କବିତାବଳୀ/ନନ୍ଦିକେଶ୍ୱରୀ
←ଦଶରଥ ବିୟୋଗ | କବିତାବଳୀ ଲେଖକ/କବି: ନନ୍ଦିକେଶ୍ୱରୀ (୧୮୮୬) |
ପବନ→ |
ପ୍ରଥମ ସର୍ଗ
କାଠଯୋଡି ତୀରେ ଶୋଭଇ ଶିବିର,
କୋଳାହଳପୂର୍ଣ୍ଣ କାଠଯୋଡ଼ି ତୀର,
ଧାଡ଼ି ଧାଡି ହୋଇ ମହାନଦୀ ଯାଏ
ଶୁଭ୍ର ତାମ୍ବୁ ଶୋଭେ ଖଡିଶୈଳ ପ୍ରାୟେ ।
ଉଡ଼ଇ କେତନ ମନ୍ଦ ସମୀରଣେ,
ଝକଝକେ ଅସ୍ତ୍ର ପ୍ରଦୋଷ କରଣେ ।
ବାଦିତ୍ର ଶବଦେ କମ୍ପଇ ଅବନୀ,
ନଦୀଗର୍ଭୁଁ ଉଠେ ଶତ ପ୍ରତିଧ୍ବନି ।
ଲାଖ ବିନ୍ଧୁଛନ୍ତି କାହିଁ ଯୋଧଦଳ,
କ୍ଷଣେ କ୍ଷଣେ ଉଠେ ହର୍ଷ କୋଳାହଳ ।
କାହିଁ ତଲବାର ଖେଳବାଡ-କରେ
ବିଜୁଳି ପରାୟେ ଝଳେ ସୌରକରେ ।
ମଲ୍ଲଯୁଦ୍ଧେ କାହିଁ କମ୍ପେ ରଙ୍ଗସ୍ଥଳୀ,
ଢାଳି ଦେଉଛନ୍ତି ଦର୍ଶକମଣ୍ଡଳୀ ।
କାହିଁ ଅଶ୍ଵାରୋହୀ ଘେନି ଅଶ୍ବବର
କଦମେ ବୁଲଇ ଦିଅଇ ଚକ୍କର ।
କାହିଁ ଧରି ଅସ୍ତ୍ର ମାଜୁଛନ୍ତି ଲୋକେ,
କାହିଁ ଅବା ଗଳ୍ପ କରୁଛନ୍ତି ଥୋକେ ।
ଅବଗାହୁଛନ୍ତି କରୀ ଦଳେ ଦଳେ
ବିଷମ ପରାଏ ଦିଶି ସ୍ରୋତ ଜଳେ ।
ଦାସେରକ ଆଶ୍ରା କରି ତରୁତଳ,
ଚୋବାଉଛି ଗ୍ରୀବା ଟେକି ଲିମ୍ଵଦଳ ।
ଭାରବାହୀ ଯେତେ ଗର୍ଦ୍ଦଭାଦି କରି
ଭ୍ରମୁଛନ୍ତି ଦୂରେ ଦଳେ ଦଳେ ଚରି ।
ବିପଣି ବସିଛି କାଠଯୋଡି ବନ୍ଧେ,
ବିକାକିଣା ଲାଗିଅଛି ନାନା ଛନ୍ଦେ ।
ନଦୀଶଯ୍ୟା, ନଦୀବନ୍ଧ, ନଦୀକୂଳ,
ସବୁଠାରେ ଲୋକେ ହୋଇଛନ୍ତି ଠୁଳ,
କୁଶଭଦ୍ରା-ଦୟା-ପ୍ରସୂତି ଭାର୍ଗବୀ
କାଠଯୋଡିଠାରୁ ଯହିଁ ଜନ୍ମ ଲଭି ।
ବହୁଛି ଦକ୍ଷିଣେ, ବିପରୀତେ ତାର
ଚୋରଗଙ୍ଗଙ୍କର ଶୋଭେ ସ୍କନ୍ଧାବାର ।
ଶୂନ୍ୟ ଥିଲା ଆଜି ପ୍ରଭାତେ ଶିବିର,
ଏବେ ବେଢିଅଛି ମନୁଷ୍ୟ-ପ୍ରାଚୀର ।
ବହୁବର୍ଷ ବ୍ୟାପି ଲାଗିଛି ସଂଗ୍ରାମ,
ବହୁଅଛି ରକ୍ତ-ସ୍ରୋତ ଅବିଶ୍ରାମ ।
ସମଗ୍ର ଉତ୍କଳୁଁ କେତେ ମହାବୀର,
ରଣାଙ୍ଗନେ ଆସି ଦେଲେ ନିଜ ଶିର ।
ତାଳୀବନ-ଶ୍ୟାମ କନିକା କୁଜଙ୍ଗ,
ମରିଚ ହରିଶପୁର ଅସ୍ତରଙ୍ଗ ।
ବରାହ-ପାଳିତ ବାଲିପୂର୍ଣ୍ଣ ଆଳି,
କ୍ଷତ୍ରବୃନ୍ଦ ଯାର ମହାବୀର୍ଯ୍ୟଶାଳୀ ।
ପବିତ୍ର ତୁଳସୀକ୍ଷେତ୍ର ବହି ମୁଦ,
ବିରାଜନ୍ତି ଯହିଁ ପ୍ରଭୁ ହଳାୟୁଧ ।
ଅସୁର-ଈଶ୍ଵର ଯହିଁ ରକ୍ତପାନ
ନିତ୍ୟ କରେ ଚଣ୍ଡୀ ତୃଷାର୍ତ୍ତ କୃପାଣ ।
ଶାଳିପୁର ଯହିଁ ଚିତ୍ରୋତ୍ପଳା-ନୀର
ପୂତ ଅଭିଷେକ ଶ୍ରୀଭଗବତୀର ।
ବହୁଦ୍ୱାରଶୋଭୀ ପୁର ଚଉଦାର,
ଉତ୍ତର କୋଶଳା ମୌଳି-ଅଳଙ୍କାର ।
ସ୍ନେହ ବଢ଼ାଇଲେ ବଳାରାତି-ପ୍ରିୟା
ଯା କଟକେ ଟେକ ଟଙ୍କିଳ ଛତିଆ
ବିନାୟକଶୈଳ ଦର୍ପ ଦର୍ପଣୀର,
ଉପବୀତ ଯା'ର ଶୁଭ୍ର-ଝର-ନୀର ।
ଚନ୍ଦନ-ନିକୁଞ୍ଜ-ମଞ୍ଜୁଳା ଅଳତୀ ,
ସ୍ଵରୂପା ବିରୂପା ଯହିଁ କରେ ଗତି ।
ବିରଜାମଣ୍ଡଳେ ଯେତେ ବୀର-ପଲ୍ଲୀ,
ପୂଗମାଳେ ଯହିଁ ଜଡେ ନାଗବଲ୍ଲୀ ।
ପରସ୍ପରେ ଭୁଜ ଛନ୍ଦିବାରେ ସଦା
ଚମ୍ପା ଚୂତ ଯହିଁ ବଳାନ୍ତି ଶରଧା ।
ଭଦ୍ରକ ଯା ପାଦେ ବେଢିଅଛି ଛନ୍ଦି,
ଉତ୍କଳେ କାଳିନ୍ଦୀରୂପିଣୀ ସାଳନ୍ଦୀ ।
ସୋର ଗର୍ବ ଯାର କରଇ ପ୍ରସାର,
ପଶ୍ଚିମେ ପର୍ବତ ପୂର୍ବେ ପାରାବାର ।
ନୀଳଗିରି ଯହିଁ ମର୍କତ ମହୁଡ଼,
ଟେକିଛି ଅମ୍ଵରେ ଶୈଳ ସ୍ଵର୍ଣ୍ଣଚୂଡ଼ ।
ପୁନଙ୍ଗ ବିରହେ ଯହିଁ ବରାଙ୍ଗନା
ସ୍ମର-ଛୁରି ପରି ମଣେ ଛୁରିଅନା ।
ଗ୍ରାମ୍ୟ-ସୀମନ୍ତିନୀ-ନିଶା-ଅଭିସାର,
ଅନୁକୂଳ ବାଲି-ସ୍ତୂପାବଳୀ ଯାର ।
ସୁଗଭୀରା ପ୍ରାଚୀ-ତୀରେ ଅଭିରାମ,
ମାଧବ-ସନାଥ ମାଧବାଖ୍ୟ ଗ୍ରାମ ।
ନିଆଳୀ ଯା କୁଞ୍ଜେ ପାଟ୍ଟଳି ପ୍ରସୂନ
କାମିଙ୍କି ତରଜେ ଯେହ୍ନେ କାମ-ତୂଣ ।
କୋଠଦେଶ ମଞ୍ଜୁ ପୁନ୍ନାଗ-କେଶରେ,
ମଠେ ଗତି ଯହିଁ କୁଶଭଦ୍ରା କରେ ।
କୋଠରାଙ୍ଗ ଯହିଁ ବଦନ ବିଜନେ
ଧଉଳି ଦେଖଇ ଦୟା ଦରପଣେ ।
ରାହାଙ୍ଗ ରଚନ୍ତି ଯହିଁ କେଳି-କଳା
ଇଜ୍ଜଳ ନିକୁଞ୍ଜେ କଜ୍ଜ୍ଵଳ କୁନ୍ତଳା
ଅନ୍ଧାର ସିକତା କୁଦେ ତରଙ୍ଗିତ
ସୁନ୍ଦର ରଙ୍ଗଣେ ସଦା ସିନ୍ଦୂରିତ ।
ପାରିକୁଦ ଅରି ଗରବ ଚର୍ବକ,
ନୀଳଦ୍ୟୁତି ହ୍ରଦ ହୃଦୟ ପଦକ ।
ଦାଣ୍ଡିମାଳ ଯାର ଶଇଳ ବକ୍ଷରେ
ଐର-ଯଶ ଲେଖା ଅକ୍ଷୟ ଅକ୍ଷରେ ।
ଖଲ୍ଲୀକୋଟ ଯହିଁ ରୋଟ ମଲ୍ଲମାନେ,
ନିର୍ମଳା ନିର୍ଝର ନୀରାମୃତପାନେ ।
ସ୍ଵର୍ଗୁଁ ଖଣ୍ଡେ ପଡିଥିଲା ପ୍ରାୟେ ଛିଡି,
ଶୈଳେ, ସ୍ରୋତେ, ସରେ ସୁରମ୍ଯ ଖିମିଡି ।
ଜଗଜ୍ଜନ-ମନୋରଞ୍ଜିନୀ-ମଞ୍ଜୁଷା,
ଗିରୀନ୍ଦ୍ର ମହେନ୍ଦ୍ର ଯା'ର ମହାଭୂଷା ।
ଏହି ଦେଶ ଅନ୍ୟ ଦେଶବାସୀ ଶୂର,
କାଠଯୋଡି-ତୀରେ ଗଲେ ପ୍ରେତପୁର ।
ଚଣ୍ଡାୟୁଧ ଗଣ୍ଡ ଯୁଦ୍ଧେ ହୋଇ ରୁଣ୍ଡ,
ଶତ୍ରୁ-ଖଣ୍ଡାଘାତେ ଗଡାଇଲେ ମୁଣ୍ଡ ।
ମାଲ୍ୟଗିରି-ବାସୀ ଦୁର୍ଦ୍ଧର୍ଷ ଜୁଆଙ୍ଗ,
କେତେ ହେଲେ ରଣଭୂମେ ବିକଳାଙ୍ଗ ।
କ୍ରୌଞ୍ଚପକ୍ଷଚୂଡା ବାଦ୍ୟ ତାଳେ ତାଳେ,
ନାଚଇ ଯାହାଙ୍କ ବୀରନୃତ୍ୟ କାଳେ ।
ହରିଦ୍ରା ହରିତ ଅଧିତ୍ୟକାଚାରୀ,
କନ୍ଧଯୋଧବୃନ୍ଦ ମହାଧନୁର୍ଦ୍ଧାରୀ ।
ଗାଲମୋଚାଧାରୀ ତାଲଚେର-ଶୂର,
ଭଲ୍ଲାସ୍ତ୍ରେ ଦଳନ୍ତି ଦର୍ପ ଯେ ରିପୁର ।
ସ୍ଵାହା ସହଚରୀ ହିଙ୍ଗୁଳାଙ୍କ ବରେ,
ଦାବାନଳରୂପୀ ରିପୁ-କାନନରେ ।
କପିଳାସ-ଖୋଲ-ନିବାସୀ ଶବର,
ରଣରଙ୍କ ଢେଙ୍କା ଯା ବଂଶ-ଶେଖର ।
ପର ନାଶେ ପଟୁ ଯାହାଙ୍କ ପରଶୁ,
କେତେ ହେଲେ ଆସି ରଣ-ଯଜ୍ଞ-ପଶୁ ।
ଯୁଦ୍ଧ-ଅଶ୍ଵ କେତେ ଯୁଦ୍ଧେ ହୋଇ ହଣା,
ଗୃଧ୍ରଙ୍କର ହେଲେ ରୁଧିର ପାରଣା ।
ସପ୍ତକ୍ରୋଶୀ ଗଣ୍ଡ ରାଜେ ଶୈଳ-କୁଞ୍ଜେ
ସୁଶୀତଳ-ତୁଙ୍ଗ-ଶୈଳ-ଛାୟାପୁଞ୍ଜେ ।
ନିର୍ଜନେ ଦିଅନ୍ତି ନବ-ଦ୍ରୁମାବଳୀ,
ଜଳଦେବତାଙ୍କୁ ଯହିଁ ପୁଷ୍ପାଞ୍ଜଳି ।
ତହିଁ ମହାନଦୀ ପ୍ରବାହେ ନିଦାଘେ,
ପ୍ରିୟା ସଙ୍ଗେ ଖେଳୁଥିଲା ଅନୁରାଗେ ।
ମତ୍ତ ଦନ୍ତାବଳ, ଏବେ ରଣସ୍ଥଳ,
କରିଅଛି ନିଜ ଅସ୍ଥିରେ ଧବଳ ।
ଭଗ୍ନାୟୁଧ, ଭିନ୍ନ ବର୍ମ, ଭିନ୍ନ ଢାଲ
ସଙ୍ଗେ ପଡ଼ିଅଛି ଅସଂଖ୍ୟ କଙ୍କାଳ ।
ଏକାଳେ ତୁଳସୀପୁରସ୍ଥିତ ଯହିଁ,
ପିଉଥିଲେ ତହିଁ ରଣରକ୍ତ ମହୀ ।
ବିକଟେ ଓଟାରି ତହିଁ ଶବ-ସ୍ନାୟୁ
ଯୁଝୁଥିଲେ ଗୃଧ୍ର ସଙ୍ଗରେ ଗୋମାୟୁ ।
ରହି ବେନିପକ୍ଷେ ରଣଦେବୀଙ୍କର
ସ୍ଵଶିର-କମଳେ ପୂଜିଲେ ପୟର ।
ଜୀବନେ ହେଲେ ହେଁ ପରସ୍ପର ବାଦୀ,
ମରଣେ ଲଭିଲେ ଏକତ୍ର ସମାଧି ।
ବିଡ଼ାନାସୀ ଗଡେ ସୁବର୍ଣ୍ଣକେଶରୀ
ରୁଦ୍ଧ, ରୁଦ୍ଧ ଯଥା ପିଞ୍ଜରେ କେଶରୀ ।
ଯୁଦ୍ଧ ପରେ ଯୁଦ୍ଧ ହାରି ଅବଶେଷେ
ରୁଦ୍ଧ ଦୁର୍ଗଦ୍ଵାର ନୃପତି ଆଦେଶେ ।
ଅନଶନେ ରାୟେ ଚଣ୍ଡିକା ଦେଉଳେ,
ଅଧ୍ୟା ପଢିଥିଲେ ହୃଦୟ ଆକୁଳେ ।
ସ୍ଵପନେ ଚଣ୍ଡିକା ଭୂପତି ଅଗ୍ରତେ
ଉଭା ହୋଇ ଆଜ୍ଞା ଦେଲେ ଏହି ମତେ,
‘‘ଶତ୍ରୁ ତୋର ଦେବବଳେ ବଳୀୟାର
ସମ୍ମୁଖ ସଂଗ୍ରାମେ ଅଟେ ଦୁର୍ନିବାର
ଦୁର୍ନିବାର ଦାବବହ୍ନି ଯଥା ବନେ
ଶୈଳସ୍ରୋତସ୍ଵତୀ ଅଥବା ପ୍ଳାବନେ,
ଦେବୀ ଚନ୍ଦ୍ରଚୂଡ଼-ମୌଳି-ନିବାସିନୀ
ସହାୟ ତାହାର ସୁର-ତରଙ୍ଗିଣୀ ।
ଗଙ୍ଗାବାକ୍ୟ ତାକୁ ଦେବ ଚନ୍ଦ୍ରଚୂଡ
ବାଞ୍ଛନ୍ତି ଦେବାକୁ ଉତ୍କଳେ ମହୁଡ଼ ।
ମନାସନ୍ତି ମହାରୁଦ୍ର ଯାହା ମନେ,
ନିୟତିରୂପେ ତା ଫଳେ ତ୍ରିଭୁବନେ,
ଶକ୍ତି ନାହିଁ, ବତ୍ସ, କାହାରି ଜଗତେ
ନିୟତିକି ନେବ ନିଜ ଇଚ୍ଛାପଥେ;
ସମ୍ମୁଖ ସଂଗ୍ରାମେ ଶତ୍ରୁ ଜିଣିବାର
ଆଶା ଛାଡି ରୁଦ୍ଧ କର ଗଡ଼ଦ୍ଵାର ।
ଶତ୍ରୁଦର୍ପହାରୀ ଏହି ଜୈତ୍ରମଣି
ଶିରୋମଣିରୂପେ ପିନ୍ଧିବୁ ନୃମଣି ।
ଯାବତ ଏ ମଣି ଥିବ ତୋର ଶିରେ,
ଭେଦି ନ ପାରିବେ ଦୁର୍ଗ ଶତ୍ରୁବୀରେ ।
ରଖି ନ ପାରିଲେ ଏହା ଯତ୍ନକରି,
ରାଜଦଣ୍ଡ ଯିବ କରୁଁ ଅପସର ।”
ଏହା କହି ଦେବୀ ହେଲେ ଅଦର୍ଶନ,
ଏଣେ ଭୂପତିଙ୍କ ଭାଙ୍ଗିଲା ସ୍ଵପନ ।
ପାତ୍ରଙ୍କୁ ଛାମୁରେ ଡକାଇ ସେକ୍ଷଣି
ଦେବ-ଆଜ୍ଞା ଜଣାଇଲେ ନୃପମଣି ।
ସେହିଦିନୁ ରୁଦ୍ଧ ବିଡ଼ାନାସିଦ୍ଵାର,
ବ୍ୟାଧ-କରୁ ମୁକ୍ତ ହୋଇଛ ଶିକାର ।
ଶିବିରେ ପ୍ରତୀକ୍ଷା କରି ବହୁଦିନ,
ଶତ୍ରୁ ଯୋଧେ ହୋଇଛନ୍ତି ଧୈର୍ଯ୍ୟହୀନ ।
ସ୍ଵଦେଶେ ବାହୁଡି ଯିବାକୁ ବାସନା―
ବଶୁଁ କରିଛନ୍ତି ବିଜନେ ମନ୍ତ୍ରଣା ।
ଜୟ ଆଶା ହେଲା ହୃଦୟୁଁ ଅନ୍ତର,
ସେନାପତି ଭାଗ୍ୟେ ତୁଟିଲା ନିର୍ଭର ।
ସେନାପତି ବାକ୍ୟେ ଆସ୍ଥା ଗଲା ଚାଲି,
ଅସନ୍ତୋଷ ହେଲା ହୃଦର ସଙ୍ଖାଳି ।
ଇଙ୍ଗିତେ ଚତୁର ଚୋର ସେନାପତି
ହେଳେ କଳିନେଲେ ତାଙ୍କ ମତିଗତି |
ହେଲେ ହେଁ ଆପଣେ ଅନ୍ତରେ ଚିନ୍ତିତ,
ଦେଖାଇଲେ କାର୍ଯ୍ୟେ ତହିଁ ବିପରୀତ ।
‘'କାଲି ରାତ୍ରିଯାଏ ରହ ଧୈର୍ଯ୍ୟ ଧରି,
ଏହିପରି ଯେବେ ପାହିଲା ଶର୍ବରୀ ।
ଛାଡି ଏ ନଗର ଯିବ ନିଜ ସ୍ଥାନ,
ଏ ବାଣୀକି ମୋର ଧ୍ରୁବ କରି ଜାଣ ।”’
ଏହା କହି ତାଙ୍କୁ ଚୋର ବୀରବର
ରାତ୍ରୁଁ ହୋଇଥିଲେ ଶିବିରୁ ଅନ୍ତର,
ଆସିଲେଣି ବୀର ଶିବିରେ ବାହୁଡି
ମୁହୂର୍ତ୍ତେ ଚୌଦିକେ ପଡିଗଲା ହୁଡି,
ଆସିଲେ ସାମନ୍ତେ ପାତ୍ରମିତ୍ର ଆଦି,
ଆସିଲେ ସୈନିକେ ମନେ ଆଶା ବାନ୍ଧି ।
ମନ୍ତ୍ରୀ ବାସୁଦେବ ମିଳିଲେ ଅଗ୍ରତେ,
ସମ୍ଭାଷି ସାମନ୍ତଦଳ ବିଧିମତେ ।,
ଜଳଦ-ଗମ୍ଭୀର ସ୍ଵନେ ସେନାପତି
ଆଶା-ଉଦ୍ଦୀପନା ଭାଷିଲେ ଭାରତୀ,
'କାଠଯୋଡି-ଶୁଭ୍ର ସିକତା-ଶୟନ
ଭେଦି କୁଆଁ ତାରା ମଣ୍ଡିଲେ ଗଗନ,
ଅବଗାହି କାଠଯୋଡି-ପୂତ ଜଳେ,
ତନୁଚ୍ଛଦେ ତନୁ ଆବରି ଚଞ୍ଚଳେ ।
ମାତୃ ପାଦପଦ୍ମ ଉଦ୍ଦେଶ୍ୟ ଜୁହାରି ;
ଅସିପତ୍ରେ ମୁହିଁ ହେଲି ନଦୀ ପାରି ।
ଏହି ଯେ ଦିଶଇ ନୀଳଗିରିରେଖା,
ଏହି ମୁଖେ ବନେ ବନେ ଗଲି ଏକା ।
ଧ୍ୟାନମଗ୍ନ ପ୍ରାୟେ ସ୍ତବ୍ଧ ବନସ୍ଥଳୀ,
ବନସ୍ପତି-ପତ୍ରୁଁ ଜ୍ୟୋତ୍ସ୍ନା ପଡ଼େ ଝଳି ।
ମାତୃପଦ ଧ୍ୟାୟି ଗଲେ ମୁଁ ନିଃଶଙ୍କେ,
ବନାନ୍ତେ ପଶିଲି ଯାଇ ଗିରିଟଙ୍କେ ।
ଟଙ୍କେ ଟଙ୍କେ ଯାଇ ପଶ୍ଚିମ ମାର୍ଗରେ
ପଶିଲି ବିଜନ ପର୍ବତ-କନ୍ଦରେ,
ପର୍ବତ-ମେଖଳେ ବସି ତରୁତଳେ,
ମାତୃପାଦପଦ୍ମ ଧ୍ୟାୟିଲି ନିଶ୍ଚଳେ ।
କଜ୍ଜ୍ଵଳପତ୍ରୀର ପବିତ୍ର ନିଃସ୍ଵନ
ଜଗତେ ସୂଚିଲା ଉଷା-ଆଗମନ,
କ୍ରମେ କ୍ରମେ ହେଲେ ଚନ୍ଦ୍ରମା ନିଷ୍ପ୍ରଭ,
ଉଷାରାଗେ ରକ୍ତ ହେଲ ପ୍ରାଚୀନଭ ।
ମାତାଙ୍କ ପ୍ରବାହ ଯଥା ସିନ୍ଧୁ ଜଳେ,
ଉଛୁଳିଲା ପ୍ରଭା ନୀଳ-ନଭସ୍ତଳେ ।
ନୀଳକାନ୍ତି-ବ୍ୟୋମ-ଅନ୍ତରାଳେ ଝଳି,
ବିରାଜିଲା ବିଭା ଯେହ୍ନେ ଅରାବଳୀ ।
କୁଆଁ ତାରା ତହିଁ ମଧ୍ୟେ ବିରାଜିତା
ପ୍ରାଚୀ କରିଛି କି ରାମାନନ୍ଦୀ ଚିତା !
କୁମ୍ଭାଟୁଆ ଖଗ ପ୍ରଭାତେ ଡଗରା
ରଙ୍ଗେ ବଜାଇଲା କାନନ-ନାଗରା,
ବିହିଲେ କାନ୍ତାରେ କୁକ୍କୁଟ କୌଶିକ,
ଚଷାପୁଏ ମିଳି ଉଷା ତୈର୍ଯ୍ୟତ୍ରିକ ।
ସେ ଘୋର ନିର୍ଜନେ ବସି ଏକାସନେ,
ମାତାଙ୍କୁ ଧ୍ୟାୟିଲି ଏକତାନମନେ ।
ଅର୍ଦ୍ଧଯାମ କାଳ ଗଲା ଏହିମତେ
ସହସା ପଶିଲା ମୋ ଶ୍ରବଣ-ପଥେ ।
( ଆଶା ମୃଦୁଭାଷା ନିରାଶେ ଯେସନ )
ପରିଚିତ ସେହି ଜଳଦଳ ସ୍ଵନ,
ନୟନ ଫେଡି ମୁଁ ଦେଖିଲି କନ୍ଦରେ
ଭେଦି ପୂଜାବେଦି କୃପାଝର ଝରେ ।
କାଚଧାରା ପ୍ରାୟେ ସ୍ଵଚ୍ଛ ଜଳଧାର,
ଦେବମନ ପ୍ରାୟେ ଦିଶଇ ଉଦାର ।
ଚାହୁଁ ଚାହୁଁ ହେଲା ଛାୟାବାଜିବତ,
ଗଭୀର କନ୍ଦରା ହ୍ରଦେ ପରିଣତ ।
ବନଦେବୀଙ୍କର ବିଳାସଦର୍ପଣ,
କିମ୍ବା ବରୁଣର ସ୍ଫଟିକ ଭବନ,
ଅବା ଜଗତର ସତ୍ତ୍ଵଗୁଣରାଶି
ଗୁପତରେ ତହିଁ ରୁଣ୍ଡ ହେଲା ଆସି
ମଧ୍ୟେ ସୁଗଭୀର ଜଳ ନୀଳାକାର,
କିବା ସେ ଅତଳ ପାତାଳର ଦ୍ବାର !
ହ୍ରଦ-ଆସ୍ତରଣ-ଶୋଭନ ଅଞ୍ଚଳ-
ରୂପେ ବିକସିଲେ ଜଳ-ପୁଷ୍ପ-ଦଳ,
ରମ୍ୟ ତାମରସ ସରସୀ-ସମ୍ପଦ,
କୁମୁଦ, କହ୍ଲାର, ରକ୍ତ-କୋକନଦ ।
ସ୍ଵର୍ଗୀୟ ସୌରଭେ ପୂରିଲା ଅଟବୀ
ଜଳରାଶି ଭେଦି ଶୋଭିଲେ ଜାହ୍ନବୀ,
ଶଙ୍ଖ -ସିଂହାସନେ, ସଙ୍ଗେ ସହଚରୀ
ଉତ୍କଳୀୟବେଶେ ଅପୂର୍ବ ସୁନ୍ଦରୀ ।
ଇନ୍ଦ୍ରଧନୁପ୍ରଭା ମଣ୍ଡଳେ ମଣ୍ଡିତ,
ଶତଦଳେ ନୀଳ କବରୀ ଭୂଷିତ ।
ମନ୍ଦାନିଳେ ଝୁଲୁଅଛି ସିଂହାସନ,
ବର୍ହ ତୋଳି ବର୍ହୀ ତାଣ୍ଡବେ ସେସନ ।
ହେଲେ ଯହୁଁ ଦେବୀ ଜଳେ ସମାସୀନା,
ବାଜିଣ ଉଠିଲା ବନଦେବୀ-ବୀଣା ।
ତା ସଙ୍ଗେ ମିଶିଲା ଭ୍ରମର ସଙ୍ଗୀତ,
ବନ-ବିହଙ୍ଗର କାକଳି ଲଳିତ ।
ଦରୀ-କୋଳେ ଶୋଇଥିଲେ ପ୍ରତିଧ୍ଵନି,
ଜାଗି ଉଠିଲେ ସେ ଗୀତେ ସେହିକ୍ଷଣି ।
ହଂସ ଚକ୍ରବାକ ଜଳେ ଅବତରି,
ବେଢିଣ ଦେବୀଙ୍କି ବୁଲିଲେ ପହଁରି ।
ମୃଗ ମୃଗୀ ତୀରେ ତୃଣାହାର ଛାଡି,
ଉଦଗ୍ରୀବେ ଚାହିଁଲେ ହୋଇ ଧାଡି ଧାଡି ।
ସେ ସ୍ଵର୍ଗୀୟ ଦୃଶ୍ୟ ପିଇଲେ ନୟନେ,
ସେ ସ୍ଵର୍ଗୀୟ ଗୀତ ପିଇଲେ ଶ୍ରବଣେ ।
ମାତାଙ୍କ ଶ୍ରୀମୂର୍ତ୍ତି ଦେଖି ଜଳପରେ,
ତୀରୁଁ ନମ୍ରଶିରେ ନମିଲେ ପୟରେ ।
ଗୋଦାବରୀ ହ୍ରଦେ କମଳ-କାନନେ
ଦେଖିଥିଲ ଯେଉଁ ମୂରତି ବିଜନେ,
ସେହିରୁପେ ଦେବୀ ଦେଖା ଦେଲେ ଆଜ,
ଲାଞ୍ଛିତ ସେ ରୂପେ କୋଟି ଦ୍ଵିଜରାଜ,
କୁନ୍ଦ-ପ୍ରଭା-ନିନ୍ଦି ଶ୍ରୀମୁଖ-ମୟୂଖ—
ଦର୍ଶନେ ଖଣ୍ଡିଲା ହୃଦୁଁ ସର୍ବ ଦୁଃଖ,
ସ୍ଥାବର ଜଙ୍ଗମ ଆଦିକରି ଯେତେ,
ସ୍ତବ୍ଧ ହେଲେ ସର୍ବେ ଦେବୀଙ୍କ ସଙ୍କେତେ ।
ଚିତ୍ରାର୍ପିତ ପ୍ରାୟେ ହେଲେ ସବୁ ପ୍ରାଣୀ,
ଶ୍ରୀମୁଖ-ପଙ୍କଜୁଁ ନିଃସରିଲା ବାଣୀ ।
‘ସପତ୍ନୀର ପୂଜା ଉଠାଇବା ଆଶେ
ଆଣିଲି, ବାଳୁତ, ତୋତେ ଏ ପ୍ରବାସେ,
ବୀର ଦେବବ୍ରତ ଦ୍ବାପରେ ଯେମତେ
ସ୍ଥାପିଲେ ବୈଷ୍ଣବ ଧର୍ମ ଭୂଭାରତେ ।
କ୍ରୁର ଶାକ୍ତମତ, ଶାକ୍ତ ଅନାଚାର,
ଉଠାଇ ବୈଷ୍ଣବ ଭକତି ପ୍ରଚାର,
କରିବାକୁ ଏକା ତୁହି ସେ ଭାଜନ,
ଅଛି ଶକ୍ତି ତୋର, ଅଛି ପୁଣି ମନ ।
ରଣେ ଦେଖାଇଲୁ ସାହସ ବିଷମ;
ନ ଡରିଲୁ ଆଗେ ଉଭା ଦେଖି ଯମ ।
ଯୁଦ୍ଧବୀରଙ୍କର ଯେତେ ଗୁଣମାନ
ତୋଠାରେ ସକଳ ହୋଇଛି ପ୍ରମାଣ,
ମାତ୍ର ଯୁଦ୍ଧବୀର ନୁହେଁ ଧର୍ମବୀର,
କରକା ନୁହଇ କେବେ ମଣିହାର ;
ଧର୍ମବୀର ବିନା ଧର୍ମ ସଂସ୍ଥାପନ
କରିବାକୁ ଅନ୍ୟ ନୁହନ୍ତି ଭାଜନ ।
ଧର୍ମ-ଅସ୍ତ୍ର ଯେହୁ କରନ୍ତି ବିଜୟ,
ଯୁଦ୍ଧକ୍ଷେତ୍ର ତାଙ୍କ ମନୁଷ୍ୟ ହୃଦୟ ।
ଉପୁଜାଏ ବାହୁବଳ ଶତ୍ରୁ ଭୀତି,
ଧର୍ମବଳ ଆଣି ଦିଏ ଶତ୍ରୁପ୍ରୀତି ।
ଧର୍ମଯୁଦ୍ଧ ସେହି ପ୍ରୀତି ଲଭିବାର
ନିୟତି ଫିଟାଇ ଦେବ ତୋତେ ଦ୍ଵାର ।
ଯୁଝିବାକୁ ହେବ ଏକା ଏ ସମରେ,
ପଡିବୁ ସହାୟ ଥିଲେ ହରବରେ ।
ଭାଗ୍ୟର ମୀମାଂସା ହେବ ତୋର ଆଜ,
ଲଭିବୁ ତୁ ଚିର ଯଶଃ ଅବା ଲାଜ ।
ଏ ରଣ ଜିଣିଲେ ହେବୁ ତୁହି ଧନ୍ୟ,
ଏହି ଦେବୀ ହେବେ ସଦା ସୁପ୍ରସନ୍ନ |
ଭବେ ଏହାଙ୍କର ନାମ ମହାନଦୀ,
ଉତ୍କଳ-ଭୁବନେ ଏହି ବିଷ୍ଣୁପଦୀ ।
ନୀଳସାଗରର ଫେନିଳ ତରଙ୍ଗ,
ଏହି ଶୈଳପଦେ ହେଉଥିଲା ଭଙ୍ଗ ।
ମହାନଦୀ-ଲୀଳା ନିମନ୍ତେ ତୀର୍ଥେଶ
ଛାଡି ଦେଇଛନ୍ତି ଏହି ପୂର୍ବ ଦେଶ,
ଏହି ମହାନଦୀ-ପ୍ରସାଦେ କେବଳ
ଜନ୍ମିଅଛି ଶସ୍ୟଶ୍ୟାମଳ ଉତ୍କଳ ।
ମହେନ୍ଦ୍ରକୁ ଭେଦି ମହୋଦଧି-ପଦେ
ମିଳିଲେ ଆସି ଏ ସଲିଳ ସଂପଦେ ।
ତୁଷ୍ଟ ହୋଇ ମୁହିଁ ସୁକାନ୍ତିଙ୍କ ସ୍ତବେ
ପେଷିଲଇଁ ଏହି ସଖିଙ୍କି ପୂରବେ,
ଲୋକେ ଏହାଙ୍କର ମହିମା ଅଦ୍ଭୁତ,
ନୀର ଏହାଙ୍କର ମର୍ତ୍ତ୍ୟରେ ଅମୃତ ।
ଯା ତୀର ନିବାସ ମଣି ମହୋତ୍ସବ
ବସନ୍ତ ଶଇଳେ ଶ୍ରୀନୀଳମାଧବ,
ବସନ୍ତ ଉତ୍ତର ତଟେ ଭଟ୍ଟାରିକା
ଦକ୍ଷିଣେ ନାବିକ-ଅର୍ଚ୍ଚିତା ଚର୍ଚ୍ଚିକା ।
ସ୍ରୋତେ ଶୈଳଶୃଙ୍ଗ-ଶଶାଙ୍କ ଶେଖର
ସିଂହନାଥ ପୁଣି ଧବଳଈଶ୍ବର,
ଗମନ୍ତି ଯେକାଳେ ସିଂହ ତ୍ଵିଷାମ୍ପତି
ଜ୍ୟୋତିର୍ମୟ ବର୍ତ୍ତ୍ମେ କୁମାରୀ ବସତି ।
ଗୈରିକ-ଅରୁଣ ସ୍ରୋତ ଜଳେ ଭାସି
ଯାଆନ୍ତି ସୁନ୍ଦରୀ ଭେଟିବାକୁ ପାଶୀ ।
ସେ କାଳେ ହୁଅଇ ଇନ୍ଦ୍ରଧନୁମାଳ,
ତୀର ଅଦ୍ରିସ୍ତମ୍ଭେ ତୋରଣ ବିଶାଳ ।
ମାଳାପ୍ରାୟେ ତଳେ ଖେଳେ ସୌଦାମିନୀ,
ବ୍ୟୋମେ ବନ୍ଦୁଥାନ୍ତି ବିମାନଚାରିଣୀ ।
ଦେବୀଙ୍କି ସେବନ୍ତି ପବନ ଆଦରେ,
ବିକସିତ କାଶକୁସୁମ-ଚାମରେ,
କାଶଦ୍ବୀପେ ଜଳଦେବୀ ଗୀତିରୋଳ
ସଙ୍ଗେ ମିଶେ ଜଳ-ତରଙ୍ଗ-କଲ୍ଲୋଳ
ଚନ୍ଦ୍ରବାଳେ ଶୋଭେ ଜଳ ଆସ୍ତରଣ
ଯେହ୍ନେ ବିଶ୍ଵଲକ୍ଷ୍ମୀ ବିଶାଳ-ଦର୍ପଣ,
ନିରତେ କରିବୁ ଦେବୀଙ୍କର ଧ୍ୟାନ
ମୋଠାରୁ ଦେବୀଙ୍କି ନ ଜାଣିବୁ ଆନ ।
ବ୍ରାହ୍ମୀ, ବୈତରଣୀ, ସୁବର୍ଣ୍ଣତଟିନୀ,
ବଳାଙ୍ଗୀ ଏ ଚାରି ଦେବୀଙ୍କ ଭଗିନୀ ।
ନିନ୍ଦିତ ଯା' ରୂପେ ପୂର୍ଣ୍ଣଇନ୍ଦୁ ପ୍ରଭା,
ମହାଦେବୀ ଦେବ-ଯଜନ-ସମ୍ଭବା ।
ବସନ୍ତି ଯା ତୀରେ ବିରଜାସୁନ୍ଦରୀ,
ମୋର ସ୍ରୋତ-ରୋଧେ ଯଥା ବିନ୍ଧ୍ୟେଶ୍ଵରୀ ।
ଗୋନାସିକା ଗିରି ପୂତ ଝରୁ ଜାତ,
ଯାର ସ୍ରୋତ; ମହାବରାହ ଆଖ୍ୟାତ ।
ମହାବିଷ୍ଣୁ ସ୍ନାନେ ପୁଣ୍ୟ ଯାର ନୀର,
ପରିଖା ଉତ୍କଳେ ଆଦ୍ୟ ନଗରୀର ।
ସେହି ବୈତରଣୀ ଅଗ୍ରତେ ତୁମ୍ଭର,
ବନ୍ଦ ବତ୍ସ, ଭାବେ ଦେବୀଙ୍କ ପୟର,
ମେଘାସନ ଶୈଳ ମେଘର ଆବାସ,
ସଦଳେ ଝଟିକା ଯହିଁ କରେ ବାସ,
ତହିଁ ଜନ୍ମି ସ୍ରୋତ ପ୍ରାଚୀ ମୁଖେ ଧାଏଁ
ସିନ୍ଧୁ-ଅଙ୍ଗେ ନିଜ ତରଙ୍ଗ ମିଶାଏ ।
ସେହି ସ୍ରୋତସ୍ଵତୀ-ସ୍ରୋତ-ଅଧୀଶ୍ଵରୀ
ବଳାଙ୍ଗୀ ଏ, ମହାନଦୀ ସହଚରୀ
ଉତ୍କଳର ହେମ-ସୀମନ୍ତ ରୂପିଣୀ,
ଦେଖ, ବତ୍ସ, ଏହି ସୁବର୍ଣ୍ଣ ତଟିନୀ |
ସୁବର୍ଣ୍ଣ ପରାଗ ଯହୁଁ ଅହରହ
ଶବର ଯୁବତୀ କରନ୍ତି ସଂଗ୍ରହ ।
ଯାର ତୀର-କୁଞ୍ଜ-ବିହାର ବାସନା
ଛାଡି ନ ପାରନ୍ତି ରମ୍ଭା ସୁଲେଚନା,
ନନ୍ଦନେ ମନ୍ଦିର ନିକୁଞ୍ଜ ବିହାର—
ସୁଖକୁ ତା ଲାଗି ଦିଅନ୍ତି ଧିକ୍କାର ।
ଏହି ସେହି ବ୍ରାହ୍ମୀ ବ୍ରହ୍ମାଣ୍ଡପାବନୀ,
ଯାର କୃପାଯୋଗୁ ଉତ୍କଳେ ଅବନୀ
ପ୍ରସବୁଛି ନାନା ଶସ୍ୟ ଅବିରତ,
ବୈତରଣୀ ସଙ୍ଗେ ହୋଇଣ ସଙ୍ଗତ ।
ଯାର ଜଳ ରାଶି ଅନୂପ ଉତ୍କଳେ
ମହାସିନ୍ଧୁ, ସଙ୍ଗେ ଯୁଝେ କୁତୂହଳେ,
ପ୍ରଧାନ-ପାଟର ପ୍ରପାତ ଭୀଷଣ
ନିର୍ଜନ ଗହନେ ଗର୍ଜେ ଅନୁକ୍ଷଣ ।
ନୀର-ଆସ୍ତରଣ ଭୃଗୁ-ପ୍ରସ୍ଥେ ଯାର
ହୀରକକୁ ଦିଏ ସହସ୍ର ଧିକ୍କାର,
ନିରନ୍ତର ରତ୍ନ-ସୀମନ୍ତ ପରାୟେ
ଇନ୍ଦ୍ରଧନୁ ଯାର ଶିରେ ଶୋଭାପାଏ ।
ଯହିଁ କେଳିଲୋଳ ଜଳଦେବୀ-କେଳି
ଉପୁଜାଏ ଶତ ସଲିଳ-ହାବେଳି ।
ରଚିବେ ଯା ତୀରେ ରୁଚିର ନବର,
ଦୂର ଭବିଷ୍ୟତେ ତୋର ବଂଶଧର,
ସେହି ପ୍ରପାତରେ ପୂତ ତୋୟରାଶି,
ମିଶୁଅଛି ଏହି ବ୍ରାହ୍ମୀଅଙ୍ଗେ ଆସି
ଚାରି ସଖୀ ସଙ୍ଗେ ସୁକାନ୍ତି-ତନୁଜା
ଅଖିଳ ଉତ୍କଳେ ପାଉଛନ୍ତି ପୂଜା ।
ଅଖିଳ ଉତ୍କଳ ଦେଶବାସୀଚୟ
ବଢ଼ିଛନ୍ତି ପିଇ ଏହାଙ୍କର ପୟ ।
ନବତୀର୍ଥ ଆଜ ମୋର ଆବିର୍ଭାବେ,
ଉପୁଜିଲା, ବତ୍ସ, ଏ ବିଜନ ଠାବେ ।
ଏହା ତୀର୍ଥେ ଆସି ଏ ପୁଣ୍ୟ ତିଥିରେ
ପ୍ରତିବର୍ଷ ସ୍ନାନ କରିବୁ ଏ ନୀରେ,
ବୋଲଇବ ଏହା ଉତ୍କଳେ ସନ୍ତତେ
'ଚୋରଗଙ୍ଗ ଦହ’ ତୋର ନାମ ମତେ ।
ଏହା କହି ଦେବୀ ହେଲେ ଅନ୍ତର୍ହିତ,
ଜଳଦେ ଯେସନେ ମିଶଇ ତଡିତ ।
ଜଳେ ମିଶିଗଲା ସେ ଛବି ପଲକେ,
ଅବଶେ ଆଖି ମୁଁ ବୁଜିଲି ଛନକେ ।
ପୂର୍ବପରି ସ୍ତବ୍ଧ ହେଲା ସେ କାନ୍ତାର,
ପୂର୍ବପରି ଶୁଭି ଝିଙ୍କାରୀ-ଝଙ୍କାର ।
କୌମୁଦୀ ବିହୁନେ ଶଶାଙ୍କ ଯେସନ
ମ୍ଳାନ ଭାବ ଏବେ ଭଜିଲା କାନନ ।
ପ୍ରଭାବିଭୁ ନଭେ ହେଲେ ଖରତର,
ତୋଳି ନେଇ ସରୁଁ ମୃଣାଳ-ପୁଷ୍କର ।
ଦେବୀଙ୍କି ନୈବେଦ୍ୟ ଦେଇ ମନେ ମନେ,
କ୍ଷୁଧା ନିବାରିଲି ପ୍ରସାଦ-ସେବନେ ।
ଅମ୍ଵରେ ଉଜ୍ଜ୍ଵଳେ ଜଳିଲେ ତରଣି,
କିବା ଦିବାଦେବୀ କାଞ୍ଚୀମଧ୍ୟମଣି ।
ତାପେ କ୍ଳାନ୍ତ ତରୁରାଜି ସରକୂଳେ,
ଅର୍ଚ୍ଚିଲେ ସରକୁ ବୃନ୍ତଚ୍ୟୁତ ଫୁଲେ ।
କପୋତେ ରାବିଲେ ତରୁଷଣ୍ଡେ ଲୁଚି,
ପତ୍ର ଅନ୍ତରାଳେ ରାବିଲେ ଗୁଣ୍ଡୁଚି ।
ଅଚଳେ କୋଚିଳାଖାଇଙ୍କର ରାବ
ପ୍ରଚାରିଲା ବନେ ମଧ୍ୟାହ୍ନ ପ୍ରଭାବ ।
ନଦୀକୂଳୁଁ ଶୁଣି ସ୍ଵଜାତିର ସ୍ଵର,
ନଦୀକୂଳବନ୍ଧୁ ଦେଲା ପ୍ରତ୍ୟୁତ୍ତର ।
ବିଶ୍ରାମେ ମିଟାଇ ଶ୍ରମ ତରୁତଳେ,
ଶିବିରକୁ ଫେରି ଅଇଲି ଚଞ୍ଚଳେ ।"
ଏହି କଥା କହି ଚୋର ସେନାପତି
ପ୍ରଦୋଷ କୃତ୍ୟରେ ବଳାଇଲେ ମତି ।
ସାମନ୍ତେ ସୈନିକେ ଗଲେ ନିଜେ ସ୍ଥାନ
ମନେ ଗୁଣି ସେନାପତି କଥାମାନ ।
କି ଭାଗ୍ୟ ଫଳିବ ରଜନୀ ଗରଭେ,
ଏହି ପ୍ରତୀକ୍ଷାରେ ରହିଲେ ସରବେ ।
ଦ୍ଵିତୀୟ ସର୍ଗ
ଡୁବନ୍ତି ଦିନାନ୍ତେ ତପ୍ତ ହେମ ଛବି
ଧୀରେ ଦେବୀଦ୍ଵାର ଗିରିଶୃଙ୍ଗେ ରବି,
ପୀତ କରଜାଳେ ଝଳୁଛି ଭୁବନ,
ସୁଖସ୍ଵପ୍ନ ପ୍ରାୟେ ହରେ ଜନମନ ।
ବାରୁଣୀ ଗଗନ ପ୍ଳାବିତ ପ୍ରଭାରେ
ଗନ୍ଧର୍ଭ ନଗରୀ ଶୋଭାକୁ ଧିକ୍କାରେ,
ବାରୁଣୀ-ରାଣୀ କି ପିନ୍ଧି ସ୍ଵର୍ଣ୍ଣଚେଳ
ସଖୀ ସଙ୍ଗେ ଖେଳୁଛନ୍ତି ଫଗୁଖେଳ ;
ସୁବର୍ଣ୍ଣ ବିମାନ, ସ୍ଵର୍ଣ୍ଣରଥ ଦୋଳା
ନଭସ୍ଥଳେ କେତେ ହୋଇଛନ୍ତି ତୋଳା,
ସୁବର୍ଣ୍ଣର ନଦେ ବହେ ସ୍ଵର୍ଣ୍ଣ ସ୍ରୋତ,
ସୁବର୍ଣ୍ଣ ଅଝାଲେ ଚଳେ ସ୍ଵର୍ଣ୍ଣପୋତ ।
ଦୂରେ ବାଲିରାଶି ମିଶିଛି ଗଗନେ
ବିଭାସିତ ସନ୍ଧ୍ୟା-କନକ-କିରଣେ,
ସାରଙ୍ଗ ଗଡରୁ ଆଠଗଡ଼ ଯାଏ
ଶୋଭେ ଶୈଳ ନୀଳ ପ୍ରାଚୀର ପରାୟେ ;
ଠାବେ ଠାବେ ତୁଙ୍ଗ ନୀଳଶୃଙ୍ଗମାଳା
ଶୋଭେ ଯେହ୍ନେ ଇନ୍ଦ୍ରନୀଳ ଚନ୍ଦ୍ରଶାଳା,
ଉଚ୍ଚତାରେ ଦେଇ ସର୍ବଶୈଳେ ଲଜ୍ଜା
ଟେକିଛି ଶିଖର ଗିରି ସପ୍ତଶଯ୍ୟା ।
ମଣ୍ଡିଛନ୍ତି ସ୍ଵର୍ଣ୍ଣ କରେ ଗ୍ରହରାଜ,
ବୌଦ୍ଧକୀର୍ତ୍ତିରାଜି ମଣ୍ଡିତ ନରାଜ ;
ଉତ୍ତରେ ବିରାଜେ ଶୈଳ ସର୍ପେଶ୍ଵର,
ସର୍ପେଶ୍ଵରୀ ଯାର ଧୁଅଇ ପୟର,
ବକ୍ରଗାମୀ ସ୍ରୋତେ, ବିସ୍ତୃତ ସୈକତେ
ସନ୍ଧ୍ୟାରାଗ ଖେଳୁଅଛି ନାନାମତେ ।
ସ୍ଵଚ୍ଛ ସ୍ରୋତଜଳଳେ ପୀତ ରବି ରୁଚି
ପଡି, ବୀଚିମାଳା ହଲୁଚି ଝଳୁଚି ।
ଧୂମାକାରେ ଦୂରେ ପର୍ବତର ଛାଇ,
ମାଡ଼ି ଆସୁଅଛି ଜଳସ୍ଥଳ ଛାଇ ;
ରଥାଙ୍ଗୀ ଭାସଇ କାଠଯୋଡି-ନୀରେ
ଥରେ କାନ୍ତେ, ଥରେ ଅନାଇ ମିହିରେ ;
ପଟିଆଦହରୁ ପକ୍ଷୀ ଦଳେ ଦଳେ
ଉଡି ଆସୁଛନ୍ତି ନଭେ କୋଳାହଳେ,
ଗଉଡେ ମଧୁରେ ମୁରଳୀ ବଜାଇ
ପଠାରୁ ଗୋଠକୁ ଆଣୁଛନ୍ତି ଗାଈ ,
ଚାହୁଁ ଚାହୁଁ ରବି ହେଲେ ଅସ୍ତମିତ,
ପଶ୍ଚିମାଶା ହେଲା କୁଙ୍କୁମେ ଛୁରିତ ;
କେତେ ରୂପ ଧରୁଅଛି ଚକ୍ରବାଳ,
ଦେଖାଉଛି ନବ ନବ ଇନ୍ଦ୍ରଜାଲ,
ରକ୍ତ, ପୀତ, ନୀଳେ ଚିତ୍ର କରି ନଭ
ଭିଆଇଛି ନାନାବର୍ଣ୍ଣେ ବର୍ଣ୍ଣୋତ୍ସବ ।
ତାରାଟିଏ ଫୁଟି ଗୋଧୂଳି କୁନ୍ତଳେ
ଦେଖୁଅଛି ମୁଖ କାଠଯୋଡି-ଜଳେ,
ପର୍ବତକନ୍ଦରୁ ବାହାରି ଅନ୍ଧାର
କ୍ରମେ ସବୁ କରୁଅଛି ଏକାକାର,
ଚଉଦିଗେ ଘୋଟି ତିମିର କାଳିମା
ଲିଭିଗଲା ଜଳସ୍ଥଳ ବ୍ୟୋମସୀମା,
ମାତ୍ର ବିଡାନାସି ଗଡେ ତିମିରର
ପ୍ରବେଶର ଆଜି ନାହିଁ ଅବସର
ଯହିଁ ଦେଖ ତହିଁ ଚନ୍ଦ୍ରୋଦୟା ଜଳେ,
ଯହିଁ ଶୁଣ ତହିଁ ସଙ୍ଗୀତ ଉଥଳେ ।
ଉଲ୍ଲାସେ ଗଡ଼ନ୍ତି ଗଡ଼ବାସିଜନେ
ନାନା ମନୋରାଜ୍ୟ ଜାଗ୍ରତ ସ୍ଵପନେ,
"ବିଡାନାସି ଛାଡି ଆଜି ନିଶା ଶେଷେ
ବାହୁଡିବ ଶତ୍ରୁ ସଦଳେ ସ୍ବଦେଶେ,
ରିପୁ-ରାହୁ-ମୁକ୍ତ ହେବେ ନୃପ-ଶଶୀ,
ଉତ୍କଳ-କୈରବ ହସିବ ବିକଶି ।”
ଦେବାଳୟେ, ରଥେ, ଘାଟେ, ଘରେ ଦ୍ଵାରେ
ଏହି ଗୀତ ଆଶା ଗାଏ ସବୁଠାରେ,
ଉତ୍କଣ୍ଠା ହୃଦୟ କଲେ ଅଧିକାର,
ଆଶା ଧରେ ଇଷ୍ଟସିଦ୍ଧିର ଆକାର ।
ଗହନେ ଗମନକାଳେ ଚୋରବୀର
କହିଯାଇଥିଲେ ଶିବିରେ ଯେ ଗିର,
ସେହ କଥା ଆଣି ରାତ୍ରେ ଗୂଢଚାର
କରିଥିଲା ଜନସମାଜେ ପ୍ରଚାର ।
ସେହି ଆଶା-ସ୍ରୋତେ ମନୋରଥ-ତରୀ
ଛାଡି ଦେଇଛନ୍ତି ନାଗର ନାଗରୀ
ଚାଲିଛି ତରଣୀ ଉଲ୍ଲାସ ପବନେ
ବିପଦ-ଭଉଁରୀ-ଭୀତି ନାହିଁ ମନେ ।
ଦୁର୍ଗ ମଧ୍ୟେ ଆଜ ଆନନ୍ଦ ଚହଳ
ଚଣ୍ଡିକା ଦେଉଳେ ଲାଗିଛି ଗହଳ ।
ପଟ୍ଟହ-କାହାଳୀ-ତୁରୀ-ଭେରୀ ରବେ,
କମ୍ପୁଛି ଚଣ୍ଡିକା-ଗୃହ ମହୋତ୍ସବେ ।
ସପଲ୍ଲବପୁଷ୍ପେ ଶୋଭିତ ତୋରଣ,
ଧୂପ-ହୋମ-ଗନ୍ଧ ବହେ ସମୀରଣ,
ଧାଡି ଧାଡି ହୋଇ ଜଳେ ଦୀପାବଳୀ
ମନ୍ତ୍ର ଉଚ୍ଚାରନ୍ତି ପୁରୋଧା ମଣ୍ଡଳୀ ।
ସ୍ଥାନେ ସ୍ଥାନେ କୁଞ୍ଜ ହୋଇଛି ରଚନା,
ସରଣୀରେ ଶୋହେ ପଲ୍ଲବତୋରଣା
ଉଡେ ନାନାବର୍ଣ୍ଣେ ତରୁଚୂଡେ ଧ୍ଵଜ
ତରୁପର୍ଣ୍ଣେ ଦୀପ ନିନ୍ଦେ ତାରାବ୍ରଜ ।
ଉନ୍ନତ ଆନନ୍ଦେ ଯେତେ ଦୁର୍ଗବାସୀ
ରୁଣ୍ଡ କଲେ ଆଣି ଭୋଗ ରାଶି ରାଶି ।
କୁସୁମ ଚାଙ୍ଗଡା ପଦ୍ମହସ୍ତେ ଧରି,
ଠାବେ ଠାବେ ଠୁଳ ପ୍ରାଙ୍ଗଣେ ନାଗରୀ
ଉଭା ହୋଇ ଭକ୍ତିଭରେ ନରବର,
ଦେବୀଙ୍କ ଛାମୁରେ ଢାଳନ୍ତି ଚାମର ।
ଅର୍ଘ୍ୟସ୍ଥାଳୀ ହସ୍ତେ ମହିଷୀ ସକଳ,
ଉପନୀତ, ସଙ୍ଗେ ସହଚରୀ ଦଳ,
ସର୍ବେ ହୋଇଛନ୍ତି ଏ ଉତ୍ସବେ ଭାଗୀ
ମାତ୍ର ଜେମା-ମୁଖ ମଳିନ କି ଲାଗି ।
ସନ୍ତତି ମଧ୍ୟରେ ଏକମାତ୍ର କନ୍ୟା
ରୂପେ ଗୁଣେ ଲୋକେ ହୋଇଅଛି ଧନ୍ୟା ।
ଶତ ମହିଷୀର ଉତ୍ସଙ୍ଗେ ଲାଳିତା,
ଶଶୀକଳା ପ୍ରାୟେ ବଢିଲା ଲଳିତା ।
ଭ୍ରମିଲା ସୋହାଗେ ଶୈଶବେ ନବୀନା
କୋଳୁଁ କୋଳେ ଯେହ୍ନେ କଳନାଦୀ ବୀଣା ।
କ୍ରମେ ଦେହେ ହେଲା ଯୌବନ-ପ୍ରକାଶ,
ବସନ୍ତେ ଆସଇ ଯଥା ମଧୁମାସ ।
କିମ୍ଵା ମଧୁମାସେ ନବକିଶଳୟ
କିଶଳୟେ ଅବା କୁସୁମନିଚୟ ।
ଶୁଦ୍ଧାନ୍ତ ଉଦ୍ୟାନେ ଏକ ହିଁ ମୁକୁଳ,
ନନ୍ଦିକା ଏବେ ସେ ପ୍ରସ୍ଫୁଟିତ ଫୁଲ,
କେଉଁ କୀଟ ଆହା ପଶିଲା ଏ ଫୁଲେ ?
କି ଭାବନା ବାଳା ଭାବୁଛି ବ୍ୟାକୁଳେ ?
ଉଦାସୀନ ବାଣୀ ଅଟଳ ଚାହାଣୀ
ହୃତ ହୃଦୟର କହଇ କାହାଣୀ,
ବୃଥା ସେ କୃତ୍ରିମ ଉଲ୍ଲାସେ ପ୍ରୟାସ,
ଫୁଟି ବାହାରୁଛି ରୁଦ୍ଧ ଦୀର୍ଘଶ୍ଵାସ ।
ଭାବ ଦେଖି ଅଙ୍ଗ-ଗ୍ଳାନି ଅନୁମାନି
ସଖୀଏ ଛାଡିଲେ ଅନ୍ତଃପୁରେ ଆଣି ।
ପାତ୍ର ମିତ୍ର ସଙ୍ଗେ କେଶରୀପ୍ରବର,
ବାହୁଡିଲେ ଆଦ୍ୟ ଯାମେ ଯାମିନୀର ।
ଦିବାଶ୍ରମେ ଶ୍ରାନ୍ତ ଯେତେ ନରନାରୀ,
ବାସେ ବାହୁଡିଲେ ମହୋତ୍ସବ ସାରି ।
ଯାମିନୀ ହୁଅନ୍ତେ ସାର୍ଦ୍ଧ ଏକ ଯାମ,
ଆହାରାନ୍ତେ ସର୍ବେ ଲଭିଲେ ବିଶ୍ରାମ ।
କି ରାଜା, କି ପ୍ରଜା, କି ଧନୀ, କି ନିର୍ଦ୍ଧନ
ସ୍ବପ୍ନରାଜ୍ୟେ ସୁଖେ କଲେ ବିଚରଣ,
କ୍ରମେ ଘରେ ଘରେ ପ୍ରଦୀପ ଲିଭିଲା ;
ଗାଢ ତମଃ ସର୍ବସ୍ଥଳ ଆବୋରିଲା ।
ଗାଢୁ଼ଁ ଗାଢତର ହେଲାଣି ରଜନୀ,
ନିବିଡ ତମସେ ଆବୃତ ଅବନୀ,
ମଗ୍ନ ବିଡାନାସି ନିବିଡ ତମସେ
ଜଡ଼ ପ୍ରାୟେ ଗଡ଼ବାସୀ ନିଦ୍ରାବଶେ ।
ଲିଭିଲାଣି ଦୀପଶିଖା ଠାବେ ଠାବେ
ଜଳୁଥିଲା ଯାହା ନଦୀବକ୍ଷେ ନାବେ,
ପଥ ବେନିପାର୍ଶ୍ଵେ ଘନ ବନସ୍ପତି
କିବା ସେ ବହଳ ତମିସ୍ର ସଂହତି ;
ଗାଢତର ହୋଇ ଅନ୍ଧାର ବଢୁଛି
ଥାଉ ଆନ ତହିଁ ନ ଗଳିବ ସୂଚି
ମହାନଦୀ-ପଠାବାସୀ ମହିଷାଳ
ମହାନଦୀ-ସ୍ରୋତବାହୀ ପୋତପାଳ ,
ଭୟହାରୀ ଶଶୀ ହେବାକୁ ଉଦିତ
ଅଛି କାଳ ଅର୍ଦ୍ଧଯାମ ପରିମିତ ।
ସାଇଁ ସାଇଁ ଡାକୁଅଛି ବସୁନ୍ଧରା
ମୌନବତୀ ଯେହ୍ନେ ସମାଧି ତତ୍ପରା,
ତିମିର-ପ୍ରଭାବ ଏହିକାଳେ ଅତି,
ସୁଖ ଆଗେ ଯଥା ଦୁଃଖ ପରିଣତି,
ମହାଶୂନ୍ୟେ ରହି ତାରକାର ମେଳା,
ଭ୍ରୂଭଙ୍ଗେ ଦେଖନ୍ତି ଏ ଭବର ଖେଳା ।
ମଗ୍ନ ବିଡାନାସି ତମ-ସିନ୍ଧୁ-ନୀରେ,
ଆଲୋକ ଝଲକେ କିମ୍ପା ହର୍ମ୍ୟ-ଶିରେ ?
ତମୋଭାଲେ ତାର ପ୍ରାୟେ ନଭେ ସ୍ଫୁରେ
ନୁହଇ କି ଦୀପ ଜେମା-ହଂସପୁରେ
ବିକଶିତ ନବ-ଲାବଣ୍ୟ-କଳିକା
ଚନ୍ଦ୍ରଶାଳା ଗୃହେ ବସିଛି ନନ୍ଦିକା,
ଏ ଗୃହେ ନିଭୃତେ ବସି କୁତୂହଳେ
ପୂର୍ବେ ଦେଖୁଥିଲା ରଣ ଗଡ଼ତଳେ,
ଚୋରବୀରଙ୍କର ଲଳିତ ମୂରତି
ଦେଖି ହେଉଥିଲା ହୃଦୟ କରତି
ଦେଖିଲା ଯେ ଦିନ ଚୋରକୁ ରୂପସୀ
ଗଲା ମନ ତାର ନିଜ ବଶୁ ଖସି,
ବସି ଅଳ୍ପୋଦରୀ ସଂକଳ୍ପ-ଦୋଳାରେ
ସୁକୁମାରୀ ଘାରି ହେଉଥିଲା ମାରେ,
ଅଙ୍ଗେ ବର୍ମ, ଶିରେ ସ୍ଵର୍ଣ୍ଣ-ଶିରସ୍ତ୍ରାଣ,
ବରଭୁଜେ ଧରି ଝଲକ କୃପାଣ,
ବାଜିପୃଷ୍ଠେ ଚୋର ଯୁଝୁଥିଲେ ରଣେ,
ନିନ୍ଦୁଥିଲା ବାମା ଶିଖଣ୍ଡିବାହନେ,
ବିନ୍ଧୁଥିଲେ ଚାପ ଚକ୍ରାକାରେ ଟାଣି
ମଣୁଥିଲା ତାଙ୍କୁ ପୁଷ୍ପଧନୁପାଣି,
ଯୁଝୁଥିଲେ ବୀର ଅରାତି ଗହଳେ
ପୋଛୁଥାଇ ବାଳା ଅଶ୍ରୁ ଚେଳାଞ୍ଚଳେ ।
ତ୍ରାସେ ହେଉଥାଇ ଚିତ୍ତବୃତ୍ତି ଲୋଳ
ଭଜୁଥାଇ ପାଣ୍ଡୁ-ଭାବକୁ କପୋଳ ।
ଆରତେ କରତି ହେଉଥାଇ ମନ
ଭାବୁଥାଇ ବାଳା ସ୍ଵଗତେ ଏସନ,
ଆହା କି ଲଳିତ ଲାବଣ୍ୟ-ପ୍ରତିମା !
ଜଗତେ ସୁଷମା-ଉପମାର ସୀମା
ଏ ନିଧିକି ବିଧି, ଆହା କି ବିଚାରେ
ଯୋଚିଲେ ଦାରୁଣ ରଣ-ବ୍ୟବସାରେ ?
ପୁଷ୍ପ ଉପବନ-ଯୋଗ୍ୟ ଯୁବାଜନେ
ପକାଇଲେ ନେଇ ଅସି-ଲତାବନେ
କୁସୁମ-ପରାଗ-ଯୋଗ୍ୟ କଳେବର
ହୋଇଅଛି ଆହା, ଧୂଳିରେ ଧୂସର !
ଶ୍ରମବାରି ଝରି ଝଳୁଛି ବଦନ
କଳଧୌତେ ମୋତି ଜଡିତ ଯେସନ
ଦୁଃସାହସ ଦେଖି ମନେ ତ୍ରାସ ମାଡେ,
ସଦା ଯୁଝେ ବୀର ବିପଦର ଦାଢେ
କିଏ ଦେଖିଅଛି ଫେଡି ଭବିତବ୍ୟ ?
ହେବେ କାଳେ ଶତ୍ରୁ-ଶରର ଶରବ୍ୟ !
କେ କହିବ, ଆହା, ବିଧାତା କିମ୍ପାଇଁ
ମୃଣାଳକୁ ଦେଲେ କଣ୍ଟକେ ଜଡ଼ାଇ ?
କି ଲାଗି ଚନ୍ଦନ ପନ୍ନଗ-ନିବାସ
ବୁଝିବାର ସିନା ବିଫଳ ପ୍ରୟାସ !
ଦୈତ୍ୟ ଅସ୍ତ୍ରାଘାତେ ସହିବାକୁ ରଣେ
ସୃଜିଲେ ଯେ ବିଧି ଶିଖଣ୍ଡିବାହନେ
ସେହି ତ ସୃଜିଲେ ଏ ରୂପ ନିଧାନ
ବିଧି ସେ ବୁଝନ୍ତି ତାଙ୍କର ବିଧାନ !
ଶୁଣିଛି ଚୋରର ଜନନୀ ଜାହ୍ନବୀ,
ହୃଦ କି ତାଙ୍କର ବଳିଗଲା ପବି ?
କୁମରକୁ ପେଶି ଏ ଘୋର ସମରେ
ଧୈର୍ଯ୍ଯ ଧରି ରହିଛନ୍ତି ଦେଶାନ୍ତରେ,
ଦେବବ୍ରତକୁ ଯେ ଦେବୀ ପୂର୍ବଯୁଗେ,
ରଣେ ଶୁଆଇଲେ ସୁତୀକ୍ଷ୍ଣ ଆଶୁଗେ
ସେହି ଦେବୀଙ୍କର ଯେଣୁ ଏ କୁମାର
ଏ ଭାଗ୍ୟ ଭଜିବା ନୋହେ ଚମତ୍କାର !
ଦେବକୂଟ ସିନା ଦେବତାଙ୍କୁ ଜଣା,
ମନୁଷ୍ୟ ତ ତହିଁ ସବୁବେଳେ ବଣା ।"
ଆଜ ଜଗତୀରେ ଜଗତମୋହିନୀ
କି ଭାବନା ଭାବୁଅଛୁ ଏକାକିନୀ ?
ମନେ ଉଠିଅଛି ଶତ ମନୋରଥ,
ଲୋକଲଜ୍ଜା ପୁଣି ରୋଧୁଅଛି ପଥ
ଆର୍ତ୍ତେ ଭ୍ରମୁଅଛି ଏଣେ ତେଣେ ମନ,
ମଶାରି ଭିତରେ ମଶକ ଯେସନ ।
ଅବା ତରୁଶାଖା ପ୍ରଭଞ୍ଜନ ବଳେ,
ଅଥବା ତରଙ୍ଗ ମହୋଦଧିଜଳେ,
ଭାବ-ଊର୍ମି-କୋଳେ ଦୋଳୁଅଛି ବାଳା,
ଅରାତି-ଶିବିରେ ଆଲୋକର ମାଳା ।
ଦେଖିଣ ହୃଦୟ ହେଉଛି ଉଚ୍ଛନ୍ନ,
ଗଣ୍ଡେ କର ଥୋଇ ଭାଳଇ ଏସନ
ଆଜି ନିଶା ଶେଷେ ଉଇଁଲେ ତପନ,
ମୋ ପ୍ରାଣ-ତପନ ହେବେ ଅଦର୍ଶନ ,
ଅଶ୍ରୁହୀନ ହେବ ପଦ୍ମିନୀ-ନୟନ,
ମୋର ବେନି ନେତ୍ର ଅଶ୍ରୁ ପ୍ରସ୍ରବଣ ।
ମୋହୋ ପକ୍ଷେ ହେଲା ଏ ରଣ ପ୍ରମାଦ
ଭିଆଇଲା ଚିତ୍ତେ ହରଷେ ବିଷାଦ,
କି ବୁଦ୍ଧି କରିବି ସହଜେ ଅବଳା,
ଜନ୍ମିଛି ହୃଦୟେ ଦେବାକୁ ଅଗଳା,
ଅରି ହୋଇ ଚୋର କରେ ମନ ଚୋରି
ଅଲକ୍ଷ୍ୟେ ଫିଙ୍ଗଇ ଦୂରୁଁ ପ୍ରେମଡୋରି ।
ଦୂରୁଁ ଆସି ଏହି ଶୂରଚୂଡାମଣି,
ହଠେ ଲୁଟି କଲା ହୃଦୟ-ବିପଣି ।
ନ ପଶୁଣୁ ଦୁର୍ଗେ ପଶିଲା ଅନ୍ତରେ
ଛାୟା ଯଥା ସ୍ଵଚ୍ଛ ଦର୍ପଣ ଭିତରେ ।
ଚୋର ହାତେ ଦେଲି ପ୍ରଣୟ-ପସରା,
ନ ଧରି ପଡିଲି ଚୋର ହାତେ ଧରା,
ନାରୀମନ-ଚୋର ଚୋର ମହାବୀର,
ଚୋର ନାମ ତେଣୁ ବହିଛି ମହୀର
ଗଲା ହୃଦୟ ନ ଆସିବ ବାହୁଡି,
ପକ୍ଷ ଥିଲେ ଦେହ ଯାଇଥାନ୍ତା ଉଡି ।
କରମକୁ ମୋର ପିତା ହେଲେ ବାମ,
ପୂର୍ଣ୍ଣ ହେଲା ଏବେ ତାଙ୍କ ମନସ୍କାମ,
ମୋର ହେତୁ ରାଜ୍ୟ ହେତୁ ଯତ୍ନ କରି
ମନ୍ତ୍ରୀ ବାସୁଦେବ ହେଲେ ଦେଶାନ୍ତରୀ ।
ସ୍ଵପନେ ଚଣ୍ଡିକା ଦେଲେ ମଥାମଣି,
ମୋ ଭାଗ୍ୟେ ହେଲା ସେ ଦାରୁଣ-ଅଶନି ।
ବାସୁଦେବ କଥା ରଖିଥିଲେ ତାତ,
ହୋଇଥାଆନ୍ତା କି ଏତେ ରକ୍ତପାତ ?
ଆହା କେତେ ବୀର ହେଲେ ଧରାଶାୟୀ
କେତେ ପରିବାର ଭିକ୍ଷା-ବ୍ୟବସାୟୀ !
ସେଇ ରକ୍ତ, ତାର ଅଶ୍ରୁ ଚାରିଗୁଣ
କଲା କଟକର ବକ୍ଷକୁ ଅରୁଣ ;
ହୋଇଛନ୍ତି ରାୟେ ବିଶେଷେ ସ୍ଥବିର,
ପୁଣି ସୁହୃଦଙ୍କ ବାକ୍ୟରେ ବଧିର ।
ବାସୁଦେବଙ୍କର ମନ୍ତ୍ରଣା ଗ୍ରହଣ,
କରି, କରିଥିଲେ ମୋତେ ସମର୍ପଣ,
ପୁତ୍ରାଭାବେ ପୁତ୍ର ହୋଇଥାନ୍ତେ ଚୋର
ନ ହୁଅନ୍ତା ଏହି କଳିଗୋଳ ଘୋର ;
ତାତ ହେଲେ ସିନା ଅନର୍ଥର ହେତୁ,
ଶୁଭଗ୍ରହ କର୍ମେ ହେଲେ ଧୂମକେତୁ,
ଯାହା ଇଚ୍ଛା ତାହା ପରଭାଗ୍ୟେ ଘଟୁ
ନିଜ ଚିତ୍ତବୃତ୍ତି ଚିହ୍ନିବାକୁ ପଟୁ
ଚିହ୍ନିବାକୁ ଶିଖି ନାହିଁ ପରମନ,
ସେ କି କେବେ ପ୍ରଭୁପଣକୁ ଭାଜନ ।
ସୁତାରେ ପିତାଙ୍କ ପୂର୍ଣ୍ଣ ଅଧୁକାର
ଭଣେ ଯେଉଁ ଶାସ୍ତ୍ର ତାକୁ ନମସ୍କାର !
ବୃଥା ଭାବି ଭାବି ହେଉଛି ଉଚ୍ଛନ୍ନ,
ବୃଥା କରୁଅଛି ଅଶ୍ରୁ ବିସର୍ଜନ ।
ତୁଚ୍ଛା ଅଶ୍ରୁ, ତୁଚ୍ଛା ଚିନ୍ତା ଆଶ୍ରା କରି
ଦୁଃଖସ୍ରୋତେ କେବେ କେ ପାରେ ସନ୍ତରି ?
ତୁଚ୍ଛା ଚିନ୍ତା କେବେ ଫେଡିଲା କଷଣ,
ଭାଗ୍ୟଦେବୀ କେବେ ଚିନ୍ତାରେ ପ୍ରସନ୍ନ ?
ଭାଳି ଭାଳି ହେଲି ଅସ୍ଥି ଚର୍ମସାର,
ଭାଳୁଣିରେ ଦୁଃଖ ଗଲାଣି କାହାର ?
ଭାଗ୍ୟଦେବୀ ଅନୁକୂଳ ଉଦ୍ଯୋଗୀର,
ଅଳସ କଥାକୁ ସଦା ସେ ବଧିର ;
ନିଜ ପଥେ ନିଜ ବାଧା ଅତିକ୍ରମ,
କରିବାକୁ ସିନା ପ୍ରେମର ଧରମ ।
ଏହି ପ୍ରେମ ଘେନି ଅନ୍ୟ ସୀମନ୍ତିନୀ,
ହେଳେ ପାରିଥାନ୍ତା ସବୁ ବାଧା ଜିଣି ।
କୁଳମାନ ଦେଇ ପ୍ରେମପୀଠେ ବଳି,
ପ୍ରେମ ପ୍ରବାହରେ ପଡିଯାଆନ୍ତି ଢଳି ।
ପ୍ରେମେ ଢଳ ଢଳ ଏହି ମହାନଦୀ,
ଶତ ଶୈଳ ଲଙ୍ଘି ଯାଉଛି ଜଳଧି ।
ମହାବଳୀ ପ୍ରେମ ଅଟଇ ମହୀର,
ପ୍ରେମ ଦିଏ ବୁଦ୍ଧି ଉଦ୍ଯୋଗ ସାହସ
ପ୍ରେମ କରିପାରେ ଅବଶକୁ ବଶ।
ଭୀରୁ ନାମ ଯେହୁ ବହନ୍ତି ସ୍ଵଭାବେ,
ବୀର ହୁଅନ୍ତି ସେ ପ୍ରେମର ପ୍ରଭାବେ।
ସୁଭଦ୍ରାର କଥା ଜଗତ ବିଦିତ,
ପ୍ରେମବଳେ ସିନା ଲଭିଲା ଦୟିତ,
ଛାର ମନେ ମଣି ରାଜସିଂହାସନ,
ବିନିମୟ କଲା ବୀର ସଙ୍ଗେ ମନ ।
ଅୟୁତ ଯାଦବ-ଯୋଧ ପଛେ ଧାଇଁ
ନ ପାରିଲେ ବାଳା ମନକୁ ଫେରାଇ,
ସେହି ପ୍ରେମ ବହି ମୁହିଁ ହେଲି ଜଡ଼,
ତୁଟି ନ ପାରିଲି ଲଜ୍ଜାର ନିଗଡ଼ ।
ପ୍ରେମ ବଶ ହୋଇ କେତେ ରସବତୀ,
ଅକାତରେ ଜଳେ ଅନଳେ ପଶନ୍ତି,
ପଶିଲେ ହୁଅନ୍ତେ ଯେବେ ଚୋରବର,
ଜଳ ଅନଳକୁ ନ ଥିଲା ମୋ ଡର,
ଜଳେ କି ଅନଳେ କିବା ପ୍ରୟୋଜନ ?
ଏକା ଲୋଡା ସେହି ଦେବୀଦତ୍ତ ଧନ ।
ହସ୍ତଗତ ହେଲେ ସେହି ରତ୍ନବର,
ପ୍ରାଣେଶ୍ଵର ହେବେ ଉତ୍କଳ-ଈଶ୍ଵର,
ପ୍ରେମବଳେ ତାଙ୍କୁ କରି ଛତ୍ରପତି,
ପ୍ରେମିକାକୁଳେ ମୁଁ ଟେକାଇବି ଛାତି
ଏହା କହି ପାଦୁଁ କଳନାଦୀ ଭୂଷା,
ଉତାରିଲା ଖେଳ-ଖଞ୍ଜରୀଟ-ଦୃଶା,
ଅତି ମୃଦୁ ପଦେ ରାଜସଦ୍ମେ ଯାଇ,
ନେଇ ମଣି ନୃପମସ୍ତକୁ ଚୋରାଇ,
ଥିଲେ ନରନାଥ ଗାଢ ନିଦ୍ରାବଶ ;
ଥିଲେ ହେଁ ଜାଗ୍ରତ ଏ ପାପ ସାହସ
ଅସମ୍ଭବ ମଣି ଥାଆନ୍ତେ ଏକାନ୍ତ,
ନିଜ ଚକ୍ଷୁ ସାକ୍ଷ୍ୟ ମଣିଥାନ୍ତ ଭ୍ରାନ୍ତ ;
ଦକ୍ଷିଣକୁ ଥିଲା ସୁଡଙ୍ଗ ଦୁଆର,
ଯୁଦ୍ଧଦିନୁ ରୁଦ୍ଧ ଯାର ବ୍ୟବହାର,
ଯେବଣ ଦୁଆରେ ପୂର୍ବେ ରାଣୀମାନେ
ଅନ୍ତଃପୁରୁ ଯାଉଥିଲୁ ନଦୀସ୍ନାନେ ।
ଯେଉଁ ଦ୍ଵାର କଞ୍ଚି ନନ୍ଦିକାସୁନ୍ଦରୀ
ନ୍ୟାସ ପ୍ରାୟେ ରଖିଥିଲା ଯତ୍ନ କରି,
ସେହି କଞ୍ଚି ସେହି ରତନ ସହିତେ
ସୁଡଙ୍ଗକୁ ବାଳା ଗଲା ଅଲକ୍ଷିତେ,
ନିଶବଦେ ଫେଡି ସୁଡଙ୍ଗ ଦୁଆର,
ହେଲା ବିଡାନାସୀ ଗଡରୁ ବାହାର
ଚଳିଲା ବିହ୍ଵଳ ହୋଇ ଆଶା ସୁଖେ
ପର୍ବ-ଶର୍ବରୀଶ-ମୁଖୀ ପୂର୍ବମୁଖେ,
କୁସୁମପରଶ ଯେ ନ ପାରେ ସହି,
ଆଜ ସେ ଭ୍ରମଇ କଣ୍ଟକିତ ମହୀ !
ନିଜ ଛାୟା ଦେଖି କମ୍ପଇ ସାଧ୍ଵସେ,
ଆଜି ସେ ଧାଉଁଛି ନିବିଡ଼ ତମସେ !
ନିର୍ଭୟ ନିଭୃତେ ଚାଲଇ ସୁତନୁ,
ଚାପେ ଶର ଖଞ୍ଜି ସଙ୍ଗେ ଫୁଲଧନୁ,
କାଠଯୋଡି-ତୀରେ ପୂର୍ବପୁରୁଷର
କୀର୍ତ୍ତିରାଜି ଶିରେ ନିବେଶି ପୟର
ଚାଲିଛି ନିବିଡ଼ ତିମିରେ ନନ୍ଦିକା,
ସିନ୍ଧୁନୀରେ କିବା ବାଡବାଗ୍ନି-ଶିଖା ;
ପ୍ରାଚୀନଭେ ଏବେ ରାଜହଂସବନ
ଭେଦି ଉଛୁଳଇ ପ୍ରଭା-ପ୍ରସ୍ରବଣ
ରସାତଳୁ କିବା ଭେଦିଣ ଅବନୀ
ଊର୍ଦ୍ଧ୍ଵେ ଉଠେ ଫଣିପତି-ଫଣା-ମଣି,
ଦୂରେ ସହକାର-କୁଞ୍ଜରନ୍ଧ୍ରଜାଲେ
ଚନ୍ଦ୍ରମାମୂରତି ଶୋଭେ ପ୍ରାଚୀଭାଲେ,
ଅନ୍ଧକାରେ ଇନ୍ଦୁ-କିରଣ ପଡିଲା ;
ଅତଣ୍ଡି କି ଶ୍ୟାମ ତମାଳେ ଜଡିଲା,
ଧବଳ କୁସୁମେ ଭୂଷିଲା କବରୀ
ଭାବେ ଅବା ଶୋଭାମୟୀ ବିଭାବରୀ ;
ତେଜିଲା ତିମିର ନିଜ ରାଜ୍ୟ ପାଟ
ନବୋଦିତ ଦେଖି ଶର୍ବରୀ-ସମ୍ରାଟ,
ପାପିହୃଦେ ପୁଣି ପର୍ବତକନ୍ଦରେ
ଆଶ୍ରୟ ଭଜିଲା ଯାଇ ତରତରେ ;
ଧୂର୍ଜ୍ଜଟିଜଟାରୁ ଯେହ୍ନେ ଗଙ୍ଗାଜଳ
ଜ୍ୟୋତ୍ସ୍ନାପୁର ପୂରିଅଛି ଧରାତଳ,
ବିଭାସଇ ଜ୍ୟୋତ୍ସ୍ନାହାସିନୀ ଯାମିନୀ
ଶ୍ଵେତଦୀପ ପ୍ରାୟେ ଦିଶଇ ମେଦିନୀ,
ଝଳେ କାଠଯୋଡି ନୀଳ ଜଳରାଶି,
କୌତୁକେ ଚନ୍ଦ୍ରିକା ତହିଁ ବୁଲେ ଭାସି
କଉସ୍ତୁଭ ସମ କରେ ଝକମକ,
ପ୍ରାଚୀ-ବୀଚିବକ୍ଷେ ଚନ୍ଦ୍ରମା-ପଦକ ,
ଜ୍ୟୋତ୍ସ୍ନା ବୋଳା ହୋଇ ଝଳୁଛି ସୈକତ,
ଚିତ୍ର ପ୍ରାୟ ଦୂରେ ଦିଶୁଛି ପର୍ବତ,
ତରୁଶିରେ ବସି ଚକୋର-ଚକୋରୀ
ନଭେ ଢାଳୁଛନ୍ତି ସଙ୍ଗୀତ-ଲହରୀ,
ଜ୍ୟୋତ୍ସ୍ନାମୃତ ସଙ୍ଗେ ପ୍ରେମାମୃତ ପାନ
କରି କ୍ଷଣେ କ୍ଷଣେ ଧରୁଛନ୍ତି ତାନ,
ଦିଗୁଁ ଦିଗନ୍ତରେ ହୋଇ ଝଙ୍କାରିତ
ଚନ୍ଦ୍ରାଲୋକେ ମିଶିଯାଉଛି ସେ ଗୀତ ।
ଶିବିର ସମ୍ମୁଖେ ଚୋର ସେନାପତି
ରଣବେଶେ ବସି ଚିନ୍ତାକୁଳମତି,
ଗଙ୍ଗାଙ୍କ ବଚନ ଗୁଣି ମନେ ମନେ
ଉପୁଜଇ ନାନା ଭାବ କ୍ଷଣେ କ୍ଷଣେ ।
ସ୍ତବ୍ଧ ବିଭାବରୀ, ନୀରବ ସଂସାର,
ଗାଢ଼ ନିଦ୍ରାବଶେ ସ୍ତବ୍ଧ ସ୍କନ୍ଧାବାର,
ଦିଗଦିଗନ୍ତରେ ଶୁଭେ ଝିଲ୍ଲୀସ୍ଵନ,
କିବା ସେ ଯାମିନୀ ନୂପୁର-ନିକ୍ବଣ,
କ୍ଷଣେ କ୍ଷଣେ କ୍ଷୁବ୍ଧ କରୁଅଛି ଜଳ,
ଶାନ୍ତସ୍ରୋତେ ଚଳ ରୋହିତ ଚହଳ ।
ଦେଖୁଛନ୍ତି ବୀର ଅନାଇ ନିଶ୍ଚଳେ
ଶଶିକର-କ୍ରୀଡା କାଠଯୋଡି ଜଳେ,
କରବାଳ ମୁନେ କେବେ ଶୂନ୍ୟମନେ,
ଲେଖୁଛନ୍ତି ରେଖା ବସି ଧରାସନେ,
ବହୁବେଳ ଯାଏଁ ଶତ୍ରୁପଥ ଚାହିଁ
ଭାଳନ୍ତି ଚରମ ଯାମେ ସେନାସାଇଁ,
"ଉଷା-ବନ୍ଦାପନା-ଆଶେ ଧୀରେ ଧୀରେ
ସପ୍ତର୍ଷି ଗଲେ କି ମାନସର ତୀରେ ?
ବିଳମ୍ଵ ତ ନାହିଁ ପାହିବାକୁ ରାତି,
ଏବେ ସୁଦ୍ଧା ଦେଖା ନ ଦେଲା ଅରାତି,
ମାତାଙ୍କର ମାୟା ଦେବେ ଅଗୋଚର,
ଭୀମ ଭାଗ୍ୟଚକ୍ର ଯାର ବଚସ୍କର,
ସହସ୍ର ଘଟଣା କ୍ଷଣେ ଉପସ୍ଥିତ
କରିପାରେ ଦେବଶକ୍ତି ଅପ୍ରମିତ,
ଦେବତା ଭିଆଣେ ଶୁଭାଶୁଭ ଘଟେ,
କେ ଜାଣେ କି ଅଛି ମୋହୋ ଭାଗ୍ୟପଟେ ?
ରାଜ୍ୟ ହେତୁ ରାଜ୍ୟେ ନାହିଁ ମୋ ଲାଳସା,
ଧର୍ମ ସ୍ଥାପିବାକୁ ଏକାନ୍ତ ଭରସା ।
ଧର୍ମର ସହାୟ ବ୍ରହ୍ମାଣ୍ଡର ସାଇଁ,
ଚକ୍ରାୟୁଧ ଚକ୍ରେ ରଖିବେ ଘୋଡାଇ,
ନୀଳାଚଳପଦେ ଲୋଟେ ଅମ୍ଵୁରାଶି,
ଦଣ୍ଡକେ ବ୍ରହ୍ମାଣ୍ଡ ଯେ ପାରଇ ଗ୍ରାସି,
ପାରେ ନାହିଁ ଯେଉଁ ପ୍ରଭୁଙ୍କ ଆଜ୍ଞାରେ
ବେଳାଭୂମି ସୀମା ଲଙ୍ଘିବାକୁ ଗାରେ,
କୃପା କରି ସେହି କୃପା-ଅକୂପାର,
ଦୂରୁଁ ମୋ ଦୂରିତ କରିବେ ସଂହାର ।"
ଭାବୁଛନ୍ତି ଚମୁପତି ଏହିମତେ,
ଆବିର୍ଭୂତ ହେଲା ସହସା ଅଗ୍ରତେ
ସୁଷମାରେ ନିନ୍ଦି ଶାରଦୀୟ ଉଷା,
ରାଜଜେମା, ସର୍ବବାମା-ଶିରୋଭୂଷା ;
ଅତ୍ୟଳ୍ପ ଭୂଷଣେ ଶୋଭେ ମତ୍ତକାଶୀ
ଅଳ୍ପତାରା ସିନା ଲୋଡେ ପୂର୍ଣ୍ଣମାସୀ ,
ସରଳ ଶରୀର ଶାଳଲତା ଭଳି,
ସର୍ବାଙ୍ଗେ ଝଳୁଛି ଯୌବନର ଝଳି,
ଜ୍ୟୋତ୍ସ୍ନା ଉପାଦାନେ ଅମରବିନ୍ଧାଣୀ
ସୁକୁମାର ଅଙ୍ଗ ଥିଲେ କି ନିର୍ମାଣି,
ଶରଦିନ୍ଦୁ-ଜିଣା ବଦନମଣ୍ଡଳ,
ଲାବଣ୍ୟ-ସରେ କି ସୁବର୍ଣ୍ଣ-କମଳ ?
ଶୋଭେ ଗ୍ରୀବା ସ୍ତୋକ ବଙ୍କିମ ଠାଣିରେ ,
ଶତ ଦଳ ଢ଼ଳି ପଡିଛି କି ନୀରେ ?
ବିଳାସର ଖଣି ସେ ବଙ୍କିମ ଠାଣି
ମିଶିଛି ତା' ସଙ୍ଗେ ତରଙ୍ଗ ଚାହାଣି,
ଚାରୁ-ଭୂରୁଲତା ତା ସଙ୍ଗେ ଖେଳଇ
ମାର ଗାରୁଡିଆ ଖେଳାଏ କି ଅହି ।
ଦର୍ପକ-ଦର୍ପଣ କପୋଳ-ଫଳକ
ସୁଧାକର-କରେ କରେ ଝକମକ,
ସ୍ରବୁଅଛି ଶ୍ରମବାରି ବଦନରୁ,
ସୁଧାଧାରା ଯେହ୍ନେ ସୁଧାକିରଣରୁ,
ବେନି ଶ୍ରୁତିମୂଳେ ହୀରା କର୍ଣ୍ଣଫୁଲ;
ଗୁରୁ ଶୁକ୍ର କିମ୍ଵା ଶଶୀ ସଙ୍ଗେ ଠୁଳ ?
କମଳକଳିକା ପରାୟେ ଲଳିତ
ଉରସିଜେ ଚାରୁ ଉର-ବନ୍ଧୁରିତ,
କରଯୁଗେ ଚାରୁ ମରକତ ଚୂଡୀ
ଚମ୍ପାଜ୍ଞାନେ ଅଳି ଜଡିଛି କି ହୁଡି,
ସାକ୍ଷାତ ଅନଙ୍ଗ ପ୍ରାୟେ ସୂକ୍ଷ୍ମ କଟି,
ଛକି ଅନଙ୍ଗ କି ନାଚଇ ଧୂର୍ଜ୍ଜଟି ?
ରତ୍ନ ଛଳେ ଆହା, ରସିକର ଚିତ୍ତ,
ନିତମ୍ଵେ ରସନାଗୁଣେ କି ଗ୍ରଥିତ ?
ଦମ୍ଭହରା ଚାରୁ ରମ୍ଭା-ଊରୁମାନ
ଉନ୍ମଦ ମଦନ-ଦ୍ଵିରଦ ଆଲାନ,
ଲଳିତାଙ୍ଗୀ ପାଦେ ଅଳତାମଣ୍ଡନ
ବାଳାତପ ସ୍ଥଳ-କମଳେ ଯେସନ,
ହେମରେଖା ପୃଷ୍ଠେ ନିକଷ ସଂକାଶ
ଚରମେ ଦୋଳଇ ନୀଳ କେଶପାଶ,
ପିଇବାକୁ ଶଶୀ ଦେହୁଁ ସୁଧାରାଶି
ପଛେ ଧାଇଁ ରାହୁ ଧରିଛି କି ଆସି ?
ଦେଖିଲେ ମନକୁ ଆସଇ ଏସନ,
ବେଦାଭ୍ୟାସଜଡ଼ ବିରଞ୍ଚି ସର୍ଜନ
ନୁହଁଇ ମୋହିନୀ, କାନ୍ତିଦାତା ଶଶୀ
ଏକାନ୍ତେ ଏ ରୂପେ ବିରଚିଲେ ବସି,
ଅବା ଶୋଭା ପକ୍ଷପାତୀ ପୁଷ୍ପଶର,
ଅଥବା ଗଢିଲେ ଋତୁ ପୁଷ୍ପାକର,
ଚହଟି ଆସୁଛି ଦେହୁଁ ସଉରଭ
ଶରତ ନିଶିରେ ସୁଗନ୍ଧ-ବିଭବ
ଗଙ୍ଗଶିଉଳୀର ଅଙ୍ଗୁଁ ଚୋରି କରି
ବହେ ଯଥା ଧୀର ସମୀର-ଲହରୀ,
ଚାହିଁ ସେନାପତି ବିସ୍ମୟେ ଆପ୍ଳୁତ,
କ୍ଷଣକେ ରହିଲେ ହୋଇ ସ୍ତମ୍ଭୀଭୂତ,
ଅରି ପରିବର୍ତ୍ତେ ଉଭା ଦିବ୍ୟନାରୀ
ଯୁବା-ମନୋରାଜ୍ୟ କିଣି ମନୋହାରୀ,
ପୂର୍ବସୁକୃତ କି ଏହି ଶୋଭାରାଶି,
ନାରୀରୂପେ ଅଗ୍ରେ ଉଭା ହେଲା ଆସି ?
ଶୁଭ୍ରଜ୍ୟୋତ୍ସ୍ନାପୁରେ ଶୋହେ ବିନୋଦିନୀ
କ୍ଷୀରୋଦେ ଯେସନ କ୍ଷୀରୋଦ-ନନ୍ଦିନୀ,
ଦେବୀ କି ମାନବୀ ହେଲା ଏ ସଂଶୟ
ଛାୟାରୁ ଜାଣିଲେ ମାନବୀ ନିଶ୍ଚୟ ;
ଏକେ ନବଯୁବା, ଦୁଜେ ସେ କୁମାର,
ସମ୍ମୁଖେ କିଶୋରୀ ବିଶ୍ଵ-ଶୋଭାସାର,
ନିର୍ଜନେ ବେନିଙ୍କ ଭେଟ ହେଲା ପୁଣି,
କାହିଁକି କୁସୁମ ଶର ହୋଇ ତୂନୀ
ଚୋର ପାଶେ ଆଣି କନକଗୋରୀକି,
ସ୍ଵକାର୍ଯ୍ୟ ମନୋଜ ଗଲା ପାସୋରି କି ?
ନାହିଁ, ଦେଖ ଚାହିଁ ଛକି ସେ ଗୋପନେ
ବାଳା-ନେତ୍ରେ ବାଣ ନେତ୍ରାଞ୍ଜନେ,
ମାତ୍ର ଚୋର ପାଶେ ପ୍ରୟାସ ବିଫଳ,
ଅନିଳେ କଦାପି ଟଳେ କି ଅଚଳ ?
ତୁଚ୍ଛ ସୁଖଲାଗି ଚିର ଲକ୍ଷ୍ୟଚ୍ୟୁତ,
ହେବ କି ସହଜେ ଶୂର ଗଙ୍ଗାସୁତ ?
ସୌମ୍ୟମୂର୍ତ୍ତି ଦେଖି ସେନାପତିଙ୍କର
ପ୍ରଗଲ୍ଭେ ନ ଦେଇ ପ୍ରଶ୍ନ ଅବସର
ଅଦ୍ଭୁତ ସାହସେ କହଇ ନନ୍ଦିକା,
"ପ୍ରେମେ ଶ୍ରୀପୟରେ ହେଲି ମୁହିଁ ବିକା,
ନନ୍ଦିକା ଉତ୍କଳ-ନରେନ୍ଦ୍ର ନନ୍ଦିନୀ
ତୁମ୍ଭ ପଦେ ଆଜି ପ୍ରେମ-ଭିଖାରିଣୀ,
ବୀରପକ୍ଷପାତୀ ସଦା ନାରୀକୁଳ,
ନାରୀପ୍ରେମେ ସଦା ବୀର୍ଯ୍ୟ ଅନୁକୂଳ,
ଏହି ଜୈତ୍ରମଣି ଅର୍ପୁଛି ଶ୍ରୀକରେ,
ବିରାଜୁଥିଲା ଯା ରାଜମସ୍ତକରେ
ମଣି ନୁହଁଇ ଏ, ପିତାଙ୍କ ଜୀବନ
ତୁମ୍ଭେ ଯେଣୁ ବିଶ୍ଵ-ବିଶ୍ଵାସଭାଜନ,
ନିଃଶଙ୍କେ ସମର୍ପି ଦେଲି ମୁଁ ସକଳ
ପ୍ରତିଦାନେ ପ୍ରେମ ମାଗୁଛି କେବଳ
ତୁମ୍ଭରି ସନ୍ତୋଷ ସର୍ବୋପରେ ଗଣି,
ପିତାଙ୍କ ଅଜ୍ଞାତେ ଆଣିଲି ଏ ମଣି,
ତୁମ୍ଭ ପଦେ ବିକି ଦେଇଛି ପରାଣ,
ଏକମାତ୍ର ତୁମ୍ଭ ପ୍ରେମ ମୋର ଧ୍ୟାନ। "
ଏହା କହି ମଣି ଚୋରଙ୍କ ଛାମୁରେ
ଥୋଇ ଉଭା ହେଲା ରମଣୀ ଅଦୂରେ,
ଅଦ୍ଭୁତ ସୌନ୍ଦର୍ଯ୍ୟ ଅଦ୍ଭୁତ ଆଶୟ,
ଶୁଣି ସେନାପତି ମଣିଲେ ବିସ୍ମୟ,
ସ୍ଵପନ କି ଅବା ସ୍ଵରୂପ ଘଟନା,
ସଂଶୟ-ଅନ୍ଧାରେ ପଡି ହେଲେ ବଣା,
କୋପେ, ଘୃଣା, ଦୁଃଖ, ବିସ୍ମୟ ମିଳିତ
ହୋଇ ହୃଦ-ସର କଲେ ଆଲୋଡିତ,
କ୍ଷୋଭ ଅନ୍ତେ ଲଭି ବାକ୍ୟ ଅବସର
ରମଣୀକି ଚାହିଁ ବିହିଲେ ଉତ୍ତର,
"ଯା'ର କୀର୍ତ୍ତିରାଜି―ଅମରସାକ୍ଷିଣୀ
ନାଭିଗୟା ପଦେ ବହେ ତରଙ୍ଗିଣୀ,
ଏକାମ୍ରେ ଯାହାର ଅସଂଖ୍ୟ ଦେଉଳ
ଦିଶେ ଯଶୋରାଶି ହେଲା ପରି ଠୁଳ,
ଯାର କୀର୍ତ୍ତିମାଳା ଏହି ପୂତଜଳା―
କାଠଯୋଡି-ରୋଧ-ନିତମ୍ଵେ ମେଖଳା,
ଯଯାତି ଲଲାଟ ମରକତ ଭୂପ,
ଅଟନ୍ତି ଯେ କୁଳ-କେତନସ୍ଵରୂପ,
ସେହି କୁଳେ ଜାତ ତୁହି କି ଦୁଃଶୀଳା ?
କେ କହିବ ମୋତେ କେମନ୍ତ ମିଶିଲା
ଦେବବାଣୀ ସଙ୍ଗେ ଆସି ଅପଭାଷା,
ପୂତ ଭାଗୀରଥି-ସ୍ରୋତେ କର୍ମନାଶା ?
ମହୀ କି ସହିଲେ ଏ ଘୋର ପାତକ ?
ସର୍ବଂସହା ନାମ କଲେ କି ସାର୍ଥକ ?
ପବିତ୍ର କେଶରୀ ବଂଶେ ଜାତ ହୋଇ
ଦେଶଦ୍ରୋହୀ, ରାଜଦ୍ରୋହୀ, ପିତୃଦ୍ରୋହୀ,
ତିନି ମହାପାପ ଏକ କରଣିରେ
ଅଦ୍ଭୁତ ସାଧନା ତୋର ଧରଣୀରେ
କି ସାହସେ ତୋର ଚିତ୍ତବୃତ୍ତି ଗଲା,
ଏ ଦାରୁଣ କାର୍ଯ୍ୟେ ; ତୁ ପୁଣି ଅବଳା ।"
ଉତ୍ତରଳ ଭାବ ବହ୍ନିତାପେ ବହି,
ତୈଳକ୍ଷେପେ ଯେହ୍ନେ ପୟଃ ପଡେ ନଇଁ,
ତୁଟିଲା ଉତ୍କୂଳ-ହୃଦୟ-ଉଚ୍ଛ୍ଵାସ,
ବିବେକ ଛେଦିଲା ଲବେ ମୋହପାଶ,
କଲା ଯେଉଁ ନିଶା ମନକୁ ବିହ୍ବଳ,
ପ୍ରଭଞ୍ଜନ ସମ ଯାର ଭୀମବଳ
ଚରିତ୍ର-ତରୀକି ଦୁଷ୍କୃତ-ଶଇଳେ
କଚାଡିଣ ଚୂନା କଲା ତିଳେ ତିଳେ,
ତୁଟିଗଲା ଏବେ ସେ ନିଶା ଝଟିକା,
ଦିଶିଲା ଆଲୋକେ ଶତ ବିଭୀଷିକା,
ଅନୁତାପ-ଫଣୀ ଉଗାରି ଅନଳ,
ଦଂଶିଲା ସହସ୍ର ମୁଖେ ମର୍ମସ୍ଥଳ,
ସୁମତି-ପ୍ରଦୀପେ ଦେଖିଲା ଯୁବତୀ
ଆତ୍ମକୃତ ପାପ ବିକଟ ମୂରତି,
ମୋହ ଆବରଣେ ଥିଲା ଯା ଆବୃତ
ଉଲଗ୍ନେ ଦିଶିଲା ଭୀଷଣ ବିକୃତ,
ଫୁଟିଥିଲା ଯାହା ବାଲ୍ଯରୁ ବଉଳି
ରୂପପୁଷ୍ପ ଗଲା ନିମିଷେ ମଉଳି,
ମଉଳଇ ନବମାଳିକା ଯେମନ୍ତ
ମୂଳ କାଟିଦେଲେ ବଲ୍ମୀକ-ଦୁରନ୍ତ ;
ନତମୁଖୀ ହୋଇ ମହୀକି ନୀରବେ
ମାଗୁଥିଲା କି ସେ ଆଶ୍ରୟ ଗରଭେ ?
ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର,
ପାରିଲେ ଫିଙ୍ଗି ସେ ଲଭନ୍ତା ନିସ୍ତାର ;
ଯାମ ମାତ୍ର ଆଗେ ଯେଉଁ ଦଶା ଥିଲା
କି ବିକଳେ ବାଳା ସେ ଦଶା ଲୋଡିଲା,
ମାତ୍ର ଭାଜନ କି ଭବେ କେହି ପ୍ରାଣୀ,
ଭାସିବାକୁ କାଳ-ପ୍ରବାହେ ଉଜାଣି ?
କାଳ-ସ୍ରୋତେ ଭାଗ୍ୟ-ବାୟୁ ବହେ ପୁଣ,
ଛାର ନର ତହିଁ ପ୍ରପାତର ତୃଣ,
କହିବାକୁ କିଛି ଇଚ୍ଛିଲା ସୁନ୍ଦରୀ,
ବାଷ୍ପପୁର ଦେଲା କଣ୍ଠ ରୋଧ କରି ।
ମନ୍ତ୍ରୀକି ଡକାଇ ଚୋର ବୀରମଣି,
ସୁନ୍ଦର ଶିବିକା ଅଣାଇ ସେ କ୍ଷଣି,
ମଣି ସଙ୍ଗେ ସେହି ରମଣୀରତନ,
ପେଷିଲେ କେଶରୀ-ରାଜନିକେତନ,
ଦୂତ ରକ୍ଷୀଦଳ ଚାଲିଲେ ସଙ୍ଗତେ,
ପ୍ରବେଶିଲେ ଯାଇଁ ତୋରଣ ଅଗ୍ରତେ,
ବାଜି ଉଠିବାରୁ ରାଜଦୂତ ଭେରୀ,
ପ୍ରତିଶବ୍ଦ ଦେଲା ଦୁର୍ଗର ପ୍ରାଚେରୀ,
ଚେତି ଉଭା ହେଲେ ସୈନ୍ୟେ ଭୀତି ଲଭି,
ଜଗୁଥିଲେ ଯେହୁ ତୋରଣବଡ଼ଭି ;
କେଶରୀ ଛାମୁରେ ଜଣାଇଲେ ଯାଇଁ,
ମୁକ୍ତ କଲେ ଦ୍ଵାର ରାଜ ଆଜ୍ଞା ପାଇ ;
ଦୂତ ସଙ୍ଗେ ଘେନି ଶିବିକା ସତ୍ଵରେ
ପ୍ରବେଶିଲେ ଯାଇ ନବର ଚତ୍ଵରେ,
ଚକିତେ ନୃମଣି-ଶୁଣିଲେ ସମ୍ଵାଦ,
ଚିତ୍ତେ ଉପୁଜିଲା ବିସ୍ମୟ ବିଷାଦ,
"ଜେମାକୁ ସତ୍ଵରେ ଶିବିକାରୁ ଆଣ"
ସଖୀଙ୍କି ଆଦେଶ ଦେଲେ ନରରାଣ,
ଆଳୀଏ ଶିବିକା ଦ୍ଵାରଦେଶେ ଯାଇ
ଡାକିଲେ ବାଳୀକି ପ୍ରତିବାକ୍ୟ ନାହିଁ ।
ତହୁଁ ଶିବିକାର ଆବରଣ ଫେଡି
ଜେମାକୁ ଦେଖିଲେ ନିଦ୍ରାଗତ ଚେଡୀ,
ଚେତାଇବା ପାଇଁ ଦେଲେ ଦୋହଲାଇ,
ଜେମା ଦେଇ ଏଡେ ଶୀତଳ କିମ୍ପାଇଁ ?
ପୁଣି ଦୋହଲାଇ ଡାକିଲେ ଅବଳା,
ପାଦଠାରୁ ଶିର ଯାଏ ହଲିଗଲା
ଅଲକ୍ଷଣେ ସଖୀ କାନ୍ଦିଲେ ତରାସେ,
ବିଜେ ହେଲେ ନୃପ ନିଜେ ଯାନ ପାଶେ,
ଦେଖିଲେ ତନୁଜା ଦେହେ ପ୍ରାଣ ନାହିଁ
ଅବଶେ ସ୍ତମ୍ଭିତ ହେଲେ ନରସାଇଁ,
ଉତ୍ତାନେ ଶୋଇଛି ଦୁଃଖିନୀ ନନ୍ଦିକା
ପର୍ଯ୍ୟୁଷିତ ପଦ୍ମପ୍ରାୟେ ତନୁଫିକା ;
ଥିଲା ଯେ ଶରୀର ଶୋଭାର ଉଦ୍ୟାନ
ଏବେ ତାହା ଆହା ! ଶୋଭାର ଶ୍ମଶାନ,
ଫୁଲେଶ୍ଵରୀ ଥିଲା ରୂପ-ଯଉବନେ
ଯେଉଁ ଫୁଲ ଶୁଷ୍କ କାଳ-ହୁତାଶନେ,
ବିଲୁଳିତ ଭାବ ବହିଛି ଲଳିତା
ଶିଖା ଲିଭିଅଛି, ପଡିଛି ବଳିତା,
ଖେଳଖଞ୍ଜରୀଟ ଯହିଁ ପରାଜିତ,
ଚାରୁନେତ୍ର ଚିର-ନିଦ୍ରାରେ ମୁଦ୍ରିତ,
ପଣନ୍ତର କୋଣେ ବନ୍ଧା ଥିଲା ମଣି,
ହେଲା ଯାହା ଏଡ଼େ ଅନର୍ଥର ଖଣି,
ମଣି ସଙ୍ଗେ ସଖୀ ଦେଖିଲେ ଜଡ଼ିତ,
ଲେଖ, କଜ୍ଜ୍ଵଳାନ୍ତ ଲୋତକେ ଅଙ୍କିତ,
ଫେଇ ଆଣିଦେଲେ କେଶରୀଙ୍କ କରେ
ପଢିଲେ ଏ କଥା ତହିଁ ନରବରେ,
"ତାତ , ଜୀବଲୀଳା ସରୁଛି ମୋହର,
ଅନ୍ତିମେ ବନ୍ଦିଲି ତୁମ୍ଭ ଶ୍ରୀପୟର,
ଶିରେ ଘେନି ଯାଉଅଛି ପାପଭାର,
ତହିଁ, ଯହିଁ ଚିର-ମୁକ୍ତି କୃପାହାର,
କୁଳପାଂଶୁଳାକୁ ବହୁଦିନ ବହି,
ପାପଭାରୁଁ ଏବେ ମୁକ୍ତ ହେବେ ମହୀ,
ଦୁଃସ୍ଵପ୍ନ ପରାଏ ପାସୋରି ଅଚିରେ,
ମୋ ସ୍ମୃତି ନିହିବ ମୋହ ସମାଧିରେ;
କହିବ ମାତାଙ୍କୁ ସୁତାକୁ ନ ଶୋଚି
ସ୍ମୃତିପଟୁଁ ତାକୁ ପକାଇବେ ପୋଛି,
ବରିଥିଲି ଯାଙ୍କୁ ପ୍ରାଣପତି କରି
ବାତ୍ସଲ୍ୟେ ଜାଣିବ ନିଜପୁତ୍ର ପରି
ଅଭାଜନ ହେଲି ମୁହିଁ ସିନା ପିତଃ,
ନୋହିବ ତୁମ୍ଭର ଧର୍ମ ବିଚଳିତ
ବିରଳ ଯେଠାବେ ମାନବ ସଞ୍ଚାର
କରାଇବ ମୋର ପିଣ୍ଡର ସତ୍କାର,
ଦୁଃଖିନୀକି, ହା ହା, ବିଧି ହେଲେ ବାମ,
ଏ ଜୀବର ହେଲା ଏହି ପରିଣାମ,
ଛାର ପ୍ରାଣ ଯିବା ପଥରେ ହେଲାଣି,
ଶ୍ରୀପଦ-ପଙ୍କଜୁଁ ହେଉଛି ମେଲାଣି। "
ଲେଖ ପଢ଼ି ରାଏ ରହି ଏକଧ୍ୟାନେ,
କି ଭାବିଲେ, ତାହା ତାଙ୍କ ମନ ଜାଣେ;
ନ ହେଲା ନୟନ ଅଶ୍ରୁ ବିଗଳିତ
ଏ ଯାତନା ସିନା ଅଶ୍ରୁର ଅତୀତ
ଚଉଦିଗେ ପଡିଗଲା ହାହାକାର
ଭାସିଲେ ଲୋତକେ ରାଜପରିବାର,
କାନ୍ଦିଲେ ସଖୀଏ ମହାଶୋକାତୁରେ
କାନ୍ଦିଲେ ରାଣୀଏ ଉଚ୍ଚେ ଅନ୍ତଃପୁରେ,
ନିଶାମୁଖେ ଯହିଁ ହାସ୍ୟର କଲ୍ଲୋଳ,
ନିଶାଶେଷେ ତହିଁ ରୋଦନର ରୋଳ !
ରାଜ-ଆଜ୍ଞାମତେ ରାଜପରିଜନ
ବିହିଲେ ଜେମାର ଅନ୍ତିମ ମଣ୍ଡନ,
ବିଜଳ ପଠାକୁ ନେଇ ଜଳଯାନେ
ଅନ୍ତ୍ୟେଷ୍ଟି ସାଧିଲେ ବିହିତ ବିଧାନେ,
ସମାଧି ରଚିଲେ ଶିଳ୍ପୀକୁଳ ଆସି
ଅବଶେଷ ଏବେ ଯାର ଶିଳାରାଶି
ଛାଡିଦେଲେ ତହିଁ ପାଳିତ ଜେମାର
ମୟୂର ମୟୂରୀ ମୃଗୀ କୃଷ୍ଣସାର,
ଚଣ୍ଡୀ ଗୃହ ତହିଁ ହେବାରୁ ଗଠିତ,
ବେନି ନାମେ ପଠା ଅଦ୍ୟାପି କଥିତ ।
ସେହି ମଣି ସଙ୍ଗେ ନିଜ ସିଂହାସନ
ଚୋରଗଙ୍ଗ କରେ କରି ସମର୍ପଣ
ସୁବର୍ଣ୍ଣକେଶରୀ ବିଷାଦେ ଉଦାସୀ
ମହାନଦୀ-ତୀରେ ହେଲେ ବନବାସୀ,
ଅଂଶୁପା ଦହର ସନ୍ନିହିତ ବନେ,
ଖେଳୁଥିଲେ ଯହିଁ ପାରିଧି ଯୌବନେ,
ଯହିଁ କରି ସ୍ନାନ ତଟିନୀ ତରଙ୍ଗେ
ମଳୟ ଖେଳଇ ପୁଷ୍ପାଙ୍ଗନା ସଙ୍ଗେ,
ଅଦ୍ୟାପି ସେ ସ୍ଥାନ ଏ ଘଟନା ଫଳେ
ବୋଲାଏ 'ସୁବର୍ଣ୍ଣପୁର' ସେ ଅଞ୍ଚଳେ,
ସମଗ୍ର ଉତ୍କଳୁଁ ଆସି ନୃପମାନେ
ଚୋରଙ୍କୁ ପୂଜିଲେ ଭକ୍ତି-ଉପାଦାନେ,
ଚୋରଗଙ୍ଗ ସେହି ଦେବଦତ୍ତ ମଣି,
ନୀଳାଚଳେ ଦେଲେ ପଠାଇ ସେକ୍ଷଣି,
ବହୁକାଳ ତାହା ବିଚିତ୍ର ରୁଚିରେ
ବିରାଜିଲା ନୀଳଗିରିସାଇଁ ଶିରେ ।
ସୌଧକିରୀଟିନୀ, ଶୂରଙ୍କ ଜନନୀ,
ମହାନଦୀ ମୁକ୍ତ-ବେଣୀ ମଥାମଣି,
କାଳସ୍ରୋତେ ଲୀନ ଏବେ ବିଡ଼ାନାସୀ,
ନାମ ସେହି ସ୍ରୋତେ ଆସିଅଛି ଭାସି ।
(ସମାପ୍ତ)