କୀଚକ ବଧ/ଷଷ୍ଠ ସର୍ଗ
←ପଞ୍ଚମ ସର୍ଗ | କୀଚକ ବଧ ଲେଖକ/କବି: ଷଷ୍ଠ ସର୍ଗ |
ସପ୍ତମ ସର୍ଗ→ |
ଷଷ୍ଠ ସର୍ଗ
ପାହିଲା ରଜନୀ ନଭେ ଉଦିତ ଭାସ୍କର,
ଦୂତୀ ଆସି ଉପଗତ ନେବାକୁ ଉତ୍ତର ।
ଦୂତୀକୁ ବୋଇଲେ କୃଷ୍ଣା, " ନାହିଁ ମୋର ସାଧ୍ୟ,
ନ ହେବାକୁ ବୀରଚିତ୍ତ ସେବନରେ ବାଧ୍ୟ ।
କେହି ନ ଜାଣିବେ କିନ୍ତୁ ଆମ୍ଭର ଏ ରୀତି,
ଲୋକହସା କଥାରେ ମୋ ହେଉଅଛି ଭୀତି ।"
ଦୂତିକା ବୋଇଲା, " ଏହା ମୋ ତୋ, ତାଙ୍କ ବିନେ,
ଅନ୍ୟ କେ ପାରିବ ଜାଣି ପୀରତି‐ପ୍ରବୀଣେ !
ଅଭିସାର ମନୋମତ ସଙ୍କେତ ସଦନେ,
ହେଉଥିବ ଅକଳଙ୍କ ସୁଧାଂଶୁ ବଦନେ ।
କହ ଆଜ କେଉଁଠାରେ ତୋ ମୁଖକମଳ,
ଚୁମ୍ବି ଚରିତାର୍ଥ ହେବ ସେ ଭୋଖୀ ଭ୍ରସଳ ? "
ଦ୍ରୌପଦୀ ବୋଇଲେ, " ପୁରପ୍ରାନ୍ତ ନୃତ୍ୟଘର
ରଜନୀଶ କରେ ହୋଇଥିବ ମନୋହର ।
ସୌରଭ ସତତ ତହିଁ ଉଦ୍ୟାନ ପବନେ,
ବଳୀ ଭେଟ ହେବ ତହିଁ ନିଶୀଥେ ନିର୍ଜନେ ।"
ବଳୀ ବୋଲି ଯାଜ୍ଞସନୀ କହିଲେ ଯା ଛଳି,
ଅନ୍ୟତର ବୋଲି ଦୂତୀ ନ ପାରିଲା କରି ।
ହରଷରେ ହସି ହସି ବାହୁଡ଼ି ସତ୍ୱର,
କୀଚକେ କହିଲା ହିତ ମଣି ସେ ଉତ୍ତର ।
ଶ୍ରବଣେ କୀଚକ ହେଲା ଆନନ୍ଦେ ମଗନ,
ଆଜନ୍ମ ଦରିଦ୍ର ଯେହ୍ନେ ଲଭିଲେ ରତନ ।
ରାଜପୁର ଅନୁରୂପ ନୃତ୍ୟ ନିକେତନ,
ସଜାଇଲା କରି ତାକୁ ଅଧିକ ଯତନ ।
ଦ୍ରୌପଦୀ ଆଶାରେ ତାର ନିମଜ୍ଜାଇ ମନ,
ଅନାଇଲା ବସି ଏକା ନିଶା ଆଗମନ ।
ଆସିଲେ ଚନ୍ଦ୍ରମା ସଙ୍ଗେ ଚନ୍ଦ୍ର ‐ବିନୋଦିନୀ,
ମଲ୍ଲିକା ବିକାଶ ବ୍ୟାଜେ ହସିଲା ମେଦିନୀ ।
ପ୍ରଥମ ଯାମରେ ହୋଇ ଚନ୍ଦନଚର୍ଚ୍ଚିତ,
କୁସୁମର ହାର କରି ହୃଦୟେ ଲମ୍ବିତ ;
ସୁଝୀନ ଧବଳବାସ କରି ପରିଧାନ,
ଘେନି ଅଙ୍ଗେ ମନୋହର ଅଳଙ୍କାରମାନ ।
ନୃତ୍ୟପୁରେ ଯାଇ କାମୀ କୀଚକ ଅଧୀର,
ନ ପାଇଲା ଦରଶନ ରତନ‐ନିଧିର ।
ବିଚାରିଲା ମୋତେ ଅବା ଆଗୁଁ ଟାକି ଟାକି,
ବାହୁଡ଼ିଲା ବିପ୍ରଲବ୍ଧା ହୋଇ ଖଞ୍ଜନାକ୍ଷୀ ।
କିବା ଆସି ଉଦ୍ୟାନରେ କରୁଛି ଭ୍ରମଣ,
ଭାବି କଲା ଉଦ୍ୟାନରେ ବାମା ଅନ୍ୱେଷଣ ।
କାହିଁ ଚାହିଁ ତରୁ‐ଗର୍ଭ‐ଭେଦୀ ଚନ୍ଦ୍ର କର ,
ଦଉଡ଼ଇ ବାମାମଣି ମଣି ଖରତର ।
କାହିଁ ଦୂରୁ କୁସୁମିତ ବଲ୍ଲରୀକି ଚାହିଁ,
ସତୃଷ୍ଣ ନୟନେ ବାମା ବୋଲି ଯାଏ ଧାଇଁ ।
କୌମୁଦୀମାର୍ଜିତ ଆଳବାଳ ଜଳକାନ୍ତି,
ବାରମ୍ବାର ଦିଏ ତାକୁ ବାମା-ପଦ ଭ୍ରାନ୍ତି ।
ଭଗ୍ନନିଦ୍ରା ଖଗସ୍ୱନ ପଡ଼େ ଯେବେ କର୍ଣ୍ଣେ,
ରମଣୀର ଶଶି ମଣି ଦଉଡ଼େ ତତ୍ କ୍ଷଣେ ।
ତା ହୃଦକୁ ଆସେ ଯେବେ ନୈରାଶ୍ୟ ଦଉଡ଼ି ,
ମାୟାବିନୀ ଆଶା ଦିଏ ତ୍ୱରିତ ଘଉଡ଼ି ।
ଖୋଜି ଖୋଜି ନ ଦେଖି ସେ ପାଇଲା ବିଷାଦ,
ତୃତୀୟ ଯାମରେ ଆସି ରାତ୍ରି ଦେଲା ପାଦ ।
ପ୍ରଥମ ପ୍ରହରେ ଏଣେ କାର୍ଯ୍ୟ କରି ଶେଷ,
ଦ୍ୱିତୀୟ ପ୍ରହରେ ଭୀମ ଧରି ନାରୀବେଶ ।
ନୃତ୍ୟନିଳୟରେ ଯାଇ ହୋଇ ଉପଗତ,
ସକୋପେ ରହିଛି ଚାହିଁ କୀଚକର ପଥ ।
ତିମିର‐ବିଦାରୀ ମଣିମୟ ନିକେତନ,
ଚୌଦିଗେ ଯା ପୁଷ୍ପମୟ ରମ୍ୟ ଉପବନ ।
କୁସୁମ‐ସୁରଭି‐ବାହୀ ଧୀର ସମୀରଣ,
ସୁଶୀତଳ ସୁଧାମୟ ସୁଧାଂଶୁ କିରଣ ।
ନାହିଁ ତାର ଦୃଷ୍ଟି ଏଥି ନାହିଁ ତାର ମନ,
ନେତ୍ର ଖୋଜୁଥାଏ ଏକା କୀଚକ‐ବଦନ ।
କୀଚକ ଉଦ୍ୟାନ ଭ୍ରମି ସୈରିନ୍ଧ୍ରୀ ନ ପାଇ,
ପୁଣି ଥରେ ଅନ୍ୱେଷିଲା ନୃତ୍ୟପୁର ଯାଇ ।
ମନ୍ଦିର ଭିତରେ ଦେଖି ଧବଳ ମୂରତି,
'ମୋ ପ୍ରାଣବାନ୍ଧବୀ' ବୋଲି ଧଇଲା ତଡ଼ତି ।
ଭୀମ ବସିଥିଲା ଯେହ୍ନେ କ୍ଷୁଧାର୍ତ୍ତ ଶାର୍ଦ୍ଦୂଳ,
ଧଇଲା ଗରଜି ଜବେ ତାର ଗ୍ରୀବା‐ମୂଳ ।
ବାମା ନୁହେଁ ବାମ ବୋଲି ଗର୍ଜିଲା କୀଚକ,
ପ୍ରଭଞ୍ଜନ ପ୍ରବାହରେ ଯେସନେ କୀଚକ ।
ଲାଗିଗଲା ମଲ୍ଲଯୁଦ୍ଧ ଘୋରୁଁ ଘୋରତର,
ବୀରଯୁଗ ପଦଭରେ କମ୍ପିଲା ନଗର ।
ସେ କମ୍ପନ ସ୍ୱପନରେ ପୁରବାସିଗଣେ,
କାହାକୁ ବିଳସାଇଲା ନୌକା ଆରୋହଣେ ।
କାହାକୁ ବା ଦୋଳାଇଲା ବନଲତା ଦୋଳେ,
କାହାକୁ ବସାଇନେଲା ଅଶ୍ୱଯାନ କୋଳେ ।
ମୁଷ୍ଟିର ଉପରେ ମୁଷ୍ଟି ପଡ଼େ ଦୁର ଦୁର,
ପର୍ବତ ଉପରେ ଯେହ୍ନେ ପଡ଼ଇ ଭିଦୁର ।
ଗଡ଼ାଗଡ଼ି ଭିଡ଼ାଭିଡ଼ି କଚଡ଼ା କଚଡ଼ି,
ଘନ ଘଡ଼ଘଡ଼ି ଜିଣି ଦେଉଥାନ୍ତି ରଡ଼ି ।
ତର୍ଜନ ଗର୍ଜନ ତହିଁ ହୁଙ୍କରା ହୁଙ୍କୁରି,
ଗଜଯୁଦ୍ଧେ ଗଜ, ସିଂହଯୁଦ୍ଧେ ସିଂହ ପରି ।
ପରସ୍ପରେ ବୋଲୁଥାନ୍ତି ବଞ୍ଚିବୁ କି ଆଜି,
ବିଧି ମୋତେ ଦେଇଅଛି ମନୋମତ ଆଜି ।
" କେ ବୋଲି", ବୋଇଲେ ଭୀମ ଦିଅଇ ଉତ୍ତର,
"ଶତ୍ରୁ ଚିହ୍ନି କିସ ହେବ ଇଷ୍ଟଦେବ ସ୍ମର ।"
ନ ସହି ଭୀମର ବଜ୍ରମୁଷ୍ଟି ମହାଘାତ,
ଶେଷେ ହେଲା କୀଚକର ଶରୀର ନିପାତ ।
କରି ଏକ ଭୟଙ୍କର ଗଭୀର ଗର୍ଜ୍ଜନ,
ଓଲଟାଇ ଚକ୍ଷୁ କଲା ପ୍ରାଣ ବିସର୍ଜନ ।
ନିର୍ଜୀବ ଶରୀର ଚାହିଁ ଭୀମ ମହାବୀର,
ଛାଡ଼ି ତାକୁ ବାହୁଡ଼ିଲା ରନ୍ଧନମନ୍ଦିର ।