କଥାଲହରୀ/କଲୁରୀବେଣ୍ଟ କଥା

କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
କଲୁରୀବେଣ୍ଟ କଥା

ଗୋଟିଏ ବ୍ରାହ୍ମଣଟିଏ, ଦୁଆର ଓଲାଉ୨ କଲରା ମଞ୍ଜିଟିଏ ପାଇଲା । ତାକୁ ପନ୍ଦାରମୂଳେ ଗୋଟିଏ ଗାଡ଼ ଖୋଳି ଲଗାଇ ଦେଲା, କହିଲା କାଲିକି ଯେବେ ଉଠିଥିବୁ ତ ଉଠିଥିବୁ ନଇଲେ ମାମୁଁ ଘର କଟୁରୀ ଆଣି ହାଣିବି । ସତକୁ ସତ ତହିଁ ଆରଦିନ ଗୋଟିଏ ଗଜା ହେଲା, ସେ ଦିନ କହିଲା, କାଲିକି ଯେବେ ଚାରି୨ ପତ୍ର ହୋଇଥିବୁ ତ ହୋଇଥିବ, ନଇଲେ ମାମୁଁ ଘର କଟୁରୀରେ ହାଣିବି । ୟା'ର ସେହିପରି ଚାରିଟି ପତ୍ର ହେଲା । ସବୁଦିନେ ଏହିପରି କହି୨ ସେ କଲରାଗଛରେ ଗୋଟିଏ କସି ଧଇଲା । କସିଟି ପାକଳ ହେଲା, ଲାଲ ଟହ ଟହ ହୋଇ ପାଚିଲା । ଗୋଟିଏ କାଉ ଆସି କହିଲା, ହେ କଲୁରି ବେଣ୍ଟ ମୁଁ ତତେ ଖା'ନ୍ତି । କଲୁରିବେଣ୍ଟ କହିଲା ତୁ ଥଣ୍ଟ ଧୋଇ ଆ ଯାଇକି ମତେ ଖାଇବକୁ । କାଉ କୁଁଅ ପାଖକୁ ଗଲା, କହିଲା -

ଦେ କୂଅ ଦେ ପାଣି, ଧୂଅଇ ଥଣ୍ଟ
ଧାଇ ଧାଇଁ ଖାଏଁ କଲୁରିବେଣ୍ଟ ।

କୂଅ କହିଲା ଯା କୁମ୍ଭାରଘରକୁ କଳଶ ଆଣିବୁ କି ପାଣି କାଢ଼ିବୁ । କାଉ କୁମ୍ଭାର ଘରକୁ ଗଲା କହିଲା-

ଦେ କୁମ୍ଭାର କଳଶ ଗୋଟି
କାଢ଼ଇଁ ପାଣି ଧୂଅଇ ଥଣ୍ଟ
ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

କୁମ୍ଭାର କହିଲା, ଯା ବିଲରୁ ମାଟି ଆଣିବୁ କି କଳଶ ଗଢ଼ିଦେବି । କାଉ ବିଲକୁ ଗଲା, କହିଲା

ଦେ ବିଲ ଦେ ମାଟି
ଗଢ଼ୁ କୁମ୍ଭାର କଳଶ ଗୋଟି
କାଢ଼ଇଁ ପାଣି ଧୁଅଇଁ ଥଣ୍ଟ
ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

ବିଲ କହିଲା, ଯା ହରିଣଠଉଁ ଶିଙ୍ଘ ଆଣିବୁ କି ମାଟି ଖୋଳିବୁ ।
କାଉ ହରିଣଠେଇଁକି ଗଲା, କହିଲା -

ଦେ ହରିଣ ଦେ ଶିଙ୍ଘ ଖୋଳଇଁ ମାଟି
ଗଢ଼ୁ କୁମ୍ଭାର କଳଶ ଗୋଟି
କାଢ଼ଇଁ ପାଣି ଧୁଅଇଁ ଥଣ୍ଟ
ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

ହରିଣ କହିଲା ଯା କାଳୀଗାଈଠଉଁ ଦୁଧ ଆଣିବୁକି; ମୁଁ ଖାଇବି, ତତେ ଶିଙ୍ଘ ଦେବି । କାଉ ଗଲା, କହିଲା-

ଦେ କାଳୀଗାଈ ଦେ ଦୁଧ, ଖାଉ ହରିଣ ଦେଉ ଶିଙ୍ଘ
ଖୋଳଇଁ ମାଟି
ଗଢ଼ୁ କୁମ୍ଭାର କଳଶ ଗୋଟି
କାଢ଼ଇଁ ପାଣି ଧୁଅଇଁ ଥଣ୍ଟ
ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

କାଳୀଗାଈ କହିଲା ଯା, ହିଡ଼ରୁ ଘାସ ଆଣ୍ ଯା ମୁଁ ଖାଇବି ଦୁଧ ଦେବି । ଏ ହିଡ଼ ପାଖକୁ ଗଲା, କହିଲା,

ଦେ ହିଡ଼ ଦେ ଘାସ, ଖାଉ କାଳୀଗାଈ ଦେଉ ଦୁଧ
ଖାଉ ହରିଣ ଦେଉ ଶିଙ୍ଘ
ଖୋଳଇଁ ମାଟି
ଗଢ଼ୁ କୁମ୍ଭାର କଳଶ ଗୋଟି
କାଢ଼ଇଁ ପାଣି ଧୁଅଇଁ ଥଣ୍ଟ
ଧାଇଁ ଧାଇଁ ଖାଏ କଲୁରିବେଣ୍ଟ ।

ହିଡ଼ କହିଲା ଯା କମାର ଘରୁ ଦାଆ ଆଣିବୁ କି ଘାସ କାଟିବୁ

କାଉ କମାର ଘରକୁ ଗଲା, କହିଲା -

ଦେ କମାର ଦେ ଦା, କାଟଇଁ ଘାସ
ଖାଉ କାଳୀଗାଈ ଦେଉ ଦୁଧ
ପିଉ ହରିଣ ଦେଉ ଶିଙ୍ଘ
ଖୋଳଇଁ ମାଟି
ଗଢ଼ୁ କୁମ୍ଭାର କଳଶ ଗୋଟି
କାଢ଼ଇଁ ପାଣି ଧୁଅଇଁ ଥଣ୍ଟ
ଧାଇଁ ଧାଇଁ ଖାଏ କଲୁରି ବେଣ୍ଟ ।

କମାର କହିଲା ବସ୍ ଦାଆ ଗଢ଼ି ଦେଉଚି । କାଉ ବସିଲା, କମାର ଦାଆଟିଏ ଗଢ଼ି ପଚାରିଲା, କେମନ୍ତ ନେବୁ ? କାଉ କହିଲା ମୋ ପିଠିରେ ଦେ, ଏ କହିଲା, ପିଠି ପୋଡ଼ିଯିବ ଆଉ କୋଉଠି ନବୁ? କାଉ କହିଲା ଥଣ୍ଟରେ ଦେ, ଏ କହିଲା ଥଣ୍ଟ ପୋଡ଼ିଯିବ ଆଉ କୋଉଠି ଦେଖା । କାଉ ବେକ ଦେଖାଇ ଦେଲା, କମାର ତତଲା ଦାଆ ଖଣ୍ଡି କାଉ ବେକରେ ଥୋଇଦେଲା । କାଉର କଲୁରିବେଣ୍ଟ ଖାଇବା ଲୋଭ ଲାଗିଚି, ଦାଆଖଣ୍ଡି ବେକରେ ନେଇକରି ଗଲା, କିଛିଦୂର ଯାଇ ଦାଆ ତାତିରେ ପୋଡ଼ି ହୋଇ ମରିଗଲା । ଗୋଟିଏ ବୁଢ଼ା ଚଷାଟିଏ ଗୋଟିଏ ବୁଢ଼ୀ ଚାଷୁଣୀଟିଏ ଦୋଟି ଯାଉଥିଲେ, ସେ ବାଟରେ, ବୁଢ଼ୀ ପାଇଲା କାଉଟିକି, ବୁଢ଼ା ପାଇଲା ଦାଆଖଣ୍ଡି । ବିଚାରିଲା କାଉଟିକି ତୂଣ କରି ଖାଇବି, ଘରକୁ ଗଲା,କାଉଟିକି କାଟିଲା କୁଟିଲା ତୁଣ କଲା, ଥୋଇ ଦେଇ ଗାଧୋଇ ଗଲା । ବୁଢ଼ୀ କହିଲା ଦେଖେଁ, ଚାଖେଁ କେମନ୍ତିକିୟା ତରକାରୀ ହୋଇଛି ? ଚାଖୁ ଚାଖୁ ସବୁତକ ଖାଇଦେଲା । ବିଲେଇଟା ମାରି ହାଣ୍ଡିରେ ମୁହଁ ଘଷିଦେଇ ସେଇଠି ପକାଇଦେଲା, ହେଁସଟାଏ ଘୋଡ଼ି ହୋଇ ଶୋଇଲା ଜର, କଲାଣି ବୋଲି । ବୁଢ଼ା ଗାଧୋଇ ଆସିଲାବେଳକୁ ବୁଢ଼ୀ କମ୍ପୁଚି ବିଲାଇଟାଏ ମରି ପଡ଼ିଚି ହାଣ୍ଡିରେ କିଛି ତୂଣ ନାହିଁ । ବୁଢ଼ା ସବୁ କଥା ବୁଝି ପାରିଲା, ବୁଢ଼ୀକି ଗୁଡାଏ ଗାଳି ଦେଲା । ବୁଢ଼ୀ ଛାଡ଼ିବାର ଲୋକ ନୁହେଁ, ରାଣ ନିୟମ ପକାଇ ବିଲେଇର ସବୁ ଦୋଷ ବୋଲି ପ୍ରମାଣ କରିଦେଲା । ବୁଢ଼ା ଆଉ କଣ କରିବ ତୁନି ହୋଇ ରହିଲା, ଏଣେ କଲୁରିବେଣ୍ଟ କାଉକୁ ଅନାଇ ୨ ଅଭିମାନରେ ତିନିଫାଳ ହୋଇଗଲା । ମୋ କଥାଟି ସରିଲା; ଫୁଲ ଗଛଟି ଇତ୍ୟାଦି ।