କାଳିଜାଇ
(ଗୋଦାବରିଶ ମିଶ୍ର)
ଭଲ କରି ନାଆ ବୁହାରେ ନାଉରି !
ଝିଅକୁ ମାଡ଼ୁଛି ଡର;
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ,
ଝିଅ ଯିବ ଶାଶୂଘର...
ଭଲ କରି ନାଆ ବାହୁଛି ନାଉରି
ତଲେଇ କରିଛି ଠିଆ;
ମାମୁଁଭଣଜାର କୋଣରୁ ଆସେ ଲୋ,
ବୋହି ସୁଲୁ ସୁଲୁ ବାଆ...
ଦିନ ଦଶ ଘଡ଼ି ହେଲାଣିଟି ଆସି
ଖରା ମାରେ ଚାଇଁ ଚାଇଁ;
ପାଞ୍ଚ କୋଶ ବାଟ ଯିବାକୁ ଅଛିଲୋ
ବେଳ ତ ପାଇବ ନାହିଁ...
ନାଉରି ବାପୁଡ଼ା କାତ ମାରୁଅଛି
ଉଦାସେ ଗାଉଛି ଗୀତ;
ନାଆ ଉଡ଼ିଯାଏ ପବନ ପ୍ରାୟେଲୋ
ଜଣା ନ ପଡ଼ଇ ବାଟ...
ମାଆ ଭଉଣୀଙ୍କି, ସାଥୀ ସଙ୍ଗାତଙ୍କୁ
ଝିଅ ଯେ ଆସିଛି ଛାଡ଼ି;
ନାଆରେ ବସି ସେ ତାଙ୍କରି କଥା ଲୋ
ହୁଏ ନିରନ୍ତରେ ଭାଳି...
ମାଆ ଭଉଣୀଏ,ସାଥୀ ସଙ୍ଗାତେ ସେ
ରହିଲେ ଦୂରସ୍ଥେ କାହିଁ;
ପରତେ ନୋହୁଛି ଆଉ କି ଦିନେ ଲୋ
ଫେରି ସେ ଦେଖିବ ଯାଇ...
ନାଆ ଚାଲିଅଛି ପବନ ସମାନେ,
ମୁହୂର୍ତ୍ତେ ନ ହୁଏ ଥୟ;
ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ,
ଅନାଇ ଦେଖନ୍ତା ଝିଅ...
ଘଣ୍ଟଶିଳା ଶିଖେ ଚାହିଁ ସେ କହନ୍ତା-
‘ଦିଅରେ ମେଲାଣି ମୋତେ;
ଭେଟ ଆଉ ଦିନେ ନୋହିବ ଜୀବନେ
ଯାଉଛି ଘୋର ବନସ୍ତେ...
ଶାଳିଆ ନଈ ତା’ ନିତିଦିନ ସାଥୀ
ସୁଖେ ସେ ବୁଲଇ କୂଳେ;
ବେଳେ ସୁଏ ତା’ର ସ୍ନାହାନ ସାରି ଲୋ
ହସି ଲେଉଟଇ ଘରେ...
କାଳିଅନ୍ଧାରୁଁ ସେ ଚାଲି ଯେ ଅଇଲା
ଦେଖି ତ ନାହିଁଛି ତାକୁ;
ଭାରି ଖ୍ୟାତ ନଈ, ନାଆଁଟି ତା’ର ଲୋ,
ତିନି କୋଡ଼ି କୋଶେ ଡାକୁ...
ମାଆ ଭଗବତୀ ପୀଠ କୂଳେ ତା’ର,
‘ଜଗତତାରିଣୀ’ ନାଆଁ,
ଡାକି କହିଥାନ୍ତି, ନୋହିଲା ଆଉ ଲୋ,
‘ସାହା ମୋ ଥିବୁଟି, ମାଆ...
ନାଆ ଆସି ହେଲା ଦଣ୍ଡକେ ପ୍ରବେଶ
ଚଢ଼େଇହଗା ପାହାଡ଼େ,
ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ
ରହିଲା ଶାଳିଆ ଦୂରେ...
ଚାହୁଁ ଚାହୁଁ ଆସି ଛୁଇଁଲା ତ ନାଆ
ଗଣ୍ଡ ତଡ଼ କଳା ପାଣି;
ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ,
ତିନ୍ତେ ପିନ୍ଧା ଛିଟ କାନି...
‘ପାରିକୁଦ ବୋଲି ରାଇଜ ପୁଣି ସେ
ଚିଲିକା ମଝିରେ କାହିଁ;
କେମନ୍ତେ ମୂର୍ଛିଲ ଝିଅକୁ, ବାପା ହେ,
ଏତେ ଦୂରେ ଦେବା ପାଇଁ ?...
ବର ବୋଲି ଯାର ଧରାଇଲ ହାତ
କି ତା’ର ଦେଖିଲ ଶିରୀ ?
ରୂପ ବିଦ୍ୟା ଆଉ ବିଭବ, ବାପା ହେ,
ତିହ୍ନିଏ ତିହ୍ନିକି ବଳି୤
ମହୀମଣ୍ଡଳେ ତ ନଥିବ କେ କାହିଁ
ମୋ ଭଳି ନିରେଖ ଜନ;
ଏ ମହାସମୁଦ୍ର ମଝିରେ, ବାପା ହେ,
କେମନ୍ତେ ବଞ୍ଚିବି ଦିନ ?
ଏଡ଼େ ହୀନିମାନ କରିବାକୁ ଯେବେ
ମନରେ ଥିଲା ବିଚାର,
ଏନ୍ତୁଡ଼ିଶାଳେଟି, କିପାଇଁ, ବାପା ହେ,
ତଣ୍ଟି ଚିପି ନ ମାରିଲ ?
ଝିଅକୁ ନିଶ୍ଚିନ୍ତେ ଦେଇଛ ପଠାଇ
ବନସ୍ତକୁ ଜାଣୁ ଜାଣୁ;
କପାଳ ଆଦରି ଯାଉଛି, ବୋଉ ଲୋ,
ପାସୋରି ନ ଦେବୁ ମନୁଁ୤’
ନାଆ ଉଡ଼ିଯାଏ ପବନ ସମାନେ,
ନାହିଁ କ୍ଷଣେ ହୁଏ ଥୟ;
ଝିଅ ବସିଅଛି ତୁନିଟି ହୋଇ ଲୋ,
ନେତ୍ରୁ ବୋହିଯାଏ ଲୁହ୤
‘ନାଆ ଚାଲିଅଛି ପବନ ସମାନେ,
ନ ମାନେ ପାଣି ପଥର;
ତୁନି ହୁଅ, ଜାଇ, ନ କାନ୍ଦ ଆଉ ଲୋ,
ଏଇ ଦିଶିଲାଣି ଗଡ଼୤’
ଏତେ ବୋଲି ବାପା ଝିଅର ଆଖିରୁ
ଦେଲେ ଲୁହଧାର ପୋଛି,
ଯେତେ ପରି ତାକୁ ବୁଝାନ୍ତି ବସି ଲୋ,
ଜାଇ ବୁଝୁ ନାହିଁ କିଛି୤
‘ଭଲ କରି ନାଆ ବୁହା, ରେ ନାଉରି,
ଝିଅକୁ ମାଡ଼ୁଛି ଡର;
ଏତେ କାଳେ ଜାଇ ନାଆରେ ବସିଛି,
ଯିବ ବୋଲି ଶାଶୂ ଘର୤’
ଭଲ କରି ନାଆ ବାହୁଛି ନାଉରି,
ଭିଡ଼ି ମାରୁଅଛି କାତ;
ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ,
ଜଣା ନ ପଡ଼ଇ ବାଟ୤
ନାଆ ଭାସି ଆସି ଦଣ୍ଡକ ଭିତରେ
ମଝି ଗଣ୍ଡେ ହେଲା ଯାଇ;
ଥିର ହୋଇ ହେଲା ନାଉରି ଠିଆ ଲୋ,
କାତ ଆଉ ପାଉ ନାହିଁ୤
ଭାଲେରି-ଶିଖାରୁ କଳା ମେଘ ଖଣ୍ଡେ
ଉଠେଇ ଆସିଲା କାହୁଁ;
ଲୁଚିଗଲେ ତହିଁ ସୂର୍ଯ୍ୟ ଦେବତା ଲୋ,
ଖରା ନପଡ଼ଇ ଆଉ୤
ମାଡ଼ି ଆସୁଅଛି ଅତି ବେଗେ ମେଘ,
ଜଟିଆ ନାସିକ ଧରି;
ବରଷା ବତାଷି ଗରଜୁ ଅଛି ଲୋ,
ଦିନ ଦିଶେ ରାତି ପରି୤
ନାଆ ପଡ଼ିଅଛି ମଝି ଗଣ୍ଡେ ଆସି,
ବୁଡ଼ିଯିବ ହାତୀ ଛତି;
ଟଳମଳ ହୋଇ ଟଳୁଛି ନାଆ ଲୋ,
ନାଉରିର ବଡ଼ ଭୀତି୤
‘ଭଲ କରି ବେଗେ ବୁହାରେ ନାଉରି,
ନାଆ ହେଲା ଟଳମଳ;
ବରଷା ବତାଷି ଗରଜି ଆସୁଛି,
ଝିଅକୁ ମାଡ଼ୁଛି ଡର୤
ବରଷା ବତାଷି ଗରଜି ଆସିଲା,
ନାଆ ନୁହେଁ ଥୟ କରି;
ଏକା ପବନକେ ପାହାଡ଼େ ଯାଇ ଲୋ,
ପିଟି ହୋଇଗଲା ଚୂରି୤
ମେଘ ଚାଲିଗଲା ମେଘର ବାଟେ ସେ,
ବତାସି ହୋଇଲା ଥିର;
ପଡ଼ିଗଲା ଖରା ନିର୍ମଳହୋଇ ଲୋ,
ପାଣି ହୁଏ କଳ କଳ୤
ବାପା ପଚାରନ୍ତି ଖୋଜି ନାଉରିରେ
‘ଝିଅ ମୋର ଗଲା କାହିଁ ?’
ବୁଜି ଆଖି ଠିଆ ନାଉରି ନିଜେ ଲୋ,
ତୁଣ୍ଡ ତା’ ଫିଟଇ ନାହିଁ୤
ଚିଲିକା ପାଣିରେ ଦୋଳୁଛି ଲହରୀ,
ବୋହୁଛି ଶୀତଳ ବାଆ,
ସୋରି ସୋରି ଖରା ଜଳିଯାଉଛି ଲୋ,
ଖେଳୁଛି ସହସ୍ର ନାଆ୤
ପାହାଡ଼ ଚଢ଼େଇ ଉଡ଼ୁଅଛି ରାବି,
ମନେ କି ଅଛି ତା’ ଧୋକା ?
ପାଣି ତଳେ ଛାଇ ବୁଲିଯାଉଛି ଲୋ,
ଜାଇଟି ନାହିଁକି ଏକା୤
ବାପା ଫେରି ଆସି ବୋଉଙ୍କ ଆଗରେ
କଥା ନ ପାରନ୍ତି କହି;
ଆର ଦିନ ପୁଣି ନାଉରି ଗଲା ଲୋ,
ନାଆ ସେହି ବାଟେ ବାହି୤
କେତେ ଶ ବରଷ ହେଲାଣି ସେଦିନୁଁ,
ଗଣି କି କହିବ କିଏ ?
ନାହିଁ କିଛି ଆଉ ସେକାଳ କଥାଲୋ,
ଜାଇ ରହିଅଛି ଜୀଏ୤
ବାଲୁଁ ଗାଆଁ କୂଳୁଁ ନାଆ ଗଲାବେଳେ
ପାରିକୁଦ ଗଡ଼ଠାକୁ,
ପାହାଡ଼ ସମୀପେ ମଣିଷ ତୁଣ୍ଡ ଲୋ,
ନ ଶୁଣାଯାଏ କାହାକୁ ?
ବରଷା ବତାଷି ଚିଲିକାରେ ଆଉ
ହୁଏ ନାହିଁ ତେଡ଼େ ଭଳି,
ଆପଦେ ବିପଦେ ଜଣା ପଡ଼ଇ ଲୋ;
ସାହା କିଏ ଥିଲା ପରି୤
ନାଉରି କେଉଟ ପାହାଡ଼ ବାଟେ ତା’
ନାଆ ନେଇ ଗଲାବେଳେ,
କାମେ ଆପଣାର ଶୁଭ ମନାସି ଲୋ,
ଜୁହାର କରଇ ଥରେ୤
ତୋଳିଲେ ପାହାଡ଼-ଶିଖେ କାଳେ ଭକ୍ତେ
ସୁନ୍ଦର ଦେଉଳଟିଏ;
ସେ ଦେଉଳେ ପୁଣି ସମୁଦ୍ରେ ସତେ ଲୋ,
ରହିବ ଦେବତା କିଏ ?
ସୂର୍ଯ୍ୟ ବୁଡ଼ିଗଲେ, ନିଶବ୍ଦ ଯେବେ
ହୁଏ ସବୁ ସଞ୍ଜବେଳେ;
ଏକାହୋଇ ଜାଇ, ଲୋକେ କହନ୍ତି ଲୋ,
ବୁଲୁ ଯେ ଥାଏ ପାହାଡ଼େ୤
ନେତ୍ରୁଁ ବୋହୁଥାଏ ଲୁହ ଦୁଇ ଧାର,
ଶୁଖି ଯାଇଥାଏ, ମୁହଁ;
ହେଲେ, ଠାରି ହାତ, କାନ୍ଦି, କାହାକୁ ଲୋ;
ନିବର୍ତ୍ତାଇ କରେ ଥୟ୤
ସେ ଯୋଗେ ନୋହୁଛି କାଳିଜାଇ ଗଣ୍ଡେ
ଏଡ଼େ ଆଉ ଝଡ଼ ବାଆ;
ତହିଁ ବୁଡ଼ିବାର ଶୁଣା ନ ଯାଏ ଲୋ,
ଯହିଁ ଯେତେ ବୁଡ଼ୁ ନାଆ୤
କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା,
କୋଟି କୋଟି ଦଣ୍ଡବତ;
ପାହାଡ଼ର ନାଆଁ ରାଇଜେ ଖ୍ୟାତ ଲୋ,
‘କାଳିଜାଇ ପରବତ’୤