କବିତାବଳୀ/ତୁଳସୀ-ସ୍ତବକ
ବର୍ଷା
ରାଗ – କଳହଂସକେଦାର
ପ୍ରସ୍ରବଣ-ଶଇଳେ କଲେ ବସତି
ସୌମିତ୍ରି ସଙ୍ଗେ ପ୍ରଭୁ ରାଘବ-ପତି,
ବହଇ ଗୋଦାବରୀ ସେ ଗିରି-ପାଦେ
ଶିଳାବନ୍ଧୁର-ଶେଯେ ଝର୍ଝର ନାଦେ ।
ଏକେ ସୁନ୍ଦର ଗିରି ଝର-ଶିରାଳ,
ଦୁଜେ ମହୀରେ ବିଜେ ବରଷାକାଳ;
ମେଘମାଳେ ମେଦୁର ଦେଖି ବିତାନ,
କହନ୍ତି ଲକ୍ଷ୍ମଣଙ୍କୁ ଶ୍ରୀ ରଘୁରାଣ -
“ଲକ୍ଷ୍ମଣ, ଘନ ଦେଖି ନାଚଇ କେକୀ,
ଭକତ ଯଥା ଭବମାୟା ଉପେକ୍ଷି;
ବିତରେ ଅକାତରେ ଜୀବନ ଘନ,
ଧନ୍ୟ ଯେ ଦାତା ଜାଣେ ଯାଚକ-ମନ ।
ନୀଳ ନୀରଦମାଳେ ଖେଳେ ଚପଳା,
ଖଳପୀରତି ପ୍ରାୟେ ସଦା ଚପଳା;
ବର୍ଷନ୍ତି ମହୀମୁଖେ ନଇଁ ଅମ୍ୱୁଦେ,
ବିଦ୍ୟା ସମ୍ପଦେ ଯଥା ନମନ୍ତି ବୁଧେ ।
ବେନି କୋଟିକି ନିହି ବେନି ଶିଖରେ,
ତ୍ରିବର୍ଣ୍ଣ-ଜ୍ୟୋତି-ସ୍ରୋତ ସୃଜି ଅମ୍ୱରେ,
ମଣ୍ଡେ ଜୀମୂତ-ଭାଲ ଶକ୍ର-କାର୍ମୁକ ,
ଆଶା ଉଜଳେ ଯଥା ଆସ୍ତିକ-ମୁଖ ।
ଠାବେ ଠାବେ ଶଇଳ-ନୀଳବିଗ୍ରହେ
ଧବଳ ଅଭ୍ରଖଣ୍ଡ କି ଶୋଭା ବହେ ।
ଚିତ୍ତେ ହୁଅଇ ପ୍ରତେ ପଡିଛି ଟିକି
କ୍ଷୀରୋଦ-ଫେଣ ବିଷ୍ଣୁ ଅଙ୍ଗେ ଛିଡିକି ।
ଜଳପ୍ରପାତ ଗର୍ଜି ଗଭୀର ରବେ
ତୁଙ୍ଗ ଭୃଗୁରୁ ଡେଇଁ ପଡେ ଭୈରବେ,
ସେ ରାବେ ପ୍ରତିରାବ ଦିଅଇ ଦରୀ,
ଧର୍ମଶାସନେ ହୃଦୁଁ ବିବେକ ପରି ।
ସହନ୍ତି ଧାରା-ପାତ ଶଇଳଗଣ,
ଖଳ ବଚନ ଯଥା ସହେ ସୁଜନ;
ଫିଟିଛି ଝର, ଦେଖ ଟାଙ୍ଗର-ଅଙ୍ଗେ,
ପାଷାଣ୍ଡେ ହରି-ପ୍ରେମ ଯଥା ସୁସଙ୍ଗେ ।
ଚାଲନ୍ତି କୂଳ ଲଙ୍ଘି ଗିରି-ସରିତେ,
ମତ୍ତ ପାମର ଯଥା ଅଳପ ବିତ୍ତେ,
ଗୋଦାବରୀକି ସର୍ବେ କରନ୍ତି ଗତି,
ମହତ-ଆଶ୍ରା ବିନୁ କାହିଁ ମୁକତି ?
ଆବିଳ ନବଜଳ ପରଶି ମହୀ,
ମାୟାରେ ଜୀବ ଯଥା ଜଡି ହୁଅଇ,
ନିରତେ ନୀର-ପାତେ ପୂରିଲା ସର
ସାତ୍ତ୍ୱିକ-ଗୁଣେ ଯଥା ସାଧୁ-ଅନ୍ତର ।
ନିମ୍ନଗା-ନୀର ବେଗେ ସାଗରେ ଧାଏଁ,
ଶାଶ୍ୱତେ ଭକ୍ତ ଜନ ମନ ପରାୟେ;
ସାଗରେ ନିଜ ଗୋତ୍ର ଯାଏ ବିସ୍ମରି,
ଭକ୍ତ ତନ୍ମୟ ଯଥା ଲଭିଲେ ହରି ।
ଉପୁଡି ପଡେ ତୀର-ବିଟପୀ ନୀରେ,
ବିଟପୀ ମନ ଯଥା ଲମ୍ପଟ-ଗିରେ,
ମାତ୍ର ଶଇଳ, ଦେକ, ଉଭା ଅଟଳେ,
କାମି-ଚାଟୁରେ ସତୀ ମନ କି ଟଳେ ?
ଲଙ୍ଘଇ ନଦୀସ୍ରୋତ ସେତୁ-ବନ୍ଧନ,
ରାଜଦ୍ରୋହୀ ଯେସନ ରାଜଶାସନ;
ବହି ଯାଉଛି ବାରି ଭେଦି କିଆରୀ,
ମର୍ଯ୍ୟାଦା ଲଙ୍ଘେ ଯଥା ସ୍ୱତନ୍ତ୍ରା-ନାରୀ ।
ଦର୍ଦ୍ଦୁର-ରବ ଶୁଣି ନୀରବ ପିକ,
ମୂଢ଼ ସଭାରେ ମୂକ ଯଥା ଧାର୍ମିକ;
ଡାହୁକ ବଂଶକୁଞ୍ଜେ ନିରତେ ରାବେ,
ବହୁଭାଷୀ ଯେସନ ଜଳ୍ପେ ସ୍ୱଭାବେ ।
ହରିତ ଦୁର୍ବାଦଳେ ହୋଇ ମଣ୍ଡନ,
ନିଦାଘ ରୁକ୍ଷ ମହୀ ଦିଶେ ଯତନ,
ସରସ ସାଧୁ ହୃଦ ହୁଏ ଯେପରି,
ଶୁଷ୍କ ବୈରାଗ୍ୟେ ଭକ୍ତିରସ ସଞ୍ଚରି ।
ପଲ୍ଲବ କଅଁଳିଲା ବୃକ୍ଷେ ଅନେକ,
ସାଧକ-ହୃଦେ ଯଥା ଉଦେ ବିବେକ,
ଅର୍କ-ପାଦପ ହେଲା ପତ୍ରବିହୀନ,
ସୌରାଜ୍ୟେ ଖଣ୍ଟେ ଯଥା ହୁଅନ୍ତି ଦୀନ ।
କଦମ୍ୱ ବିକଶିଲା ଗିରି-କାନନେ,
କଦମ୍ୱ-ବନ୍ଧୁ-ମେଘ-ମନ୍ଦ୍ର ନିଃସ୍ୱନେ;
ଭକତବନ୍ଧୁ ହରିନାମ କୀର୍ତ୍ତନୁ,
ହର୍ଷେ ପୁଲକେ ଯଥା ଭକତ ତନୁ ।
ଗୁଳ୍ମ ଗହଳେ ପଥ ଗଲାଟି ହରି,
ବିଧର୍ମୀ-ରାଜପଣେ ଶାସ୍ତ୍ର ଯେପରି;
ଶସ୍ୟେ ବସୁଧା କେଡେ ଶୋଭା ଆସ୍ପଦ,
ଉପକାରୀ ଜନର ଯେହ୍ନେ ସମ୍ପଦ ।
ଉଭେଇ ଗଲେ ନଭୁଁ ଜ୍ୟୋତିଷ୍କଗଣେ;
ଜ୍ୟୋତି ଦେଖାଇ ହେଲେ ଜ୍ୟୋତିରିଙ୍ଗଣେ,
ମୂର୍ଖରାଜ୍ୟେ ଯେସନ ବଢ଼େ ଆଦର
ନିର୍ଗୁଣେ, ଗୁଣିଜନେ ହୁଅନ୍ତି ପର ।
କୃଷକେ ଉପାଡନ୍ତି ବାଳୁଙ୍ଗା କ୍ଷେତୁଁ,
ସାଧୁ ଯେସନ ଆତ୍ମବଡ଼ିମା ଚେତୁଁ;
ସଲିଳୁଁ ପଳାଇଲେ କୋକେ ତ୍ୱରିତେ,
ଅବୁଝା ରାଜା ରାଜ୍ୟୁଁ ଯଥା ପଣ୍ଡିତେ ।
ନ ଉଠେ ନୀର-ସତ୍ତ୍ୱେ ତୃଣ ଉଷରେ,
ବିକାରେ କାମ ପ୍ରାୟେ ସନ୍ଥ-ଅନ୍ତରେ;
ଜନ୍ତୁ-ସଙ୍କୁଳ ବନସ୍ଥଳୀ ସମ୍ପ୍ରତି,
ସୌରାଜ୍ୟେ ପ୍ରଜାପୂର୍ଣ୍ଣ ରାଷ୍ଟ୍ର ଯେମିତି ।
ବାଟୋଇ ଠାବେ ଠାବେ ଅଟକି ରହେ,
ଇନ୍ଦ୍ରିୟ ଯଥା ଦିବ୍ୟଜ୍ଞାନ ଉଦୟେ,
ପ୍ରବଳ ବାୟୁ କେବେ ତଡ଼େ ଜଳଦ,
କୁପୁତ୍ର ଯଥା କୁଳ-ଧର୍ମ, ସମ୍ପଦ ।
କ୍ଷଣେ ନିବିଡ଼ତମ ଗ୍ରାସଇ ଧରା
କ୍ଷଣେ ଉପୁଜେ ପୁଣି ପ୍ରଚଣ୍ଡ ଖରା,
କୁସଙ୍ଗ ଏହିପରି ସୁସଙ୍ଗ ନାଶେ,
ସୁସଙ୍ଗ ଏହିପରି ଜ୍ଞାନ ପ୍ରକାଶେ ।
ଦେଖ, ମଳିନ ହୋଇ ଆଶ୍ରମ ସର
ନ ବହେ ହୃଦେ ଛବି ତୀର ବନର,
ମତିକି କଳୁଷିତ କଲେ ଯେସନେ
ଅକ୍ଷମ ଜନେ ପର ଗୁଣ ଗ୍ରହଣେ ।
ଦେଖ ଦେଖ ଅଗ୍ରତେ ସରସୀ-ଜଳେ
ପଡି ମଣ୍ଡୂକ କ୍ରୁର ଅହି କବଳେ
ବିକଳେ ରାବୁଁ ରାବୁଁ, ଊର୍ଦ୍ଧ୍ୱେ ଉଡ୍ଡୀନ
ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ ।
କାଳ କବଳେ ସିନା ଏ ରୂପେ ଭାଇ,
ଆରତେ ନର ଘାରି ହେଉଣ ଥାଇ,
ତେବେ ହେଁ ମନାସଇ ଲଭି ଏ ଦଶା
ମେଣ୍ଟାଇବାକୁ ଭବ-ଭୋଗ-ଲାଳସା ।
ବରଷାକାଳ ଅଟେ ଉଦ୍ଭିଦ-ମିତ୍ର,
ମାତ୍ର ପଙ୍କଜ ମଲା, ନୁହେଁ ବିଚିତ୍ର !
ଜଳ-ଗହଳ ହେଲା ତା ପକ୍ଷେ ଯମ,
ଅତି ସମ୍ପଦ, ବାବୁ, ମହାବିଷମ ।”