ଓଡ଼ିଶା ରାଜନୀତିର ଇତିହାସ/ରାଜ୍ୟପାଳ ଆସଫ୍‍ ଅଲ୍ଲି, ହାଇକୋର୍ଟ ପ୍ରତିଷ୍ଠା ଓ ପ୍ରଥମ ସ୍ୱାଧୀନତା ଦିବସ

ଓଡ଼ିଶା ରାଜନୀତିର ଇତିହାସ  (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ରାଜ୍ୟପାଳ ଆସଫ୍‍ ଅଲ୍ଲି, ହାଇକୋର୍ଟ ପ୍ରତିଷ୍ଠା ଓ ପ୍ରଥମ ସ୍ୱାଧୀନତା ଦିବସ


ନବମ ପରିଚ୍ଛେଦ
ରାଜ୍ୟପାଳ ଆସଫ୍‍ ଅଲି, ହାଇକୋର୍ଟ
ପ୍ରତିଷ୍ଠା ଓ ପ୍ରଥମ ସ୍ୱାଧୀନତା ଦିବସ

ନବକୃଷ୍ଣ ଚୌଧୁରୀଙ୍କ ଶାସନ ସମ୍ପର୍କରେ ଆଲୋକପାତ କରିବା ପୂର୍ବରୁ ଓଡ଼ିଶାର ଅନ୍ୟ କେତୋଟି ପ୍ରମୁଖ ଘଟଣା ଉଲ୍ଲେଖ କରିବା ଆବଶ୍ୟକ । ତାହା ମଧ୍ୟରେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ଦ୍ୱିତୀୟ ରାଜ୍ୟପାଳ ମାନ୍ୟବର ଆସଫ୍‍ ଅଲିଙ୍କ ସଂକ୍ଷିପ୍ତ ଜୀବନୀ, ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ଓ ରାଜଧାନୀ କଟକ ସହିତ କେତେକ ଗଡ଼ଜାତର ପ୍ରଥମ ସ୍ୱାଧୀନତା ଦିବସ ପାଳନ ଅନ୍ୟତମ ।

ଜନାବ ଆସଫ୍‍ ଅଲି ଥିଲେ ଜଣେ ବିଜ୍ଞ ବ୍ୟକ୍ତି । ମହାନ୍‍ ସ୍ୱାଧୀନତା ସଂଗ୍ରାମୀ । ବିଶଷ୍ଟ ଆଇନଜ୍ଞ ତ‌ଥା ବାରିଷ୍ଟର । ୧୯୮୮ ମସିହା ମଇମାସ ୧୧ ତାରିଖରେ ସେ ଜନ୍ମ ହୋଇଥିଲେ ଦିଲ୍ଲୀରେ । ସ୍ଥାନୀୟ ସେଣ୍ଟ ଷ୍ଟିଫେନସ କଲେଜରୁ ଶିକ୍ଷା ଶେଷ କରି ଲଣ୍ଡନ ଗଲେ ଆଇନ୍‍ ଅଧ୍ୟୟନ ପାଇଁ । ଇଂଲଣ୍ଡରେ ସେ ପାଞ୍ଚ ବର୍ଷ ଅତିବାହିତ କରି ତୁର୍କୀ ଓ ଇଜିପ୍ଟ ସମେତ ସାରା ଇଉରୋପ ମହାଦେଶକୁ ଭଲ ଭାବରେ ଭ୍ରମଣ କରିିିଥିଲେ । ୧୯୧୨ରେ ସେ ଲଣ୍ଡନ ବାର୍‌ରେ ଯୋଗଦେଇ ୧୯୧୪ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତରେ ପହଞ୍ଚିବା ମାତ୍ରେ ଜାତୀୟ ଆନ୍ଦୋଳନରେ ସାମିଲ ହୋଇ ଜଣେ ଶକ୍ତିଶାଳୀ ବକ୍ତା ଓ ପ୍ରାବନ୍ଧିକ ଭାବରେ ସାରା ଭାରତରେ ଚହଳ ପକାଇଦେଲେ । ଏହା ସହିତ ସେ ଆଇନ୍‍ ବ୍ୟବସାୟରେ ମଧ୍ୟ ନିଜର ପରାକାଷ୍ଠା ପ୍ରଦର୍ଶନ କଲେ । ୧୯୧୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଓ ଶ୍ରୀମତୀ ଆନିବେସାନ୍ତଙ୍କ ହୋମରୁଲ ଲିଗର୍‍ ସଦସ୍ୟ ପଦ ଗ୍ରହଣ କଲେ । ଏହାର ଦୁଇ ବର୍ଷ ପରେ ତାଙ୍କୁ ଭାରତରକ୍ଷା ଆଇନ ବଳରେ ବ୍ରଟିଶ ସରକାର ବନ୍ଦୀ କଲେ । ତେବେ ବିଚାର ପରେ ସେ ଛାଡ଼ ପାଇଲେ ।

ପ୍ରଥମ ବିଶ୍ୱଯୁଦ୍ଧ ଶେଷ ସମୟରେ ଆସଫ୍‍ ଅଲି ମହାତ୍ମାଗାନ୍ଧୀଙ୍କଦ୍ୱାରା ଆହୂତ ଖିଲାଫତ୍‍ ଆନ୍ଦୋଳନରେ ଯୋଗଦେଲେ । ଏହି ଆନ୍ଦୋଳନରେ ସେ ଭୀଷଣ ଭାବରେ ମାତି ଉଠିଲେ ।

୧୯୨୧ ମସିହାରେ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଆହୂତ ହେଲା ଅସହଯୋଗ ଆନ୍ଦୋଳନ । ଏହି ଆନ୍ଦୋଳନରେ ସେ ମହାତ୍ମା ଗାନ୍ଧୀଙ୍କ ଲେଫଟନାଣ୍ଟ ଭାବରେ କାର୍ଯ୍ୟକରି ବ୍ରିଟିଶ୍‍ ସରକାର ହାତରେ ବନ୍ଦୀ ହୋଇ ଅଠରମାସ ଜେଲ୍ ଭୋଗିଲେ । ପ୍ରଥମେ ୧୯୨୩ ମସିହାରେ ସେ ଦିଲ୍ଲୀ ମ୍ୟୁନିସ୍‌ପାଲିଟିକୁ ନିର୍ବାଚିତ ହୋଇ ପରବର୍ତ୍ତୀ ତେଇଶି ବର୍ଷ ଯାଏ ପୁନଃ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କଲେ । ୧୯୨୩ ମସିହାରେ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ପିତା ପଣ୍ଡିତ ମୋତିଲାଲ ନେହେରୁଙ୍କ ପରିଚାଳିତ ସ୍ୱରାଜ (ହୋମ୍‍ରୁଲ) ପାର୍ଟି କାର୍ଯ୍ୟକାରୀ ପରିଷଦର ସଦସ୍ୟ ପଦ ଗ୍ରହଣ କଲେ । ଖୁବ୍‍ କମ୍‍ଦିନ ମଧ୍ୟରେ ସେ ଜଣେ ଆଗ ଧାଡ଼ିର ଜାତୀୟତାବାଦୀ ନେତା ଭାବରେ ପରିଚିତ ହୋଇ ଉଠିଲେ । ୧୯୩୦ ମସିହାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ମନୋନୀତ ହେଲେ । ୧୯୩୪ ମସିହାରେ ସେ ହିନ୍ଦୁ-ମୁସଲମାନ, ଶିଖ୍‍-ଖ୍ରୀଷ୍ଟିଆନ୍‍ ଯୁଗ୍ମ ନିର୍ବାଚିତ ମଣ୍ଡଳୀରୁ ଭାରତର ବ୍ୟବସ୍ଥାପକ ସଭାକୁ ନିର୍ବାଚିତ ହେଲେ । ବାରବର୍ଷ ଯାଏ ସେ ଥିଲେ କେନ୍ଦ୍ର ବ୍ୟବସ୍ଥାପକ ସଭାର ସଦସ୍ୟ । ୧୯୩୭ ମସିହାରେ ସେ ହେଲେ ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆସଫ୍‍ଅଲି ତିନିବର୍ଷ ଜେଲ୍‍ ଜୀବନ ବିତାଇଥିଲେ । ଜେଲ୍‍ରୁ ମୁକ୍ତି ପାଇବାର ଏକ ବର୍ଷ ପରେ ୧୯୪୬ ମସିହାରେ ସେ ପଣ୍ଡିତ ଜବହାରଲାଲ ନେହେରୁଙ୍କ ମଧ୍ୟବର୍ତ୍ତୀକାଳୀନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବହନ ବିଭାଗର କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଯୋଗଦାନ କଲେ । ଏହାପରେ ଦେଶ ସ୍ୱାଧୀନ ହେଲା । ୧୯୪୭ ମସିହାରେ ଗୁରୁଦାୟିତ୍ୱ ବହନ କରି ଯୁକ୍ତରାଷ୍ଟ୍ର ଆମେରିକାକୁ ଭାରତର ପ୍ରତନିଧି ଭାବରେ ସେ ଚାଲିଗଲେ । ସେଠାରେ ସେ ଆମେରିକା ଓ ଭାରତ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କଲେ । ଏହି ସମୟରେ ଜାତିସଂଘର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେଲା, ବିଶେଷକରି ପାଲେଷ୍ଟାଇନ୍‍ ସମସ୍ୟା ସମ୍ପର୍କରେ ଆଲୋଚନା କରିବାପାଇଁ । ଭାରତର ପ୍ରତିନିଧି ଭାବରେ ଆସଫ୍‍ ଅଲି ଏହି ଅଧିବେଶନରେ ଯୋଗଦାନ କରି ସାତଜଣ ଉପାଧ୍ୟକ୍ଷଙ୍କ ମଧ୍ୟରେ ସ୍ଥାନ ପାଇଲେ । ପ୍ର।ୟ ଆଠମାସ ସମୟ ସେ ଆମେରିକାରେ ରହି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଉଚ୍ଚପ୍ରଶଂସିତ ହୋଇ ଭାରତ

ପ୍ରତ୍ୟାବର୍ତ୍ତନ କଲେ । ଏହା ପରେ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତି ପ୍ରଦାନ କରାଗଲା । ୨୧/୦୬/୧୯୪୮ ମସିହାରେ ସେ ଆମ ରାଜ୍ୟର ରାଜ୍ୟପାଳ ଭାବରେ କାର୍ଯ୍ୟଭାର ଗ୍ରହଣ କଲେ । ଏହିପରି ସର୍ବଗୁଣସମ୍ପନ୍ନ ମହାନ୍‍ ରାଷ୍ଟ୍ରବାଦୀ ନେତାଙ୍କୁ ରାଜ୍ୟପାଳ ଭାବରେ ପାଇ ଓଡ଼ିଶାବାସୀ ଗର୍ବ ଅନୁଭବ କଲେ ।

ହାଇକୋର୍ଟ ପ୍ରତଷ୍ଠା :

୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରଠାରୁ ହାଇକୋର୍ଟ ପ୍ରତିଷ୍ଠା ପାଇଁ ଆମ ରାଜ୍ୟବାସୀଙ୍କ ତରଫରୁ ଉଦ୍ୟମ ଜାରି ରହିଥିଲା । ମାତ୍ର ବହୁ କାରଣରୁ ତାହା ଫଳବତୀ ହୋଇ ପାରୁ ନଥିଲା । ଦେଶ ସ୍ୱାଧୀନ ହେଲା । କେନ୍ଦ୍ର ତ‌ଥା ପ୍ରଦେଶମାନଙ୍କରେ ଲୋକପ୍ରତନିଧି ଶାସନ ପ୍ରତିଷ୍ଠା ହେଲା । ତା'ପରେ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା କଥା ବିଚାରକୁ ଆସିଲା । ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ହେବା ସମୟରେ ଗଞ୍ଜାମ ଓ ପୁରୀ ଜିଲ୍ଲା ପାଇଁ ବ୍ରହ୍ମପୁରଠାରେ ଜିଲ୍ଲା ଓ ସେସନ୍‍ସ ଜଜ୍‍ କୋର୍ଟ; କୋରାପୁଟଠାରେ ଅତିରିକ୍ତ ସେସନ୍‍ସ ଜଜ୍‍ କୋର୍ଟ, ବଲାଙ୍ଗୀର-ପାଟଣା (ଷ୍ଟେଟ୍‍ ପାଇଁ) ଜଜ୍‍ କୋର୍ଟ, କଟକ-ଢେ଼ଙ୍କାନାଳ ଜିଲ୍ଲା ଜଜ୍‍ କୋର୍ଟ (ଆଂଶିକ ଷ୍ଟେଟ୍‍ ଅଞ୍ଚଳ ପାଇଁ); କେନ୍ଦୁଝର ଜଜ୍‍କୋର୍ଟ (ଷ୍ଟେଟ୍‍ ପାଇଁ) ଓ ସମ୍ବଲପୁର ଜିଲ୍ଲା ଜଜ୍‍ କୋର୍ଟମାନ କାର୍ଯ୍ୟ କରୁଥିଲେ ।

ତା୨୬/୭/୧୯୪୮ରିଖ ଦିନ ଓଡ଼ିଶାର ରାଜଧାନୀ କଟକଠାରେ ନୂତନ ହାଇକୋର୍ଟ ଉଦ୍‍ଘାଟିତ ହେଲା । ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଜେକିସନ ଦାସ କାନିଆ ଏହାକୁ ଉଦ୍‍ଘାଟନ କଲେ । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିିଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡକ୍ଟର କୈଳାସ ନାଥ କାଟ୍‍ଜୁ (ତତ୍‍କାଳୀନ ପଶ୍ଚିମବଙ୍ଗ ରାଜ୍ୟପାଳ) ଓ ମାନ୍ୟବର ଅଗ୍ରଓ୍ୱାଲ୍‍, ମୁଖ୍ୟ ବିଚାରପତି, ପାଟଣା ହାଇକୋର୍ଟ ଆଦି ଉପସ୍ଥିତ ଥିଲେ । ସର୍ବପ୍ରଥମେ ଜାତୀୟ ସଙ୍ଗୀତ 'ଜନଗଣମନ' ଗାୟନରେ ଉତ୍ସବସ୍ଥଳ ମୁଖରିତ ହୋଇଉଠିଲା । ମହାମାନ୍ୟ ରାଜ୍ୟପାଳ ଜନାବ୍‍ ଏମ୍‍.ଆସଫ୍‍ ଅଲି ମାନ୍ୟବର ମୁଖ୍ୟ ବିଚାରପତି ଓ କନିଷ୍ଠ ବିଚାରପତିମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ । ମାନ୍ୟବର ମିଃ ବୀରକିଶୋର ରାୟ ମୁଖ୍ୟ ବିଚାରପତି ଭାବରେ; ମାନ୍ୟବର ଲିଙ୍ଗରାଜ ପାଣିଗ୍ରାହୀ, ମାନ୍ୟବର ମିଃ ଆର୍‍.ଏଲ୍‍. ନରସିଂହମ୍‍, ଆଇ.ସି.ଏସ୍‍. ଓ ମାନ୍ୟବର ବି.ଜଗନ୍ନାଥ ଦାସ କନିଷ୍ଠ ବିଚାରପତି ଭାବରେ ଶପଥ ଗ୍ରହଣ କଲେ ।

ଓଡ଼ିଶାରେ ହାଇକୋର୍ଟ ଉଦ୍‍ଘାଟନ ଉତ୍ସବ ଉପଲକ୍ଷ୍ୟେ ଭାରତର ଗଭର୍ଣ୍ଣର ଜେନେରାଲ୍‍, ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ, ଫେଡେରାଲ କୋର୍ଟର ବିଚାରପତି ସୟଦ ଫଜଲ୍‍ ଅଲି ଓ ବିଚାରପତି ଏମ୍‍.ପି.ଶାସ୍ତ୍ରୀ, ଏହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ମିଃ ବିଧୁଭୂଷଣ ମଲ୍ଲିକ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ମିଃ ଏମ୍‍.ସି. ଚଗଲା, କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍‍ ଅର୍ଥର ଟ୍ରେଭର ଓ ଆସାମ ହାଇକୋର୍ଟର ମୁଖ୍ୟ ବିଚାରପତି ମିଃ. ରୋନାଲ୍‍ଡ ଫ୍ରାନ୍‍ସିସ୍‍ ଆଦି ବିଚାରପତିମାନେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ପଠାଇଥିଲେ ।

ଭାରତର ଗଭର୍ଣ୍ଣର ଜେନେରାଲ ପଠାଇଥିବା ବାର୍ତ୍ତାଟି ହେଲା: "A High Court of Judicature maintaining the highest tradation of independence, impartiality and learning associated with the judiciary and devoting vigiliant and strict attention to the maintenance of the frontier established by long practice in British Courts between the Executive and Judiciary is an essential part of the State machinery, May the High Court of Orissa fulfill this part efficiently and with dignity and prove a tower of strength to government as well as people."

ପ୍ରଥମ ସ୍ୱାଧୀନତା ଦିବସ ପାଳନ :

ଦେଶରେ ପ୍ରଥମ ସ୍ୱାଧୀନତା ଦିବସ ପାଳନ ହେବା ପୂର୍ବରୁ ଜାତିର ଜନକ ମହାତ୍ମାଗାନ୍ଧୀ ଆତତାୟୀ ଗୁଳିରେ ପ୍ରାଣ ହରାଇଲେ ୧୯୪୮ ମସିହା ଜାନୁଆରି ମାସ ୩୦ ତାରିଖରେ । ଦେଶସାରା ବିଷାଦର ଛାୟା ଖେଳି ଯାଇଥାଏ । ସେହି ବିଷାଦ ଭରା ପରିବେଶରେ ସାରା ଦେଶରେ ପାଳିତ ହେଉଥାଏ ପ୍ରଥମ ସ୍ୱାଧୀନତା ଦିବସ । ଓଡ଼ିଶାର ରାଜଧାନୀ କଟକ ନଗର ସମେତ ଜିଲ୍ଲା ସଦର ମହକୁମାମାନଙ୍କରେ ମଧ୍ୟ ପାଳିତ ହେଲା ପ୍ରଥମ ସ୍ୱାଧୀନତା ଦିବସ ଉତ୍ସବ । ଗାଁ ଗହଳି, ପୁରପଲ୍ଲୀ, ସବୁଠାରେ ଲୋକେ ଏହି ଉତ୍ସବ ପାଳନ କଲେ ମହା ଆନନ୍ଦ ଉଲ୍ଲାସରେ ।

ଓଡ଼ିଶାର ରାଜଧାନୀ କଟକଠାରେ ସରଳ ଓ ନିରାଡମ୍ବର ଭାବରେ ଏହି ଉତ୍ସବ ପାଳିତ ହେଲା । ପ୍ରାତଃ କାଳର ଉଜ୍ୱଳ ସୂର୍ଯ୍ୟ କିରଣରେ ତ୍ରିରଙ୍ଗା ପତାକା ସହରର ପ୍ରତ୍ୟେକ କୋଠାବାଡିରେ ଫର ଫର ହୋଇ ଉଡୁଥିବାର ଦେଖାଗଲା । ପୋଲିସ ପଡ଼ିଆରେ ଅନୁଷ୍ଠିତ ହେଲା ପୋଲିସ ପ୍ୟାରେଡ୍‍ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଜନାବ୍‍ ଏମ୍‍. ଆସଫ୍‍ ଅଲି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ପ୍ୟାରେଡ୍‌ରେ ମିଳିତ ଭାବରେ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ଭାଷଣ ପ୍ରଦାନ କଲେ । ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ସ୍ୱାଧୀନତା ସଂଗ୍ରାମର ପ୍ରାଣକେନ୍ଦ୍ର ସ୍ୱରାଜ ଆଶ୍ରମଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ।

ଅପରାହ୍ନ ଦୁଇଟାରେ ସ୍ୱରାଜ ଆଶ୍ରମଠାରେ 'ସୂତ୍ରଯଜ୍ଞ' ଉତ୍ସବ ଅନୁଷ୍ଠିତ ହେଲା । ଏହି ଉତ୍ସବରେ ଜନସାଧାରଣଙ୍କ ସହ ବହୁ ଯୁବକ ଯୁବତୀ, ବାଳକ ବାଳିକା ଯୋଗଦାନ କଲେ । ଅପରାହ୍ନ ଚାରିଟାରେ ସ୍ୱରାଜ ଆଶ୍ରମଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରିଲା । ଏହି ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ବହୁ ସାଧାରଣ ଲୋକ ଯୋଗଦେଲେ । ଛାତ୍ର-ଛାତ୍ରୀମାନେ ଆଗରେ ରହି ଜାତୀୟସଙ୍ଗୀତ ଗାନକରି ଚାଲିଥାଆନ୍ତି । ଭାରତମାତା ଓ ମହାତ୍ମାଗାନ୍ଧୀଙ୍କ ଜୟଧ୍ୱନିରେ କଟକ ସହରର ଗଗନପବନ ମୁଖରିତ ହୋଇ ଉଠୁଥାଏ । ଶୋଭାଯାତ୍ରା ମୁଖ୍ୟରାସ୍ତା ଦେଇ ଯାଉଥିବା ସମୟରେ ବିଭିନ୍ନ ସ୍ଥାନରେ ଲୋକେ ସେଥିରେ ଯୋଗଦେବାରେ ଲାଗିଥାଆନ୍ତି । ଧୀରେ ଧୀରେ ଶୋଭାଯାତ୍ରାରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ଶୋଭାଯାତ୍ରା ସନ୍ଧ୍ୟା ଛ'ଟାରେ ଯାଇ ଟାଉନ୍‍ହଲ୍‍ ପାଖରେ ପହଞ୍ଚିଲା । ଏଠାରେ ଏକ ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଉଦ୍‍ବୋଧନ ଦେଲେ । ସନ୍ଧ୍ୟାରେ କଟକର ରାଜଭବନଠାରେ (ବର୍ତ୍ତମାନ ଯେଉଁଠାରେ ଶିଶୁଭବନ ରହିଛି) 'ପାନସୁପାରୀ' ମହୋତ୍ସବ ଅନୁଷ୍ଠିତ ହେଲା । ରାଜ୍ୟପାଳ ଏହି ଉତ୍ସବରେ ପୌରୋହିତ୍ୟ କଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି 'ପାନସୁପାରୀ' ଉତ୍ସବରେ ଯୋଗଦାନ କଲେ ।

ରାଜଧାନୀ କଟକ ନଗର ବ୍ୟତୀତ ରାଜ୍ୟର ସମସ୍ତ ଅଞ୍ଚଳରେ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଥିଲା । ପୂର୍ବତନ ଗଡ଼ଜାତ ରାଜ୍ୟ ସଦର ମହକୁମାମାନଙ୍କରେ ମଧ୍ୟ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା । ତନ୍ମଧ୍ୟରୁ କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର ଓ ଡେଙ୍କାନାଳର ଉତ୍ସବର ବିବରଣୀ ଏଠାରେ ଉଲ୍ଲେଖନୀୟ :

କଳାହାଣ୍ଡିର ସଦର ମହକୁମା ଭବାନୀପାଟଣା ସହର ଗାନ୍ଧୀଛକଠାରେ ସକାଳ ୬.୩୦ମିନିଟ୍‍ରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହେଲା । ପ୍ରାର୍ଥନା ପରେ ୭.୩୦ ମିନିଟ୍‍ରେ ଏକ ବିରାଟ ଶୋଭାଯାତ୍ରା ସେଠାରୁ ବାହାରି ଅଭିବାଦନ ପଡ଼ିଆକୁ ଯାଇଥିଲା । ମାନ୍ୟବର କେ.ପି. ନନ୍ଦ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଗୁର୍ଖା ମିଲିଟାରୀ ବାହିନୀଠାରୁ ଅଭିବାଦନ ଗ୍ରହଣ କଲେ । ମାନ୍ୟବର ନନ୍ଦ ତାଙ୍କ ଭାଷଣରେ ସରକାରଙ୍କର ଏକ ବର୍ଷର ସଫଳତା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ସହ ଜନସାଧାରଣଙ୍କୁ କହିିଲେ, "କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗଣତାନ୍ତ୍ରିକ ସରକାରଙ୍କୁ ହଟାଇ ନିଜେ କ୍ଷମତାକୁ ଫେରିବେ ବୋଲି କହିବୁଲୁଛନ୍ତି । ଆପଣମାନେ ସେମାନଙ୍କ ବିବୃତି ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ । ଆପଣମାନେ ନିଜ ଭାଗ୍ୟ ଓ ଭବିଷ୍ୟତ କଥା ନିଜେ ହିଁ ଚିନ୍ତା କରନ୍ତୁ ।"

ଦିନ ତିନିଟାବେଳେ ମାନ୍ୟବର ନନ୍ଦ ଉତ୍‍କେଲାଠାରେ ଗାନ୍ଧୀ-ପାଠଶାଳା ଉଦ୍‍ଘାଟନ କରିଥିଲେ । ଏଠାରେ ତାଙ୍କୁ ଗୋଟିଏ ଥଳି ପୁରସ୍କାର ଦିଆଯାଇଥିଲା । ସନ୍ଧ୍ୟା ପାଞ୍ଚଟାରେ ଭବାନୀପାଟଣା ସହରରେ ଗରିବ ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା ହୋଇଥିଲା । ସାରା ସହରଟି ଖୁବ୍‍ ଆଡମ୍ବରପୂର୍ଣ୍ଣ ଭାବରେ ସଜ୍ଜିତ ହୋଇଥିଲା । ସହରର ଶୋଭା ଥିଲା ଖୁବ୍‍ ମନଲୋଭା ।

ସୁନ୍ଦରଗଡ଼ ସହରରେ ଖୁବ୍‍ ଉତ୍ସାହ ଓ ଉଦ୍ଦୀପନା ସହ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ସହରର ବିଭିନ୍ନ ବର୍ଗର ଲୋକେ ଏହି ଉତ୍ସବରେ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ । ସକାଳ ଘ୮.୩୦ ମିନଟ୍‌ରେ ଓଡ଼ିଶା ବିଧାନସଭାର ମାନ୍ୟବର ବିଚାରପତି ଲାଲମୋହନ ପଟ୍ଟନାୟକ ଶଙ୍କରା ପୋଲିସ୍ ପଡ଼ିଆଠାରେ ତ୍ରିରଙ୍ଗ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲ । ସେ ତାଙ୍କ ସଂକ୍ଷିପ୍ତ ଭାଷଣରେ ପୋଲିସ ବାହିନୀ ସମସ୍ତଙ୍କ ସହଯୋଗରେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାପରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । କଲେକ୍ଟରିଏଟ୍ ସାମନାରେ ଦିବା ଦୁଇଘଟିକା ସମୟରେ 'ସୂତ୍ରଯଜ୍ଞ' ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଏହି ଉତ୍ସବରେ ବହୁ ଜନସମାଗମ ହୋଇଥିଲା । ସନ୍ଧ୍ୟାରେ ମାନ୍ୟବର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଗୋଷ୍ଠୀର ଲୋକମାନେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

କେନ୍ଦୁଝର ସହରରେ ମହା ସମାରୋହରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ମାନ୍ୟବର ମନ୍ତ୍ରୀ ଲାଲ ରଣଜିତ ସିଂହ ବରିହା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ପ୍ରାଙ୍ଗଣରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ମାନ୍ୟବର ମନ୍ତ୍ରୀ ତାଙ୍କ ସଂକ୍ଷିପ୍ତ ଭାଷଣରେ କେନ୍ଦ୍ରସରକାରଙ୍କ ଦେଶରକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରିିଥିଲେ । ସନ୍ଧ୍ୟା ଚାରିଘଣ୍ଟା ସମୟରେ ପ୍ରାୟ ଏକ ହଜାରରୁ ଅଧିକ ସଂଖ୍ୟକ ଗରିବ ଲୋକଙ୍କୁ ଭୋଜନ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ହତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମନ୍ତ୍ରୀ ମହୋଦୟ ପୌରୋହିତ୍ୟ କରି ଏକ ସୁନ୍ଦର, ସଂକ୍ଷିପ୍ତ ତ‌ଥା ଚମତ୍କାର ଭାଷଣ ପ୍ରଦାନ କରିଥିଲେ ।

ଢେଙ୍କାନାଳ ସହରରେ ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଥିଲା । ସକାଳ ସାଢ଼େ ଆଠଟାରେ ପୋଲିସ୍‍ ପଡ଼ିଆରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଲିଙ୍ଗରାଜ ମିଶ୍ର ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିିଥିଲେ । ସହରରେ ସାରାଦିନ ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଲାଗିରହିିଥିଲା ।

ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ:

ଓଡ଼ିଶାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ହରେକୃଷ୍ଣ ମହତାବ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦାନ କରିବାରୁ ତାଙ୍କ ସ୍ଥାନରେ ବିଶିଷ୍ଟ ଗାନ୍ଧିବାଦୀ ଓ ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଏହା ପୂର୍ବ ଅଧ୍ୟାୟରେ ଆଲୋଚିତ ।

ନବକୃଷ୍ଣ ଚୌଧୁରୀ : (ପ୍ରଧାନମନ୍ତ୍ରୀ); ଅର୍ଥ, କୃଷି, ଶିଳ୍ପ, ଜଙ୍ଗଲ, ସ୍ୱାୟତ୍ତ ଶାସନ,
ସମବାୟ, ଅବକାରୀ, ସାହାଯ୍ୟ ଓ ପୁନର୍ବସତି
ନିତ୍ୟାନନ୍ଦ କାନୁନ୍‍ଗୋ : ଘରୋଇ, ଆଇନ, ନଦୀ, ଉନ୍ନୟନ ଓ ଯୋଜନା
ଲିଙ୍ଗରାଜ ମିଶ୍ର : ସ୍ୱାସ୍ଥ୍ୟ ଓ ଶିକ୍ଷାବିଭାଗ
ଲାଲ ରଣଜିତ ସିଂହ ବରିହା : ଆଦିବାସୀ ଓ ଗ୍ରାମ ମଙ୍ଗଳ
ରାଜକୃଷ୍ଣ ବୋଷ : ରାସ୍ତା, କୋଇଲା, ବିଦ୍ୟୁତ, ଡ୍ରେନେଜ୍‍ ବା ଜଳ ନିଷ୍କାସନ
ସଦାଶିବ ତ୍ରିପାଠୀ : ରାଜସ୍ୱ, ଯୋଜନା, ଯୋଗାଣ ଓ ଯାତାୟାତ
ପବିତ୍ର ମୋହନ ପ୍ରଧାନ : ବାଣିଜ୍ୟ, ଶ୍ରମିକ ଓ ଲୋକସମ୍ପର୍କ

ସେହି ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହରେକୃଷ୍ଣ ମହାତାବ, ଶିଳ୍ପ ଓ ଯୋଗାଣ ବିଭାଗ ମନ୍ତ୍ରୀ ଥିଲେ । କେନ୍ଦ୍ର ବ୍ୟବସ୍ଥାପକ ସଭାରେ ବିଶ୍ୱନାଥ ଦାସ, ନନ୍ଦକିଶୋର ଦାସ, ଭୁବନାନନ୍ଦ ଦାସ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଜଗନ୍ନାଥ ଦାସ, ବିଜୟ କୁମାର ପାଣି, ଜଗନ୍ନାଥ ମିଶ୍ର, ମୌଲବୀ ମହମ୍ମଦ ହନିଫ୍‍, ଏନ୍‍. ମାଧବ ରାଓ, ଲାଲ ରାଜକନ୍‍ଓ୍ୱାର, ସାରଙ୍ଗଧର ଦାସ, ଯୁଧିଷ୍ଠିର ମିଶ୍ର ଓ ମହେଶ୍ୱର ନାୟକ ଆଦି ସଦସ୍ୟ ରହିିଥିଲେ ।

ମନ୍ତ୍ରୀମାନଙ୍କ ନିର୍ବାଚନ ମଣ୍ଡଳୀ

ନବକୃଷ୍ଣ ଚୌଧୁରୀ ପୂର୍ବ ଭଦ୍ରକ (ଉପ ନିର୍ବାଚନ)
ନିତ୍ୟାନନ୍ଦ କାନୁନ୍‌ଗୋ ଦକ୍ଷିଣ କଟକ ସଦର
ଲିଙ୍ଗରାଜ ମିଶ୍ର ଉତ୍ତର ପୁରୀ ସଦର
ଲାଲ ରଣଜିତ୍‍ ସିଂହ ବରିହା ପଶ୍ଚିମ ବରଗଡ଼
ରାଜକୃଷ୍ଣ ବୋଷ ପୂର୍ବ କେନ୍ଦ୍ରାପଡ଼ା
ସଦାଶିବ ତ୍ରିପାଠୀ ନବରଙ୍ଗପୁର
ପବିତ୍ର ମୋହନ ପ୍ରଧାନ ଆଠଗଡ଼(ମନୋନୀତ)

* * *