କଳା କଳେବର ଚଉତିଶା

କଳାକଳେବର ଚୌତିଶା
BY BHAKAT CHARAN DAS
ରାଗ ରାମକେରୀ

କଳା କଳେବର କ‌ହ୍ନାଇ ସଙ୍ଗେ ରୋହିଣୀସୁତ ।
କରନ୍ତି ମଥୁରା ବିଜୟେ ଦାଣ୍ତେ ଦେଖ ସଙ୍ଗାତ ।
ଖସି ପଡ଼ୁଛି କି ଆକାଶୁ କି ଏ ଗଙ୍ଗା ଯମୁନା ।
ଖୀର ସଙ୍ଗେ ପ୍ରାଣ ଶୋଷିଲେ ନାଶଗଲା ପୂତନା ।
ଗହନ କାନନ ବନରେ ଘୋର ବରଷା କାଳ ।
ଗିରି ବାମକରେ ଧଇଲେ ନନ୍ଦ ଯଶୋଦାବାଳ ।
ଘରେ ନ ରହ‌ନ୍ତି ଗଉଡ଼େ ବଡ଼ ଅଧମଜାତି ।
ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି ।
ଉଇଁ ଆସୁଛି କି ପୂର୍ଣ୍ଣିମାଶଶୀ ମଧୁସାଗରୁ ।
ଉଠ ମଧୁପୁର-ଯୁବତୀ ଓଗାଳିବା ଆଗରୁ ।
ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ ।
ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ ।
ଛନ‌କା ପଶିଲା ଛାତିରେ ଜାତି କୁଳ ଉପେକ୍ଷି ।
ଛାଡ଼ିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି ।
ଜ‌ହର ସଙ୍ଗତେ ମହୁରା ଆସି ହେଲା ନିୟତ ।
ଯୁବତୀକୁଳକୁ ଦଇବ କଲା ଏ ହ‌ନ୍ତସନ୍ତ ।
ଝଡ଼ି ପଡ଼ୁଛି କି ଝୁଣ୍ଟିଆ ଝସକେତନ ଘାତେ ।
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁଁ ବ‌ହୁଅଛି ନିରତେ ।
ନୟନ ଉପରେ ଭ୍ରୁଲତା କିଏ କାମକମାଣ ।
ନୁହ‌ନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ ।
ଟୋପି ଟୋପି ଗୋପୀ ଚନ୍ଦନ ମଣ୍ତିଛନ୍ତି କି ସଜେ ।
ଟେକି ବାରେ ଚାହାଁ ମଥୁରା ଦାଣ୍ତେ ଗୋବିନ୍ଦ ବିଜେ ।
ଠାବେ ଠାବେ ଗୋଳ ଚ‌ହଳ ସିଙ୍ଘା ବେଣୁ ବଇଁଶୀ ।
ଠିଆ ହୋଇ ଭକ୍ତଦାସ ତା ଦାଣ୍ତେ ଦେଖନ୍ତି ଆସି ।
ଡାକନ୍ତି ଏକ‌କୁ ଆରେକ ଆସ ଜୀବଜୀବନ ।
ଡୋଳାରେ ଏରୂପ ଦେଖିବା ବିଜେ ମଧୁସୂଦନ ।
ଢ଼ଳି ଢ଼ଳି କୃଷ୍ଣ ନାଚନ୍ତି ଭଙ୍ଗି ଦେଖ ମିତଣି ।
ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି ।
ଅଳକାରେ ସରୁକାଇଁଚ ମଣ୍ତିଛନ୍ତି କି କରେ ।
ଅଣହେଳା ପାଉଥିବେ ଗୋ ନନ୍ଦଗଉଡ଼ ଘରେ ।

ତିଳକ ଉପରେ କସ୍ତୁରୀ ଗୋରୋଚନା ରଞ୍ଜିଛି ।
ତେରଛାଇଁ ଚାହିଁ ଦେବାରୁ ତରଳାଇ ଦେଉଛି ।
ଥକାହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡ଼ାଇ ।
ଥିର ମଦନ ସଂଘାତରେ କାମ ଦେଲେ ଭୁଲାଇ ।
ଦୁଃଖୀଲୋକଙ୍କର ସଙ୍ଖାଳି ସେତ ଦରିଦ୍ର ଧନ ।
ଦଧି ଦୁଖ ସରଖିଆ ଗୋ ତେଣୁ ବଡ଼ ଲାବଣ୍ୟ ।
ଧରଣୀ ମଣ୍ତିଲା ପରାୟେ ହୋଇଛନ୍ତି କି ଉଭା ।
ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଙ୍କି ଶୋଭା ।
ନାସା ବିନ୍ଧା ଅପ୍ରତିଆଣି ସେ ଗୋ ଯଶୋଦାସୁତ ।
ନ କଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ ।
ପୁଅ ହୋଇ ଏଡ଼େ ସୁନ୍ଦର ନାହିଁ କାହାର ଘରେ ।
ପାହିଲା କି ଯୋଗେ ରଜନୀ ଆଜ ମଧୁ ନ‌ଗରେ ।
ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା ।
ସ୍ଫୁରୁଚି କି ବାମ ନୟନ ମୋତେ ଚାହିଁବେ ପରା ।
ବୁଦ୍ଧିବଣାହେଲା ଶୁଣିଣ ଅମୃତ ଜିଣା ବାଣୀ ।
ବସି କେତେକାଳ ଗଢ଼ିଲା ତାକୁ କେଉଁ ବିନ୍ଧାଣୀ ।
ଭଜିବାକୁ ହେଲା ଭଜନମାଳ କଲା ଏରୂପ ।
ଭଜିବ କି ଭକ୍ତଦାସ ତା କ୍ଷୟ କରିବ ପାପ ।
ମନ୍ଦବୁଦ୍ଧି କଲେ ନନ୍ଦ ଗୋ ସେତ ଆମ୍ଭ କରମ ।
ମିଛ ନନ୍ଦପୁଅ ବୋଲନ୍ତି ମଥୁରାରେ ଜନମ ।
ଯଦୁକୁଳ ଚନ୍ଦ୍ର ବୋଲିଣ ସେ ଗୋ ଯଦୁବିହାରୀ ।
ଜାତି ଯଉବନ ଜୀବନ ସବୁ ନେଲା ଆମ୍ଭରି ।
ରାମକୃଷ୍ଣ ବେନିଭାଇ ଗୋ ଦୁହେଁ ଦୁହିଁକି ତୋରା ।
ରଙ୍ଗେ ନାଚି ଆସୁଛନ୍ତି ଗୋ ଯେହ୍ନେ ଗ‌ଗନେ ତାରା ।
ଲାଜଭୟ ତେଜି କରିବା କୃଷ୍ଣ ସଙ୍ଗେ ପୀରତି ।
ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି ।
ବଳୀନ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ ।
ବିନ୍ଧୁଛୁକି ଝସକେତନ ମିଶି ହେଲା ତରଳ ।
ଶ୍ରୀମନ୍ତ ବଡ଼ାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ ।
ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣମୀ ଶଶୀ ।
ସର ଲବଣୀ ଗୋଟିକା ଯେ ଖାଇ ନନ୍ଦର ବତ୍ସି ।
ସବୁ ଗୋପୀଙ୍କର ମନ‌କୁ ବଂଶୀସ୍ୱନେ ମୋହୁଛି ।
ସଧୀରେ ପବନ ବ‌ହଇ ସରୁ କଟିମେଖଳା ।
ଶିବ ଡ଼ମରୁ କି କୈଳାସୁଁ ଶ୍ୟାମ ବଦନ କଳା ।

ହେଲେ ହେବୁଁ ପଛେ କୁଳଟା ହାର କରିବୁ ଗଳେ ।
ହସୁଥିବୁଁ ତାଙ୍କ ସଙ୍ଗରେ ବସୁଥିବୁଁ ଗୋ କୋଳେ ।
ଛାଡ଼ି ଲଜ୍ଜା ଭୟ ତା ରୂପ ଦରପଣେ ମାଜିବା ।
ଛାର କ‌ହେ ଭକ୍ତଦାସ ତା ଧ୍ୟାୟେ ରଜନୀ ଦିବା ।



ମ‌ନ‌ବୋଧ ଚୌତିଶା
BY BHAKAT CHARAN DAS

କ‌ହଇ ମନ ଆରେ ମୋ ବୋଲ କର ।
କଳାଶ୍ରୀମୁଖ ବାରେ ଦେଖିବା ଚାଲ ରେ ।
କେତେଦିନ‌କୁ ମନ ବାନ୍ଧିଛୁ ଆଣ୍ଟ ।
କି ଘେନି ଯିବୁ ତୋର ଛୁଟିଲେ ଘଟ ରେ ।
ଖଣ୍ତି ଯେ ଖଣ୍ତି ତୋର ପଞ୍ଜରା କାଠି ।
ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି ରେ ।
ଖଟ ପଲଙ୍କେ ମନ ଶେଯାଇଁ ଶୋଉ ।
ଖଳଦୁର୍ଗନ୍ଧ ହେବ ଏ ତୋର ଦେହୁ ରେ ।
ଗଲେଣି ତୋ ସଙ୍ଗତୁଁ ଯେତେକ ଜନ ।
ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ ରେ ।
ଗୁରୁ ଗୋବିନ୍ଦ ନାମ ତୁଣ୍ତେ ନ ବୋଲୁ ।
ଗାଢ଼େ ମଜ୍ଜିଣ ନିତ୍ୟେ ଧନ ଅର୍ଜିଲୁ ରେ ।
ଘର ବୋଲି ଅର୍ଜ୍ଜିଛୁ ଯେତେ ପଦାର୍ଥ ।
ଘଟ ଛୁଟିଲେ ତୋତେ ବୋଲିବେ ଭୂତ ରେ ।
ଘରଘରଣୀ ଦେହ କିଳାଉ ଥିବେ ।
ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ରେ ।
ଉଦ୍ଧାର ହେବୁ ଯେବେ ଭବସାଗରୁ ।
ଉପାୟ କରି ଭଜ ଏବେ ଶ୍ରୀଗୁରୁ ରେ ।
ଊଣା ହେଉଛି ଦିନୁ ଦିନୁ ଆୟୁଷ ।
ଆଉ ଏଣିକି ଅଛି କେତେ ବୟସ ରେ ।
ଚିତ୍ରପ୍ରତିମା ପ୍ରାୟେ ଦିଶୁ ସୁନ୍ଦର ।
ଚିରି ଭିତରେ ଦେଖ କି ନାମଖାର ରେ ।
ଚର୍ମ୍ମ ବେଢ଼ିଛି ସିନା ଚଉରାଶିକି ।
ଚିତ୍ତ ତୁ ଦିଅ ନୀଳଗିରି ବାସିଙ୍କି ରେ ।