କାଉଁରୀ କାମଚଣ୍ଡୀର ଦେଶେ
ଡକ୍ଟର ଜଗନ୍ନାଥ ମହାନ୍ତି
ପ୍ରାଚୀ ପ୍ରକାଶନ
ନୂଆଦିଲ୍ଲୀ: ଭୁବନେଶ୍ୱର କାଉଁରୀ କାମଚଣ୍ଡୀର ଦେଶେ
@ ଡକ୍ଟର ଜଗନ୍ନାଥ ମହାନ୍ତି, ୧୯୯୯
ଚିତ୍ର: ବ୍ରଜ କିଶୋର ଜେନା
ପ୍ରଚ୍ଛଦ: ପ୍ରଭଞ୍ଜନ ମହାନ୍ତି
ପ୍ରାଚୀ ପ୍ରକାଶନ
୨୨, ସୂର୍ଯ୍ୟକିରଣ ମାର୍କେଟ
ଶହୀଦ ନଗର
ଭୁବନେଶ୍ୱର - ୭୫୧୦୦୭
ମୂଲ୍ୟ: ୧୮ ଟଙ୍କା କାଉଁରୀ କାମଚଣ୍ଡୀର ଦେଶେ
ଏଥିରେ ଅଛି
କ୍ରମିକ ନଂ. | ବିଷୟ | ପୃଷ୍ଠା |
୧ | ଆରମ୍ଭରୁ ଅସୁବିଧା | ୫ |
୨ | ବୁଡ଼ିଗଲା ଗୋଡ଼ ତଳକୁ ତଳକୁ | ୭ |
୩ | ସୁନ୍ଦର ସବୁଜ ପରିବେଶ | ୮ |
୪ | ବୋଡ଼ୋ ଗଣ୍ଡଗୋଳ ଯୋଗୁ ହଇରାଣ | ୧୦ |
୫ | କଳାମେଘ ତଳେ ଧଳା କଇଁଫୁଲର ହାଟ | ୧୨ |
୬ | ସମସ୍ତେ ଯେମିତି ସ୍ୱାଗତ କଲେ | ୧୩ |
୭ | ଏବେ ସବୁ ଦୁଃଖ ଭୁଲି ଯା’ନ୍ତୁ | ୧୩ |
୮ | ଆସାମର ଅବସ୍ଥା | ୧୭ |
୯ | ଶଙ୍କର ଦେବ | ୧୮ |
୧୦ | ଲୋକମାନଙ୍କ ଚଳଣି | ୨୨ |
୧୧ | ପର୍ବପର୍ବାଣି ଓ ଧର୍ମ କାର୍ଯ୍ୟ | ୨୩ |
୧୨ | କାମାକ୍ଷା ଦେବୀଙ୍କ ପଥେ | ୨୬ |
୧୩ | ଫେରିବା ବାଟରେ ଅସୁବିଧା | ୩୨ |
୧୪ | ଗୌହାଟୀ ଦର୍ଶନ | ୩୩ |
୧୫ | କାମାକ୍ଷାପୀଠର ମହିମା | ୩୫ |
୧୬ | ଇତିହାସରେ କାମାକ୍ଷା | ୪୦ |
୧୭ | ଗୌହାଟୀରୁ ଫେରିଲି | ୪୩ |
୧୮ | ଦୁଇପାଖରେ କ୍ଷେତ-ଖମାର | ୪୭ |
ଆରମ୍ଭରୁ ଅସୁବିଧା
୧୯୯୦ ଜୁଲାଇ ୩୦ ତାରିଖ । ଆସାମର ପ୍ରଧାନ ସହର ଗୌହାଟୀକୁ ଯିବା ପାଇଁ ମୋର ଭାରି ମନ । ବହୁ ଦିନୁ ଶୁଣିଥିଲି ଆସାମ କାଉଁରୀ କାମଚଣ୍ଡୀର ଦେଶ । ସେଠାକୁ ଭେଣ୍ଡାମାନେ ଯାଇ ମେଣ୍ଢା ହୋଇ ରହିଯା’ନ୍ତି । କୁହୁକ ବଳରେ ସେମାନେ ବଶ ହୋଇ ରହିଯା’ନ୍ତି । ନିଜ ଘରକୁ ସେମାନେ ଫେରନ୍ତି ନାହିଁ । କେଡ଼େ ସୁନ୍ଦର ସେଇ ଜାଗା ! କିଏ ପୁଣି ବାହାର ଲୋକଙ୍କୁ ସେଠାରେ ବାନ୍ଧି ରଖେ !!
ଆସାମକୁ ଯିବା ପାଇଁ ଗୋଟିଏ ନିମନ୍ତ୍ରଣ ପାଇଲି । ଏଇ ସୁଯୋଗରେ ଯିବା ପାଇଁ ସ୍ଥିର କଲି । ବିଭିନ୍ନ କାର୍ଯ୍ୟ ଓ ବିଭିନ୍ନ ଜଞ୍ଜାଳ । ଆସାମରେ ମଧ୍ୟ କେତେ ଗଣ୍ଡଗୋଳ ! ତା’ ମଧ୍ୟରେ ଗୋଟିଏ ସିଧା ଯାଉଥିବା ଟ୍ରେନରେ ଯିବା ପାଇଁ ଟିକେଟ କାଟିଲି । ସଂରକ୍ଷଣ ମଧ୍ୟ ମିଳିଗଲା । ମାତ୍ର ଆଜିକାଲି ଗାଡ଼ି ମଟରର ଯାହା ଅବସ୍ଥା । ସମୟରେ ଚାଲୁନାହିଁ । ସେଥିପାଇଁ ବହୁତ ହଇରାଣ । ସେଦିନ ଭୋର ୫ ଟାରେ ମୋର ଟ୍ରେନ । ବାଙ୍ଗାଲୋର ଗୌହାଟୀ ଏକ୍ସପ୍ରେସ । ରାତି ୪ଟାରୁ ଉଠି ନିତ୍ୟକର୍ମ ସାରିଦେଲି । ସାନ ପୁଅ ମିଟୁ ସାଥୀରେ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଲି । ଟ୍ରେନ ଠିକ ସମୟରେଆସୁଛି କି ନାହିଁ ବୁଝିଲାବେଳକୁ ଉତ୍ତର ମିଳିଲା – କିଛି ଠିକ ନାହିଁ । ସବୁ ବିଳମ୍ବରେ ଚାଲିଛି ।
ସହକାରୀ ଷ୍ଟେସନ ମାଷ୍ଟରଙ୍କୁ ପଚାରିଲି । ସେ ବି ଠିକ ଉତ୍ତର ଦେଲେ ନାହିଁ । କେତେବେଳେ ସେଇ ଗାଡ଼ି ଆସିବ ଠିକଣା ନାହିଁ । ଅଭିଜ୍ଞ ଟିକେଟ କଲେକ୍ଟର ଦାସ ବାବୁଙ୍କୁ ପଚାରିଲି । ସେ କହିଲେ ତେବେ ଛ’ ଘଣ୍ଟାରୁ କମ୍ ନୁହେଁ । ଅଧିକ ତ ହୋଇପାରେ । ଗାଡ଼ି ଏଯାଏ ଆମ ଅଞ୍ଚଳ(ରେଞ୍ଜ) ମଧ୍ୟକୁ ଆସିନାହିଁ ।
ତା’ମାନେ ପଚାରିବାରୁ ସେ ବୁଝାଇଦେଲେ ବେଜୱଡ଼ା ପର୍ଯ୍ୟନ୍ତ ଗାଡ଼ି ଆସିନାହିଁ । ସେଠାରୁ ଏଠାକୁ ଛ’ ଘଣ୍ଟାର ବାଟ । ଗତ ଥର ପ୍ରାୟ ଚବିଶ ଘଣ୍ଟା ବିଳମ୍ବରେ
ଆଚ୍ଛା କଥା । ଆମକୁ ତେବେ କଅଣ କରିବାକୁ ହେବ ? ବସାକୁ ଫେରିଯିବା ଉଚିତ । ସେଠାରୁ ଫୋନ୍ରେ ଖବର ନେବାକୁ ହେବ । ସେଥିରେ ଖବର ନ ମିଳିଲେ ନିଜେ ଆସି ବୁଝିବାକୁ ପଡ଼ିବ । ସେଇୟା ହେଲା । ଆମେ ଫେରିଗଲୁ । ପ୍ରତି ୧/୨ ଘଣ୍ଟାରେ ଫୋନ୍ କରୁଥାଉ । ଫୋନ୍ ନ ମିଳିଲେ ମିଟୁ ନିଜେ ଷ୍ଟେସନକୁ ଯାଇଥାଏ । ଏମିତି କରି ଶେଷରେ ଗାଡ଼ି ୧୦ ଘଣ୍ଟା ବିଳମ୍ବରେ ଆସିବ ବୋଲି ଜଣାପଡ଼ିଲା । ତା’ ମାନେ ଅପରାହ୍ନ ୩ଟାରେ ଗାଡ଼ି ଆସିବ ।
ଆମେ ତେଣୁ ୨ଟାରେ ରେଳଷ୍ଟେସନରେ ପହଞ୍ଚିଲୁ । ଘଣ୍ଟାଏ ଅପେକ୍ଷା କଲା ପରେ ଗାଡ଼ି ଆସିଲା । ସେତେବେଳେକୁ ଟ୍ରେନ ୧୦ ଘଣ୍ଟା ବିଳମ୍ବରେ ଚାଲିଥିଲା । ନିଜ କମ୍ପାଣ୍ଟମେଣ୍ଟର ନିର୍ଦ୍ଦିଷ୍ଟ ସ୍ଥାନରେ ମୁଁ ବସିଲି । ଟ୍ରେନ ଛାଡିଲା ପାଖରେ ଜ୍ୱରାକ୍ରାନ୍ତ ଦୁର୍ବଳ ସ୍ତ୍ରୀ ପିଲାଙ୍କୁ ଧରି ଜଣେ ବାବୁ ଆସାମ ଯାଉଥିଲେ । ଆଉ ଜଣେ ଦୁଇଜଣ ଭଦ୍ରବ୍ୟକ୍ତି ମଧ୍ୟ ସେଇ ବଗିରେ ବସିଲେ । ଗୌହାଟୀ ଯାଇ ସେମାନେ ସେଠାରୁ ବିଭିନ୍ନ ସ୍ଥାନକୁ ଯିବେ । ଆମେ ସବୁ କଥାବାର୍ତ୍ତା ହୋଇ ଚାଲିଲୁ ।
ବୁଡ଼ିଗଲା ଗୋଡ଼ ତଳକୁ
ବୁଡ଼ିଗଲା ଗୋଡ଼ ତଳକୁତଳକୁ ପରି ପଛାଇଥବା ଗାଡ଼ି ଅଧିକରୁ ଅଧିକ ପଛାଇ ପଛାଇ ଚାଲିଲା । କଥାବାର୍ତ୍ତରୁ ଯାହା ଜାଣିଲି ହୁଏତ ତା’ ଆରଦିନ (୩୧ତାରିଖ) ରାତି ଅଧରେ ଗାଡ଼ି ଗୌହାଟୀରେ ପହଞ୍ଚି ପାରେ । ନୂଆ ଜାଗା । ମୋର ସ୍ଥାନ, ରାସ୍ତାଘାଟ ସମ୍ପର୍କରେ କିଛି ଧାରଣା ନାହିଁ । ସେଥିରେ ବୋଡୋ, ଉଲ୍ଫା ଆଦିଙ୍କର ଗଣ୍ଡଗୋଳ । ନିରୀହ ମଣିଷଙ୍କୁ ତ ପୋକମାଛି ପରି ମାରିବା ସେମାନଙ୍କର କାର୍ଯ୍ୟ ହୋଇଛି । ତେଣୁ ମନରେ କେତେ ସନ୍ଦେହ, କେତେ ଚିନ୍ତା !ଦେଖାଯାଉ କ’ଣ ହେଉଛି । ଗାଡ଼ି ଚାଲିବାରେ ଲାଗିଲା । ରାତି ୧୦ଟା ବାଜିଲା । ଆମେ ସବୁ ଶୋଇଗଲୁ । ପାଞ୍ଚଟାରେ ଶାଗୁଆ ଧାନ କିଆରୀ, ନଦୀନାଳ, ଗାଁ ଗଣ୍ଡା ମଧ୍ୟରେ ଗାଡ଼ି ଚାଲିଛି । ଦଳ ଦଳ ପକ୍ଷୀ ଉଡ଼ି ଚାଲିଛନ୍ତି । କ୍ରମେ ଦଶ ଦିଗ ସଫା ହୋଇ ଆସିଲା ।
ଫରକ୍କା ବ୍ୟାରେଜ୍ ପଡ଼ିଲା । ଗଙ୍ଗାଜଳକୁ ବାଣ୍ଟିବାରେ ବଙ୍ଗଳା ଦେଶ ସହିତ ଭାରତର ଗଣ୍ଡଗୋଳ । ଏହି ବ୍ୟାରେଜ୍ରେ ନଦୀ ଜଳ ଅଟକ କରି କେନାଲ ସାହାଯ୍ୟରେ ଜଳସେଚନର ବ୍ୟବସ୍ଥା ହୋଇଛି । କେତୋଟି ନୂଆ କଳକାରଖାନା ଗଢ଼ି ଉଠିଛି ।
ସୁନ୍ଦର ସବୁଜ ପରିବେଶ
ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଟ୍ରେନ୍ ଚାଲିଛି । କ୍ଷେତ ଓ ଖମାର ଆଉ କଳକାରଖାନା ମଧ୍ୟରେ ଏକ ଅପୂର୍ବ ଯୋଗାଯୋଗ । ମାଲ୍ଦା ଷ୍ଟେସନ୍ ପଡ଼ିଲା । ଏକ ଜାତିର ସବୁଜ ଆମ୍ବ ପାଇଁ ସ୍ଥାନଟି ପ୍ରସିଦ୍ଧ । ସେଇ ଆମ୍ବ ସରିଆସିଲାଣି । ପାଚିଲେ ମଧ୍ୟ ଏହି ଆମ୍ବ ସବୁଜ ଦିଶେ । ଜଣେ ଦି ଜଣ ଗୋଟିଏ ଲେଖାଁ ଝୁଡ଼ିରେ କିଛି ଆମ୍ବ ଧରି ଷ୍ଟେସନ ଉପରେ ଆସି ବିକୁଥିଲେ । କିଲୋ ନ’ଅ ଟଙ୍କା ।
ଚାଷୀମାନେ ଭୋରରୁ ଚାଷ କାମରେ ଲାଗିଗଲେଣି । କିଏ ମଇ ଦେଉଛି ତ କିଏ ବେଉଷଣ କରୁଛି । କିଏ ରୋଉଛି ତ କିଏ ତଳି ଉପାଡ଼ୁଛି । ନିଜ ନିଜ ଚାଷ କାର୍ଯ୍ୟରେ ସେମାନେ ଲାଗିଲେଣି । ଅନେକ ସ୍ଥାନରେ ନଳିତା କିଆରୀମାନ ଦେଖିଲୁ । କେତେକ ଜାଗାରେ ନଳିତା କାଟି ତାକୁ ପାଣିରେ ମଡ଼ାଉଛନ୍ତି । କେତେକ ଜମି ଉପରେ ନଳିତା ଗୋଛା ଠିଆ ହୋଇ ରହିଛି । ସମ୍ଭବତଃ ପତ୍ର ଝଡ଼ିଲେ ପାଣିରେ ମାଡ଼ିବେ ।
ରେଳ ରାସ୍ତା କଡ଼ରେ ମଧ୍ୟ ଆକାଶିଆ ଗଛଗୁଡ଼ିକର ବଣ । ଆକାଶୁଛୁଆଁ ହେଲାଣି । ସାମାଜିକ ବନୀକରଣ ଯୋଜନାରେ ସବୁଠି ଏଇ ଗଛ ଜଙ୍ଗଲ ଦେଖିବାକୁ
ମିଳୁଛି । ସେଇ ଗଛର ଉପକାରିତା ବିଷୟରେ ଅନେକ ସମାଲୋଚନା କରନ୍ତି । ମାତ୍ର ଧୂସର ମାଟି ମରତକୁ ଶୀଘ୍ର ସବୁଜ ସୁନ୍ଦର କରିବାକୁ ଆକାଶିଆ ଗଛ ତା’ର ଖୁବ ସଫଳତା ଦେଖାଇଛି । ବଡ ଗଛଗୁଡ଼ିକରେ ହଳଦିଆ ଫୁଲର ଭିଡ଼ ଜମିଛି । ସାନ ଗଛଗୁଡ଼ିକରେ ଛନ ଛନ କଅଁଳିଆ ପତ୍ର ଲଦି ହୋଇ ପଡ଼ିଛି ।
କିଶନଗଞ୍ଜ, ରଙ୍ଗପାଣି ଆଦି ଷ୍ଟେସନ ପରେ ପଡ଼ିଲା ନୂଆ ଜଳପାଇଗୁଡ଼ି । ଏଠାରୁ ଥରେ ମୁଁ ସିଲିଗୁଡ଼ି ଯାଇ ସେଠାରୁ ସିକିମ ରାଜଧାନୀ ଗାଙ୍ଗଟକ ଯାଇଥିଲି । ପାହାଡ଼ମାନ ଦୂର ଦିଗବଳୟରେ ଦେଖାଗଲା । ମଝିରେ ମଝିରେ ବର୍ଷା ହେଉଥାଏ । ମେଘୁଆ ପାଗ । ସୂର୍ଯ୍ୟ କେତେବେଳେ ଲୁଚି ଯାଉଥାଏ ତ କେତେବେଳେ ଦେଖାଯାଉଥାଏ ।
ବୋଡ଼ୋ ଗଣ୍ଡଗୋଳ ଯୋଗୁଁ ହଇରାଣ
ଆସାମ ରାଜ୍ୟ ନିକଟେଇ ଆସିଲା । ଗୁଆଗଛମାନ ଦେଖି ଗୁଆହାଟୀ କଥା ମନେପଡ଼ିଲା । ଗୁଆର ହାଟରୁ ଗୁହାଟି ନାମକରଣ ହୋଇଛି । ଗୋଟିଏ ଗାଁ ପାଖ ଛୋଟ ଷ୍ଟେସନରେ ଗାଡ଼ି ବହୁତ ସମୟ ପକେଇରଖିଲା । ପାଣିଟୋପେ ବି ନାହିଁ । ଟ୍ୟୁବ୍ୱେଲ୍ରୁ ପାଣି ବାହାରୁ ନାହିଁ । ଗାଁ ଲୋକେ ଏହାକୁ ଏକ ସୁଯୋଗ ବୋଲି ଭାବିନେଲେ । ବାଡ଼ିର ଦରପାଚିଲା ପଣସ, ପିଜୁଳି, ସପୂରୀ, କଦଳୀ ଆଦି ନେଇ ଆସିଲେ । ସନ୍ଧ୍ୟା ବେଶୀ ଦୂର ନାହିଁ । ତେଣୁ ଯାତ୍ରୀମାନେ ଯେ ଯାହା ପାଇଲେ କିଣି ଖାଇଲେ ।
ସେଇ ଡବାରେ ୮/୧୦ ଜଣ ଅଧ୍ୟାପକ ଯାଉଥିଲେ । ସେମାନେ ଓଡ଼ିଶାରୁ ଯାଇ ଆସାମରେ ବିଭିନ୍ନ କଲେଜରେ ଅଧ୍ୟାପନା କରୁଛନ୍ତି । ବାରିପଦାର ଜଣେ
ସେଠାରେ ଗାଡ଼ି ଏତେ ସମୟ ପଡ଼ି ରହିବାର କାରଣ ବୁଝାଇ ସୁମନବାବୁ କହିଲେ – ଆସାମ ଗଣ୍ଡଗୋଳ ଯୋଗୁ ଆଜିକାଲି ରାତିରେ ଟ୍ରେନ ଚାଲୁ ନାହିଁ । ବିଶେଷ କରି ବୋଡ଼ୋ ଅଞ୍ଚଳ ପଡ଼ିବ ଗୌହାଟୀ ପୂର୍ବରୁ । ସେଥିପାଇଁ ସନ୍ଧ୍ୟାରେ କୁଚବିହାର ଷ୍ଟେସନରେ ଗାଡ଼ି ଅଟକିବ । ଭୋରରୁ ପୁଣି ଗାଡ଼ି ଚାଲିବ । ଗୋଟିଏ ସ୍ଥାନରେ ଦେଖିଲି ମସ୍ତବଡ଼ ଆମ୍ବ ତୋଟା ପରି ଏକ ଜଙ୍ଗଲ । ଉପରକୁ ମୁଣ୍ଡ ଟେକି ରହିଛି ବଡ଼ ବଡ଼ ଗଛ । ତଳେ ତା'ର ସବୁ ଘଞ୍ଚ ବୁଦୁ ବୁଦିକିଆ ଗଛ । ସେଇ ସବୁ ଗଛ କେହି ଲଗାଇଲା ପରି ଲାଗିଲା । ପଚାରିବାରୁ ସାହୁବାବୁ କହିଲେ – ଏହା ଚା’ ବଗିଚା । ବଡ଼ ବଡ଼ ଗଛ ତଳେ ବୁଦୁ ବୁଦିକିଆ ଜଙ୍ଗଲ ପରି ଦିଶୁଛି । ତାକୁ ଛାଇ ଦେବାକୁ ଉପରେ ଏଇ ଡେଙ୍ଗା ଡେଙ୍ଗା ଗଛ । ମୁଁ ଏବେ ବୁଝିଲି, ପିଲାଦିନେ ଚା’ ଚାଷ ବିଷୟରେ ପଢ଼ିଥିବା ପାଠ ମନେ ପଡ଼ିଲା ।
ସତକୁ ସତ କୁଚବିହାର ଷ୍ଟେସନରେ ଗାଡ଼ି ଅଟକି ରହିଥିଲା । ଷ୍ଟେସନରେ ଖାଦ୍ୟର ଉତ୍କଟ ଅଭାବ । ବାସି ଶୁଖିଲା ଖାଦ୍ୟ ମିଳିଲା, ସେଥିରୁ ଖାଇ ପେଟକୁ ଥୟ କରାଗଲା । ଯାତ୍ରୀମାନେ ରାତିଟି ସେଠାରେ ଗାଡିର ବଗି ମଧ୍ୟରେ କଟାଇଲେ । ପୋଲିସ ଫୋର୍ସ ଆଦି ଅବଶ୍ୟ ଏପଟ ସେପଟ ହେଉଥା'ନ୍ତି । କଳା ମେଘ ତଳେ ଧଳା କଇଁର ହାଟ
ରାତି ୪ଟାରେ ନିଦ ଭାଜିଲା । ଟ୍ରେନ୍ ଧୀରେ ଧୀରେ ଚାଲିଥାଏ । ଭୋର ୫ଟାରେ ନିତ୍ୟକର୍ମ ସାରିଦେଲି । ଚଉଦିଗ ଫରଚା ଦିଶିଲା । ଯାତ୍ରୀମାନେ ଗୋଟିଏ ଗୋଟିଏ ଉଠିଲେ । ମେଘୁଆ ସକାଳ । ମାତ୍ର ଚାଷୀଭାଇମାନେ କାମରେ ଲାଗିଥାନ୍ତି । ରେଳରାସ୍ତା କଡ଼ ନୟନଜୋରି ପାଣିରେ ନାଲି ଓ ଧଳା କଇଁ ବହୁ ସଂଖ୍ୟାରେ ଫୁଟିଥାଏ । ଧଳାକଇଁ ତ ଆକାଶ ତାରା ପରି ଉଜ୍ଜ୍ୱଳ ଦିଶୁଥାଏ । କଳାହାଣ୍ଡିଆ ମେଘ ତଳେ ତା'ର ଉଜ୍ଜ୍ୱଳତା ଆହୁରି ବଢ଼ିଯାଇଥାଏ । ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ।
ଜୋରାଇ ଷ୍ଟେସନ ପଡିଲା । ଚା' ଗ୍ଲାସେ ପିଇଲି । ଖୁବ୍ ତଟକା । ତା'ର ମହକ ଭାରି ଭଲ ଲାଗିଲା । ତା'ପରେ ଶ୍ରୀରାମପୁର ଷ୍ଟେସନ । ଜୱାନମାନେ ବାଲି ବସ୍ତା ଘେରାଇ ତା' ଉପରେ ଭାଡ଼ି କରି ଜଗି ବସିଛନ୍ତି । ଚଉତରା ବୋଲି ଆଉ ଏକ ଷ୍ଟେସନ ।
ବୋଡ଼ୋ ଅଞ୍ଚଳ ମଧ୍ୟରେ ଆମେ ଚାଲିଲୁ । ସ୍ତ୍ରୀଲୋକମାନେ ଚାଲିଥାନ୍ତି । ସେମାନଙ୍କର ଗଢ଼ଣ ଓ ସ୍ୱାସ୍ଥ୍ୟ ସୁନ୍ଦର । ପାହାଡ଼ ଘେରା ଅଞ୍ଚଳ । ଦୂର ପାହାଡ଼ ଉପରେ ନୂଆ ମେଘ । ଧୋବ ଫର୍ ଫର୍ ଭିଣାତୂଳା ପରି ଦେଖାଯାଉଥାଏ । ପାହାଡ଼ର ସବୁଜ ସୁନ୍ଦର ମଥାନ ଉପରେ ତାହା ଭାସି ଯାଉଥାଏ ।
ବହୁ ଦିନରୁ ଶୁଣିଥିବା ଓ ଖବରକାଗଜରୁ ପଢ଼ିଥିବା କୋକ୍ରାଝର ଷ୍ଟେସନ ପଡ଼ିଲା । ଭାବିଲି କେଉଁଠି ସୁନ୍ଦର ଝରଣା ଥିବ । ଜଣେ ଯୁବକବନ୍ଧୁ ମୋର ପାଣି ବୋତଲ ନେଇ ଷ୍ଟେସନ ଟ୍ୟୁବୱେଲରୁ ଭର୍ତ୍ତି କରି ଆଣିଲେ । ଖୁବ୍ ନିର୍ମଳ ଜଳ । କେଦାର ଗୌରୀ ପାଣି ପରି ଟିକିଏ ଆମ୍ବିଳିଆ ଲାଗୁଥିଲା । ସମ୍ଭବତଃ ଧାତବ ଗୁଣ ଯୋଗୁ । ତା’ପରେ ବାସୁଗାଓଁ, ନୂଆ ବୋଙ୍ଗାଇଗାଓଁ , ନଳବାଡ଼ି ଷ୍ଟେସନମାନ ମାନ ପଡ଼ିଲା । ଗୌହାଟୀ ଆଉ ସେଠାରୁ ଘଣ୍ଟାକର ବାଟ । ମନ ଉଚ୍ଚାଟ ହୋଇ ଉଠିଲା । ମାତ୍ର ସେତେବେଳକୁ ବାରଟା ବାଜିଲାଣି । ସମସ୍ତେ ଯେମିତି ସ୍ୱାଗତ କଲେ
ଏବେ ପାହାଡ଼ମାନ ରେଳରାସ୍ତା ପାଖକୁ ଲାଗି ରହିଥିବା ଦେଖାଗଲା । ମନେ ହେଲା, ଯାତ୍ରୀମାନଙ୍କୁ ସ୍ୱାଗତ କରିବାକୁ ସେମାନେ ହାତ ଧରାଧରି ହୋଇ ଲାଗି ଆସିଲେଣି । ଜଣେ ଲୋକ ଆସି ଗୋଟିଏ ଲେଖାଏଁ ସୁନ୍ଦର ପଇଡ଼ ଧରାଇଲେ । ଥଣ୍ଡା ପାଣିକୁ ମିଠା ଶସ । ଭଲ ଲାଗିଲା, ଖୁବ୍ ଶାନ୍ତି ଲାଗିଲା । ଭୋକଶୋଷ ମରିଗଲା । ସୁନ୍ଦର ଦୃଶ୍ୟ ଦେଖି ଖୁସି ହେଲି ।
ଅଳ୍ପ ସମୟ ପରେ ପଡ଼ିଲା କାମାକ୍ଷା ଷ୍ଟେସନ । ସେଠାରୁ ଗଲେ ଦଶମିନିଟ୍ ପରେ ଗୌହାଟୀ ଷ୍ଟେସନ । ପୁରୀ ଯିବାବେଳେ ଆଗେ ପଡ଼ନ୍ତି ବାଟମଙ୍ଗଳା । ସେମିତି ଗୌହାଟୀ ଯିବା ପୂର୍ବରୁ ଆଗେ ପଡ଼ନ୍ତି କାମାକ୍ଷା ଠାକୁରାଣୀ । ମୁଁ ଗୌହାଟୀ ଷ୍ଟେସନରେ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଲି । କାମାକ୍ଷା ଷ୍ଟେସନରେ ଗାଡ଼ି ରହିଲାମାତ୍ରେ ମୁଁ ବାହାର ଦୃଶ୍ୟ ଦେଖୁଛି । ହଠାତ୍ ଆଖି ପଡିଲା ଡକ୍ଟର ଶର୍ମାଙ୍କ ଉପରେ । ସେ ପ୍ଲାଟଫର୍ମ ଉପରେ ଗାଡ଼ିକୁ ଦେଖି ଦେଖି ଚାଲିଛନ୍ତି । ଡକ୍ଟର ପୂର୍ଣ୍ଣ ଶର୍ମା ଗୌହାଟୀ ବିଶ୍ୱବିଦ୍ୟାଳୟର ଆକାଡେମିକ ଷ୍ଟାଫ୍ କଲେଜର ଡାଇରେକ୍ଟର । ସେ ମୋତେ ନିମନ୍ତ୍ରଣ କରିଥିଲେ । ମାତ୍ର କେଉଁଠି କିପରି ଓହ୍ଲାଇ ତାଙ୍କ କଲେଜକୁ ଯିବି ଜଣାଇନଥିଲେ ।
ଯାହା ହେଉ କାମାକ୍ଷାଙ୍କ ଦୟାରୁ ତାଙ୍କ ଉପରେ ହଠାତ୍ ଆଖି ପଡ଼ିଗଲା । ମୁଁ ତାଙ୍କୁ ଡାକିଦେଲି । ମୋର ଡାକ ଶୁଣିଲାମାତ୍ରେ ବଗିଭିତରକୁ ସେ ଚାଲିଆସିଲେ । ମୋତେ ଆନନ୍ଦରେ କୁଣ୍ଢାଇ ପକାଇଲେ । ମୋର ମନା କରିବା ସତ୍ତ୍ୱେ ମୋ ସୁଟ୍କେଶକୁ ଧରି ସେ ବାହାରିଲେ । ସେତେବେଳକୁ ସେଇଗାଡ଼ି ପୁରା ଗୋଟିଏ ଦିନ ବା ୨୪ ଘଣ୍ଟା ବିଳମ୍ବରେ ଚାଲୁଥିଲା ।
ଏବେ ସବୁ ଦୁଃଖ ଭୁଲିଯା’ନ୍ତୁ
ଡକ୍ଟର ଶର୍ମା କହିଲେ – ଆପଣ ବାଟରେ ବହୁତ ହଇରାଣ ହୋଇଥିବେ । ଏବେ ସେ ସବୁ ଦୁଃଖ ଭୁଲି ଯା’ନ୍ତୁ । ତାଙ୍କ କାରରେ ଆମେ ସାଥୀ ହୋଇ ଗୌହାଟୀ ବିଶ୍ୱବିଦ୍ୟାଳୟକୁ ଗଲୁ । ସେଠାରେ ଅତିଥି ଭବନ (ଗେଷ୍ଟ ହାଉସ)ରେ ମୋର ରହିବା ବ୍ୟବସ୍ଥା ହେଲା । କିଛି ସମୟ ଦୁଃଖ ସୁଖ ହେଲା ଭିତରେ ସେ କହିଲେ – ଦୁଇ ଦିନ ଧରି ମୁଁ ଖୁବ ଚିନ୍ତାରେ ପଡ଼ିଥିଲି । ଆପଣ ଆସି ପାରିବେ କି ନାହିଁ । ଏଠାରେ ଗଣ୍ଡଗୋଳ । ପୁଣି ଏଇ କେତେ ଦିନ ପରେ ଦିଲ୍ଲୀରେ ଆମର ମିଟିଂ । ସେଥିପାଇଁ ନାନା ପ୍ରସ୍ତୁତି ।
ମୁଁ କିନ୍ତୁ ଆସାମକୁ ଆସିବା ପାଇଁ ମୋର ଆଗ୍ରହ ଏବଂ ଆସିଲା ପରେ ଖୁବ ଆନନ୍ଦ ପ୍ରକାଶ କଲି । ସେ ମଧ୍ୟ ଖୁସି ହେଲେ । କାମାକ୍ଷା ଷ୍ଟେସନରୁ ବିଶ୍ୱବିଦ୍ୟାଳୟ ୧୦ କିଲୋମିଟର ଦୂର । ମାତ୍ର ଅତିଥିଭବନଠାରୁ ତାହା ଜମା ୪ କିଲୋମିଟର । ତେବେ ଘଣ୍ଟାକ ପରେ ଗାଡ଼ି ପଠାଇଦେବେ କହି ସେ ନିଜ ଘରକୁ ଗଲେ ।
ମୁଁ ଘଣ୍ଟାକ ମଧ୍ୟରେ ନିତ୍ୟକର୍ମ ସାରିଦେଲି । ୩ଟାରେ ମୋତେ ଗୋଟିଏ ଭାଷଣ ଦେବାକୁ ହେବ । ମୁଁ ଦୁଇଟା ମଧ୍ୟରେ ଗାଧୁଆ ପାଧୁଆ ସାରି ପ୍ରସ୍ତୁତ ହୋଇଗଲି । ମାତ୍ର ଡ୍ରାଇଭର ଆସିବାରେ ବିଳମ୍ବ ହେବାରୁ ମୁଁ ବାହାରକୁ ଆସି ବୁଲାବୁଲି କଲି । ଦୂର ଦିଗବଳୟରେ ସୁନୀଳ ଉଚ୍ଚ ପାହାଡ଼ ଲମ୍ବି ଯାଇଛି । ମଥାନରେ ତା’ର କଳାହାଣ୍ଡିଆ ବାଦଲର ବୋଝ । ହତାରେ ସନ୍ତସନ୍ତିଆ ଭୂଇଁ । ପଙ୍କ କାଦୁଅଭରା । ସେଠାରେ କେହି ଯତ୍ନ ନେଲାପରି ଜଣାଗଲା ନାହିଁ । ତେବେ ହତା ମଝିରେ ଗୋଲାପ, ହେନା ଆଦି ଫୁଲଗଛମାନ ମୁଣ୍ଡଟେକି ଠିଆ ହୋଇଛନ୍ତି ।
ଦୁଇଟା ପନ୍ଦର ମିନିଟରେ କାର ଆସିଲା । ମୁଁ ବିଜ୍ଞାନ କେନ୍ଦ୍ରର କ୍ୟାଣ୍ଟିନରେ କିଛି ଖାଇ ତାଲିମ କେନ୍ଦ୍ରକୁ ଗଲି । ସେଠାରେ କିଛି ସମୟ ବସିଲା ପରେ ଶର୍ମା ଆସିଲେ । କୋଅର୍ଡ଼ିନେଟର ଭଟ୍ଟାଚାର୍ଜୀ ଶ୍ରେଣୀରେ କ’ଣ ଆଲୋଚନା କରୁଥିଲେ । ଆସିଲେ । ଗୋଟିଏ ଗ୍ରୁପ ଫଟୋ ଉଠାଇବାର ଆୟୋଜନ । ମୋତେ ସେମାନେ ବସିବାକୁ ଅନୁରୋଧ କଲେ । ଫଟୋ ଉଠିଲା । ତା'ପରେ ଡକ୍ଟର ଶର୍ମା ସମସ୍ତଙ୍କ ସହ ମୋର ପରିଚୟ କରାଇଦେଲେ । ମୁଁ ମଧ୍ୟ ପ୍ରଥମ କରି ଆସାମ ଯାଇଥିବାରୁ ଆନନ୍ଦ ପ୍ରକାଶ କଲି । ଦୁଇ ପଡ଼ୋଶୀ ରାଜ୍ୟ ଓଡ଼ିଶା ଓ ଆସାମ । ସେମାନଙ୍କ ଭାଷା, ଧର୍ମ, ଆଚରଣ, ଚଳଣି ଆଦିରେ ଖୁବ୍ ସାମଞ୍ଜସ୍ୟ । ଶିକ୍ଷା ଓ ଦର୍ଶନ ସମ୍ପର୍କରେ ଭାଷଣ ଦେଲି । ଶେଷରେ ଆଲୋଚନା ହେଲା । କେନ୍ଦ୍ର ମାଧ୍ୟମିକ ଶିକ୍ଷାବୋର୍ଡର ଆଞ୍ଚଳିକ ଅଧିକାରୀ ଫୁକନ୍ବାବୁ ମଧ୍ୟ ଆଲୋଚନାରେ ଯୋଗଦେଲେ ।
ତା'ପରେ ଆମେ ଡକ୍ଟର ଶର୍ମାଙ୍କ ବସାକୁ ଗଲୁ । ସେଠାରେ କଥାବାର୍ତ୍ତ ହେଲୁ । ପରସ୍ପର ଘରଦ୍ୱାର, ପିଲାପିଲିଙ୍କ ପଢ଼ାପଢ଼ି ସମ୍ପର୍କରେ ସୁଖଦୁଃଖ ହେଲୁ । ଆସାମ ବିଶେଷ କରି ଗୌହାଟୀ ସହର ବିଷୟରେ ଆଲୋଚନା କଲୁ । ଆସମର ଆଗକାଳର କଥା । ଆସାମ ପୌରାଣିକ ଯୁଗରେ ପ୍ରାଗ୍ଜ୍ୟୋତିଷପୁର ନାମରେ ବିଖ୍ୟାତ ଥିଲା । କାଳିଦାସଙ୍କ କାବ୍ୟ କବିତା ଏବଂ ଅନ୍ୟାନ୍ୟ ସଂସ୍କୃତ ଶାସ୍ତ୍ରମାନଙ୍କରେ ଏହାକୁ କାମରୂପ ବୋଲି ବର୍ଣ୍ଣନା କରାଯାଇଛି । ସମୁଦ୍ର ଗୁପ୍ତଙ୍କର ଏକ ଶିଳାଲିପିରେ (୫ମ ଶତାବ୍ଦୀ) ଏହାର ନାମ କାମରୂପ ବୋଲି କୁହାଯାଇଛି । ଦଶମ ଶତାବ୍ଦୀରେ ଲିଖିତ କାଳିକା ପୁରାଣରେ ପ୍ରାଗ୍ଜ୍ୟୋତିଷ ବା କାମରୂପର ବର୍ଣ୍ଣନା ରହିଛି । ୧୬ଶ ଶତାବ୍ଦୀର ଯୋଗିନୀତନ୍ତ୍ରରେ କାମରୂପର ସୀମା ସରାହଦ ଆଦି ଭୌଗଳିକ ଅବସ୍ଥିତି ସୁନ୍ଦର ଭାବରେ ଦିଆଯାଇଛି । ନେପାଳଠାରୁ ବ୍ରହ୍ମପୁତ୍ରର ମୁହାଣଯାଏ ଏକ ବିରାଟ ଭୁଖଣ୍ଡ କାମରୂପ ବୋଲି କୁହାଯାଇଛି । ସେଥିରୁ ଆଜିକାଲିର ଆସାମ ସହିତ ଉତ୍ତର ବଙ୍ଗର କୁଚବିହାର, ରଙ୍ଗପୁର, ଜଳପାଇଗୁଡ଼ି, ଦିନାଜପୁର ଆଦି କାମରୂପ ମଧ୍ୟରେ ଥିଲା ବୋଲି ଜଣାପଡ଼େ ।
'ଆସାମ' ନାମକରଣ କିପରି ହେଲା ? ଏହି ପ୍ରଶ୍ନ ସବୁରି ମନରେ ଉଙ୍କି ମାରିବା ସ୍ୱାଭାବିକ । ୧୩ଶ ଶତାବ୍ଦୀରେ ଆହୋମ ନାମକ ଆଦିବାସୀ ଜାତି ବ୍ରହ୍ମପୁତ୍ର ଉପତ୍ୟକାକୁ ବର୍ମା ଆଡ଼ୁ ଆକ୍ରମଣ କରିଥିଲେ । ସେମାନେ ସେତେବେଳେ ଏଠାକୁ ଶାସନ
୧୫ କରୁଥିବା ଲୋକମାନଙ୍କୁ ହଟାଇ ରାଜପଣ କରିଥିଲେ । ସେମାନଙ୍କର ନାମ ଅନୁସାରେ ଆସାମ ନାମକରଣ ହୋଇଛି ବୋଲି କୁହାଯାଏ । ଆହୋମମାନେ ପରେ ହିନ୍ଦୁଧର୍ମ ଗ୍ରହଣ କରିଥିଲେ ଏନଂ ଆସାମୀ ଭାଷା ବ୍ୟବହାର କରିଥିଲେ ।
ସେତେବେଳେ ଆସାମରେ ଗୋସେଇଁ ନାମରେ ଏକ ବୈଷ୍ଣବ ଶ୍ରେଣୀ ଥିଲେ । ଆହୋମମାନେ ଗୋସେଇଁମାନଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ସେମାନେ ପ୍ରଥମେ ମାତ୍ର ଏକ ହଜାର ଆସିଥିଲେ । ଅନୁକୂଳ ପରିବେଶରେ କେତୋଟି ବର୍ଷରେ ସେମାନେ ଲକ୍ଷାଧିକ ହୋଇଥିଲେ । ଆଉ କେତେକଙ୍କ ମତରେ ଏଠାରେ ଆଦିମ ଅଧିବାସୀମାନେ ଏହି ଭୂଇଁ ଉଚ୍ଚନୀଚ ପାହାଡ଼, ଉପତ୍ୟକା, ନଦୀନାଳର ଦେଶ ହୋଇଥିବାରୁ ଏହାକୁ 'ଆସାମ' ବା ଅସମାନ କହନ୍ତି । ଏଥିରୁ ନାମ ଆସାମ ହୋଇଛି ।
ପୁରାଣମାନଙ୍କରେ କୁହାଯାଇଛି, ଏଠାରେ ଆଦିମ ଅଧିବାସୀ ଥିଲେ କିରାତ, ନିଷାଦ, କିନ୍ନର ଆଦି ଉପଜାତିର ଲୋକ । ଏମାନଙ୍କୁ ମ୍ଳେଚ୍ଛ ବା ଅସୁର ବୋଲି ମଧ୍ୟ କୁହାଯାଇଛି । ତା'ପରେ ଆର୍ଯ୍ୟ, ମଙ୍ଗୋଲିୟ, ଚୀନ ଆଦି ବହୁଜାତି ଓ ସମ୍ପ୍ରଦାୟର ଲୋକ ଆସି ଏଠାରେ ବାସ କଲେ । ନାଗା, ଗାରୋ, ଖାସି, ଜୟନ୍ତିଆ ଆଦି ଅଧିବାସୀମାନେ ପାହାଡ କୋଳରେ ବହୁଯୁଗରୁ ରହି ଆସିଛନ୍ତି । ସେହିପରି ଆଉ ଏକ ଜାତିର ଆସିବାସୀ ହେଲେ 'ବୋଡ଼ୋ' । ସେମାନଙ୍କ ଭାଷାରେ ବୋଡ଼ୋର ଅର୍ଥ ମଣିଷ । ସେମାନଙ୍କ ମଧ୍ୟରୁ ଅଧିକାଂଶ କାମରୂପ ଜିଲ୍ଲାର ପଶ୍ଚିମ ଭାଗରେ ବାସ କରନ୍ତି । ସେମାନଙ୍କୁ 'ମେକ' (ସମ୍ଭବତଃ 'ମ୍ଲେଚ୍ଛ'ରୁ ହୋଇଛି) କହନ୍ତି । ଯେଉଁମାନେ ଏହାର ପୂର୍ବରେ ବାସ କରନ୍ତି, ସେମାନଙ୍କୁ କାଚାରୀ (ସମ୍ଭବତଃ 'କାଚାର' ଅଞ୍ଚଳର) କୁହାଯାଏ ।
ବୋଡ଼ୋମାନେ ବିସ୍ତୃତ ଅଞ୍ଚଳ ଅଧିକାର କରି ରାଜୁତି କରୁଥିଲେ । ନଦୀକୂଳମାନଙ୍କରେ ଘରଦ୍ୱାର କରିଥିଲେ । ନିଜ ଭାଷାରେ ନଦୀଗୁଡିକର ନାମକରଣ କରିଥିଲେ । ପଶ୍ଚିମରୁ ଆର୍ଯ୍ୟ ଓ ପୂର୍ବରୁ ଆହୋମମାନେ ଆସିଥିଲେ । ଏକ ତାଇ ବା
ସାନ ସମ୍ପ୍ରଦାୟ ଆହୋମ ବଂଶରେ ରାଜପଣ କଲେ । ଏହି ବଂଶର ରାଜା ପ୍ରଥମ ଜୟଧ୍ୱଜ ସିଂହ (୧୬୪୮ - ୧୬୬୩) ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ।
ରାମାୟଣ ଓ ମହାଭାରତରେ ଆସାମର ଅଧିବାସୀଙ୍କ ବିଷୟରେ ବହୁ ବର୍ଣ୍ଣନା ରହିଛି । ଆସାମର ଭୌଗଳିକ ଅବସ୍ଥିତି, ଏହାର ଭାଷା, ଧର୍ମ ଆଦିର ବହୁ ବର୍ଣ୍ଣନା ରହିଛି ।
ଆସାମର ଅବସ୍ଥା
ଆସାମର ଭୌଗଳିକ ଅବସ୍ଥିତି, ଏହାର ଭାଷା, ଧର୍ମ, ଆଚାର, ବିଚାର, ଖାଦ୍ୟ, ପୋଷାକ ଆଦିକୁ ପ୍ରଭାବିତ କରିଛି । ପୂର୍ବରୁ ପାହାଡ଼ ମଧ୍ୟରେ ଥିବା ଗିରିପଥ ଦେଇ ବର୍ମା, ତିବ୍ବତ, ଭୁଟାନ ଓ ଚୀନ ସହିତ ଯୋଗାଯୋଗ ରହି ଆସିଥିଲା । ବ୍ରହ୍ମପୁତ୍ରନଦୀ ଆସାମ ମଧ୍ୟରେ ପ୍ରବାହିତ ହୋଇ ଇଜିପ୍ଟର ନୀଳନଦୀ ପରି ବହୁ ପ୍ରକାରେ
୧୭ ସାହାଯ୍ୟ କରି ଆସିଛି । ବଙ୍ଗ ବ୍ୟତୀତ ଭାରତର ଅନ୍ୟାନ୍ୟ ଅଞ୍ଛଳ ସହିତ ସମ୍ପର୍କ ସ୍ଥାପନରେ ଏହା ସହାୟକ ହୋଇଛି । ଆସାମର ଇତିହାସ ଓ ସଂସ୍କୃତିକୁ ଏହି ନଦୀ ସବୁପ୍ରକାର ପ୍ରଭାବିତ କରିଛି । ଏହି ଆସାମର ପୂର୍ବ ଭାଗରେ ଥିବା ଭୂମିକୁ ଶସ୍ୟଶ୍ୟାମଳା କରିଛି । ଏହାର ପ୍ରକୃତିକ ସମୃଦ୍ଧି ଓ ପ୍ରାଚୁର୍ଯ୍ୟ ବହୁ ଜାତି, ବହୁ ସମ୍ପ୍ରଦାୟକୁ ଆକର୍ଷଣ କରିଛି । କଳା, ସାହିତ୍ୟ, ଗୀତ, ନୃତ୍ୟ ବହୁ ପ୍ରକାରେ ଉନ୍ନତ ହୋଇପାରିଛି ।
ଆସାମର ଭାଷା ସଂସ୍କୃତ ଭାଷାରୁ ୭ମ ଶତାବ୍ଦୀରେ ଜନ୍ମ ନେଇଥିଲା । 'ମାଗଧି' ଉପଭାଷା ସହିତ ଏହାର ସମ୍ପର୍କ ଘନିଷ୍ଠ । ଭାଷାବିଦ୍ ସାହେବ ଗ୍ରିୟରସନ୍ଙ୍କ ମତରେ ମାଗଧି ଏକ ପ୍ରଧାନ ଉପଭାଷା ଏବଂ ପୂର୍ବାଞ୍ଚଳରେ ପ୍ରାକୃତ ଭାଷା ପରି ବ୍ୟବହୃତ ହେଉଥିଲା । ଏଥିରୁ ମଧ୍ୟ ବଙ୍ଗଳା ଓ ଓଡ଼ିଆ ଭାଷାର ଜନ୍ମ । ୭ମ ଶତାଭୀର ପ୍ରଥମ ଭାଗରେ ଆସାମର ରାଜା ଭାସ୍କର ବର୍ମନଙ୍କ ନିମନ୍ତ୍ରଣ ପାଇ ପ୍ରସିଦ୍ଧ ଚୀନ୍ ପରିବ୍ରାଜକ ହୁଏନ୍ସାଂ ଆସିଥିଲେ । ତାଙ୍କ ବିବରଣୀରୁ ଆସାମ ସମ୍ପର୍କରେ ବହୁ କଥା ଜଣାପଡ଼ିଥାଏ । ତାଙ୍କ ମତରେ କାମରୂପରେ ମଧ୍ୟ ଏକ ସ୍ୱତନ୍ତ୍ର ଭାଷା ପ୍ରଚଳିତ ଥିଲା । ସେତେବେଳକୁ ଆର୍ଯ୍ୟ ସଂସ୍କୃତିର ପ୍ରଭାବ ଆସାମ ଉପରେ ପଡ଼ି ସାରିଥିଲା । ୭ମରୁ ୧୨ ଶ ଶତାବ୍ଦୀ ମଧ୍ୟରେ ବୌଦ୍ଧ ସନ୍ୟାସୀ ସିଦ୍ଧାଚାର୍ଯ୍ୟଙ୍କ ରଚିତ ବହୁ କବିତା ଚର୍ଯ୍ୟା ଓ ଦୋହା ନାମରେ ବିଖ୍ୟାତ ହୋଇଛି । ତାହା ଆସାମ ଭାଷାର ଆଦିରୂପ ବୋଲି ପଣ୍ଡିତମାନେ କହନ୍ତି । ବହୁ ଭାଷା ଓ ଉପଭାଷାର ପ୍ରଭାବରେ ପ୍ରଭାବିତ ହୋଇ ଆଜି ତାହା ଏହି ଅବସ୍ଥାରେ ପହଞ୍ଚିଛି ।
ଶଙ୍କର ଦେବ
ଯେଉଁ ମହାପୁରୁଷମାନେ ଆସାମୀ ଭାଷା ଓ ସଂସ୍କୃତିକୁ ଉନ୍ନତ କରିଥିଲେ, ସେମାନଙ୍କ ମଧ୍ୟରେ ଶଙ୍କର ଦେବ ପ୍ରଧାନ । କରଣ ବଂଶରେ ଜନ୍ମ ଗ୍ରହଣ କରି ସେ ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । କଳା, ସଂଗୀତ, ନୃତ୍ୟ ନାଟ୍ୟାଭିନୟ,
ଚିତ୍ରାଙ୍କନ ଆଦି ବିଭିନ୍ନ ଦିଗରେ ତାଙ୍କର ଦକ୍ଷତା ଥିଲା । ତାଙ୍କର ବ୍ୟକ୍ତିତ୍ତ୍ୱ ବହୁ ଦିଗରେ ଫୁଟି ଉଠିଥିଲା ।
ସେ ଏପରି ଏକ ଧର୍ମ ପ୍ରଚାର କରିବାକୁ ଚାହିଁଥିଲେ ଯେଉଁଥିରେ ସେ ନିଜର ସବୁ ଦକ୍ଷତାର ବ୍ୟବହାର କରିପାରିଥିଲେ । ଏହା ଖୁବ୍ ସରଳ, ସାବଲୀଳ ଓ ସଙ୍ଗୀତଧର୍ମୀ ହୋଇଥିଲା । ତାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରିଥିଲେ । ସେମାନେ ଏଥିରୁ ଶାନ୍ତି ଓ ସନ୍ତୋଷ ଲାଭ କରିପାରିଥିଲେ । ସବୁ ଧର୍ମକୁ ମିଳାଇ ସେ ଏହା କରିବାକୁ ଚେଷ୍ଟା କରିଥିଲେ ।
୧୯ ଭାଗବତ ଓ ଗୀତାର ବର୍ଣ୍ଣନା କରାଯାଇଥିବା ବିଷ୍ଣୁଧର୍ମ ବା ବୈଷ୍ଣବ ଧର୍ମ ସେ ପ୍ରଚାର କରିଥିଲେ । ଏହି ଧର୍ମରେ ଉଚ୍ଚନୀଚ, ଧନୀଗରିବ ବା ଶିକ୍ଷିତ ଓ ଅଶିକ୍ଷିତର ଭେଦଭାବ ନ ଥିଲା । ସେ ଇଶ୍ୱରଙ୍କ କିର୍ତ୍ତୀଗାନ କରିଥିଲେ । ତାଙ୍କୁ ସୁମରଣା କରି, ତାଙ୍କର ନାମ ଗାଇ ଯେ କୌଣସି ଲୋକ ଭକ୍ତ ହୋଇପାରିଥିଲେ । ସଂସାର ଜଞ୍ଜାଳରୁ ଉଦ୍ଧାର ପାଇ ପାରିଥିଲେ । ଏଥିପାଇଁ ସନ୍ନ୍ୟାସୀ ହେବା ଓ କଷ୍ଟରେ ଜୀବନ ଯାପନ କରିବାର ଆବଶ୍ୟକତା ନାହିଁ ବୋଲି ସେ କହୁଥିଲେ ।
ଶଙ୍କର ଦେବଙ୍କର ପ୍ରଚାରିତ ଧର୍ମ ଧାରଣାର ପ୍ରଚାର ପାଇଁ ତାଙ୍କର ପ୍ରିୟ ଶିଷ୍ୟମାନେ ଲାଗିପଡ଼ିଥିଲେ । ସେମାନଙ୍କ ମଧ୍ୟରେ ମାଧବ ଦେବ ଖୁବ୍ ଜଣାଶୁଣା । ସେ ରାମାୟଣ, ମହାଭାରତ ଓ ଭାଗବତ ପୁରାଣ ଆସାମୀ ଭାଷାରେ ଅନୁବାଦ କରିଥିଲେ । ଅବଶ୍ୟ ତାହା ଆକ୍ଷରିକ ଅନୁବାଦ ହୋଇ ନ ଥିଲା । ଆସାମର ସାମାଜିକ ଅବସ୍ଥାକୁ ଚାହିଁ ସେ ସେଥିରେ କେତେକ ପରିବର୍ତ୍ତନ କରିଥିଲେ । ଆନେକ ପୌରାଣିକ ଘଟଣାକୁ ମଧ୍ୟ ସେ ଆସାମୀ ଭାଷାରେ ରଚନା କରିଥିଲେ ।
ଏଗୁଡ଼ିକ ଗୀତରେ ଲେଖା ହୋଇଥିବାରୁ ଯେଉଁମାନେ ପଢ଼ିପାରୁଥିଲେ ସେମାନେ ଆନନ୍ଦ ଅନୁଭବ କରୁଥିଲେ । ସେ ସବୁକୁ ବଡ଼ ପାଟିରେ ପାଠ କରି ନିରକ୍ଷରମାନଙ୍କୁ ଶୁଣାଇ ଆନନ୍ଦ ପାଉଥିଲେ । ଏଥିରେ ସେମାନଙ୍କର ସନ୍ତୋଷ ରହିଥିଲା । ଆଗରୁ ଚଳୁଥିବା ରାଗ ଓ ତାନରେ ସେ ଗୀତି, କବିତାମାନ ଲେଖିଥିଲେ । ସେ ସମୂହ ପ୍ରାର୍ଥନା ଓ ସଂକୀର୍ତ୍ତନରେ ସେ ସବୁ ଗାନ କରିବାର ବ୍ୟବସ୍ଥା କରିଥିଲେ । ପୌରାଣିକ କଥାଗୁଡ଼ିକୁ ନାଟକ ରୂପ ଦେଇଥିଲେ । ସେ ଅଭିନୟ ମଧ୍ୟରେ ଧର୍ମଶିକ୍ଷା ଦେଉଥିଲେ ।
ଶଙ୍କର ଦେବ 'ନାମଘର' ଗାଁ ଗଣ୍ଡାରେ ବସାଇଥିଲେ । ସେଠାରେ ପ୍ରତିଦିନ ଲୋକମାନେ ସମବେତ ହେଉଥିଲେ । ପୁରାଣ ପାଠ, ସଂକୀର୍ତ୍ତନ, ଧର୍ମ ଆଲୋଚନା ଆଦି ହେଉଥିଲା । ସେହି ନାମଘରେ ମଧ୍ୟ ମଧ୍ୟ ସମାଜ ଓ ଧର୍ମର ସମସ୍ୟାମାନ ଆଲୋଚନା କରାଯାଉଥିଲା ।
ତାଙ୍କର ପ୍ରିୟ ଶିଷ୍ୟ ମାଧବ ଦେବଙ୍କ ପରେ ଦାମୋଦର ଦେବ, ବଂଶୀଗୋପାଳ ଦେବ ଆଦି ରାଜାମାନଙ୍କର ସାହାଯ୍ୟ ପାଇଥିଲେ । ଏହା ଫଳରେ ବୈଷ୍ଣବ ଧର୍ମର ପ୍ରଚାର ହୋଇଥିଲା । ସତ୍ତା ନାମକ ଏକ ଅନୁଷ୍ଠାନ ମଧ୍ୟ ଏହି 'ଦେବମାନଙ୍କ' ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ଧର୍ମର ବିଚାର ଓ ପ୍ରଚାର ଘଟାଇଥିଲା । 'ପାଇକ' ପ୍ରଥାର ପ୍ରଚଳନ ଘଟି ଯୁଦ୍ଧ ଓ ଶାନ୍ତି ସମୟରେ ଲୋକବଳର ବ୍ୟବହାର କରାଯାଉଥିଲା ।
ଏହି ନୂତନ ବୈଷ୍ଣବ ଧର୍ମ ପ୍ରଚାରରେ ବହୁବାଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବ୍ରାହ୍ମଣମାନେ ପୁରୁଣା ଧର୍ମରେ ଆଗ୍ରହୀ ହୋଇ ଶଙ୍କର ଦେବଙ୍କ ନୂତନ ଧର୍ମ ଧାରଣାର ବିରୋଧ କରୁଥିଲେ । ସମୟ ସମୟରେ ରାଜା ଓ ଧନୀକ ଶ୍ରେଣୀ ମଧ୍ୟ ନିଜର ଗୌରବରେ ଆଞ୍ଚ ଆସିବା ଭୟରେ ଏହି ଧର୍ମର ପ୍ରତିରୋଧ କରିଥିଲେ । ସେଥିଯୋଗୁ ଶଙ୍କର ଦେବ
୨୧ ଆସାମର ପୂର୍ବାଞ୍ଚଳରେ ଥିବା ନିଜର ଜନ୍ମସ୍ଥାନରୁ ଚାଲିଯାଇଥିଲେ । ପଶ୍ଚିମାଞ୍ଚଳରେ ଥିବା ବରପେଟା ପାଖ ପାଟବାଉଁଶୀରେ ବାସ କରିଥିଲେ । ପୁଣି ସେଠାରୁ ସେ କୁଚ ବିହାରରେ ଶେଷ ଜୀବନ ଯାପନ କରିଥିଲେ । ଏଠାରେ ସେ କୋଚବଂଶୀୟ ରାଜା ନରନାରାୟଣଙ୍କ ଦରବାରରେ ନିଜର ଭକ୍ତି, ପାଣ୍ଡିତ୍ୟ, କବିତ୍ତ୍ୱ, ସଂଗୀତ ପ୍ରେମ ଇତ୍ୟାଦି ବହୁ ସଦ୍ଗୁଣର ପରିଚୟ ଦେଇଥିଲେ । ସେଥିରେ ସମସ୍ତେ ସନ୍ତୁଷ୍ଟ ହୋଇପାରିଥିଲେ ।
ଲୋକମାନଙ୍କ ଚଳଣି
ଆସାମର ଗୋଟିଏ କାବ୍ୟରେ ଭୂତ ଛଡ଼ାଇବା ଉଦ୍ଦେଶ୍ୟରେ ବହୁ କର୍ମକର୍ମାଣିର ବର୍ଣ୍ଣନା ରହିଛି । ଉକ୍ତ କାବ୍ୟଟିର ନାମ 'ଖୋବା ଖୋବି ଚରିତ' । ଏହା ବଡ଼ ପାଟିରେ ପାଠ କରାଯାଉଥିଲା ।
ବୈଷ୍ଣବମାନେ ସେତେବେଳେ ତୀର୍ଥଯାତ୍ରା ଉପରେ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ । କାରଣ ସେମାନେ କହୁଥିଲେ- "ସବୁରି ତୀର୍ଥ ତୋ ଚରଣେ ବଦ୍ରିକା ଯିବୁ କି କାରଣେ" । ଶ୍ରୀକୃଷ୍ଣଙ୍କ ମହିମା ଗାନ ବା ନାମ ସଂକୀର୍ତ୍ତନ କଲେ ଯଥେଷ୍ଟ ସନ୍ତୋଷ ବା ପୁଣ୍ୟଫଳ ମିଳି ପାରିବ । ତା' ସତ୍ତ୍ୱେ ଶଙ୍କର ଦେବ ଭାରତର ବିଭିନ୍ନ ତୀର୍ଥ ସ୍ଥାନକୁ ଯାତ୍ରା କରୁଥିଲେ । ନିଜ ଜୀବନକାଳ ମଧ୍ୟରେ ଦ୍ୱିତୀୟ ଥର ତୀର୍ଥଯାତ୍ରାରେ ସେ ପ୍ରିୟ ଶିଷ୍ୟ ମାଧବଦେବ ଓ ଶହ ଶହ ଶିଷ୍ୟମାନଙ୍କୁ ସାଥିରେ ନେଇଥିଲେ । ତୀର୍ଥ ସ୍ଥାନଗୁଡ଼ିକ ମଧ୍ୟରେ ପୁରୀର ଜଗନ୍ନାଥ କ୍ଷେତ୍ର ପ୍ରଧାନ ସ୍ଥାନ ଲାଭ କରିଥିଲା ।
ଆସାମର ଅଧିକାଂଶ ଲୋକ ଆମିଷ ଖାଆନ୍ତି । ଅଳ୍ପ କେତେକ ଆମିଷ ଖାଆନ୍ତି ନାହିଁ । ବହୁ ପ୍ରକାର ପିଠା, ପାୟସ, ଆଚାର, ଚଟଣି, ପନିପରିବା, ତରକାରୀ, ଡାଲି, ଭାତ ଆଦି ଆହାର କରିଥାଆନ୍ତି । ଆମ ପରି ତରକାରୀପତ୍ର, ପିଠାପଣା ପ୍ରଭୃତିରେ
୨୨ ନାନା ପ୍ରକାର ମସଲା ବ୍ୟବହାର କରନ୍ତି । ଲୋକମାନେ ପାନସୁପାରି ଖାଦ୍ୟ ପରେ ବ୍ୟବହାର କରିଥା'ନ୍ତି । ଅତିଥିମାନଙ୍କୁ ଏହାକୁ ଦେଇ ଚର୍ଚ୍ଚା କରନ୍ତି ।
ଆସାମୀୟମାନଙ୍କର ଅଳଙ୍କାରପତ୍ର, ଯାନିଯାତ୍ରା, ମେଳାମଉଚ୍ଛବ ଆଦିରେ ଆମ ସହିତ ବହୁ ସାମଞ୍ଜସ୍ୟ ରହିଛି । କାଠ, ବାଉଁଶ, ପଥର ଇତ୍ୟାଦିରେ ଖୁବ୍ ସୁନ୍ଦର କାରୁକାର୍ଯ୍ୟ ହୋଇଥାଏ । ବର୍ଷାସାରା ବହୁ ପର୍ବପର୍ବାଣି ପାଳିତ ହୋଇଥାଏ । ସେଥିରେ ବହୁ ନୃତ୍ୟଗୀତ ଓ ଭୋଜିଭାତ ହୁଏ । ବହୁ ପର୍ବପର୍ବାଣି ଚାଷବାଡ଼ିକୁ ନେଇ ଗଢ଼ି ଉଠିଥାଏ ।
ପର୍ବପର୍ବାଣି ଓ ଧର୍ମକାର୍ଯ୍ୟ
ଫଗୁଣ ମାସର ହୋଲିପର୍ବକୁ ସେମାନେ ଫଗୁଆ କହନ୍ତି । ଖୁବ୍ ଜାକଜମକରେ ଏହି ପର୍ବ ପାଳନ କରାଯାଏ । ଏହି ଉତ୍ସବରେ ଯୁବକଯୁବତୀମାନେ ମିଳିମିଶି ନାଚନ୍ତି ଓ ଗୀତ ଗାଆନ୍ତି । ମଶାମାନଙ୍କୁ ତଡ଼ିବାକୁ କାଠିକୁ କାଠି ବଜାନ୍ତି । ମଉଜିଆ ପୋଷାକ ପିନ୍ଧନ୍ତି, ମୁଖା ମଧ୍ୟ ବ୍ୟବହାର କରନ୍ତି । ଧନୀମାନଙ୍କ ଘରେ ଏହି ପର୍ବ ବେଶୀ ଆଡ଼ମ୍ବରରେ ପାଳିତ ହୁଏ । ଏହି ଉତ୍ସବକୁ ସେମାନେ ମହୋହୋ (ମଶା ତଡ଼ିବା) ନାମ ଦେଇଥାଆନ୍ତି । ବିହୁ ପର୍ବ ଆସାମୀୟା ଲୋକମାନଙ୍କର ଏକ ବିଶେଷ ପର୍ବ । ଏହାକୁ ସମସ୍ତେ ଖୁବ୍ ଆନନ୍ଦରେ ପାଳନ କରିଥାଆନ୍ତି ।
ଏହା ଆସମୀୟା ଲୋକମାନଙ୍କର ଏକ ଜାତୀୟ ପର୍ବ । ବର୍ଷକ ମଧ୍ୟରେ ତିନୋଟି ବିହୁ ପର୍ବ ପାଳନ କରାଯାଏ । ଏଗୁଡ଼ିକ ହେଲା ବୈଶାଖ ବିହୁ, କାର୍ତ୍ତିକ ବିହୁ ଓ ମାଘ ବିହୁ । ଆମର ରଜ ପର୍ବ ପରି ଆସାମର ବୈଶାଖ ବିହୁ ପାଳିତ ହୁଏ । ଏଥିରେ ଝିଅମାନେ ତିନିଦିନ ଧରି ନାଚଗୀତରେ ଖୁବ୍ ମାତିଯାଆନ୍ତି । କାର୍ତ୍ତିକ ବିହୁ ପର୍ବରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ମାଘ ବିହୁ ପର୍ବ ଆମର ମକର ମେଳା ଓ ଅଗିରା ପୁନିଅ ଉତ୍ସବ ପରି ପାଳନ କରାଯାଏ । କାଠ ବାଉଁଶର ଏକ ଘର କରି ସେଥିରେ ନିଆଁ ଲଗାଇ
ଦିଆଯାଏ । ନୂଆ ଫସଲରୁ କିଛି କିଛି ସେଥିରେ ଫିଙ୍ଗି ପୂଜାଋଜା କରାଯାଏ । ମଧୁର ବିହୁଗୀତ ଓ ନାଚରେ ଉଚ୍ଛୁଳି ଉଠେ ।
ବିହୁଗୀତ ଗୁଡ଼ିକରେ ଆସାମର ନଦୀ-ପାହାଡ଼, ତରୁ-ଲତା, ପଶୁ-ପକ୍ଷୀ, ଖାଦ୍ୟ-ପେୟ ଆଦି ସୁଖଦୁଃଖର କଥାଥାଏ । ଲୋହିତ, ବ୍ରହ୍ମପୁତ୍ର ଆଦି ବଡ଼ ବଡ଼ ନଦୀକୁ ଏଥିରେ ଦେବଦେବୀ ଭାବରେ ବର୍ଣ୍ଣନା କରଯାଇଛି । ବଣପାହାଡ଼କୁ ବି ଦେବତା ଭାବରେ ଏହି ସବୁ ଗୀତରେ ଚିତ୍ରଣ କରାଯାଇଛି । ନାନାପ୍ରକାର ଭୋଜି ଭାତରେ ଲୋକମାନେ ମାତିଯା'ନ୍ତି । ଆସାମ କାଠ ବାଉଁଶ ଓ ମାଟି ପଥରର ଦେଶ । ଏ ସବୁ ଜିନିଷରେ ଅସମୀୟା ଲୋକମାନେ ଘର ତୋଳନ୍ତି । ଏହି ଘରମାନଙ୍କୁ ନାନା ପ୍ରକାରରେ ସୁନ୍ଦର କରି ସଜାଇବାରେ ସେମାନେ ଆନନ୍ଦ ପା'ନ୍ତି । ଦେବଦେବୀଙ୍କ ପ୍ରାର୍ଥନା ବିହୁଗୀତରେ ବହୁଳ ଭାବରେ ଥାଏ । ଅତୀତର ଚଳଣି ରୀତିନୀତି, ଖାଦ୍ୟପୋଷାକ ଆଦି ସମ୍ପର୍କରେ ବିହୁଗୀତରେ ବହୁ ବର୍ଣ୍ଣନା ଦେଖିବାକୁ ମିଳେ । ସମାଜର ସତ ଘଟଣା ଓ ଅବସ୍ଥାର ଚିତ୍ରମାନ ବିହୁଗୀତ, ନାଚ ଓ ପୂଜାରୁଜାରେ ପ୍ରକାଶ ପାଇଥାଏ ।
ଆହୋମମାନେ ଆସାମକୁ ନିଜର ମାତୃଭୂମି ଭାବରେ ଗ୍ରହଣ କରିନେବା ସଙ୍ଗେ ସଙ୍ଗେ ତା'ର ଭାଷା, ସଂସ୍କୃତି, ଧର୍ମଧାରଣା ଇତ୍ୟାଦିକୁ ଆପଣାର କରିନେଇଥିଲେ । ସେମାନେ ନିଜ ରାଜ୍ୟର ଯୁଦ୍ଧ ଓ ଶାନ୍ତି ପାଇଁ ଯେଉଁ ପାଇକ ବ୍ୟବସ୍ଥା ପ୍ରଚଳନ କରିଥିଲେ, ତାହା ଖୁବ୍ ସଫଳତା ଲାଭ କରିଥିଲା । ପାଇକମାନେ ବର୍ଷକୁ ପ୍ରାୟ ତିନି ମାସ ଲୋକ ହିତକର କାର୍ଯ୍ୟକଳାପରେ ନିଯୁକ୍ତ ହେଉଥିଲେ । ରାସ୍ତାଘାଟ ତିଆରି, କୂଅ, ପୋଖରୀ ଖୋଳା ଆଦି କାର୍ଯ୍ୟ ସେମାନେ କରୁଥିଲେ । ଏହି ଶ୍ରମଦାନ ପାଇଁ ସେମାନଙ୍କୁ ଭଲ ଧାନ ଜମିରୁ ତିନି ଏକର ଖଞ୍ଜା ରୂପେ ଦିଆଯାଉଥିଲା ।
ଆସାମ ସାରା ଦେଶରେ ଏକ ବିଖ୍ୟାତ ଶକ୍ତି ତଥା ତନ୍ତ୍ରପୀଠ ଥିଲା । ବୈଷ୍ଣବ ଧର୍ମର ଲୋକପ୍ରିୟତା ମଧ୍ୟ କମ୍ ନ ଥିଲା । ସେଠାରେ କଳା ସଂସ୍କୃତି ମୂଖ୍ୟତଃ କୃଷିକୁ ନେଇ ଗଢ଼ି ଉଠିଥିଲା । ଯୌତୁକ ପ୍ରଥା, ଶିଶୁକନ୍ୟା ହତ୍ୟା ଆସି ସାମାଜିକ ପ୍ରଥାମାନ ସେଠାରେ ଦେଖାଯାଏ ନାହିଁ । ବରଂ ସେଠାରେ ନାରୀମାନେ ଅଧିକ ସମ୍ମାନ ପାଇଥାଆନ୍ତି । ଗରିବ ଘରେ କନ୍ୟାପିତାଙ୍କୁ ବରପିତା ସାହାଯ୍ୟ ଦେଇଥା'ନ୍ତି ।
ସେଦିନ ସନ୍ଧ୍ୟା ଲାଗି ଆସିଲା । ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ହେଉଥାଏ । ମୁଁ ଅତିଥି ଭବନକୁ ଫେରି ଆସିଲି । ଦୂର ଦିଗବଳୟ ତଳେ ବଣ ପାହାଡ଼ ଆଦି ଅନ୍ଧାର ଭିତରେ ଲୁଚିଗଲେ । ସହରର ରାସ୍ତା କଡ଼ରେ ଓ ବଡ଼ ବଡ଼ ପକ୍କା ଘରେ ବିଜୁଳିବତୀମାନ ଜଳି ଉଠିଲା ।
୨୫
କାମାକ୍ଷା ଦେବୀଙ୍କ ପଥେ
୧୯୯୦ ମସିହା ଅଗଷ୍ଟ ଦୁଇ ତାରିଖ । ମୁସଲମାନଙ୍କର ମହରମ ପର୍ବ । ସବୁଆଡ଼େ ଛୁଟି ହୋଇଥିଲେ ହେଁ ଗୌହାଟୀ ବିଶ୍ୱବିଦ୍ୟାଳୟର ତାଲିମ କାର୍ଯ୍ୟ ବନ୍ଦ ନ ଥିଲା । ଦଶଟା ବେଳେ ମୋର ଭାଷଣ ଦେବା କଥା । ତେଣୁ ମୁଁ ପୂର୍ବଦିନ ସନ୍ଧ୍ୟାରେ କାମାକ୍ଷା ଦର୍ଶନରେ ଯିବା ପାଇଁ ତାଲିମ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ଶର୍ମାଙ୍କୁ କହିଥିଲି । ମାତ୍ର ସେ ଆଜି ସକାଳେ ଯିବା ପାଇଁ ପରାମର୍ଶ ଦେଇଥିଲେ । କାରଣ ତାଙ୍କର ଉଦ୍ଦେଶ୍ୟ ହେଲା କାମାକ୍ଷାଙ୍କ ଦର୍ଶନ ପୂର୍ବରୁ କୌଣସି ଖାଦ୍ୟ ଗ୍ରହଣ କରାଯାଏ ନାହିଁ ।
୨୬
ତେଣୁ ସକାଳ ସାଢ଼େ୭ଟାରେ ମୁଁ ପ୍ରସ୍ତୁତ ହୋଇଥିବି । କାର୍ ଆସି ମୋତେ ଅତିଥିଶାଳାରୁ ନେବ । ମୁଁ ଏହି ପ୍ରସ୍ତାବ ଆନନ୍ଦରେ ଗ୍ରହଣ କରିନେଲି ।
ମାତ୍ର ସକାଳୁ ନିତ୍ୟକର୍ମ ସାରି ଅପେକ୍ଷା କରିଛି । ଚତୁର୍ଦ୍ଦିଗରୁ ପ୍ରବଳ ବର୍ଷା ଓ ବତାସ ଘୋଟି ଆସିଲା । କଳାହାଣ୍ଡିଆ ମେଘ ସହିତ ଭୟଙ୍କର ଘଡ଼ଘଡ଼ି । ମଝିରେ ମଝିରେ ମୁଣ୍ଡ ଉପରେ ଚଡ଼ଚଡ଼ି ପଡ଼ିଗଲା ପରି ଲାଗୁଥାଏ । ଏହି ଅବସ୍ଥାରେ ବିଚରା ଡ୍ରାଇଭର କାର୍ କେମିତି ଆଣିବ ? ହତାରେ ଆଣ୍ଠୁଏ ପାଣି । ଅତିଥି ଭବନ ବାରଣ୍ଡାରେ ମଧ୍ୟ ଖୁବ୍ ବର୍ଷା । ଆସାମର ଚେରାପୁଞ୍ଜିରେ ବର୍ଷାପାତ କଥା ମନେ ପଡ଼ିଲା । ଏଠାରେ ସର୍ବାଧିକ ବର୍ଷା ହୁଏ ବୋଲି ଆମେ ଭୁଗୋଳ ବହିରେ ପଢ଼ିଥିଲୁ ।
୮ଟା ୧୫ମିନିଟରେ ବର୍ଷା ଟିକିଏ କମିବାରୁ କାର୍ ପହଞ୍ଚିଲା । ଆମେ କାମାକ୍ଷା ଦର୍ଶନରେ ବାହାରିଲୁ । ମାଲିଗାଓଁ ବଜାର ମଧ୍ୟରେ କାର୍ ଚାଲିଲା । ଉଚ୍ଚରୁ ଉଚ୍ଚତର ବଣ ପାହାଡ଼ିଆ ରାସ୍ତାରେ ଉଠିଲା । ଡ୍ରାଇଭର ନାଁ କୁତବ୍ । ମୁସଲମାନ ପିଲାଟିଏ । ଖୁବ ପରିଶ୍ରମୀ ଓ ଚତୁର । ତା'ର ବ୍ୟବହାର ମଧ୍ୟ ଭଲ ।
ସବୁଜ ସୁନ୍ଦର ପ୍ରକୃତି ମଧ୍ୟରେ ଅମେ ଉପରକୁ ଉଠିଲୁ । ଆମ ରହଣି ସ୍ଥାନରୁ କାମାକ୍ଷା ମନ୍ଦିର ପ୍ରାୟ ୧୦ କିଲୋମିଟର । ବଣ ପାହାଡ଼ିଆ ରାସ୍ତା ହୋଇଥିବାରୁ ସମ୍ଭବତଃ ଗତକାଲି ଶର୍ମା ସନ୍ଧ୍ୟା ଦର୍ଶନ ପାଇଁ ଉପଦେଶ ଦେଇନଥିଲେ ।
ଆମକୁ ଏବେ ଆଗକୁ ୩/୪ କିଲୋମିଟର ଯିବାକୁ ହେବ ମନ୍ଦିର ପାଖରେ ପହଞ୍ଚିବା ପାଇଁ । ପୂରା ଉଠାଣି ରାସ୍ତା । ହଠତ ଗାଡ଼ିଟି ରହିଗଲା । କ'ଣ ଅସୁବିଧା ପରୀକ୍ଷା ନିରୀକ୍ଷା କରିବାରେ କୁତବ୍ ବିଚରା ଲାଗିଗଲା । ଶେଷରେ କହିଲା - ତେଲ ଆଦୌ ନାହିଁ । ମୁଁ ପଚାରିଲି କ'ଣ କରିବା ? କାହାକୁ ମାଗିବା ?
ବହୁଗାଡ଼ି ସେଇ ରାସ୍ତାରେ ଯାଉଥିଲେ । କିନ୍ତୁ ଆଜିର ମହର୍ଗ କାଳରେ କାହାକୁ ତେଲ ମାଗିବାକୁ ମନ ହେବ ! କୁତବ୍ ଗାଡ଼ି ପଛ ଡିକି ଖୋଲିଲା ପ୍ଲାଷ୍ଟିକ ପାଇପ ଲଗାଇ
୨୭ ଯାହା ତଳତଳିଆ ପେଟ୍ରୋଲ ରହିଯାଇଥିଲା, ଗୋଟିଏ ବୋତଲକୁ ବାହାର କଲା । ଆଗ ବନେଟ ଖୋଲି ଇଞ୍ଜିନ ପାଖରେ ସେଇ ବୋତଲକୁ ଗୋଟିଏ କନାଧଡ଼ିରେ ମଜବୁତ କରି ବାନ୍ଧିଲା । ଗାଡ଼ି ଚାଲିଲା । ମାତ୍ର କେଉଁଠି ପୁଣି ସରିଯିବ ! ତାହା ହିଁ ମୋର ଚିନ୍ତା ହେଲା । ଆଖପାଖରେ ଆଉ ତେଲଟାଙ୍କି ନାହିଁ । ଖାଲି ପାହାଡ଼ ଆଉ ଜଙ୍ଗଲ ।
ଯାହା ହେଉ ମନ୍ଦିର ପାଖରେ ପହଞ୍ଚିଲୁ । ସେଠାରେ ଜଣେ ପଣ୍ଡା ଯୁବକ ମୋତେ ଦର୍ଶନ କରାଇଦେବେ ବୋଲି କହିଲେ । ବହୁ ପଣ୍ଡା ଲାଲବସ୍ତ୍ର ପିନ୍ଧି ସେଠାରେ ଭିଡ଼ ଜମାଇ ଥା'ନ୍ତି । କୁତବ୍ ପଚାରିଲା 'ମୁଁ ଯିବି' ?
ମାତ୍ର ମୁଁ ଦେଖିଲି ସେ ଗାଧୁଆପାଧୁଆ କରିନାହିଁ । କିଏ କ'ଣ ବାଧା ସୃଷ୍ଟି କରୁଥିବେ । ତେଣୁ ମୁଁ ପଚାରିଲି - "ତୁମେ କେବେ ମନ୍ଦିର ଭିତରକୁ ଯାଇଛ ?" ସେ କହିଥିଲା - "ହଁ, ଏହାତ ଦିଲ୍ କା ବାତ୍ (ହୃଦୟର କଥା) !"
ମୁଁ କହିଲି - ହଁ ଠିକ କଥା । ମନ ସଫାଥିଲେ ଗଡ଼ିଆ ଗଙ୍ଗା । ଯଦି ଭିତରକୁ ଯିବାକୁ ଚାହୁଁଛ ଆସିପାର ।
ତାର ଟିକିଏ କୁନ୍ଥାଇବା ଅବସ୍ଥା ଦେଖି ମୁଁ କହିଲି - ତେବେ ତୁମେ ଗାଡ଼ି ପାଖରେ ଥାଅ । ମୁଁ ଦର୍ଶନ କରି ଶୀଘ୍ର ଚାଲି ଆସୁଛି । ପଣ୍ଡା ମହାଶୟ ଆଗେ ଆଗେ ଚାଲିଲେ । ମୁଁ ତାଙ୍କ ପଛେ ପଛେ ଗଲି । ପ୍ରଥମେ ସେ ଏକ ପୋଖରୀ କୂଳରେ ପହଞ୍ଚିଲେ । ସେଠାରେ କିଛି ଜଳ ପୁଷ୍ପାଞ୍ଜଳି ପରି ଧରିଲି । ସେ ମନ୍ତ୍ର ପଢ଼ି ମୋତେ ଦୋହରାଇବାକୁ କହିଲେ । ମୁଁ ତାହା କଲାପରେ ପାଖରେ ଥିବା ଗଣେଶ ଓ ଭୈରବୀଙ୍କ ଦର୍ଶନ ମଧ୍ୟ କରାଇଲେ । ଏହି ପୁଷ୍କରିଣୀର ନାମ ସୌଭାଗ୍ୟକୁଣ୍ଡ, ଯେଉଁଠି ପ୍ରଥମେ ଯାତ୍ରୀମାନେ ତର୍ପଣ କରନ୍ତି ।
ତାପରେ ଆମେ ପାହାଚରେ ତଳ ଉପର ହୋଇ କିଛିବାଟ ଗଲୁ । ଅନେକ ପ୍ରକାର ଘର, ମନ୍ଦିର, ଚଉତରା ଆଦି ବିଭିନ୍ନ ସମୟରେ ତିଆରି ହୋଇଥିବାର
୨୮
ଜଣାଗଲା । କୌଣସି ଯୋଜନା ବା ନିର୍ଦ୍ଦିଷ୍ଟ ଧାରା ସେଥିରେ ଥିଲା ପରି ଜଣାଗଲା ନାହିଁ । ଦେବଦେବୀ ଓ ଅନ୍ୟାନ୍ୟ ମୂର୍ତ୍ତିମାନ ମଧ୍ୟ କଞ୍ଚା ହାତରେ ହେଲାପରି ଲାଗିଲା । ଅବଶ୍ୟ ବହୁ କାଳରୁ ସେଗୁଡ଼ିକ ତିଆରି ହୋଇ ଆସିଛି । ମୋଟାମୋଟି ସେ ସବୁ କାରୁକଳାରେ ବିଶେଷ ସୌନ୍ଦର୍ଯ୍ୟର ସୂଚନା ମିଳିଲା ନାହିଁ ।
ଦର୍ଶନ ପାଇଁ ସେତେବେଳକୁ ଯାତ୍ରୀମାନଙ୍କର ଲମ୍ବାଧାଡ଼ି ଲାଗିଯାଇଛି । ପ୍ରବଳ ବର୍ଷାପରେ ମଧ୍ୟ ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ହେଉଛି । ତୀର୍ଥଯାତ୍ରୀଙ୍କର ଉତ୍ସାହ ଓ ନିଷ୍ଠାର ଅଭାବ ନାହିଁ । ପ୍ରାୟ ଦେଢ଼ ଶହ ଯାତ୍ରୀଙ୍କ ପଛରେ ମୁଁ ଠିଆ ହୋଇଥିଲି । ତିରୁପତିଙ୍କଠାରେ ଧାଡ଼ି ଲାଗିଲା ପରି ମନେ ହେଲା । ଧାଡ଼ି ଆଗେଇ ଚାଲିଥାଏ ଧୀର ମନ୍ଥର ଗତିରେ ।
ମୁଁ ଆସ୍ତେ ଆସ୍ତେ ଆଗେଇବାରେ ଲାଗିଥାଏ । ମନ ଟିକିଏ ଅସ୍ଥିର ହେଉଥାଏ । ସମୟରେ ଫେରି ବକ୍ତୃତା ଦେବାକୁ ହେବ । ମୁଁ ଧାଡ଼ିରେ ଠିଆ ହେବା ପୂର୍ବରୁ କିଛି ଭୋଗ ଓ ଫୁଲମାଳଟିଏ କିଣିଥିଲି । ତାକୁ ପଣ୍ଡା ନିଜ ପାଖରେ ରଖିଥା'ନ୍ତି । ସେ ଏପଟ ସେପଟ ହୋଇ ଯାତ୍ରୀ ଅନ୍ୱେଷଣରେ ଥା'ନ୍ତି । ଥରେ ସେ ଆସି ଜଣଙ୍କୁ ଦେଖାଇ କହିଲେ, "ଏଇ ମୋର ଭାଇ । ସେ ଆପଣଙ୍କର ପୂଜାର୍ଚ୍ଚନା କରିଦେବ" ।
ମୋର ହଁ କି ନାଁ କହିବାର ଚାରା ନ ଥିଲା । ତେଣୁ ମୁଁ ମୁଣ୍ଡ ଟୁଙ୍ଗାରିଲି । ସମ୍ଭବତଃ ୯ଟାରୁ ସାଢ଼େ ଦଶଟା ବାଜିଲାଣି । ଧାଡ଼ିରେ ସେମିତି ଗତି କରିବାରେ ଲାଗିଥାଉ । ଭାରି ଭିଡ଼, ଖୁବ୍ ଗହଳି ! କାମାକ୍ଷା ମନ୍ଦିର ଭିତରେ ପ୍ରବେଶ କରିବା ମାତ୍ରେ ଦେଖିଲି ଦୁଇଟି ମୂର୍ତ୍ତି ପୂଜା ହେଉଛନ୍ତି । ଅଷ୍ଟଧାତୁରେ ସେଗୁଡ଼ିକ ଗଢ଼ା । କାମେଶ୍ୱରୀ ବାମେଶ୍ବରୀ ନାମରେ ସେମାନେ ଖ୍ୟାତ । ସେମାନଙ୍କୁ ହରଗୌରୀ ମଧ୍ୟ କହନ୍ତି ।
ମନ୍ଦିର ମଧ୍ୟରେ ଧାଡ଼ିମାନ ବଙ୍କାଟଙ୍କା ହୋଇ ଲମ୍ବିବାରେ ଲାଗିଛି । ମନ୍ଦିର କାନ୍ଥରେ ବହୁ ଦେବଦେବୀ ଓ ପୌରାଣିକ ଚରିତ୍ରଙ୍କର ମୂର୍ତ୍ତି । ତା' ମଧ୍ୟରେ ଦ୍ରୋଣାଚାର୍ଯ୍ୟ ଓ ରାଜାରାଣୀଙ୍କ ମୂର୍ତ୍ତି ମଧ୍ୟ ରହିଛି । ଲକ୍ଷ୍ମୀ, ସରସ୍ୱତୀ, ମଙ୍ଗଳା, କଳ୍କୀ ଅବତାର, ଶ୍ରୀରାମଚନ୍ଦ୍ର, ଯୁଧିଷ୍ଠିର, ବଟୁ ଭୈରବ, ନୀଳକଣ୍ଠ ମହାଦେବ, ନନ୍ଦୀ, ଭୃଙ୍ଗୀ, କପିଳମୁନି, ମାନସ ଦେବୀ, କୁମାରୀ ଦେବୀ ଆଦି ପୂଜା ପାଉଛନ୍ତି । ଏହା ବ୍ୟତୀତ କୁଚବିହାର ମହାରାଜା, ମହାରାଣୀଙ୍କ ମୂର୍ତ୍ତି ରଖାଯାଇଛି ।
କାମ ରହିଛି । ବେଳ ହେଲାଣି । ସିଧାବାଟ ଦେଖି ଚାଲିଆସିବାକୁ ଚାହିଁଲେ ବି ପଣ୍ଡାଙ୍କର ଅନୁରୋଧ ସେଇଧାଡ଼ି ଧରି ଧିରେ ସୁସ୍ଥେ ଯିବା ପାଇଁ ।
ଦର୍ଶନ ସାରି ମନ୍ଦିର ଭିତରୁ ବାହାରିଲି । ମନ୍ଦିର ହତାରେ କାଳୀ, ତାରା, ଭୁବନେଶ୍ୱରୀ, ଭୈରବୀ, ଚ୍ଛିନ୍ନମସ୍ତା, କୋଟିଲିଙ୍ଗ, ଆଘୋର ଆଦି ଦେବଦେବୀଙ୍କର ସାନବଡ଼ ମନ୍ଦିର ରହିଛି । ମାତ୍ର ମୁଁ ଶୀଘ୍ର ସେ ସବୁ ପରିକ୍ରମା କରିଦେଲି । ସେଠାରେ ଚାକୁଣ୍ଡା ଗଛରୁ ଆରମ୍ଭ କରି ସବୁ ଜାତିର ଗଛଲତା । ଭଲ ଫଳ ଧରିଥିବା ନଡ଼ିଆ ଗଛମାନ
ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ଗୋଟିଏ ନିରୀହ ବୋଦାଛୁଆକୁ ଭିଡ଼ି ଭିଡ଼ି ଜଣେ ପଣ୍ଡା କୁଆଡ଼େ ନେଉଥିବାର ଦେଖିଲି । ସମ୍ଭବତଃ ତାକୁ ବଳି ପକାଇବେ । ମାତ୍ର ପରେ ପରେ ଦେଖିଲି ଅନେକ ବୋଦା ସେଠାରେ ବୁଲୁଛନ୍ତି । ଧଳା ଓ ମାଟିଆ ପାରା ବହୁ ସଂଖ୍ୟାଏ ସେଠାରେ ଉଡ଼ି ବୁଲୁଥିଲେ । ଝରଣାର କୁଳୁ କୁଳୁ ଶବ୍ଦ ଶୁଭୁଥିଲା । ମୋ ସାଥୀରେ ଜଣେ ଯୁବକ ସବୁ ପୂଜାର୍ଚ୍ଚନା ବେଳେ ସାଥୀ ହୋଇଥିଲେ । ସେ ଆସାମର ଶିବସାଗର ଅଞ୍ଚଳରୁ ପ୍ରଥମଥର ପାଇଁ ଆସିଥିଲେ ।
ବାଟ କେତେ ତାଙ୍କୁ ପଚାରିବାରୁ ସେ ନିର୍ଦ୍ଦିଷ୍ଟ ଭାବରେ କହିପାରିଲେ ନାହିଁ । ତେଣୁ ବସ୍ରେ କେତେ ଭଡ଼ା ଦେଇ ଆସିଲେ ପଚାରିବାରୁ ସେ ୮୦ ଟଙ୍କା ଖର୍ଚ୍ଚ କଲେ ବୋଲି କହିଲେ । ତେବେ ବିଳମ୍ବ ହୋଇଥିବାରୁ ପଣ୍ଡାଙ୍କୁ ଦକ୍ଷିଣା ଦେଇ ଓ ମୋର ଭୋଗତକ ତାଙ୍କଠାରୁ ସଂଗ୍ରହ କରି କାର୍ ପାଖକୁ ଧାଇଁଲି । କୁତବ୍ ପାଖରେ କେଉଁଠି ଥିଲା, ଚାଲି ଆସିଲା । ଆମେ ଟିକେ ଟିକେ ଚାହିଁବାରୁ ସେ କହିଲା - ଚାଲନ୍ତୁ ଆଗେ ତଳକୁ ଗଡ଼ି ଯିବା । ସେଠାରେ ବଜାରରେ ଖାଇବା ।
ଫେରିବା ବାଟରେ ଅସୁବିଧା
ମାତ୍ର ଦୁର୍ଭାଗ୍ୟକୁ ଅଫିସ୍ ବେଳ ହୋଇଥିବାରୁ ରାସ୍ତାରେ ସବୁତକ ଭିଡ଼ । ପୁଣି ହଠାତ୍ ପେଟ୍ରୋଲ ସରିଗଲା । କେଉଁଠୁ ଆଣିବାର ଉପାୟ ନାହିଁ । ପେଟ୍ରୋଲ ଟାଙ୍କି ସେଠାରୁ ବହୁତ ଦୂର । କୁତବ୍ ପୁଣି ପୂର୍ବପରି କାର୍ର ପଛ ପଟ ଡିକି ଖୋଲି ପାଇପ୍ରେ ଶେଷବିନ୍ଦୁ ପେଟ୍ରୋଲତକ ସଂଗ୍ରହ କଲା । ସେତକ ପକାଇ ବହୁକଷ୍ଟରେ ପାଖ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଗଲୁ । ବକୃତାଦେବା ସମୟ ହୋଇଥିବାରୁ ଜଳଖିଆ ଖାଇପାରିଲୁ ନାହିଁ । ମାତ୍ର କୁତବ୍କୁ ନିମନ୍ତ୍ରଣ କଲି ମୋ ସାଥୀରେ ମଧ୍ୟାହ୍ନ ଭୋଜନ ଖାଇବାକୁ ।
ଡକ୍ଟର ଶର୍ମାଙ୍କୁ ସେଦିନର ଅନୁଭୁତିରୁ କିଛି କହିଲି । ମୁଁ ଜଳଖିଆ ଖାଇନାହିଁ ବୋଲି କୁତବ୍ ତାଙ୍କୁ କହିବାରୁ ସେ ଚା' ସିଙ୍ଗଡ଼ା ଓ ବିସ୍କୁଟ ଦେଲେ । ତା'ପରେ ଉଚ୍ଚ ଶିକ୍ଷା ଲକ୍ଷ୍ୟ ସମ୍ପର୍କରେ ବକ୍ତୃତାଟିଏ ଦେଲି । ଭଟାଚାର୍ଜୀ(କୋର୍ସର ସଂଯୋଜକ)ଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇବାକୁ ଗଲି । ସାଥିରେ ଆମର କୁତବ୍ ମଧ୍ୟ ଖାଇଲା । ସେଠାରେ ଅଧିକାଂଶ ଆମିଷାଶୀ । ତେଣୁ ମାଛମାଂସ ଓ ଅଣ୍ଡାର ଖୁବ୍ ଚଳଣି । ତେଣୁ ମୋ ପରି ଶାକାହାରୀଙ୍କ ଖାଦ୍ୟ ଖୁବ୍ ସୀମିତ । ତେବେ ସେମାନେ ମୋ ଯତ୍ନ ନେବାରେ ହେଳା କଲେ ନାହିଁ । ମିଠାଟିଏ ଦେଲେ । କାକୁଡ଼ି ପରି ଦିଶୁଥିବା ଗୋଟିଏ ପଦାର୍ଥକୁ କାଟିକରି ଦେଇଥିଲେ । କିନ୍ତୁ ତାହା ଦେଖିବାକୁ ଗଙ୍ଗାକୂଳିଆ ଲେମ୍ବୁପରି । ବରଂ ତା'ଠାରୁ ଲମ୍ବା ।
ଗୌହାଟୀ ଦର୍ଶନ
ଡକ୍ଟର ଶର୍ମା ଓ ଦୁଇଜଣ ତାଲିମ ପାଉଥିବା ଅଧ୍ୟାପକଙ୍କ ସହିତ ଗୌହାଟୀ ବଜାରକୁ ଗଲି । ବ୍ରହ୍ମପୁତ୍ର ନଦୀ ପାର୍ଶ୍ୱରେ ବହୁବାଟ ଗଲୁ । ଖୁବ୍ ଏକ ଉଚ୍ଚସ୍ଥାନରେ ଆସାମର ରାଜଭବନ । ତାକୁ ସାମନା କରି ଏକ ତ୍ରିତାରକା ହୋଟେଲ । ତା'ପାଖକୁ ଯାଇ ଦେଖିଲି ବ୍ରହ୍ମପୁତ୍ର ନଦୀର କେଡ଼େ ଶୋଭା । ଦୁଇକୂଳ ଖାଇ ଦେଇ ନଦୀ ଜଳ ଯେକୌଣସି ସମୟରେ ସୀମା ଟପିବାର ଆଶଙ୍କା ।
ସେହିପରି ବ୍ରହ୍ମପୁତ୍ର ନଦୀ ମଝିରେ ଉମାନନ୍ଦଠାରୁ ଦକ୍ଷିଣକୁ ଅଛି ଉର୍ବଶୀକୁଣ୍ଡ । ଏଠାରେ ଗାଧୋଇଲେ ବହୁ ଧର୍ମ ମିଳିଥାଏ । ଗୌହାଟୀ ଉତ୍ତରକୁ ବ୍ରହ୍ମପୁତ୍ରର ଆରପାଖରେ ଅଛି ଅଶ୍ୱକ୍ଲାନ୍ତା ନାମକ ଏକ ସ୍ଥାନ । ଭଗବାନ ବିଷ୍ଣୁ କଚ୍ଛପ ରୂପରେ ଏଠାରେ ଗୋଟିଏ ମନ୍ଦିରରେ ପୂଜା ପାଆନ୍ତି । ପାହାଡ଼ ଉପରେ ଗୋଟିଏ ସ୍ଥାନରେ ନାରାୟଣ ସାପଶେଜରେ ଶୋଇଥିବାର ଦୃଶ୍ୟ । ଏଠାରେ ନାରାୟଣଙ୍କ ପଦଚିହ୍ନ ପଡ଼ିଥିବାର ଦେଖାଯାଏ । ହିନ୍ଦୁମାନେ ଏଠାରେ ପିଣ୍ଡଦାନ କରିଥାଆନ୍ତି । ଗୌହାଟୀରୁ ୧୦ କିଲୋମିଟର ଦୂରରେ ବଶିଷ୍ଠାଶ୍ରମ ନାମକ ଏକ ଦର୍ଶନୀୟ ସ୍ଥାନ ରହିଛି । କାମାକ୍ଷା ପାହାଡ଼ର ବହୁ ପାହାଡ଼ି ଝରଣା ଝରି ଆସିଛି । ଜଳପ୍ରପାତ, ଶ୍ୟାମଳ ଗଛଲତା ଇତ୍ୟାଦି ସେଠାରେ ଭରି ରହିଛି । ବଶିଷ୍ଠ ଏଠାକୁ ଗଙ୍ଗାକୁ ବୁହାଇ ଆଣିଥିଲେ । କଣ୍ୱଋଷିଙ୍କ ଆଶ୍ରମ ମଧ୍ୟ ସେଠାରେ ଥିଲା । ଅଶ୍ୱକ୍ଲାନ୍ତାର ପୌରାଣିକ ଗୁରୁତ୍ୱ କହି ଶର୍ମା ଜଣାଇଲେ ଯେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ସାଥୀରେ ନେଇ ଚାଲିଗଲାବେଳେ ଉକ୍ତ ସ୍ଥାନରେ ତାଙ୍କର ଅଶ୍ୱଟି କ୍ଳାନ୍ତ ହୋଇପଡ଼ିଥିଲା । ସେମାନେ ସେଠାରେ କିଛି ସମୟ ବିଶ୍ରାମ ନେଇଥିଲେ । ଏହି ପବିତ୍ର ସ୍ମୃତିକୁ ଧରି ସେଇ ସ୍ଥାନଟି ପବିତ୍ର ହୋଇଛି ।
ଆମେ ହାଇକୋର୍ଟ ପାଖକୁ ଯାଇ ସେଠାରୁ ପୁଣି ଉମାନନ୍ଦର ଦୃଶ୍ୟ ଦର୍ଶନ କଲୁ । ପ୍ରବଳ ଜଳସ୍ରୋତ । ବହୁ ବଡ଼ ନାବ ଓ ଷ୍ଟିମର ବ୍ରହ୍ମପୁତ୍ର କୂଳରେ ଥାଏ ଏବଂ ଅନେକ ଭାସି ଚାଲିଥାଏ । ସେଠାରୁ ଆମେ ଗୌହାଟୀ ବଜାର ଭିତରକୁ ଯାଇଥିଲୁ । କେତେକ ଦୋକାନ ବଜାର ଦେଖିଲୁ । ମୁଁ ଆସାମୀ ଚା' ଓ ବାଉଁଶ ତିଆରି ହସ୍ତଶିଳ୍ପ କେତୋଟି କିଣିଲି । କିଛି ଜଳଖିଆ ଖାଇବା ପରେ ଟ୍ରେନିଂ ନେଉଥିବା ଅଧ୍ୟାପକମାନେ ମୋତେ ପାନସୁପାରି ଦେଲେ । ଖାଇଲା ପରେ ପାନସୁପାରି ଅତିଥିଙ୍କୁ ଦେବା ଏଠାରେ ଏକ ପ୍ରଥା । ଆଗରୁ ଆମର ବି ଏହି କଥା ଥିଲା । ମୁଁ ତାକୁ ଖାଇ ଗୁଆର କଞ୍ଚାରସ ଢ଼ୋକି ଦେଲି । ତା'ଫଳରେ ଏହା ମୋ ଛାତିରେ ଲାଗି ନିଶ୍ୱାସ ନେବାରେ କି କଷ୍ଟ ! ଶ୍ୱାସରୁଦ୍ଧ ହେବା ପରି ଲାଗିଲା । ଗୋଟିଏ ଦୋକାନକୁ ଯାଇ ପାଣି ଗ୍ଲାସେ ପିଇଦେବାରୁ ଟିକିଏ ଭଲ ଲାଗିଲା । କଞ୍ଚା ଗୁଆର ରସ ଭାରି କଷାଳିଆ । ପାଣି ପିଇ ଟିକିଏ ଆଶ୍ୱସ୍ତ ହେଲି ।
କାମାକ୍ଷା ପୀଠର ମହିମା
ଆସାମ ବିଶେଷତଃ କାମାକ୍ଷା ପୀଠର ମହିମା ସଂପର୍କରେ ଆମର ବହୁତ ଆଲୋଚନା ହୋଇଥିଲା । ସେ ସମ୍ପର୍କରେ ଏଠାରେ କିଛି ଲେଖିବାର ଲୋଭ ସମ୍ବରଣ କରିପାରୁ ନାହିଁ । ହିନ୍ଦୁ ଧର୍ମରେ ତିନି ପ୍ରଧାନ ଦେବତା ହେଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ବ୍ରହ୍ମା ହେଲେ ସୃଷ୍ଟିର ଦେବତା, ବିଷ୍ଣୁ ହେଲେ ପାଳନକର୍ତ୍ତା ଓ ମହେଶ୍ୱର ହେଲେ ଧ୍ୱଂସ
ବା ସଂହାରର ଦେବତା । କିନ୍ତୁ ମହେଶ୍ୱର ସର୍ବଦା ଧ୍ୟାନମଗ୍ନ ହୋଇ ରହିଲେ । ନିଜ କର୍ତ୍ତବ୍ୟରେ ହେଳା କରି ବସିଲେ । ତାଙ୍କର ଧ୍ୟାନ ଭାଙ୍ଗିବାକୁ ବ୍ରହ୍ମା ଚେଷ୍ଟାକଲେ । ତାଙ୍କର ପ୍ରିୟପୁତ୍ର ଦକ୍ଷଙ୍କର ଏକ ସୁନ୍ଦରୀ କନ୍ୟା ଥିଲେ । ତାଙ୍କର ନାଁ ଥିଲା ସତୀ । ସେ ସେହି ସତୀଙ୍କୁ ବିବାହ କରି କୈଳାସ ପର୍ବତରେ ବାସ କଲେ ।
ଥରେ ଦକ୍ଷ ଏକ ବିରାଟ ଯଜ୍ଞର ଆୟୋଜନ କଲେ । ମାତ୍ର ମହାଦେବଙ୍କ ବ୍ୟତୀତ ଅନ୍ୟ ସମସ୍ତ ଦେବଦେବୀଙ୍କୁ ସେଥିରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ । ମହାଦେବ ସର୍ବଦା ଅଳିଆ ଅସନା ରୂପରେ ଥା'ନ୍ତି । ତାଙ୍କ ଦେହରେ ପାଉଁସ, ଅଣ୍ଟାରେ ଚର୍ମ,
କିନ୍ତୁ ସତୀଙ୍କର ଇଚ୍ଛା ସେ କିପରି ସେହି ଯଜ୍ଞରେ ଯୋଗଦେବେ । ମାତ୍ର ନିମନ୍ତ୍ରଣ ପାଇ ନଥିବାରୁ ଶିବ ଏଥିରେ ବାରଣ କଲେ । ହେଲେ ଝିଅର ମନ । ବାପଘରେ ଯେତେବେଳେ ଏତେବଡ଼ ଉତ୍ସବ ହେଉଛି, ସେ ନିମନ୍ତ୍ରଣ ନପାଇଲେ ସୁଦ୍ଧା ଯିବେ । ମହେଶ୍ୱର ବାଧ୍ୟ ହୋଇ ଏଥିରେ ରାଜିହେଲେ ।
ଦକ୍ଷଙ୍କ ରାଜପ୍ରାସାଦରେ ଯଜ୍ଞର ବିରାଟ ଆୟୋଜନ । ବହୁ ଦେବାଦେବୀ ସେଠାରେ ଉପସ୍ଥିତ । ଦକ୍ଷ ସତୀଙ୍କୁ ଦେଖି ଶିବଙ୍କୁ ନିନ୍ଦା କଲେ । ସ୍ୱାମୀଙ୍କର ନିନ୍ଦା ସତୀ ସହିପାରିଲେ ନାହିଁ । ତେଣୁ ସେ ଆତ୍ମହତ୍ୟା କଲେ । ଶିବଙ୍କର ଧ୍ୟାନଭଗ୍ନ ହେଲା । ସେ ଏହା ଜାଣିପାରିଲେ । ତେଣୁ ବିଜୁଳି ବେଗରେ ସେ ଆସି ଦକ୍ଷଙ୍କ ଯଜ୍ଞ ପୀଠରେ ପ୍ରବେଶ କଲେ । ଯଜ୍ଞ ପୀଠକୁ ଭାଙ୍ଗି ଚୂରମାର କରିଦେଲେ । ସତୀଙ୍କ ମୃତ ଦେହକୁ ନିଜ କାନ୍ଧରେ ପକାଇ ସାରା ଭାରତରେ ଘୁରି ବୁଲିଲେ । ସାରା ସୃଷ୍ଟି ଥର ହର ହେଲା । ସେ ପାଗଳ ପରି ନାଚିବାରେ ଲାଗିଲେ । ଏହାକୁ ତାଣ୍ଡବ ନୃତ୍ୟ କୁହାଯାଏ ।
ସମଗ୍ର ସୃଷ୍ଟି ଧ୍ୱଂସ ମୁଖରେ ପଡ଼ିବାର ଆଶଙ୍କା ହେଲା । ବିଷ୍ଣୁ ବିଶେଷ ଚିନ୍ତାମଗ୍ନ ହେଲେ । ସେ ଭାବିଲେ- ସତୀଙ୍କ ମୃତ ଦେହକୁ ମହାଦେବଙ୍କ କାନ୍ଧରୁ ଖସାଇ ନ ପାରିଲେ ତାଙ୍କର ରାଗ ଶାନ୍ତ ହେବ ନାହିଁ । ତେଣୁ ସେ ତାଙ୍କ ଅମୋଘ ଅସ୍ତ୍ର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ସେ ସତୀଙ୍କ ମୃତ ଦେହକୁ କାଟି ଛିନ୍ନ ଭିନ୍ନ କରିଦେଲା । ଭାରତର ବିଭିନ୍ନ ଅଞ୍ଚଳରେ ଏହି ଚ୍ଛିନ୍ନ ଅଂଶମାନ ବିଛାଡ଼ି ହୋଇପଡ଼ିଲା ।
ଗୌହାଟୀ ପାଖ ନାଳ ପର୍ବତ ଉପରେ ସତୀଙ୍କର ପେଟତଳ ଅଂଶଟି ପଡ଼ିଥିଲା । କାମାକ୍ଷା ପାହାଡ଼ ରୂପେ ତାହା ପରେ ପରିଚିତ ହେଲା । କାମାକ୍ଷା ଦେବୀ ସେଠାରେ ପୂଜା ପାଇଲେ । ମହାଦେବ କାନ୍ଧରୁ ସତୀଙ୍କର ମୃତ ଶରୀର ବିଚ୍ଛିନ୍ନ ହୋଇ ପଡ଼ିବାରୁ ସେ କ୍ରମେ ଶାନ୍ତ ହେଲେ । ହିମାଳୟ କୋଳରେ ପୁଣି ସେ ଧ୍ୟାନ କରିବାକୁ ବସିଲେ ।
୩୭ ସେହି ସମୟରେ ତାରକାସୁର ନାମକ ଏକ ରାକ୍ଷସ ବ୍ରହ୍ମାଙ୍କର ବରପାଇ ଖୁବ ବଳୀୟାନ ହେଲା । ସେ ଧରାକୁ ସରା ମଣିଥିଲା । ସେ ସାରା ସୃଷ୍ଟିକୁ ଧ୍ୱଂସ ମୁଖକୁ ଟାଣିନେଲା । ଏଥିରେ ଦେବଦେବୀମାନେ ମଧ୍ୟ ପ୍ରମାଦ ଗଣିଲେ । ଏହି ବିପଦରୁ ମହାଦେବ ରକ୍ଷା କରି ପାରିବେ ବୋଲି ସେମାନେ ଭାବିଲେ । ତାଙ୍କ ଧ୍ୟାନ ଭାଙ୍ଗି ସଂସାର ଜଞ୍ଜାଳରେ ପୁଣି ବାନ୍ଧିବାକୁ ସେମାନେ ଚେଷ୍ଟା କଲେ ।
ସେତେବେଳେ ଥିଲେ ହିମାଳୟଙ୍କର ସ୍ତ୍ରୀ ମେନକା । ଖୁବ୍ ସୁନ୍ଦରୀ । ଏକ ମନମୋହିନୀ କନ୍ୟାକୁ ଜନ୍ମ ଦେବାପାଇଁ ତାଙ୍କୁ ଦେବଦେବୀମାନେ ପ୍ରାର୍ଥନା କଲେ । ସେହି କନ୍ୟା ହିଁ ପାର୍ବତୀ ନାମରେ ମହେଶ୍ୱରଙ୍କର ପତ୍ନୀ ହେଲେ ତାଙ୍କର ଧ୍ୟାନଭଗ୍ନ ହୋଇପାରିବ ଏବଂ ସେ ସଂସାର ମାୟାରେ ବାନ୍ଧି ହେବେ । ମାତ୍ର ଶିବ ଆଉ ଘର ସଂସାର କରିବାକୁ ନାରାଜ ।
ଏଣେ ପାର୍ବତୀ ତାଙ୍କୁ ସ୍ୱାମୀ ରୂପେ ବରଣ କରି ସାରିଛନ୍ତି । କାମଦେବ ନିଜ ପତ୍ନୀ ରତିଙ୍କ ସହିତ ସେଠାରେ ପହଞ୍ଚିଲେ । ମହାଦେବଙ୍କ ମନରେ ବିବାହ କରିବାର ଇଚ୍ଛା ଜଗାଇବାକୁ ଚେଷ୍ଟା କଲେ । ମାତ୍ର ମହାଦେବ ତାଙ୍କୁ ରାଗରେ ଚାହିଁ ଦେଲେ । ତାଙ୍କ ଆଖିର ନିଆଁରେ କାମଦେବ ପୋଡ଼ି ପାଉଁଶ ହୋଇଗଲେ ।
ମହାଦେବ ପୁଣି ଧ୍ୟାନରେ ବସିଗଲେ । ମାତ୍ର ପାର୍ବତୀ ତାଙ୍କୁ ସ୍ୱାମୀ ରୂପେ ପାଇବାରେ ଅଟଳ । ସେ ନ ଖାଇ ନ ପିଇ ଶିବଙ୍କ ନାମ ଜପିବାରେ ଲାଗିଲେ । ପାର୍ବତୀ ଜୀର୍ଣ୍ଣଶୀର୍ଣ୍ଣ ହେଲେ । ନାରଦଙ୍କ ଉଦ୍ୟମରେ ମହାଦେବ ଶେଷରେ ପାର୍ବତୀଙ୍କୁ ବିବାହ କଲେ ।
ଏଣେ ସ୍ୱାମୀଙ୍କୁ ପାଉଁଶରେ ପରିଣତ ହେବା ଦେଖି ରତି ଅତିଶୟ ଦୁଃଖିତ ହେଲେ । ତାଙ୍କର ଛାତିଫଟା କାନ୍ଦରେ ମହାଦେବଙ୍କ ମନ ଗଭୀର ଦୁଃଖ ଓ ଅନୁତାପରେ ଭରିଗଲା । ସେ ପାଉଁଶଗଦାରୁ ପୁଣି କାମଦେବଙ୍କୁ ନୂଆ ଜନ୍ମ ଦେଲେ । କିନ୍ତୁ ହାୟ, ତାଙ୍କର ପୂର୍ବ ସୌନ୍ଦର୍ଯ୍ୟ କୁଆଡ଼େ ଗଲା ? ତେଣୁ ଉଭୟେ କାମଦେବ ଓ ରତିଦେବୀ
ମହାଦେବଙ୍କୁ ଖୁବ୍ ପ୍ରାର୍ଥନା କଲେ । ମହାଦେବ ତ ଆଶୁତୋଷ, ତାଙ୍କ ମନ ଯେମିତି ହଠାତ୍ ବିରକ୍ତ ହୋଇଥାଏ, ସେମିତି ସହଜରେ ସନ୍ତୁଷ୍ଟ ହୋଇଥାଏ । ମହାଦେବଙ୍କ କହିବା ଅନୁସାରେ କାମଦେବ କାମାକ୍ଷା ପାହାଡ଼କୁ ନିର୍ମଳ କଲେ । ସତୀଙ୍କ ଦେହାଂଶ ପଡ଼ିଥିବା ସ୍ଥାନଟି ଉପରେ ବିଶ୍ୱକର୍ମାଙ୍କ ସାହାଯ୍ୟରେ ଏକ ବଡ଼ ମନ୍ଦିର ତୋଳାଇଥିଲେ । କାମାକ୍ଷାଦେବୀଙ୍କ ସେବା ପୂଜା ପରେ ତାଙ୍କ ପୂର୍ବ ଶୋଭା ଫେରିପାଇଥିଲେ ।
ସେତେବେଳେ ଜଣେ ବଡ଼ ରାକ୍ଷସ ଥିଲେ । ତାଙ୍କ ନାଁ ଥିଲା ତାରକାସୁର ବା ନାରକାସୁର । ତାଙ୍କର ରାଜଧାନୀ ଥିଲା ଜ୍ୟୋତିଷପୁର । ଏବେ ତାହା ଗୌହାଟୀ ନାମରେ ଖ୍ୟାତ । ରାମାୟଣ, ମହାଭାରତ ଓ ତନ୍ତ୍ରପୁରାଣରେ ଲେଖାଯାଇଛି ଯେ ନାରକାସୁର ରାକ୍ଷସ ହେଲେ ହେଁ ଆର୍ଯ୍ୟ ସଂସ୍କୃତି ପ୍ରତି ଖୁବ୍ ମନ ଦେଇଥିଲେ । ବିଷ୍ଣୁ ବରାହ ରୂପେ ଜନ୍ମଗ୍ରହଣ କରି ତାଙ୍କ ଉପରେ ସନ୍ତୁଷ୍ଟ ହୋଇଥିଲେ । ତାଙ୍କୁ ପ୍ରାଗ୍ ଜ୍ୟୋତିଷପୁରର ରାଜା କରାଇଥିଲେ ।
ମାଟିମାଆର ଆଶିର୍ବାଦ ଲାଭ କରି ସେ ଭାରି ବଳଶାଳୀ ହେଲେ । ବିଦର୍ଭ ରାଜାଙ୍କ କନ୍ୟା ମାୟାଙ୍କୁ ସେ ବିବାହ କଲେ । ଦେବ, ବ୍ରାହ୍ମଣମାନଙ୍କର ସେବାଯତ୍ନ କରିଥିଲେ । କାମାକ୍ଷାଦେବୀଙ୍କର ବଡ଼ ଭକ୍ତ ହୋଇଥିଲେ ।
ଦ୍ୱାପରର ଶେଷ ଭାଗରେ ସେଠାରେ ଗୋଟିଏ ରାଜ୍ୟ ଥିଲା । ସେଇ ରାଜ୍ୟର ରାଜା ଥିଲେ ବାଣାସୁର । ତାଙ୍କ ସହିତ ତାରକାସୁରର ଭଲ ସମ୍ପର୍କ ଥିଲା । ତା' ଫଳରେ ଦେବ ବ୍ରାହ୍ମଣଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେଲା । ବ୍ରହ୍ମାଙ୍କ ବର ଲାଭରେ ସେ ବଳବାନ ହୋଇଥିଲେ । ଦେବତାମାନେ ଭୟଭୀତ ହେଲେ । ସେମାନେ ବ୍ରହ୍ମାଙ୍କ ପାଖରେ ଗୁହାରି କଲେ
ବ୍ରହ୍ମା ପରମ ପିତା ମହାମାୟାଙ୍କ ସାହାଯ୍ୟରେ ଏହି ବିପଦରୁ ଉଦ୍ଧାର ପାଇବେ ବୋଲି ପରାମର୍ଶ ଦେଲେ । କାଳିକା ପୁରାଣ ଅନୁସାରେ ଦିନେ ଋଷି ବଶିଷ୍ଠ ମହାମାୟାଙ୍କୁ ସାକ୍ଷାତ କରି ନାରକାସୁରର ଅତ୍ୟାଚାର କଥା ଜଣାଇଲେ । ସେ (ବଶିଷ୍ଠ) ତାଙ୍କୁ ଅଭିଶାପ ଦେଇ କହିଲେ ଯେ ସେ ବଞ୍ଚିଥିବା ଯାଏ କାମାକ୍ଷା ଦେବୀଙ୍କ ଦର୍ଶନ ଲାଭ କରିପାରିବେ ନାହିଁ । ମହାମାୟା ଏକ ମାୟାର କୁହୁଡ଼ି ସୃଷ୍ଟି କଲେ । ତା' ମଧ୍ୟରେ ବିଷ୍ଣୁ ନାରକାସୁରକୁ ହତ୍ୟା କଲେ । ତାଙ୍କର ମୃତ୍ୟୁ ପରେ ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଗଲା ।
କୁଚବିହାରର ରାଜା ଦେବୀ କାମାକ୍ଷାଙ୍କ ପୀଠର ବହୁ ଉନ୍ନତି କରିଥିଲେ । ତାଙ୍କର ମହିମା ପ୍ରଚାରରେ ସେ ବହୁ ପଦକ୍ଷେପ ନେଇଥିଲେ । କାମଦେବ ଗଢ଼ିଥିବା ମନ୍ଦିର ଭାଙ୍ଗି ପଡ଼ିଥିଲା । ନୀଳାଚଳ କାମାକ୍ଷାପାହାଡ଼ରେ ଦେବୀଙ୍କ ପୂଜାଋଜା ସବୁ ବନ୍ଦ ହୋଇଯାଇଥିଲା । ତାହା ପୁଣି କିପରି ବିକାଶ ଲାଭ କରିଥିଲା, ସେ ସମ୍ପର୍କରେ ଏକ କାହାଣୀ ରହିଛି ।
ଇତିହାସରେ କାମାକ୍ଷା
୧୪୯୦ ମସିହାର ଏକ ଘଟଣା । ମହାରାଜା ବିଶ୍ୱସିଂହ ଆହୋମ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଯୁଦ୍ଧ ଯାତ୍ରା ହେଲା । ଥରେ ଭୟଙ୍କର ଘନ ଜଙ୍ଗଲ ମଧ୍ୟରେ ସେ ଓ ତାଙ୍କ ଭାଇ ଶିବସିଂହ ବାଟବଣା ହୋଇଗଲେ । ସେମାନେ ସୈନ୍ୟମାନଙ୍କଠାରୁ ଅଲଗା ହୋଇଗଲେ । ସେମାନେ ନୀଳାଚଳ ପାହାଡ଼କୁ ଆସିଲେ । ଖୁବ୍ ଭୋକ ଶୋଷରେ ସେମାନେ ଅସ୍ଥିର ହୋଇପଡ଼ିଲେ । କିପରି ସେହି ଜଙ୍ଗଲରୁ ଉଦ୍ଧାର ପାଇବେ, ତା'ର ଉପାୟ ପାଇଲେ ନାହିଁ । ଦେବୀଙ୍କୁ ପୂଜା କଲେ । ଅନ୍ଧାର ମଧ୍ୟରେ ଆଲୁଅର ରେଖା ଖେଳିଗଲା । ଦୈବୀଶକ୍ତି ବଳରେ ସେମାନେ ଜଳ ଓ ଖାଦ୍ୟ ପାଇଲେ । ଗୋଟିଏ ଗଛ ମୂଳରେ ଶାନ୍ତିରେ ଶୋଇଗଲେ । ଗୋଟିଏ ବୁଢ଼ି ଆସି ସେଠାରେ ଦେବୀଙ୍କ ପୂଜା କଲେ । ସେ କହିଲେ ଯେଉଁ ଲୋକ ପବିତ୍ର ଭକ୍ତି ଭାବରେ
ଏଠାରେ ପୂଜା ଆରାଧନା କରିବ, ତା'ର ମନସ୍କାମନା ପୂର୍ଣ୍ଣ ହେବ । ଏହା ଶୁଣି ସେମାନେ ବସିପଡ଼ି ଦେବୀଙ୍କ ପ୍ରାର୍ଥନା କରିଥିଲେ ।
କାଂମାକ୍ଷାଙ୍କ କଲ୍ୟାଣରୁ ସୈନ୍ୟମାନଙ୍କ ସହିତ ସେମାନଙ୍କର ସାକ୍ଷାତ ହେଲା । ସେମାନଙ୍କ ରାଜ୍ୟ ବିପଦମୁକ୍ତ ହେଲା । ଲୋକମାନେ ସୁଖୀ ଓ ଧନୀମାନୀ ହେଲେ । କିପରି ସେ ଦେବୀଙ୍କର ଉପକାର ସୁଝିବେ ପଚାରିବାକୁ ସେ ଛାଗବଳି, ସିନ୍ଦୁର, କର୍ପୁର, ପୁଷ୍ପ, ରକ୍ତବର୍ଣ୍ଣର ବସ୍ତ୍ର ଇତ୍ୟାଦି ସମର୍ପଣ କରିବାକୁ ପରାମର୍ଶ ଦେଲେ । ରାଜା ସୁଖଶାନ୍ତିରେ ରାଜ୍ୟ ଶାସନ କଲେ । ପଣ୍ଡିତମାନଙ୍କ ପରାମର୍ଶ କରି ଦେବୀଙ୍କ ମହିମା ବିସ୍ତାରରେ ମନ ଦେଲେ । ସେ ପ୍ରଥମେ ଦେବୀଙ୍କ ପାଇଁ ଗୋଟିଏ ଇଟାର ମନ୍ଦିର ତୋଳାଇଥିଲେ । ଗୋଟିଏ ସୁନାର ମନ୍ଦିର ନିର୍ମାଣ କରିବାକୁ ଦେବୀ ଆଦେଶ ଦେଲେ । ମାତ୍ର ତାହା କରିବା ରାଜାଙ୍କ ପକ୍ଷେ ସମ୍ଭବ ହେବ ନାହିଁ ବୋଲି ଜଣାଇଲେ । ତାଙ୍କୁ ସେଥିପାଇଁ ସ୍ୱପ୍ନରେ ନିର୍ଦ୍ଦେଶ ହେଲା ପ୍ରତି ଇଟା ଉପରେ ରତିଏ ସୁନା ରଖ । ତା'ଉପରେ ଆଉ ଏକ ଇଟା ବସାଇ ମନ୍ଦିର ନିର୍ମାଣ କର ।
ଏକ ସୁନ୍ଦର ମନ୍ଦିର ଗଢ଼ି ଉଠିଲା । ସେଠାରେ ଦେବୀ କାମାକ୍ଷା ପୂଜା ପାଇଲେ । ମହାରାଜା ବିଶ୍ୱସିଂହଙ୍କ ପରେ ତାଙ୍କ ପୁଅ ନରନାରାୟଣ ରାଜୁତି କଲେ । ତାଙ୍କ ଭାଇ ମହାବୀର ଚିଲାରାୟଙ୍କୁ ସେ ସେନାପତି କରିଥିଲେ । ସେ ଅନ୍ୟତ୍ର ଯୁଦ୍ଧରେ ନିଯୁକ୍ତ ଥିଲାବେଳେ କଳାପାହାଡ଼ ଆକ୍ରମଣ କରିଥିଲା । ବଙ୍ଗର ନବାବ ସୁଲେମାନଙ୍କ ଦ୍ୱାରା ଚିଲାରାୟ ବନ୍ଦୀ ହୋଇଥିଲେ । ସେ ମହାମାୟାଙ୍କୁ ମନେ ପକାଇଲେ । ସ୍ୱପ୍ନରେ ତାଙ୍କୁ ଜଣାଇ ଦିଆଗଲା ନବାବଙ୍କ ମାଆଙ୍କୁ କାଲି ସାପ କାମୁଡ଼ିବ । ରାଜ୍ୟର ସବୁ ଡାକ୍ତର କବିରାଜ ତାଙ୍କୁ ଭଲ କରିବାରେ ଲାଗିବେ । ଶେଷରେ ସେମାନେ ଫେଲ୍ ମାରି ତୁମ ପାଖକୁ ଆସିବେ । ତୁମେ ତାଙ୍କୁ ଭଲ କରିବ ।
ସତକୁ ସତ ତା' ଆରଦିନ ମା'ଙ୍କୁ ସାପ କାମୁଡ଼ିଦେଲା । ଚିଲାରାୟଙ୍କ ଚିକିତ୍ସାରେ ସେ ଭଲ ହେଲେ । ସେଦିନଠାରୁ ଚିଲାରାୟଙ୍କ ସହିତ ନବାବଙ୍କର ସଦ୍ଭାବ ବଢ଼ିଥିଲା । ଚିଲାରାୟ ନିଜ ସୈନ୍ୟମାନଙ୍କ ସହିତ ନିଜ ରାଜ୍ୟକୁ ଫେରିଥିଲେ । ରାଜା ମନ୍ଦିରର ମରାମତି କଲେ, ଭଲ ଭାବରେ ତାଙ୍କର ପୂଜାଋଜାର ବ୍ୟବସ୍ଥା କଲେ । ସେଥିପାଇଁ ମଧ୍ୟ ବହୁ ଜମିବାଡ଼ି ଖଞ୍ଜିଥିଲେ ।
ଏହିପରି ବହୁ ରାଜାଜମିଦାରଙ୍କ ସାହାଯ୍ୟ ଓ ଜନସାଧାରଣଙ୍କ ସ୍ନେହ ଓ ଭକ୍ତିବଳରେ କାମାକ୍ଷା ପୀଠରେ ବହୁ ଉନ୍ନତି ହେଲା । ଆସାମରେ ଏକ ବଡ଼ ଘଟଣା ହେଲା ଏଠାରେ ରାଜା ପ୍ରଜାମାନଙ୍କର ଧର୍ମ ଭାଷା ଓ ଚଳଣି ନିଜର କରି ନେଇଥିଲେ । ଆକ୍ରମଣ କରିବାକୁ ଆସି ଆରୋହୀମାନେ ଏଠାରେ ଶାସକ ହୋଇଥିଲେ । ସେମାନେ ଆସାମରସାହିତ୍ୟ, ଭାଷା ଓ ଧର୍ମର ଉନ୍ନତିରେ ସହାୟକ ହୋଇଥିଲେ । ଶଙ୍କରଦେବ ଆସି କେତେକ ସାଧୁସନ୍ଥଙ୍କ ଉଦ୍ୟମରେ ଆସାମରେ ବୈଷ୍ଣବଧର୍ମ ଅତି ଲୋକପ୍ରିୟ ହୋଇଥିଲା । ଜନସାଧାରଣଙ୍କ ମଧ୍ୟରେ ଏହା ଆଦର ଲାଭ କରିଥିଲା ।
ଗୌହାଟୀରୁ ଫେରିଲି
ଅଗଷ୍ଟ ୪ ତାରିଖ । ଭୋର ୪ଟାରୁ ଉଠି ନିତ୍ୟକର୍ମ ସାରିଦେଲି । ଏତେ ଭୋରରୁ ବାହାରଟା କେଲେ ଫରଚା ଦିଶିଲାଣି । ଅତିଥି ଭବନର ହତାରେ ବୁଲଚଲା କଲି । ସାଢ଼େ ୪ଟାରେ କୁତବ୍ କାର ଆଣି ପହଞ୍ଚିଗଲା । ଆମେ ସାଥୀ ହୋଇ କାମାକ୍ଷା ଷ୍ଟେସନକୁ
ଗଲୁ । ପ୍ରଥମ ଶ୍ରେଣୀରେ ଟିକେଟ ସହଜରେ ମିଳିନଥିଲା । ରାଜର୍ଷି ଭଟ୍ଟାଚାର୍ଜୀବାବୁଙ୍କ ସ୍ୱତନ୍ତ୍ର ଚେଷ୍ଟାରେ ଅତି ବଡ଼ ଲୋକ ବା ଅଧିକାରୀଙ୍କ ପାଇଁ ଭି.ଆଇ.ପି. କୋଟାରୁ ଗୋଟିଏ ସିଟ ମିଳିଥିଲା । ପୂର୍ବଦିନ ସନ୍ଧ୍ୟାରେ ଆସି ତା'ର ବ୍ୟବସ୍ଥା କରାଯାଇଥିଲା । ରିଜର୍ଭେସନ ଚୁଡ଼ାନ୍ତ କରାଯାଇଥିଲା । ସେଠାରେ ସିଂହବାବୁ ନାମକ ଜଣେ ଓଡ଼ିଆ ଭଦ୍ରଲୋକ ଦୂର ସଂଚାରଣ ବା ଟେଲିକମ୍ୟୁନିକେସନ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ । କୁତବ୍କୁ ୧୦ ଟଙ୍କା ଦେଇ ବିଦାୟ ନେଲି । ମୁଁ ଷ୍ଟେସନ ଭିତରେ ଯାଇ ପ୍ଲାଟଫର୍ମରେ ଅପେକ୍ଷା କଲି । ଜଣେ ତେଲଙ୍ଗା ଭଦ୍ରଲୋକ ପହଞ୍ଚିଲେ । ସେ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଇଚ୍ଛାପୁର ପାଖରେ ରହନ୍ତି । ଏବେ ପିଲାମାନେ ବ୍ରହ୍ମପୁରଠାରେ ରହି ପଢ଼ାପଢ଼ି କରୁଛନ୍ତି । ତାଙ୍କ ବାପା ଜଣେ ରେଲୱେ କର୍ମଚାରୀ ଭାବରେ ୩୦ ବର୍ଷ କାଳ ଏଠାରେ କଟାଇଥିଲେ । ଏଠାରେ ମଧ୍ୟ ତାଙ୍କର କ୍ୟାନସରରେ ଅକାଳ ମୃତ୍ୟୁ ହୋଇଥିଲା । ଷ୍ଟେସନର କର୍ମଚାରୀଗଣ ମିଳିମିଶି ବ୍ରହ୍ମପୁତ୍ର କୂଳର ଏକ ଶ୍ମଶାନରେ ଦାହ କରିଥିଲେ । ବାପାଙ୍କ ମୃତ୍ୟୁପରେ ତାଙ୍କୁ ସେଇ ଚାକିରିଟି ମିଳିଛି ।
କୋଚିନ୍ ଏକ୍ସପ୍ରେସ୍ ଠିକ ସମୟରେ ଆସିଲା । ଟିକେଟ କଲେକ୍ଟରଙ୍କୁ ମୋର ନାଁ ଓ ସିଟ୍ ନମ୍ବର କହିଲାମାତ୍ରେ ଟିକିଏ ଚମକି ପଡ଼ିଲେ । କୌଣସି ମନ୍ତ୍ରୀ ବା ବଡ଼ ଅଫିସରଙ୍କ ଲୋକ ବୋଲି ମୋତେ ଭାବିନେଲେ । ନିଜେ ଆସି ମୋତେ ମୋର ସିଟରେ ବସାଇ ଦେଲେ । ତାପରେ ଆସି ମୋର ଜଳଖିଆ ଓ ମଧ୍ୟାହ୍ନ ଭୋଜନ କଥା ବୁଝିଥିଲେ । ମୁଁ ମାଛମାଂସ ଖାଏ ନାହିଁ ବୋଲି କହିବାରୁ ସେ ମୋ ପାଇଁ ସାଦା ଖାଦ୍ୟର ବ୍ୟବସ୍ଥା କରିଦେଲେ ।
ଠିକ୍ ୫ଟା ୧୫ ମିନିଟରେ ଟ୍ରେନ୍ ଛାଡ଼ିଲା । କାମାକ୍ଷା ପରେ ରଙ୍ଗିୟା ଓ ତାପରେ ପାଠଶାଳା ବୋଲି ଏକ ଷ୍ଟେସନ ପଡ଼ିଲା । ବ୍ରହ୍ମପୁତ୍ର ନଦୀ ଜଳପୂର୍ଣ୍ଣ । ପାହାଡ଼ କୋଳରେଏ ବଙ୍କାଟଙ୍କା ହୋଇ ସେ ବହି ଯାଇଛି । ବହୁ ନାଆ ଭାସୁଛି । ଗାଁ ଗଣ୍ଡା ମଝିରେ ମଝିରେ ପଡ଼େ । ନଡ଼ିଆ, କଦଳୀ, ଗୁଆ, ବାଉଁଶ ଆଦି ଗଛଲତାରେ ସେ ସବୁ ଭରପୂର । ଚଉଦିଗ ପରିବେଶ ଖୁବ୍ ସୁନ୍ଦର, ଖୁବ୍ ସବୁଜ ।
ବାରପେଟା ରୋଡ଼ ଷ୍ଟେସନ ପଡ଼ିଲା । ଏକ ବଡ଼ ବ୍ୟବସାୟ କେନ୍ଦ୍ର । ବଡ଼ବଡ଼ ଗୁଆର ଗୋଦାମମାନ ଦେଖିବାକୁ ମିଳେ । ବୋଙ୍ଗାଇଗାଓଁ ଷ୍ଟେସନରେ ବହୁ ସମୟ ଟ୍ରେନଟି ରହିଲା । ସେଠାରେ ପାଚିଲା ସପୂରୀର ଚୋପାକୁ ଛଡ଼ାଇ ଅଧାକୁ ଦୁଇ ଟଙ୍କାରେ
ବିକୁଥିଲେ । କିଣିଲି, ଭଲ ଲାଗିଲା । ପାଚିଲା କଦଳୀ ମଧ୍ୟ ମିଳିଲା । ଡଜନ ୫/୬ ଟଙ୍କା । ଷ୍ଟେସନରେ ବହୁ ସଂଖ୍ୟାରେ କଞ୍ଚା କଦଳୀକାନ୍ଧିମାନ ଗଦା ହୋଇଥିଲା । ସମ୍ଭବତଃ ସେଠାରୁ ବାହାରକୁ ପଠାୟାଏ । ତା'ପରେ ଟ୍ରେନ ଯାଇ କୋକ୍ରାଝରଠାରେ ପହଞ୍ଚିଲା । ବୋଡ଼ୋମାନଙ୍କର ପ୍ରଧାନ କର୍ମସ୍ଥଳ । ପୋଲିସ୍ ଓ ନିରାପତ୍ତା ରକ୍ଷୀମାନେ ବହୁ ସଂଖ୍ୟରେ ଜଗି ରହିଥିଲେ ।
୧୨ଟା ବାଜିଲା । ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ମିଳିଲା । ମୋର କାହିଁ ପଚାରିବାରୁ ଟିକେଟ କଣ୍ଡକ୍ଟରବାବୁ କହିଲେ, "ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସୁଛି ।
ଦୁଇ ପାଖରେ କ୍ଷେତ ଖମାର
ନିଉକୁଚବିହାର ପଡ଼ିଲା । ବଙ୍ଗଳା ମଧ୍ୟରେ ଟ୍ରେନ୍ ଚାଲିଲା । ତିସ୍ତାନଦୀ ଅତିକ୍ରମ କଲୁ । ଖୁବ୍ ବଡ଼ ନଦୀଟିଏ । ଜଳପାଇଗୁଡ଼ି ପରେ ନିଉଜଳପାଇଗୁଡ଼ି ଷ୍ଟେସନ ପଡ଼ିଲା । କଣ୍ଡକ୍ଟରବାବୁ ସେଠାରେ ମୋଠାରୁ ବିଦାୟ ନେଲେ । ମୁଁ ସିଟ୍ରୁ ଉଠି ତାଙ୍କ ହାତରେ ମୋ ହାତ ମିଳାଇଲି ।
ବହୁ ସଂଖ୍ୟାରେ ସପୁରୀ ସେଠାରେ ବିକ୍ରୀ ହେଉଅଛି । ସେଥିରୁ କିଛି କିଣିଦେଲି । ଦିଗହଜା ସପୁରୀ କ୍ଷେତମାନ ଲମ୍ବିଯାଇଥିଲା । ପ୍ରଥମେ ମୁଁ ତ ତାହା ସପୁରୀ କିଆରୀ ବୋଲି ଜାଣିପାରି ନ ଥିଲି । ସ୍ଥାନୀୟ ଯାତ୍ରୀମାନଙ୍କୁ ପଚାରି ଏହା ବୁଝିଲି । ବାଉଁଶ ଗଛ ମଧ୍ୟ ଲଗାଇ ବଡ଼ବଡ଼ କିଆରି କରାଯାଇଛି । ସପୁରୀ, ବାଉଁଶ ପ୍ରଭୃତିର କ୍ଷେତ ମୋ ପାଇଁ ନୂଆ ଥିଲା ।
ନଳିତା ଚାଷ ପରେ ଧାନ ଚାଷର ଆୟୋଜନ ଚାଲିଛି । ଗାଈ ମଇଁଷି ଦଳଦଳ ହୋଇ ଚରୁଛନ୍ତି । ଗାଈଆଳ ପିଲା ମଇଁଷି ଉପରେ ବସିଛନ୍ତି ଖୁବ୍ ଆରାମରେ । ଗୋଟିଏ ଜାଗାରେ ଦେଖିଲି ଦୁଇଟି ପିଲା ଗୋଟିଏ ବଡ଼ ମଇଁଷି ପିଠିରେ ବସି ତାସ ପାଲି ପକାଉଛନ୍ତି । ମଇଁଷି ନିଶ୍ଚିନ୍ତରେ ତା'ର ଚରିବାରେ ଲାଗିଛି । ଧାଇଁଥିବା ବସ୍ଗୁଡ଼ିକର ଛାତ ଉପରେ ଯାତ୍ରୀମାନେ ବସିଛନ୍ତି । କିଶାନଗଞ୍ଜ ଠାରେ ତ ଦେଖିଲି ଟ୍ରେନ ଛାତ ଉପରେ ଶହ ଶହ ଲୋକ ବସିଛନ୍ତି । ରେଳ ରାସ୍ତାକଡରେ ଆକାଶିଆ ଗଛ ଗୁଡ଼ିକର ଶୋଭା ଖୁବ୍ ସୁନ୍ଦର ଦିଶୁଛି । ନାଲି ନଳିତା କିଆରୀର ଶୋଭା ଭାରି ଭଲ ଲାଗିଲା ।
ମାଲ୍ଦାଠାରେ ଟ୍ରେନ ରହିଲା । ସେତେବେଳେ ସନ୍ଧ୍ୟା ୮ଟା । କିଛି ଆମ୍ବ କିଣିଲି ।
ଘଣ୍ଟାକ ପରେ ଯାହା କିଛି ରାତ୍ରୀଭୋଜନ କରି ବିଶ୍ରାମ ନେଲି । ହାଓଡ଼ା ଷ୍ଟେସନରେ ଭୋର ହେଲା । ନିତ୍ୟକର୍ମ ସାରି ସେଠାରେ ଉଠିଥିବା ଓଡ଼ିଆ ଯାତ୍ରୀମାନଙ୍କ ସହ ସୁଖ ଦୁଃଖ ହେଲି । ଶୁଣିଲି, ବାଲେଶ୍ୱର ପାଖରେ ଗତକାଲି ଗୋଟିଏ ଦୁର୍ଘଟଣା ଘଟିଥିଲା । ସେଥିପାଇଁ ଧଉଳି ଏକ୍ସପ୍ରେସ୍ ବନ୍ଦ ହୋଇଛି ।
ପରିଚିତ ଅଞ୍ଚଳ ମଧ୍ୟରେ ଟ୍ରେନ୍ ଆଗେଇ ଚାଲିଲା । ଶ୍ୟାମଳ ଧାନକ୍ଷେତ, ନଦୀନାଳ, ବଣପାହାଡ଼, ଧାଇଁଛନ୍ତି ସତେ ଯେମିତି ଓଡ଼ିଶାର ଗାଆଁ ଗଣ୍ଡାରେ ଥିବା ଟୁବି ଗଡ଼ିଆ, ବାଡ଼ି ବଗିଚା, ବାଉଁଶ ବଣ, ନଳିତା କିଆରି, ପାଠଶାଳା ଆଦି ମନରେ ଆନନ୍ଦ ଭରିଦେଲା । ଭୁବନେଶ୍ୱରଠାରେ ଟ୍ରେନ ଅପରାହ୍ନ ଗୋଟାଏ ବେଳେ ପହଞ୍ଚିଲା । ଆମେ ସବୁ ନିଜ ନିଜ ବାଟରେ ଘରବାହୁଡ଼ା ହେଲୁ ।
୪୮