ପୃଷ୍ଠା ୧
ପ୍ରଭାତିଲା ବିଭାବରୀ, ହସିଲେ ଉଜ୍ଜ୍ୱଳେ, ପଙ୍କଜବରଣୀ ଉଷା ଉଦୟ ଅଚଳେ ।
ନବୋଦିତ ଦିନମଣି ଆରକ୍ତକିରଣ, କାଞ୍ଚନ-ଶିବିର-ଚୂଡ଼ା ଚୂମ୍ବିଲା ବ‌ହନ ।
ଝର ଝର ଝରେ ନିଶିପତିତ ତୁଷାର, ଦୁଇ ଦଳେ ରଣସଜ୍ଜା କଲେ ଯେ ଯାହାର ।
ବାଜିଲା ବିବିଧ ବାଦ୍ୟ, ମାତି ବୀରରସେ, ଆୟୁଧ ଆସ୍ଫାଳି ବୀରେ ଧାଇଁଲେ ସାହସେ ।
ବୀରମଦେ କେହି ବୀର କାର୍ମୁକ ଟଙ୍କାରେ, କେ ଅବା ଆସ୍ଫାଳି ଆସି ଭୀଷଣ ହୁଙ୍କାରେ ।
ଦୋଳେ ଝକ ଝକ ପୃଷ୍ଠେ ଫଳକ ବର୍ତ୍ତୁଳ, କେ ଅବା ଉନ୍ମାଦ ଶୂନ୍ୟେ ଭୁଷଇ ତ୍ରିଶୂଳ ।
ଭାବି ପ୍ରତିପକ୍ଷ ବକ୍ଷ ଲକ୍ଷି କେହି ବୀର, ଧାଆନ୍ତେ କବଚେ ବାଜି ବାଜଇ ତୂଣୀର ।
ଗମ୍ଭୀର ସମର ବାଦ୍ୟ, ଅସ୍ତ୍ରର ଝନ୍ ଝନି, ସିଂହନାଦ ଶଙ୍ଖନାଦ ବ୍ୟାପଇ ଅବନୀ ।
ପ୍ରଚଣ୍ଡ ପାଣ୍ଡବ-ଯୋଧେ ଆୟୁଧ ଭାସ୍ୱର, ଧରି କ୍ରୋଧେ ମହାଯୁଦ୍ଧେ ଧାଇଁଲେ ସତ୍ୱର ।
ଯେସନେ ଭୀଷଣ‌ଘୋଷୀ ପଶ୍ଚିମ ଅନିଳ- ଆଘାତେ ସଂଘାତେ ଧାଏଁ ତରଙ୍ଗ ଫେନିଳ ।
ଆଗେ ସିନ୍ଧୁ ନୀଳବକ୍ଷେ ଉଚ୍ଛୁଳି ଉଚ୍ଛ୍ୱାସେ, ହଲାଇ ଖେଳାଇ ଚୂଡ଼ା ଟେକଇ ଆକାଶେ ।
ଦମ୍ଭୋଳି ଆରବେ ପୁଣି ଗରଜି ଗମ୍ଭୀର, ସ୍ତରେ ସ୍ତରେ ତଟେ ଲାଗି ପିଟେ ତ‌ହିଁ ଶିର ।
ଉତ୍ତୁଙ୍ଗ ମଳୟ ଗିରି ଚରଣେ ଆଶ୍ରତ, ଇତର ଶିଖରିକୁଳ କରେ କବଳିତ ।
ତେସନେ ମୁଖରି କ୍ଷେତ୍ର ଭୈରବ ଆରବେ, କ୍ଷତ୍ରିୟହର୍ଯ୍ୟକ୍ଷ ଶୂରେ ଧାଇଁଲେ ଆହବେ ।
ଦେବାକୃତି ସୂରବୃନ୍ଦ ସର୍ବେ ବୀର୍ଯ୍ୟଶାଳୀ, ତେଜସ୍ୱୀ ମଧ୍ୟାହ୍ନେ ଯେହ୍ନେ ଦେବ ଅଂଶୁମାଳି ।
ଧର୍ମ୍ମଙ୍କ ଛାମୁରୁ ପାର୍ଥ ଘେନିଣ ମେଲାଣି, କପିଧ୍ୱଜେ ବିଜେ କଲେ ସଙ୍ଗେ ଚକ୍ରପାଣି ।
ବିଶୋକ ସାରଥି ପ୍ରତି କ‌ହେ ଭୀମ‌ବୀର, ରଖ ରଥେ ସୂତ ! ବ‌ହୁ ଖାରଶାଣ ତୀର ।
ଆଜି ଧୃତରାଷ୍ଟ୍ର ହେବ ପୁତ୍ରପୌତ୍ରହୀନ, ଆଜି ବସୁନ୍ଧରା ହେବ ଧର୍ମଙ୍କ ଅଧୀନ ।
ଆଜି ଦୁର୍ଯ୍ୟୋଧନ ରାଜା ଶୋଇବ ଭୂତଳ, କପଟ ପାଶାର ଆଜି ଦେବି ପ୍ରତିଫଳ ।
ଯାବତ ନମିଳେ ଆସି ପାର୍ଥ ମହାରଥି, ସସଜ୍ଜ ମୋ ରଥ ବେଗେ କର, ତୁ ସାରଥି ।
ଏ ସମୟେ ଉତ୍ତରେ ଶୁଭିଲା କୋଳାହଳ, ଆବରେ ଅର୍ଜୁନ ବାଣ ଗ‌ଗନ ମଣ୍ଡଳ ।
କପିଧ୍ୱଜ ଅଶ୍ୱହ୍ରେସା, ଦେବଦତ୍ତ ସ୍ୱନ, ଶୁଭିଲା, ସିଶିଲା ଦୂରେ ବାନର-କେତନ ।
ଦୁଇ ଦଳେ ମହାରୋଷେ ମିଳିଲେ ସମରେ, ଶନ ଶନ ଶରକୁଳ ଚାଲିଲା ଅମ୍ବରେ ।
ଖଡ଼ଗେ କଡ଼ଗ ବାଜେ, ଫଳକେ ଫଳକ, ଶୂଳେ ଶୂଳ, ଭଲ୍ଲେ ଭଲ୍ଲ, ସାୟକେ ସାୟକ ।
ଆର୍ତ୍ତନାଦ ସିଂହନାଦ ଉଠଇ ଅମ୍ବରେ, ଘାତକ ଆହାର ପରେ ନାଦେ ଦମ୍ଭଭରେ ।
ଘୋଟକ-ଝପଟ-ଧୂଳି ଘୋଟେ ନଭସ୍ଥଳ, ଘର୍ଘରି ଘୂରଇ ଚକ୍ର ଉଗାରି ଅନଳ ।
ତୂରୀ ଭେରୀ ଆଦି ବାଦ୍ୟ ବାଜେ ଅଗଣନ, ଘନ‌ଘଟା-ଘୋରଧ୍ୱନି ବଧିର ଶ୍ରବଣ ।
ପଡ଼ିଲେ କିରୀଟି-ଶରେ କୁରୁ-ଚତୁରଙ୍ଗ, ଭୟେ କୁରୁବୀରବୃନ୍ଦ ରଣେ ଦେଲେ ଭଙ୍ଗ ।
ପୃଷ୍ଠା ୨
ଦେଖିଣ ସୌବଳ କ‌ହେ ରାଜାର ଛାମୁର, "ଦେଖ ରାଏ ! ସୈନ୍ୟକ୍ଷୟ କଲା ପାର୍ଥଶୂର ।
ମୁଁ ଯାଇ କରିବି ଆଗ ଭୀମକୁ ସଂହାର, ନୋହିଲେ କୁରୁଙ୍କୁ ଆଜି ନାହିଁ ଯେ ନିସ୍ତାର" ।
ମହାବଳ ସୌବଳ ଧାଇଁଲେ ଭୀମ‌ପ୍ରତି, ଯୁଝନ୍ତି କେଶରୀ ପ୍ରାୟେ ବେନି ସେନାପତି ।
ପ୍ରହାରଇ ଶକ୍ତି ଭୀମ ସଉବଳ ମାଥେ, ହୁଞ୍ଚୁଡ଼ି ସେ ଶକ୍ତି ବୀର ନେଲା ବାମହାତେ ।
ସେହି ଶକ୍ତି ଘେନି ପୁଣି ଭୀମକୁ ପ୍ରହାରେ, ମୂର୍ଚ୍ଛିତ ହୋଇଣ ଭୀମ ପଡ଼ିଲେ ଧରାରେ ।
ମୂର୍ଚ୍ଛାଭଙ୍ଗେ ରଣଭଙ୍ଗେ ମାତିଲେ ମାରୁତି, ବାଣେ କୁରୁବୀରକୁ ସେ ପକାଇଲେ ପୋତି ।
କ୍ରୋଧାନ୍ଧେ ବିନ୍ଧିଲା ବୀର-ସୌବଳ-ଶରୀର, ଭେଟିଲା ସୌବଳ-କର୍ଣ୍ଣମୂଳେ ଭୀମତୀର ।
ମୂର୍ଚ୍ଛିତ ହୋଇଣ ବୀର ହେଲା ରଥଶାୟୀ, ବେଗେଣ ସାରଥୀ ରଥ ନେଲା ବାହୁଡ଼ାଇ ।
ଧନୁ ଏଡ଼ି ଗଦା ନେଲେ ପବନ‌କୁ‌ମାର, ଗଦାଘାତେ ଅରାତିଙ୍କୁ କଲେ ସେ ଜର୍ଜ୍ଜର ।
ଧୂମକେତୁ ଭୀମ‌-ପୁଚ୍ଛ ସଞ୍ଚାଳି ବ‌ହନ, ନିଶୀଥେ ଆକାଶେ ଥାଇ ବୁଲଇ ଯେସନ ।
ଦୁର୍ଭିକ୍ଷ ମଡ଼କ ରାଷ୍ଟ୍ରେ, ସୁବର୍ଣ୍ଣ ମଣ୍ଡିତ, ପ୍ରଚଣ୍ଡ ଆୟସୀ ଗଦା ବୁଲାଇ ତ୍ୱରିତ ।
ବିପକ୍ଷଙ୍କୁ ତେସନ ପ୍ରରଇ ପ୍ରେତପୁର, କୁରୁକୁଳ-ଧୁମକେତୁ ଭୀମ ମହାଶୂର ।
ମାତଙ୍ଗେ ମାହୁନ୍ତ ପଡ଼େ ତୁରଙ୍ଗେ ରାଉତ, ପଡ଼ନ୍ତି ପଦାତି ରଣେ ଅୟୁତ ଅୟୁତ ।
ବେଗେ କୁରୁବଳେ ନେଲେ କର୍ଣ୍ଣଙ୍କ ଶରଣ, କର୍ଣ୍ଣଙ୍କୁ କାତରେ କ‌ହେ ରାଜା ଦୁର୍ଯ୍ୟୋଧନ ।
"ଦେଖ ଅଙ୍ଗରାଜ ! ବେଗେ ଆସେ ପାର୍ଥବୀର, ଶୁରାଶୁର ଯୁଦ୍ଧେ ଯାର ନିର୍ଭୟ ଶରୀର ।
ତୂଳାରାଶି ମହାବାତେ ଉଡ଼ଇ ଯେସନ, ତେସନ ପଳାନ୍ତି ତ୍ରାସେ କୁରୁସୈନ୍ୟଗଣ ।
ତୁମ୍ଭେ ସାହା ଥାଉ ସଖା ଘଟେ ଏ ଦୁର୍ଗତି ! ଶୁଣିଣ ରୁଷିଲା ବୀର କର୍ଣ୍ଣମହାମତି ।
ଶଲ୍ୟଙ୍କୁ ଆଦେଶେ ବୀର, ବେଗେ ନିର ରଥ, ଆଜି ନିଶ୍ଚେ ପାର୍ଥକୁ କରିବି ରଣେ ହତ ।"
ଅଶ୍ୱଙ୍କୁ ସାରଥୀ କଲେ ଛାଟଣି ପ୍ରହାର, ଗଲା ଗଜଧ୍ୱଜ ବେଗେ ନକ୍ଷତ୍ର ଆକାର ।
ହ୍ରେସାରବେ ଦୃତଗତି ଧାଇଁଲେ ଘୋଟକ, ଘର୍ଘରି ଘୁରଇ ଚକ୍ର ଉଗାରି ପାବକ ।
ମହାବୀର୍ଯ୍ୟ ବୀର ସୂର୍ଯ୍ୟଙ୍କ କୁମର, ଧୈର୍ଯ୍ୟ ବିର୍ଯ୍ୟ ମହୀତଳେ ନାହିଁ ପଟାନ୍ତର ।
ଗ‌ହନ ବିପିନେ ଯେହ୍ନେ ଅନଳ ଦୁର୍ବାର, ତେସନେ ପାଣ୍ଡବବଳ କଲା ନାରଖାର ।
ମସ୍ତକେ ଉଜ୍ଜ୍ୱଳ ଶୋହେ ସୁବର୍ଣ୍ଣ ମୁକୁଟ, ମେରୁ ମହୀଧରେ ଯେହ୍ନେ ଶୋହେ ହେମକୂଟ ।
ଗଜଧ୍ୱଜ-ରଥେ ବିଜେ ବୀରଚୂଡ଼ାମଣି, କୋଦଣ୍ଡ ଟଙ୍କାରେ ମୁହୁଃ କମ୍ପଇ ଅବନୀ ।
ଶ୍ରବଣେ କୁଣ୍ଡଳ ଦୋଳେ, ଶରଦେ ଯେମନ୍ତ, ପ୍ରାଚୀମୂଳେ ନିଶା ଅନ୍ତେ ତାରା ଦୀପ୍ତିମନ୍ତ ।
ଯେବେ ମହୋଦ‌ଧି-ଜଳେ ଦେହ ଅବଗାହି, ହସେ ପ୍ରାଚୀ-ଶିରେ ଧନୀ ଉଷାକୁ ଅନାଇ ।
ସଦ୍ୟ ସିନ୍ଧୁସ୍ନାନେ ତନୁ ଦ୍ୱିଗୁଣ ଝଟକେ, ଶିରୋମଣି ରୂପେ ରାଜେ ରଜନୀ-ଅଳକେ ।
ଦୈତ୍ୟଯୁଦ୍ଧେ ଚଣ୍ଡତେଜା ଶିଖଣ୍ଡି-ବାହକ, ନର୍ତ୍ତିତ-କିରୀଟ ଦେବ କାର୍ତ୍ତିକ ଯେସନ ।
କୌରବ-ଗୌରବ-ରବି ଦେବଙ୍କ ନନ୍ଦନ, କୁରୁଯୁଦ୍ଧେ ଧନୁର୍ଦ୍ଧର ଦୁର୍ଦ୍ଧର୍ଷ ଯେସନ ।
କର୍ଣ୍ଣ ଦେଖି କୁରୁବଳ କଲେ ସିଂହନାଦ, ଆତଙ୍କେ ପାଣ୍ଡବବଳ ଗଣିଲେ ପ୍ରମାଦ ।
କର୍ଣ୍ଣ ଦେଖି ଭୀମସେନ ହେଲେ ଅଗ୍ରସର, ବେଗେଣ ବିନ୍ଧଇ ବୀର ଖରଶାଣ ଶର ।
ଭୀମଙ୍କ ସ‌ହାୟ ହେଲେ ପାଣ୍ଡୁ ଯୋଦ୍ଧାଗଣ, ସ‌ହଦେବ, ଧୃଷ୍ଟଦ୍ୟୁମ୍ନ, ଦୃପଦ-ନନ୍ଦନ ।
ପୃଷ୍ଠା ୩
ଶିଖଣ୍ଡି, ନ‌କୁଳ ଆସି ମିଳିଲେ ସତ୍ୱର, ସମସ୍ତଙ୍କୁ ନିବାରିଲା କର୍ଣ୍ଣ ଏକେଶ୍ୱର ।
ବେନି ଶରେ ନ‌କୁଳକୁ କଲା ଅଚେତନ, କଟାକ୍ଷେ ଛେଦିଲା ସ‌ହଦେବ ଶରାସନ ।
ଚାରି ବାଣେ ଧୃଷ୍ଟଦ୍ୟୁମ୍ନ ହୋଇଲେ ବିରଥ, ହେଳେ ସଂହାରିଲା ପାଣ୍ଡୁ-ସୈନ୍ୟ ଶତଶତ ।
ଏକଶରେ କାଟିଲା ଭୀମ ଧନୁର୍ଗୁଣ, ସୈନ୍ୟଭଙ୍ଗ ଦେଖି ଦୂରେ ଗର୍ଜିଲେ ଅର୍ଜୁନ ।
ସଂଶପ୍ତକ ରଣେ ରତ ପାର୍ଥ ଧନୁର୍ଦ୍ଧର, ଏଣେ ଆସିବାକୁ ତିଳେ ନାହିଁ ଅବସର ।
ସଂସପ୍ତକ-ସେନାପତି କୃପ ମହାଶୟ, ଯଝନ୍ତି ଅର୍ଜୁନ ସଙ୍ଗେ ନିର୍ଭୟ ହୃଦୟ ।
ମହାରୋଷେ ବିନ୍ଧେ ବାଣ ପାର୍ଥ ମହାଶୂର, ଶତ ଶତ ସଂଶପ୍ତକ ଗଲେ ପ୍ରେତପୁର ।
କୃପଙ୍କୁ ବିନ୍ଧିଲେ ବକ୍ଷେ ତୀକ୍ଷ୍‌ଣତର ଶରେ, ଶୋଣିତ ଉଗାରେ କୃପ ପଡ଼ି ରଥପରେ ।
କଟାକ୍ଷ ପୁଣ୍ଡରୀକାକ୍ଷ ନେଲେ କପିଧ୍ୱଜ, ଜୁଝଇ ଦୁର୍ଦ୍ଧର୍ଷ ତ‌ହିଁ ଭାସ୍କର-ଆତ୍ମଜ
କର୍ଣ୍ଣକୁ ଦେଖିଣ ଗର୍ଜେ ପାର୍ଥ ବୀରମଣି, ପକ୍ଷୀନ୍ଦ୍ର ଗରୁଡ଼ ଯେହ୍ନେ ଦେଖି ଭକ୍ଷ ଫଣୀ ।
କର୍ଣ୍ଣାର୍ଜୁନ-ମହାରଣ ନାହିଁ ପଟାନ୍ତର, ଅନ୍ତରୀକ୍ଷେ କୁତୂହଳେ ଦେଖନ୍ତି ଅମର ।
କଳିଙ୍ଗ ସଙ୍ଗତେ ଯୁଝେ ଦ୍ରୁପଦ କୁମର, ଉଭୟ ଯୁଝନ୍ତି ଯେହ୍ନେ ମତ୍ତ କରିବର ।
ଧୃଷ୍ଟଦ୍ୟୁମ୍ନ ବିଶିଖେ କଳିଙ୍ଗ ହେଲେ ନାଶ, ନିକାଶି ଦେବାକୁ ଗଲେ ସମନ ସକାଶ ।
ମହୋଦ‌ଧୀ ତୀରେ ରମ୍ୟ ପ୍ରାସାଦେ ସେ ଥିଲେ, ରଣ ନିମନ୍ତ୍ରଣ ରାଏ କୁକ୍ଷଣେ ଘେନିଲେ ।
ସିକ୍ଷୁ-ବାୟୁ-ବିଧୂନିତ ରମ୍ୟ ଉପବନ, ସୁରମ୍ୟ ରମଣୀ ଛାଡ଼ି କଲେ ଆଗମନ ।
ଆସିଥିଲେ ବୀରପଣ ଦେଖାଇବା ଆଶେ, କୁରୁକ୍ଷେତ୍ରେ ପଡ଼ିଲେ ସେ ଗୋମାୟୁ ଗରାସେ ।
କର୍ଣ୍ଣ ଏଡ଼ି କୃତବର୍ମା ସଙ୍ଗେ ଯୁଝେ ଭୀମ, ପ୍ରତାପେ ଅନନ୍ତ ସମ ରଣେ ଅପ୍ରତିମ ।
କୃତବର୍ମା ସ‌ହାୟ ହୋଇଲେ ଦୁର୍ଯ୍ୟୋଧନ, ଉଗ୍ରାୟୁଧ ଦୁଃଶାସନ ବୀର ବିରୋଚନ ।
ସମସ୍ତଙ୍କୁ ନିବାରଇ ଭୀମ ଅବ‌ହେଳେ, ମତ୍ତ ମତଙ୍ଗଜ ଯେହ୍ନେ ନଳବନେ ଖେଳେ ।
ଗଦାଘାତେ ଦୁର୍ଯ୍ୟୋଧନ ରଥ ହେଲା ଚୂର୍ଣ୍ଣ, ଶୋଣିତେ ସମର ସ୍ଥଳୀ ହେଲା ସେ ପିଶୁନ ।
ସାରଥି ସ‌ହିତେ କୃତବର୍ମା ରଥ ହୟ, ଉଗ୍ରାୟୁଧ ବିରୋଚନ ଗଲେ ଯମାଳୟ ।
ରଥୁଁ ଖସି ବେନି ଭାଇ ପଡ଼ିଲେ ଧରାରେ, ପୁଷ୍ପିତ ଶାଳ୍ମଳୀ ଯେହ୍ନେ ପଡ଼ଇ କାନ୍ତାରେ ।
ଚଡ଼ ଚଡ଼ ଉଡ଼େ ଯେବେ ପଡ଼ଇ ଚଡ଼କ, ଉପୁଜାଇ ବିଶ୍ୱବାସୀ ହୃଦୟେ ଦମକ ।
ପତନେ କବଚ ଗାତ୍ରେ ବାଜଇ ଝନ୍ ଝନ୍, ଇଷ୍ଟଦେବ ସ୍ମରି ଶୂରେ ମୁଦିଲେ ନୟନ ।
ବଡ଼ ପ୍ରିୟ ବେନି ଏହୁ ଥିଲେଟି ରାଜାର, ଦୁରନ୍ତ କୃତାନ୍ତ କିଛି ନ‌କଲା ବିଚାର ।
କୋମଳ ଶ‌ୟନେ ଦୁହେଁ ନିତ୍ୟ ଶୋଉଥିଲେ, କୁରୁକ୍ଷେତ୍ରେ ଏବେ ମହାନିଦ୍ରାକୁ ଭଜିଲେ ।
ଭ୍ରାତୃଶୋକେ ଦୁଃଶାସନ ନେତୃ ଜଳ ଝରେ, ମହାକ୍ରୋଧେ ଅଗ୍ରସର ହେଲେ ସେ ସମରେ ।
ଦେଖି କ୍ଷେତ୍ରେ କ୍ଷତ୍ରଗ୍ଳନି ଦୁଷ୍ଟ ଦୁଃଶାସନ, ବଜ୍ରନାଦେ ଗର୍ଜି ଭୀମ ଧାଇଁଲେ ତକ୍ଷଣ ।
ରୌଦ୍ରରୂପୀ ମହାବୀର ଧାଇଁଲେ ସରୋଷେ, ବାଜିଲେ ଉରୁରେ ଅସି ଗୁରୁ ଆସି କୋଷେ ।
'ଏତେଦିନେ' କ‌ହେ ଭୀମ ଗର୍ଜିଣ ନିର୍ଘାତେ, ଏତେଦିନେ ଆରେ ଦୁଷ୍ଟ ପଡ଼ିଲୁ ମୋ ହାତେ ।
କ୍ଷତ୍ରିକୁଳ-କୁଳାଙ୍ଗାର ଆରେରେ ନିର୍ବୋଧ, ପୂର୍ବ‌ଋଣ ଆଜିରେ କରିବି ପରିଶୋଧ ।
ପୃଷ୍ଠା ୪
ପ୍ରଚଣ୍ଡେ ଆୟସ ଗଦା ଆସ୍ଫାଳି ଭିଷଣେ, ଧାଏଁ ଭୀମ ଧକ ଧକେ ଅନଳ ଲୋଚନେ ।
ତ୍ରାସେ ଦୁଃଶାସନ ବୀର ବେଗେ କ୍ଷେପେ ଶର, ନିବାରେ ବୁଲାଇ ଗଦା ଭୀମ ଗଦାଧର ।
ତ୍ରସ୍ତେ ବ୍ୟସ୍ତେ ଦୁଃଶାସନ ଅନ୍ୟ ଅସ୍ତ୍ର ମାରେ, ସେହିରୂପେ ବୃକୋଦର ସେ ଅସ୍ତ୍ର ନିବାରେ ।
ଗଦାଘାତେ ଦୁଃଶାସନ ରଥ ଭୀମ ନାଶେ, ଲଜ୍ଜା ଏଡ଼ି ଦୁଃଶାସନ ପଳାନ୍ତି ତରାସେ ।
ଅନ୍ତରୀକ୍ଷେ କପୋତକୁ ଦେଖିଣ ସଞ୍ଚାଣ, ବଜ୍ରନଖ ଧାଏଁ ଯେହ୍ନେ ବିଜୁଳି ସମାନ ।
ଇତର ପକ୍ଷେ କରୁଥାନ୍ତି କୋଳାହଳ, ଏଣେତେଣେ ନିଜ ପ୍ରାଣ ଆତଙ୍କେ ବିକଳ ।
କପୋତ ସଞ୍ଚାଣ ମୁଖ ଏଡ଼ାଇବା ଆଶେ, ଆତଙ୍କେ ବିବିଧ ରଙ୍ଗେ ଉଡ଼ଇ ଆକାଶେ ।
କ୍ଷଣେ ଉଠେ, କ୍ଷଣେ ପଡ଼େ, କ୍ଷଣେ ଉଲଟଇ, କିଛି ଦୂରେ ଯାଇ ପୁଣି ଖରେ ଲେଉଟଇ ।
ଅନ୍ତରୀକ୍ଷେ ବ୍ୟଗ୍ର ନେତ୍ରେ ଆଶା ଲେଡୁଥାଏ, ଜୀବନ ବିକଳେ ମୁହୁଃ ସଞ୍ଚାଣକୁ ଚାହେଁ ।
ତେସନେ ପଳାଏ ରଣେ ଦୁଷ୍ଟ ଦୁଃଶାସନ, କ୍ଷଣେ ରହେ କ୍ଷଣେ ଧାଏଁ, ଭୟେ ଉଚ୍ଚାଟନ ।
ଆକୁଳେ କୌରବ ଦଳ କଲେ ହାହାକାର, ଧାଏଁ ଭୀମସେନ ବେଗେ ନକ୍ଷତ୍ର ଆକାର ।
କାଞ୍ଚନ-କିରୀଟ-ଚୂଡ଼ା ଦୋଳଇ ମସ୍ତକେ, କାଞ୍ଚନ କଞ୍ଚୁକ ଦେହେ ଉଜ୍ଜ୍ୱଳ ଝଟକେ।
କଟାକ୍ଷେ ଧରିଲା ଯାଇ ଦୁଃଶାସନ ବାଳ, ଗର୍ଜ୍ଜଇ ବିକ୍ରମେ ମୁଖ କରି ବିକଟାଳ ।
ଆତଙ୍କେ କମ୍ପଇ ମୁହୁଃ ଦୁଃଶାସନ ଅଙ୍ଗ, କେଶରୀ କବଳେ ଯେହ୍ନେ ପଡ଼ିଲା କୁରଙ୍ଗ ।
କହେ ଦୁଃଶାସନ ବୀର ବିନୟ ବଚନ, ”ଆହେ ବିରାମଣି ! ରଖ ରଖ ଏ ଜୀବନ !
ପଳାୟକ ମୁଁ ଅଟଇ ନିରସ୍ତ୍ର ଆବର, ବୀରଧର୍ମୀ ଅବିଦିତ ନୁହଇ ତୁମ୍ଭର ।
କ‌ହେ ଭୀମ ମହାବାହୁ 'ଆରେରେ ପାମାର'ମ ବିପଦେ ପଡ଼ିଣ ଏବେ ଧର୍ମକୁ ସୁମର ।
କାହିଁ ଥିଲା ଧର୍ମରେ କପଟପାଶା ବେଳେ, କୃଷ୍ଣାକୁ ବିବସ୍ତ୍ର ଯେବେ କଲୁ ଅବ‌ହେଳେ ।
ଅଧର୍ମୀ ସ‌ହିତେ ଧର୍ମ ନୁହେଁ ପାଳିବାର, କପଟି ସ‌ହିତେ ଯୁକ୍ତ କପଟ ବେଭାର ।
ମୃଗ ସଙ୍ଗେ ଯେଉଁ ଧର୍ମ ଆଗରେ ଶାର୍ଦ୍ଦୁଳ, ଭେକ ସଙ୍ଗେ ଭୁଜଙ୍ଗମ, ଭୁଜଙ୍ଗେ ନ‌କୁଳ ।
କରୀ ସଙ୍ଗେ ଯେଉଁ ଧର୍ମ ଆଚରେ କେଶରୀ, ଶତୃ ସଙ୍ଗେ ଶତୃ ପଣେ ସେହି ଧର୍ମ ଧରି ।
ନୁହଇ ମୁଁ କାପୁରୁଶ, ଅସ୍ତ୍ର ନ ଧରିବି, ବିନା ଅସ୍ତ୍ରେ ପାମର ତୋ ପରାଣ ହରିବି ।
ବାନ୍ଧ ତୁ ସାହସ ହୃଦେ ଆରେ ଦୁରାଶୟ, ଏକାଳେ ସାହସ ତୋର ଲୋଡ଼ା ଅତିଶୟ ।
ଏହା ବୋଲି ଗଦା ଫିଙ୍ଗିଦେଲା ବୃକୋଦର, ନିରାଶେ ସାହସ ଦୁଃଶା ବାନ୍ଧିଲା ମନର ।
ମହାବଳେ ଭୀମକୁ ସେ ଧଇଲା ଆକଟି, ବିନି ଭୁଜେ ଭିଡ଼ି ଧରେ ବୃକୋଦର କଟି ।
ପଡ଼ିଲେ ଭୁତଳେ ଭୀମ ଗର୍ଜି ଭୀମନାଦେ, ମାଡ଼ିବସି ଦୁଃଶାସନ ବୈରୀଶୋଧସାଧେ ।
ନିର୍ଘାତେ ପ୍ରହାରେ ମୁଷ୍ଟି ଭୀମଙ୍କ ମସ୍ତକେ, କୁରୁବଳ ସାଧୁବାଦ ହେଲେ ସେ ପୁଲକେ ।
ଭୟେ ପାଣ୍ଡୁବଳେ ପଡ଼ିଗଲା ହାହାକାର, ଆକୁଳେ ନ‌କୁଳ ନେତ୍ରୁ ବରଷେ ଅସାର ।
ଆକୁଳେ ଅର୍ଜୁନ ନେତ୍ରୁ ଝରେ ଅଶ୍ରୁଜଳ, ବିକଳେ ପାଣ୍ଡବବଳ କାନ୍ଦିଲେ ସକଳ ।
ଶ୍ରୀଭୁଜେ ବାନର ଧ୍ୱଜେ ପୋଛି ଅଶ୍ରୁନୀର, କାନ୍ଦନ୍ତି ନୀରବେ ବସି ପ୍ରଭୁ ଯଦୁବୀର ।
ଯେସନେ ବରଷାଗମେ ମାନସରୋବର, ଅସଂଖ୍ୟ ମରଳ ରବେ ହୁଅଇ ମୁଖର ।
ତେସନେ ମୁଖରି କ୍ଷେତ୍ରେ ଦୁଃଖ-କଳରବେ, ସୋଦର ବିପଦ ଦେଖି କାନ୍ଦିଲେ ପାଣ୍ଡବେ ।
ପୃଷ୍ଠା ୫
ମହାବୀର ସ‌ହଦେବ ବଦନ ସ‌ହାସ, ବିଷ୍ମୟେ ପୁଛନ୍ତି ତାଙ୍କୁ ପ୍ରଭୁ ଶ୍ରୀନିବାସ ।
"କ‌ହ ବୀର କିମ୍ପା ତୋର ହରଷ ବଦନ, ଅଗ୍ରଜ ବିପଦେ ହର୍ଷ ନୁହଇ ଶୋଭନ ।"
ଶୁଣି ବାସୁଦେବ ବାଣୀ କ‌ହେ ମାଦ୍ରୀସୁତ, "କାହିଁ କି କାତର ଏଡ଼େ ହେଉ ତୁ ଅଚ୍ୟୁତ ।
କି ଅବା ନ ଜାଣୁ ନାତ ଜଗତର ସ୍ୱାମୀ, ଜାଣୁ ଜାଣୁ କାନ୍ଦୁ ନାଥ ଅଟୁ ଅନ୍ତର୍ଯ୍ୟାମୀ ।
ବାଲ୍ୟେ ଲଭିଥିଲେ ଭୀମ ଶତଶୃଙ୍ଗ ଶାପ, ତ‌ହୁଁ ଆଦ୍ୟ ରଣେ ପାଉଛନ୍ତି ମନସ୍ତାପ ।
ତୁ ନାଥ ଭୀମକୁ ବେଗେ କରାଅ ଚେତନ, ଶତଶୃଙ୍ଗ ଗିରିଙ୍କୁ ସେ କରନ୍ତୁ ସ୍ମରଣ ।
କାହିଁ ଭୀମ ରଣସିଂହ, କାହିଁ ଦୁଃଶାସନ, ଶାପ ଯୋଗୁ ଉପୁଜିଲା ଦୁର୍ଗତ ଏସନ ।
ପଞ୍ଚଜନ୍ୟ ଶଙ୍ଖନାଦ କଲେ ନାରାୟଣ, ନିଜ ତେଜ ଭୀମକୁ ସେ ଦେଲେ ସେହକ୍ଷଣ ।
'ଶତଶୃଙ୍ଗ' 'ଶତଶୃଙ୍ଗ' ଘୋଷେ ଶଙ୍ଖବର, ପଶିଲା ଶବଦ ଯାଇ ଭୀମଙ୍କ କର୍ଣ୍ଣର ।
ଚେତନା ଲଭିଣ ବୀର କଟାକ୍ଷେ ଉଠିଲା, ଲେଉଟାଇ ଦୁଃଶାକୁ ସେ ମାଡ଼ିଣ ବସିଲା ।
ରଣରଙ୍ଗେ ସିଂହସମ ଅଟେ ବାୟୁସୁତ ମହାବୀର୍ଯ୍ୟବନ୍ତ ସେହୁ ବିକ୍ରମେ ଅଦ୍ଭୁତ ।
ମହାବିଷ୍ଣୁ ତେଜେ ବୀର ତେଜସ୍ୱୀ ଆବର, ହେଲା ସେ ବିରାଟ ମୂର୍ତ୍ତି ମହାଭୟଙ୍କର ।
ମହାଶବ୍‌ଦେ ଭୁତଳେ ପଡ଼ିଲା ଦୁଃଶାସନ, ବଜ୍ରଘାତେ ଶାଳତରୁ ପଡ଼ଇ ଯେସନ ।
ବିନ୍ଧ୍ୟାଚଳ-ତୁଙ୍ଗ-ଶୃଙ୍ଗେ, କୁରୁପାଣ୍ଡୁ ବଳ, ଆତଙ୍କେ ଅବଶ ଚକ୍ଷୁ ବୁଜିଲେ ସକଳ ।
ପର୍ବତ ଆକାରେ ପଡ଼ିଅଛି ଦୁଃଶାସନ, ବସିଅଛି ତା ଉପରେ ପବନ ନ‌ନ୍ଦନ ।
ଭୟଙ୍କର ହୁଙ୍କାରେ ଅଧରେ ଦନ୍ତ ଚାପି, ରେରେକାର କରିଣ ଗର୍ଜଇ କାଳରୂପୀ ।
ଗ‌ଗନ ମାର୍ଗକୁ ତୋଳୁଅଛି ବଜ୍ରମୁଷ୍ଟି, କି ଅବା ମଧରଗିରି ପଡ଼ୁଅଛି ତୁଟି ।
କାଳ ଚକ୍ର ପ୍ରାୟେକ ବୁଲାଇ ବେନି ଡୋଳା, ଚରଣେ ଚାପଇ ଭୀମ ଦୁଃଶାସନ ଗଳା ।
"ଆରେ ଆରେ ଦୁଃଶାସନ, ଦୁରନ୍ତ କୌରବ, ଏବେ ତୋ ଗରବ ରଣେ ହେଲା ପରାଭବ ।
ଶତ ପୁତ୍ରା ଜାତକଲା ତୋହର ଜନନୀ, ସମସ୍ତେ ମୋ ଅସ୍ତ୍ରାଘାତେ ଶୋଇବେ ଅବନୀ ।
ଧାତାର ଲେଖନ ଏହୁ କେ କରିବ ଆନ, ଆରେ ଦୁଷ୍ଟ !ଆଜି ତୋର ନାହିଁ ପରିତ୍ରାଣ ।
କାଲିରେ ସମରେ ପଳାଇଲୁ ମୋ ଆଗରୁ ଆଜିରେ ପାଇଲି ଭେଟ ଦଇବ ଯୋଗରୁ ।
ଆରେ ମୂର୍ଖ ଆଜି ତୋତେ କରିଣ ସଂହାର, କରିବି ଦ୍ରୌପଦୀ-ଚିର-ଦୁଃଖ ଆଜି ପାର ।
ଆରେ ଦୁଷ୍ଟ କେ ରଖିବ ଆଜି ରବି ତଳେ, ଦୁରନ୍ତ ପଡ଼ିଲୁ ନିଶ୍ଚେ କୃତାନ୍ତ କବଳେ ।"
ତରଟି ଚାହିଁଲା ଭୀମ ବିରାଟ ମୂରତି, ତରାଟି ଚାହିଁଲା ରୋଷେ ଅନ୍ତରୀକ୍ଷ ପ୍ରତି ।
ଗର୍ଜିଣ କ‌ହିଲା, "ଆହେ ଆହେ ଶୁରଗଣ ! ଆହେ ସୁରନାଥ ଇନ୍ଦ୍ର, ଶୈଳ ବିଦାରଣ !
ପବନ, ତପନ, ଯମ, ବ୍ରହ୍ମା ଆଦିକରି, ମିଳି ଏ ସମରେ ଆସି କରେ ଶସ୍ତ୍ର ଧରି ।
ଆସ କେ ରଖିବ ରଖ କୌରବ ପାମର, ଆସ ଆସ ବେଗ କରି ବିଳମ୍ବ ନ କର ।
ଭୀମର ଭୀଷଣ ବାଣୀ ଶୁଣି ସୁରଗଣେ, ତ୍ରାସିଲେ ଦାନବ ତ୍ରାସ ବାସବ ଆପଣେ ।
ଥର ଥର କମ୍ପିଲା ସୁବର୍ଣ୍ଣ ନିକେତନ, ମଣିଚୂଡ଼ ଥରହର କମ୍ପିଲା ଆସନ ।
ମହାପ୍ରଳୟର ଯେସନ ପ୍ରଭୁ ଦିଗମ୍ବର, ଭୀଷଣ ବିଷାଣ ନାଦେ କମ୍ପେ ଥରଥର ।
ତିନିପୁର ଭୀମସେନ ଭୟଙ୍କର ନାଦ, ଶୁଣି ମରାମର ଜୀବ ଗଣିଲେ ପ୍ରମାଦ ।
ପୃଷ୍ଠା ୬
ମହାଭୟେ ପାଣ୍ଡୁ ଗଣ୍ଡ ହେଲେ ଆଖଣ୍ଡଳ, ମହାଭୟେ ପାଣ୍ଡୁ ଗଣ୍ଡ ହେଲେ ଦେବଦଳ ।
କେହି ଅଗ୍ରସର ଯେହୁଁ ନ ହେଲେ ତରାସେ, ଦୁଃଶାସନେ ଚାହିଁ ଭୀମ କ‌ହିଲେ ସ‌ହାସେ ।
ସେ ବିକଟ ହାସ୍ୟ ଦେଖି ଡରିଲା ସଂସାର, ଗର୍ଜିଣ କ‌ହନ୍ତି ଭୀମ, "ଆରେ କୁଳାଙ୍ଗାର ! ।
ଆରେ ଦୁଃଶାସନ କେହି ରଖି ନ ପାରିଲେ", ପାତାଳ ପୁରକୁ ଭୀମ ପୁଣି ସେ ଚାହିଁଲେ ।
ଆହେ ନାଗଲୋକ ହେ ଅନନ୍ତ ଧରାଧର, ଧରଣୀ ଧାରଣ ତୁମେ କର ମସ୍ତକର ।
ସପ୍ତଲୋକେ ଶ୍ରେଷ୍ଠ ଅଟ ତୁମ୍ଭେ ନାଗେଶ୍ୱର, ପାରିଲେ ରଖ ହେ ଆସି କୌରବ ପାମର ।
କାମରୂପେ ବୃକୋଦର ଚାହାନ୍ତେ କରାଳ, ଥର ଥର କମ୍ପିଲା ସେ ସପତ ପାତାଳ ।
ନାଗଲୋକେ ତ୍ରାସିଲେ ଭୀମର ମୂର୍ତ୍ତି ଚାହିଁ, ଆତଙ୍କେ ଅସ୍ଥିର ହେଲେ ନାଗଲୋକ ସାଇଁ ।
କେହି ନ ଆସିଲେ ଯହୁଁ ଭୀମଙ୍କର କରି, ସରୋଷେ ଚାହିଁଲେ ଭୀମ କୁରୁଥାଟ ପ୍ରତି ।
କୁରୁବଳ ପାଣ୍ଡୁବଳ ହେଲେ ସ୍ତମ୍ଭୀଭୁତ, ଗମ୍ଭୀର ଅମ୍ବରେ ଯେହ୍ନେ ହୁଙ୍କାରେ ଜୀମୁତ ।
ଗର୍ଜିଣ କ‌ହଇ ଭୀମ ଭୀମ‌ପରାକ୍ରମ, କୌରବ ସଂହାରେ ଯେହ୍ନେ କାଳାନ୍ତକ ଯମ ।
ଦୁଇ ଦଳ ଅନାଇ ସେ ରହିଲେ ସ୍ତମ୍ଭିତେ, ଭୈରବ ହୁଙ୍କାରେ ଭୟ ଉପୁଜିଲା ଚିତ୍ତେ ।
"ଆରେ ଦୁର୍ଯ୍ୟୋଧନ, ଆରେ କୁରୁ-ଦୁରାଚାର, ଆରେ କର୍ଣ୍ଣ ଅବିନୟ-ତରୀ-କର୍ଣ୍ଣଧାର ।
ଆହେ କୁରୁ ସେନାପତି ମହାଧନୁର୍ଦ୍ଧର, ହେ ସୌବଳ ଦ୍ୟୁତଜୟୀ, ହେ ଦ୍ରୋଣକୁମର ।
ଆହେ ମହାବୀର, ଏହା କେମନ୍ତ ସ‌ହିବ, ତୁମ୍ଭେ ଥାଉଁ ଥାଉଁ ଦୁଃଶାସନ ନାଶ‌ଯିବ !
ବଡ଼ ପ୍ରିୟ ଦୁଃଶାସନ ଅଟଇ ତୁମ୍ଭର, ଆସ ରକ୍ଷା କର ବେଗେ ପ୍ରିୟ ସ‌ହୋଦର ।
ସମ୍ପଦ କାଳକୁ ସଖା ସମସ୍ତେ ତ ଥିଲ, ବିପଦ କାଳରେ କେହି କତି ନ ପଶିଲ ।"
ପୁଣି କୁରୁଯୋଦ୍ଧାଙ୍କୁ ସମ୍ବୋଧି ବୃକୋଦର, ସବର୍ପେ କ‌ହଇ, "ଆହେ ଆହେ ଅସ୍ତ୍ରଧର ।
ଶୂରେ !ଭଲା ଆସି ରଖ ଦୁଃଶାସନ ଜୀବ, ଏତେ ସଖା ଥାଉ ଦୁଃଶାସନ ନାଶ ଯିବ ।
କୁରୁ ନୃପତିର ଧନ ଭଣ୍ଡାର ଖାଇଲ, ବିପଦ କାଳକୁ ଦେହି ସାହା ନହୋଇଲ ।
କେହି ନ ଆସିଲେ ଯହୁଁ ଗର୍ଜି ବୃକୋଦର, ଦୁଃଶାସନ ମୁଖ ଚାହିଁ କ‌ହିଲେ ବର୍ବର,
ଆରେ ତେ ଦୁରନ୍ତ, କେହି ନ ଆସିଲେ କତି, ଯାର ଆଜ୍ଞା ବଳେ ଯାଜ୍ଞସେନୀଙ୍କ ଦୁର୍ଗତି ।
କଲୁ ଦୁଷ୍ଟ ! ନୋହିଲା ସେ ଏତେବେଳେ ସାହା, ରଖି ନପାରିଲା ତୋର ଶିର କୁରୁନାହା ।"
ପୁଣି ସେ ଚାହିଁଲା ବୀର ନିଜ ଥାଟ ପ୍ରତି, "ଆସି ସାହା ହୁଅ ଯାର ଅଛଇ ଶକତି ।
କେହି ଆସ, ବେଗେ ଆସ ରଖ ଦୁଃଶାସନ, ଦେଖାଅ ଯାହାର ଯେତେ ଅଛି ବୀରପଣ ।
'ହେ କିରଟି ! ଧର ତୁମ୍ଭ କୋଦଣ୍ଡ ଗାଣ୍ଡିବ, ପାରିଲେ ରଖ ହେ ବୀର ଦୁଃଶାସନ ଜୀବ ।
ତ୍ରିଭୁବନେ ମହାବୀର ବୋଲାଉ ଅର୍ଜୁନ, ଅଛି ତୋର ଅକ୍ଷୟ ସେ ଶରପୂର୍ଣ୍ଣତୂଣ ।
ଧ୍ୱଜେ ବିରାଜଇ ତୋର ବୀର ହନୁମାନ, ସାରଥି ଅଟନ୍ତି ତୋର ପ୍ରଭୁ ଭଗବାନ ।
ପାଶୁପତ ଅସ୍ତ୍ର ସିଦ୍ଧ ଅଟଇ ତୋହର, ତୁ ପାରିଲେ ରଖ ବୀର ! କୌରବ ପାମର ।
ହେ ମୁରାରି ! ସୁଦର୍ଶନ‌ଧାରୀ ଯଦୁବୀର, ତୁ ପାରିଲେ ରଖ ଦୁଃଷ୍ଟ ଦୁଃଶାସନ ଶିର ।
ନିଜ ନିନ୍ଦା ଶୁଣି ପାର୍ଥ ଥିଲେ ନିରୁତ୍ତର, ବାସୁଦେବ ନିନ୍ଦା ଶୁଣି ରୁଷିଲେ ଆବର ।
ବିଜୟ ଗାଣ୍ଡୀବେ ବୀର ଖଞ୍ଜିଲେ ସାୟକ, ଧରିଲେ କିରୀଟି-କର ରୁକ୍ମିଣୀ ନାୟକ ।
ପୃଷ୍ଠା ୭