିବା ପରେ ବି 'ଇଉନିଅନ ଆନ୍ଦୋଳନ' ଷଡ଼ଯନ୍ତ୍ରରେ ଲାଗିପଡ଼ିଲେ । ଗୁପ୍ତ

ସଂଗଠନ ଜରିଆରେ ଷଢେ଼ଇକଳା, ଖରସୁଆଁ ରାଜ୍ୟରେ କାର୍ଯ୍ୟକ୍ରମ ଚାଲୁରଖିଲେ । ବିହାର ପ୍ରାଦେଶିକ ସରକାର ଚାହୁିଁଥିଲେ ଯେ, ଷଢେ଼ଇକଳା ଓ ଖରସୁଆଁ ବିହାରରେ ରହୁ । କାରଣ ଏହି ଅଂଚଳର ଅଧିକାଂଶ ହେଉଛନ୍ତି ଆଦିବାସୀ ସଂପ୍ରଦାୟର । ଭୌଗୋଳିକ ଦୃଷ୍ଟିରୁ ସିଂହଭୂମି ଜିଲ୍ଳାର ଅଧିବାସୀ । ଏହି ବିବାଦପାଇଁ ଓଡ଼ିଶା ଓ ବିହାର ମଧ୍ୟରେ ମନୋମାଳିନ୍ୟ ଦେଖାଗଲା । ଷଡ଼ଯନ୍ତ୍ରକାରୀ ରାଜାମାନେ ଏହାର ସୁଯୋଗ ନେଲେ । ଏହି ଦୁଇ ରାଜ୍ୟରେ ଗଣ୍ଡଗୋଳର ସୂତ୍ରପାତ ହେଲା । ଓଡ଼ିଶା ସରକାର 'ଇଉନିଅନ୍‍ ମୁଭ୍‍ମେଣ୍ଟ'କୁ ନିଷେଧ କରିଦେଲେ । ଆଦିବାସୀମାନେ ଆନ୍ଦୋଳନ କଲେ ଯେ ଷଢ଼େଇକଳା, ଖରସୁଆଁ ବିହାରରେ ରହୁ । ଏ ଆନ୍ଦୋଳନରେ ବହୁ ଓଡ଼ିଆ ଭାଷାଭାଷୀମାନେ ମଧ୍ୟ ଅଜାଣତରେ ସାମିଲ ହୋଇଗଲେ । ଷଢେ଼ଇକଳା, ଖରସୁଆଁ ପରିସ୍ଥିତି ବହୁତ ଖରାପ ହୋଇଉଠିଲା । ଦୁଇ ରାଜ୍ୟରେ ମିଲିଟାରୀ ପ୍ରବେଶ କଲେ । ଶେଷରେ ଭାରତ ସରକାର ନିଷ୍ପତ୍ତି ନେଲେ ଯେ, ଷଢେ଼ଇକଳା ଓ ଖରସୁଆଁ ଦୁଇଟି ରାଜ୍ୟ ସିଂହଭୂମିର ଦୁଇଟି ଦ୍ୱୀପ କହିଲେ ଚଳେ । ଓଡ଼ିଶା ଓ ବିହାର ଦାବି କରୁଛନ୍ତି ନିଜ ପ୍ରଦେଶରେ ଏହି ଦୁଇ ରାଜ୍ୟକୁ ମିଶାଇବା ପାଇଁ । ଏହି ଦୁଇଟି ରାଜ୍ୟ ସିଂହଭୂମି ଜିଲ୍ଲାରେ ଥାଉ । ପରବର୍ତ୍ତୀ ସମୟରେ ସିଂହଭୂମି ଯେଉଁ ପ୍ରଦେଶରେ ରହିବ ଏହି ରାଜ୍ୟ ଦୁଇଟି ସେହି ପ୍ରଦେଶରେ ସାମିଲ୍‍ ହେବ । ପରବର୍ତ୍ତୀ ସମୟରେ ସିଂହଭୂମି ବିହାର ପ୍ରଦେଶରେ ରହିଲା । ଓଡ଼ିଶା ହରାଇଲା ଦୁଇଟି ଗଡ଼ଜାତ ରାଜ୍ୟ । ଏହା ଓଡ଼ିଶାବାସୀଙ୍କୁ ଅସୁଖୀ କଲା ।

ଭାରତ ସରକାର ତା୨୭.୭.୧୯୪୯ରେ ରାଜ୍ୟ ମିଶ୍ରଣ ବିଜ୍ଞପ୍ତି ପ୍ରକାଶ କଲେ । ଏହି ବିଜ୍ଞପ୍ତି ଭାରତର ମାନ୍ୟବର ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଓ ଶାସନ ସଚିବ ମିଃ କେ.ଭି.କେ ସୁନ୍ଦରମ୍‍ଙ୍କ ସ୍ୱାକ୍ଷରରେ ପ୍ରକାଶ ପାଇଥିଲା । ଏହି ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ ଥିଲା, କେଉଁ ଗଡ଼ଜାତ ରାଜ୍ୟଗୁଡ଼ିକ କେଉଁ ପ୍ରଦେଶରେ ସାମିଲ ହେଲା । ଏହା ବ୍ୟତୀତ ଗଡ଼ଜାତ ରାଜ୍ୟଗୁଡ଼ିକପାଇଁ ବିଧାନସଭାର କେତୋଟି ମନୋନୀତ ଆସନ ରହିବ, ଏହାର ସଭ୍ୟମାନେ କିଭଳି ମନୋନୀତ ହେବେ ଇତ୍ୟାଦି ।

ସେହି ବିଜ୍ଞପ୍ତିରେ ଓଡ଼ିଶାର ଚବିଶଟି ଗଡ଼ଜାତ ରାଜ୍ୟ ପାଇଁ ୩୧ ଜଣ ମନୋନୀତ ସଭ୍ୟ ରହିବାର ଉଲ୍ଲେଖ ଥିଲା । ଏହି ସଭ୍ୟମାନଙ୍କର ଯୋଗ୍ୟତା ଓ କିପରି ସେମାନେ ମନୋନୀତ ହେବେ, ସେ ସମ୍ପର୍କରେ ବିଶେଷ ତ‌ଥ୍ୟ ରହିିଲା । ପୂର୍ବରୁ ଓଡ଼ିଶା ପ୍ରଦେଶ ବିଧାନସଭାର ସଦସ୍ୟ ସଂଖ୍ୟା ଥିଲା ୬୦ । ଏହି ବିଜ୍ଞପ୍ତି ବଳରେ ସଦସ୍ୟ ସଂଖ୍ୟା ହେଲା ୯୧ । ନିମ୍ନମତେ ୩୧ ଜଣ ସଭ୍ୟ ମନୋନୀତ ହୋଇପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । ଏମାନଙ୍କୁ ନେଇ ସ୍ୱତନ୍ତ୍ର ଏକ ଆସେମ୍ଲି ଗଠିତ ହେଲା । ମୟୂରଭଞ୍ଜ-୬; ବାମଣ୍ଡା-୧; ଢେ଼ଙ୍କାନାଳ-୨; କଳାହାଣ୍ଡି-୪; ନୟାଗଡ଼-୧; ପାଟଣା-୪; ବଣେଇ, ଗାଙ୍ଗପୁର -୩; କେଉଁଝର, ନୀଳଗିରି-୪; ଆଠଗଡ଼, ବଡ଼ମ୍ବା, ଦଶପଲା୍ଲ , ହିନ୍ଦୋଳ, ଖଣ୍ଡପଡ଼ା, ନରସିଂହପୁର, ରଣପୁର, ତିଗିରିଆ, ପାଲଲହଡା ଓ ତାଳଚେର-୩; ଆଠମଲ୍ଲିକ, ବୌଦ୍ଧ, ରେଢ଼ାଖୋଲ, ସୋନପୁର-୩ ।

ବିଭିନ୍ନ ଗଡ଼ଜାତ ରାଜ୍ୟର ମନୋନୀତ ବିଧାୟକମାନେ ହେଲେ:

ମୟୂରଭଞ୍ଜ: ଲାଲମୋହନପତି, ଶରତ ଚନ୍ଦ୍ର ଦାସ, ହରିଶ ଚନ୍ଦ୍ର ଦାସ, ମାନଗୋବିନ୍ଦ ପତି, ଗୋପୀନାଥ ନାଏକ, ଶିରୀଶ ଚନ୍ଦ୍ର ଦାସ; ବାମଣ୍ଡା- ଜଳନ୍ଧର ଦେବ; ଢେଙ୍କାନାଳ- ସୁରେନ୍ଦ୍ର ମୋହନ ପଟ୍ଟନାୟକ ଓ ମହେଶ ଚନ୍ଦ୍ର ସୁବାହୁ ସିଂହ; କଳାହାଣ୍ଡି- ଉତ୍ସବାନନ୍ଦ ପ୍ରଧାନ, କାଳୀପ୍ରସାଦ ବାବୁ, ଥଟ୍ଟରାଜ ରୁଦ୍ରପ୍ରତାପ ସିଂହଦେଓ, ଗଜାନନ ନାୟକ; ନୟାଗଡ଼- ଶ୍ରୀଧର ଦାସ; ପାଟଣା- ଦିବାକର ବହିଦାର, ନିମାଇଁ ଚରଣ ପାଣିଗ୍ରାହୀ, କପିଳେଶ୍ୱର ପ୍ରସାଦ ନନ୍ଦ, କପୁରଚାନ୍ଦ ନାଏକ; ବଣାଇ- ନରହରି ଦଣ୍ଡପାଟ; ସୁନ୍ଦରଗଡ଼- ରାମଚରଣ ପଟେଲ, ଶିବନାରାୟଣ ସିଂହ ମହାପାତ୍ର; କେଉଁଝର- ମାଣିକରାମ ମହାନ୍ତ, ଲକ୍ଷ୍ମୀ ନାରାୟଣ ଭଞ୍ଜଦେଓ; ନୀଳଗିରି- ଶରତ ଚନ୍ଦ୍ର ମହାନ୍ତି, କୀର୍ତ୍ତନ ବିହାରୀ ମହାନ୍ତି, ଆଠଗଡ଼- ପବିତ୍ର ମୋହନ ପ୍ରଧାନ; ହିନ୍ଦୋଳ, ନରସିଂହପୁର, ଖଣ୍ଡପଡ଼ା- ରାଧନାଥ ରଥ; ରଣପୁର- ଅନ୍ତର୍ଯ୍ୟାମୀ ସାହୁ; ଆଠମଲ୍ଲିକ- ଦଶରଥ ପ୍ରଧାନ; ବଉଦ- ମୋହନ ମିଶ୍ର; ରେଢା଼ ଖୋଲ, ସୋନପୁର- ଶଶିଭୂଷଣ ପ୍ରଧାନ ।

ଏମାନଙ୍କ ବ୍ୟତୀତ ରାଜ୍ୟର ପ୍ରଧାନମନ୍ତ୍ରୀ, ଜଣେ ମୁଖ୍ୟପ୍ରଶାସକ, ସ୍ୱତନ୍ତ୍ର କମିଶନର ଓ ଅନ୍ୟ ଜଣେ ସଚିବ ଏକ୍‍ସ- ଅଫିସିଓ ସଦସ୍ୟ ରହିଲେ । ଏହା ଷ୍ଟେଟ ଆସେମ୍ବ୍ଲି ନାମରେ କାର୍ଯ୍ୟ କଲା । ଏହା ଏକ ସ୍ୱତନ୍ତ୍ର ବିଧାନସଭାର ମାନ୍ୟତା ଲାଭକଲା ।

***