କେଳି କଳ୍ପଦ୍ରୁମ ଚଉତିଶା

କେଳି କଳ୍ପଦ୍ରୁମ ଚଉତିଶା ଲେଖକ/କବି: ଧନଞ୍ଜୟ ଭଞ୍ଜ
କେଳି କଳ୍ପଦ୍ରୁମ ଚଉତିଶା
କେଳି କଳ୍ପଦ୍ରୁମ ଚଉତିଶା

କଞ୍ଜଲୋଚନ ଦୂତିକା ଆଗର
କ୍ରୋଧଭର ହୋଇ ବୋଲେ ଉତ୍ତର
କଳାକରମୁଖୀ ଆଗରେ କହ
କି କାର୍ଯ୍ୟେମୋର ଛାଡ଼ିଲା ସେନେହ
କେଳି କଳ୍ପଦ୍ରୁମ
କନ୍ଦର୍ପ କଳାରେ ସେହି ଉତ୍ତମ ।୧।
 
ଖଟ୍ୱାଙ୍ଗଧର ଅରି ତୀଖ ଶର
ଖିନ୍ନ କରିଛି ଯେ ମୋର ଶରୀର
ଖତରାନନୀ ମୋରେ ଦୟାକରୁ
ଖଳ ମୀନ କେତୁ ମୁଖୁ ଉଦ୍ଧାରୁ
ଖଟିଥିବି ପାଶ
ଖୀନ ଉଦରୀକି କହ ସନ୍ଦେଶ ।୨।
 
ଗଜଗମନୀ ସେ ବିପୁଳସ୍ତନୀ
ଗତସ୍ନେହ କି ନ ଚିନ୍ତେ କାମିନୀ
ଗାଢ଼େ ଭୁଜେ ଭିଡ଼ି ବୋଲିଛି ଯାହା
ଗୋରୀ ସୁମୁଖୀ ପାସୋରିଲା ତାହା
ଗୁଣୁଥାଇ ମୁହିଁ
ଗଳାରହାର ମୋ ପ୍ରାଣସହୀ ।୩।
 
ଘଟଣମୁଖୀର ଜଘନ ଦୁଇ
ଘେନି ମନ୍ତ୍ରକରି ତାହା ଜପଇ
ଘଟଣା ଦେବାକୁ ଆଉ ନ ଦିଶି
ଘେନି କହିଛି ସେହି ଶୁଭ୍ରକେଶୀ
ଘନସାର ରସ
ଘନସ୍ତନୀର ବିହୀନେ ବିରସ ।୪।
 
ନବ ଜଳଧର ଆଗେ ଚାତକ
ନ କରେ ଆନ ବାଞ୍ଛା ଯେହୁ ଲୋକ
ନବ କାମିନୀ ବିନୁମୋର ମନ
ନ କରେ ଆନ ରସରେ ଆପ୍ୟାନ
ନିଷ୍ଠୁର ନ କରି
ନତନୁ ଭୟରୁ ବାରେ ଉଦ୍ଧରି ।୫।
 
ଚତୁରୀମଣି ଚନ୍ଦ୍ରମା ଆନନୀ
ଚମ୍ପକଗାତ୍ରୀ ମୋ ହୃଦ ମଣ୍ଡନୀ
ଚାହିଁ କଟାକ୍ଷେ ଯାହା କହିଅଛି
ଚଞ୍ଚଳ ଚିତ୍ତ ମୋ ବନ୍ଦୀ କରିଛି
ଚାରୁ ପକ୍ଷଳାକ୍ଷା
ଚତୁରୀ ବିନୁ କେ କରିବ ରକ୍ଷା ।୬।
 
ଛିତିମଣ୍ଡନୀ ଦିନେ ମନ୍ଦ ହସି
ଛନ୍ଦିଲା ମୋର କଣ୍ଠେ ବାହୁ ଫାଶୀ
ଛିର ସିନ୍ଧୁ ସୂତା ରୂପେ ସମାନ
ଛୋଉ ଛଡ଼ାଇ କହିବି ଏମାନ
ଛାଡ଼ିଛି ସେ ସ୍ନେହ
ଛିନ୍ନାଳୀମଣି ଆଗେ ଏହା କହ ।୭।
 
ଯୁବା ଯୁବତୀଗଣ ଶିରାମଣି
ଜଳଜନେତ୍ରୀ ଯୋଗୀନ୍ଦ୍ରମୋହିନୀ
ଯାଇ ଜଣାଅ ତାହାର ସମୀପ
ଜ୍ୱାଳା କଲା ଅଙ୍ଗେ କୁସୁମଚାପ
ଜାଣୁ ମଣି ଜାଣୁ
ଜଗମୋହିନୀ ଏହା ପରିମାଣୁ ।୮।
 
ଝଳିଆନନୀ ବେନି ପୀନସ୍ତନ
ଝୀନବାସ ଫୁଟିଦିଶେ ଶୋଭନ
ଝାଡ଼ରାଜ କଟି ମଧ୍ୟରେ କାନ୍ତି
ଝଟକ ଚଞ୍ଚଳା ପ୍ରାୟେ ଦିଶନ୍ତି
ଝଗଡ଼ କରଇ
ଝଟକଦନ୍ତୀ ମୋତେ କରୁ ତ୍ରାହି ।୯।
 
ନବ ନାୟିକା ନୟନୁ ନ ଯାଇ
ନିରାଶ ଏତେ କଲା ପ୍ରାଣସହୀ
ନେତ୍ର ପ୍ରତିମା ଅଟଇ ମୋହର
ନିମିଷେ ମନୁ ନୋହଇ ବାହାର
ନାଗରୀ ରତନ
ନବକେତକୀ ସେ ଶିରଭୂଷଣ ।୧୦।
 
ଟମାଳ କରି ସେ ଯାହା ବୋଇଲା
ଟୀକାକେ ଏବେ ତାହା ପାସୋରିଲା
ଟେକ କୁଚେ ତାର ଦେଲି ମୁଁ କର
ଟାଙ୍କୋରିଲା ରୋମ ଶରୀର ତାର
ଟାଣ କଟାକ୍ଷୀକି
ଟେକି ପଚାର ଏ ଅଟଇ ଟିକି ।୧୧।
 
ଠକ କଥା ମୋ ଆଗରେ କହିଛି
ଠକ ପ୍ରାୟେକ କରିଛି ମୃଗାଛି
ଠାକୁରାଣୀ ପଣ ଜାଣିମା ତାର
ଠିକେ କହୁ କିସ ଦୋଷ ମୋହରର
ଠଣମୁଖୀ ଆଗେ
ଠିକେ ମଣାଇ କହ ସଖୀ ବେଗେ ।୧୨।
 
ଡାଳିମ୍ବ ବୀଜ ଦଶନୀ କୋପକୁ
ଡରିଅଛି ବାରେ ରଖୁ ଦାସକୁ
ଡୋଳେ ଚାହିଁଣ ଯାହା କହିଅଛି
ଡିଙ୍ଗର କାମ ଆଗରେ ଦେଉଛି
ଡୋଳା ପିଛୁଳୀକି
ଡାକି କହିବୁ ଏହା କରିଟିକି ।୧୩।
 
ଢମାଳି କରି ସେ ଯାହା ବୋଇଲା
ଢାଳି ଚାହାଁଣିରେ ମନ ମୋହିଲା
ଢଳିପଡ଼ିଲା ମୀନକେତୁ ଶରେ
ଢାଳି ଚୁମ୍ବନ ଦେଲା ମୋ ଗଣ୍ଡରେ
ଢାଳେ ପାସୋରିଲା
ଢଗପସରା ପ୍ରାୟେ ପ୍ରିୟା କଲା ।୧୪।
 
ଏବେ ନିଶ୍ଚେ ତୋତେ କହୁଛି ସହୀ!
ଏଣୀ ନୟନୀ ବିନୁ ସାହା କାହିଁ,
ଏଣାଙ୍କମୁଖୀ ଏହା ଜାରିଥାଉ
ଅଣକାର୍ଯ୍ୟେ ଜୀବନକୁ ନନେଉ
ଅଣ ଅପରାଧୀ
ଅନଙ୍ଗ ରାୟେର ହୋଇଲା ବାଦୀ ।୧୫।
  
ତରୁଣୀରତନ ମୋ ପ୍ରାଣ ମଣି
ତ୍ରୈଲୋକ୍ୟ ମୋହିନୀ ହେମ ବରନୀ
ତନୁ ଛୁଆଇଁ କହିଛି ନିୟତ
ତୁମ୍ଭ ମନରେ ଥିବି ପ୍ରାଣନାଥ
ତା ହୃଦେ ଧରିଛି
ତୁରିତେ ତୋ ବିସୋରିଲା ମୃଗାଛି ।୧୬।
 
ଥିରିଗାମିନୀର ନିତମ୍ବ ଦୁଇ
ଥାଣୁ ଅଇରି ସିଂହାସନ ସେହି
ଥିଲା ତହିଁ ପରେ ଚୀର ବସନ
ଥେଣ୍ଟ ମଦନର ଜୟ କେତନ।
ଥିବି ତାର ପାଶ
ଥାନ ଦେଇ ରଖୁ ମୁଁ ତାର ଦାସ ।୧୭।
 
ଦୟା ଉଦଧି ମୋ ଦମ୍ଭ ନାଶିନୀ
ଦାସର ଦୋଷ କି ଘେନଇ ପୁଣି
ଦଶନେ ଅଧର ଚାପି ମୋହର
ଦରିଦ୍ର ବିଧି କହିଛି ଉତ୍ତର
ଦୋଷ ମୋ ନଧରୁ
ଦିନନାଥବନ୍ଧୁମୁଖୀ ଉଦ୍ଧରୁ ।୧୮।
 
ଧୀର ଗାମିନୀ ଅଗ୍ରତରେ ଯାଇ
ଧୀରେ କହିବୁ ବଚନ ମଣାଇ
ଧରିଛି କୁମସୁମ-କାର୍ମୂକ ମାର
ଧଇର୍ଯ୍ୟ ମୋର ନାଶିବ ପାମର
ଧନମଣି ପାଦ
ଧରିଛି ଶିରେ କରି ପରସାଦ ।୧୯।
 
ନିରାଶ ମୋରେ କଲା ପ୍ରାଣସହୀ
ନିର୍ଦ୍ଦୟା ହୃଦ ଛାଡ଼ୁ ଚନ୍ଦ୍ରମୁହୀଁ
ନାକ ନାଗ ନାରୀ ନୋହନ୍ତି ସମ
ନାରୀ-ଶିରୋମଣି ମୋ ଜୀବ ଧାମ
କାହିଁ ସମ ସରି
ନିରାଶ କିଁପା କରିଛି ଚତୁରୀ ।୨୦।
 
ପଲ୍ଲବ ପ୍ରୀତି ଯେତେ କରିଥିଲା
ପରମ ବନ୍ଧୁ ତାହା ପାସୋରିଲା
ପିକବଚନିକି କହିଛି ମୁହିଁ
ପ୍ରସନ୍ନ ବଦନେ ଚୁମ୍ବନ ଦେଇ
ପିଶୁନ ମଦନ
ପଞ୍ଚଶର ଘେନି କରେ ଦହନ ।୨୧।
 
ଫାଇ ଶେଷ କଁପା ଯୁବତୀ କଲା
ଫୁରୁଣା ଯେତେ ମୋ ସବୁ ଭାଙ୍ଗିଲା
ଫଳେତ ଜାଣିଲି ତାର ପୀରତି
ଫେଡ଼ି କହିଲି ତୋହୋର ଉକତି 
ଫେଡ଼ୁ ମନୁ ତାପ
ଫାନ୍ଦେ ପକାଇଛି ମଦନ ଭୂପ ।୨୨।
 
ବସନ୍ତକାଳରେ ସନ୍ଧ୍ୟାବେଳରେ
ବସିଥିଲା ବନ୍ଧୁମୋର କୋଳରେ
ବୋଲିଛି ପ୍ରିୟା ମୋତେ ହସି ଯାହା
ବିଅର୍ଥ କିପାଇଁ କଲାକ ତାହା
ବିଧୁବଦନୀ କି
ବୋଲିବୁ ଏକଥା ଉଚିତ ଟିକି ।୨୩।
 
ଭରସା ମୁହିଁ ବଡ଼ କରିଥିଲି
ଭାବିନୀ କୁଚଶମ୍ଭୁ ପ୍ରାୟେ ବୋଲି
ଭଜିଲା ଜନକୁ କଲା ନିରାଶ
ଭୃତ୍ୟଜନେ କି ପ୍ରଭୁ କରେ ଦୋଷ
ଭାସିଲି ସାଗରେ
ଭେଳା ଉରଜେ ତୁମ୍ଭ ଦେଉ ମୋରେ ।୨୪।
 
ମୋହୋରେ ମାନ କରିଛି କିପାଇଁ
ମୋତେ କୋକିଳ କରିଛି କିପାଇଁ
ମୋତେ କୋକିଳ ବଚନ ନ କହି
ମନ୍ଦ ହସିଣ ଯେବେ ସେ କହିବ
ମଦନରାୟେ ଦୁଖୁ ଉଦ୍ଧରିବ
ମଦିରାକ୍ଷୀ ମୋର
ମାଣିକମାଳା ସେ କଣ୍ଠ ତଟର ।୨୫।
 
ଯେବେ ଦୋଷ ମୁହିଁ କଲି ତାହାରେ
ଜାଣୁ ମଣି ଦଣ୍ଡ ହେଉ ମୋହୋରେ
ଜଗତେ ଏ କଥା ରହିଣ ଥାଉ
ଜଳଜାକ୍ଷି ଲାଗି ଜୀବନ ଯାଉ
ଯେବେ ନ ବୁଝିବ
ଯେତେ କହିଲେ ସେ କିସ ହୋଇବ ।୨୬।
 
ରମଣୀମଣି ରତିରସ ଦେଇ
ରଖୁ ପ୍ରେମଦାନ ଦେଇଣ ସହୀ
ରଖିବ ଯେବେ ସେହି ସେ ରଖିବ
ରଖନ୍ତା ତା ବିନୁ ଆନ ନୋହିବ 
ରସିକିନୀ ମୋର
ରସକଳା ରାମା ଗୁଣ ଗମ୍ଭୀର ।୨୭।
 
ଲହୁଲୀ ବୟସ ଦିନୁ ତାହାର
ଲିତାଏ ପାଶୁଁ ନୋହଇ ଅନ୍ତର
ଲାବଣ୍ୟନିଧି ଲଳିତ ବଚନୀ
ଲେଖିଥିଲା ପତ୍ର ଅନୁରାଗିନୀ
ଲବଙ୍ଗିକା ଆଗେ
ଲଳନାକର କହିଲା ସରାଗେ ।୨୮।
 
ବିଳମ୍ବ ନକରି ଚଳ ବହନ
ବନଜବଦନୀ ମୋ ପ୍ରାଣଧନ
ବିଧାତା ବଶୁଁ ଏମନ୍ତ ହୋଇଲା
ବେଳକୁ ବେଳ ସେ ନିରାଶ କଲା
ବିନୟ ହେଉଛି
ବାରେ ଦୟା ମୋତେ କରୁ ମୃଗାଛି ।୨୯।
 
ସଘନ ହୋଇ ଘନ ପରବେଶ
ସରୋଜନେତ୍ରୀ ଦେଖିଣ ବିରସ
ଶମ୍ବରାରି ଶର ଭୟରୁ କରି
ସରାଗେ କୋଳେ ବସିଲା ସୁନ୍ଦରୀ
ଶୀତଳ ବଚନ
ସେକଥା ରମଣୀ ନ ଭାବେ ମନ ।୩୦।
 
 ଶ୍ୟାମସୁନ୍ଦରର ସନ୍ଦେଶ ପାଇ
ଶୀଘ୍ରେ ଦୂତୀ ସଖୀ ପାଶେ ମିଳଇ
ସରୋଜପତ୍ର କୁଟୀର ମଧ୍ୟରେ
ସ୍ମିତହାସିନୀ ବସିଛି କ୍ରାଧରେ
ସହଚରୀ ଯାଇ
ସରୋଜନେତ୍ର ବାରତା କହଇ ।୩୧।
 
ଶମ୍ବରାରି ତାତ ତୋତେ ବରହୀ
ଶୀର୍ଣ୍ଣ ତା ଅଙ୍ଗ ହେଲା ପ୍ରାଣସହୀ
ଶଶୀୟେକ ଲେଖା ଜାଣି ତା ଅଙ୍ଗ
ସେନେହ ଥିଲେ ଦିଅ ରତିରଙ୍ଗ
ଶଶିମୁଖୀ ହସି
ସାରଙ୍ଗଧରକୁ ଆଣ ସୁକେଶୀ ।୩୨।
 
ହଂସଗାମିନୀ ହୃଷ୍ଟ ବାଣୀ ଶୁଣି
ହରିଙ୍କି ବେଗେ ଆଣିଲା ତରୁଣୀ
ହିମାଂଶୁମୁଖୀ ସନ୍ନିଧେ ପ୍ରବେଶ
ହୃଦତାପ ଛାଡ଼ି ହେଲେ ହରଷ
ହରିଣାକ୍ଷୀ ହରି
ହେଲେ ରତିରଣେ ଏ ବେନି ସରି ।୩୩।
 
କ୍ଷକ୍ଷନ୍ଦ୍ରେ ରାଧାକୃଷ୍ଣ କଲେ ରସ
ଛାଡ଼ି ସୁରତି ସେ ହେଲେ ହରଷ
କ୍ଷୀରସିନ୍ଧୁ ଜେମାପତି ଚରଣ
ନୃପ ଧନଞ୍ଜୟ ପଶେ ଶରଣ
କ୍ଷମା ଦୋଷ କର
କ୍ଷନ୍ଦିଲା ଏ ରସ ଦୋଷ ନ ଧର ।୩୪।