କଥାଲହରୀ/ହଳାହଳକୁମର ବା ଶଶିସେନା ଅଭିମନ୍ୟୁ କଥା

କଥାଲହରୀ (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ହଳାହଳକୁମର ବା ଶଶିସେନା ଅଭିମନ୍ୟୁ କଥା

ହଳାହଳକୁମର ବା ଶଶିସେନା
ଅଭିମନ୍ୟୁ କଥା ।

ଗୋଟୀଏ ଦେଶରେ ରାଜାଟିଏ, ତାର ଗୋଟିଏ ଝିଅ । ଝିଅଟି ନାଁ ଶଶିସେନା । ସେହି ଦେଶରେ ଗୋଟିଏ ଚକୁଳିଆପଣ୍ଡା ଥାଏ, ତାର କେହି ନାହିଁ ; ଗୋଟିଏ ଭାରିଯା । ଚକୁଳିଆପଣ୍ଡା ଛଅଗାଁ ଗଲେ ସେରେ, ନଅଗାଁ ଗଲେ ସେରେ ଆଣେ, ତାକୁ ଗିରସ୍ତ ଭାରିଯା ଖାଇ ପିଇ ସୁଖରେ ଥାନ୍ତି । ଦିନକରେ ଚକୁଳିଆପଣ୍ଡା ନଈକୁ ଗାଧୋଇ ଯାଇଥିଲା, ନାଗଲୋକର ରାଜାରପୁଅ ହଳାହଳକୁମରେ ମା ଦେଖିବାକୁ ବଡ଼ ଇଚ୍ଛା; ସେ ନଈରେ ସାପଛୁଆଟିଏ ହୋଇ ଖେଳୁ ଥିଲା, ଚକୁଳିଆପଣ୍ଡାର ଢାଳରେ ପଶି ତା ଘରକୁ ଆସିଲା । ଚକୁଳିଆପଣ୍ଡାର ଭାରିଯା ପାଣି ଢାଲିଲାବେଳେ ଦେଖିଲା ସେ ସାପଛୁଆଟି ଗୋଟିଏ ଉତ୍ତମ ବାଳକଟିଏ ହୋଇ ଢାଳରେ ଅଛି । ଚକୁଳିଆପଣ୍ଡା ଦେଖିଲା, ଦିହେଁଯାକ ବଡ଼ ଖୁସି ହେଲେ, ପିଲାଟିକି ଆପଣାର ପୁଅକରି ପାଳିଲେ । ପୁଅଟି ନାଁ ଦେଇଥାନ୍ତି ଅଭିମନ୍ୟୁ । ପୁଅଟି ବଡ଼ ହେଲା, ତାକୁ ଚାହାଳିରେ ପାଠ ପଢ଼ିବାକୁ ପଠାଇଲେ । ସେହି ଚାହାଳିଲେ ରାଜାଝିଅ ଶଶିସେନା ପଢ଼ୁଥାଏ । ଦିନକର ଅଭିମନ୍ୟୁର ଖଡ଼ୀ ଗଡ଼ିଗଲା ଶଶିସେନା ଆଡ଼କୁ । ଏ କହିଲା ହେ ଶଶିସେନା ! ଟିକିଏ ଖଡ଼ୀ ଦେବୁଟି? ଶଶିସେନା କହିଲା ତୁ ସତ୍ୟ କର ଖଡ଼ୀ ଦେବି, ଅଭିମନ୍ୟୁ କହିଲା ଦେ ହୋ ଖଡ଼ୀ, ସତ୍ୟ ଗୋଟା କ'ଣ ? ଏ କହିଲା ନା, ତୁ ସତ୍ୟ ନ କଲେ ମୁଁ କେଭେ ଖଡ଼ୀ ଦେବି ନାହିଁ । ଅଭିମନ୍ୟୁ କହିଲା ହଁ, ମୁଁ ସତ୍ୟ କଲି ଖଡ଼ୀ ଦେ, ଏ ସେଉଠୁ ଖଡ଼ୀ ଦେଲା । ଚାହାଳି ଛୁଟି ହେଲା, ଯେ ଯାହା ଘରକୁ ଗଲେ । ତହିଁ ଆରଦିନ କେହି ଆସିନାହାନ୍ତି, ଏକା ଶଶିସେନା ଚାହାଳିରେ ଅଛି, ତେଣୁ ଅଭିମନ୍ୟୁ ଆସିଲା ଶଶିସେନାର ଆକ୍ଷିକି ବୁଜି ଧଇଲା, ଖୁବ୍ କଟମଟ କରି ବୁଜି ଧଇଲା, କହିଲା କାଲି କାହିଁକି ସତ୍ୟ କରାଇଥିଲୁ କହ । ଶଶିସେନା କହିଲା ମତେ ତେମେ ବିଭା ହେବ, ଅଭିମନ୍ୟୁ କହିଲା ହଉ ମାତ୍ର ଆମର ଏ ରାଜ୍ୟରେ ଆଉ ରହିବା ନାହିଁ । ଶଶିସେନା କହିଲା ହଉ ଚାଲ ଯିବା ଆଉ କେଉଁ ଦେଶକୁ । ଗଲେ ଘୋଡ଼ା ଶାଳରୁ ଗୋଟିଏ ମଢ଼ିଆ ଘୋଡ଼ାଟିଏ ହସୁଥିଲା ଆଣିଲେ, ଛାଟ ଆଣିଲେ, ବାରହାତ ଖଣ୍ଡା ଆଣିଲେ, ଦିହେଁଯାକ ଘୋଡ଼ାରେ ବସିଲେ, ଗଲେ । ଯାଉଛନ୍ତି, ବାଟରେ ଗୋଟାଏ ଠେକୁଆଲାଙ୍ଗୁଡ଼ ପଡ଼ିଚି, ସେ କହିଲା ମତେ ସାଙ୍ଗରେ ନିଅ ତମର ବଡ଼ ଉପକାରରେ ଆସିବି । ଶଶିସେନା କହିଲା ହଉ ଆଣ । ତାକୁ ଆଣିଲେ, ଘୋଡ଼ା ଲାଙ୍ଗୁଡ଼ରେ ବାନ୍ଧିଦେଲେ, ନେଇକରି ଗଲେ । ଫେର୍ ଆଉ କେତେଦୂର ଯାଇଛନ୍ତି, କୁଲା ବାଉଁଶିଆ ଗୁଡ଼ାଏ ଯାଉଛି ବିକା ହେବାକୁ, ଠେକୁଆଲାଙ୍ଗୁଡ଼ କହିଲା ଅଭିମନ୍ୟୁ ! ଏଥିରୁ ଦି'ଟା ନିଅ, ବହୁତ ଉପକାରକୁ ଆସିବ, କୁଲା ବାଉଁଶିଆ ଦି'ଟା ନେଲେ । ଆଉ କିଛିଦୂର ଯାଇଛନ୍ତି, ଲଙ୍ଗଳ ଲୁହାଟାଏ ବାଟରେ ପଡ଼ିଚି, ଠାକୁଆ ଲାଙ୍ଗୁଡ଼ କହିଲା ଅଭିମନ୍ୟୁ ! ଏଇଟାକୁ ନିଅ ବହୁତ ଉପକାର କରିବ । ତାକୁ ନେଲେ, ଯାଇ ଗୋଟିଏ ବୁଢ଼ୀ ଅସୁରୁଣୀ ଦୁଆରେ ରାତି ହେଲା, ସେଇଠି ରହିଲେ । ବୁଢ଼ୀ ଅସୁରୁଣୀ ବଡ଼ ଆଦର କଲା, ଗୋଟାଏ ଘରେ ନେଇ ଏମାନଙ୍କୁ ରଖାଇ ଦେଲା । ଏମାନେ ଆଉ ଜାଣନ୍ତି ନାହିଁ, ଅସୁର ଘର ବୋଲି । ଅଛନ୍ତି, ଅସୁରୁଣୀର ପୁଅଯାକ ବୁଲି ଯାଇଥିଲେ, ରାତିକି ସମସ୍ତେ ଆସିଲେ । ବୁଢ଼ୀ ଅସୁରୁଣୀ କହିଲା, ଆସ ତମପାଇଁ ଆଚ୍ଚା ସୁନ୍ଦର ଦରବ ରଖିଚି, ସାତ ଭାଇଯାକ ଆନନ୍ଦରେ ଖାଇବ । ଏ ସବୁ କହିଲେ କାହିଁ, ବୁଢ଼ୀ ଅସୁରୁଣୀ କହିଲା ଆରଘରେ ଅଛନ୍ତି । ଏମାନେ ଦଉଡ଼ିଲେ, ସେ ଘରେ ଅଭିମନ୍ୟୁ ହେରିକା କବାଟ କିଳି ନିଘୁମହୋଇ ଶୋଇଚନ୍ତି । ଏ ପଚାରିଲେ ତେମେ କିଏ ? ଠେକୁଆ ଲାଙ୍ଗୁଡ଼ କହିଲା ଆମେ ଅସୁରଙ୍କ ଶ୍ୱଶୁର । ଏ ସବୁ ଡରିଲେ, ବିଚାରିଲେ ଆମେ ତ ଅସୁର, ଆମର ଶ୍ୱଶୁର କୋଉଠୁ ଅଇଲା ? କହିଲେ, ଆଚ୍ଛା ହଉ, ତେମେ ଯେବେ ଅସୁରଙ୍କ ଶ୍ୱଶୁର, ତେବେ ତମ ଜିଭ କାହିଁ ଦେଖାଅ ? ଠେକୁଆ ଲାଙ୍ଗୁଡ଼ କୁଲାଟାକୁ ଦେଖାଇଦେଲା । ତମ ପାଟି କାହିଁ ଦେଖାଅ ? ଏ ବାଉଁଶିଆକୁ ଦେଖାଇଦେଲା, ତମ ଦାନ୍ତ କାହିଁ ଦେଖାଅ ? ଏ ଲଙ୍ଗଳ ଲୁହାଟାକୁ ଦେଖାଇଦେଲା । ଅସୁରଯାକ ଡରିକରି ରହିଲେ, କହିଲେ ସେ କାଳେ ଆମର ଶ୍ୱଶୁର ହୋଇଥିବେ । ରାତିରେ ଖାଇପିଇ ଶୋଇଲେ, ଏମାନଙ୍କ ନିଦ ବାରି ଠେକୁଆଲାଙ୍ଗୁଡ଼ ଅଭିମନ୍ୟୁ, ଶଶିସେନାକୁ ଉଠାଇ ସବୁକଥା କହିଲା, ଏମାନେ ରାତି ରାତି ଘୋଡ଼ାରେ ବସି ଗଲେ ବାହାରି । ସକାଳ ହେଲାରୁ ଅସୁରମାନେ ଦେଖନ୍ତି ଯେ କେହି ନାହିଁ । ବୁଢ଼ୀ ଅସୁରୁଣୀ କହିଲା, ଦେଖିଲ ! ଏବେ ଚିତାକାଟି ଚାଲିଗଲେ । ଯାଅ ମୁଁ ଘୋଡ଼ା ଲାଙ୍ଗୁଡ଼ରେ ସୋରିଷ ବାନ୍ଧି ଦେଇଚି, ସୋରିଷ ବୁଣି ବୁଣି ଯାଉଥିବ, ଗଛ ଉଠି ଉଠି ଯାଉଥିବ; ଫୁଲ ଫୁଟି ଫୁଟି ଯାଉଥିବ; ଦେଖିବ ସେମାନେ ସେହିବାଟେ ଯାଉଥିବେ । ଅସୁର ସାତଭାଇ ଦଉଡ଼ିଲେ ସେହିବାଟ ଦେଖି ଦେଖିକା । ପାଖରେ ମିଶିବାକୁ ଅଳପ ବାଟ ଅଛି, ଶଶିସେନା ଅନାଇ ଦେଲା, ଦେଖିଲାବେଳକୁ ଅସୁରଗୁଡ଼ାକ ଗୋଡାଇଚନ୍ତି । ଅଭିମନ୍ୟୁକୁ ଦେଖାଇ ଦେଲାରୁ ଅଭିମନ୍ୟୁ କ'ଣ କଲା, ଗୁଡ଼ାଏ ବେତମଞ୍ଜି ବୁଣିଦେଲା ଯେ ବେତବଣ ହୋଇଗଲା । ଅସୁର ତାକୁ ମାନିଲେ ନାହିଁ, ମାଡ଼ିଦେଇଗଲେ । ଅଭିମନ୍ୟୁ ପଛକୁ ଅନାଇ ଦିଏ ଯେ ଅସୁର ଗୋଡ଼ାଇ ଆସୁଛନ୍ତି । ସେ ସେଉଠୁ ଗୁଡ଼ାଏ ଅଙ୍ଗାର ବୁଣିଦେଇ କହିଲା, ଯେବେ ସତ୍ୟଯୁଗ ହୋଇଥିବ, ଖାଲି ଅଗ୍ନିମୟ ହୋଇଯିବ । ସବୁ ଅଗ୍ନିମୟ ହୋଇଗଲା, ଅସୁର ନିଆଁକୁ ମାନିଲେ ନାହିଁ ମାଡ଼ିଦେଇ ଚାଲିଗଲେ, ତାଙ୍କ ପଛକୁ ପଛକୁ ଲାଗିଗଲେ । ଅଭିମନ୍ୟୁ ସେଉଠୁ କ'ଣ କଲା, ପଛକୁ ଅନାଇଁ ଫୁ'କରି ଫୁଙ୍କିଦେଲା ଯେ କୁହୁଡ଼ି ଘୋଟିଗଲା, କାହାକୁ ବାଟ ଦିଶିଲା ନାହିଁ । ଅସୁର ମଣିଷଗନ୍ଧ ଶୁଙ୍ଘି ଶୁଙ୍ଘି ଘୋଡ଼ା ପଛକୁ ଲାଗି ଗଲେ । ଅଭିମନ୍ୟୁ କହିଲା, ମୋର ଆଉ ଦୋଷ ନାହିଁ, ଏହା କହି ବାରହାତ ଖଣ୍ଡାକୁ ବୁଲାଇଦେଲା ଯେ ଅସୁରଯାକ କଚ୍ କାଚ୍ କାଟି ହୋଇଗଲେ; ଏକା ସବା ସାନଭାଇ ଟିମା ଅସୁରଟି ଘୋଡ଼ା ପେଟତଳେ ଲୁଚିଗଲା । ଟିମା ଅସୁର ବାହାରିପଡ଼ି କହିଲା, ହେ ! ମତେ ମାରନା, ମୁଁ ତମର ଭଣ୍ଡାରି ହୋଇ ତମସାଙ୍ଗରେ ରହିବା । ଶଶିସେନା କହିଲା, ହଉ ଥାଉ; ନିଅ ତାକୁ ମାରନା । ତାକୁ ସଙ୍ଗରେ ନେଲେ, ଯାଇ ଗୋଟିଏ ନିର୍ଜନ ଥାନରେ ଯୋଉଠି କୁଆ କୋଇଲିର ରାବ ନାହିଁ, ମଣିଷର ଠାବ ନାହିଁ, ସେଇଠି ପହଞ୍ଚିଲେ, ସେଇଠି ବସାକରି ରହିଲେ ।ଶଶିସେନା ରୋଷେଇବାସ କଲା, ଟିମା ଅସୁର ତେଲ ନେଇ ଗଲା, ଅଭିମନ୍ୟୁ ଗାଧୋଇବ ବୋଲି । ଅଭିମନ୍ୟୁ କେତେବେଳେ ବାରହାତ ଖଣ୍ଡା ହାତରୁ ଛାଡ଼େନାହିଁ । ଟିମା ଅସୁର ତେଲ ଲଗାଇ ଦେଉ ଦେଉ କହିଲା, ସବୁବେଳେ କାହିଁକି ଖଣ୍ଡାଟା ହାତରେ ଧରିଥାଅ ? ରଖିଦିଅ, ମୁଁ ଭଲକରି ତେଲ ଲଗାଇଦିଏ । ଅଭିମନ୍ୟୁ ଖଣ୍ଡା ଥୋଇଦେଲା । ଟିମା ଅସୁର ତେଲ ଲଗାଇ ଦେଉଚି, କ'ଣ ମନେ ବିଚାରିଲା, ଅଭିମନ୍ୟୁକୁ ହାଣି ପକାଇଲା । ହାତଗୋଡ଼ ଦିହିଙ୍କି ପୋତି ପକାଇଲା, ଗଣ୍ଡିକି ଗିଳିଦେଲା, ଚିକ୍କଣ ହୋଇ ଘସିପସି ହୋଇ ଗାଧୋଇ ଆସିଲା, ଅଭିମନ୍ୟୁର ଲୁଗାକୁ ପିନ୍ଧିଲା; ଗାମୁଛା କାନ୍ଧରେ ପକାଇଲା, ଖଣ୍ଡାକୁ ହାତରେ ଧରିଲା, ଅଭିମନ୍ୟୁ ବେଶ ଧରି ଗଲା ଶଶିସେନା ପାଖକୁ । ଶଶିସେନା ଆଉ ଜାଣେନା, ଟିମା ଅସୁର ଛଦ୍ମବେଶ ଧରିଚି, ତାକୁ ଭାତ ବାଢ଼ି ଦେଲା, ଅଭିମନ୍ୟୁ ଯେତିକି ଖାଏ ସେତିକି ଦେଲା । ଏ'ତ ଅସୁରଟାଏ, ୟା ପୋଟ କୋଉଠି ପୁରୁଚି ? ଶଶିସେନା ଯେତେ ଦେଉଥାଏ ପଛରେ, ଏ ଆଉ ନାହିଁ କରୁ ନଥାଏ, ସବୁ ଖାଉଥାଏ । ଶଶିସେନା ମନେ ମନେ ହେଉଥାଏ ଆଜି କାହିଁକି ଏତେ ଖାଉଛନ୍ତି । ଏହିପରି ଭାବି ହେଉଥାଏ, ଆଉ ଫିଟେଇ କରି କିଛି କହୁନଥାଏ । ଯେତେ ହାଣ୍ଡି ଭାତ ରୋଷେଇ କରିଥିଲା ଏ ସବୁ ଖାଇଲା । କେତେବେଳକେ ଉଠିଲା ଖାଇବାଠାରୁ । ଶଶିସେନା ମନରେ ଦୋ ଦୋ ପାଞ୍ଚ ହେଉଥାଏ, ସେ ପଚାରିଲା, ଟିମା ଅସୁର ନାହିଁ କି ? ଅଭିମନ୍ୟୁ ବେଶଧାରୀ ଟିମା ଅସୁର ମୁରୁକି ହସା ଦେଇ କହିଲା, ମୁଁ ପରା ଟିମା ଅସୁର । ତମ ଅଭିମନ୍ୟୁ ନଈରେ ବୁଡ଼ି ମରିବାରୁ ମୁଁ ପରା ତାଙ୍କ ଲୁଗାପଟା ପିନ୍ଧି ଆସିଚି । ଶଶିସେନା ଅଭିମନ୍ୟୁର ବାରହାତ ଖଣ୍ଡା ଧରି କହିଲା ଅଭିମନ୍ୟୁ କୋଉଠି ମରିଚି ଦେଖା, ନଇଲେ ଏହି ଖଣ୍ଡାରେ ତୋର ପ୍ରାଣ ନେବି । ଟିମା ଅସୁର ଭୟରେ ଯୋଉଠି ଗୋଡ଼ହାତ ପୋତିଥିଲା ଦେଖାଇଦେଲା । ଶଶିସେନା କହିଲା ଏ ସିନା ହାତଗୋଡ଼, ଗଣ୍ଡି କାହିଁ ? ଟିମା ଅସୁର ଗଣ୍ଡିକୁ ବାନ୍ତି କରିଦେଲା । ଶଶିସେନା ଅଭିମନ୍ୟୁର ଗୋଡ଼ହାତ ମୁଣ୍ଡ ସବୁ ଏକାଠି ଯୋଖିଦେଲା, ସେଇଠି ବସି କାନ୍ଦିଲା । କାନ୍ଦି କାନ୍ଦି ରାତି ଅଧରୁ ବଳିଲାଣି, ଚାରିଆଡ଼େ ସମସ୍ତେ ନିଶବ୍ଦ ହେଲେଣି, ଈଶ୍ୱର ପାର୍ବତୀ ଆକାଶରେ ଉଡ଼ି ଯାଉଥିଲେ, ପାର୍ବତୀ କହିଲେ ରହିଥିବଟି, ମଞ୍ଚରେ କିଏ ଗୋଟିଏ କାନ୍ଦୁଚି । ଈଶ୍ୱର କହିଲେ, ଚାଲ ଯିବା ବାହାରି, ଆମର ସେଥିରେ କ'ଣ ଅଛି ? ପାର୍ବତୀ କହିଲେ, କିଛି ତ ବୁଝିବ ନାହିଁ, ଏ ସୃଷ୍ଟି ଭିଆଇଚ କାହିଁକି ? ଈଶ୍ୱର ପାର୍ବତୀ ଗଲେ, ଶଶିସେନାକୁ ପଚାରିଲେ, ତୁ କିଏ, ଭୂତ କି ପ୍ରେତ କି ଡାହାଣୀ କି ଚିରୁଗୁଣୀ କି କିଏ, ତୁ କାହିଁକି ବସି କାନ୍ଦୁଚୁ ? ଏ କହିଲା, ମୁଁ ଭୂତ କି ପ୍ରେତ ନୁହେଁ, ଏମନ୍ତ ଏମନ୍ତ ରାଜାଝିଅ, ଅଭିମନ୍ୟୁ ସଙ୍ଗରେ ଆସିଥିଲି, ତାକୁ ଟିମା ଅସୁର ମାରି ପକାଇଚି, ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ଏହିପରି ସବୁ କହିଗଲା । ଈଶ୍ୱର ପାର୍ବତୀ କହିଲେ, ହଉ ତେବେ, ତେଣିକି ମୁହଁ ବୁଲା, ଫୁଲପାଣି କରି ତିନିମୁଠା ଛିଞ୍ଚିଦେଲେ ଯେ ଅଭିମନ୍ୟୁ ଜାଇ ଉଠୁଲା, ଈଶ୍ୱର ପାର୍ବତୀ ଅନ୍ତର୍ଦ୍ଧାନ ହୋଇଗଲେ । ଶଶିସେନା ଅଭିମନ୍ୟୁକୁ ଟିମା ଅସୁର ଯାହା ଯାହା କରିଥିଲା, ସବୁ କହିଲା । ଅଭିମନ୍ୟୁ କହିଲା, ଆଉ ୟାକୁ ବିଶ୍ୱାସ ନାହିଁ, ୟା ଛ'ଭାଇ ୟାକୁ ଖୋଜିଲେଣି, ଏହା କହି ତାକୁ ସେଇଠି ହାଣି ପକାଇଲେ, ଆଉ ସେଠାରେ ରହିଲେ ନାହିଁ, ଗଲେ, ଯାଇ ଗୋଟିଏ ରଜା ଦେଶରେ ପହଞ୍ଚିଲେ । ଗୋଟାଏ ଆମ୍ବଗଛ ମୂଳେ ବସିଚନ୍ତି, ଅଭିମନ୍ୟୁକୁ ଶୋଷ କଲା, ସେ ଶଶିସେନାକୁ ସେଇଠି ବସାଇଦେଇ ଗଲା ଗାଁ ଭିତରକୁ ପାଣି ପିଇବାକୁ । ଅଭିମନ୍ୟୁ ଯାଉଚି ଗୋଟାଏ ଜ୍ଞାନଦେଈ ମାଲୁଣୀ ତାକୁ ଡାକିନେଲା ଘରକୁ, ଗୋଟାଏ କଳାଫୁଲ ଶୁଙ୍ଘାଇ ଦେଇ ତାକୁ କାଳିଆମେଣ୍ଢା କରିଦେଲା, ରଖିଲା । ଶଶିସେନା ଅନାଇଁ ଯାଉଁ ଅଭିମନ୍ୟୁ ନଆସିଲା, ଗଲା ଖୋଜିବାକୁ ଗାଁ ଭିତରକୁ । ଏଣେ ସହର ଭିତରେ ଧେଣ୍ଡୁରା ଦିଆ ହେଉଚି ଯେ ସେ ରାଇଜରେ ଗଣ୍ଡାଗୟଳ ମାତିଚି, ଯେ ଗୟଳକୁ ମାରିଦେବ ସେ ରାଜାଝିଅକୁ ବିଭାହେବ । ଶଶିସେନା ଗୋଟିେ ମରଦ ବେଶ ଧରିଲା, ଆଉ ଅନେକ ରାଜା ଆଉ ଆଉ ଦେଶରୁ ଆସିଥାନ୍ତି, ସେ ସବୁ ଯାଉଥାନ୍ତି ଗଣ୍ଡାଗୟଳ ମାରିବାକୁ, ଶଶିସେନା ତାଙ୍କ ପଛେ ପଛେ ଘୋଡ଼ାରେ ଚଢ଼ି ଗଲା । ସମସ୍ତେ ଯାଇ ଗଣ୍ଡାଗୟଳ ବନସ୍ତରେ ପହଞ୍ଚିଲେ ।ଶଶିସେନାଠାରେ ବାରହାତ ଖଣ୍ଡା ଥାଏ, ଦୂରରୁ ତାକୁ ବୁଲାଇ ବୁଲାଇ ଫିଙ୍ଗିଲା ଗଣ୍ଡାଗୟଳ ତିନିଗର ହୋଇ ପଡ଼ିଲା । ଏ ଦଉଡ଼ିଯାଇ ଗଣ୍ଡାଗୟଳର ଜିଭ ନଖ କାଟି ଆଣିଲା, ଆଉ ସବୁ ରାଜାମାନେ ଫେରି ଆସିଲେ । ଶଶିସେନା ଗଣ୍ଡାଗୟଳର ଜିଭ ନଖ ରଜାଙ୍କ ଆଗେ ଥୋଇଦେଲା, ରଜାଝିଅକୁ ତାକୁ ବିଭା କରିବାର ସ୍ଥିର କଲେ । ବିଭାଘର ଯୋଗାଡ଼ ହେଉଥାଏ, ଶଶିସେନା କହିଲା, ମୋର ଗୋଟାଏ ବ୍ରତ ଅଛି ବରଷେ, ମୁଁ ତାକୁ ପୂରଣ କରିସାରିଲେ ବିଭା ହେବି, ବିଭାଘର ବନ୍ଦ ରହିଲା । ଶଶିସେନା ମରଦବେଶ ଧରି ରଜାଘରେ ଥାଏ, ମନେ ମନେ ଅଭିମନ୍ୟୁକୁ ଖୋଜୁଥାଏ । ଅନେକଦିନ ଚାଲିଗଲା, ଅଭିମନ୍ୟୁର କିଛି ଖୋଜଖବର ମିଳିଲାନାହିଁ । ଶଶିସେନା ଗୋଟାଏ ବୁଦ୍ଧି ପାଞ୍ଚିଲା, ବରଷ ପୂରିବାକୁ ଦଶ ପନ୍ଦର ଦିନ ଅଛି, ରଜାଙ୍କୁ କହିଲା, ଏଠେଇ ଯୋଉ ମହାଦେବ ଅଛନ୍ତି, ତାଙ୍କଠାରେ ବାରୁଣୀବୁଡ଼ ପଡ଼ିବ, ଡେଙ୍ଗୁରା ପିଟାଇ ଦିଅ ଯେ ଏ ରାଇଜରେ ଯେତେ ଲୋକ ଅଛନ୍ତି ସମସ୍ତେ ଆସିବେ ବୁଡ଼ ପକାଇବାକୁ । ରଜା ସେହିପରି କରାଇଦେଲେ ଯୋଉଦିନ ବୁଡ଼ ପଡ଼ିବ ସେଦିନ ସକାଳୁ ଶଶିସେନା ଗୋଧୋଇ ଆସି ଘୋଡ଼ାରେ ଚଢ଼ି ଦେଉଳ ଚାରିପାଖ ପୋଖରୀ ଚାରିପାଖ ବୁଲୁଥାଏ, ଅଭିମନ୍ୟୁ ଆଗରୁ ଶୁଣିଥାଏ ଯେ ଜଣେ କିଏ ବାରହାତ ଖଣ୍ଡାରେ ଗଣ୍ଡାଗୟଳ ମାରି ରଜା ଝିଅକୁ ବିଭାହେବ ବୋଲି ତାଙ୍କ ଘରେ ଅଛି, ସେ ଏ ବାରୁଣୀବୁଡ଼ କରାଉଚି । ମନେ ୨ ଭାବୁଥାଏ ଶଶିସେନା କଣ ଛଦ୍ମବେଶର ଏପରି କରିଚି ? ସେ ଦିନ ଅଭିମନ୍ୟୁ କହିଲା ମାଲୁଣୀକି, ମାଉସୀ ! ସମସ୍ତେ ବାରୁଣୀକି ଯାଉଛନ୍ତି, ମୁଁ ଟିକିଏ ଯାନ୍ତି ! ମାଲୁଣୀ କ‌ହିଲା ନା ତୁ କୋଉଠିକି ଯିବୁ ? ଅଭିମନ୍ୟୁ ଯାଉଁ ଏକ‌ଯିଦ୍ ଲଗାଇଲା, ମାଲୁଣି ତାକୁ ଗୋଟାଏ ମାଇପୀ ବେଶକରି ସାଙ୍ଗରେ ନେଲା । ଅଭିମନ୍ୟୁ ବୁଡ଼ ପକାଇଲା, ଗଲା ଦେଉଳ ଭିତରକୁ ଦର୍ଶନ କଲା । ସେହି ଦେଉଳ ଭିତରେ ଲେଖି ଦେଇଗଲା –

ଶଶିସେନା ବାଳୀ ମନରେ ଭାଳେଣୀ ଅଭିମନ୍ୟୁ ତାର ବର,
ଜ୍ଞାନଦା ମାଲୁଣୀ ବନ୍ଦୀ କରିଅଛି ଦିନେ କରେ ମେଷବର ।
ରାତିରେ ଧବଳ ପୁଷ୍ପ ସୁଙ୍ଘାଇଣ କରଇ ଭେଣ୍ଡା ସୁନ୍ଦର,
ଏଥିରୁ ମୁକତ କରିପାରୁ ଯଦି ଶଣିସେନା ବେଗେ କର ।

ଅଭିମନ୍ୟୁ ତ ସ୍ତୀରୀ ବେଶ ହୋଇଚି, ଶଶିସେନା ବୁଲି ଆଉ ତୁଠଠେଇଁ ତାକୁ ପାଇଲା ନାହିଁ । ଦେଉଳଭିତରେ ଗୁଡ଼ାଏ କଣ ଲେଖା ହୋଇଚି ବୋଲି ପଢ଼ିଲାବେଳକୁ ଅଭିମନ୍ୟୁର କଥା ସବୁ ଲେଖା ହୋଇଚି । ଶିଶିସେନା ତହିଁ ଆରଦିନ ମାଲୁଣୀକୁ ଆଉ ତାର କାଳିଆ ମେଣ୍ତାକୁ ଘେନାଇ ଆସିଲା, ମାଲୁଣୀକି କ‌ହିଲା ତାକୁ ମଣିଷ କରିଦେ, ମାଲୁଣୀ କ‌ହୁଥାଏ ମେଣ୍ତାଟା କିପରି ମନିଷ ହେବ ? ଆଉ କିଛି କରୁ ନ ଥାଏ । ଯାଉଁ ମାଲୁଣୀକି ବିଛୁଆତିରେ ଗୁଡ଼ାଏ ମାଡ଼ ହେଲା, ମାଲୁଣୀ ଧଳାଫୁଲ ସୁଙ୍ଘାଇ ଅଭିମନ୍ୟୁକୁ ନିଜରୂପ କରିଦେଲା । ରଜା ସବୁକଥା ଜାଣିଲେ, ମାଲୁଣୀକି ଶୂଳିଆ ପଦାରେ ଶୂଳିଦେଲେ, ତା ଘରେ ଯେତେ ଧନ ଦରବ ଥିଲା ତାକୁ ନଅରକୁ ଘେନି ଆସିଲେ । ଶଶିସେନା ରାଜାଙ୍କ ହାତ ଧରି ପକାଇଲା, କହିଲି ମୁଁ ଆପଣଙ୍କର ଧମଝିଅ ହେଲି । ଆଜିଠାରୁ ଆପଣଙ୍କ ଝିଅକୁ ଆଉମୋତେ ଅଭିମନ୍ୟୁକୁ ବିଭାକରିଦିଅନ୍ତୁ । ରଜା ବଡ଼ ଖୁସିହେଲେ, ଶଶିସେନାକୁ ଆଉ ଜେମାକୁ}} ଅଭିମନ୍ୟୁକୁ ବିଭା କରିଦେଲେ । ଏମାନେ ତିନିହେଁ ଆନନ୍ଦରେ ରହିଲେ । ଏହିପରି ଥାନ୍ତି, ଏଣେ ଅଭିମନ୍ୟୁର ନାଗଲୋକର ଭାରିଯାମାନେ ଭାରି ଭାବିତରେ ଥାନ୍ତି, ଏ ତ ନରଲୋକକୁ ଯାଇ ସୁଖରେ ରହିଲେ, ଆଉ କଣ ଆସିବେ କି ? ସମସ୍ତେ ବିଚାର କଲେ, ଜଣେ ତାଙ୍କ ଭିତରୁ ଗୋଟିଏ ଶବରୀବେଶ ହୋଇ ଗୁଡ଼ିଏ ଅମରଫଳ ଟୋକାଇରେ ଘେନି ଅଭିମନ୍ୟୁ ଶଶିସେନା ଯୋଉଠି ଅଛନ୍ତି, ସେଇ ଗାଁକୁ ଆସିଲା ଅଭିମନ୍ୟୁର ଦୁଇ ବାରିଯାଙ୍କ ପାଖକୁ । ଏମାନେ ତିନୋଟି ଅମରଫଳ ମାଗିଲେ କିଣିବାକୁ, ୟାଙ୍କପାଇଁ ଦୋଟି ଅଭିମନ୍ୟୁ ପାଇଁ ଗୋଟିଏ, ଶବରୀ କହିଲା ଅଭିମନ୍ୟୁତ ଅମର ତାଙ୍କର ଫଳ କଣ ହେବ ? ଏହା କହି ଦୋଟି ଫଳ ଦେଲା, ଏମାନେ ପଚାରିଲେ ଅଭିମନ୍ୟୁ ଅମର କେମନ୍ତି ଆମକୁ କହ । ଶବରୀ କହିଲା ତାଙ୍କୁ ପଚାରିବ ସେ ସବୁ କହିବେ, ଏହାକହି ଚାଲିଗଲା । ୟାଙ୍କ ମନ ଲାଗିଚି, ସେ ଦିନ ଅଭିମନ୍ୟୁକୁ ତାର ନିଜ ନାଁ କଣ ପଚାରିଲେ । ଅଭିମନ୍ୟୁର ନାଗଲୋକ କଥା ମନେ ପଡ଼ିଲା, ସେଠା ବାରିଯାମାନେ ମନେ ପଡ଼ିଲେ, କହିଲା ମୋ ନାଁରୁ ତେମେ କଣ ପାଇବ । ଏମାନେ ଏକଜିଦ୍ ଲଗାଇଲେ ଯୋଉଠୁ ଅଭିମନ୍ୟୁ କହିଲା ଆସ ମୋ ସାଙ୍ଗେ ନଈ କୂଳକୁ, ନାଆଁ କହିବି । ସମସ୍ତେ ଗଲେ, ଅଭିମନ୍ୟୁ ନଈରେ ଛାତିକ ପାଣିକି ଗଲା କହିଲା;--

କହ କହ ସୁନ୍ଦରୀ ଗୋ ମୋଠାରେ ଲୋଭା
କିବା ମୋର ନାମେ ଅଛି ତୁମ୍ଭ ଶରଧା ।

ଏମାନେ କହିଲେ ;-

ନ କରଟି ସ୍ୱାମୀ ଆମ୍ଭଠାରେ ଅବିଶ୍ୱାସ
ନାମରେ ତୁମ୍ଭର ଆମ୍ଭେ ହୋଇବୁଁ ସନ୍ତୋଷ ।

ଅଭିମନ୍ୟୁ କହିଲା, --

ଯାଅ ଯାଅ ସୁନ୍ଦରୀ ଗୋ କରିବ ଘର
ମୋ ନାଁ ନାଗଲୋକ ହଳାହଳ କୁମର ।

ଏହା କହି ଅଭିମନ୍ୟୁ ବୁଡ଼ିଲା ଯେ ଆଉ ଉଠିଲା ନାହିଁ । ଶଶିସେନା ଆଉ ସେ ରଜାଝିଅ କାନ୍ଦିବୋବାଇ ହୋଇ ଅଭିମନ୍ୟୁ ଯୋଉଠି ବୁଡ଼ିଥିଲା ସେଇଠି ବୁଡ଼ିଲେ, ଅଭିମନ୍ୟୁ ସାଙ୍ଗେ ଯାଇ ନାଗଲୋକରେ ମିଳିଲେ । ସେଠାରେ ନାଗପତ୍ନୀମାନେ ୟାଙ୍କୁ ପୁରାଇ ଦେଲେ ନାହିଁ । ଏମାନେ ଅପ୍ସରାଙ୍କ ସଙ୍ଗେ ମିଶି ନୃତ୍ୟ କଲେ । ସବୁଦିନେ ଏହିପରି ନୃତ୍ୟ କରନ୍ତି, ଅଭିମନ୍ୟୁକୁ ଦେଖନ୍ତି ଆସନ୍ତି । ଦିନକର ନାଗରାଜା ବାସୁକୀ କହିଲେ, ଏ ଅପ୍ସରା ଦୋଟି ଭଲ ନୃତ୍ୟ କରୁଛନ୍ତି, ୟାହ୍କୁ ବିଦାକୀ କଣ ଦେଉଚ ? ସମସ୍ତେ କହିଲେ ନାହିଁ ସେ କିଛି ନେଉ ନାହାନ୍ତି । ନାଗରାଜା ଏ ଦିହିଁକି, ଡକାଇଲେ ପଚାରିଲେ, ତେମେ କଣ ନେବ ? ଏମାନେ କହିଲେ ଆମେ କିଛି ନେବୁ ନୀହିଁ, ଆମକୁ ଏ ପୁରୁଷଟିକି ଦିଅ, ଅଭିମନ୍ୟୁକୁ ଦେଖାଇଦେଲେ । ନାଗପତ୍ନୀମାନେ ନାହିଁ କଲେ ଯୋଉଠୁ ନାଗ-ରାଜା ଆଉ କିଛି କହୁ ନ ଥାନ୍ତି । ଏମାନେ ଅଳି ଲଗାଇଲେ ଭାରୀ, ବାସୁକୀ କହିଲେ, ହଉ ନିଅ, ଏ ନରଲୋକରେ ଛମାସ ରହିବ, ନାଗଲୋକରେ ଛ ମାସ ରହିବ । ଏ ଦିହେଁ ଅଭିମନ୍ୟୁକୁ ସାଙ୍ଗରେ ଘେନିକରି ଆସିଲେ, ସୁଖରେ ରହିଲେ, ଘରଦୁଆର କଲେ, ମୁଁ ଗଲାକୁ କଥା ନ କହିଲେ । ମୋ କଥାଟି ସରିଲା; ଇତ୍ୟାଦି ।