କେଡ଼େ ଛନ୍ଦ ଜାଣେ ଲୋ ସହି
ଲେଖକ/କବି: କେଡ଼େ ଛନ୍ଦ ଜାଣେ ଲୋ ସହି |
ତୋ ଲାଗି ଗୋପଦାଣ୍ଡ ମନା→ |
କେଡ଼େ ଛନ୍ଦ ଜାଣେ ଲୋ ସହି
ରାଗ ମିଶ୍ରମୁଖାରୀ, ତାଳ ଖେମଟା
କେଡ଼େ ଛନ୍ଦ ଜାଣେ ଲୋ ସହି
ନନ୍ଦରାଜାର ଟିକି ପିଲାଟି
ଟିକି ପିଲା ବୋଲି ଯାହାକୁ ବୋଲନ୍ତି
ଚିରି ପକାଇଲା ବକାର ପାଟି । ଘୋଷା ।
ଜନମକାଳେ ଏନ୍ତୁଡ଼ିଶାଳେ
କୁଆଁ କୁଆଁ ହୋଇ ରାବିଲା ଛଳେ
ରହିଣ କୋଳରେ କ୍ଷୀର ସହିତରେ
ପୂତନା ଅସୁରୀ ପ୍ରାଣ ନେଲାଟି । ୧ ।
ନ କରିଣ ଦକା ନାଶିଲା ଆଶଙ୍କା
ଚନ୍ଦନପାଟିଆ ଚିତ୍ତ ଚମକା
ଶକଟା ଧେନୁକା ବକା ସର୍ପ ଦଳି
ବନର ଅନଳ ଗିଳିଦେଲାଟି । ୨ ।
ଇନ୍ଦ୍ର ବିବାଦେ ନିର୍ଘାତ ନାଦେ
ଶିଳା ବରଷିଲା ଅତି ପ୍ରମାଦେ
ଦେଖିଛ ତ ହାଦେ ବିନା ଅବସାଦେ
ମନ୍ଦର ଗିରିକି ଟେକି ଥିଲାଟି । ୩ ।
ସ୍ନାହାନ କାଳେ ଯମୁନା ଜଳେ
ନନ୍ଦ ବୁଡ଼ିଗଲା ବୋଲି ଅଥଳେ
କଉତୁକ କରି ତାହାଙ୍କୁ ଉଦ୍ଧରି
ଗୋପରେ ପତାକା ଉଡ଼ାଇଲାଟି । ୪ ।
ସେଦିନ କଂସ ହୋଇଣ ରୋଷ
ଲକ୍ଷେ ପଦ୍ମ ପାଇଁ ଦେଲା ଆଦେଶ
ପଦ୍ମତୋଳା ରସ କରିଣ ପ୍ରକାଶ
ବଳେ ଛଳେ କାଳୀ ଦଳିଦେଲାଟି । ୫ ।
ବିସ୍ତାରି ପାଟି ଖାଇଲା ମାଟି
ମାଆ ଯଶୋବନ୍ତୀ ଛାଟରେ ପିଟି
ଆକଟନ୍ତେ ଥରେ ତା ପେଟ ଭିତରେ
ଅଶେଷ ବ୍ରହାଣ୍ଡ ଦେଖାଇଲାଟି । ୬ ।
କେ ଜାଣେ ଲୋ ମା ତାହାର ମହିମା
ବତ୍ସା ହରିନେଲା ସେ ବେଦବ୍ରହ୍ମା ।
କହେ ବନମାଳୀ ତାକୁ ପୁଣି ଛଳି
ଲକ୍ଷେ ଧେନୁବତ୍ସା ଜାତ କଲାଟି । ୭ ।