କଥାଲହରୀ/ମଉନାବତୀ କଥା
←ଉଜ୍ଜ୍ୱଳବତୀକନ୍ୟାର କଥା | କଥାଲହରୀ (୧୯୨୩) ଲେଖକ/କବି: ମଉନାବତୀ କଥା |
ସୁନାଫୁଲ କଥା→ |
ଗୋଟିଏ ରଜାଟିଏ, ତାର ଗୋଟିଏ ପୁଅ । ପୁଅକୁ କନ୍ୟାଘର ଲାଗିଲା । ପୁଅ କହିଲା ମୁଁ କନ୍ୟାକୁ ଦଶ ବିଧା ମାରିବି ସେ ଯେବେ ସହିବ ମୁଁ ତେବେ ତାକୁ ବିଭା ହେବି । ଯୋଉଁ ରଜା ଏ କଥା ଶୁଣିଲା, ସେ କହିଲା ମୁଁ କାହିଁକି ବିଭା କରିବି, ମୋର କଣ ଝିଅକୁ ବର ମିଳୁନାହିଁ ? ଏହିପରି ସମସ୍ତେ ନାହିଁ କଲେ । ସେଆଡ଼ ଦେଶର ରଜାଘରକୁ ଭଲଲୋକ ଗଲା । ରଜା ନାହିଁ୨ ହେଉଥାଏ, ଝିଅ କେମନ୍ତି ଶୁଣିପାରି କହିଲା, ହଉ ମୁଁ ବିଭା ହେବି, ବାପା କାହିଁକି ନାହିଁ କରୁଚନ୍ତି । ଝିଅ ଯୋଉଁଠୁ ରାଜି ହେଲା ରଜା କହିଲେ ହଉ ବିଭାଘର କର, ଝିଅ ତ ମଙ୍ଗୁଳି ଆମର କଣଅଛି ? ବିଭାଘର ସରିଲା, ବରକନ୍ୟା ଘରକୁ ଆସିଲେ, ଚତୁର୍ଥୀଦିନ ରାତିରେ ରଜାପୁଅ ସେ ରଜାଝିଅକୁ କହିଲା, ମୁଁ ପରା ତମକୁ ଦଶବିଧା ମାରିବି ଆସ । ରଜାଝିଅ କହିଲା ହଁ ମାରିବ ଯେ, ମୁଁ ଯୋଉ କଥାଟି କହୁଚି ତା ଯେବେ କରିପାରିବ ତେବେ ମାରିବ । ଏ ପଚାରିଲା କଥାଟି କଣ ? ରକାଝିଅ କହିଲା, ସେ ଦେସର ରଜାଝିଅ ମଉନାବତୀ ଅଛି, ତାକୁ ଯେ କଥା କୁହାଇବ ସେ ତାକୁ ବିଭା ହେବ, ତମେ ଯେବେ ତାକୁ କଥା କୁହାଇ ପାରିବ,ତେବେ ମତେ ଦଶବିଧାମାରିବ । କିଛିଦିନ ଗଲା, ରଜାପୁଅ ମଊନାବତୀ ଦେଶକୁ ବାହାରିଲା, କେତେ ଦିନପରେ ମଊନାବତୀ ନଗରରେ ପହଞ୍ଚିଲା । ସେଠାରେ ଦୁଇ ଏକ ଦିନ ରହି ମଊନାବତୀପୁରକୁ ଗଲା, କହିଲା ଧାଈ, ତମ ଝିଅ କଣ ଆମକୁ କଥା କହିବେ ନାହିଁ ? ଧାଈ କହିଲା, ଏପରିତ କେତେ୨ ରଜା ଆସି ବନ୍ଦୀଘରେ ପଡିଚନ୍ତି, ବିଭା ହୋଇ ପାରି ନାହାନ୍ତି, ସେମାନେ ତ ପଦେ କଥା କେହି ନେଇପାରିଲେ ନାହିଁ, ଆଉ ତମେ ଗୁଡ଼ାଏ ନେବ; ହଉ ଦେଖ । ରାତି ପାହିଗଲା, ଏ ରଜାପୁଅ ଆଉ କଥା ନେଇପାରିଲା ନାହିଁ, ତାକୁ ନେଇ ବନ୍ଦୀଘରେ ରଖିଲେ । ଏଣେ ଏ ରଜାଝିଅ (ତାର ଭାରିଜା) କଣ କଲା- କିଛି ଦିନ ଚାହିଁଲା[୧], ଯୋଉଠୁ ରଜାପୁଅ ନ ଆସିଲା, ଗୋଟାଏ ମରଦ ଅବେଶ ଧରିଲା, ଘୋଡ଼ାରେ ଚଢି ମଊନାବତୀ ଦେଶକୁ ବାହାରିଲା । ଯାଉଚି, ବାଟରେ ଅସୁର ଚାରିଟା ପଶା ଖେଳୁଚନ୍ତି ଯେ କେହି ଜିତି ପାରୁନାହାନ୍ତି କି ହାରୁନାହାନ୍ତି । ୟାକୁ ଦେଖି ସେମାନେ କହିଲେ, ହେ ! ଆମକୁ ଟିକିଏ ଜିତାଇ ଦିଅ, ଆମେ ତମକୁ ଖାଇବୁ ନାହିଁ । ଏ ସେଠାରେ ବସିଲା, ବାଜିଏ ୟାଙ୍କୁ ଜିତାଇଦେଲା,ବାଜିଏ ତାଙ୍କୁ ଜିତାଇଦେଲା, ଏହିପରି ସମସ୍ତକୁ ଖୁସି କରିଦେଲା, ସେଉଠୁ ବାହାରିଲା କହିଲା ମୋର ଗୋଟାଏ କାଲ ଅଛି, ମୁଁ ଯାଉଚି । ଏମାନେ କହିଲେ, ଆମକୁ ସାଙ୍ଗରେ ନିଅ, ଆମେ ତମର ବହୁତ ଉପକାର କରିବୁଁ, କହିଲେ, ରଜାଝିଅ ସାଙ୍ଗେ୨ ଗଲେ । ପାଞ୍ଚ ଜଣଯାକ ମଉନାବତୀ ନଗରରେ ପହଞ୍ଚିଲେ । ରାଜା ଶୁଣିଲେ, ଏମାନଙ୍କୁ ସବୁ ସିଦ୍ଧା ସରଞ୍ଜାମ ଦେଲେ । ଅସୁର ଚାରିଜଣଙ୍କୁ ଯେତେ ଆଣି ଦେଉଥାନ୍ତି, ସେ କେଭେ ମନା କରୁ ନ ଥାନ୍ତି, ଯେତେକ ମାହାଲରେ ପରିବାପାତି ଥିଲା ସବୁ ଆଣିଦେଲେ, ତାକୁ ସୁଦ୍ଧା କଞ୍ଚାରେ ଖାଇଦେଲେ, ଦଶଭରଣ ଚାଉଳର ଭାତ ଖାଇଲେ, ନଈକପାଣି ପିଇ ଗଲେ । ଏହିପରି ଆନି, ଯାଉଁ ସନ୍ଧ୍ୟାବେଲେ ହେଲା, ରାଜାଝିଅ ସେମାନଙ୍କୁ କହିଲା, ତମେ ଜଣେ ମଉନାବତୀର ଖଟ ଖୁରାରେ ରହିବ, ଜଣେ ଦୀପରୁଖରେ ଜନେ ଚାଳରେ, ଜନେ ତା ବେକର ହାରରେ ରହିବ, ମୁଁ ଯେତେବେଲେ ଯାହାକୁ ଯାହା ପଚାରିବି ସେ ତାର ଗୋଟିଏ ଅସମ୍ଭବ ଉତ୍ତର ଦେବ । ରାତି ହେଲାରୁ ରାଜାଝିଅ ମଉନାବତୀ ପୁରକୁ ଗଲା, ଧାଈକି ପଚାରିଲା ତମ ଝିଅ କଥା କହିବେ ନାହିଁ ? ଧାଇ ସମସ୍ତଙ୍କୁ ଯେପରି କହେ, ସେହିପରି କହିଲା । ଏ କହିଲା ହଉ ନ କହନ୍ତୁ, ମୁଁ ଗୋଟିଏ କଥା କହୁଚି, ଶୁଣଣ୍ତୁ । ଅସୁରମାନେ ଅଦୃଶ୍ୟ ହୋଇ ରଜାଝିଅ ଯେମନ୍ତି କହିଥିଲା ସେହିପରି ସେ ଘରଭିତରେ ଥାନ୍ତି । ରାତି ପ୍ରଥମପ୍ରହର ରାଜାଝିଅ ଗୋଟିଏ କଥା କହିଲା-
ଗୋଟିଏ ବେଶ୍ୟାଟିଏ ଯେ ସେ ଗୋଟିଏ ଶୁଆ ପୋଷିଥିଲା । ଦିନକର ଶୁଆମେଳ [୨] ହେଲା । ଏ ଶୁଆ ବେଶ୍ୟାକୁ କହିଲା ଆମର ମେଳ ହେଉଚି, ମା ! ମୁଁ ଟିକିଏ ସେଠାକୁ ଯାନ୍ତି ? ଏ କହିଲା ହଉ ଯା, ଶୁଆ ଗଲା ମେଳରେ ମିଶିଲା । ମେଳ ଭାଙ୍ଗିବାରୁ ସବୁ ଶୁଆ ଯାକ ଗଲେ ବାହାରି । ଏ ଶୁଆ ମନେ ବିଚାରିଲା, ଖାଲି ହାତରେ କଣ ଯିନି, ବେଶ୍ୟାପାଇଁ କିଛି ନ ନେଇଗଲେ ସେ କଣ କହିବି ? ଆଉ ଶୁଆମାନେ କହିଲେ, ତାକୁ କଣ ଅପୂରୁବ ଯେ କଣ ନେବୁ? ନେଲେ ଏହି ବୁଢ଼ୀବୟସର [୩]ଫଳରୁ ଗୋଟିଏ ନେ । ଏ ସେହି ଫଳରୁ ଗୋଟିଏ ଆଣି ବେଶ୍ୟାପାଖରେ ପକାଇଦେଲା । ବେଶ୍ୟା ସେ ଫଳକୁ ବାରିଆଡ଼କୁ ଫିଙ୍ଗି ଦେଇଥିଲା ଯେ ତହିଁରୁ ଗୋଟିଏ ଗଛ ଉଠି ଏଡ଼େବଡ଼ ଗଛ ହୋଇ ରାଇଜର [୪] ଫଳ ଫଳି ପାଚିଥାଏ ଗୋଟିଏ ଖୁବ୍ ସୁପାକଲାଟିଏ, ତାକୁ ସାପ ସୁଙ୍ଘିଦେଇ ଯାଇଥାଏ । ବେଶ୍ୟା ସେହିଟିକି ଆଣିଲା, ଦିଫାଳ କରିଦେଇ ଫାଳେ କାଉ ଆଡ଼କୁ ପକାଇଦେଲା, କହିଲା ଦେଖେଁ କି ଫଳ ଆଣିଚି । କାଉ କହିଲା ହଁ ମତେ ମାରିବାକୁ ବିଚାର କରିଥିଲା । ଏହା କହି କାଠେ ପକାଇଲା ଯେ ଶୁଆଟି ମରିଗଲା। ତହିଁର କେତେଦିନେ ଧୋବଣୀଟିଏ ଯେ ତାର ସ୍ୱାମୀ ତାକୁ ମାରିଥାଏ, ସେ ବେଶ୍ୟାବାରିର ସେହି ଫଳରୁ ଗୋଟାଏ ଖାଇ ମରିବାକୁ ବିଚାର କରିଥାଏ । ବେଶ୍ୟାଘରକୁ ଲୁଗା ଘେନିକରି ଆସିଲାବେଳେ ସେ ଫଳରୁ ଗୋଟାଏ ଖାଇଦେଲା, ଖାଇଦେଲାକ୍ଷଣି ତାର ଯୁବାବୟସ ହୋଇଗଲା । ବେଶ୍ୟାକୁ ଡ଼ାକିଲା, ଲୁଗା ନିଅ, ବେଶ୍ୟା ଆଉ ଚିହ୍ନିପାରିଲା ନାହିଁ, କହିଲା ତୋ ଶାଶୁକୁ ନ ପଠାଇ ତୁ ଅଇଲୁ କାହିଁକି? ଏ କହିଲା ନାହିଁ ସାନ୍ତାଣି । ମୋ ବୋହୂ ଆସିନାହିଁ ମୁଁ ଆସିଚି, ମୁଁ ତମର ବାରିର ବିଷଫଳ ଖାଇଥିଲି ମରିଚି ବୋଲି, ଏମନ୍ତି ହୋଇଗଲି । ବେଶ୍ୟା କହିଲା ଆହା । ମୁଁ କଣ କଲି, ଶୁଆଟିକୁ ମୋର ମିଛରେ ମାରି ପକାଇଲି । ସେତ ମୋ ପାଇଁ ବୁଢ଼ୀବୟସର ଫଳ ଆଣିଥିଲା । ଏହିପରି କେତେ ସନ୍ତାପି ହେଲା, ଆଉ କଣ କରିବ, ଥିର୍ ହୋଇ ରହିଲା । ଏ କଥାଟି କହିସାରି ରଜାଝିଅ କହିଲା, କହିଲୁ ହେ ଖଟଖୁରା, ଏଥିରେ କାହାର ଦୋଷ ? ଖଟଖୁରା କହିଲା ଏଥିରେ ଶୁଆର ଦୋଷ । ମଉନାବତୀଥିଲା କହିଲା, ମୋ ଖଟଖୁରା ହୋଇ ତୁ ଏମନ୍ତି କଥା କହୁଚୁ ? ଏଥିରେ ବେଶ୍ୟାର ଦୋଷ । ରଜାଝିଅ ସେଉଠୁ କହିଲା, ଶୁଣିଥାଅ ହୋଧାଈ, ତମଝିଅ ପ୍ରଥମପ୍ରହର କଥା କହିଲେ । ଏହିପରି ଦ୍ବିତୀୟପ୍ରହର ରଜାଝିଅ ଆଉ ଗୋଟିଏ କଥା କହିଲା ।
ଗୋଟିଏ ମହାଜନଟିଏ ଯେ ସେ ରଜାପୁଅ ସଙ୍ଗେ ସଙ୍ଗାତ । ସେ ଗୋଟିଏ କୁକ୍କୁର ପୋଷିଥିଲା । ରଜାଙ୍କ ନଅରରେ ଭାରୀ ଚୋର ଗୋଲମାଲ ଲାଗିଲା । ରଜାପୁଅ କହିଲା ସଙ୍ଗାତ । ତମ କୁକ୍କୁରକୁ ଟିକିଏ ଆଠଦିନ ସକାଶେ ଦ୍ୟନ୍ତି କି, ନଅରରେ ଚୋର ଗୋଲମାଲ ଲାଗିଚି, ପହରା ଦିଅନ୍ତା, ଚୋର ଗୋଲମାଲ ଗଲେ ତମ କୁକ୍କୁରକୁ ପଠାଇଦିଅନ୍ତି । ମହାଜନ ରଜାପୁଅ ସାଙ୍ଗେ କୁକ୍କୁରକୁ ପଠାଇଦେଲା, କୁକ୍କୁର ଦି ଚାରିଦିନ ରହି ରଜାଙ୍କ ନଅରରୁ ଚୋରଙ୍କୁ ଘଉଡ଼ାଇ ଦେଲା, ଆଉ ଜମା ପୂରାଇଦେଲା ନାହିଁ । ତୋର ଗୋଲମାଲ ଭାଙ୍ଗିଲାରୁ ରଜାପୁଅ କୁକ୍କୁରବେକରେ ଖଣ୍ଡେ ଚିଠି ଲଟକାଇଦେଲା । ତିନୋଟି ଟଙ୍କା ବାନ୍ଧିଦେଲା, କହିଲା ଯା, ତୋ ସାନ୍ତ ପାଖକୁ, ଏହା କହି ଆଠଦିନ ପୂରିନାହିଁ ପଠାଇଦେଲା । ମହାଜନ ୟାକୁ ଦେଖି ମନେ କଲା ଏ ବାହାରି ଆସିଲା, କହିଲା ନିମକ୍ହରାମ କୁକ୍କୁର ତୁ ପଳାଇଆସିଲୁ,ଏହାକହି ଠେଙ୍ଗାଏ ଦେଲା ଯେ କୁକ୍କୁରଟି ମରିଗଲା । ପରେ ଦେଖେ ଯେ ୟା ବେକରେ ଖଣ୍ତେ ଚିଠି ଲଟକିଚି, ପଢ଼ିଲାବେଳକୁ ରଜାପୁଅ ଲେଖିଚି ଯେ କୁକ୍କୁର କାର୍ଯ୍ୟସାଧନ କରି ଗଲା । ମହାଜନ ବଡ଼ ବିଥେଇହେଲା [୫] ଆଉ କଣ କରିବ, ଆପେତ କରିବି ତୁନି ହୋଇ ରହିଲା । ଏହା କହିସାରି ରଜାଝିଅ ପଚାରିଲା ଚାଳ, କହିଲୁ ଏଥିରେ କାହାର ଦୋଷ ? ଚାଳ କହିଲା କୁକ୍କୁରର ଦୋଷ । ଏହା ଶୁଣି ମଉନାବତୀ କହିଲା ଉଁ କୁକ୍କୁରର କିପରି ଦୋଷ ହେଲା? ମହାଜନର ଦୋଷ ହେଲା ନା । ଏ କହିଲା ଶୁଣିଥାଅ ହୋ ଧାଈ, ତମ ଝିଅ ଆମକୁ ଦ୍ୱିତୀୟ ପହର କଥା କହିଲେ । ତୃତୀୟପହର ରାଜାଝିଅ କହିଲା -
ଗୋଟିଏ ରାଣ୍ତୀବ୍ରାହ୍ମଣୀ ନେଉଳଟିଏ ପୋଷିଥାଏ । ସେ ଦୁଃଖ ଧନ୍ଦାରେ ଗଲାବେଳେ ନେଉଳକୁ ପୁଅକୁ ଜଗାଇ ଦେଇ ଯାଏ । ଦିନେ ସେ କାହାଘରେ ଧାନ କୁଟିବାକୁ ଗଲା, ନେଉଳକୁ କହି ଗଲା ମୋ ପୁଅ ଏଠାରେ ଶୋଇଚି, ୟାକୁ ଜଗିଥିବୁ । ନେଉଳ ଜଗିଥିଲା, ଟିକିଏ ଶୋଇପଡ଼ିଲା । ଏହି ସମୟରେ ସାପ ଆସି ପୁଅକୁ ଦଂଶିଦେଲା । ନେଉଳର ନିଦ ଭାଙ୍ଗିଗଲା, ଅନାଇଁ ଦିଏ ଯେ ସାପ ଚାଲିଯାଉଚି, ପୁଅ ମରି ପଡ଼ିଚି । ନେଉଳ ଧଡ଼ପଡ଼ ହୋଇ ଉଠି ଆଗ ସାପକୁ ମାରି ପକାଇଲା, ନେଇକୁଆଡ଼େ ଫୋପାଡ଼ି ଦେଲା, ବଣକୁ ଯାଇ ଅମର ଗଦ ଓଷଧ ଆଣୁଚି ପୁଅକୁ ଖୁଆଇ ବଞ୍ଚାଇବ ବୋଲି ରାଣ୍ତୀବ୍ରାହ୍ମୁଣୀ ଆସି ପହଞ୍ଚିଲା, ଦେଖିଲା ଯେ ପୁଅ ମରିଚି, ନେଉଳ ରକ୍ତ ସର ସର [୬] ହୋଇଚି, ମନେ କଲା ଏହି ମୋ ପୁଅକୁ ମାରିଚି ବୋଲି, ପାହାରେ ପକାଇଲା ଯେ ନେଉଲଟି ମରିଗଲା, ତା ପାଖରୁ ଖଣ୍ତେ ଚେର ଖସିପଡ଼ିଲା ରାଣ୍ତୀବାହ୍ମଣୀ ସେ ଚେର ଖଣ୍ତି ନେଇ ଘୋରି ପୁଅକୁ ପିଆଇଦେଲା ଯେ ପୁଅ ବଞ୍ଚିଉଠିଲା । ରାଣ୍ତୀବ୍ରାହ୍ମୁଣ କହିଲା ଆହା । ମୁଁ ନେଉଳକୁ କାହିଁକି ମାରିଲି, ସେ ତ ମୋ ପୁଅପାଇଁ ଓଷଧ ଆଣୁଥିଲା । ଏହା କହିଲା, ବଡ଼ ବ୍ୟସ୍ତ ହେଲା, ରହିଲ । ଏହା କହି ରଜାଝିଅ କହିଲା, କହିଲୁ ହେ ଦିପରୁଖା, ଏଥିର କାହାର ଦୋଷ ହେଲା ? ଦୀପରୁଖା କହିଲା ନେଉଳର ଦୋଷ । ଏଥିରେ ମଉଳାବତୀ ରାଗିଯାଇ କହିଲା କଣ, ନେଉଳର ଦୋଷ ହେଲା ? ମୋ ଦୀପରୁଖା ହୋଇ ଏମନ୍ତି କହୁଚୁ । ଏଥିରେ ରାଣ୍ତୀବାହ୍ମୁଣୀ ଦୋଷୀ । ଏ ସେଉଠୁ କହିଲା ଦେଖିଥାଅ ହୋ ଧାଈ, ତମଝିଅ ଆମକୁ ତୃତୀୟପହର କଥା କହିଲା । ଏହି ପରି ଚତୁର୍ଥପହର ରଜାଝିଅ ଆଉ ଗୋଟିଏ କଥା କହିଲା । ସେ କଥାଟି ଏହି -
ଗୋଟିଏ ଦେଶରେ ରଜାପୁଅ, ସୁନାରୀବଣିଆପୁଅ, ବଢ଼େଇପୁଅ, ତନ୍ତିପୁଅ ଏ ଚାରି ସଙ୍ଗାତ । ଏ ଦିନକର ବିଦେଶ କରି ବାହାରିଲେ ଯାଉ ୨ ଗୋଟିଏ ବନସ୍ତରେ ରାତି ହେଲା, ସେଇଠି ରହିଲେ, ପହରକୁ ପହର ଜଣେ ଲେଖାଁ ଜଗି ବସିଲେ, ଆଉ ସମସ୍ତେ ଶୋଇଲେ । ପ୍ରଥମ ପହର ବଢ଼େଇର ପାଳି ପଡ଼ିଲା, ସେ ଜଗିଥାଏ, ଖଣ୍ତିଏ କାଠରେ ଗୋଟିଏ କନ୍ୟାଟିଏ ଗଢ଼ିଲା, ଦ୍ୱିତୀୟ ପହରସୁନାରୀବନିଆର ପାଳି, ସେ ସେ କନ୍ୟାଟିକି ଗୁଡ଼ିଏ ଅଳଙ୍କାର ଖଞ୍ଜାଇଦେଲା । ତୃତୀୟ ପହର ତନ୍ତିପୁଅ ଜଗିଲା, ସେ କନ୍ୟାଟିକି ଲୁଗାପିନ୍ଧାଇଲା । ଚତୁର୍ଥପହର ରଜାପୁଅର ପାଳି ପଡ଼ିଲା, ସେ କନ୍ୟାଟିକୁ ଜୀବଦାନ ଦେଲା। ଏହିପରି ସମସ୍ତେ କଲେ, ରାତି ପାହିଲା, କନ୍ୟା ଟିକୁ ଦେଖି ସମସ୍ତେ ଲୋଭ ବଳାଇଲେ । ଏହା କହି ରଜାଝିଅ କହିଲା, କହିଲୁ ହେ ହାର ସେ କନ୍ୟାକୁ କିଏ ନେବ ? ମଉନାବତୀ ବେକର ହାର କହିଲା, ନେଲେ ନେବ ରଜାପୁଅ, ନଇଲେ ବଢ଼େଇ ପୁଅ । ମଉନାବତୀ କହିଲା, ଉ ! ତୁ ମୋର ହୋଇ ଏଡ଼େ ଅନ୍ୟାୟ କଥା କହୁଚୁ ! ବଢ଼େଇପୁଅ, ରଜାପୁଅ କେମନ୍ତି ନେବେ ? ବଢ଼େଇ ତ ଜନ୍ମଦାତା, ରାଜାପୁଅ ତ ଜୀବନଦାତା, ଏ ଦିହେଁ କିପରି ନେବେ ? ନେଲେ ନେବ ବଣିଆପୁଅ, ନଇଲେ ତନ୍ତୀପୁଅ । ଏ କହିଲା ଶୁଣିଥାଅ ହୋ ଧାଈ ତମ ଝିଅ ଆମକୁ ଚାରି ପହରଯାକ କଥା କହିଲେ । ରାତି ପାହିଲା, ଏ ଚାରି ଅସୁର ତାଙ୍କ ସୂତ୍ରରେ [୭] ଚାଲିଗଲେ । ଏ ରାଜାଝିଅ ରଜାଙ୍କ ପାଖକୁ ଗଲା, କହିଲା, ତମ ଝିଅ ଆମକୁ କଥା କହିଚନ୍ତି । ଧାଈକି ଡକରା ହେଲା, ଧାଈ କହିଲା, ହଁ କଥା କହିଚନ୍ତି । ରାଜା- କହିଲେ, ଆଉ ବିଳମ୍ବ କାହିଁକି, ବିଭାଘର ହେଉ । ରଜାଝିଅ କହିଲା, ହଉ, ବିଭାଘର ହେବ ଯେ ଆଗେ ଆପଣଙ୍କ ବନ୍ଦିଶାଳାରେ ଯେତେକ ବନ୍ଦୀ ହୋଇଚନ୍ତି, ତାଙ୍କୁ ମୁକୁଳାଇ ଦିଅନ୍ତୁ । ରଜା ଆଜ୍ଞା ଦେଲେ ମୁକୁଳାଇବାକୁ, ସମସ୍ତେ ମୁକୁଳି ଗଲେ । ଏ ରଜାଝିଅର ଯେ ବର, ତାକୁ ଏ ସୂତ୍ରରେ ଡାକି କହିଲା, ହେ ! ମୁଁ ମଉନାବତୀକି କଥା କୁହାଇଚି, ରଜା ମତେ ତାକୁ ବାହା କରିଦେବାକୁ ବସିଚନ୍ତି, ମୁଁ ତାକୁ ବିଭା ହେବିନାହିଁ, ତେମେ ତାକୁ ବିଭାହୁଅ, ମୁଁ ତୁମ ସାଙ୍ଗେ ଭଣ୍ଡାରି ହୋଇ ଯିବି । ସେହିପରି ସବୁ ହେଲା, ରଜାପୁଅ ମଉନାବତୀକି ବିଭା ହେଲା, ବହୁତ ଦାନ ଯୌତୁକ ଘେନିଲା, ଘରକୁ ଆସିଲା । ତା ଆଗ ଭାରିଯା ଭଣ୍ଡାରିବେଶ ହୋଇ ତା' ସାଙ୍ଗେ ସାଙ୍ଗେ ଥାଏ । ଦିନେ ବାଟରେ ଏ ହଠାତ୍ ଭଣ୍ଡାରିବେଶ ଛାଡ଼ି ନିଜ ରୂପ ଧରି ରଜାପୁଅ ପାଖରେ ପହଞ୍ଚିଲା, ରଜାପୁଅ ଦେଖି କାବା ହୋଇଗଲା, କହିଲା ତେମେ କିପରି ଏଠାକୁ ଆସିଲ ? ଏ କହିଲା ତମ ବାହାଘର ଦେଖିବାକୁ ଆସିଥିଲି । ରଜାପୁଅ ତ ଏ ସବୁ କିଛି ଜାଣେନା, କହିଲା, ଏବେ ତ ମଉନାବତୀକି ବିଭା ହୋଇ ଆସିଲି, ତମକୁ ଦଶବିଧା ମାରିବାର ମୋର ଫାବିଲା । ଏ କହିଲା ଚଟପଣା ଖାଇ ରହୁନାହଁ ଯେ ଫେର୍ କହୁଚ ? ତେମେ ତ ମୋ ଯୋଗେ ବନ୍ଦିଘରୁ ମୁକୁଳିଲ, ନଇଲେ ସେଇଠି ଥା'ନ୍ତ, ତେମେ କ'ଣ ମଉନାବତୀଠାରୁ କଥା ନେଇଚ ? ରଜାଝିଅ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା, ରଜାପୁଅ ଶୁଣି ବଡ଼ ଖୁସିହେଲା । ଅସୁର ଚାରିହିଙ୍କି ବିଦା କରିଦେଲେ, ରଜାପୁଅ ଦି ବାରିଯାଙ୍କୁ ନେଇ ସୁଖରେ ରହିଲା, ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା, ଇତ୍ୟାଦି ।