ଓଡ଼ିଶା ରାଜନୀତିର ଇତିହାସ/ମିଳିତ ସରକାରର ପତନ ଓ ୧୯୬୧ ସାଧାରଣ ନିର୍ବାଚନ
←୧୯୫୭ର ଝୁଲା ବିଧାନସଭା ଓ ମିଳିତ ସରକାର | ଓଡ଼ିଶା ରାଜନୀତିର ଇତିହାସ (୨୦୧୩) ଲେଖକ/କବି: ମିଳିତ ସରକାରର ପତନ ଓ ୧୯୬୧ ସାଧାରଣ ନିର୍ବାଚନ |
ଯୁବ ନେତୃତ୍ୱରେ ୧୯୬୧ ମସିହା କଂଗ୍ରେସ ମନ୍ତ୍ରିମଣ୍ଡଳ→ |
ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଯୁବଗୋଷ୍ଠୀ କ୍ଷମତାକୁ ଆସିବା ପାଇଁ ବ୍ୟାକୁଳ ହୋଇପଡ଼ିଲେ । ବିଜୁ ପଟ୍ଟନାୟକ, ବୀରେନ ମିତ୍ର ଓ ନୀଳମଣି ରାଉତରାୟ ଡକ୍ଟର ମହତାବଙ୍କର ବିରୋଧୀ ହୋଇଗଲେ । ଏମାନେ କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ଅହରହ ଉଦ୍ୟମ କଲେ । ଏମାନେ ହିଁ ଡକ୍ଟର ମହତାବଙ୍କୁ ବମ୍ବେ ରାଜ୍ୟପାଳରୁ ଆଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଇଥିଲେ । ପୁଣି ଏମାନଙ୍କ ଉଦ୍ୟମରେ ହିଁ କଂଗ୍ରେସ ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲା । ହେଲେ ଏବେ ଏମାନେ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ କାହିଁକି ଉଦ୍ୟମ କଲେ ? ଜଣାଯାଏ, ଡକ୍ଟର ମହତାବଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ନିଜର କିଛି ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରିବାକୁ ବିଜୁବାବୁ ମନେ ମନେ ଠିକ୍ କରିଥିଲେ । ବାସ୍ତବରେ ତାହା ହୋଇ ପାରିଲା ନାହିଁ । କେବଳ ଗୋଟିଏ ଦଳ ମନ୍ତ୍ରିମଣ୍ଡଳ ଗଠନ କଲେ, ଦଳୀୟ ଲୋକଙ୍କର ସ୍ୱାର୍ଥ ହାସଲ ହେବା ସହଜ । କିନ୍ତୁ ମିଳିତ ମନ୍ତ୍ରିମଣ୍ଡଳରେ ତାହା ଏତେ ସହଜ ନୁହେଁ ।
ଡକ୍ଟର ମହତାବ ନୀତି ବିରୁଦ୍ଧରେ ଯାଇ ଦଳୀୟ ଲୋକଙ୍କର ସ୍ୱାର୍ଥ ରଖିବାକୁ ଅନିଚ୍ଛୁକ ହେଲେ । ତେଣୁ ଏହି ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ପୂରା ଦମ୍ରେ ଚେଷ୍ଟା ଅବ୍ୟାହତ ରହିଲା । ଏଥିପାଇଁ ବିଜୁବାବୁ ଓ ବୀରେନ୍ବାବୁ ବ୍ୟକ୍ତିଗତ ଭାବରେ ନିଜ ଦଳର ବିଧାନସଭା ସଭ୍ୟମାନଙ୍କୁ ଭେଟି ପ୍ରଭାବିତ କରିବାରେ ଲାଗିଲେ । ସେମାନଙ୍କର ଉଦ୍ଦେଶ୍ୟ ଥିଲା, କଂଗ୍ରେସ ବିଧାୟକ ଦଳର ସଦସ୍ୟମାନଙ୍କର ବହୁମତ ନେଇ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା । କିନ୍ତୁ ସେଥିରେ ସେମାନେ ସଫଳ ହୋଇ ପାରିଲେ ନାହିଁ । ତା'ପରେ ସଂଗଠନକୁ ଭାଙ୍ଗିବା ପାଇଁ ଚେଷ୍ଟା କଲେ ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ନିର୍ବାଚନରେ ଡକ୍ଟର ମହତାବଙ୍କ ବିରୋଧୀ ତଥାକଥିତ ଯୁବଗୋଷ୍ଠୀ ତରଫରୁ ବିଜୁ ପଟ୍ଟନାୟକଙ୍କୁ ସଭାପତି ପ୍ରାର୍ଥୀ କରାଗଲା । ସଭାପତି ପଦକୁ ନେଇଯିବା ପାଇଁ ଏହି ଗୋଷ୍ଠୀ ପ୍ରବଳ ଉଦ୍ୟମ କଲେ । କିନ୍ତୁ ମାତ୍ର ଚାରିଟି ଭୋଟରେ ବିଜୁ ପଟ୍ଟନାୟକ ହାରିଗଲେ । ବନମାଳୀ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିର୍ବାଚିତ ହେଲେ । ହାରିଯାଇ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଗୋଷ୍ଠୀ ଯେନ ତେନ ପ୍ରକାରେଣ କଂଗ୍ରେସ କମିଟି ସଭାପତି ପଦକୁ ଛଡାଇ ଆଣିବା ପାଇଁ ଚେଷ୍ଟାକଲେ । ସେମାନେ ବନମାଳୀ ବାବୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଗଲେ । ଏ କଥା ବନମାଳୀ ବାବୁ ଜାଣିପାରି ନିଜ ଆଡ଼ୁ ବିଶ୍ୱାସ ପ୍ରସ୍ତାବ ଆଗତ କଲେ । ଦୁଃଖର ବିଷୟ, ବନମାଳୀବାବୁ ୪୬ ଭୋଟରେ ହାରିଗଲେ । ସେହିଦିନ ବିଜୁ ପଟ୍ଟନାୟକ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିର୍ବାଚିତ ହେଲେ ।
ବିଜୁ ପଟ୍ଟନାୟକ କଂଗ୍ରେସ ସଭାପତି ହେବାରୁ ତାଙ୍କ ଅନୁଗାମୀମାନେ କଂଗ୍ରେସ-ଗଣତନ୍ତ୍ର ପରଷିଦ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ପାର୍ଟି ବୈଠକରେ ଏକ ପ୍ରସ୍ତାବ ଗୃହୀତ କରାଇନେଲେ । କଂଗ୍ରେସ ଦଳ ମିିଳିତ ମନ୍ତ୍ରିମଣ୍ଡଳରୁ ଓହରି ଆସିବା ପାଇଁ ସ୍ଥିର ହେଲା । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ନିଶ୍ଚିତ ହୋଇଗଲା । ବିଜୁ ପଟ୍ଟନାୟକ, ବୀରେନ୍ ମିତ୍ର ଓ ନୀଳମଣି ରାଉତରାୟ କଂଗ୍ରେସ ଦଳର ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଓଡ଼ିଶାରେ କଂଗ୍ରେସ ଦଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଶାସନ ଚଳାଇ ପାରିବ ବୋଲି ପ୍ରସ୍ତାବ ଦେଲେ । କେନ୍ଦ୍ର କର୍ତ୍ତୃପକ୍ଷ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କଲେ । ବିଜୁ ପଟ୍ଟନାୟକ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଶାସନ ଚଳାଇ ପାରିଲେ ଖୁବ୍ ଭଲ ହେବ ବୋଲି କଂଗ୍ରେସ ହାଇକମାଣ୍ଡ ମତ ଦେଲେ । କଂଗ୍ରେସ ହାଇକମାଣ୍ଡଙ୍କ ଆଶୀର୍ବାଦ ବିଜୁ ପଟ୍ଟନାୟକଙ୍କ ଉପରେ ଅଜାଡି ହୋଇ ପଡିଲା । ଅନ୍ୟ ଦଳରୁ ୫-୭ ଜଣ ସଭ୍ୟ ଆଣି କଂଗ୍ରେସରେ ମିଶାଇ ମନ୍ତ୍ରିମଣ୍ଡଳ ଗଠନ କରବାପାଇଁ ବିଜୁ ପଟ୍ଟନାୟକଙ୍କ ଗୋଷ୍ଠୀ ଉଦ୍ୟମ କଲେ ।
ମିଳିତ ମନ୍ତ୍ରିମଣ୍ଡଳ ନ ଚାଲିଲେ ରାଷ୍ଟ୍ରପତି ଶାସନ ଜାରି ହେଉ, କିନ୍ତୁ ଅନ୍ୟ ଦଳରୁ ସଭ୍ୟ ଆଣି କଂଗ୍ରେସରେ ମିଶାଇ ଆଉ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ମତ ପୋଷଣ କଲେ । କିନ୍ତୁ ବିଜୁ ପଟ୍ଟନାୟକ ଗୋଷ୍ଠୀର ଏକା ଜିଦ୍ ଯେ, ମିଳିତ ମନ୍ତ୍ରିମଣ୍ଡଳ ଭଙ୍ଗାଯାଇ କଂଗ୍ରେସ ଏକାକୀ ସଂଖ୍ୟାଗରିଷ୍ଠ ଦଳ ଭାବରେ ରାଜ୍ୟ ଶାସନ ନିୟନ୍ତ୍ରଣ କରିବ । ଏହିସବୁ କାରଣରୁ ବିଜୁ ପଟ୍ଟନାୟକଙ୍କ କ୍ୟାମ୍ପ ଓ ଡକ୍ଟର ମହତାବଙ୍କ କ୍ୟାମ୍ପରେ ଘନ ଘନ ଆଲୋଚନା ଚାଲିଥାଏ । ଫଳରେ କଂଗ୍ରେସ ଦଳରେ ପ୍ରକାଶ୍ୟ ଭାବରେ ଫାଟ ସୃଷ୍ଟି ହେଲା ।
ଡକ୍ଟର ମହତାବ ଏପରି ପରିସ୍ଥିତିରେ ଅତିଷ୍ଠ ହୋଇପଡିଲେ । ଆଉ ଅଧିକ କାଳ ମନ୍ତ୍ରିମଣ୍ଡଳକୁ ନ ରଖିବା ପାଇଁ କେନ୍ଦ୍ରର ଅନୁମତି ଲୋଡିଲେ । କଂଗ୍ରେସ କର୍ତ୍ତୃପକ୍ଷ ଏହି ମିଳିତ
ମନ୍ତ୍ରିମଣ୍ଡଳ ଆଉ କିଛିଦିନ ରହିବା ସପକ୍ଷରେ ଥିଲେ । ସେଥିରେ ଡକ୍ଟର ମହତାବ ସନ୍ତୁଷ୍ଟ ହେଲେ ନାହିଁ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଧାରଣ କଲା । ଦିନକୁ ଦିନ ଦଳରେ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଲା । ଏ ସବୁକୁ ହୃଦୟଙ୍ଗମ କରି ଡକ୍ଟର ମହତାବ ୧୯୬୧ ମସିହା ଜାନୁଆରି ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କରଙ୍କୁ ଭେଟି ମିଳିତ ମନ୍ତ୍ରିମଣ୍ଡଳର ଇସ୍ତଫା ପ୍ରଦାନ କଲେ । ରାଜ୍ୟପାଳ ମିଳିତ ମନ୍ତ୍ରିମଣ୍ଡଳର ଇସ୍ତଫା ଗ୍ରହଣ କରିନେଲେ । ବିକଳ୍ପ ମନ୍ତ୍ରିମଣ୍ଡଳ ଗଠନ ପାଇଁ ସେ ଦ୍ୱିତୀୟ ବୃହତ୍ତମ ଦଳ ଗଣତନ୍ତ୍ର ପରିଷଦର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଆମନ୍ତ୍ରଣ କଲେ । ହେଲେ ଗଣତନ୍ତ୍ର ପରିଷଦର ନେତା ଏଥିରେ ଅସାମର୍ଥ ପ୍ରକାଶ କଲେ । ଫଳରେ ରାଜ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଶାସନ ଜାରି ହେଲା ।
ସାଧାରଣ ନିର୍ବାଚନ :
ଏହି ସମୟରେ ବିଜୁ ପଟ୍ଟନାୟକଙ୍କର ଦିଲ୍ଲୀ ମହଲରେ ବେଶ୍ ପ୍ରଭାବ ରହିଥାଏ । ବିଶେଷ କରି ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଅଧିକ ପ୍ରିୟ ହୋଇଥାଆନ୍ତି । ଏଣୁ ସେ ତାଙ୍କର କାମଗୁଡ଼ିକ ସହଜରେ କେନ୍ଦ୍ରର ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ କରାଇ ଆଣୁଥିଲେ । ଓଡ଼ିଶାରେ ରାଷ୍ଟ୍ରପତି ଶାସନ ୧୯୬୨ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯାଏ ବଳବତ୍ତର ରହିବ ନା ୧୯୬୧ ମସିହାରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ହେବ, ରାଜନୈତିକ ମହଲରେ ଏହା ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ଥାଏ । ସବୁ ରାଜନୈତିକ ଦଳ ଭାବୁଥାଆନ୍ତି ଯେ, ୧୯୬୨ ମସିହା ସାଧାରଣ ନିର୍ବାଚନରେ ଓଡ଼ିଶାର ନିର୍ବାଚନ ହେବ । ଏଣୁ ନିର୍ବାଚନ ପାଇଁ କେହି ପ୍ରସ୍ତୁତ ନଥାନ୍ତି । କିନ୍ତୁ ବିଜୁ ପଟ୍ଟନାୟକ ଭିତରେ ଭିତରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ସାରିଥାନ୍ତି । ସେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପ୍ରଭାବିତ କରି ଓଡ଼ିଶା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା କରାଇନେଲେ । ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ୧୯୬୧ ମସିହା ଜୁନ ମାସ ୨ ତାରିଖରୁ ୮ ତାରିଖ ଯାଏ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କଲେ ।
ବିଧାନ-ସୌଧ ଉଦ୍ଘାଟିତ :
ବର୍ତ୍ତମାନ ବିଧାନସଭା ବୈଠକ ବସୁଥିବା ଗୃହକୁ କୁହାଯାଉଛି 'ବିଧାନ ସୌଧ' । ଏହାର ନିର୍ମାଣ କାର୍ଯ୍ୟ ୧୯୬୧ ଜାନୁଆରି ମାସରେ ସଂପୂର୍ଣ୍ଣ ହେଲା । ୪୭,୦୦୦ ବର୍ଗଫୁଟ ପରିମିତ ଜାଗାରେ ଏହା ନିର୍ମାଣ କରାଯାଇଛିି । ୧୯୬୧ ମସିହା ଫେବ୍ରୁଆରି ୧୨ ତାରିଖ ଦିନ ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଆନୁଷ୍ଠାନିକ ଭାବରେ ଏହାକୁ ଉଦ୍ଘାଟନ କଲେ । ଏହି 'ବିଧାନ ସୌଧ'ର ନିର୍ମାଣ ପାଇଁ ସେହି ସମୟରେ ୨୫,୦୦୦,୦୦ ଟଙ୍କା ଖର୍ଚ୍ଚ ହୋଇଥିଲା ।
ତୃତୀୟ ବିଧାନସଭା ନିର୍ବାଚନ :
ଓଡ଼ିଶାର ତୃତୀୟ ବିଧାନସଭା ନିମନ୍ତେ ୧୯୬୧ ମସିହା ଜୁନ ୨ ତାରିଖଠାରୁ ୮ ତାରିଖ ଯାଏ ନିର୍ବାଚନ ଅନୁଷ୍ଠିତ ହେଲା । ପୂର୍ବ ଦୁଇଟି ନିର୍ବାଚନରେ ଯୁଗ୍ମ ନିର୍ବାଚନ ମଣ୍ଡଳୀ ରହିିଥିଲା । ତହିଁରେ ପରିବର୍ତ୍ତନ କରାଯାଇ ସବୁଗୁଡ଼ିକୁ ଜଣିକିଆ ବିଧାନସଭା ଆସନ ଭାବରେ ମାନ୍ୟତା ପ୍ରଦାନ କରାଗଲା । ୧୪୦ଟି ବିଧାନସଭା ଆସନ ମଧ୍ୟରୁ ୨୨ଟି ହରିଜନଙ୍କ ପାଇଁ ଓ ୩୪ଟି ଆଦିବାସୀଙ୍କ ପାଇଁ, ଏହିପରି ୫୬ଟି ଆସନ ସଂରକ୍ଷିତ କରାଗଲା । ଏହି ନିର୍ବାଚନରେ କଂଗ୍ରେସ ଦଳ ୧୪୦ଟି ଯାକ ଆସନରେ, ଗଣତନ୍ତ୍ର ପରିଷଦ ୧୧୭ଟି ଆସନରେ, ପ୍ରଜା ସମାଜବାଦୀ ଦଳ ୪୨ଟି ଆସନରେ, କମ୍ୟୁନିଷ୍ଟ ଦଳ ୩୨ଟି ଆସନରେ, ଜନତା ଦଳ ୯ଟି ଆସନରେ ପ୍ରାର୍ଥୀ ଠିଆ କରାଇଲେ । ୧୬୩ ଜଣ ସ୍ୱାଧୀନ ବା ନିର୍ଦ୍ଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କଲେ ।
କଂଗ୍ରେସଦଳ ୮୨ଟି, ଗଣତନ୍ତ୍ର ପରିଷଦ-୩୭ଟି, ପ୍ରଜା ସମାଜବାଦୀ ଦଳ-୧୦ଟି , ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୪ଟି ଓ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀମାନେ ମାତ୍ର ୭ଟି ଆସନ ଲାଭ କଲେ । ଏହି ନିର୍ବାଚନରେ ନୂତନ ଭାବେ ବାଲଟ ପେପରରେ ମୋହର ମାରିବାର ପଦ୍ଧତି ଅନୁସରଣ କରାଗଲା । ଏହି ନବନିର୍ବାଚିତ ବିଧାନସଭା ସଦସ୍ୟମାନେ ଜୁନ ୨୬ ଓ ୨୮ ତାରିଖରେ ଶପଥ ଗ୍ରହଣ କଲେ । ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଲିଙ୍ଗରାଜ
ପାଣିଗ୍ରାହୀ ବାଚସ୍ପତି ଭାବରେ ଓ ଲୋକନାଥ ମିଶ୍ର ଉପବାଚସ୍ପତି ଭାବରେ ନିର୍ବାଚିତ ହେଲେ । ବିଧାନସଭାର ସଂଖ୍ୟା ଗରିଷ୍ଠଦଳ (କଂଗ୍ରେସ ଦଳ)ର ନେତା ଭାବରେ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବରେ ଓ ତାଙ୍କ ମନ୍ତ୍ରି ମଣ୍ଡଳର ଅନ୍ୟ ସଦସ୍ୟମାନେ ଜୁନ୍ ୨୩ ତାରିଖରେ ଶପଥ ଗ୍ରହଣ କଲେ । ଗଣତନ୍ତ୍ର ପରିଷଦର ବିଧାୟକ ଦଳର ନେତା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ହେଲେ ବିରୋଧୀ ଦଳର ନେତା ।
ଏହି ନିର୍ବାଚନରେ ବିଭିନ୍ନ ଦଳର ସମୁଦାୟ ୧୦ଜଣ ମହିଳା ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ଚାରିଜଣ ନିର୍ବାଚିତ ହୋଇ ଆସିଲେ । ଏମାନେ ହେଲେ- ରତ୍ନମାଳୀ ଜେମା (କଂଗ୍ରେସ) ଏରସମାରୁ; ଶ୍ରୀମତୀ ସରସ୍ୱତୀ ପ୍ରଧାନ (କଂଗ୍ରେସ) ଭଟ୍ଲିରୁ; ରାଜମାତା ରତ୍ନପ୍ରଭା ଦେବୀ (ଗଣତନ୍ତ୍ର ପରିଷଦ) ଢେ଼ଙ୍କାନାଳରୁ ଓ ନବ କୁମାରୀ ଦେବୀ (ଗଣତନ୍ତ୍ର ପରିଷଦ) କାଶୀପୁରରୁ । କଂଗ୍ରେସ ଦଳର ପ୍ରାର୍ଥୀ ବିଜୁ ପଟ୍ଟନାୟକ ଢେ଼ଙ୍କାନାଳ ଓ ଚୌଦ୍ୱାର ଦୁଇଟି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରି ଚୌଦ୍ୱାରରୁ ନିର୍ବାଚିତ ହୋଇ ଆସିଲେ ।
ସେହିପରି କଂଗ୍ରେସ ପ୍ରାର୍ଥୀ ପବିତ୍ର ମୋହନ ପ୍ରଧାନ ତାଳଚେର ଓ ପାଲଲହଡ଼ା ଦୁଇଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରି ଦୁଇଟି ଯାକରେ ବିଜୟ ଲାଭ କରି 'ନିର୍ବାଚନ ବୀର' ଭାବରେ ଆଖ୍ୟାୟିତ ହେଲେ । ତାଙ୍କ ବିଜୟର ବିଶେଷତ୍ୱ ହେଲା ଯେ, ସେ ନିର୍ବାଚନ ରଣାଙ୍ଗନରେ ଦୁଇ ଦୁଇ ଜଣ ପୂର୍ବତନ ଗଡ଼ଜାତ ଶାସକ ରାଜାଙ୍କୁ ପରାଜିତ କରି ବିପୁଳ ଭୋଟରେ ବିଜୟୀ ହୋଇ ଆସିିଥିଲେ । ସେମାନେ ହେଲେ ତାଳଚେର ନିର୍ବାଚନ ମଣ୍ଡଳୀରୁ ଗଣତନ୍ତ୍ର ପରିଷଦ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ତାଳଚେର ରାଜା
ଆହ୍ଲାଦ ଚନ୍ଦ୍ର ଦେବରାଉତରାୟ ଓ ପାଲଲହଡ଼ା ନିର୍ବାଚନ ମଣ୍ଡଳୀରୁ ଗଣତନ୍ତ୍ର ପରିଷଦ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିିବା ଢେଙ୍କାନାଳ ରାଜା ମହୀନ୍ଦ୍ର ବାହାଦୂର ଶଙ୍କର ପ୍ରତାପ ସିଂହ ଦେଓ ।
ପୂର୍ବ ନିର୍ବାଚନରେ ଗଣତନ୍ତ୍ର ପରିଷଦ କୋରାପୁଟ ଓ ସମ୍ବଲପୁର ଜିଲ୍ଲାରେ ଯେଉଁଭଳି ଲୋକପ୍ରିୟତା ହାସଲ କରିିଥିଲେ, ଏହି ନିର୍ବାଚନରେ ତାହା ଦେଖାଗଲା ନାହିଁ । ଗଣତନ୍ତ୍ର ପରିଷଦ କୋରାପୁଟ ଜିଲ୍ଲାରେ ସମୂଳେ ଲୋପ ପାଇବା ସ୍ଥଳେ ସମ୍ବଲପୁର ଜିଲ୍ଲାରେ ୧୨ଟି ଆସନରୁ ମାତ୍ର ତିନି ଗୋଟି ଆସନ ଲାଭ କଲା । ଗତ ନିର୍ବାଚନ (୧୯୫୭)ରେ ଏହି ଦଳ ଏହି ଜିଲ୍ଲାରେ ନ'ଟି ଆସନ ପାଇଥିଲା । ଗଣତନ୍ତ୍ର ପରିଷଦ କେବଳ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ନିଜର ପୂର୍ବସ୍ଥିତି ବଜାୟ ରଖିପାରିଲା ।
ଏହି ତୃତୀୟ ସାଧାରଣ ନିର୍ବାଚନ (ମଧ୍ୟବର୍ତ୍ତୀ କାଳୀନ)ରେ ବିଭିନ୍ନ ନିର୍ବାଚନମଣ୍ଡଳୀ ଓ ବିଭିନ୍ନ ଦଳର ନିର୍ବାଚିତ ସଭ୍ୟମାନେ ହେଲେ:
ତୃତୀୟ ବିଧାନସଭାର ସଦସ୍ୟ (୧୯୬୧):
ବାଙ୍କି | ଗୋକୁଳାନନ୍ଦ ପ୍ରହରାଜ | ପ୍ରଜା ସମାଜବାଦୀ |
କଟକ ନଗର | ବୀରେନ୍ ମିତ୍ର | କଂଗ୍ରେସ |
ଜଗତସିଂହପୁର | ପ୍ରିୟନାଥ ଦେ | କଂଗ୍ରେସ |
ଗୋବିନ୍ଦପୁର | କଣ୍ଡୁରୀ ଚରଣ ମଳିକ | ପ୍ରଜା ସମାଜବାଦୀ |
ବାଲିକୁଦା | ବିପିନ ବିହାରୀ ଦାସ | କଂଗ୍ରେସ |
ଏରସମା | ଶ୍ରୀମତୀ ରତ୍ନମାଳୀ ଜେମା | କଂଗ୍ରେସ |
ପଟ୍ଟାମୁଣ୍ଡାଇ | ପ୍ରହ୍ଲାଦ ମଳିକ | କଂଗ୍ରେସ |
ବଡ଼ଚଣା | ଧନଞ୍ଜୟ ଲେଙ୍କା | କଂଗ୍ରେସ |
ଧର୍ମଶାଳା | ଗଦାଧର ଦତ୍ତ | କଂଗ୍ରେସ |
ସୁକିନ୍ଦା | ବାଇଧର ସିଂହ | କଂଗ୍ରେସ |
ପଶ୍ଚିମ ଯାଜପୁର | ମଦନ ମୋହନ ପଟ୍ଟନାୟକ | କଂଗ୍ରେସ |
ଆଠଗଡ | ଅଚ୍ୟୁତାନନ୍ଦ ଦାସ | ସ୍ୱାଧୀନ |
ବଡ଼ମ୍ବା | ବିଦ୍ୟାଧର ନାୟକ | କଂଗ୍ରେସ |
ଚଉଦ୍ୱାର | ବିଜୟାନନ୍ଦ ପଟ୍ଟନାୟକ | କଂଗ୍ରେସ |
କଟକ ସଦର | ଲକ୍ଷ୍ମଣ ମଳିକ | କଂଗ୍ରେସ |
ମାହାଙ୍ଗା | ସୁରେନ୍ଦ୍ର ନାଥ ପଟ୍ଟନାୟକ | କଂଗ୍ରେସ |
ସାଲେପୁର | ବାଇଧର ବେହେରା | ପି.ଏସ୍.ପି. |
ତିର୍ତ୍ତୋଲ | ପ୍ରତାପ ଚନ୍ଦ୍ର ମହାନ୍ତି | କଂଗ୍ରେସ |
ପାଟକୁରା | ଲୋକନାଥ ମିଶ୍ର | କଂଗ୍ରେସ |
ରାଜନଗର | ପଦ୍ମଚରଣ ନାୟକ | ସ୍ୱାଧୀନ |
ଆଳି | ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ | କଂଗ୍ରେସ |
କେନ୍ଦ୍ରାପଡ଼ା | ଧ୍ରୁବଚରଣ ସାହୁ | ପି.ଏସ୍.ପି |
ବିଞ୍ଝାରପୁର | ଚିତ୍ତରଞ୍ଜନ ନାୟକ | କଂଗ୍ରେସ |
ପୂର୍ବ ଯାଜପୁର | ଶାନ୍ତନୁ କୁମାର ଦାସ | କଂଗ୍ରେସ |
ଦଶପଲ୍ଲା | ସାହେବ ନାୟକ | କଂଗ୍ରେସ |
ବେଗୁନିଆ | ଗଙ୍ଗାଧର ପାଇକରାୟ | କମ୍ୟୁନିଷ୍ଟ |
ଭୁବନେଶ୍ୱର | ସତ୍ୟପ୍ରିୟ ମହାନ୍ତି | କଂଗ୍ରେସ |
ପୁରୀ | ଭଗବାନ ପ୍ରତିହାରୀ | କଂଗ୍ରେସ |
ପିପିଲି | ରାମଚନ୍ଦ୍ର ପଟ୍ଟନାୟକ | କଂଗ୍ରେସ |
ବାଣପୁର | ରଘୁନାଥ ମିଶ୍ର | ଗଣତନ୍ତ୍ର ପରିଷଦ |
ଖଣ୍ଡପଡ଼ା | ହରିହର ମର୍ଦ୍ଦରାଜ ଭ୍ରମରବର ରାୟ | କଂଗ୍ରେସ |
ନୟାଗଡ଼ | ବୃନ୍ଦାବନ ଚନ୍ଦ୍ର ସିଂହ | କଂଗ୍ରେସ |
ରଣପୁର | ରାମଚନ୍ଦ୍ର ରାମ | ଉଦାହରଣ |
ଖୋର୍ଦ୍ଧା | ବନମାଳୀ ପଟ୍ଟନାୟକ | କଂଗ୍ରେସ |
ବାଲିପାଟଣା | ଗୋପୀନାଥ ଭୋଇ | କଂଗ୍ରେସ |
ବ୍ରହ୍ମଗିରି | ଗୋପବନ୍ଧୁ ପାତ୍ର | ସ୍ୱାଧୀନ |
ସତ୍ୟବାଦୀ | ରାଜରାଜ ଦେବ | ଗଣତନ୍ତ୍ର ପରିଷଦ |
କାକଟପୁର | ଉପେନ୍ଦ୍ର ମହାନ୍ତି | କଂଗ୍ରେସ |
ନିମାପଡ଼ା | ଗୋବିନ୍ଦ ଚନ୍ଦ୍ର ସେଠୀ | କଂଗ୍ରେସ |
ବାସୁଦେବପୁର | ନୀଳମଣି ରାଉତରାୟ | କଂଗ୍ରେସ |
ଭଦ୍ରକ | ନିତ୍ୟାନନ୍ଦ ମହାପାତ୍ର | ସ୍ୱାଧୀନ |
ସୋରୋ | କରୁଣାକର ପାଣିଗ୍ରାହୀ | କଂଗ୍ରେସ |
ସିମୂଳିଆ | ଭାଗୀରଥି ଦାସ | କଂଗ୍ରେସ |
ନୀଳଗିରି | ରାଜେନ୍ଦ୍ର ଚନ୍ଦ୍ର ହରିଚନ୍ଦନ ମର୍ଦ୍ଦରାଜ | ଗଣତନ୍ତ୍ର ପରିଷଦ |
ଜଳେଶ୍ୱର | ପ୍ରସନ୍ନ କୁମାର ପାଳ | ପି.ଏସ୍.ପି |
ଧାମନଗର | ମୁରଲୀଧର ଜେନା | କଂଗ୍ରେସ |
ଚାନ୍ଦବାଲି | ବୈରାଗୀ ଜେନା | କଂଗ୍ରେସ |
ବସ୍ତା | ମହେଶ୍ୱର ବାଗ | ପି.ଏସ୍.ପି |
ଭୋଗରାଇ | ପ୍ୟାରୀମୋହନ ଦାସ | ପି.ଏସ୍.ପି |
ବାଲେଶ୍ୱର | ବିଜୟକୃଷ୍ଣ ଦେ | କଂଗ୍ରେସ |
ପାରଳାଖେମୁଣ୍ଡି | ଏନ୍. କୁର୍ମାନାଇକୁଲୁ | କଂଗ୍ରେସ |
ଆର୍.ଉଦୟଗିରି | ରାମ ଭୋୟା | କଂଗ୍ରେସ |
ବ୍ରହ୍ମପୁର | ଶିଶିର କୁମାର ନରେନ୍ଦ୍ର ଦେବ | ସ୍ୱାଧୀନ |
ଡୁରା | ପି.ଭି.ଜଗନ୍ନାଥ ରାଓ | କଂଗ୍ରେସ |
ଛତ୍ରପୁର | ଲକ୍ଷ୍ମଣ ମହାପାତ୍ର | କମ୍ୟୁନିଷ୍ଟ |
ଖଲିକୋଟ | ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ | କଂଗ୍ରେସ |
ପଶ୍ଚିମ କୋଦଳା | ବିଶ୍ୱନାଥ ଦାସ | କଂଗ୍ରେସ |
ପୂର୍ବ କୋଦଳା | ଲିଙ୍ଗରାଜ ପାଣିଗ୍ରାହୀ | କଂଗ୍ରେସ |
ଭଂଜନଗର | ମାଗୁଣି ଚରଣ ପ୍ରଧାନ | କଂଗ୍ରେସ |
ଆସ୍କା | ଜଗନ୍ନାଥ ମିଶ୍ର | ଉଦାହରଣ |
ହିଞ୍ଜିଳିକାଟୁ | ବୃନ୍ଦାବନ ନାୟକ | କଂଗ୍ରେସ |
ସୋରଡ଼ା | ଅର୍ଜୁନ ନାୟକ | କଂଗ୍ରେସ |
ଦିଗପହଣ୍ଡି | ରଘୁନାଥ ମହାପାତ୍ର | କଂଗ୍ରେସ |
ମୋହନ | ବିଶ୍ୱନାଥ ନାୟକ | କଂଗ୍ରେସ |
ଜଗନ୍ନାଥପ୍ରସାଦ | ମାଗୁଣି ଚରଣ ପ୍ରଧାନ | କଂଗ୍ରେସ |
ପାତ୍ରପୁର | ତ୍ରିଲୋଚନ ଜାନି | କଂଗ୍ରେସ |
ରେଢ଼ାଖୋଲ | ଭାନୁଗଙ୍ଗ ତ୍ରିଭୁବନ ଦେବ | ଗଣତନ୍ତ୍ର ପରିଷଦ |
ଝାରସୁଗୁଡ଼ା | ବିନୋଦ ବିହାରୀ ବରିହା | କଂଗ୍ରେସ |
ବରଗଡ | ଗଣନାଥ ପ୍ରଧାନ | ସ୍ୱାଧୀନ |
କତରବଗା | ବିଷ୍ଣୁ ପ୍ରସାଦ ମିଶ୍ର | ଗଣତନ୍ତ୍ର ପରିଷଦ |
ଦେବଗଡ଼ | ଜୟଦେବ ଠାକୁର | ଗଣତନ୍ତ୍ର ପରିଷଦ |
ବ୍ରଜରାଜନଗର | ପ୍ରସନ୍ନ କୁମାର ପଣ୍ଡା | କମ୍ୟୁନିଷ୍ଟ |
ପଦ୍ମପୁର | ବୀରବିକ୍ରମାଦିତ୍ୟ ସିଂହ ବରିହା | କଂଗ୍ରେସ |
ଭଟଲି | ସରସ୍ୱତୀ ପ୍ରଧାନ | କଂଗ୍ରେସ |
ମେଳଛାମୁଣ୍ଡା | ସଚ୍ଚିଦାନନ୍ଦ ପାଢ଼ୀ | କଂଗ୍ରେସ |
ବିଜେପୁର | ମୋହନ ନାଗ | କଂଗ୍ରେସ |
ଅତାବିରା | ଦଳଗଞ୍ଜନ ଛୁରିଆ | କଂଗ୍ରେସ |
ସମ୍ବଲପୁର | ବନମାଳୀ ବାବୁ | କଂଗ୍ରେସ |
ଉମରକୋଟ | ସଦାଶିବ ତ୍ରିପାଠୀ | କଂଗ୍ରେସ |
ଡାବୁଗାଁ | ଜଗନ୍ନାଥ ତ୍ରିପାଠୀ | କଂଗ୍ରେସ |
ନବରଙ୍ଗପୁର | ମିରୁ ହରିଜନ | କଂଗ୍ରେସ |
ଜୟପୁର | ରଘୁନାଥ ପଟ୍ଟନାୟକ | କଂଗ୍ରେସ |
କୋଟପାଡ଼ | ମହାଦେବ ବାକିରିଆ | କଂଗ୍ରେସ |
ପାଡଓ୍ୱା | ଗଣେଶ୍ୱର ମହାପାତ୍ର | କଂଗ୍ରେସ |
କୋରାପୁଟ | ଟି.ସାଙ୍ଗନ୍ନା | କଂଗ୍ରେସ |
ପଟାଙ୍ଗୀ | ମୁସୁରୀ ସାନ୍ତାଙ୍ଗୀ | କଂଗ୍ରେସ |
ରାୟଗଡ଼ା | କାମାୟା ମଡାଙ୍ଗୀ | କଂଗ୍ରେସ |
ଗୁଣପୁର | ନରସିଂହ ପାତ୍ର | କଂଗ୍ରେସ |
ବିଷମକଟକ | ବିଶ୍ୱନାଥ ଚୌଧୁରୀ | ଗଣତନ୍ତ୍ର ପରିଷଦ |
ମାଲକାନାଗିରି | ଗୁରୁ ନାୟକ | ଗଣତନ୍ତ୍ର ପରିଷଦ |
ଖୁଣ୍ଟା | ପ୍ରସନ୍ନ କୁମାର ଦାସ | (ପି.ଏସ୍.ପି) |
ଉଦଳା | ମନମୋହନ ଟୁଡୁ | କଂଗ୍ରେସ |
ବୈସିଙ୍ଗା | ଅର୍ଜୁନ ପାତ୍ର | (ପି.ଏସ୍.ପି) |
କରଞ୍ଜିଆ | ପ୍ରଭାକର ବେହେରା | କଂଗ୍ରେସ |
ଯଶୀପୁର | ମୋଚିରାମ ତିରିଆ | କଂଗ୍ରେସ |
ରାଇରଙ୍ଗପୁର | ଚନ୍ଦ୍ରମୋହନ ସିଂ | କଂଗ୍ରେସ |
ବାରିପଦା | ସନ୍ତୋଷ କୁମାର ସାହୁ | କଂଗ୍ରେସ |
ବାହଲଦା | ସୋନାରାମ ସୋରେନ | କଂଗ୍ରେସ |
ବାଙ୍ଗିରିପୋଷି | ଈଶ୍ୱର ଚନ୍ଦ୍ର ନାୟକ | କଂଗ୍ରେସ |
ମୁରୁଡା | ସାକିଲା ସୋରେନ | (ପି.ଏସ୍.ପି.) |
ଚମ୍ପୂଆ | ଗୁରୁଚରଣ ନାୟକ | ଗଣତନ୍ତ୍ର ପରିଷଦ |
କେନ୍ଦୁଝର | ଜନାର୍ଦ୍ଦନ ଭଞ୍ଜଦେଓ | ଗଣତନ୍ତ୍ର ପରିଷଦ |
ତେଲକୋଇ | ଗୋବିନ୍ଦ ମୁଣ୍ଡା | ଗଣତନ୍ତ୍ର ପରିଷଦ |
ରାମଚନ୍ଦ୍ରପୁର | ମୁରଲୀଧର କୁଅଁର | କଂଗ୍ରେସ |
ଆନନ୍ଦପୁର | ମକର ସେଠି | କଂଗ୍ରେସ |
ପାଟଣା | ରାଜବଲ୍ଲଭ ମିଶ୍ର | ଗଣତନ୍ତ୍ର ପରିଷଦ |
ଢେଙ୍କାନାଳ | ଶ୍ରୀମତୀ ରତ୍ନପ୍ରଭା ଦେବୀ | ଗଣତନ୍ତ୍ର ପରିଷଦ |
କାମାକ୍ଷାନଗର | ବୃନ୍ଦାବନ ତ୍ରିପାଠୀ | ଗଣତନ୍ତ୍ର ପରିଷଦ |
ପାଲଲହଡ଼ା | ପବିତ୍ର ମୋହନ ପ୍ରଧାନ (ଇସ୍ତଫା) | କଂଗ୍ରେସ |
ମଦନ ମୋହନ ପ୍ରଧାନ (ଉପ ନିର୍ବାଚନ) | କଂଗ୍ରେସ | |
ତାଳଚେର | ପବିତ୍ର ମୋହନ ପ୍ରଧାନ | କଂଗ୍ରେସ |
ଛେଣ୍ଡିପଦା | ପଦ ନାୟକ | କଂଗ୍ରେସ |
ଗଁଦିଆ | କାଳିଆ ଦେହୁରୀ | ଗଣତନ୍ତ୍ର ପରିଷଦ |
ଅନୁଗୁଳ | କୁମୁଦ ଚନ୍ଦ୍ର ସିଂହ | କଂଗ୍ରେସ |
ଆଠମଲ୍ଲିକ | କ୍ଷେତ୍ରମୋହନ ପାଣଗ୍ରାହୀ | ଗଣତନ୍ତ୍ର ପରିଷଦ |
ବାଲିଗୁଡ଼ା | ଦୁବରା ପାତ୍ର | ଗଣତନ୍ତ୍ର ପରିଷଦ |
ଜି.ଉଦୟଗିରି | ସାରଙ୍ଗଧର ପ୍ରଧାନ | କଂଗ୍ରେସ |
ଫୁଲବାଣୀ | ହିମାଂଶୁ ଶେଖର ପାଢ଼ୀ | କଂଗ୍ରେସ |
ବଉଦ | ଅନିରୁଦ୍ଧ ଦୀପ | ଗଣତନ୍ତ୍ର ପରିଷଦ |
ମଦନପୁରରାମପୁର | ବୀର କେଶରୀ ଦେଓ | ଗଣତନ୍ତ୍ର ପରିଷଦ |
ଭବାନୀପାଟଣା | ଅଞ୍ଚଳ ମାଝୀ | ଗଣତନ୍ତ୍ର ପରିଷଦ |
ଜୁନାଗଡ଼ | ମହେଶ୍ୱର ନାୟକ | ଗଣତନ୍ତ୍ର ପରିଷଦ |
ଖଡ଼ିଆଳ | ଅନୁପ ସିଂହଦେଓ | କଂଗ୍ରେସ |
କୋକସରା | ଦୟାନିଧି ନାୟକ | ଗଣତନ୍ତ୍ର ପରିଷଦ |
କାଶୀପୁର | ଶ୍ରୀମତୀ ନବ କୁମାରୀ ଦେବୀ | ଗଣତନ୍ତ୍ର ପରିଷଦ |
ଧରମଗଡ଼ | ମୁକୁନ୍ଦ ନାୟକ | ଗଣତନ୍ତ୍ର ପରିଷଦ |
ନୂଆପଡ଼ା | ଘାସିରାମ ମାଝି | ସ୍ୱାଧୀନ |
ସଇଁତଳା | ଅଇଁଠୁ ସାହୁ | ଗଣତନ୍ତ୍ର ପରିଷଦ |
ପାଟଣାଗଡ଼ | ଶୋଭାକର ବରିହା | ସ୍ୱାଧୀନ |
ଲୋଇସିଙ୍ଗା | ରାମ ପ୍ରସାଦ ମିଶ୍ର | ଗଣତନ୍ତ୍ର ପରିଷଦ |
ବଲାଙ୍ଗୀର | ଚନ୍ଦ୍ର ଶେଖର ସିଂହ | ଗଣତନ୍ତ୍ର ପରିଷଦ |
ତୁସରା | ନନ୍ଦ କିଶୋର ମିଶ୍ର | ଗଣତନ୍ତ୍ର ପରିଷଦ |
ସୋନପୁର | ଦୌଲତ ଗଣ୍ତ | ଗଣତନ୍ତ୍ର ପରିଷଦ |
କଣ୍ଟାବାଞ୍ଜି | ରାଜେନ୍ଦ୍ର ନାରାୟଣ ସିଂହଦେଓ | ଗଣତନ୍ତ୍ର ପରିଷଦ |
ବିନ୍କା | ଅନନ୍ତ ରାମ ନନ୍ଦ | ଗଣତନ୍ତ୍ର ପରିଷଦ |
ଟିଟିଲାଗଡ଼ | ଅଚ୍ୟୁତାନନ୍ଦ ମହାନନ୍ଦ | ଗଣତନ୍ତ୍ର ପରିଷଦ |
ସୁନ୍ଦରଗଡ଼ | ହରିହର ପଟେଲ | ଗଣତନ୍ତ୍ର ପରିଷଦ |
ରାଜଗାଙ୍ଗପୁର | ରଙ୍ଗବଲ୍ଲଭ ଅମାତ୍ | କଂଗ୍ରେସ |
ବଣେଇ | ହେମେନ୍ଦ୍ର ପ୍ରସାଦ ମହାପାତ୍ର | ଗଣତନ୍ତ୍ର ପରିଷଦ |
ବିଶ୍ରା | ପ୍ରେମଚାନ୍ଦ ଭଗତ | ଗଣତନ୍ତ୍ର ପରିଷଦ |
ତଲସରା | ଗଙ୍ଗାଧର ପ୍ରଧାନ | ଗଣତନ୍ତ୍ର ପରିଷଦ |
ଗତ ଦୁଇଟି ସାଧାରଣ ନିର୍ବାଚନ ପରେ କଂଗ୍ରେସ ଏଥର ଉତ୍ତମ ଭାବରେ ସଂଖ୍ୟାଗରିଷ୍ଠତା ହାସଲ କରିିଥିବାରୁ ଓଡ଼ିଶା ଓ ଦିଲ୍ଲୀ ମହଲରେ କଂଗ୍ରେସ କର୍ତ୍ତୃପକ୍ଷ ଓ ନେତାମାନଙ୍କ ମହଲରେ ଆନନ୍ଦ ଖେଳିଗଲା । କିନ୍ତୁ ଏହି ଆନନ୍ଦ ଭିତରେ ଆଶଙ୍କା ଦେଖାଗଲା । ଡକ୍ଟର ମହତାବ ଅଲଗା ହୋଇଥିବାରୁ ଯେ କୌଣସି ସମୟରେ ଦଳ ଭିତରେ ଅଧିକ ବିଭେଦ ଦେଖାଦେଇପାରେ ! ତେଣୁ ଓଡ଼ିଶା ମନ୍ତ୍ରିମଣ୍ଡଳ ଗଠନ ପ୍ରତି ଦିଲ୍ଲୀ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଥାଆନ୍ତି । ଦିଲ୍ଲୀ ମହଲର ଇଚ୍ଛାଥାଏ ଯେ- ମହତାବ ଗୋଷ୍ଠୀରୁ କେହି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଆନ୍ତୁ । କିନ୍ତୁ ବିଜୁବାବୁ ଏହା କରାଇ ଦେବାକୁ ନାରାଜ । (ମୁକ୍ତି ପର ସୈନିକ- ପବିତ୍ର ମୋହନ ପ୍ରଧାନ) ।
ଏହି ନିର୍ବାଚନରେ କଂଗ୍ରେସ ଦଳ ୮୨ଟି ଆସନ ଲାଭ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ବିବେଚିତ ହେବା ଗୌରବର ଅଧିକାରୀ ହେଲେ ବିଜୁ ପଟ୍ଟନାୟକ । ତାଙ୍କର କଟକ ବାସଭବନ "ଆନନ୍ଦ ଭବନ" ଠାରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଲ। । ଏହି ବୈଠକରେ ବିଜୁ ପଟ୍ଟନାୟକ ସର୍ବସମ୍ମତିକ୍ରମେ ଦଳର ନେତା ଓ ବୀରେନ୍ ମିତ୍ର ଦଳର ଉପନେତା ଭାବରେ ନିର୍ବାଚିତ ହେଲେ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କର ବିଜୁ ପଟ୍ଟନାୟକଙ୍କୁ ମନ୍ତ୍ରିମଣ୍ଡଳ ଗଠନ କରିବା ପାଇଁ ଆମନ୍ତ୍ରଣ କଲେ ।
ଏଠାରେ ନିର୍ବାଚନବୀର ପବିତ୍ର ମୋହନ ପ୍ରଧାନଙ୍କ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରିବା ଉଚିତ୍ ମନେ କରୁଛି । ପବିତ୍ର ବାବୁ ଓଡ଼ିଶାର ଜଣେ ଖ୍ୟାତନାମା ଗଡ଼ଜାତ ପ୍ରଜା ଆନ୍ଦୋଳନର ନେତା । ୧୯୧୦ ମସିହାରେ ପୂର୍ବତନ ଗଡ଼ଜାତ ରାଜ୍ୟ ତାଳଚେରରେ
ତାଙ୍କର ଜନ୍ମ । ବାଲ୍ୟକାଳରେ ପିତା ମାତାଙ୍କୁ ହରାଇ ବହୁ କଷ୍ଟ ସ୍ୱୀକାର କରି ସେ କଟକ ରେଭେନ୍ସା କଲେଜରୁ ବି.ଏ ପାସ୍ କଲେ । ତା'ପରେ କଟକ ଟ୍ରେନିଂ କଲେଜରୁ ଡି.ଏଡ୍ ପାସ୍କରି ତାଳଚେର ହାଇସ୍କୁଲରେ ଶିକ୍ଷକତା କଲେ । ସ୍କଲାରସିପ୍ ଓ ଷ୍ଟାଇପେଣ୍ଡ୍ ପାଇ ପାଇ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୩୯ ମସିହାରେ ଶିକ୍ଷକତାରୁ ଇସ୍ତଫା ଦେଇ ଗଡ଼ଜାତ ଆନ୍ଦୋଳନରେ ଝାସ ଦେଲେ । ଏଥିପାଇଁ ସେ ତାଳଚେର ଦରବାର ପ୍ରଶାସନ ଦ୍ୱାରା ବହୁବାର ଜେଲଦଣ୍ଡରେ ଦଣ୍ଡିତ ହେଲେ । ସେ ହେଲେ ତାଳଚେର ପ୍ରଜାମଣ୍ଡଳର ସଭାପତି । ରାଜାର କୁଶାସନ ବିରୁଦ୍ଧରେ ଦୃଢ଼ ଭାବରେ ସ୍ୱର ଉତ୍ତୋଳନ କରି ୬୦,୦୦୦ ଲୋକଙ୍କୁ ଧରି ସେ ପଡୋଶୀ ବ୍ରିଟିଶ ଶାସିତ ଅଞ୍ଚଳ ଅନୁଗୁଳ ଇଲାକାକୁ ପଳାଇ ଆସିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବରେ ଯୋଗଦାନ କରି ତାଳଚେର ଜେଲରେ ରହିଲେ । ୧୯୪୨ ମସିହା ଅଗଷ୍ଟ ୧୨ତାରିଖ ଦିନ ଜେଲ ପାଚେରି ଡେଇଁ ପଳାଇ ଆସିଲେ ବାହାରକୁ । ବିରାଟ ଜନ ଆନ୍ଦୋଳନ ଓ ଲୋକ ସଂଗଠନ ଜରିଆରେ ଏକ ସମାନ୍ତରାଳ ସରକାର ଗଠନ କଲେ । ତା'ପରେ ସେ ଓଡ଼ିଶା ତ୍ୟାଗ କରି ଛଦ୍ମବେଶରେ କଲିକତା ଚାଲିଗଲେ । ସେଠାରେ ଜଣେ ବଙ୍ଗାଳୀ ଭଦ୍ରଲୋକଙ୍କ ଘରେ ମାସିକ ଛ'ଟଙ୍କା ଦରମାରେ ପୂଜାରୀ କାମ କଲେ । ଏହି ସମୟରେ ସେ ସୁଭାଷ ଚନ୍ଦ୍ର ବୋଷଙ୍କ ଯୁଗାନ୍ତର ଦଳ ସହିତ ସମ୍ପର୍କ ସ୍ଥାପନ କଲେ । ଯୁଗାନ୍ତର ଦଳର ଆତ୍ମଘାତୀ ଦୂତ ଭାବରେ (as a suicide squad) ମିଲିଟାରୀ ଲାଇନ ଅତିକ୍ରମ କରି ରାତ୍ରିର ଘୋର ଅନ୍ଧକାର ମଧ୍ୟରେ ବ୍ରହ୍ମପୁତ୍ର ନଦୀ ପହଁରି ସୁଭାଷଙ୍କ କ୍ୟାମ୍ପରେ ଖବର ପ୍ରଦାନ କରିବାରେ ଲାଗିଲେ । ଏହି ସମୟରେ ବ୍ରିଟିଶ ସରକାର ଓ ତାଳଚେର ରାଜା ତାଙ୍କୁ ପଳାତକ ଘୋଷଣା କରି ତାଙ୍କ ମୁଣ୍ଡ ଉପରେ ଦଶହଜାର ଟଙ୍କାର ପୁରସ୍କାର ଘୋଷଣା କଲେ । କିନ୍ତୁ ତାଙ୍କୁ କେହି ଧରି ପାରିଲେ ନାହିଁ । ଏହି ସମୟରେ ମଧ୍ୟ ସେ ଜୟ ପ୍ରକାଶ ନାରାୟଣଙ୍କ ସହ ସମ୍ପର୍କ ସ୍ଥାପନ କଲେ । ଦେଶ ସ୍ୱାଧୀନ ହେଲା । ସେ ମୁକ୍ତି ପାଇଲେ । ଛଦ୍ମବେଶ ତ୍ୟାଗ କଲେ । ସ୍ୱାଧୀନତା ପରେ ଗଡ଼ଜାତ ସମୂହର ପୂର୍ଣ୍ଣ ମୁକ୍ତି ଆନ୍ଦୋଳନ ନିମନ୍ତେ ମୁକ୍ତି ବାହିନୀ ଗଠନ କରି ଗଡ଼ଜାତ ମିଶ୍ରଣକୁ ସୁଗମ କଲେ । ଗଡ଼ଜାତ ମିଶଣ୍ର ପରେ ଏଗୁଡିକର ଶାସନ ପରିଚାଳନା ନିମନ୍ତେ ତାଙ୍କୁ ଏକ୍ଜିକ୍ୟୁଟିଭ୍ କାଉନ୍ସିଲର କରାଗଲା । ତିନିଜଣ ସଭ୍ୟଙ୍କୁ ନେଇ ଏହି କାଉନ୍ସିଲ ଗଠନ କରାଯାଇଥିଲା । ପବିତ୍ର ବାବୁ ସେମାନଙ୍କ ଭିତରୁ ଜଣେ । ୧୯୫୨ ଓ ୧୯୫୭ ନିର୍ବାଚନରେ ତାଳଚେର ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ସଭ୍ୟ ଭାବରେ ନିର୍ବାଚିତ ହୋଇ ଆସିଲେ । ୧୯୫୭ରେ ସେ ମନ୍ତ୍ରୀ ହେଲେ । କିନ୍ତୁ ମିଳିତ ମନ୍ତ୍ରିମଣ୍ଡଳରେ ତାଙ୍କୁ ମନ୍ତ୍ରୀ ଭାବରେ ଗ୍ରହଣ କରାଗଲା ନାହିଁ । ୧୯୬୧ (ମଧ୍ୟବର୍ତ୍ତୀ) ସାଧାରଣ ନିର୍ବାଚନରେ ତାଳଚେର ଓ ପାଲ୍ଲହଡ଼ା ଦୁଇଟି ଆସନରୁ ବିଜୟ ଲାଭ କଲେ । ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା, କୃଷି, ଆଦିବାସୀ ଓ ଗ୍ରାମ ମଙ୍ଗଳ ବିଭାଗରେ ମନ୍ତ୍ରୀପଦ ଲାଭ କଲେ । ଏହିପରି ଜଣେ ସଂଗ୍ରାମୀ ଯୋଦ୍ଧା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଗର୍ବ ଓ ଗୌରବର କଥା ।