କଥାଲହରୀ/ଅଁଳାକଣ୍ତେଇ କଥା

କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ଅଁଳାକଣ୍ତେଇ କଥା

ଅଁଳାକଣ୍ଢେଇ କଥା !


ଦୋଟି ମୂଲିଆ ମୂଲିଆଣି ଥାନ୍ତି, ମୁଲିଆଟି ରଜାଘରୁ ମୂଲ ଲାଗି ଧାନ ଗଉଣୀଏ ଆଣେ, ତାକୁ ନିତି ଖାଇ ଦିନ କଟାନ୍ତି । ଦିନକର ଅଁଳାକଣ୍ଢେଇ ବିକା ଆସିଥିଲା, ଗାଁ ଭିତରେ ସମସ୍ତେ କିଣିଲେ, ମୂଲିଆଣୀଟି ବି ଦିନକରର ମୂଲଧାନ ଗୌଣିକ ଦେଇ ଗୋଟିଏ କିଣିଲା । ଟଙ୍କା ସୁନା ସାଙ୍ଗରେ ଧାନ ଗୌଣିକ କୋଉଠି ସରି [] ? ଏଠୁକରି ମୂଲିଆଣିଟି ଯୋଉ କଣ୍ଢେଇଟି କିଣିଥିଲା ତା ସବୁଠାରୁ ଅସୁନ୍ଦର ଦିଶୁଥିଲା । କଣ୍ଢେଟିକି ଆଣି ମୁଲିଆଣୀ ତା କୁଡିଆ ଘରେ ଗୋଟିଏ ଠଣାରେ ରଖିଦେଇଥାଏ । ତାର ଗେରସ୍ତ କାମ ସାରି ଘରକୁ ଆସି ଦେଖିଲା ଯେ, ଖାଇବା ପିଇବାକୁ କିଛି ନାହିଁ, ମୂଲ ଧାନରେ ଅଁଳାକଣ୍ଢେଇଟିଏ କିଣା ହୋଇଚି । ଭୋକରେ ପେଟ ଜଳୁଚି, ଭାରିଜାକୁ ନିସ୍ତୁକ ମାଡ଼ ଚଢ଼ାଇଲା, ଉପାସ ଭୋକରେ ଫେର କାମକୁ ଗଲା, କାମରୁ ଆସି ଯାହା ମିଳିଲା ଖାଇ ଗେରସ୍ତ ଭାରିଜା ଦିହେଁ ରାତିରେ ଶୋଇଲେ । ରାତିଇ ପହରେ ହୋଇଚି ଅଁଳାକଣ୍ଢେଇ ଡାକ ପକାଇଲା, ‘ଲୋ କହୁଣୀଖାଇ, ମୁଁ ହଗିଯିବି ଉଠୁ ।’ ମୂଳିଆଣୀ ଉଠୁ ନ ଥାଏ, ଅଁଳାକଣ୍ଢେଇ ଡାକ ଉପରେ ଡାକ ପକାଇବାରୁ, ବିଚାରୀ ଉଠିଲା, କହିଲା ତୁ ପଛକେ ଏ ଘର କଣରେ ହଗ୍ ଆଉ ପାଟି କର ନା, କାଳେ ତା ଗେରସ୍ତ ନିଦ ଭାଙ୍ଗିଯିବ, ଏହି ଭୟରେ ଏପରି କହିଲା । ଅଁଳାକଣ୍ଢେଇ ସେ ଘର କଣରେ ହଗିଲା । ଫେର୍ ଶୋଇଚନ୍ତି, ରାତି ଦିପହର ଦେଲାଣି, ଅଁଳାକଣ୍ଢେଇ ଉଠିଲା, ଫେର୍ ସେହିପରି ଡାକ ପକାଇଲା । ମୁଲିଆଣୀ କହିବା ଅନୁସାରେ ଘର କଣରେ ହଗିଲା । ରାତି ଶେଷ ପହରେ ଯେତେବେଳେ ଅଁଳାକଣ୍ଢେଇ ଉଠି ପୁଣି ସେହପରି ଡାକିଲା, ମୁଲିଆଣୀ ବିଚାରୀ ଭାରି ବିରକ୍ତ ହୋଇ କହିଲା ମୋ କାନିରେ ହଗ । ସତକୁ ସତ କଣ୍ଢେଇମଣି ଆସି ତା କାନିରେ ହଗିଦେଇ ଗଲା । ଏହିପରି ରାତି ପାହିଲା, ସସକାଳୁ ଉଠ ମୁଲିଆଣୀ ଦେଖେ ଯେ ତା କାନିରେ ଘୁଅଫୁଅ କିଛି ନାହିଁ, ସୁନା ଗୁଡ଼ାଏ ! ଘର କଣକୁ ଅନାଇ ଦିଏ ଯେ କଣେ ସୁନା ଜମା ହୋଇଚି । ଆନନ୍ଦର ଆଉ ସୀମା ରହିଲା ନାହଁ । ସ୍ୱାମୀକି ଡାକିଆଣି ସବୁ ଦେଖାଇଲା । ଯାହା ଖରଚ କରିବାର କଲେ, ବାକୀ ମାଠିଅରେ ପୁରାଇ ଭଡିତଲେ ପୋତି ରଖିଲେ । ଏହିପରି ସବୁଦିନେ କରନ୍ତି, ସେ ମୁଲିଆଣିର ସେ ଗାଁରେ ଗୋଟିଏ ସଙ୍ଗାତ ଥିଲା,ସଙ୍ଗ।ତ ଦିନେ ତା ଘରକୁ ଆସିଲା, ଦେଖୁଲା ୟାଙ୍କ ଘରେ ସମ୍ପତ୍ତି ମାଡିଯାଉଚି ପଚାରିଲା,ଏତେ ସମ୍ପତ୍ତି କୁଆଡୁ ହେଲା ? ବୁଝିଲା ଯେ ସେଦିନ ସଙ୍ଗାର ସେ ଅଁଳାକଣ୍ଢେଇ କିଣିଥିଲା ତାକୁ ସମସ୍ତେ ଅସୁନ୍ଦର ବୋଲି କ‌ହୁଥିଲେ, ସେ ସୁନା ହଗୁଚି । ଦି ସଙ୍ଗାତଙ୍କର ଭାରି ମନ ମିଳେ, ଦି ଦିନପାଇଁ ସେ ସଙ୍ଗାତଠାରୁ ଅଁଳାକଣ୍ଢେଇକି ମାଗିନେଲା । କଣ୍ଢେଇକି ନେଇ ଘରକୁ ଯାଉଚି । ବାଟରେ ଗୋଟାଏ ବାଇଗଣ କିଆରି ପଡ଼ିଲା । ଆଛା ସୁନ୍ଦର କଅଁଳିଆ ବାଇଗଣ୍ଟିଏ ଦେଖି ତାକୁ ଛିଣ୍ତାଇ ନେଇ ଖାଇଲା । ଘରେ ପ‌ହଞ୍ଚି ଅଁଳାକଣ୍ଢେଇକି ଉତ୍ତମ ସ୍ଥାନରେ ରଖିଦେଲା । ମନ ଖାଲି ଛଟପଟ ହେଉଥାଏ କେମନ୍ତି ରାତି ହେବ । ରାତି ହେଲା, ଝଟ ରନ୍ଧାବଢ଼ା କରି ଖାଇପିଇ ଶୋଇଲେ । ରାତି ପ‌ହରକଠେଇଁ ଅଁଳାକଣ୍ଢେଇ ବାଇଗଣ ଚୋରଣୀ ବୋଲି ହୁରି ପକାଇଲା । ଏ ସ୍ତ୍ରୀଲୋକଟିର ଗେରସ୍ତ ଉଠିବସି କାବା ହୋଇ କ‌ହିଲା, କାହୁଁ ଗୋଟାଏ କଣ ଆଣିଚି, ବାଇଗଣଚୋରଣୀ ବୋଲି ଡ଼କାପାଡ଼ୁଚି, ଏ ରଜା ଦେଶ, ରଜା ଶୁଣିଲେ ଏହିକ୍ଷଣି ମୋ ହୁରୁମତ ନେବେ, ଏହା କ‌ହି ତା ଭାରିଯାକୁ ଟାଙ୍କେ ଛେଚିଲା । ଅଁଳାକଣ୍ଢେଇ ଛାଡ଼ିବାର ଜନ୍ତୁ ନୁହେଁ, ଡ଼ାକୁଥାଏ ' ଲୋ ବାଇଗଣ ଚୋରଣୀ ମୁଁ ହଗିଯିବ ଉଠୁ । ଏ ସ୍ତ୍ରୀଲୋକଟି ଉଠି ତାକୁ ଘରର ଏକ କଣରେ ହରାଇଲା । ରାତି ଦ୍ୱିତୀୟ, ତୃତୀୟ ପ‌ହର ବି ସେହିପରି ଘରର ଆଉ ଦୁଇକଣରେ ହଗାଇଲା, ଶେଷ ପ‌ହରକୁ ଆପଣା ଲୁଗା କାନିରେ ହଗାଇଲା । ସକାଳୁ ଉଠି ଗେରସ୍ତକୁ ସବୁ ଦେଖାଇଲା । ସୁନାମୁଣ୍ତା ଦେଖି ଗେରସ୍ତର ଆଖି ଝଲକି ପଡ଼ିଲା । ଭାରିଯାକୁ କେତେ ଗେଲ କରି କଥା କ‌ହିଲା; କାଲି ରାତିରେ ମାରିଥିବାରୁ ପିଠି ଆଉଁସି ଦେଲା । ଅଁଳାକଣ୍ଢେଇକି ଦି ଦିନ ରଖି, ଏମାନେ ସେ ମୂଲିଆଣୀକି ଫେରାଇଦେଇ ଆସିଲେ । ସେ ଅଁଳାକଣ୍ଢେଇକି ନେଇ ଘରଦୁଆର କଲା, ପକାକୋଠା କଲା, ଖୁବ ସୁଖରେ ରହିଲା, ମୁଁ ଗଲାକୁ କଥା କ‌ହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।

  1. ସମାନ ।