କବିତାବଳୀ ଲେଖକ/କବି: ରାଧାନାଥ ରାୟ
ଦରବାର

ଉତ୍କଳର ପୂର୍ବକୀର୍ତ୍ତି ସ୍ମୃତି-ପୂତ, ବାରବାଟୀ ଆଜି ସାଜେ ସଜ୍ଜୀଭୂତ ।
ଐତିହାସିକ ଏ ଦୂର୍ଗ ବାରବାଟୀ, ବୀର ରକ୍ତପିଣ୍ଡେ ଗଢ଼ା ଯାର ମାଟି ।
ବାରବାଟୀ ଯହିଁ ମନଃ ସ୍ମୃତି-ପୋତ, ବ‌ହିଯାଏ ପ୍ରତିଲୋମେ କାଳସ୍ରୋତେ ।
କାଳେ କାଳେ କେତେ ଦେଖି ଯେ ଆସିଲା, ନଶ୍ୱର ନରର ଗାରିମାର ଲୀଳା ।
ପୁଣି ନୂଆ ଲୀଳା ଲାଗିଛି ଏଠାରେ, ପୁଣି ମତ୍ତ ନରେ ନଶ୍ୱର ବ୍ୟାପାରେ ।
ପୁଣି ଦେଖ ଆଜି ଗାରିମାର ଘଟା, ଲୁଚି ବସି କାଳ କରେ ଯାକୁ ଥଟ୍ଟା ।
ଦେଖିବାକୁ ଏହି ରାଜସ ଉତ୍ସବ, ରୁଣ୍ଡ ଦୁର୍ଗାଙ୍ଗନେ ଅସଂଖ୍ୟ ମାନବ ।
କାଞ୍ଚୀ-ଅଭିଯାନେ ଯେ ଦୁର୍ଗ-ପ୍ରାଚୀର, ବାଦ୍ୟନାଦେ ହେଉଥିଲା ପ୍ରତିଗିର ।
ଜରାଜୀର୍ଣ୍ଣ ବେଶେ ଦେଖଇ ସେ ଆଜ, ନବ୍ୟ ଉତ୍କଳର ଏ ସଭ୍ୟ ସମାଜ ।
ପୂର୍ବ ନରପତି-ପ୍ରେତ ଆତ୍ମାମାନ, ବ୍ୟୋମେ ବ୍ୟୋମ‌ଯାନେ ହୋଇ ଅଧିଷ୍ଠାନ ।
ଦେଖନ୍ତି ସଖେଦେ ତାଙ୍କର ଦୁର୍ଜୟ, ଉତ୍କଳର ଏହି ଦଶା ବିପର୍ଯ୍ୟୟ ।
ଏହି ଶିଳାବନ୍ଧ ଯାଙ୍କର କୀରତୀ, ପୁଣ୍ୟଶ୍ଳୋକ ମରକତ ମହିପତି ।
ଦେଖୁନାହାନ୍ତି କି ମନେ ବ‌ହି ଲାଜ, କି ଥିଲା ଏ ରାଜ୍ୟ, କି ହୋଇଛି ଆଜ ।
ଇନ୍ଦ୍ରନୀଳ-ଶିର-ତୋଳି ନଭସ୍ଥଳେ, ଏ ଦୃଶ୍ୟ ଦେଖନ୍ତି ଶାଶ୍ୱତ ଅଚଳେ ।
ମଞ୍ଚରମା-କାଞ୍ଚୀଜେମା-ସ୍ନାନେ ପୂତା, କାଞ୍ଚୀ ଜେମା ବେଣୀ ପ୍ରଭ ବେଣୀଯୁତା ।
ହୃଷଦ୍‌ବତୀରୂପେ ଜର୍ଜର ମୁଖରା, ସୈକତନୀ ରୂପେ ନୀଳନୀଳାମ୍ବରା ।
ଠାବେ ଠାବେ ଦ୍ୱୀପ-ଶୈଳ-ଦ୍ୱୀପଦଣ୍ଡୀ-, ପୁଞ୍ଜେ ବକ୍ଷ ଯାର ହୋଇଅଛି ମଣ୍ଡି ।
ପ୍ରବାହ ତିହାରି ଅରଣ୍ୟ ଦନ୍ତୀର, ମଦେ ଚନ୍ଦ୍ରକିତ କ୍ଷାର ନୀଳ ନୀର ।
ଅଗ୍ରେ ସେହି ନ‌ଦୀ ବ‌ହୁଅଛି ରଙ୍ଗେ, ଏ ରଙ୍ଗ ନିରେଖି ତରଙ୍ଗ-ଭ୍ରୁରଙ୍ଗେ ।
ଏକ ପରେ ଏକ ରାଜା ମହାରାଜା, ଆସନ୍ତି ବଜାଇ ନାନାରଙ୍ଗେ ବାଜା ।
ଉଡ଼ଇ ପତାକା, ଝଟକଇ ତ୍ରାସ, ପାଏକ-କୁହାଟେ ମନେ ଲାଗେ ତ୍ରାସ ।
ଆସ୍କନ୍ଦେ ଆସନ୍ତି ଅଶ୍ୱ ମାଳ ମାଳ, ଚିତ୍ରଗୁପ୍ତ କେତେ ଆସନ୍ତି ଶୁଣ୍ଡାଳ ।
ଯାନ ବାହ‌ନରେ ଲାଗିଅଛି ଧୂମ, ପଡ଼ୁଅଛି ତୋପ ଗୁଡ଼ୁମ ଗୁଡ଼ୁମ ।
ଚନ୍ଦ୍ରାତପ ତଳେ ବରାଜଇ ମଞ୍ଚ, ମହାର୍ହ ବସନ-ଭଷଣେ ସୁସଞ୍ଚ । ୩୦୬

  ପୃଷ୍ଠା ୨

ସ୍ତମ୍ଭାବଳୀ ପତ୍ରେ ହୋଇଛି ମଣ୍ଡନ, ଅଗ୍ରେ ଧାଡ଼ି ଧାଡ଼ି ରାଜେ ବେତ୍ରାସନ ।
ନୀରବେ ଗରବେ ପ୍ରହରୀମାଳିକା, ଦେଖାନ୍ତି ଭାସ୍ୱର ଅସ୍ତ୍ର ବିଭୀଷିକା ।
ଉପାଧି ଜଡ଼ିତେ ଉପାଧି ଜଡ଼ିତ, ଉପାଧିରେ ଆଜ କରିବେ ଜଡ଼ିତ ।
ପଦଟିଏ ଦେବେ କର୍ଣ୍ଣ ରସାୟନ,ପଦ ଅନୁରୂପେ ବସନ, ଭୂଷଣ ।
ଜଙ୍ଗ ଭକ୍ଷ କ୍ଷୟଶୀଳ ତଲବାର, ପୋଷାକ ଚୂଟିଆ ମୂଷାର ଆହାର ।
ମୋତିମାଳ ଅସ୍ଥି ବିକାର କେବଳ, ଜଳକା ନୟନେ ଦିଶେ ଯା ଉଜ୍ଜ୍ୱଳ ।
ଶିର-ପେଞ୍ଚ ଯାହା କିଛି ଦିନ ଅନ୍ତେ, ତରଳେ କରକା ପ୍ରାୟେ କାଳ-ଦନ୍ତେ ।
ପଦାର୍ଥ-ସମ୍ପର୍କ ଶୂନ୍ୟ ନୂଆ ପଦ, ସଙ୍ଗେ ମିଳିବ ଏ ନୂଆ ପରିଚ୍ଛଦ ।
ଏହି ଛାର ଏହି ଅକିଞ୍ଚିତକର, ସମ୍ମାନ ସକାଶେ ଏତେ ବ୍ୟସ୍ତ ନର ।
ହା ଧିକ! ଏ ତ୍ୱକସାର ପଦ ପାଇଁ, ଦେଉଛନ୍ତି ଲୋକ ସମ୍ପଦ ଉଡ଼ାଇ ।
ଏଥିପାଇଁ ଲୋକେ ହୁଅନ୍ତି କିଭଳି, ମନୁଷ୍ୟତା ହୀନ-ସେବା-ପିଠେ ବଳି!
ଉପାଧି ଲାଳସା ରୂପି ମହାବ୍ୟାଧି, ହୋଇଛି ସାତ୍ତ୍ୱିକ ଧରମର ବାଦୀ ।
ଅସାର ଝଟକ ହୋଇଅଛି ସାର, ଭଣ୍ଡତାର ବଢ଼ିଯାଇଛି ପ୍ରସାର ।
କରୁଛନ୍ତି ଲୋକେ ଉପାଧି ଆଶାରେ, ମନୂଷ୍ୟର ପୂଜା ଷୋଡ଼ଶୋପଚାରେ ।
ମନୂଷ୍ୟ ତୋଷିବା ପାଇଁ ସ‌ହି କଷ୍ଟ, ମନୁଷ୍ୟ ପଣରୁ ହେଉଛନ୍ତି ଭ୍ରଷ୍ଟ ।
ପଦପାଇଁ ଲୋକେ ହୋଇ ଲାଳାୟିତ, ତୋଷିବାକୁ ବ୍ୟସ୍ତ ମନୁଷ୍ୟର ଚିତ୍ତ ।
ଭ୍ରମନ୍ତି ମନୁଷ୍ୟ ପାଦ ଅନୁସରି, ସେହି ମନୁଷ୍ୟର ପୋଷା ଶ୍ୱାନ ପରି ।
ମନୁଷ୍ୟର ସ୍ମିତ ମନୁଷ୍ୟ ଭୃକୂଟି, ହୋଇଛି ଜୀବନ ମରଣର ବୁଟୀ ।
ମାନୁଷୀ ଅର୍ଚ୍ଚନା ଲାଗି ଅଗଣନ, ରଚନ୍ତି ଯତନେ ପୁଷ୍ପ ଉପବନ ।
ଦେବୀପାଇଁ ତ‌ହୁଁ ପୁଷ୍ପ ନେଲେ କେହି, ମାଳିଏ ମରନ୍ତି ଜରିମାନା ଦେଇ ।
ପବିତ୍ର ଶ୍ରୋତ୍ରିୟେ ନ କରି ଗୋଦାନ, ଇତରେ ଦିଅନ୍ତି କିଣି ଦିବ୍ୟ ଶ୍ୱାନ ।
ତପ୍ତ ବୈତରଣୀ ହେବେ ପରେ ପାରି, ସେହି କୁକ୍କୁରର ହୋଇ ପୁଚ୍ଛଧାରୀ ।
ଧିକ ଧିକ ଆହା ଜାଣି ଶୁଣି ନରେ, ଶାଶ୍ୱତକୁ ଛାଡ଼ି ଆସକ୍ତ ନଶ୍ୱରେ ।
ଚିଦାକାଶ ପକ୍ଷୀ ଜାଣି ଶୁଣି ମହା-, ଭ୍ରମ ଜାଲେ ପଡ଼ି ହୁଅନ୍ତି ଆତ୍ମହା ।
ଜାଣି ଶୁଣି ସିନା ବଣିଜର ପାଣ୍ଠି, କରନ୍ତି ଭେଲକୁ ଛାଡ଼ି ସୁନା ଖାଣ୍ଟି ।
ସତ୍ତ୍ୱାମୃତ ହୁଡ଼ି ହୁଅନ୍ତି ସକଳେ, ନଖଶିଖ ଘାରି ରାଜସ ଗରଳେ ।
ନଖଶିଖ ଘାରି ଥିବାରୁ ଅଜ୍ଞାନ, ଅବସ୍ତୁରେ ହେଉଅଛି ବସ୍ତୁଭାନ ।
ମନୁଷ୍ୟ ପୂଜାରେ ଯେତେକାଳ ଯାଏ, ଆତ୍ମତ‌ତ୍ତ୍ୱେ ଯେବେ ସେହିଥିରୁ ପାଏ ।
ସାରାସାର ବୁଝି ଦେଉଥାନ୍ତି ଲୋକେ, ଓହ୍ଲାଇ ଆସନ୍ତା ସ୍ୱର୍ଗ ମର୍ତ୍ତ୍ୟଲୋକେ ।
ନିରୁପାଧି ସତ୍ତା ପୀୟୁଷ ଆସ୍ୱାଦି, ସ୍ୱପ୍ନେ କେହି ଲୋଡ଼ୁ ନ ଥାନ୍ତେ ଉପାଧି ।

  ପୃଷ୍ଠା ୩

ହେଉଥାନ୍ତା ସିନା ଅଳ୍ଳେଶେ ଅର୍ଜନ, ଏ ମର ଜୀବନେ ଅମର ଜୀବନ ।
ହେଉଥାନ୍ତା, ଆହା ମର୍ତ୍ତ୍ୟେ ବିଶ୍ୱରୋହେ, ଦେବତା ମାନବ ଏହି ମର୍ତ୍ତ୍ୟଦେହେ ।
ମଞ୍ଚ ପାଶେ କିଆଁ ଏତେ ଲୋକ ଠିଆ, ଲାଗିଅଛି ପରା ଆସନ କଜିଆ ।
ନିଜ ଅହ‌ମିକା ସଦୃସ ଆସନ, ନ ଦେଖି ଥୋକାଏ ମହା କ୍ଷୁର୍ଣ୍ଣମନ ।
ଔପାଧିକା ରାଜା ଉଚ୍ଚାସନେ ରୁଷି, କ୍ଷୁର୍ଣ୍ଣ ହୋଇଛନ୍ତି ରାଜା ମଉରୁସି
ଆସନ ସକାଶେ ବୃଦ୍ଧେ ଏତେ ବାଇ, ବାଳକେ ଯେସନ କ୍ରିଡ଼ନ‌କ ପାଇଁ ।
ଲଡ଼ୁ ଲାଗି ଯାହ୍ନେ ଲଢ଼ୁଥାନ୍ତି ପିଲା, କେତେ ବୃଦ୍ଧ କରୁଛନ୍ତି ବାଳ‌ଲୀଳା ।
କେହୁ ବୋଲେ ମୁହିଁ ଉଚ୍ଚ ପଦ‌ଧାରୀ, ଉଚ୍ଚ ଆସନର ମୁହିଁ ଅଧିକାରୀ ।
ଆନ ବୋଲେ ମୁହିଁ ଉଚ୍ଚ ବଂଶଧର, ତୁ ସିନା ଅଢ଼େଇ ଦିନର ଚାକର ।
ବଡ଼ ସିନା ତୁହି ରାଜ୍ୟ ରାଜ୍ୟଦତ୍ତ ମାନେ, ମାତ୍ର ତୋର କାହିଁ ନାହିଁ ଭୂମି ମାଣେ ।
ମୋତେ କେ ନ ଜାଣେ ଏ ମହୀମଣ୍ଡଳେ, ମୋର ଏ ଆସନ କିମ୍ପା ହେଲା ତଳେ ।
ଆନ ବୋଲେ ମୁହିଁ ପାଇକର ନାହା, ବିପଦେ ରାଜାର ଆଶ୍ରା ମୋର ବାହା ।
ଏହି ହସ୍ତେ କେତେ ମସ୍ତକ ଉଡ଼ାଇ, କେତେ କେତେ ଗ୍ରାମ ଦେଇଛି ପୋଡ଼ାଇ ।
ସଂଗ୍ରାମେ ପଦକ ଦେଲେ ମୋତେ ରାଣୀ, ମୋହଠାରୁ ପୁଣି କିଏ ବଡ଼ ମାନୀ ।
ଆନ ବୋଲେ ମୁହିଁ ଅଟଇ ପୁଲିସ, ବିନା ମେଘେ ସୃଜି ପାରଇ କୁଳିଶ ।
କି ଦୋଷୀ, କି ଅବା ଦୋଷହୀନ ନର, ମୋ ପ୍ରତାପେ ରାଜ୍ୟେ ସର୍ବେ ଥରହର ।
କିବା ଦୁଃଖୀ ରଙ୍କି କୋଟିପତିଏ, ଲାଲ ପଗଡ଼ିକି ନ ଡରନ୍ତି କିଏ ।
ମୋତେ ଦେଖି କିଏ ନ ଭଜେ କମ୍ପକୁ, କିଏ ନ ଡରଇ ଉତ୍‌ଫଣ ତମ୍ପକୁ ।
ରାଜାଙ୍କ ଅଟଇ ବିଶ୍ୱାସ ମୋ ଠାରେ, ମୋହଠାରୁ ବଡ଼ କିଏ ଦରବାରେ ।
ଅନ କ‌ହେ ମୁହିଁ ନ‌ଗର ରକ୍ଷିଣୀ, ସଭାର ସଦସ୍ୟ ଦଳର ଅଗ୍ରଣୀ ।
ଲାଟଙ୍କର ହେଲେ ଶୁଭ ଆଗମନ, ସର୍ବାଗ୍ରେ କରନ୍ତି ମୋ ପୂଜା ଗ୍ରହଣ ।
ମୋର ହସ୍ତେ ନ୍ୟସ୍ତ ନ‌ଗରର ଚାବି, ସମ୍ମାନେ ମୋହର ସର୍ବୋପରେ ଦାବୀ ।
କେହି ବୋଲେ ମୁହିଁ ଅଟଇ ଦିପୋଟୀ, କଳା ଲୋକଙ୍କର ଉନ୍ନତିର କୋଟୀ ।
ଲଭିଅଛି ମୁହିଁ କଳେ କଉଶଳେ, ମୋତେ ପୁଣି କିଏ ବସାଇବ ତଳେ ।
ଲୋଭୀ ଲୋକେ ଯଥା ସ୍ୱମର୍ଯ୍ୟଦା ଜଗି, ପ୍ରତିବାସି-ପତ୍ରେ କ‌ହେ ଦେବା ଲାଗି ।
କେହି ଅବା ନିଜ ଦୁଃଖକୁ ଘୋଡ଼ାଇ, ପ୍ରତିବାସି-ଦୁଃଖ ଗାଇ ହେଉଥାଇ ।
କ‌ହେ ନ୍ୟାୟ ନାହିଁ ଏହି ଦରବାରେ, ତା ଆସନ ତୁମ୍ଭ ଆଗେ କି ବିଚାରେ ।
ସଭାପତିଙ୍କର ଖଟଣୀ କିଙ୍କର, ବୋଲି କେହି ହେଉଛନ୍ତି ଫରଫର ।
ଗରୁଡ଼ ଉପରେ ଦେଖାନ୍ତି ପ୍ରତାପ, ସେ ଯେଣୁ ଅଟନ୍ତି ଶିବଙ୍କର ସାପ ।
ସବୁ ଦେଶୈ, ସବୁକାଳେ ଉର୍ଦ୍ଧ୍ୱ ମୁହିଁ, ହୋଇଥାନ୍ତି ସିନା ଶ୍ରୀଛାମୁ-ଛାମୁଆ ।
ଲାଗିଛି ଏରୁପେ ଅହ‌ମିକା ଖେଳ, ଅହ‌ମିକା ସିନ୍ଧୁ ହୋଇଛି ଉଦ୍‌ବେଳ ।
ଅହ‌ମିକା-ବାୟୁଗ୍ରସ୍ତ ହୋଇ ବ୍ୟସ୍ତେ, ମୁଁ ମୁଁ କରି ଆହା ମରନ୍ତି ସମସ୍ତେ ।

  ପୃଷ୍ଠା ୪

ଘୋଟିବୀର ଘୋର ରଜୋରୂପୀ ବ୍ୟାଧି, ଉପାଧୀରେ ବୁଡ଼ି ଲୋଡ଼ନ୍ତି ଉପାଧୀ ।
'ମୁଁ' ଭାବେ ଜଡ଼ିତ ଅମର ଚିତ୍‌କଣା, ଦେଖାଉଛି ରବେ ସ‌ହସ୍ର ପେଖନା ।
ଲଭଇ ଲାଞ୍ଛନା ଆହା କେତେ ରୂପେ, ପଡ଼ି ଅହ‌ମିକା-ରୂପୀ ଅନ୍ଧକୂପେ ।
ପିନ୍ଧି ନୂଆ ଚକଚକିଆ ପୋଷାକ, ଥୋକାଏ ବ‌ହ‌ନ୍ତି ମନେ ବଡ଼ଜାକ
ଭ୍ରମନ୍ତି ଚୌଦିଗେ ଅଙ୍ଗଭଙ୍ଗୀ କରି, ଅହ‌ମିକା ବନେ ପ୍ରଜାପତି ପରି ।
କିମ୍ବା ଘନ‌କାଳେ ଉଚ୍ଚେ ବର୍ହ ତୋଳି, କେକୀ ନାଚେ ଯଥା ଦୋହଲି ଦୋହଲି ।
ସାହେବି ପୋଷାକ କେହୁ ଅବା ପିନ୍ଧି, ସସ୍ମିତେ କ‌ହଇ ବଙ୍କା ବଙ୍କା ହିନ୍ଦୀ ।
ଥରେ ଥରେ କାଶି ସାହେବୀ ଠାଣିରେ, ପୋଛଇ ବଦନ ରୁମାଲ କାନିରେ ।
ପ୍ରକଟାଇ ପୂରା ସାହେବ ପଣିଆ, ଫରକଟା ଗୋଡ଼େ ହୁଏ ଗୁଣି ଠିଆ ।
ମିସି ଘସିଥିବା ବିସିନୀ ଯେସନ, କରୁଥାଇ ଦନ୍ତ୍ୟ ବର୍ଣ୍ଣ୍ୟ ଉଚ୍ଚରଣ ।
କୁଣ୍ଡଳ ଦେଖାଇ ହେବା ଅଭିପ୍ରାୟେ, କୁଣ୍ଡଳୀ ଯେସନେ ମୁନ୍ଡକୁ ହଲାଏ ।
ସମୟ ଜାଣିବା ମିଛ ବାହାନାରେ, ଘଡ଼ି କାଢ଼ି କେହି ଦେଖାଏ ବାହାରେ ।
ନାନା ଅଳଙ୍କାରେ କରେ ଝଲମଲ, ନବ୍ୟଘଡ଼ି, ଚେନ, ପ୍ରାଚୀନ କୁଣ୍ଡଳ ।
ହୃଦେ ଲମ୍ବମାନ ସୁବର୍ଣ୍ଣ-ତକମା, ନାସିକା ଶୋଭନ ସୁବର୍ଣ୍ଣ ଚଷମା ।
କେତେ ରଙ୍ଗ କରୁଛନ୍ତି କେତେ ଜଣ, କ‌ହିଲେ ନ ସରେ ନର ଫୁଲାପଣ ।
ଘାରିଅଛି ପ୍ରତିଜନେ ଯେହ୍ନେ ନିଶା, କି ଛାର କଥାରେ କି ଘୋର ଜିଗୀସା ।
ଅକିଞ୍ଚନ କେହୁ କ‌ହେ ହାତଜୋଡ଼ି, ବୃଥା ଲାଗ କିପାଁ କାମୋଡ଼ା କାମୋଡ଼ି ।
ଅଳ୍ପ ଦିନ ସ୍ଥିତି ପାଇଁ ଭବଚଟି, ଏଥିଲାଗି କିପାଁ ଏତେ କଟାକଟି ।
ମଣ ସିନା ଆପଣାକୁ ବଡ଼ କରି, ମାତ୍ର କଥା-ବୃକ୍ଷ ଦେହେ ମଶା ପରି ।
ମହୀରେ କାହାରି ପ୍ରବେଶ ପ୍ରୟାଣେ, ଓଜନ ଉଶ୍ୱାସ ମହୀ ତ ନ ଜାଣେ ।
ଦେଖ ସାବଧାନେ ଜ୍ଞାନ ନେତ୍ରା ଫେଇ, ତୁମ୍ଭ ମଧ୍ୟେ ବଡ଼ ସାନ ନାହଁ କେହି ।
ସାନ ବଡ଼ ଜ୍ଞାନ ଭେକର ଭିଆଣ, ଭେକ ତଳେ କେହି ନାହିଁ ବଡ଼ ସାନ ।
ଜଣେ ଜଣେ ଗୋଟି ଗୋଟିଏ ସୁଆଙ୍ଗ, ଚାଲିଯିବ ଭବ ଲୀଳା ହେଲେ ସାଙ୍ଗ ।
ସର୍ବେ ଯିବ ଭାଇ ଉଭେଇ ଅଚିରେ, ବୁଦବୁଦ ପରାୟେ ଏହି ନ‌ଦୀ ନୀରେ ।
ଅଖଣ୍ଡ ଦଣ୍ଡାୟମାନ କାଳ ସିନ୍ଧୁ, ମଧ୍ୟେ ବିନ୍ଦୁ ରହି ନୁହେଁ ଏକ ବିନ୍ଦୁ ।
ମାଟି ଘଟେ ରହି ବୃଥା ଅଭିମାନ, ଅଜ୍ଞାନେ ଧରେକୁ କର ସରା ଜ୍ଞାନ ।
ଅଜ୍ଞାନେ ନଶ୍ୱର ଭାଗ୍ୟର ଗରବେ, ଭାଳ ତୁମେ ତିମି ଶଙ୍କରୀ ସରବେ ।
ସପ୍ତବିତସ୍ତିର କୀଟ ହୋଇ, ଭାଇ, ବୃଥା କର କିପାଁ ଭାଗ୍ୟର ବଡ଼ାଇ ।
ବୃଥା କିପାଁ କର ସମ୍ପଦେ ବିଶ୍ୱାସ, ବିଜୁଳି ପ୍ରାୟେ ଯା ବିଭାର ବିକାଶ ।
ସୁଖ ଝଟକେ ଯେ ଚକ୍ଷୁ ଚମକାଇ, ଦୁଃଖ ବଜ୍ରରେ ନରେ ଧରାଶାୟୀ ।
ବୃଥା ବ‌ହି ଏହି ଭଙ୍ଗୁର ରୋଗଭୁ, ମଣ ଆପଣାକୁ ଜଣେ ଜଣେ ପ୍ରଭୁ ।

  ପୃଷ୍ଠା ୫

ରୋଗ ବ୍ୟାଜେ କାଳ ଥରେ ଥରେ ଚୁଟି, ଝିଙ୍କି ଦେଲେ, ଏହି ଦର୍ପ‌ଯାଏ ତୁଟି ।
ଦର୍ପ ତୁଟେ କ୍ଷଣେ ଭେଟେ ବିପଦର, ହାବୋଡ଼େ ଆଦି ଯେ ନ ଦେଇ ଖବର ।
ଅବଧି କି ସେହି ଦର୍ପ ତୁ‌ଟି ନାହିଁ, ଲଢ଼ୁଛି କିପରି କିବା କଥା ପାଇଁ ।
କେତେ ଦିନ ଲାଗି ମର୍ତ୍ତ୍ୟେ ଅବା ଘର, ଏଥି ଲାଗି କିମ୍ପା ଏଡ଼େ ଆଡ଼ମ୍ବର ।
ମର୍ତ୍ତ୍ୟେ ପଡ଼ି କାନ୍ଦି ଲୋଡ଼ ଦୁଧ ଥୋଡ଼ା, ଯିବାବେଳେ ଛଅ କାଠ ଖଣ୍ଡ ଲୋଡ଼ା ।
ମଧ୍ୟ କେତେ ଦିନ ମାତର କୁଣିଆ, ଏଥି ପାଇଁ ପୁଣି ନ ଅଣ୍ଟେ ଦୁନିଆ ।
କେତେ ଦିନ ପାଇଁ ଦର୍ପର ପତାକା, ତୋଳି ଦେଉଥିବ ଖାଉଥିବ ଧକା ।
ଏହି ଦରବାରେ ରୁଣ୍ଡ ଯେତେ ନରେ, ଏଥିରୁ ଥୋକାଏ ବର୍ଷକ ଭିତରେ ।
ଅନ୍ୟ ଦରବାରେ ହେବେଟି ତଲବ, ତୁମ୍ଭେ ତ‌ହିଁ ଥିବା ନୁହେଁ ଅସମ୍ଭବ ।
ସେ ଦାରୁଣ ଦରବାରେ ଯିବା ପାଇଁ, ଗାଡ଼ି ଘୋଡ଼ା ଆଦି ଲୋଡ଼ା ହେବ ନାହିଁ ।
ପାଇକ ସ୍ୱରୁପେ ଆଦି ରୋଗ ନାନା, ଦେଖାଇବେ ତଲବର ପର‌ୱାନା ।
ତଲବ ନୁହଇ, ୱାରଣ୍ଟ ସିନା ସେ, ନ ଦେବ ମାଗିଲେ ମହଲତ ମାସେ ।
କରି ଯିବାପାଇଁ ନୋହି ବ୍ୟତିବ୍ୟସ୍ତ, ଘରବାଡ଼ି ଜମି ଜମା ବନ୍ଦବୋସ୍ତ ।
ଆର୍ତ୍ତ ଦାରା ସୁତ ରୋଦନ ମୁଖର, ସ୍ନେହକାରି ଜନ ଲୋତକେ ଜର୍ଜ୍ଜର ।
ମୃତ୍ୟୁ ଶ‌ଯ୍ୟା ଅଣଞ୍ଚାଶ ଲୀଲାସ୍ଥଳୀ, ସେ ଦରବାରର ଭୀଷଣ ଦେହଳୀ
ଅଭ୍ରାନ୍ତ ଘଟିକା ଯନ୍ତ୍ର ବାମ କରେ,ଭୀମ କାଳଦଣ୍ଡ ଧରି ବାମେତରେ ।
ସେହି ବୈଶ୍ୱାନର ଦରବାରେ ନିଜେ, ପ୍ରେତପତି ସଭାପତି ରୂପେ ବିଜେ ।
ଥରେ ମନେକର ସେହି ଦରବାର, କିଭଳି ଆସନ ଲଭିବ ସେଠାର ।
କିଭଳି ପୋଷାକ ଲୋଡ଼ା ହେବ ତ‌ହିଁ, ଲଭିବ ସମ୍ମାନ କେଉଁ ଗୁଣ ବ‌ହି ।
ଏ ଦରବାରର ଆସନ ଫରଦ, ଚିତ୍ରଗୁପ୍ତ ପାଞ୍ଜି କରିଦେବ ରଦ୍ଦ ।
ତୋତେ ରୋଚୁ ଅବା ନ ରୋଚୁ ସେ ନ୍ୟାୟ, ଚରମ ଅଟଇ ଚିତ୍ରଗୁପ୍ତ ରାୟ ।
ନ ଥିବେ ଓକିଲ ଲଢ଼ି ଯେ ମାମଲା, କରିଦେବେ ଯୁକ୍ତିବଳେ କଳାଧଳା ।
କରୁବି ନାହିଁଟି ସ୍ୱପନେ ଏ ପାଞ୍ଚ, ଉଚ୍ଚାସନ ନେବୁ ତ‌ହିଁ ଦେଇ ଲାଞ୍ଚ ।
କେଜାଣେ ବସିବ ତୋତେ ପାଦେ ଦଳି, ତୋହରି ଉପରେ ତୋର ଅରଦଳି ।
ସେ ଦରବାରେ ତ ଗଣା ହେବନାହିଁ, ଉଚ୍ଚ ପଦ ତୋର କିମ୍ବା ଦରମା ହିଁ ।
କିମ୍ବା ଭୁସମ୍ପତ୍ତି କିମ୍ବା ରାଜପଣ, କିମ୍ବା ବିଦ୍ୟା କିମ୍ବା ବୁଦ୍ଧି ଚିଚକ୍ଷଣ ।
ଉଇଲସେନ ଘରୁ ସୁଆର ଅଣାଇ, କେତେ କେତେ ଭୋଜି ଦେଇଅଛ ଭାଇ ।
ଦେଇଅଛ ଡାଲା ଭରି ମେବା ନାନା, ଦେତେ ଥର ଦେଇଅଛ ନାଚଖାନା ।
ଦୁଃଖୀ ରଙ୍କୀ ତଣ୍ଟି ଚିପି ବାରମ୍ବାର, ଦାତାପଣ କେତେ କରୁଛ ପ୍ରଚାର ।
ସମ୍ପାଦିବା ଲାଗି ଜନତାର ପ୍ରୀତି, ଭୋଜ ପରେ ଭୋଜ ଦେଉଅଛି ନିତି ।

  ପୃଷ୍ଠା ୬

ନିତି-ମୁଣ୍ଡ ଖାଇ ନ‌ଚାଉଛ ବାଈ, ଫୁଟାଉଛ ବାଣ ଚକ୍ଷୁ ଚମକାଇ ।
ସୁଜ୍ଞଜନେ ତୁମ ନାଟ ଦେଖି କାବା, ଜନତା କୁହାଟେ ବାହାବା ବାହାବା ।
ବ‌ହୁ ବ୍ୟୟେ ଏହି ବ‌ହୁଶିର୍ଷ ପଶୁ, ତୋଷି ସିନା ଖାଲି କୁଟୁଅଛ ଚଷୁ ।
ଅଢ଼େଇ ଦିନିଆ ଯଶ ଲାଗି ବାଇ, ହୋଇ ବୃଥା କାର୍ଯ୍ୟେ ଲାଗିଛ କିପାଇଁ ।
ଭାଳିଛ ପରା ଏ କଥା ମର୍ତ୍ତ୍ୟେ ନର, ଗାଇବେ ଯାବତ ଚନ୍ଦ୍ର ଦିବାକର ।
ଭାଳିଛ ପରା ଏ ଦୀପ ନ ଲିଭିବ, ବିସ୍ମୃତି ଅନ୍ଧାରେ ସଦା ଜଳୁଥିବ ।
ଲେଖୁଅଛି ନିଜ ନାମ ଏହିମତେ, ବାଳ ପ୍ରାୟେ କାଳ ସିନ୍ଧୁ ସଇକତେ ।
ଲିଭାଇ ଦେବ ଯେ ପରକ୍ଷଣେ ଆସି, ନାଚି ନାଛି ଫେନ‌ଚୂଡ଼ ଜଳରାଶି ।
ବୃଥା କରୁଅଛ ଅସାର ଆଟ୍ଟୋପ, ଛତ୍ରୀକ ପ୍ରାୟେ ଯା ଉଇଁ ଭଜେ ଲୋପ ।
ବୃଥା ଲୋଡ଼ି ହେଉଅଛ ଆତ୍ମଘାତୀ, ଦୁନିଆର ଦୁଇ ଦିନିଆ ସୁଖ୍ୟାତି ।
ଜନତାର ଯଶ ପାଣିର ଫୋଟକା, ହୀରା ଭ୍ରମେ କିପାଁ ଲୋଡ଼ୁଛ କରକା ।
ସାର ମଣ କିପାଁ ଅସାର ଧନୁକୁ, ତାରା ମଣ କିପାଁ ଜ୍ୟୋତିରିଙ୍ଗଣକୁ ।
ଏ ଯଶ ତୁମ୍ଭର ଖ୍ୟାତ ଦୁନିରେ, ପଣ୍ଡ ହେବ ସିନା ଯମ ଦରବାରେ ।
ଗ୍ରାସେ ଅନ୍ନ ଦେଇ ଭୋଜୀକି କେବଳ, ଶୋଷୀକି ମନ୍ଦାଏ ମାତ୍ର ଦେଇ ଜଳ ।
ତୋହ ପରେ ତ‌ହିଁ ବସିବେ ଗୌରବେ, ତୋର ମତେ କେତେ ନ‌ଗଣ୍ୟ ମାନବେ ।
ବଡ଼ ଟାଣ, ଭାଇ ଚିତ୍ରଗୁପ୍ତ-ହିଆ, ବିଚକ୍ଷଣ ତାର ପାଞ୍ଜିଆ ପଣିଆ ।
ଥାଉ ଆନ ଚିତ୍ତେ, ଚିନ୍ତୁଥାଉ ଯାହା, ତା ପାଞ୍ଜିରେ ଲେଖା ହୋଇଯାଏ ତାହା ।
ନରର ସମଗ୍ର ଜୀବନର ଚିତ୍ର, ପାଳକେ ଦେଖାଏ ସେ ପାଞ୍ଜି ବିଚିତ୍ର ।
ଚିନ୍ତାପୁରେ ଅଛି ଯେତେ ଗଳିକୁଞ୍ଚି, ରହି ନ ପାରେ ତା ଆଲୋକରେ ଲୁଚି ।
କି ବହିର୍ଜଗତେ, କି ଅନ୍ତର୍ଜଗତେ, ଯେତେବେଳେ ଯାହା ଘଟେ ଏ ଜଗତେ ।
ସବୁ ଲେଖେ ସେହି ପାଞ୍ଜିକାର ରାଢ଼, କଡ଼ା ଦାଢ଼ ତହୁଁ ଯାଏ ନାହିଁ ଛାଡ଼ ।
ବ୍ରହ୍ମାଣ୍ଡେ ତା ପାଇ ନହିଁ ପାଞ୍ଜିକାର, ତା ହିସାବ ପୁଣି ଦୁନିଆ ବାହାର ।
ଏ ପଦ ଗୌରବ ଏତେ ସାଜସଜ୍ଜା, ପ୍ରତି ତାର ତିଳେ ନାହିଁ ଚକ୍ଷୁଲଜ୍ଜା ।
ସେ ନ ମାନେ ତୋର ମୃଦୁ ହାସଚ୍ଛଟା, ସେ ନ ଜାଣେ ପାନ ପତରର ଘଟା ।
ସେ ଗଣିବ ନାହିଁ ତୋର ସୁନା ଘଡ଼ି, ଗଣିବ ନାହିଁ ତୋ ଶାଲର ପଗଡ଼ି ।
କରିଦେବ ଯେତେ ସେହୁ ତୋତେ କାବୁ, ସେଠାରେ ନ ଥିବେ କେହି ଦେଶୀ ବାବୁ ।
ତୋହର ଆସନ ଟେକି ଦେବାପାଇଁ, ଶ୍ୱେତାଙ୍ଗ ଛାମୁରେ ମିଛ ସତ ଗାଇ ।
ପ୍ରତାରଣା ବର୍ତ୍ତି ନ ପାରେ ତା ଆଗେ, ବାହାର ଭିତର ଦେଖେ ସେହି ଲାଗେ ।
ବହୁ ତାର୍କିକ ସେ ଶୁଣି ତା ଯୁକତି, ବଣା ହେବେ ନିଜେ କଣାଦ ଭାରତୀ ।
ମାନଦଣ୍ଡ ତାର ଅଦ୍ଭୁତ ଭିଆଣ, ମାପେ ଯାର ସାନ ବଡ଼, ବଡ଼ ସାନ ।

  ପୃଷ୍ଠା ୭

ଭବ ସୁନା ବୋଲି ଭବେ ଯେ ବିଳାସେ, ଭେଲ ସିନା ଚିତ୍ରଗୁପ୍ତର ନିକଷେ ।
ତରାଜୁ ଯାହାର ଦୁନିଆ ବାହାର, ଗୁରୁ ଲଘୁ, ଲଘୁ ଗୁରୁ ଯାର ।
ଜେତା ଜିତେ ତାର ନାହିଁ ଭେଦ ଜ୍ଞାନ, କଳା ଧଳା ଚର୍ମ ତା ନେତ୍ରେ ସମାନ ।
ଭିଆଇ ନ ପାରେ ତା ଚିତ୍ତେ ଚମକ, ଏ ମହାଭାସ୍ୱର ଅସ୍ତ୍ରର ଚମକ ।
କରଇ ସେ କେତେ ରଙ୍ଗ, କେତେ ମଜା, ବସି ଦିଅଇ ରାଜା ପରେ ପ୍ରଜା ।
ବାଗୀଶ ଉପରେ ବସାଏ ବାଳିଶ, ସବାର ଉପରେ ବସାଏ ସଇସ ।
ଦୁର୍ବାଳକୁ ଦିଏ ବଳୀ ପରେ ସ୍ଥାନ, ସୁସ୍ଥଠାରୁ ଦିଏ ରୋଗୀକି ସମ୍ମାନ ।
ସୁନ୍ଦର ଉପରେ ବସାଏ କୁତ୍ସିତ, ବସାଇ ଦିଏ ସେ ଜେତା ପରେ ଜିତ ।
ଯେତେ ହୋଇ ଯାଇଥିଲେ ଘସି ମାଜି, ଭାଙ୍ଗି ଦିଏ ଦର୍ପ ଚିତ୍ରଗୁପ୍ତ ପାଞ୍ଜି ।
ସେ ନ ମାନେ ଭାଇ ଫେସନ ଚେହେରା, ବାବୁ ପରେ ଦିଏ ବସାଇ ବେହେରା ।
ସିଂହ ପରେ ଦିଏ ବସାଇ ଶଶାକୁ, କରଣ ଉପରେ ବସାଏ ଚଷାକୁ ।
ଜ‌ଜ୍ ପରେ ଦିଏ ବସାଇ ଆସାମୀ, ରଇତ ବସାଇ, ବସାଏ ଭୁସ୍ୱାମୀ ।
ବସାଏ ଚଣ୍ଡାଳ ପରେ ଶ୍ରେଷ୍ଠ ବର୍ଣ୍ଣ, ଅଧମର୍ଣ୍ଣ ତଳେ ତାର ଉତ୍ତମର୍ଣ୍ଣ ।
ମାଗିବ ଯେବେ ସେ ମର୍ତ୍ତ୍ୟର ହିସାବ, କି ହିସାବ ଦେବ ବେଳୁ ତାହା ଭାବ ।
ଭଣ୍ଡିବାର ତାକୁ ନୁହଇ ସ‌ହଜ, ନିଖାରି ନିଖାରି ଦେଲେ ସେ କାଗଜ ।
ଦେଇଅଛି କେତେ କୋଠି ଭଡ଼ା ଛାଡ଼ି, ଦେଇଅଛି କେତେ ଥର ଘୋଡ଼ାଗାଡ଼ି ।
କେତେଥର ଯାଇ ବିକ୍ରୟ ନିଲାମେ, କିଣିଅଛି ଦ୍ରବ୍ୟ ଚତୁର୍ଗୁଣ ଦାମେ ।
ବାଣ ପ୍ରଦର୍ଶନ, ତୋରଣ ଗଠନ, ସ୍ୱର୍ଣ୍ଣାକ୍ଷରେ ଅଭିନନ୍ଦନ ମୁଦ୍ରଣ ।
ଆଦି ଶୁଭକାର୍ଯ୍ୟେ ନେତୃପଣ ନେଇ, ଅକାତରେ କେତେ ମୁଦ୍ରା ଅଛି ଦେଇ ।
ଦେଇଅଛି ଭୋକେ କେତେ ମାଂସ ସୁରା, ତା ପାଇଁ କଡ଼ାଏ ନୋହିବ ମଜୁରା ।
ସେ ଦରବାରର ରୀତି ନୀତି ଭାବି, ଧର୍ମେ ବଳବାନ କର ନିଜ ଦାବୀ ।
ଚତୁରପଣର ଥିଲେ ଅଭିମାନ, ମର୍ତ୍ତ୍ୟ ଅଭିମାନ ଦିଅ ବଳିଦାନ ।
ଶୋଭଇ କି ଭାଇ ତୁମ୍ଭର ବିଶ୍ୱରେ, ଶାଶ୍ୱତ ହୋଇ ଏ ମମତା ନଶ୍ୱରେ ।
ଦେବାର ଲୋଡ଼ୁଛ ଯେ ସମ୍ମାନ ପାତ୍ର, ସ୍ୱର୍ଣ୍ଣ ନୁହଇ ତା ସ୍ୱର୍ଣ୍ଣାଭାସ ମାତ୍ର ।
ସ୍ୱର୍ଣ୍ଣମଣି ଯାର ପାଇବାର ଆଶ, ଭେଲପାଇଁ କିପାଁ ତାର ଏ ପ୍ରୟାସ ।
ବିନୟେ କ‌ହୁଛି ଶୁଣ ମୋର ବୋଲ, ନିଦା ମଣି ଭ୍ରମେ କିପାଁ ନିଅ ପୋଲ ।
ଶିଶୁ ମନୋହର ବାହାରର ଝଳି, ଦେଖି କର କିପାଁ ଶିଶୁ ପ୍ରାୟେ ଅଳି ।
କେତେ ବଡ଼ ତୁମ୍ଭେ, କେତେ କ୍ଷୁଦ୍ର ପୁଣି, ଜାଣି ହୁଅ ଏହି କଜିଆରେ ତୁନୀ ।
ଅସାର ବ୍ୟାପାରେ ନିରତେ ନିଲେପ, ରହି ସାର ତ‌ତ୍ତ୍ୱେ କର କାଳକ୍ଷେପ ।
ନ ପଡ଼ି ବଡ଼ିମା ତାମସ ଗ‌ହ୍ୱରେ, କ୍ରମେ ଉଠ ଧର୍ମ ଶଇଳ ଶିଖରେ ।୩୧୨

  ପୃଷ୍ଠା ୮

ଚାହିଁଲେ ଯେସନ ଶଇଳ ଶିଖରୁ, ସମ ଦିଶେ ମହୀସ୍ଥିତ ତୃଣ ତରୁ ।
ଧର୍ମ ନେତ୍ରେ ସାନ ବଡ଼ ଦୁନିଆର, ଦୂରୁ ସବୁ ସିନା ଦିଶେ ଏକାକାର ।
ଧର୍ମ ଶୈଳେ ବସି ନିରତେ ନିଃସଙ୍ଗ, ହୋଇ ଦେଖ ଦୂନିଆର ନାଟ ରଙ୍ଗ ।
ଦୁନିଆର କଳିଗୋଳର ତୁଫାନ, ଉର୍ଦ୍ଧେ ରହି କର ଶାନ୍ତି ସୁଧା ପାନ ।
ମଣ ନାହିଁ ମୁହିଁ ନେଇଛି ଏସନ, ଜ୍ଞାନ ଦର୍ପେ ଜ୍ଞାନ‌ଦାତାର ଆସନ ।
ଥୋଇ ଏ ମୁକୁର ତୁମ୍ଭ ଆଗେ ଭାଇ, ନିଜ ମୁଖ ମୁଁ କି ନିଜେ ଦେଖୁନାହିଁ ।
ପାସୋରି ନାହିଁ ମୁଁ ହେଉଅଛି ବ୍ୟସ୍ତେ, ଏକା ଅନ୍ଧକୂପ ଦରାଣ୍ଡି ସମସ୍ତେ ।
ପାସୋରି ନାହିଁ ମୁଁ ସ୍ୱପ୍ନେ କଦାଚିତେ, ସର୍ବେ ଅଛୁ ଏକ ଦ‌ଦରା ବୋଇତେ ।
ଆଗେ ପଛେ ତୋଳି ଭୀମ ଉର୍ମିମାନ, ଭବ ଜଳଧୀରେ ଗର୍ଜଇ ତୋଫାନ ।
ଯେଣେ ମନ ତେଣେ ଚାଲୁଅଛି ନାହା, ନାହିଁ କଢ଼ୁଆଳ ଦେଖାଇବ ରାହା ।
କାହୁଁ ଅଇଲା ଏ କାହୁଁଯିବ ବାହି, କ‌ହିବାକୁ ଏଅ ନାବେ କେହି ନାହିଁ ।
କେହି ନାହିଁ ଏଥି, ହେବ ଯେ ଭାଜନ, ଫେଡ଼ିବାକୁ ଏ ସମସ୍ୟା ସନାତନ ।
ଜାଣେ ମୁହିଁ ଏହି ସାଂଯାତ୍ରିକ ଦଳେ, ହୀନଠାରୁ ହୀନ ମୁହିଁ ଜ୍ଞାନବଳେ ।
ଅଜ୍ଞାନ ଅଟେ ମୁଁ ଏ ଜ୍ଞାନୁ ବଞ୍ଚିତ, ଭାଳ ନାହିଁ ଭାଇ ମୋତେ କଦାଚିତ ।
ପ୍ରଭେଦ ମଧ୍ୟରେ ଏତିକି କେବଳ, ଯହିଁ ତୋଫାନର ସବୁଠାରୁ ବଳ ।
ଗୁଣ-ବୃକ୍ଷ-ଚୂଳେ, କେଜାଣି କିପାଇଁ। ଭାଗ୍ୟ ମୋତେ ଭାଇ ଦେଇଛି ବସାଇ ।
ହେଉଅଛି ନାଆ କେତେ ଟଳମଳ, ତୋଫାନ କିପରି ହେଉଛି ପ୍ରବଳ ।
ସବୁଠାରୁ ମୁହିଁ ଜଳୁଛି ଅଧିକ, ସବୁଠାରୁ ଯେଣୁ ହଲୁଛି ଅଧିକ ।
ତେଣୁ ଆର୍ତ୍ତେ ସିନା ପକାଉଛି ହୁରି, ନୁହେଁ ଏହା ଜ୍ଞାନ ଗୁମାନ ଚାତୁରୀ ।
ସମଦୁଃଖୀଠାରେ ଦୁଃଖି ଆର୍ତ୍ତନାଦ, ସିନା ଏହା, ନୁହେଁ ଅଜ୍ଞେ ପ୍ରଜ୍ଞାବାଦ ।
ଆହେ ମାନଶୌଣ୍ଡ ଭୂପାଳ ମଣ୍ଡଳି, ଦେଇଛ କି କୁଳଧର୍ମେ ଜଳାଞ୍ଜଳି ।
ବୃଥା କିପାଁ ହେଉଅଛ ହୀନମାନ, ସିଂହାସନ କର ସ୍ୱର୍ଗର ସୋପାନ ।
ଜନ୍ମ ଫଳେ ଲଭିଅଛ ଅପ୍ରମିତ, ଶକ୍ତି ସାଧିବାକୁ ସଂହାରର ହିତ ।
ଜନ୍ମ ଫଳେ ଲଭି ସମ୍ପଦ ଅମାପ, ଭୋଗିନାହଁ କେବେ ଅଭାବର ତାପ ।
ଜମା ଅନୁରୂପେ ବ୍ୟୟ ଲାଗି ଦାୟୀ, ହେବ ଏହା ଦିନେ ମନ କଲନାହିଁ ।
ଏ ଯୋଗ ଜଗତେ ପାନ୍ତି କେତେଜଣ, ଏହାପାଇଁ ତୁମ୍ଭେ ହେଲ ଅଭାଜନ ।
ବୁଡ଼ିନ ରହିଲ ଆମୋଦେ ଆବାଲ୍ୟ, ବିଦ୍ୟାକୁ ମଣିଲ ଶିବ ନିରମାଲ୍ୟ ।
ରକ୍ଷଣ, ପାଳନ, ଭୋଗ ଏ ଧରାର, ତିନି କାର୍ଯ୍ୟେ କଲ ତୃତୀୟକୁ ସାର ।

  ପୃଷ୍ଠା ୯

ପରସେବା ଲାଗି ତୁମ୍ଭର ଜନମ, ଆତ୍ମସେବା କଲ କୌଳିକ ଧରମ ।
କାଷ୍ଠ କଣ୍ଠିରବ ମାତ୍ର ଜଣେ ଜଣେ, ପ୍ରଧାନ ମନୁଷ୍ୟେ ଅମନୁଷ୍ୟ ପଣେ ।
ଐସ୍ୱର୍ଯ୍ୟ ତିମିରେ ଦୃଷ୍ଟି ପ୍ରତିହତ, ଧନ‌ଦର୍ପ ଶୋଥେ ରୁଦ୍ଧ କର୍ଣ୍ଣପଥ ।
ଆଭାସନ୍ତି ତୁମ ନେତ୍ରେ ବାଗେଶ୍ୱରୀ, ଦିବା ଦିବାନ୍ଧର ନୟନେ ଯେପରି ।
ପଣ୍ଡିତଙ୍କୁ ମଣ କେବଳ କଣ୍ଟକ, ଆସ୍ଥାନ ଲଳିନୀ ଧୂର୍ତ୍ତ ବକ ଠକ ।
ପ୍ରତିଧ୍ୱନୀ ପରି ସଦା ସ୍ତବକାରୀ, ତୁମ୍ଭ ପ୍ରିୟପାତ୍ର ଗଉଡ଼ ଭଣ୍ଡାରି ।
ପ୍ରଭୁ ବୋଲାଇଣ ତୁମ୍ଭେ ଅନୁକ୍ଷଣ, ହେଲେ ଦେହଲଗା ଭୃତ୍ୟର ବାହ‌ନ ।
ବାଇ ଶୁଣିବାକୁ ଖଳର କଳ୍ପନା, ଭଲକଥା ଲାଗେ କାନ‌କୁ ଅଲଣା ।
ସତ୍ୟ ହୃଦେ ବାଜେ ଯେହ୍ନେ ଶତ ସୂଚୀ, ସ୍ୱାର୍ଥନ୍ୱେଷୀ ମିଥ୍ୟା ବାଦେ ସଦା ରୁଚି ।
ସତ୍ତ୍ୱ ଲେଶେ ସ୍ଥାତ ନ ଲଭେ ମାନସେ, ସଦା ଅଭୁରୁଚି ରାଜସେ ତାମସେ ।
ସଙ୍ଗୀତ, ମୃଗୟା, ପକ୍ଷୀ, ନିଶା, ପଶା, ଖେଳ କର ତୁମ୍ଭେ ଜୀବନ ବ୍ୟବସ୍ଥା ।
କିଏ ତୁମ୍ଭେ ମର୍ତ୍ତ୍ୟେ ଆସିଲ କାହିଁକି, କାହିଁ ଯିବ ଥରେ ଭାଳିବ ନାହିଁ କି ?
ମୁକୁଟ ଘୋଡ଼ାଇ ରଖିଲା ପଳିତ, ରୋଧିଲା ସ୍ୱର୍ଲ୍ଲେକ ଦୃଷ୍ଟି ଛତ୍ର ସିତ ।
ନିଜକୁ ନିଜର ବଡ଼ିମାର ଗଜେ, ମାପି ବଡ଼ ତୁମ୍ଭେ ହେଉଛ ସ‌ହଜେ ।
ଆସନର ବଡ଼ପଣ ନିଜଠାରେ, ଆରୋପି ମାତିଛ ସିନା ଅହ‌ଙ୍କାରେ ।
ପ୍ରାଂଶୁ ନରସ୍କନ୍ଧେ ବସି ଶିଶୁଜନେ, ନିଜକୁ ମଣନ୍ତି ସର୍ବୋଚ୍ଚ ଯେସନେ ।
ନିଜସ୍ୱ ତୁମ୍ଭର କି ଅଛି ତ‌ହିଁରେ, ଯା ଘେନି ବୋଲାଅ ବଡ଼ ଏ ମହିରେ ।
କାଠିଲାଗି, ନୀତି, ମଣହି, ପ‌ହଡ଼, ଘେନି କିହେ ତୁମ୍ଭେ ନର ମଧ୍ୟେ ବଡ଼ ?
ବଡ଼ ପରା ଯେଣୁ ସଦା ପରବଶ, ଜଡ଼ି ପରି ପର ହାତେ ଉଠ ବସ ।
କ୍ରିଡ଼ା ମୃଗ ତୁମ୍ଭେ ହେଲ ନିରନ୍ତର, ବିଧି-ରକ୍ଷା-ପ୍ରିୟ ବୈଧେୟବୃନ୍ଦର ।
ନୀତି ସାରୁ ସାରୁ ଦିନ ଅଣ୍ଟୁନାହିଁ, ଧର୍ମ ଅର୍ଜିବାକୁ ଅବସର କାହିଁ ।
ଗରାମ୍ୟାମୋଦ ପଙ୍କେ ଶୂକର ପରାୟେ, ଘାଣ୍ଟି ହେଉଥିବ କେତେ ଦିନ‌ ଯାଏ ?
ଆତ୍ମୋନ୍ନତି କଳ୍ପେ ଏ ସୁବିଧା ନେଇ, ହୋଇଥିବ କିହେ ପଶୁ-ଧର୍ମଦେହୀ ।
ମନେ ନାହିଁ କାହୁଁ ପଡ଼ିଅଛ ଖସି, କି ଆସନ ଛାଡ଼ି କାହିଁରେ ଲାଳସୀ ।
ପରିଚ୍ଛଦରୂପେ ସେନା ନେଇ ସଙ୍ଗେ, ଅଙ୍ଗ ଢ଼ାଳୁଥିଲେ ଯେ ରଣ ତରଙ୍ଗେ ।
ତାଙ୍କରି ଦାୟାଦ ହୋଇ କି ହେ ବୀରେ, ଝୁଲୁଥିବ କାନ୍ତା ପଣତ କାନିରେ ?
ପାତ୍ରର ଉଢ଼ାଳେ ରହିଥିବ ଡରି, ବିଦେଶୀ ସମ୍ମୁଖେ କାନ୍ଦଶିକ ପରି ।
ମନେ ନାହିଁ ତୁମ୍ଭେ କାହାର ସନ୍ତାନ, କୈଶରି-ଔରସେ ତୁମ୍ଭେ ସିନା ଶ୍ୱାନ ।

  ପୃଷ୍ଠା ୧୦

ପୂର୍ବ ପୁରୁଷର ପ୍ରତିଷ୍ଠା ବିଶାଳ, ବିକି ଭାଙ୍ଗି ଖାଉଥିବ କେତେ କାଳ ?
ସେ ପ୍ରତିଜ୍ଞା ତିଳେ ନିଜେ ନ ବଢ଼ାଇ, କରୁଥିବ ଆଉ କେତେ ତା ବଡ଼ାଇ ?
ଥିଲେ ଆଗେ ଯେହୁ ଉତ୍କଳର ସ୍ୱାମୀ, ବ‌ହ୍ନିଶିଖା ପରି ସଦା ଉର୍ଦ୍ଧ୍ୱଗାମୀ ।
ତୁମ୍ଭେ ହୋଇ ସେହି ବଂଶର ସନ୍ତ‌ତି,ଜଳଧାରା ପରି ହେଲ ଅଧୋଗତି ।
ତୁମ୍ଭ ପିତୃଗଣ ପରମ ଉଦାର, ରାଜ୍ୟ ମଣୁଥିଲେ ଏକ ପରିବାର ।
କାହିଁ ଗଲା ସେହି ପ୍ରାଚୀନ ସୁଧାରା, ରାଜା ପ୍ରାଜା ଏବେ ହେଲେ ବାଜପାରା ।
କାଢ଼ି ନେଲା ରାଜ-ଭୋଗ ଅଭିଳାଷ, ପ୍ରଜାମୁଖୁ ତାଙ୍କ ଶ୍ରମାର୍ଜିତ ଗ୍ରାସ ।
ଦେଶୀ ହୋଇ ତୁମ୍ଭେ ଆଚରିଲ ନିତି, ନିର୍ମମ ବିଦେଶୀ-ସର୍ବଶୋଷି-ନୀତି ।
ବାତ୍ସଲ୍ୟେ ନବାନ୍ଧ ପ୍ରାଜାଙ୍କର ଚିତ୍ତ, ବିଦେଶି-ସଙ୍ଗିନେ କଲ ତାଙ୍କୁ ଭୀତ ।
ଗନ୍ତାଘର ହେଲା ତୁମ୍ଭର ସର୍ବସ୍ୱ, ସର୍ବସ୍ୱ ପ୍ରାସାଦ, ଗାଭୀ, ହସ୍ତୀ, ଅଶ୍ୱ ।
ରାଜଧର୍ମ ହେଲା ପ୍ରଜାଧନବୁହା, ମନ୍ତ୍ରୀ ହେଲେ ଖଳ, ଖଣ୍ଟ, କାନ‌କୁହା ।
ତଣ୍ଡି ଦୁଃଖୀ, ରଙ୍କି, ଅରକ୍ଷିତ, ରାଣ୍ଡ, ବିଦେଶୀଙ୍କି ଖୁଆଇଲ କୁକ୍‌କୁଟାଣ୍ଡ ।
ନ ପାଇଲେ ଦୁଃଖୀ ପ୍ରଜା ଖୁଦକୁଣ୍ଡା, ନେଲେ ଘିଅ ଅଟା ସଙ୍ଗେ ଛାଗମୁଣ୍ଡା,
କାଣ୍ଡଜ୍ଞାନହୀନ କାଣ୍ଡପୃଷ୍ଠ ହୁଣ୍ଡା !
ଅଭୀଷ୍ଟ ଦେବତା କଲ ଲୋଭପ୍ରେତ, ନ ଚେତିଲ ଖାଇ ବିପଦର ବେତ ।
ସଦା ହୋଇ ପାପ-ଦ୍ରବିଣ-ପ୍ରତ୍ୟାଶୀ, ପ୍ରଜା ମଧ୍ୟେ ପାପ ବୁଦ୍ଧି କି ମନାସି ।
ରହିଥାଅ ଟାକି, କରି ଜରିମାନା, ଧନେ ପୁରାଇବା ଲାଗି ମାଲଖାନା ।
ଧନର ଲାଳସା ଜାଗ୍ରତେ ସ୍ୱପନେ, ଧନ ବିନୁ ନାହିଁ ଆନ ଚିନ୍ତା ମନେ ।
ଧର୍ମର ସାଫଲ୍ୟ ସୁବ୍ୟୟେ କେବଳ, ଯକ୍ଷ ପ୍ରାୟେ ତାକୁ ଜଗି କେଉଁ ଫଳ ।
ମଞ୍ଚେ କେତେ ଆସି କେତେ ଗଲେ ଭାଇ, କିଏ ନେଇଗଲେ କି ଧନ ମୁଣ୍ଡାଇ ।
ପଡ଼ି ତ ରହିଲେ ପଛେ ହାତୀ ଘୋଡ଼ା, ପଡ଼ି ତ ରହିଲା ସୁନା, ରୁପା ତୋଡ଼ା ।
ପଡ଼ି ତ ରହିଲା ରତନେ ଭାସ୍ୱର, କୁବେର ଭଣ୍ଡାର ସମ ଗନ୍ତାଘର ।
'ଜିଣିବାକୁ ଆଉ ନାହିଁ ଧରାଖଣ୍ଡ', ବୋଲି କଲେ ଯେହୁ ଅଶ୍ରୁସିକ୍ତ ଗଣ୍ଡ ।
ମଲାବେଳେ ବିଶ୍ୱବିଜୟୀ ସ୍କନ୍ଦର, କି କ‌ହିଥିଲେ ତା ଚିତ୍ତେ ଥରେ ଧର ।
ବୋଇଲେ, "ଏ ପ୍ରାଣ ଗଲେ ପିଣ୍ଡ ଛାଡ଼ି, ନେବ ଯେବେ ମୋତେ କୋକେଇରେ କାଢ଼ି ।
ଦେଇଥିବ ତ‌ହିଁ ମୋ ଶବ ଶୁଆଇ, ବେନି ପାଶେ ବେନି କରକୁ ଝୁଲାଇ ।
ଯା ଦେଖି ଜଗତେ ଜାଣିବେ ସମସ୍ତେ, ଆସିଥିଲି ଫେରି ଗଲି ଶୂନ୍ୟହସ୍ତେ" ।
ଏହି ମହାବାକ୍ୟ ମନେ ମନେ ହେଜି, ସତ୍ତ୍ୱଗୁଣ ଭଜ ଲୋଭ ମଦ ତେଜି ।
ଅକାରଣେ କିମ୍ପା ତଣ୍ଡି ଅରକ୍ଷିତ, ଅଳ୍ପଦିନ ପାଇଁ ସଞ୍ଚୁଅଛ ବିତ୍ତ ।

  ପୃଷ୍ଠା ୧୧

ବୋଲାଅ ଜଗତେ ସିନା ଲକ୍ଷ‌ପୋଷୀ, ଫଳେ ତୁମ୍ଭେ ଜଣେ ଲକ୍ଷ-ଶୋଷୀ ।
ଗଣିକା, ଓକିଲ ଛାମୁଆ ପୋଷଣ, ଲାଗି କରି କିପାଁ ପ୍ରଜାଙ୍କୁ ଶୋଷଣ ।
ପ୍ରଜା ରକ୍ତ, ସ୍ୱେଦ, ଲୋତକେ ଅର୍ଜିତ, ଅଭିଶପ୍ତ ରାଶି ରାଶି ପାପବିତ୍ତ ।
ପ୍ରୟଶ୍ଚିତ୍ତେ ବ୍ୟୟ ନ କରି ଯତନେ, ପାପ ଅର୍ଜୁଅଛ ପାପାର୍ଜିତ ଧନେ ।
ଅର୍ଜୁଅଛ ସିନା କେବଳ ଦୁଷ୍କୃତ, ଘୂଷ୍ଟିମୁଖେ ଢାଳି ଯଜ୍ଞକୁଣ୍ଡ ଘୃତ ।
ଏ ଅପ୍ରିୟ ସତ୍ତ୍ୟେ ଛଳକୁ ନ ଧରି,ନିଜ ଶ୍ରେୟ ଦେଖ ଚିତ୍ତେ ଚିନ୍ତା କରି ।
ଭଗ୍ନ ଘଟୁ ଆହା ସଲିଳ ଯେସନ,ସରି ଯାଉଅଛି ଆୟୁ ପ୍ରତିକ୍ଷଣ ।
ବଡ଼ କୃର କାଳ ବଡ଼ ଅବିଶ୍ୱାସୀ, ହାବୋଡ଼ି ଯିବ ସେ ଆଚମ୍ବିତେ ଆସି ।
ଦୂରବର୍ତ୍ତୀ ଜାଣି କାଳକୁ ଯେ ହସେ, ହସି ସେ ତା ପଛେ ଆସି ଲୁଚି ବସେ ।
ନୀତିବେଳ ବୁଝି ଛାମୁରେ ହାଜର, ହେବା ବିଧି ତାକୁ ନାହିଁଟି ଗୋଚର ।
କେତେ ଦିନ ଖେଳୁଥିବ ଏହି ଖେଳ, ପାଖେଇ ଆସୁଛି ସେ ଅନ୍ତିମ ବେଳ ।
ଆସୁଛି ନିରବେ ସେହୁ ପ୍ରତିକ୍ଷଣେ, ନିତ୍ୟଗାମୀ-ରଥଚକ୍ର-ଆବର୍ତ୍ତନେ ।
ଆୟୁ ସୂର୍ଯ୍ୟ ଯାଏ ତଳେ ଯେତେ ଗଡ଼ି, ତୁମ୍ଭ ମାୟା ଯାଏ ଛାୟା ପରି ଚଢ଼ି ।
ମାୟା ଚେର ତଳେ ଭେଦିବ ଯେତିକି, ଅନ୍ତକ ରଗଡ଼େ ଝିଙ୍କିବ ତେତିକି ।
ସେ କଠିକ ଝିଙ୍କା ଝିଙ୍କିରୁ ନିସ୍ତାର, ଲାଭଲାଗି ଆଗୁଁ ହୁଅ ହୁସିଆର ।
ବେଳ ଥାଉ ଥାଉ ଅରଜି ଧରମ, ଜନ୍ମ ଅନୁରୂପେ ଦେଖାଅ କରମ ।
ଜନ୍ମଫଳ ଭବେ ବଡ଼ପଣ ପାଇ, ଧର୍ମଫଳେ ତାକୁ କର ଚିରସ୍ଥାୟୀ ।
ଧର୍ମ ଏକା ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର ବାରିଧି ।
ଧର୍ମ ଏକା ସିନା ମହତପଣିଆ, ଆଉ ବଡ଼ପଣ ଅଢ଼େଇ ଦିନିଆ ।
ବଡ଼ପଣ, ଭାଇ, ଏକା ସିନା ସେହି, ଛଡ଼ାଇ କେହି ଯା ନ ପାରଇ ନେଇ ।
ବଡ଼ପଣ ସେହି ଅନ୍ତେ ସୁଦ୍ଧା ଯାର, ସୌରଭେ ଚ‌ହଟୁ ଥାଏ ଏ ସଂସାର ।
ବଡ଼ପଣେ ସିନା ସେହି ତାକୁ ଗଣି, ଯେଉଁ ବଡ଼ପଣ ଦ୍ୱିଲୋକସାଧନୀ ।
ସେହି ସିନା ବଡ଼ପଣ ଯହିଁ ଲାଗି, ଅନ୍ତକର ବଜ୍ର-ଦନ୍ତ ଯାଏ ଭାଙ୍ଗି ।
ସେହି ବଡ଼ପଣ ବଳାର ମତିକି, କାଳ ନ ପାରିବ ପଶି ଯା କତିକି ।
ହେଳା କରନାହିଁ ପାଇ ଏ ସୁବିଧା, ଲଭିବାକୁ ସେହି ବଡ଼ପଣ ନିନ୍ଦା ।
ସଂସାରେ ତ୍ୱକସାର ବଡ଼ପଣ, ଲାଳସାରୁ ନିଅ ବାହୁଡ଼ାଇ ମନ ।
ଉଦାସୀନ ନେତ୍ରେ ଦୁନିଆର ମାନ, ଦେଖି କର ମନ ଧର୍ମେ ଏକତାନ ।
ରାଜ-ଧର୍ମେ ଆତ୍ମ-ତ‌ତ୍ତ୍ୱେ ଦେଇ ମତି, ଉଚ୍ଚ ହୋଇ ଲଭ ଉଚ୍ଚତର ଗତି ।
ମଣ୍ଡିଅଛି କିମ୍ପା ଆସି ସଭାଘର, ଉତ୍‌କଳ ଶେଖର ହେ ଚନ୍ଦ୍ରଶେଖର !
ଚିତ୍ରୋତ୍ପଳାନୀର-ପାୟୀ କି ଆଶାରେ, ପଶିଲ କାସର-ସେବିତ କାସାରେ ?

  ପୃଷ୍ଠା ୧୨

କ‌ହ ଫେଡ଼ି, ପଡ଼ି କେଉଁ ଭ୍ରମଜାଲେ, ସତ୍ୟଲୋକୁଁ ଖସି ଆସିଲ ପାତାଳେ ।
ଲୋଡ଼ୁଅଛ କିହେ ବିଶ୍ୱ ପୁଜାସ୍ପଦ, ଖଦ୍ୟୋତନ ହୋଇ ଖଦ୍ୟୋତର ପଦ ।
ଏ ସମ୍ମାନେ କିହେ ହେବ ତୁମ୍ଭେ ବଣା, ତୁମ୍ଭକୁ ତ ଏହା ମୂଲ୍ୟ ଅଛି ଜଣା ।
ଏ ସମ୍ମାନ ମାଳା ମାନୁଛି କି ଗଳେ, ବିଶୁଦ୍ଧ ସ୍ୱର୍ଣ୍ଣେ କି ମୁଦ୍ରା ବସେ ଭଲେ ।
ଜାଣେ ମୁଁ ନ ଥିଲି ସମ୍ମାନ ଆଶୟୀ, ସମ୍ମାନ ତୁମ୍ଭକୁ ଲୋଡ଼ିନେଲା ଯାଇ ।
ତୁମ୍ଭ ମୂଖ୍ୟକର୍ମ ତପ ଆଚରିବା, ଦୁନିଆର ଯଶେ ଯାଏ ଆସେ କିବା ।
ଧନ୍ୟ ଧନ୍ୟ ଆଗେ ତପସ୍ୱୀ ସତ୍ତମ, ମର୍ତ୍ତ୍ୟ ଦେହେ ତୁମ୍ଭେ ପରାଜିଲ ଯମ ।
ଦେଇଛନ୍ତି ଦିବ୍ୟଲକ୍ଷ ବାଗୀଶ୍ୱରୀ, ଦେଖିବାକୁ ମହାଭୁତି ମାହେଶ୍ୱରୀ ।
ସବୁବେଳେ ଧ୍ୟନ କରୁଛ ଭାସ୍ୱତୀ, ହିରଣ୍ୟ ଗର୍ଭର ମୂରତି ଶାଶ୍ୱତୀ ।
ତୁମ୍ଭ ଆଗେ ଭାଷେ ପତିନେତ୍ରୋନ୍ମେଷେ, କୋଟି କୋଟି ବିଶ୍ୱ ସୀମାତୀତ-ଦେଶେ ।
କୋଟି କୋଟି ଗ୍ରହ,ଉପଗ୍ରହ, ଧୂମକେତୁ, ତୁମ୍ଭ ତପେ ତୁଷ୍ଟ ବାଗଦେବୀ ସଙ୍କେତୁ ।
କରୁଛନ୍ତି କେତେ ଲୀଳା କୁତୁହଳେ, ଯାଦୋଗଣ ଯଥା ମହାବର୍ଣ୍ଣ ଜଳେ ।
ତୁମ୍ଭଙ୍କୁ ନିଶାରେ ନିତି ନବ ନବ, ଦେଖାନ୍ତି ନକ୍ଷତ୍ର ପୁରୁଷେ ତାଣ୍ଡବ ।
ଜ୍ୟୋତିର୍ଲୋକବାସୀ ମହାମୁନିଙ୍କର, ଜ୍ୟୋତିର୍ବିଦ ତୁମ୍ଭେ ନିତ୍ୟ ସ‌ହଚର ।
ରହିବା ତାବତ ଭବେ ତୁମ୍ଭ ଯଶ, ଦୀପିବେ ଯାବତ ଏ ଜ୍ୟୋତି ଛାନ୍ଦସ ।
ଛାନ୍ଦସ ବିଧିର ଅନୁଷ୍ଠାନ ଚାରୁ, ସାଧ୍ୟ ହେଲା ଯେଣୁ ତୁମ୍ଭ ଗଣନାରୁ ।
ହେ ଉତକଳମାତା-ଯୋଗ୍ୟତମ-ସୁତ, ତୁମ୍ଭ ଯୋଗୁ ଆମ୍ଭେ ସର୍ବେ ହେଲୁ ପୂତ ।
ଗୋଦାବରୀଠାରୁ ଗଙ୍ଗାଯାଏ ବ୍ୟାପି, କୀର୍ତ୍ତିମାଳା ଯାର ବିଳୋଳେ ଅଦ୍ୟାପି ।
ଏକାମ୍ରେ କୋଣାର୍କେ ଯା କୀର୍ତ୍ତି ଭାସ୍ୱର, ଯୋଗ୍ୟ ପୁତ୍ରା ତୁମ୍ଭେ ସେହି ଉତ୍କଳର ।
ମାତ୍ର କାଳମୁଖେ ସେ କୀର୍ତ୍ତିବିମଳ, ଦେଇ ନିଜ ମୁଖେ ଏବେ ସେ ଉତକଳ ।
ବୋଳି ଦେଇଅଛ ଅଜ୍ଞାନର ମସୀ,ସେ ଉତ୍କଳେ ତୁମ୍ଭେ ଶ୍ମଶାନ ତୁଳସୀ ।
ତାରାରୂପରେ ଉଇଁ ଉତ୍କଳ ଗ‌ଗନେ, ରହିଲ ଅଜ୍ଞାନ-ମେଘ ଆବରଣେ ।
ଦୂରୁ ଦେଖି ତୁମ୍ଭ ଦିବ୍ୟ ଜ୍ୟୋତିରାଶି, ଚିହ୍ନିଲେ ତୁମ୍ଭଙ୍କୁ ଦୂରଦେଶବାସୀ ।
ଉତ୍କଳେ-ଉଦୟ-ଅଚଳେ-ଭାସ୍କର, ହେଲ ଭାରତର ଦ୍ୱିତୀୟ ଭାସ୍କର ।
ମାତ୍ର ହେଲା ଯହୁଁ ତୁମ୍ଭର ପ୍ରସୂତି, ନ ଚିହ୍ନିଲା ସେହୁ ନିଜର ବିଭୁତି ।
ଗୁଣଜ୍ଞ ଉତ୍କଳେ ଜଣେ କେହି ନାହିଁ, ଗୁଣୀନ୍ଦ୍ର, ତୁମ୍ଭର ହେବ ଗୁଣ‌ଗ୍ରାହୀ ।

  ପୃଷ୍ଠା ୧୩

ସଲିଳ ନ ସିଞ୍ଚି ଖାଲି ଦଣ୍ଡବତ, କରିବାକୁ ଛନ୍ତି ଲୋକ ଶତ ଶତ ।
ଥାଉଁ କି ଶ୍ରୀରାମଚନ୍ଦ୍ର ନରରାଣ, ବୟସେ କିଷୋର ଜ୍ଞାନେ ବର୍ଷିୟାନ ।
ଥାଉଁ ଥାଉଁ ବାସୁଦେବ ନୃପବର, ବିଦ୍ୱାନ ମରାଳ-କୁଳ-ପଦ୍ମାକର ।
ନରେଶ ମହେନ୍ଦ୍ର ସ୍ୱଦେଶ ଗୌରବ, ଗୁଣିବୃନ୍ଦ-ଅନିବନ୍ଧନ ବାନ୍ଧବ ।
ତୁମ୍ଭ ପରି ଜ୍ଞାନ ତରୁ ମଉଳିଲା, ଅହା ଦେଖିବାକୁ ବିଧି ଲେଖିଥିଲା ।
ଶୁଷ୍କ ବନ୍ଧ୍ୟ ଯଶ ସଙ୍ଗେ ଅର୍ଦ୍ଧସନ, ପ୍ରତିଭାର ପରେ ଲ‌ଲାଟ ଲେଖନ ।
ଲକ୍ଷ୍ମୀଙ୍କ ସପତ୍ନୀ ହେବାରୁ ବରଦା, ଦାରିଦ୍ର୍ୟ ତୁମ୍ଭର ସଙ୍ଗୀ ହେଲେ ସଦା ।
ସଦା ଆହା ରୋଗ ଯନ୍ତ୍ରଣାରେ କ୍ଷୀଣ, ଋଣର ଦାରୁଣ ଚିନ୍ତାରେ ମଳିନ ।
ନିରତେ ତୁମ୍ଭଙ୍କୁ ସେହି ଚିନ୍ତା ଝିଙ୍କି, ଜ୍ୟୋତିଶ୍ଚନ୍ତ୍ରୁ ଆଣେ ଏ କ୍ଷୁଦ୍ର ମହୀକି ।
ଆହା ଶୀର୍ଣ୍ଣ ଅଙ୍ଗ ଦିଶେ କେଡ଼େ ମ୍ଳାନ, ପ୍ରାତେ ଦୀପ ଯଥା ଆସନ୍ନ ନିର୍ବାଣ ।
ସବୁବେଳେ ଜଳୁଅଛି ଚିନ୍ତାନଳେ, ଏହା ପରେ ପୁଣି କୃତ ଭାଗ୍ୟ ଫଳେ ।
ପ୍ରାକୃତ ପାଶବ ଶକ୍ତି ଅଧିକାରୀ, ତୁମ୍ଭ ପରେ କରେ ପ୍ରଭୁପଣ ଜାରୀ ।
ଅନ୍ୟ କୁଳେ ଜନ୍ମିଥିଲେ ଯେଉଁ ଜନ, ତୁମ୍ଭର ଆପଟ ହେବାକୁ ଭାଜନ ।
ନୁହ‌ନ୍ତା ଆଜି ସେ ପାପୀ-ଧନ-ଶୋଥୀ, ଲିଭାଇ ଦେବାକୁ ଲୋଡ଼େ ତୁମ୍ଭ ଜ୍ୟୋତି ।
ଯାର ଇର୍ଷ୍ୟା ଯୋଗୁ ଆଜ ତୁମ୍ଭ ଦଶା, ଦେହେ ରାଜା, ହେଲେ ମନେ ସେହି ଚଷା ।
ରତନ କାହିଁ ସେ ଖୋସିବ ଲ‌ଲାଟେ, ଅନାଦରେ ତାହା ଦଳେ ପାଦପୀଠେ ।
ମୋତି ମୂଲ୍ୟ କାହୁଁ ଜାଣିବ ଶବର, ମୋତି ଫିଙ୍ଗି କରେ ଆଦର ।
ଧୀର ମଣି, ଏଥି ଲାଗି ବିଚଳିତ, ହେବାର ତୁମ୍ଭର ନୁହି ଉଚିତ ।
ମଳିନ କରଇ ସିନା ମୁହୂର୍ତ୍ତକ, ଧ୍ରୁବତାରା ଜ୍ୟୋତି ଉଲକାର ଝଟକ ।
ଭୋଗ ବିଳାସର କୀଟଦୁନିଆର, ଅସାର ତପସ୍ୱୀ ତୁମ୍ଭେ ବଜ୍ରସାର ।
ଭୋଗ ବିଳାସୀଙ୍କ ଜୀବନ ସଞ୍ଚିତ, କୋଟି କୋଟି ମୁଦ୍ରା ବ୍ୟୟେ ସୁଗଠିତ ।
ପ୍ରାସାଦ, ସଜ୍ଜିତ ସୁପରିପାଟୀରେ, ମାଟି ଦ୍ରବ୍ୟ ମିଶିଯିବ ସେ ମାଟିରେ ।
ମାତ୍ର ଉତ୍କଳର ଦର୍ପ, ଚିତ୍ ପ୍ରସୂତି, ଜ୍ୟୋତିଷ୍କ ଦର୍ପଣ ଦରିଦ୍ରର କୃତି ।
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ, ନରଦେହେ ଥିବ ଯାବତ ହୃଦୟ ।

  ସମାପ୍ତ