କଥାଲହରୀ/ଚମ୍ପାଚୋରୀ ଦାସୀର କଥା

କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ଚମ୍ପାଚୋରୀ ଦାସୀର କଥା


ଚମ୍ପୀଚୋରୀ ଦାସୀର କଥା
ଗୋଟିଏ ରାଜାଟିଏ, ତାର ଗୋଟିଏ ଚମ୍ପାଦେଈ ନାମରେ ଝିଅ, ଝିଅଟି ବଡ଼ ହେବାରୁ ତା ପାଇଁ ବରଘର ଲାଗିଲା । ବରର ନାମ ଷୋଳଶିଂଘା ମହାରାଜା । ରଜା ଝିଅତ; ସେ କଣ ଜାଣନ୍ତି । ଝିଅ ମନେ ୨ କଲା ସେ ବରର ଷୋଳଟା ଶିଙ୍ଘ । ମନେ ମନେ ବଡ଼ ଭାବନାରେ ଥାଏ, ବିଭାଘର ଦିନ ବର ଆସି ଅଧବାଟରେ ହେଲାଣି, ଚମ୍ପାଦେଈ ମନ ବଡ଼ ଛଟପଟ ହେଲା । ତାର ଗୋଟିଏ ସମ ବୟସ୍କ ଦାସୀ ଥିଲା, ତାର ନାମ ଚମ୍ପୀଗୋରୀ ତାକୁ କ‌ହିଲା ଯା ତୁ ବରକୁ ଦେଖି ଆସିବୁ ତା ଶିଙ୍ଘସବୁ କିପରି ? ଚମ୍ପାଗୋରୀ ବରକୁ ଦେଖି ଆସିଲା, ମିଛରେ ଆସି କ‌ହିଲା ଶିଙ୍ଘ ଗୁଡ଼ାକ କି ଅବର୍ଜିୟା ହେଇଚି, କେଉ ଶିଙ୍ଘରେ କନାଧଡ଼ି ଗୁଡ଼ିଆ

ହୋଇଚି; କେଉଁ ଶିଙ୍ଘରେ ଅଡ଼ୁଆବାଳ ଗୁଡ଼ିଆ ହୋଇଚି କେଉଁ ଶିଙ୍ଘ ନଡ଼ ନଡ଼ ହେଉଛି; ଏହିପରି କ‌ହି ଚମ୍ପାଦେଈ ମନରେ ଆଗଠଉଁ ବେଶି ଭୟ ଜାତ କରାଇଦେଲା । ଚମ୍ପାଦେଈ ଚମ୍ପୀଗୋରୀକୁ କ‌ହିଲା ମୁଁ ତାକୁ ବିଭା ଦେବି ନାହିଁ, ତୁ ତାକୁ ବିଭା ହୋ; ମୁଁ ପଛକେ ତୋର ଦାସୀ ହୋଇ ଯିବି । ଚମ୍ପୀଚୋରୀ ଚମ୍ପାଦେଈ ସଜ‌ଯାକ ଲଗାଇ କନ୍ୟା ସାଜିଲା ଓ ଚମ୍ପାଦେଈ ଚମ୍ପୀଚୋରୀର ସଜ‌ଯାକ ଲଗାଇ ଦାସୀବେଶ ହେଲା, ବିଭାଘର ହେଲା । ଚମ୍ପୀଚୋରୀ ଷୋଳଶିଙ୍ଘା ମହାରାଜାକୁ ବିଭା ହେଲା, ଚମ୍ପାଦେଈ ତା ସଙ୍ଗରେ ଦାସୀହୋଇ ଗଲା । ଚମ୍ପାଦେଈ ଯେତେବେଳେଜାଣିପାରିଲା ଯେ ଚମ୍ପୀଚୋରୀତାକୁ ମିଛକ‌ହି ଅତିସୁନ୍ଦର ଷୋଳଶିଙ୍ଘା ରାଜାକୁ ବିଭାହେଲା ତାର ମନରେ ଅତିଶୟ କଷ୍ଟ ହେଲା । ନିଜେତ ଏ କଥା କରିଚି, ଆଉ କଣ କରିବ । ତୁନି ହୋଇ ରହିଲା । ଷୋଳଶିଙ୍ଘା ରଜାର ଆଉ କେହି ନାହାନ୍ତି; ଚମ୍ପୀଚୋରୀ ରନ୍ଧାବଢ଼ା କରେ ରଜାକୁ ଖାଇବାକୁ ଦିଏ; ନିଜେଖାଏ ଆଉ ଚମ୍ପାଦେଈକି ଖାଇବାକୁ ଦିଏ । ଚମ୍ପାଦେଈ ଦାସୀ ହାତ ରନ୍ଧା ଖାଏ ନାହିଁ, ନଈକୂଳକୁ ନେଇ ଫୋପାଡ଼ି ଦିଏ, କ‌ହେ ଛିଛିକାଉ, ଚମ୍ପୀଚୋରୀ ହାତରେ କି ଚମ୍ପୀଦେଈ ଖାଉ । କେହି ନ‌ଖାଉ, ସେତ ବନ୍ଧ ହୋଇଥାଉ । ଏହିପରି ସବୁଦିନେ କରେ । ସେ ନଈକୂଳେ ଗୋଟିଏ ଧୋବା ଲୁଗା କାଚୁଥାଏ, ସେ ରାଜାଙ୍କ ଧୋବା, ଏହା ସେ ପ୍ରତିଦିନ ଦେଖେ । ଦିନେ ଯାଇ ରଜାଙ୍କୁ କ‌ହିଲା, ମଣିମା! ଗୋଟିଏ କଥା କ‌ହିବାକୁ ଭାରି ଭୟ ମାଡ଼ୁଚି, ରଜା କ‌ହିଲେ କିଛି ଭୟନାହିଁ କ‌ହ । ଧୋକା କ‌ହିଲା ମଣିମାଙ୍କ ଉଆସରୁ କିଏ ଗୋଟିଏ ନିତି ନଈକୂଳକୁ ଯାଏ, ଭାତ ନଈକୂଳେ କୁଢ଼ାଇ ଦିଏ, କ‌ହେ ଛି ଛି କାଉ, ଚମ୍ପୀଚୋରୀ ହାତରେ କି ଚମ୍ପୀଦେଈ ଖାଉ ? କେହି ନ ଖାଉ ସେତ ବନ୍ଧ ହୋଇଥାଉ । ରଜା ନିଜେ ଏକଥା ଦେଖିବାକୁ ଦିନେ ଲୁଚି

ରହିଲେ, ଦେଖିଲେ ଦାସୀ ଭାତଗୁଡ଼ାକ କୁଢ଼ାଇଦେଇ ଏପରିକ‌ହୁଚି । ହଠାତ୍ ବାହାରି ପଡ଼ି ଦାସୀକୁ ଏ କଥାମାନଙ୍କର କାରଣ ପଚାରିଲେ । ଚମ୍ପାଦେଈ ନାହିଁ ନାହିଁ ହେଉଥାଏ, ଶେଷରେ ରଜା ଜିଗର କରିବାରୁ ସବୁ କଥା ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ କ‌ହିଗଲା । ରଜା ଘରକୁ ଗଲେ, ଗୋଟାଏ ଟୋପର ଖୋଳାଇଲେ, ଚମ୍ପୀଚୋରୀକୁ ଡକାଇ ପଚାରିଲେ ଏଥିରେ କେତେ ଧାନ ସମ୍ଭାଇବ । ଏ ଆଉ ଏତେକଥା ଜାଣିଚି ? ନଇଁପଡ଼ି ଖଣୀକୁ ଅନାଇଲା, ରଜା ତାକୁ ଖଣି ଭିତରକୁ ପେଲି ଦେଲେ, ତଳକଣ୍ଟା ଉପରକଣ୍ଟା ପକାଇଦେଲେ, ମାଟି ଛାଟିଦେଲେ । ଚମ୍ପୀଦେଈକି ପାଟରାଣୀ କଲେ, ଘର ଦୁଆର କଲେ, ସୁଖରେ ରହିଲେ, ମୁଁଁ ଗଲାରୁ କଥା ନ କ‌ହିଲେ । ମୋ କ‌ଥାଟି ସରିଲା ଇତ୍ୟାଦି ।