କୀଚକ ବଧ ଲେଖକ/କବି: ଗଙ୍ଗାଧର ମେହେର
ତୃତୀୟ ସର୍ଗ


ତୃତୀୟ ସର୍ଗ

ଦିନ ଅଭିନୟ ଅବସାନେ ହେଲା
                   ସନ୍ଧ୍ୟା ଯବନିକାପାତ,
ଦିବସ ବେଶକୁ ଭିନ୍ନ ଭିନ୍ନ କରି
                   ବିଭାବରୀ ସମାୟାତ ।
ପ୍ରକୃତି-ଯନ୍ତ୍ରରେ ଖଣ୍ଡ ଖଣ୍ଡ କରି
                   ପ୍ରଭାକର-ମହାମଣି,
ନିଜ ଅବୟବ ଅଳଙ୍କୃତ କଲା
                   ଗଢ଼ି ତାରା ନିଶାମଣି ।
ଜ୍ୟୋତ୍ସ୍ନା-ଉଦ୍ଭାସିତ ତାରାବୃତ ନୀଳ
                   ବିହାୟସେ ସୁଧାକର,
କ୍ଷୀରାର୍ଣ୍ଣବ-ଶେଷ-ମଣି ମଧ୍ଯ ବିଷ୍ଣୁ
                   କୌସ୍ତୁଭବତ ସୁନ୍ଦର ।
ଭାନୁ ଗଭଣ୍ଡିକି ଆଉଟି ଢାଳିଲା
                   ପ୍ରଦୀପ-ପ୍ରସୂନ ଛାଞ୍ଚେ,
ଚକ୍ରବାକ-ହୃଦ-ସୁଖରତ୍ନ ନେଲା
                   ଚକୋରକୁ ଦେବା ପାଞ୍ଚେ ।
ପଦ୍ମବନୁ ଲକ୍ଷ୍ମୀ ଶିବିରକୁ ନେଇ
                   ଟେକିଲା ମଲ୍ଲିକାବନେ,
ସୂର୍ଯ୍ୟ ମୁଖୀ-ମୁଖ-ଲାବଣ୍ୟକୁ ଦେଲା
                    ନବମାଳିକା ବଦନେ ।
କୁସୁମାଲିଙ୍ଗନ-ବିଲୁଣ୍ଠିତ ଧୂଳି-
                    ଧୂସରିତ କଳେବର,
ଆମୋଦପ୍ରଦାୟୀ ଧୀର ପବମାନ
                    ନୃତ୍ୟ କଲା ଘର ଘର ।
ବିଚଳିତ ହେଲେ ବୃକ୍ଷବଲ୍ଲୀଚୟ,
                     ଦିଗ ହେଲା ଆମୋଦିତ,
ନରନାରୀଙ୍କର ହୃଦୟେ ମଦନ-
                      ସିନ୍ଧୁ ହେଲା ତରଙ୍ଗିତ ।
ଚନ୍ଦ୍ରିକାଲିଙ୍ଗନ-ସୁଖେ ପ୍ରଫୁଲ୍ଲିତ
                      ହୃଦୟ ସରିତ-ପତି,
ସରିତଙ୍କ ପ୍ରତି ଅନାଦର କରି
                      ଠେଲିଦେଲା ପଛକତି ।
ମୁହଁ ଫୁଲାଇଲେ ନଦୀଏ, ସାଗର
                      ରୀତିକି ଲୋକେ ଜୁହାର,
ବୋଲିବାରୁ ତାର ଅପଭ୍ରଂଶେ ଏବେ
                      ବୋଲନ୍ତି ତାକୁ ଜୁଆର ।
ସୁଧାକର ନାରୀ-ବଦନକୁ କାନ୍ତି
                      ପୁଟରେ କରି ରଞ୍ଜନ,
ଲଗାଇଲେ ଆଣି ପୁରୁଷମାନଙ୍କ
                      ନୟନେ ମଦନାଞ୍ଜନ।
ଚମ୍ପକ-ଗଉରୀ ଚମ୍ପକର ହାର
                      ଚନ୍ଦନ ଚାରୁ ବସନ,
ଉପଭୋଗ କରି ପଲ୍ୟଙ୍କର
                      ଅଙ୍କ ଆଶ୍ରିଲେ ରସିକଗଣ ।
ନଗରରେ କ୍ରମେ ରୁଦ୍ଧ ହୋଇଗଲା
                      ଗୃହମାନଙ୍କର ବାଟ,
ନିଦ୍ରା ସେହିରୂପେ ପକାଇ ଆଣିଲା
                      ମାନବେ ନେତ୍ର-କପାଟ ।
ନିଦ୍ରା-ମହୋଦଧି-ସ୍ବପନ ତରଙ୍ଗେ
                       ଭାସି ଭାସି ଜୀବଗଣ,
କଲେ କେତେ ମହା-ଅଭୁତ ବିଷୟ
                        ପ୍ରତିବିମ୍ବ ଦରଶନ ।
କାମତୃଷାକୁଳ କୀଚକ କେବଳ
                        ତହିଁରୁ ଅଛି ବାହାର,
ଲାଗିଛି ଦଉଡି ବିଷମ ଦୁରାଶା
                        ମୃଗତୃଷ୍ଣାକୁ ତାହାର ।
ଯହିଁ ପ୍ରଭାବତୀ ଦ୍ରୌପଦୀ-ମୂରତି
                        କୁସୁମ-ହସିତ ଲତା,
ପ୍ରତିବିମ୍ବ ପଡ଼ି ନୟନରେ ତାର
                        ଦେଉଅଛି ଶୀତଳତା ।
ସେହି ଶୀତଳତା କରୁଅଛି କିନ୍ତୁ
                        ବୃଦ୍ଧି ତା ହୃଦୟ ଦାହ,
ସ୍ବଭାବ-ଶୀତଳ ଜଳପାତେ ଯଥା
                        ତପତ ତୈଳ-କଟାହ
ଦାସୀକି ପଚାରି ଅବସ୍ଥିତ ବୀର
                        ହୋଇଥିଲା ପୂର୍ବ ଯାମେ,
ରମଣୀରତନ ରାଜଗୃହ ମଧ୍ୟ
                        ରହେ ସଇରିନ୍ଧ୍ରୀ ନାମେ ।
କେ ତାର ଜନକ, ଅଛି କି ନା ପତି
                        କାହିଁ ବା ପୂର୍ବ ନିବାସ,
କେଉଁ ଉଦ୍ଦେଶ୍ୟରେ ଏ ପୁରେ ଆଗତ
                         ତାହା ନୁହେଁ ସୁପ୍ରକାଶ |
ବାସ ଭୂଷଣରୁ ପ୍ରକାଶିତ ହୁଏ
                         ସଧବା ଲକ୍ଷଣଯାକ,
ଉଚ୍ଚକୁଳ ବଧୂ-ପରିଚାୟକ ତା’
                         ଆଚରଣ ଆଉ ବାକ୍ୟ ।
ସୈରିନ୍ଧ୍ରୀ ହେଲେ ହେଁ ରାଜପୁର ମଧ୍ୟେ
                         ଦେଖିଲେ ତାହାର ଠାଣି,
ବୋଧହୁଏ ତାର ଆଗେ କିଛି ନୁହେଁ
                         ଅମର-ନଗରରାଣୀ,
ଧର୍ମରାଜଙ୍କର ମତିକି ସେ ନିଜ
                         ବିବେକରେ ପାରେ ଜିଣି,
ରାଜପୁର ନାରୀମଣ୍ଡଳକୁ ସ୍ନେହ
                         ମୂଲ୍ୟ ନେଇଅଛି କିଣି ।
ବିରାଟମହିଷୀ ହୋଇଛନ୍ତି ତାର
                          ପବିତ୍ର ଚରିତ୍ରେ ବଶ,
ପାଇଛନ୍ତି ପରା ବିଶ୍ୱ-ଲୋଭନୀୟ
                          ବିଶୁଦ୍ଧ ସୁବର୍ଣ୍ଣ କସ |
ନାଗରୀର କଥାମାନ ହେଲା ତାର
                          ହୃଦୟପଟେ ଲିଖିତ,
ପଢ଼ି ପଢ଼ି ତାହା ହେଲା ସ୍ବଭାବତଃ
                          ପ୍ରେମ ଧର୍ମରେ ଦୀକ୍ଷିତ |
ଯୁବତୀରତନ ଲାଭ କଥା ତାର
                          ପ୍ରାଣେ ହେଲା ମୂଳମନ୍ତ୍ର,
ମନୋରାଜ୍ୟେ କ୍ରମେ ଚଳିଲା ଶାସନ
                          ପ୍ରଣାଳୀ ମଦନତନ୍ତ୍ର ।
ନ୍ୟାୟଦେବଙ୍କର ବ୍ୟବସ୍ଥା ସକଳ
                          ଅଚିରେ ହେଲା ରହିତ,
ଚଳିଲା ମନ୍ତ୍ରଣା ଅବିରତ ମଦ-
                          ମୋହ ମନ୍ତ୍ରୀଙ୍କ ସହିତ |
ସ୍ଥିର କଲା ବୀର ବିବିଧ ଉପାୟେ
                          ନାରୀକି କରିବି ବଶ,
ମୋ ବୀର-ଗୌରବେ ଅତୁଳ ବିଭବେ
                          ତା' ପ୍ରୀତି ହେବ ଅବଶ୍ୟ ।
ଗୃହଲକ୍ଷ୍ମୀ କରି ରଖିବି ବାମାକୁ
                          ହେବ ଯଦି ତାର ମତ,
ନ ହେଲେ ଜୀବନ ଯାପିବି ହୋଇ ତା
                          ଗୁପତ ପ୍ରଣୟେ ରତ ।
କେବେ ଦରଶନ ନେଉଥିବି ତାର
                          ସୁରମ୍ୟ ନିକୁଞ୍ଜ ବନେ,
ହୃଦାଚଳ ତାପ ଶାନ୍ତ କରୁଥିବା
                           ତା’ ତନୁ ଘନାଲିଙ୍ଗନେ ।
ଢାଳି ଦେଉଥିବ ତହିଁ କୃପାମୟୀ
                           ଅନୁକମ୍ପା-ସୁଧାଝରି,
ଇନ୍ଦ୍ରପଦେ ପାଦ ଦେଉଥିବି ତାହା
                           ସ୍ଥାନରେ ପରାଣ ଭରି |
ଅଟ୍ଟାଳୀ ଉପରେ ଥାଇ କେବେ ମୋତେ
                           ଦେଖି ଦେଉଥିବ ହସି,
ସ୍ୱର୍ଗସୁଖରାଶି ଆସି ତେବେ ମୋର
                           ହାତେ ପଡ଼ୁଥିବ ଖସି ।
ନିଭୃତ କକ୍ଷରେ ଭେଟି କେବେ ଅବା
                           ଚିବୁକ ଚୁମ୍ବିବି ତାର,
ପ୍ରେମ-ବିସ୍ତାରିତ ଶ୍ରୀମୁଖ-କମଳ
                           ଦେଖୁଥିବି ବାରମ୍ବାର |
ରମଣୀମଣିର ଈପ୍‌ସିତସାଧନ
                           ହୋଇଥିବି ସଦା ରତ,
ପ୍ରୀତି-ବ୍ରତତୀର ପ୍ରୀତିସମ୍ପାଦନ
                           କରିବି ଜୀବନବ୍ରତ ।
ଆଉ ଅନ୍ୟ କଥା ହୁଏ ଯଦି ତାର
                           ପ୍ରୀତି ପାଇଁ ପ୍ରୟୋଜନ,
କୁଣ୍ଠିତ ନ ହେବି କଦାପି ଜୀବନ
                           କରିବାକୁ ବିସର୍ଜନ ।
ଏରୂପେ କୀଚକ ଗଢେ ମନେ ମନେ
                           ଆଶାର ଅମରାବତୀ,
ନ ଭାବଇ ତିଳେ ପତଙ୍ଗ-ଦଉଡ଼
                           ହେଉଛି ପାବକ ପ୍ରତି ।
ଚଞ୍ଚଳ ହେଲା ସେ କରିବା ପାଇଁକି
                            ସଂକଳ୍ପିତ ଅନୁଷ୍ଠାନ,
ବିରକ୍ତିଦାୟିନୀ ନିଶା ତା’ ପକ୍ଷରେ
                            ନ ହେବାରୁ ଅବସାନ ।
ବାରମ୍ବାର ଉଠି ସୌଦାମିନୀ ଗଣ୍ଡ-
                            ଚୁମ୍ବୀ ଅଟ୍ଟାଳିକା-ଚୂଳେ,
ପ୍ରଭାତୀ ତାରାର ପଥ ଚାହୁଁଥାଏ
                            ଦୃଷ୍ଟି ଦେଇ ପ୍ରାଚୀ-ମୂଳେ ।
ଭ୍ରାନ୍ତ ବାୟସର ଅସମୟ ସ୍ବର
                            ଶ୍ରବଣରେ ଥରେ ଥରେ,
ନିଶାଶେଷ ମଣି ଦୂତୀ ପେଶିବାକୁ
                            ଉଠିପଡ଼େ ତରତରେ ।
ବହୁ ବିଳମ୍ବରେ ସୁଧାକର ଚନ୍ଦ୍ର
                            ପଡ଼ିଗଲେ କାଳବଳେ,
ବାରଣ ଗ୍ରାସରେ କପିତ୍ଥ ପରାୟେ
                            ବାରୁଣୀ ମହାକବଳେ ।
ଛିଣ୍ଡାଇ କୁସୁମ-ହାର ବିଭାବରୀ
                            ବଲ୍ଲଭ-ବିରହ-ଦୁଃଖେ,
କେତେ ବିଳପିଲା ବିକଳ ବାକ୍ୟରେ,
                            କଜ୍ଜ୍ୱଳପତ୍ରୀର ମୁଖେ।
ଶେଷେ କାବ୍ୟ-ମଣି-କୁନ୍ତଳା ପଶିଲା
                            ଅରୁଣ-ଚିତା-ଅନଳେ,
ଧୂମରାଶି ଯା’ର ବାଷ୍ପ ବ୍ୟପଦେଶେ
                            ଉଠିଲା ଜଳଧି ଜଳେ ।
ଦ୍ୱିଜରାଜ ହତେ ଦଳଦଳ ହୋଇ
                            କାନ୍ଦିଲେ ଦ୍ବିଜ ସକଳ,
ଦ୍ୱିଜ ଧୋଇ ଦ୍ୱିଜଗଣ ଅପସ୍ନାନ
                           କରିଦେଲେ ପ୍ରେତଜଳ ।
ଉଦୟ ପର୍ବତ ଉଚ୍ଚ ସିଂହାସନ
                            ପାରି ସ୍ୱର୍ଣ୍ଣ-ଆସ୍ତରଣ,
ମରୀଚି-ମୁକୁଟଶିରେ ଦିନରାଜ
                             କଲେ ଶୁଭ ଆରୋହଣ ।
ଟେକିଲା ନଳିନୀ ପଦ୍ମ-ରାଜଛତ୍ର
                           ରବି ପ୍ରତିବିମ୍ବ ଶିରେ,
ମତ୍ସ୍ୟ ଦ୍ୱିଜଗଣ ଅଭିଷେକ କଲେ
                           ଉତ୍‌କ୍ଷିପ୍ତ ବିମଳ ନୀରେ ।
ବେଦ ଉଚ୍ଚାରିଲେ ମଧୁର ବିରୁତ
                            ଧବଳ ଗରୁତମାନେ ।
ଚକ୍ରବାକ ତହିଁ ବିସଖଣ୍ଡ-ଦଣ୍ଡ
                            ଧରି ଆସେ ସନ୍ନିଧାନେ।
ନିଶାଚରଙ୍କର ଉପଦ୍ରବ ସୌର
                           ରାଜ୍ୟରେ ରହିଲା ନାହିଁ,
ଚୌରେ ହେଲେ ଭୀତ ତିମିର ଅରାତି
                           ଲୁଚିଗଲେ କାହିଁ କାହିଁ ।
ସଂସାର-ସାଗରେ ଛାଡ଼ିଲେ ପ୍ରାଣୀଏ
                           ନିଜ ନିଜ କର୍ମ-ତରୀ,
କ୍ଷୁଧା-ଯଜ୍ଞବଳି ଲୋଡ଼ିଲେ ବିହଙ୍ଗେ
                           ପବନ ବନେ ସଞ୍ଚରି ।
ଏହି ସମୟରେ ମୁଖ ପ୍ରକ୍ଷାଳନ
                          ପାଇଁ ସୁବାସିତ ପାଣି,
ସୁବର୍ଣ୍ଣ ଝରିରେ କୀଚକ ପାଶକୁ
                          ଦାସୀ ଏକ ଦେଲା ଆଣି |
ସେହି ଦାସୀକି ସେ ଯୋଗ୍ୟ ଦୂତୀ ମଣି
                          ବୋଇଲା, ‘‘ଆଲୋ ଚପଳେ,
ମୋ ତପ୍ତ-ତନୁରେ ଶୀତଳ ଚନ୍ଦନ
                           ବୋଳି ପାରିବୁ କି ପଳେ ?"
ଚପଳା ବୋଇଲା, "ଏ କି ଚମତ୍କାର,
                             ଆଜ୍ଞା ଦେଲେ ଏକ ପଳେ,
ମଣ୍ଡି ଦେଇପାରେ ଶ୍ରୀଅଙ୍ଗ ଚନ୍ଦନ
                            କର୍ପୂରବାସ-ଉତ୍ପଳେ ।
କୀଚକ ବୋଇଲା, ‘ଆଣିପାରୁ ଯେବେ
                            ମୋହ ଈପ୍ସିତ-ଚନ୍ଦନ,
ତ୍ରୁଟି ନ କରିବି ଦେବା ପାଇଁ ଲବେ
                            ତୋହର ବାଞ୍ଛିତ ଧନ ।
ଯେଉଁ ବସନରେ ଯେଉଁ ଭୂଷଣରେ
                            ଅଭିଳାଷ ହେବ ତୋର,
ସେହିକ୍ଷଣି ସେହି ପୁରସ୍କାର ଦାନେ
                            ଅସମ୍ମତି ନାହିଁ ମୋର ।’’
ଦାସୀ କହେ, ‘‘ପ୍ରଭୋ, କେଉଁ ଚନ୍ଦନରେ
                            ଏଡ଼େ ସ୍ନେହ ଛାମୁଙ୍କର ?
ଆଜ୍ଞା ହେଉ କିନା ଅତି ଯତନରେ
                             ଆଣିବ ଦାସୀ ସତ୍ୱର ।’’
କୀଚକ ବୋଇଲା, ‘‘ତ୍ରିଦଶ-ଅଙ୍ଗନା -
                             ସଦୃଶୀ ଏକ ଯୁବତୀ,
ରାଜଭବନରେ ଅବସ୍ଥାନ କରେ
                             ଦେଖିଥିବୁ ବୁଦ୍ଧିମତି !
କେତେଦିନୁ ଆସି ସୈରିନ୍ଧ୍ରୀ ନାମରେ
                             ନାରୀଗଣେ ପରିଚିତ
ପ୍ରାଣସ୍ନିଗ୍‌ଧକର ତା ସଙ୍ଗ-ଚନ୍ଦନ
                            ଏକା ମୋହର ବାଞ୍ଛିତ ।’’
ଚପଳା ବୋଇଲା, ‘‘ ଜାଣେ ସୈରିନ୍ଧ୍ରୀକି
                            ବାସ୍ତବ ସୁନ୍ଦରୀସାର,
ପୁରୁଷର ମନ ଆକର୍ଷିତ ହେବା
                             ତହିଁ ନୁହେଁ ଚମତ୍କାର ।
ପତି-ବିରହିଣୀ କପୋତୀ ପରାୟେ
                             ହୋଇ ଅଛି ଏକାକିନୀ,
ସହଜେ ଛାମୁଙ୍କ ନାମରେ ବାମାର
                             ମନ ଆଣିଦେବି କିଣି ।
ସୁନାସୀର-ପଦ କରଗତ ହେଲେ
                          କେ ଠେଲି ଦେଇଛି ପଦେ ?
ଅସମ୍ଭବ ସିନା ବିକଶିତ ପୁଷ୍ପ
                           ତଡ଼ିଦେବା ଷଟପଦେ |
ଯାଉଛି ରସିକ, ସୁନ୍ଦରୀମଣୀକି
                           ଛଳେ ବଳେ କଉଶଳେ,
ବାନ୍ଧି ରଖିଦେବି ପ୍ରଣୟ-ଫାଶରେ
                            ଛାମୁଙ୍କ ଚରଣ ତଳେ ।
କିନ୍ତୁ ଏ ପ୍ରସଙ୍ଗ ଲବମାତ୍ର ଜାଣି
                         ନ ପାରିବେ ସାଆନ୍ତାଣୀ,
ତାଙ୍କ କର୍ଣ୍ଣେ ଏହା ପଡ଼ିଲେ ମୋହର
                          ଉଠିଯିବ ଦାନାପାଣି ।
ଅଳଙ୍କାର କିଛି ନ ନେବି ଛାମୁରୁ
                         ନ ପିନ୍ଧିବି ପାଟଶାଢ଼ି,
ସାଆନ୍ତାଣୀ ଯଦି ସେ ବେଶ ଦେଖିବେ
                          ମୋ ମୁଣ୍ଡେ ପଡ଼ିବ ବାଡ଼ି ।’’
ଏହା କହି ପାଦେ ପ୍ରଣିପାତ କରି
                         ଚପଳା କଲା ପ୍ରସ୍ଥାନ,
ଉଦ୍ୟାନରୁ ଫୁଲ ଆଣିବା ଭରସା
                          ହୃଦୟରେ ଦେଇ ସ୍ଥାନ।
ସୈରିନ୍ଧ୍ରୀ ନିକଟେ ଉପଗତ ହୋଇ
                          ବସି ହେଲା ହସହସ,
ସୈରିନ୍ଧ୍ରୀ ବୋଇଲେ, ‘‘ ଦେଖୁଛି ଚପଳେ,
                           ଆଜି ତ ବଡ଼ ହରଷ !
ଚପଳା ବୋଇଲା, ‘‘ଦେଖିଲେ ତୁମ୍ଭଙ୍କୁ
                          ଦୁଃଖ ହୋଇଯାଏ ଦୂର,
ତୁମ୍ଭ ମଧୁରିମା ଅଟଇ ଜଗତେ
                          ଦୁଃଖ-ଭୂଧର-ଭିଦୁର ।
ମୋହୋ କଥା ଛାଡ଼, ପଡ଼ିଥିବ ଥରେ
                          ଯାହାର ନୟନପଥେ,
ଆନନ୍ଦ-ପ୍ରତିମା ହୋଇ ତା ହୃଦୟେ
                         ବସିଥିବ ଅବିରତେ ।
କେତେ ଦିନ ହେଲା ଦରଶନ ବିନା
                          ଘାଣ୍ଟି ହେଉଥିଲା ମନ,
ଉତ୍ସୁକ ମନର ତୃପ୍ତି ସାଧିବାକୁ
                        କଲି ଏକା ଆଗମନ ।’
ସୈରିନ୍ଧ୍ରୀ ବୋଇଲେ, ‘‘କେବେ ତୋ ମୁଖରୁ
                          ନ ଶୁଣେ ଏପରି କଥା,
କି ଘେନି ଚପଳେ, ଆରମ୍ଭି ବସିଲୁ
                          ବୃଥା ପ୍ରଶଂସା ଅଯଥା ?
ପ୍ରଶଂସ୍ୟ ଜନର ପରଶଂସା ଛାଡ଼ି
                          ମୋ ପ୍ରଶଂସାରେ କି ଫଳ,
କି ଲାଭ ଉଦ୍ୟାନ ପୁଷ୍ପତରୁ ଛାଡ଼ି
                         ବନ୍ୟ ବୃକ୍ଷେ ଦେଲେ ଜଳ ।"
ଚପଳା ଚପଳେ ବୋଇଲା, ‘‘ଏ କଥା
                              କହିଲ ସତ ସୁନ୍ଦରି !
ଭୋଗ୍ୟ ନୋହି ତୁମ୍ଭ ସୌନ୍ଦର୍ଯ୍ୟ ଝଡ଼ୁଛି
                           ଅରଣ୍ୟ-କୁସୁମ ପରି ।
ଯଦି ସେ କୁସୁମ ଆଦରେ କେ ନେଇ
                         ଚଢ଼ାଇବା ଦେବ-ଶିରେ,
କୁସୁମର ଶୋଭା, ଦେବ ସନ୍ତର୍ପଣ
                           ବଢ଼ିବ କି ନା ସେଥିରେ ?"
ସୈରିନ୍ଧ୍ରୀ ବୋଇଲେ, ‘‘ତୋ କଥାମତେ ମୁଁ
                         କାନନ-କୁସୁମ ସତ,
କିନ୍ତୁ ମୋତେ ଭୋଗ କରିବାକୁ ଛନ୍ତି
                            ପାଞ୍ଚ ଗନ୍ଧର୍ବ ସତତ ।
କୁସୁମ ତୋଳିବା ଦୂରେ ଥାଉ, କାହା
                          କୁସୁମ-ଲୋଭରେ ବନେ
ପରବେଶ କଥା ଗନ୍ଧର୍ବେ ଜାଣିଲେ
                           ସଂଶୟ ତାର ଜୀବନେ ।"
ଚପଳା ବୋଇଲା, ‘‘ମୋ ମତେ ସୁନ୍ଦରୀ
                               ଦେଖାଇ ଏପରି ଛଳ,
ନିଜ ସୁଖ-ଶିରୀ ଅବଜ୍ଞା କରିବା
                            ତୁମ୍ଭ ପକ୍ଷେ ନୁହେଁ ଭଲ ।
ଯଦି ଇଚ୍ଛା କରୁ ଗୁଣାଭିମାନିନି !
                          ନାୟକ ତୋ ଅନୁରୂପ,
ସୁଦେଷ୍ଣା ସୋଦର କୀଚକ ଅଛନ୍ତି
                          ଦ୍ୱିତୀୟ ବିରାଟଭୂପ ।
ବଳିଷ୍ଠ କୀଚକ ସମ୍ପଦ-ଗବୀର
                         ଶୃଙ୍ଗ ଦେଇଛନ୍ତି ଧରି,
ବିରାଟ ନରେଶ ଆନନ୍ଦରେ ଛନ୍ତି
                       ସୁଖେ କ୍ଷୀର ପାନ କରି ।
ଏଣୁ ଏ ରାଜ୍ୟରେ କୀଚକ ପ୍ରଭାବ
                              ହୋଇଅଛି ପ୍ରଭାବନ୍ତ,
ରାଜା ପରି ମାନ୍ୟ କରୁଛନ୍ତି ତାଙ୍କୁ
                           କି ପ୍ରଜା କିବା ସାମନ୍ତ |
ରାଜମହିଷୀଙ୍କ ସୋଦର, ତହିଁରେ
                            ରାଜାଙ୍କ ମହା ଆଦର,
ହୋଇଯାଇଅଛି ପତନ ସୁବର୍ଣ୍ଣେ
                           ସୋହାଗା, କ୍ଷୀରେ ଖଣ୍ଡର |
କୀଚକ ଶ୍ରୀମୁଖ-କମଳରୁ ଆଜ୍ଞା
                               ପାଖୁଡ଼ା ଝଡ଼ଇ ଯାହା,
ମହେଶ୍ୱର ଛଡ଼ା-କୁସୁମ ପରାୟେ
                               ଲୋକେ ଘେନୁଛନ୍ତି ତାହା ।
ସ୍ରୋତରୂପେ ବହି-ବସେ ଯେଉଁ ଦିଗେ
                                 କୀଚକ ମନ-କୀଲାଲ,
ରାଜଶକ୍ତି ସେହି ଦିଗକୁ ସତ୍ୱର
                                 ଖୋଳି କରିଦିଏ ଖାଲ ।
ଧନ ଦେଖି ଜନମନ ଭୁଲିଯାଏ
                                  ଜଗତେ ଅଛି ଏ ଖ୍ୟାତି,
ଧନ ପାଇଁ ଲୋକେ ଜୀବନ ଦିଅନ୍ତି
                           ଘୋର ଆହବରେ ମାତି I
ଧନ କରେ ଦାନୀ ଧନ କରେ ମାନୀ
                           ଜ୍ଞାନୀ କରିପାରେ ଧନ,
ଧନେ ବଢ଼େ ଠାଣି ଧନେ ବଢ଼େ ଆଣି
                              ଧନର ସେବକ ଜନ ।
ଧନ ସଙ୍ଗେ ପ୍ରଭୁ-ପଣ ରହିଥାଏ
                           ଧନହୀନ ସିନା ଦାସ,
ଧନ ଥିଲେ କିପାଁ ହୁଅନ୍ତା ତୁମ୍ଭର
                           ପର ଭବନରେ ବାସ ।
ଆଜନ୍ମ ମରଣ ଧନର ଉପରେ
                            ଜୀବନ ରଖଇ ଭାର,
ଏହା ଜାଣି ବିଷ୍ଣୁପ୍ରିୟା କରେ ଦେଇ-
                               ଛନ୍ତି ଧନ ଅଧିକାର ।
ପ୍ରମଦା-ମାନସ ଆକର୍ଷିତ ହୁଏ
                             ସ୍ୱଭାବେ ଧନିକ ଜନେ,
ବିଳସଇ ଶମ୍ପା ସେହି ଗୁଣ-ବଶେ
                             ଜଳଧନ-ପୂର୍ଣ୍ଣ ଘନେ।
ଆଉ ଏକ କଥା, ସୁନ୍ଦରୀ ଲୋଡ଼ଇ
                              ସଦା ପରାକ୍ରମଶାଳୀ,
ପଣ କରି ସୀତା ଶ୍ରୀରାମେ, ଅର୍ଜୁନେ
                              ବାଛିଲେ ଦ୍ରୌପଦୀ ବାଳୀ ।
କୀଚକ ନବର ହୋଇଅଛି ଆଜ
                               ଦ୍ୱିତୀୟ ବାସବ-ବାସ,
ବିରାଟ ନରେଶ କରିଛନ୍ତି ତାଙ୍କ
                               ଭୁଜବିକ୍ରମକୁ ଆଶ ।
ଭାଗ୍ୟ କଥା ସିନା ହେବାର ଏଭଳି
                            ଲୋକ କୋଳ-ପ୍ରଣୟିନୀ,
ବିଭାବସୁ-କର-ସୁଖ ମଧୁରିମା
                        ଜାଣିପାରେ କମଳିନୀ ।”’
ସୈରିନ୍ଧ୍ରୀ ବୋଇଲେ, ‘‘ନୁହେଁ କମଳିନୀ,
                               ବିଭାବସୁ ଲୋଡ଼ା ନାହିଁ,
ବନକୁସୁମ ମୁଁ ପଡ଼ିଅଛି ବନ-
                           ଦେବଙ୍କ ପୀରତି ପାଇଁ ।’’
ଚପଳା ବୋଇଲା, ‘‘ମୋ କଥା ନ ଘେନି
                              କଲେ ବୃଥା ଅଭିମାନ,
ସୁଖେ ହେବା କଥା ଦୁଃଖେ ହେବ, ତହିଁ
                              ଲାଭ ହେବ ଅପମାନ।
ତରୁଚୂଡ଼-ଶୋଭୀ ସୁପକ୍ୱ ରସାଳ
                                ସହଜେ ନ ପଡ଼େ ହାତେ,
ଶିଶୁଏ ଦେଖିଲେ ନିଅନ୍ତେ ସେ ଫଳ
                                ପକାଇ ପ୍ରସ୍ତରାଘାତେ ।
ଏ ରାଜ୍ୟ ରହିଲା ଦିନୁ ଶିରୀଷାଙ୍ଗି !
                                ପତିବ୍ରତା ଅଭିମାନ,
ହୋଇସାରିଛି ତୋ କୀଚକ-ମାନସ-
                               ତରଙ୍ଗରେ ଭାସମାନ ।
ଦେଖୁଛୁ ସୁନ୍ଦରି, ଗଗନ-ରାଜ୍ୟରେ
                              ଯେ ରାଶିରେ ରବି ଥା’ନ୍ତି,
ସେହି ରାଶିବାସୀ ଗ୍ରହ ଋକ୍ଷେ ରଖି
                            ପାରନ୍ତି କି ନିଜ କାନ୍ତି ?"
ସୈରିନ୍ଧ୍ରୀ ବୋଇଲେ, ‘‘କଳପ କଳପ
                             ଜଳପିଲେ ଏହି କଥା,
ନ ଟଳିବ କେବେ ସୈରିନ୍ଧ୍ରୀର ମନ
                               ସାର ହେବ ହୃଦବ୍ୟଥା ।
ଉଜ୍ଜ୍ବଳ ଉଜ୍ଜ୍ୱଳ ଗ୍ରହେ କରିଥାନ୍ତି
                          ଭିନ୍ନ ଭିନ୍ନ ସ୍ଥଳ ଆଶା,
କ୍ଷୁଦ୍ର ଧ୍ରୁବତାରା ଆଶ୍ରୟ କେବଳ
                           ସହିତ ଉତ୍ତର ଆଶା ।
ଚପଳା ବୋଇଲା, ‘‘ତୁମ କାନ୍ତେ ଥିଲେ
                          ସେମାନେ ଜାଣିବେ ନାହିଁ,
ଅତୁଳ ବିଭବ ଭୋଗ କରୁଥାଅ
                           ଜୀବନ ପ୍ରଣୟ ଥାଇ ।
ସୁଧାକର-ପ୍ରୀତି-ପ୍ରଫୁଲ୍ବ-ବଦନା
                         ସୁଧାଂଶୁ-ଚିତ୍ତ-ମୋଦିନୀ,
ଚନ୍ଦ୍ର ଅନୁଦୟେ ତିମିର ସଙ୍ଗମେ
                            ନ ଫୁଟେ କି କୁମୁଦିନୀ ?”
ସୈରିନ୍ଧ୍ରୀ ବୋଇଲେ, ‘‘ଜାଣିପାରିଲି ମୁଁ
                             ତୋ ମତି ନୁହଁଇ ଭଲ,
ଆଉ ମୋ ପାଶକୁ ନ ଆସିବୁ କେବେ
                             ଆଜି ଏବେ ଶୀଘ୍ର ଚଳ ।
ନିଶ୍ଚେ ଜାଣିଥାଅ ମୋହ ପ୍ରତି ଯେବେ
                            ହୁଏ କାହା ଅତ୍ୟାଚାର,
ସ୍ୱାମୀଏ ମୋହର ଯମ-ସଦନକୁ
                               ଜୀବନ ପେଶିବେ ତାର ।
ନ କରିବି ନିନ୍ଦା ବିରାଟ ନୃପଙ୍କୁ,
                              ଖାଏଁ ତାଙ୍କ ଅନ୍ନ ଜଳ,
ସେ ଯେବେ ଅନୀତି ଆଚରିବେ ଧର୍ମ
                              ନ ଦେବ କି ପ୍ରତିଫଳ ?
ଅପବ୍ୟବହାର କରଇ ଯେ ନୃପ
                              ମୋହେ ରାଜକ୍ଷମତାର,
ଦାବାନଳଗ୍ରସ୍ତ ଇନ୍ଧନ ପରାୟେ
                             ଅଚିରେ ବିନାଶ ତାର ।”
ସୈରିନ୍ଧ୍ରୀ ମୁଖରୁ ଚପଳା ଦାରୁଣ
                                 ନିରାଶ ଉତ୍ତର ପାଇ,
କୃଷିରକ୍ଷି-ଲୋଷ୍ଟ୍ରେ ଶସ୍ୟଭକ୍ଷୀ ମୃଗ-
                       ଚପଳାର ବାକ୍ୟ ଜାଲେ,
ଶଶକ ବିତଂସେ ସିଂହିକା ବନ୍ଧନ
                       ଶୁଣାଅଛି କେଉଁ କାଳେ ?