ଖୁଦୁରୁକୁଣୀ ଓଷା
ବୃହତ୍ ତଅପୋଈ
ବା
ଖୁଦୁରୁକୁଣୀ ଓଷା
ପ୍ରଥମ ଅଧ୍ୟାୟ
ବନ୍ଦଇ ଦେବ ଜଗନ୍ନାଥ । କମଳା ଦେବୀର ସଙ୍ଗାତ ॥
ଲକ୍ଷ୍ମୀ ଦେବୀର ପ୍ରାଣନାହା । ଶୋଭିତ ଶଙ୍ଖ ଚକ୍ର ବାହା ॥
ଅଶେଷ ବ୍ରହ୍ମାଣ୍ତ ଠାକୁର । ବିଜୟ ଦ୍ୱାରକା ନଗର ॥
ଧନ୍ୟ ସେ ଦ୍ୱାରକା ମହିମା । ନିର୍ମାଣ କଲା ବିଶ୍ୱକର୍ମା ॥
ଅଠର ବଂଶ ଲୋକ ଯହିଁ । ଅଛନ୍ତି ପ୍ରଭୁ ସଙ୍ଗେ ନେଇ ॥
ସମସ୍ତେ ବିଷ୍ଣୁର କୁଟୁମ୍ବ । ସକଳ ସମ୍ପଦ ଆରମ୍ଭ ॥
ଅର୍ଜିଲେ ବହୁ ସୁତାସୁତ । କୁଟୁମ୍ବ ହୋଇଲେ ବହୁତ ॥
କୃଷ୍ଣର ବହୁତ ଯୁବତୀ । ବତିଶ ସହସ୍ର ଅଛନ୍ତି ॥
ଗୋଟିଏ ଲେଖାଏଁ ଦୁଲ୍ଲଣା । ଏଥି ଅଧିକ ନୁହେଁ ଊଣା ॥
ଦୁହିତା ତିନିଗୋଟି ଜାତ । ଏମନ୍ତେ କୁଟୁମ୍ବ ବହୁତ ॥
ରାଜା ତହିଁରେ ଉଗ୍ରେସେନ । ମନ୍ତ୍ରୀ ଯାବତ ତିନିଜଣ ॥
ଶୁଭେଣ ପରଜା ପାଳନ୍ତି । ବଳିଷ୍ଠ ଦୁର୍ବଳ ଅଛନ୍ତି ॥
ସବୁରି ଘରେ ଶୁଦ୍ଧ ସ୍ୱର୍ଣ୍ଣ । ସମସ୍ତେ କୁବେର ସମାନ ॥
ଯାବତ ଓଷା ବାରବ୍ରତ । ସେ ପୁରେ ଅଛଇ ସମସ୍ତ ॥
ଆପେ ମନୁଷ୍ୟ ଦେହ ଧରି । ମେଦିନୀ ଭାରା ନାଶ କରି ॥
ଯହିଁ ବିଜୟ ଯଦୁବତ୍ସ । ତହିଁକି କିସ ଦେବା ଭକ୍ଷ ॥
ଆଶ୍ୱିନ କାର୍ତ୍ତିକ ହୋଇଲା । ମାର୍ଗଶିର ଯେ ପ୍ରବେଶିଲା ॥
ତା ଅନ୍ତେ ପୌଷ ମାଘ ଲେଖ । ଫାଲ୍ଗୁନ ଚୈତ୍ର ଯେ ବୈଶାଖ ॥
ଜ୍ୟେଷ୍ଠ ଆଷାଢ଼ ଯେ ଶ୍ରାବଣ । ଭାଦ୍ରବ ମାସ ହୁଏ ପୁଣ ॥
କୃଷ୍ଣ ପ୍ରତିପଦା ତିଥିର । ଯେତେ ହୁଅଇ ରବିବାର ॥
ଖୁଦୁରୁକୁଣୀ ନାମେ ଓଷା । ହୋଇଲା ସେହିଦିନ ନିଶା ॥
ଋକ୍ମିଣୀ ଯୋଡ଼ି ବେନିକର । ବୋଇଲେ ଶୁଣ ଚକ୍ରଧର ॥
ଆଦିତ୍ୟ ବାର ଆଜି ହୁଏ । ହୋଇବ ମଙ୍ଗଳ ଓଷାଏ ॥
ଖୁଦୁରୁକୁଣୀ ନାମ ତାର । ପୁଜିଲେ ମଙ୍ଗଳ ଅପାର ॥
ସତ୍ୟ ଯୁଗରେ ଯେ ମଙ୍ଗଳା । ଝିଅଙ୍କୁ ପାଳି ଗିରିବାଳା ॥
ମାତାଙ୍କୁ ମାଗିଲେ ସେ ବର । ଏ ଓଷା ହୋଇବ ଆମ୍ଭର ॥
ପ୍ରସନ୍ନ ହୋଇ ବର ଦେବା । ଅସ୍ତୁ ବୋଇଲେ ତାଙ୍କୁ ସର୍ବା ॥
ସେ ଦିନୁ ଏ ଓଷା ସମ୍ଭୂତ । ବାଳିକାମାନଙ୍କର ମତ ॥
ପ୍ରସନ୍ନ ବଦନ ମଙ୍ଗଳା । ବାଳିକାମାନଙ୍କର ଲୀଳା ॥
ଏଥକୁ ଆଶ୍ରେ ହେଲେ ହରି । ପୂଜିବେ ସୁଖେ ବାଳି ନାରୀ ॥
ଶ୍ରୀକୃଷ୍ଣ ବୋଇଲେ ମୃଗାକ୍ଷୀ । ପୂର୍ବରୁ ଯେବେ ବିଧି ଅଛି ॥
ଆମ୍ଭେ ତା ନ କରିବା ନାସ୍ତି । ବାଳିକା ଶ୍ରଦ୍ଧା ଯେ କରନ୍ତି ॥
ଶୁଣି ଋକ୍ମିଣୀ ହେଲେ ତୋଷ । ଆଶ୍ରମେ ହୋଇଲେ ପ୍ରବେଶ ॥
ବିବିଧ ବର୍ଣ୍ଣେ ନାନାପୁଷ୍ପ । ମଣ୍ତିଲେ ଦାସୀ ଚଉପାଶ ॥
ଅନେକ ପୁଷ୍ପ ମାଳ ମାଳ । ରଚି ଋକ୍ମିଣୀ ତତକାଳ ॥
ଲିପିଣ ମୁରୁଜ ପାଢ଼ିଲେ । ସୁବର୍ଣ୍ଣ କୁମ୍ଭ ବସାଇଲେ ॥
ଫଳ ଉପାଧିମାନ କରି । ସୁବର୍ଣ୍ଣ ଚାଙ୍ଗୁଡ଼ାରେ ଭରି ॥
ଥୋଇଲେ ସକଳ ସନ୍ନିଧେ । ଅନେକ ଦିପାବଳୀ ମଧ୍ୟେ ॥
ଯେତେକ ଓଷାର ଯେ ବିଧି । ଯେତକ ଦ୍ରବ୍ୟ କଲେ ସିଦ୍ଧି ॥
ବସିଲେ ବାଳିକା ସୁନ୍ଦରୀ । ହସ୍ତରେ ପୁଷ୍ପାଞ୍ଜଳି ଧରି ॥
ଆବୋରି ବସିଲେ ସମସ୍ତେ । ଅଠର ବଂଶଲୋକ ଯେତେ ॥
ଶ୍ରୀୟା ଯେ ମଧୁବତୀ ବାମା । ଋକ୍ମିଣୀ ଲୀଳା ସତ୍ୟଭାମା ॥
ସେ ଲୀଳା ମାଳ ଯେ ଦୁଲ୍ଲଣା । ସୁକେଶୀ ଚଞ୍ଚଳ ଖଞ୍ଜନା ॥
ମରୁଆ ସେବତୀ କୁଙ୍କୁମ । ସରୁଆ ତୁଳସୀ ଉତ୍ତମ ॥
ପଦ୍ମା ହେ ସେବତୀ ପାର୍ବତୀ । ବିମଳା ମଦନ ମାଳତୀ ॥
କପୋତୀ ହଂସ ଯେ ସୁମେଧା । ରମ୍ଭା ଶ୍ରୀକୃଷ୍ଣ ପ୍ରିୟ ରାଧା ॥
ଏମନ୍ତେ ଅନେକ ତରୁଣୀ । କେ ତାହା ପାରିବ ବଖାଣି ॥
ଦେବକୀ କୃଷ୍ଣର ଜନନୀ । ବସିଲେ ସବୁ ନାରୀ ଘେନି ॥
ବୃଦ୍ଧ ବାଳିକା ଯୁବ ନାରୀ । ବସିଲେ ମଙ୍ଗଳା ସୁମରି ॥
ଜୟ ଗୋ ଜୟ ଗୋ ମଙ୍ଗଳା । ଉଦ୍ଧାରୁ ବୁଡ଼ିବାର ଭେଳା ॥
ଜୟ ତୁ ମଙ୍ଗଳା ଉତ୍ତମ । ଆରତୀ ଭଞ୍ଜନୀ ତୋ ନାମ ॥
ସଙ୍କଟ ତାରିଣୀ ମଙ୍ଗଳା । ହୃଦେ ମନ୍ଦାର ପୁଷ୍ପ ମାଳା ॥
ପ୍ରସନ୍ନ ହୁଅ ମହାମାୟେ । ଆମ୍ଭଙ୍କୁ ହୁଅ ଗୋ ସଦୟେ ॥
ସଙ୍କଟ ତାରିଣୀ ମଙ୍ଗଳା । ଉଦ୍ଧାରୁ ବୁଡ଼ିବାର ଭେଳା ॥
ହସ୍ତ ଯୋଡ଼ିଣ ସର୍ବନାରୀ । ବାଞ୍ଛା ସମସ୍ତେ ହୃଦେ କରି ॥
ଏଥୁ ଉତ୍ତାରୁ ଶକ୍ରାବତୀ । ଶାଶୁଙ୍କୁ ବଚନ ବୋଲନ୍ତି ॥
କହ ଏ ଓଷା ବିଧି କଥା । ପୂର୍ବହୁଁ ଯେମନ୍ତେ ବ୍ୟବସ୍ଥା ॥
ବଧୂ ବଚନେ କରି ଦୟା । କହନ୍ତି ବସୁଦେବ ପ୍ରିୟା ॥
ପ୍ରଥମେ ଜମ୍ବୁଦୀପେ ସାର । ବେଢ଼ିଛି ଲବଣ ସାଗର ॥
ଏ ପକ୍ଷେ ଦ୍ୱୀପେ ଶୁଦ୍ଧ ନୀର । ବେଢ଼ିଛି ବଳୟ ଆକାର ॥
ଦଧି ସମୁଦ୍ର ବାର ଦ୍ୱୀପେ । ଲବଣ ସମୁଦ୍ର ସମୀପେ ॥
ସୁରା ସମୁଦ୍ର ଯେ ତହିଁରେ । ବେଢ଼ିଛି ଚାରି ପାରୁଶରେ ॥
ରତ୍ନ ଦ୍ୱୀପରେ ସିନ୍ଧୁ ଶୁଣ । ବେଢ଼ିଛି ଯେସନେ ପୁଣ ॥
ଦ୍ୱୀପଙ୍କ ମଧ୍ୟେ ଅସ୍ତଗିରି । ବେଢିଛି ମେରୁକୁ ଆବୋରି ॥
ଗିରିକି କେତେ ହେ ଅନ୍ତର । ଅଛଇ ଏକ ଦ୍ୱୀପାନ୍ତର ॥
ତହିଁରେ ରାଜା ତିଳଧ୍ୱଜ । ବହୁତ ଆୟତନ ରାଜ୍ୟ ॥
ସମସ୍ତ ଘରେ ଯେ କୁଶଳ । ଧର୍ମ ସ୍ଥାପିଣ ମହୀପାଳ ॥
ଭାରିଯାମାନେ ପତିବ୍ରତା । ନିଯୋଗ ଲୋକ ଯେ ଖଟନ୍ତା ॥
ସଭାରେ ତାର ମିଛ ନାହିଁ । ରାଜ୍ୟକୁ ଶତ୍ରୁ ନ ଆସଇ ॥
ପରଜା ପାଳେ ପୁତ୍ର ଜାଣି । ଗୁହାରି ତତକାଳେ ଶୁଣି ॥
ମନ୍ତ୍ରୀର ନାମ ଗୁଣନିଧି । ପୁତ୍ରର ନାମ ତା ସୁବୁଦ୍ଧି ॥
ସେ ନଗ୍ର ବଡ଼ ଶୋଭାବନ । ଅଳକା ପୁରକୁ ସମାନ ॥
ବହୁତ ସାଧବ ଅଛନ୍ତି । ବୋଇତ ବାଣିଜ୍ୟ କରନ୍ତି ॥
ସେହି ବାଣିଜ୍ୟ ପରସାବେ । ଜିଣନ୍ତି କୁବେରକୁ ବାଦେ ॥
ପୋଇଲି ପିନ୍ଧେ ପାଟ ଶାଢ଼ୀ । ଆବର ହସ୍ତେ ସୁନାଚୁଡ଼ି ॥
ସାଧବ ମାନଙ୍କର ନାରୀ । ଶରୀର ସୁବର୍ଣ୍ଣ ଆବୋରି ॥
ଗୁରୁ ହୋଇବ ବୋଲି ଅଙ୍ଗ । ଅଳଙ୍କାରକୁ ମଣେ ଖଙ୍ଗ ॥
ସ୍ଫଟିକ ପୀଡ଼ା ସର୍ବ ଘରେ । ପାବଚ୍ଛ ମାନ ସ୍ପଟିକରେ ॥
ପ୍ରକାର ସ୍ତମ୍ଭ ସୁନା ଶ୍ରେଣୀ । ଉହାଡ଼େ ସୁବର୍ଣ୍ଣ ଛାଉଣି ॥
ସୁବର୍ଣ୍ଣ କଳସ ପୀଢ଼ାରେ । ପତାକା ଉଡ଼ଇ ସଧୀରେ ॥
ଧନ୍ୟ ସେ ନଗର ଉତ୍ତମ । ସମସ୍ତ ଘର ଲୋକ ସମ ॥
ତହିଁରେ ଏକ ସାଧୁ ଘର । ତନୟବନ୍ତ ନାମ ତାର ॥
ପତ୍ନୀର ନାମ ଶକୁନ୍ତଳା । ଜନ୍ମ ସେ କଲା ସପ୍ତବାଳା ॥
ଝିଅର ନାମ ତଅପୋଈ । ସବୁହୁ ଦୁଲ୍ଲଣା ଅଟଇ ॥
ସାଧବ ବଡ଼ ଧନେଶ୍ୱର । ବୋଇତ ସାତ ଖଣ୍ତତାର ॥
ସାତ ପୁଅରେ ସାତ ବୋହୂ । ସମସ୍ତେ ସୁନ୍ଦରୀ ସବୁହୁଁ ॥
ଚାଲନ୍ତି ସୁନାରେ ରୂପାରେ । ଶୁଅନ୍ତି ଖଟ ପଲଙ୍କରେ ॥
ଏକ ଦିନରେ ତଅପୋଈ । ଖୋଳିଣ ଗଲା ସାଇ ପାଇ ॥
ମନ୍ତ୍ରୀର ଝିଅ ସଙ୍ଗେ ମିତ । ଆବର ଅନେକ ସଙ୍ଗାତ ॥
ଖେଳଇ ଘେନି ସଙ୍ଗାତକୁ । ବୟସ ପାଞ୍ଚ ସିନା ତାକୁ ॥
ଏକ ବ୍ରାହ୍ମଣୀ ରାଣ୍ତୀ ଆସି । ଝିଅ ଖେଳିଲା ଘରେ ପଶି ॥
ବୋଇଲେ ତଅପୋଈ ମାଏ । ବାପାଙ୍କର ଯେ ଏକଝିଏ ॥
ପୁଅ ମାନଙ୍କ ଠାରୁ ସାନ । ମାଆ ବାପାଙ୍କର ଜୀବନ ॥
କରିଛୁ ବାଂଶର କୁଲାଇ । ଧରିଛୁ ବାଂଶର ଟୋକାଇ ॥
ତୋପରା ହୋଇଥିଲେ ମୁହିଁ । ଚଢ଼ାନ୍ତି ସୁବର୍ଣ୍ଣ କୁଲାଇ ॥
ବାପ ମାଆଙ୍କୁ କରି ଦ୍ୱନ୍ଦ । ଗଢ଼ାନ୍ତି ସୁବର୍ଣ୍ଣର ଚାନ୍ଦ ॥
ତୁ ହାଦେ ହୋଇଅଛୁ ଯାହା । ତୋତେ କି ନ ମିଳିବ ତାହା ॥
ଦେଖ ଏମନ୍ତ ଜେମାଦେଈ । ଘେନିଛୁ ବାଂଶର କୁଲାଇ ॥
ଏ ଯେତେ ସାଧବଙ୍କ ବାଳି । ଖେଳନ୍ତି ସୁନାର ଚାଙ୍ଗୁଡ଼ି ॥
ଏତକ କହି ରାଣ୍ତୀ ଗଲା । ତିମିର ପ୍ରବେଶ ହୋଇଲା ॥
ଖେଳ ଭାଙ୍ଗିଣ ସର୍ବ ବାଳି । ନିଜ ମନ୍ଦିରେ ଗଲେ ଚଳି ॥
ବିରସେ ତଅପୋଇ ଗଲା । ଗମ୍ଭୀରି ଭିତରେ ପଶିଲା ॥
କବାଟ କିଳି ମୁହଁ ମାଡ଼ି । ଶୋଇଲା ରତ୍ନ ଖଟେ ପଡ଼ି ॥
ସମସ୍ତେ ଭୁଞ୍ଜିଣ ବସିଲେ । ଝିଅକୁ ବାପା ସଙ୍ଖୋଳିଲେ ॥
ମାଏ ବୋଇଲେ ଆସିନାହିଁ । ଏତେ ରାତ୍ରରେ ଥିବ କାହିଁ ॥
କହଇ ସାନ ବୋହୁ ଯାଇ । ଅଛନ୍ତି ଗମ୍ଭୀରରେ ଶୋଇ ॥
ସାଧବ ଫେଡ଼ିଲା କବାଟ । ବସିଲା ଯାଇ ରତ୍ନଖଟ ॥
ବୋଇଲେ କାହିଁ ପାଇଁ ମାଏ । ଶୋଇଛୁ ରୁଷିଲା ପରାଏ ॥
ଗଢ଼ାଇ ଦେବି ଭାଙ୍ଗିଥିଲେ । ଖୋଜାଇ ଦେବି ହଜିଥିଲେ ॥
ଧୋବଣି ଧୋବା ନ ଖଟିଲା । ତାମ୍ବୁଳି ପାନ କି ନ ଦେଲା ॥
ଗଭା କି ନ ଦେଇଛି ମାଳି । କିଏ ବା ତୋତେ ଦେଲା ଗାଳି ॥
ତୋତେ କି ବିଭା କରାଇବା । ତହିଁକି ରୁଷିଅଛୁ ଅବା ॥
କଥା ନ କହି କିମ୍ପା ମୋରେ । ରୁଷିଛୁ କେଉଁ ନିମନ୍ତରେ ॥
ଚାଟ ନ ଶୁଣେ ତଅପୋଈ । ଶୋଇଛୁ ମାନଭର ହୋଇ ॥
ସପତ ଭାଇ ଉଠାଇଲେ । ମାତାହିଁ ଅନେକ କହିଲେ ॥
କେବେହେଁ ନ ଉଠଇ ବାଳି । କୁଟୁମ୍ବ ଯାକ ମନେ ଭାଳି ॥
ନୀଳେନ୍ଦ୍ରୀ ନାମେ ସାନ ବୋହୁ । ତଅପୋଈର ପ୍ରିୟ ସେହୁ ॥
ସେ ବୋହୁ ଅନେକ କହିଲା । ନ ଉଠି ବଚନ ବୋଇଲା ॥
କହ ମୋ ପିତାର ଅଗ୍ରତେ । ସୁବର୍ଣ୍ଣ ଚାନ୍ଦ ଦେଉ ମୋତେ ॥
ନ୍ଦେଲେ ନ ଖାଇବି ଭାତ । ତୋ ଆଗେ କହୁଅଛି ସତ ॥
ଶୁଣି ସମସ୍ତେ ତୋଷହେଲେ । ଝିଅଙ୍କୁ ପିଅର ବୋଇଲେ ॥
ଏ ଛାର କଥାକୁ ଗୋ ମାଏ । ରୁଷିଛୁ ନ ମିଳିଲା ପ୍ରାୟେ ॥
କାଲି ଭିତରେ ଗଢ଼ାଇବି । ପନ୍ଦର ଦିନେ ଚାନ୍ଦ ଦେବି ॥
ଶୁଣି ଊଷତ ତଅପୋଈ । ବସିଲା ମାତା କୋଳେ ଯାଇ ॥
ଏମନ୍ତ ରଜନୀ ପାହିଲା । ସାଧବ ବିନ୍ଧାଣି ଆଣିଲା ॥
ସାଧବ ସାଧବାଣୀ ବସି । ଗଢ଼ାନ୍ତି ସୁବର୍ଣ୍ଣର ଶଶି ॥
ଚାରି ପାରୁଶେ ଶୋହେ ହୀରା । ଚନ୍ଦ୍ରକୁ ବେଢ଼ି ଯେହ୍ନେ ତାରା ॥
ଏମନ୍ତେ କେତେ ଦିନଗଲା । ସାଧବ ଅଧା ଚାନ୍ଦେ ମଲା ॥
ମାତା ହିଁ ପୂର୍ଣ୍ଣଚାନ୍ଦେ ମଲେ । ସମସ୍ତେ କୁଟୁମ୍ବ କାନ୍ଦିଲେ ॥
କିଛି ଦିନରେ କ୍ରିୟା ସାରି । ବ୍ରାହ୍ମଣେ ଜଉତିଷେ ବରି ॥
ଏମନ୍ତ କେତେ ଦିନ ଗଲା । ବୋଇତ ପଦାର୍ଥ ସରିଲା ॥
ସୁବାୟୁ ଦେଖି ସାଧୁମାନେ । ହରଷ ହେଲେ ନିଜ ମନେ ॥
ସମୁଦ୍ରେ ବୋଇତ ମେଲିଲେ । ସପତ ବୋହୂକୁ ଡ଼ାକିଲେ ॥
ବୋଇତେ ଯାଉଅଛୁ ଆମ୍ଭେ । ଘର ସମ୍ଭାଳି ଥିବ ତୁମ୍ଭେ ॥
ଦେଖ ଏ ଦଇବର କୃତ୍ୟ । ପିତା ସଙ୍ଗତେ ଗଲେ ମାତ ॥
ଯେମନ୍ତେ ଝିଅ ନ ଝୁରିବ । ତେମନ୍ତେ ସେବା କରୁଥିବ ॥
ଭୋଜନ କରାଇବ ଆଣି । କହି ଅପୂର୍ବ ରସବାଣୀ ॥
ଦୋଳିରେ ଦୋଳି ପଞ୍ଚାଇବ । ନିମିଷେ ହେଳା ନ କରିବ ॥
ଶୁଣି ବୋଲନ୍ତି ସାତ ଯାଏ । ଝିଅଙ୍କୁ ନାହିଁ କିଛି ଭୟେ ॥
ନିରତେ ସେବା କରୁଥିବୁ । କ୍ଷଣେ ହେ ହେଳା ନ କରିବୁ ॥
ତୁମ୍ଭଙ୍କୁ ଦେଖିକରି ଆମ୍ଭେ । ହେଳାରେ ରହିଥିଲୁ ଦମ୍ଭେ ॥
ଯେବେ ଯାଉଛ ବାଣିଜ୍ୟରେ । ଆଣିଥିବଟି ଅଳଙ୍କାରେ ॥
କେବୋଲେ ମୋର ସୁନାଚୁଡ଼ି । ଆଣି ଥିବଟି ରତ୍ନେ ଜଡ଼ି ॥
କେ ବୋଲେ ହୀରାର ବୟଣୀ । ମୋହର ପାଇଁ ଥିବ ଆଣି ॥
କେ ବୋଲେ ସୁବର୍ଣ୍ଣ କଙ୍କଣ । ଆଣିବ ମୋହ ନିମନ୍ତେଣ ॥
କେ ବୋଲେ ଅଷ୍ଟରତ୍ନ ତାରା । କେ ବୋଲେ ଖଞ୍ଜା ମୋତିହୀରା ॥
କେ ବୋଲେ ହୀରା ମଲ୍ଲୀ କଢ଼ି । ଉତ୍ତମ ରୂପେ ଥିବ ଗଢ଼ି ॥
ଭାଇଙ୍କ ବୋଲେ ତଅପୋଈ । ମୋ ପାଇଁ ହୀରାର କୁଣ୍ଢାଇ ॥
କେ ବୋଲେ ବସନ୍ତ ପତନୀ । ମୋହର ପାଇଁ ଥିବ ଆଣି ॥
ଏମନ୍ତେ ଶୁଣି ସାତଭାଇ । ଜଳେ ବୋଇତ ଗଲେ ବାହି ॥
ଏମନ୍ତେ କେତେଦିନ ଗଲା । ବୋଇତ ସେ ରାଜ୍ୟେ ଲାଗିଲା ॥
କୁଶଳେ ରହିଲେ ସେ ଯାଇ । କୋଶଳ ଦ୍ୱୀପ ସେ ବୋଲାଇ ॥
କହନ୍ତି ପ୍ରଭୁ ଚକ୍ରପାଣି । ଶୁଣି ସନ୍ତୋଷ ଠାକୁରାଣୀ ॥
ସମସ୍ତେ ଦେଲେ ହୁଳ ହୁଳି । ଯୁବା ତରୁଣୀ ବୃଦ୍ଧା ମିଳି ॥
ମଙ୍ଗଳା ନାମ ଉଚ୍ଚାରିଲେ । କର ଅଞ୍ଜଳି ଶିରେ ଦେଲେ ॥
ଯେ ଯାହା ଉପଚାର ବିଧି । ପୂଜି କାମନା କଲେ ସିଦ୍ଧି ॥
କହନ୍ତି ଦାସ ଗୋପୀନାଥ । କୃଷ୍ଣ ଚରଣେ ମୋର ମାଥ ॥
ପ୍ରଥମ ପାଳି ଅଧା ଶେଷ । କାମିନୀ ଗଣ ହେଲେ ତୋଷ ॥
ଚଳିଲେ ଯେ ଯାହା ସଦନ । ମଙ୍ଗଳ ନାମ କରି ଧ୍ୟାନ ॥
ଇତି ଶ୍ରୀକୃଷ୍ଣ ଋକ୍ମିଣୀ ସତ୍ୟଭାମା ଉକ୍ତୌ ନାମ ପ୍ରଥମ ଅଧ୍ୟାୟ ॥
ଦ୍ୱିତୀୟ ଅଧ୍ୟାୟ
ଏଥି ଉତ୍ତାରୁ ଏବେ ଶୁଣ । କହନ୍ତି ପ୍ରଭୁ ନାରାୟଣ ॥
ରଙ୍ଗ ଅଧରେ ନନ୍ଦେ ହସି । ଋକ୍ମିଣୀ ମୁଖ ଚାହିଁ ଭାଷି ॥
ବୋଲନ୍ତି ଆରେ ପ୍ରିୟତମା । ତଅପୋଈର ଏ ମହିମା ॥
ଶୁଣିଲୁ ଟିକି ପ୍ରିୟସହୀ । ତୋ ଆଗେ କହିଲାଇଁ ମୁହିଁ ॥
ସତ୍ୟଭାମା ଯେ ପାଶେ ଥିଲେ । କର ଯୋଡ଼ିଣ ଜଣାଇଲେ ॥
ବୋଇଲେ କହ ଏ ବିଧାନ । ଶୁଣି ଶରଧା ହେବ ମନ ॥
ସତ୍ୟଭାମାର ବୋଲ ଶୁଣି । କହନ୍ତି ପ୍ରଭୁ ଚକ୍ରପାଣି ॥
ତନୟ ସାଧବ କୁମରେ । ଗଲେ ବୋଇତ ବାଣିଜ୍ୟରେ ॥
ଲାଗିଲା ଏକ ଦୀପାନ୍ତରେ । ସୁଖେଣ ବିକା କିଣା କଲେ ॥
କିଣିଲେ ଅଳଙ୍କାର ମାନ । ରହିଲେ ତହିଁ କିଛି ଦିନ ॥
ଏଥି ଉତ୍ତାରୁ ସାତଯାଏ । ଘର ସମ୍ଭାଳି ଦିନ ନିଏ ॥
ତଅପୋଈକି ପାଳିଥାନ୍ତି । କ୍ଷଣେ ହେ ହେଳା ନ କରନ୍ତି ॥
ସେବା କରିଣ ଥାନ୍ତି ନୀତି । ଦେଖ ଗୋ ଦଇବର ଗତି ॥
ସେତ ସ୍ୱର୍ଗର ଅପସରୀ । ମର୍ତ୍ତେ ମନୁଷ୍ୟ ଦେହ ଧରି ॥
ସୁନ୍ଦର ପଣେ ମନୋହର । ଦେଖି ଢ଼ଳିବେ ସୁର ନର ॥
ମୁଖ ଦିଶଇ ଚନ୍ଦ୍ର ଜିଣି । ତିଳ କୁସୁମ ନାସାମଣି ॥
ଅଧର ପକ୍ୱ ବିମ୍ବଫଳ । ଖଞ୍ଜନ ନୟନ ଚଞ୍ଚଳ ॥
କୁମ୍ବଳାକୃତି କଣ୍ଠ ଦେଶ । ବୀର ଚାମର ପ୍ରାୟ କେଶ ॥
କୋକିଳ ପ୍ରାୟେ କହେ ବାଣୀ । ଅଙ୍ଗୁଳି ଚମ୍ପାକଢ଼ ଜିଣି ॥
ଚରଣ ରଙ୍ଗ ଅରବିନ୍ଦ । ବେଢ଼ିଣ ଥାନ୍ତି ଷଟପଦ ॥
ଏମନ୍ତେ ତଅପୋଈ ବାଳା । ତାହାର ସପତଣି ଲୀଳା ॥
ଏହି ସମୟେ କାଳ ଜାଣି । ସ୍ୱର୍ଗରୁ ଅଇଲା ରମଣୀ ॥
ସାଧବ ଦ୍ୱାରେ ସେ ମିଳିଲା । କପଟେ ଭିକ୍ଷା ସେ ମାଗିଲା ॥
ରାଣ୍ଡୀ ବ୍ରାହ୍ମଣୀ ରୂପଧାରୀ । ଦେଖିଲେ ସାଧବର ନାରୀ ॥
ସର୍ବେ ଦେଖିଣ ତାରେ ଧାଇଁ । ମାୟାରେ କିଛି ନ ଦିଶଇ ॥
ତାହାର ଡାକ ଶୁଣି କର୍ଣ୍ଣ । କେହି ନ ବୋଇଲେ ବଚନ ॥
ବୋଲଇ ଭିକ୍ଷା ଦିଅ ମାୟେ । କି କରୁଅଛ ସାତଯାଏ ॥
ରାଣ୍ଡୀ ବ୍ରାହ୍ମଣୀ ବୋଲେ ଶୁଣି । ସମସ୍ତେ କେ ଲୁଚନ୍ତି ବାଣୀ ॥
କେ ବୋଲି କୁଙ୍କୁମ ଲିପୁଛି । କେ ବୋଲେ ଗଭାବାନ୍ଧୁ ଅଛି ॥
କେ ବୋଲି ଭାଙ୍ଗୁ ଅଛି ଗୁଆ । ବ୍ରାହ୍ମଣୀ ଦଣ୍ଡେ ହୁଅ ଠିଆ ॥
ଯେ ଯେଉଁ ରୂପେ କରୁଥିଲେ । ସମସ୍ତେ ସେପରି କହିଲେ ॥
ବ୍ରାହ୍ମଣୀ ବୋଲେ ତାହା ଶୁଣି । କାହାକୁ ନିଯୋଗ ଲୋ ପୁଣି ॥
ଏମନ୍ତ ବୋଲି ଦେଲା ଚାହିଁ । ଦୋଳିରେ ଅଛି ତଅପୋଈ ॥
ବ୍ରାହ୍ମଣୀ ବୋଲଇ ଉତ୍ତର । ଏ କିସ ହୁଅନ୍ତି ତୁମର ॥
ହରଷ ବୋଲି ସବୁଯାଏ । ଆମ୍ଭର ନଣନ୍ଦ ଗୋ ହୁଏ ॥
ବ୍ରାହ୍ମଣୀ ଶୁଣି ବୋଲେ ବାଣୀ । ତୁମ୍ଭେ ଲୋ ନିର୍ଲଜ୍ଜ ତରୁଣୀ ॥
କନିଷ୍ଠ ନଣନ୍ଦ ଛାରକୁ । ଶତ୍ରୁ ରଖିଛ ଉପରକୁ ॥
ବସିଛି ଦୋଳିର ଉପର । କିମ୍ପା ଏହାକୁ ସେବା କର ॥
ଏକାଳେ ମଣୁଅଛ ଭଲ । ପଛକୁ ପାଇବଟି ସଲ ॥
ଭାଇ ମାନଙ୍କୁ ଖଚ କହି । ଅନେକ ଶାସ୍ତି ଲୋ ଭୟ ॥
ଛେଳି ରଖାଅ ବନସ୍ତରେ । ମରାଅ ବ୍ୟାଘ୍ର ଭଲ୍ଲୁକରେ ॥
ନୋହିଲେ ନିଶ୍ଚୟ ମରିବ । ଏମନ୍ତେ ଯେବେ ନ କରିବ ॥
ଭଲ ସମୟ ଅଛି ହୋଇ । ଘରେ ନାହାନ୍ତି ସାତଭାଇ ॥
ଏକଥା ଯାହା ସେ କହିଲା । ସବୁରି ମନକୁ ଅଇଲା ॥
ନୀଳେନ୍ଦ୍ରୀ ନାମେ ସାନବୋହୂ । ତଅପୋଈର ପ୍ରିୟ ସେହୁ ॥
ମୋ ମନେ ଯେଉଁକଥା ଅଛି । ତୁ ଏକା ହୋଇଥିବୁ ସାକ୍ଷୀ ॥
ସେ ବୋହୂ ଏମନ୍ତ ଚିନ୍ତିଲା । ଏମନ୍ତ କେତେଦିନ ଗଲା ॥
ନ ଦେଲେ ସୁଗନ୍ଧ ଚନ୍ଦନ । ନ ଦେଲେ ଅଳଙ୍କାରମାନ ॥
ମୁଣ୍ଡକୁ ନ ଦେଲେ ଯେ ତେଲ । ନ ଦେଲେ ପିନ୍ଧିବାକୁ ଭଲ ॥
ବସାଇ ନ ଦେଲେ ଯେ ଦୋଳି । ଆବର ରଖାଇଲେ ଛେଳି ॥
ଅନେକ ଦୁଃଖେ ତଅପୋଈ । ବନସ୍ତେ ଛେଳି ଜଗଥାଇ ॥
କହଇ ବଡ଼ବୋହୂ ପୁଣି । ହଜିବ ଯେବେ ଘରମଣି ॥
ଛେଳିର ନାମ ଘରମଣି । ତେଣୁ ତିଆରେ ମହାମାନୀ ।
ମୁଖେ ଲଗାଇ ଚୂନକାଳି । କାଟିବି ନାକର ବଉଳି ॥
ଛିଣ୍ଡା ଟୋକେଇ ଖଣ୍ଡେ ନେଲା । ଉପରେ ପତର ବୁଜିଲା ॥
ତଳରେ ମୂଷାମାଟି ଭରି । ପତ୍ରରେ ଭାତଗୋଟା ଚାରି ॥
ପାଉଁଶ ଲୁଣ ବୋଳି ଦେଲା । ପତର ଘୋଡ଼ାଇଣ ଦେଲା ॥
ଘେନିଣ ତଅପୋଈ ଚଳି । ବନରେ ଚରାଇଲା ଛେଳି ॥
ଭୋକେଣ ଟୋକେଇ ଫେଡ଼ିଲା । ମାଟି ଦେଖିଣ ଫିଙ୍ଗିଦେଲା ॥
ନିତ୍ୟରେ ଛଅ ବୋହୂମାନେ । ଏହି ପ୍ରକାରେ ଦିନେ ଦିନେ ॥
ସାନବୋହୂର ପାଳି ଦିନ । ବହୁତ ଦେଇଥାଇ ଅନ୍ନ ॥
ତିଅଣ ଲୁଣ ଦେଇଥାଇ । ସେଦିନ ବସି ସୁସ୍ଥେ ଖାଇ ॥
ଏମନ୍ତ କେତେଦିନ ଗଲା । ଭାଦ୍ରବ ମାସ ଯେ ହୋଇଲା ॥
ବନରେ ବସି ତଅପୋଈ । କଷ୍ଟେଣ ଛେଳି ରଖିଥାଇ ॥
ବରଷାବେଳେ ଘରମଣି । ହଜିଲା ବନସ୍ତରେ ପୁଣି ॥
ଘରକୁ ସବୁ ଛେଳି ଗଲେ । ଗୁହାଳ ଭିତରେ ପଶିଲେ ॥
ଦେଖିଲା ବଡ଼ବୋହୂ ଯାଇଁ । ଗୁହାଳେ ଘରମଣି ନାହିଁ ॥
ମାଇଲୁ ମୋର ଛେଳିଗୋଟି । ହଜାଇଅଛୁ ନାକ କାଟି ॥
ନହେଲେ ନାକ ଯେ କାଟିବି । ଘରୁ ବାହାର କରିଦେବି ॥
ଏଥି ଉତ୍ତାରୁ ତଅପୋଈ । ନୀରବେ ଛେଳି ଖୋଜିଯାଇ ॥
ଆଡ଼ ଉହାଡ଼ ଲତା ତଳ । ଖୋଜେ କଣ୍ଟକ କଣ୍ଟାମାଳ ॥
ସମସ୍ତ ଠାବ ସେ ବୁଲିଲା । ନପାଇ ତାଟକା ହୋଇଲା ॥
ନିଶି ହୋଇଛି ଘଡ଼ି ଦୁଇ । ଅନ୍ଧାରେ ପଥ ନ ଦିଶଇ ॥
ଯୋଗେ ସେଦିନ ରବିବାର । ଖୁଦୁରୁକୁଣୀ ଓଷା ସାର ॥
କୋଠରେ ବାଳଝିଅ ମିଳି । ଦେଉଅଛନ୍ତି ହୁଳହୁଳି ॥
ତାହା ଶୁଣିଲା ତଅପୋଈ । କୋଠରେ ମିଳିଲା ସେ ଯାଇ ॥
ବୋଇଲା ନାରୀମାନେ ଶୁଣ । ଏ ଓଷା କଲେ କେଉଁ ଗୁଣ ॥
ଶୁଣି ବୋଲନ୍ତି ବାଳଝିଏ । ଏ ଓଷା ପାଞ୍ଚପାଳି ହୁଏ ॥
ଖୁଦୁରୁକୁଣୀ ଏ ଅଟଇ | ଯାହା ମାଗିବ ତାହା ପାଇ ॥
ଏଥିରେ ଦେବତା ମଙ୍ଗଳା । ରଖନ୍ତି ବଡ଼ିବାର ଭେଳା ॥
ଏମନ୍ତ ଶୁଣି ତଅପୋଈ । ମନରେ ଆନନ୍ଦ ହୁଅଇ ॥
ବୋଇଲା ଏ ଓଷା କରିବି । ହଜିଲା ଛେଳିକି ପାଇବି ॥
ତଅପୋଈକୁ ବସାଇଲେ । ସମସ୍ତ ଫଳ ନେଇ ଦେଲେ ॥
ବସିଲା ସାଧବର ବାଳୀ । ମନରେ ମଙ୍ଗଳା ସୁମରି ॥
ମାଗୋ ମଙ୍ଗଳା ତୁ କାମାକ୍ଷୀ । ମୁଁ ତୋତେ ସେବା କରୁଅଛି ॥
ଛେଳିକି ପାଇବି ମୁଁ ଯେବେ । ମୋହର ବାଞ୍ଛା ସିଦ୍ଧ ତେବେ ॥
ଏମନ୍ତ ବିଚାରି ମନରେ । ଛେଳି ନିମନ୍ତେ ଗଲା ଖରେ ॥
ବାଟେ ଦେଖିଲା ଘରମଣି । ନିଶ୍ଚିତ ହୋଇଲା ତତ୍କ୍ଷଣି ॥
ମନରେ ବାଞ୍ଛା ସିଦ୍ଧ କଲା । ଛେଳିକି ନେଇଣ ରଖିଲା ॥
ଏଥି ଉତ୍ତାରୁ ସାଧୁ ବାଳି । ଘରମଣିକି ନେଇ ଚଳି ॥
ଘରକୁ ଅଡ଼ାଇଣ ନେଲା । ଗୁହାଳ ଭିତରେ ଛାଡ଼ିଲା ॥
ବସିଲା ବହନ୍ତିରେ ଯାଇ । ଦେହକୁ ଶୀତଳ କରାଇ ॥
ଏ ଅନ୍ତେ ବଡ଼ ବୋହୂ ଆସି । ଦେଖିଲା ହାରେ ଅଛି ବସି ॥
ବୋଇଲା କାଲି କାହିଁ ଥିଲୁ । ମୋର ଛେଳିକି ହଜାଇଲୁ ॥
ପଡ଼ି ନଥାନ୍ତୁ ଯେବେ ଭେଟ । ପିଟନ୍ତି ତେନ୍ତୁଳିର ଛାଟ ॥
ଏମନ୍ତ ଶୁଣି ତଅପୋଈ । ଡରେଣ ବଚନ ବୋଲଇ ॥
ଛେଳିକି ଅଣିଲ ଯେ ଖୋଜି । ବରଷା ବେଳେ ଥିଲା ହଜି ॥
ବୋଲଇ ବଡ଼ ବୋହୁ ପୁଣି । ବହନ ଛେଳି ଯାଅ ଘେନି ॥
ସକାଳୁ ଭାତ ବଢ଼ା ହୋଇ । ଥୁଆ ହୋଇଛି ତୋହ ପାଇଁ ॥
ରାତ୍ର ପାହିଲା ଘେନିଯାଅ । ଛେଳିକି ବହନ ଚରାଅ ॥
ତା ଶୁଣି ତଅପୋଈ ଗଲା । ଗୁହାଳ ଭିତରେ ପଶିଲା ॥
ଛେଳି ପଲକୁ ଅଡ଼ାଇଲା । ବନରେ ନେଇ ଚରାଇଲା ॥
ବେଳ ବୁଡ଼ିଲା ବନସ୍ତର । ଅନ୍ଧାରେ ନ ଦିଶେ ଦୁଆର ॥
ଏମନ୍ତ କେତେ ଦିନଗଲା । ଖୁଦୁରୁକୁଣୀ ଓଷା ହେଲା ॥
ରାଜର ତଅପୋଈ ବାଳି । ପାଇଛି ହଜିଲାର ଛେଳି ॥
ଏମନ୍ତ ପାଞ୍ଚପାଳି ଗଲା । ସଖିଙ୍କ ସଙ୍ଗତେ ମିଳିଲା ॥
ଖୁଦକୁଣ୍ଡାରେ ପିଠା କରି । ଖୁଦ ତଣ୍ଡୁଳ ପୂର କରି ॥
ସଖିଙ୍କି ମାଗିଲା ବହନ । ଫଳ ଫୁଲର ପିଠାମାନ ॥
ଓଷା କୋଠିରେ ଯାଇ ବସି । ଭାଇଙ୍କ ଶୁଭ ସେ ମନାସି ॥
ବୋଇଲା ମଙ୍ଗଳା ଉଦ୍ଧାର । ମହା ସଙ୍କଟୁ ପାରିକର ॥
ଦଶ ବରଷ ହେଲା ଗଲେ । ଆପଣା ରାଜ୍ୟକୁ ନଇଲେ ॥
ଅସାର ସପନ ଦେଖିଲି । ତେଣୁ ତୁମ୍ଭଙ୍କୁ ଆଶ୍ରା କଲି ॥
ଭୋ ଦେବୀ ମଙ୍ଗଳା ତୋଷାଇ । ଶୁଭେ ଆସିବେ ସାତ ଭାଇ ॥
ଦେଖିବି ବେନି ନୟନରେ । ପ୍ରବେଶ ହୋଇବେ ମନ୍ଦିରେ ॥
ଏମନ୍ତ ବାଞ୍ଛା କରି ବାଳି । କରେ ଘେନିଲା ଦୀପାବଳୀ ॥
ସମସ୍ତେ ହୁଳହୁଳି ଦେଲେ । ମଙ୍ଗଳା ନାମ ସୁମରିଲେ ॥
ଏମନ୍ତେ ଓଷା ପୂଜା ସାରି । ଯେ ଯାହା ମନ୍ଦିରକୁ ଚଳି ॥
କହଇ ଗୋପିନାଥ ଦାସ । ଦୟା କରିବେ ପୀତବାସ ॥
ଇତି ଶ୍ରୀକୃଷ୍ଣ ଋକ୍ମିଣୀ ସତ୍ୟଭାମା ଉକ୍ତୌ ତଅପୋଇ ମନୋରଥ ପ୍ରାପ୍ତ ଉଚ୍ଚାରଣେ ନାମ ଦ୍ୱିତୀୟୋଽଧ୍ୟାୟଃ ॥
ତୃତୀୟ ଅଧ୍ୟାୟ
ଏଥୁ ଅନନ୍ତେ ଏବେ ଶୁଣ । ଯେ ଯାହା ପୂର୍ବର କଷଣ ॥
ସେ କଥା ଆନ ଯେ ନୁହଇ । ଦଇବ ଯୋଗେ ଭୋଗ ହୋଇ ॥
ପ୍ରଭାତେ ତଅପୋଇ ବାଳି । ସ୍ନାନ ସାରିଣ ନେଲା ଛେଳି ॥
ଦେଇଛି ବଡ଼ ବୋହୂ ଭାତ । ଫେଡ଼ିଣ ଦେଖିଲା ତୁରିତ ॥
ତଳୁରେ ଅଛି ମୂଷାମାଟି । ଉପରେ ଭାତ ଚାରିଗୋଟି ॥
ପାଉଁଶ ବାଲି ଲୁଣ ନାହିଁ । ତିଅଣ ଅବା ଥିବ କାହିଁ ॥
ଏହା ଦେଖିଣ ତଅପୋଈ । ଉଚ୍ଚେଣ ଉଠିଲା ବୋବାଇ ॥
ପିଅର ଅଧା ଚାନ୍ଦେ ମଲେ । ମାତା ହିଁ ପୁରାଚାନ୍ଦେ ମଲେ ॥
ବୋଇତେ ସାତ ଭାଇ ଗଲେ । ଭାଉଜ ଏତେ କଷ୍ଟ ଦେଲେ ॥
ନିଶ୍ଚେ ଏ ବନରେ ମରିବି । ଘରକୁ ଆଉ କିମ୍ପା ଯିବି ॥
ଏମନ୍ତ କହି କାନ୍ଦେ ବାଳି । ଶବଦେ ବନସ୍ତ ଉଛୁଳି ॥
ଦେଖ ବିଧାତା ଘଟସୂତ୍ର । ତେଣେ ସାଧବ ସାତପୁତ୍ର ॥
ବୋଇତ ଘେନି ଆସି କୂଳେ । କାନ୍ଦଣା ଶବଦ ଶୁଣିଲେ ॥
ନିକଟେ କାନ୍ଦୁଅଛି ବାଳି । ତୁଣ୍ଡ ବାରିଣ ମନେ ଭାଳି ॥
ତଅପୋଈର ତୁଣ୍ଡ ପ୍ରାୟେ । ଶୁଭଇ ଅରଣ୍ୟ ଲତାଏ ॥
ଶୁଣି କନିଷ୍ଠ ଭାଇ ଗଲା । ଅରଣ୍ୟ ଭିତରେ ପଶିଲା ॥
ରଜନୀ ଅର୍ଦ୍ଧ ଅଛି ହୋଇ । ଦେଖି ସାଧବପୁତ୍ର ଯାଇ ॥
କିଏ ତୁ ଭଲରେ ଗୋ କହ । ତଅପୋଈର କମ୍ପେ ଦେହ ॥
କାହାର ଅଟୁ ତୁ ଗୋ ବଂଶ । ନାମ ତୋହର ଅଟେ କିସ ॥
ଏମନ୍ତ ଶୁଣି ତଅପୋଈ । ନ କାନ୍ଦି ସମ୍ଭାଳି କହଇ ॥
ନ ଜାଣେ ଭାଇ ବୋଲି କର । ଉଭା ହୋଇଲା ମନେ ଡରି ॥
ବୋଇଲା କେ ତୁମ୍ଭେ ଗୋସାଇଁ । ନିରକ୍ଷ ପ୍ରାଣୀ ମୁଁ ଅଟଇ ॥
ବଡ଼ ଘରେଣ ହୋଇ ଜାତ । ଏ ବନେ ହୋଇଲି ଅନାଥ ॥
ମୋର ପିତାଙ୍କ ନାମ ସାହୁ । ସାତ ପୁଅରେ ସାତବୋହୁ ॥
ବୋଇତ ସାତଖଣ୍ଡ ତାର । ସେ ଅଟେ ପିଅର ମୋହର ॥
ମୋହର ନାମ ତଅପୋଈ । କହିଲେ କଷ୍ଟ ନ ସରଇ ॥
ଭାଇ ଯେ ଗଲେ ବୋଇତରେ । ଭାଉଜ କଷ୍ଟଦେଲେ ମୋରେ ॥
ଅନେକ ମୋତେ ଦେଲେ ଗାଳି । ବନସ୍ତେ ରଖାଇଲେ ଛେଳି ॥
ମନେ ପଡ଼ିଲେ ଭାଇମାନେ । ରୋଦନ କରୁଛି ବନେ ॥
ଶୁଣ ହେ ମାତ ତଅପୋଈ । ବୋଇତ ଘେନି ସାତଭାଇ ॥
ଆସିଲୁ ଏହି ନିକଟରେ । ରୋଦନ ଶୁଣିଲୁ ସେଠାରେ ॥
ମୋତେ ପେଶିଲେ ଜ୍ୟେଷ୍ଠଭାଇ । ବୋଇତେ ଛନ୍ତି ଦେଖଯାଇ ॥
ତେଣୁ ମୁଁ ଏଠାକୁ ଅଇଲି । ଅରଣ୍ୟେ ତୋତେ ମୁଁ ଦେଖିଲି ॥
ଏବେ ଗୋ ମାଏ ଚାଲ ଯିବା । ଭାଇଙ୍କୁ ସମସ୍ତ କହିବା ॥
ଶୁଣି ଆନନ୍ଦ ତଅପୋଈ । ଅନ୍ଧ କି ଚକ୍ଷୁଦାନ ପାଲ ॥
ଚାତକ ପିଇଲା କି ନୀର । ଚନ୍ଦ୍ର କି ଦେଖିଲା ଚକୋର ॥
ଭାଇ ଭଉଣୀ ବେଗେ ଗଲେ । ବୋଇତେ ପ୍ରବେଶ ହୋଇଲେ ॥
ବୋଇତେ ଜଳୁଥିଲା ଦୀପ । ଦେଖିଲେ ତଅପୋଇ ରୂପ ॥
ତେଲ ବିହୁନେ କେଶ ଉଡ଼େ । ମୁଣ୍ଡୁ ଉକୁଣୀ ଝରି ପଡ଼େ ॥
ଛିଣ୍ଡା ଲେଙ୍କଡ଼ା ପିନ୍ଧିଥାଇ । ଦେଖି ବିକଳ ସାତଭାଇ ॥
କହଇ ଭାଇଙ୍କ ଆଗରେ । ତୁମ୍ଭେ ତ ଗଲ ବୋଇତରେ ॥
ପାଳି ଯେ ଥିଲେ ମାସ ଦୁଇ । ଯେଉଁ ପ୍ରକାରେ ଥିଲ କହି ॥
ରାଣ୍ଡି ବ୍ରାହ୍ମଣୀ ବୋଲ ଶୁଣି । ନଦେଲେ ମୋତେ ଅନ୍ନପାଣି ॥
ସେ ରାଣ୍ଡି କହିଲା ତାହାଙ୍କୁ । ଛେଳି ରଖାଅ ନଣନ୍ଦକୁ ॥
ତାହାର ବୋଲକୁ ଶୁଣିଲେ । ବନରେ ଛେଳି ରଖାଇଲେ ॥
ଭିତରେ ମୂଷାମାଟି ଭରି । ଉପରେ ଗୋଟି ଭାତ ଚାରି ॥
ବଡ଼ବୋହୂର ଏହି ମତେ । ଦୁଃଖ ଯେ ଦେଲେ ଯେତେ ॥
ସାନବୋହୂର ପାଳି ଦିନ । ବହୁତ ଦେଇଥାଇ ଅନ୍ନ ॥
ଏମନ୍ତ ଶୁଣି ସାତ ଭାଇ । କହନ୍ତି ଶୋକଭର ହୋଇ ॥
ଅଷ୍ଟରତ୍ନର ଅଳଙ୍କାର । ଦେଲେ ଯେ ଭଉଣୀ ଶରୀର ॥
ବସାଇ ଚଉକି ଉପରେ । ତୀକ୍ଷ୍ଣକାତିଏ ଦେଲେ କରେ ॥
ବୋଇଲେ ଯେହୁ ପ୍ରିୟତୋର । ନସିକା ନ କାଟିବୁ ତାର ॥
ଯେ ଅବା ଦୁଃଖ ଦେଲେ ତୋରେ । ନାସିକା କାଟିବୁ ତାହାରେ ॥
ଏମନ୍ତ କହି ଭାଇ ଗଲେ । ରାଜ୍ୟକୁ ଦୂତ ବରିଗଲେ ॥
ରାଜ୍ୟରେ ଚହଳ ପଡ଼ିଲା । ଶୁଭେଣ ବୋଇତ ଲାଗିଲା ॥
ଆନନ୍ଦ ରାଜ୍ୟ ଲୋକେ ଶୁଣି । ଏଥି ଉତ୍ତାରୁ ଶୁଣ ପୁଣି ॥
ପୁଣି ହିଁ ସାଧବର ପୁଏ । ଘରକୁ କହି ପଠିଆଏ ॥
ବେଗ ହୋଇଣ ତୁମ୍ଭେ ଯାଅ । ବୋହୂମାନଙ୍କ ଆଗେ କହ ॥
ସଙ୍ଗତେ ଘେନି ତଅପୋଈ । ଆସନ୍ତୁ ବୋଇତ ବନ୍ଦାଇ ॥
ତକ୍ଷଣେ ଲୋକ ଧାଇଁଗଲେ । ସପତ ବୋହୂଙ୍କୁ କହିଲେ ॥
ତଅପୋଈକି ସଙ୍ଗେ ନିଅ । ଶୁଭେଣ ବୋଇତ ବନ୍ଦାଅ ॥
ଶୁଣି ସମସ୍ତେ ଆରତେଣ । ତଅପୋଈକି ଖୋଜି ଆଣ ॥
ବୋଲଇ ସାନବୋହୂ ତହିଁ । କାଲିତ ବନୁ ଆସି ନାହିଁ ॥
ଖାଇଲା ଭୂତ କି ରାକ୍ଷସ । ଏବେ ଲୋଡ଼ିଲେ ହେବ କିସ ॥
କର୍ମେ ଅବଶ୍ୟ ଅଛି ଯାହା । ଭୋଗ କରିବାଟିକି ତାହା ॥
ବୋଇଲ ବଡ଼ ବୋହୂ ଶୁଣି । ବାହାର ହୁଅ ଅର୍ଘ ଘେନି ॥
ବୋଇତ ବେଗେ ବନ୍ଦାଇବା । ପୁଚ୍ଛାଲେ ବଞ୍ଚାଇ କହିବା ॥
ଏମନ୍ତେ ଅର୍ଘ ଘେନି ବାଳି । ବୋଇତ ପାଶେ ଯାଇ ମିଳି ॥
ବୋହୁଙ୍କୁ ଦେଖି ସାତ ଭାଇ । ବୋଲଇ ଅଧର କମ୍ପାଇ ॥
ସଙ୍ଗତେ ତଅପୋଈ ନାହିଁ । ତୁମ୍ଭେ ଆସିଲ କିମ୍ପାଇଁ ॥
ମଝିଆଁ ବୋହୂ ବୋଲେ ବାଣୀ । ଜରାଇଛନ୍ତି ଝିଅମଣି ॥
କେମନ୍ତେ ଚାଲିଣ ଆସିବେ । ଦେହରେ ପୀଡ଼ା ଯେ ପାଇବେ ॥
ଏମନ୍ତ ଶୁଣି ସାତ ଭାଇ । କହନ୍ତି କ୍ରୋଧଭର ହୋଇ ॥
ଦେବତା ଛନ୍ତି ମଙ୍ଗ କୋଣେ । ବନ୍ଦାଅ ଯାଇ ଜଣେ ଜଣେ ॥
ପ୍ରଥମେ ବଡ଼ବୋହୂ ଗଲା । କୋଣେ ଦେବତା ବନ୍ଦାଇଲା ।
ଛୁରୀରେ ତଅପୋଇ ବାଳି । କାଟିଲା ନାକର ବଉଳି ॥
ନୀଳେନ୍ଦ୍ରୀ ନାମେ ସାନବୋହୂ । ତଅପୋଈର ପ୍ରିୟ ସେହୁ ॥
ସମସ୍ତ ପଛେ ସେ ଅଇଲା । ସେ ବୋହୁ ପଛେ ବନ୍ଦାଇଲା ॥
ସାନବୋହୂକୁ ଦେଖି ବାଳି । ସେ ହସ୍ତରୁ ପକାଇଲା ଛୁରୀ ॥
କଣ୍ଠୁ କାଢ଼ିଲା ରତ୍ନମାଳି । ବୋହୂ ବେକରେ ଦେଲା ବାନ୍ଧି ॥
କାଖ କରିଣ ବୋହୂ ନେଲା । ଆପଣା ମନ୍ଦିରେ ରଖିଲା ॥
ଅତି ଆନନ୍ଦ ସେ ହୋଇଲେ । ଉତ୍ତମ ସୁଖ ଭୋଗ କଲେ ॥
ଏମନ୍ତ ଶୁଣି ସେ ଋକ୍ମିଣୀ । ବୋଲନ୍ତି ଆହେ ଚକ୍ରପାଣି ॥
ନାକୋଇମାନେ କାହିଁ ଗଲେ । କେମନ୍ତେ ଯାଇ ସେ ରହିଲେ ॥
ସେ କଥା କହ ଆହେ ହରି । କେମନ୍ତେ ହେଲେ ଏତେସରି ॥
ରାଣ୍ଡି ବ୍ରାହ୍ମଣୀ ସିନା ଆସି । ତାହାକୁ ଶିଖାଇଲା ବସି ॥
ବୋଲଇ ନଣନ୍ଦ ଏ ଛାର । ଏହାକୁ ଏତେ ସେବାକର ॥
କଷଣ ଦେଇ ତ ମାଇଲ । ପଛକୁ ଦୁଃଖ ସମ୍ପାଦିଲ ॥
ତୁମ୍ଭେ ଗୋ ନିର୍ଲଜ୍ଜ ବାଳୀଶ । ଏହାର ଯୋଗେ ଯିବ ନାଶ ॥
ଏମନ୍ତ କହିଣ ସେ ଗଲା । ମାୟା ମୋହିନୀ ଲଗାଇଲା ॥
ହଜିଲା ଏହାଙ୍କର ବୁଦ୍ଧି । ନଣନ୍ଦ ସଙ୍ଗେ ହେଲେ ବାଦୀ ॥
ଆୟତ୍ତ ନ ଥିଲା ତାଙ୍କରି । କିମ୍ପା ହୋଇଲେ ଏତେସରି ॥
କହନ୍ତି ଦେବକୀ ନନ୍ଦନ । ଶୁଣ ଗୋ ଯୁବତୀ ରତନ ॥
ନାକୋଇମାନେ ତହିଁଗଲେ । ଅରଣ୍ୟ ଭିତରେ ପଶିଲେ ॥
ବହୁତ ଦୂର ପଥ ଯାଇ । ବୁଲନ୍ତି ବାଇ ପ୍ରାୟ ହୋଇ ॥
ବିକଳେ କରନ୍ତି ରୋଦନ । ଶୁଭଇ ଘୋର ଗରଜନ ॥
ସମସ୍ତେ ହୋଇ ଏକମେଳ । ବସିଲେ ବୃକ୍ଷ ଛାଇତଳ ॥
ରୁଧିରେ ତନୁ ଜର ଜର । ପଡ଼ଇ ଧରଣୀ ଉପର ॥
ହୃଦୟେ ବେନିକର ମାରି । କାନ୍ଦନ୍ତି ଦଇବ ସୁମରି ॥
ଆହା ବିଧାତା ଏହା କଲୁ । କି ଦୋଷେ ଏ ଦଶା କହିଲୁ ॥
ଏକା କରମ ଷଡ଼ ନାରୀ । ଲେଖିଣ ଥିଲୁ କି ବିଚାର ॥
କିମ୍ପାଇଁ ନ କଲୁ ମରଣ । ବନସ୍ତେ ଥିଲା ଏ କଷଣ ॥
ସାଧବ ଘରେ ହେଲେ ଜାତ । ଏକାଳେ ହୋଇଲୁ ଅନାଥ ॥
ଯାଆନ୍ତୁ ବାପା ଭାଇ ଘର । ମୁଖକୁ ଚାହିଁବୁ କାହାର ॥
ଏମନ୍ତ ବୋଲିଣ ଯୁବତୀ । ସମସ୍ତେ ରୋଦନ କରନ୍ତି ॥
ବୋଇଲେ କରିବା ଗୋ କିସ । ଖାଇ ମରିବା ଆଣ ବଷ ॥
କେ ବୋଲେ କିଛି ଗୋ ନ ଭାଳ । ନିଶ୍ଚେ ପୁରିଲା ଆମ୍ଭ କାଳ ॥
କେ ବୋଲେ ବନେ ପଶିଯିବା । ବ୍ୟାଘ୍ର ଭାଲୁଙ୍କ ମୁଖେ ଯିବା ॥
କେହି ଆମ୍ଭଙ୍କୁ ନ ଖାଇଲେ । ନିରେଖ ବୋଲି ଛାଡ଼ିଗଲେ ॥
ଏମନ୍ତ ବହୁ ବେଳ ଗଲା । ତିମିର ଆସି ପ୍ରବେଶିଲା ॥
ଦଇବ ଯୋଗେଣ ଶାର୍ଦ୍ଦୂଳ । କ୍ଷୁଧା ତୃଷାରେ ସେ ଆକୁଳ ॥
ମିଳିଲେ ଯୁବତୀଙ୍କ ପାଶ । ଦେଖିଣ ବଡ଼ିଲା ସାହାସ ॥
ନାକୋଇମାନେ ତହିଁ ପଡ଼ି । ପିଣ୍ଡରୁ ପ୍ରାଣ ଗଲା ଛାଡ଼ି ॥
ବେନି ଶାର୍ଦ୍ଦୂଳ ତହିଁ ଗଲେ । ସେ ମୃତପିଣ୍ଡ ପଡ଼ିଥିଲେ ॥
ଏମନ୍ତ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ॥
ସେ ବନେ ସଦାଶିବ ଥାନ୍ତି । ମର୍କତଲିଙ୍ଗ ଶୋଭାପାନ୍ତି ॥
ତାହାଙ୍କୁ ନ ଦେଖନ୍ତି କେହି । ଗୁପତେ ହୋଇଥାନ୍ତି ରହି ॥
ବିରୂପା ନାମେଣ ଶବର । ବୁଲଇ ମହାବନ ଘୋର ॥
ଏମନ୍ତେ ବନେ ବୁଲୁଥିଲା । ବନେ ସେ ଲିଙ୍ଗକୁ ଭେଟିଲା ॥
ଦେଖିଲା ମର୍କତଲିଙ୍ଗକୁ । ବିଚାର କଲା ସେ ମନକୁ ॥
ବୋଇଲା ଆଜି ଭାଗ୍ୟେ ମୋର । ଦର୍ଶନ ପାଇଲା ଶଙ୍କର ॥
ସେ ଶୁଦ୍ଧଚିତ୍ତେ ଦୃଢ଼ କଲା । ସାଷ୍ଟାଙ୍ଗ ଦଣ୍ଡବତ କଲା ॥
ଉଠି ହୋଇଲା କୃତ୍ୟ କୃତ୍ୟ । ସେଠାରୁ ଗଲାକ ତ୍ୱରିତ ॥
ସ୍ନାନ ଶଉଚ ଜଳେସାରି । ନୀର ଆଣିଲା କରେ ଧରି ॥
ଶିବଙ୍କ ଶିରରେ ଢାଳିଲା । କୁସୁମ ବେଲପତ୍ର ଦେଲା ॥
ସୁସ୍ୱାଦୁ ପକ୍ୱଫଳ ଆଣି । ଦେଇ ପୂଜିଲା ଶୂଳପାଣି ॥
ଉଠିଣ କଲା ନମସ୍କାର । ମେଲିଣ ମାଗିଲା ଛାମୁର ॥
ଉଠି ବୋଇଲେ ଦେବ ହର । ଆନନ୍ଦେ ବୋଇଲେ ଶବର ॥
ଏମନ୍ତ ନିତ୍ୟ ସେବା କରି । ଦୃଢ଼ବିଶ୍ୱାସ ଚିତ୍ତେ ଧରି ॥
ଦିନେ ସେ ବିରୂପା ଶବର । ପୂଜିଣ ଯାଉ ସେ ଶଙ୍କର ॥
ବନେ ଯାଉଛି ବେଗ ହୋଇ । ବାଟରେ ଦେଖିଲାକ ଯାଇ ॥
ଷଡ଼ ଯୁବତୀ ଛନ୍ତି ମରି । ନାସାଛେଦନ ସବୁଙ୍କରି ॥
ଦେଖିଣ ଆଶ୍ଚର୍ଯ୍ୟ ହୋଇଲା । ମର୍କତ ଲିଙ୍ଗ ପାଶେ ଗଲା ॥
ସେ ନିତ୍ୟକର୍ମ ଯେ ସାରିଲା । ଯିବାକୁ ମେଲାଣି ମାଗିଲା ॥
ହିରଣ୍ୟ ନ କହି ବଚନ । ବୁଝିବା ପାଇଁ ତାର ମନ ॥
ଶବର ବହୁତ ଡାକିଲା । ଡାକିଣ ନିରାଶ ହୋଇଲା ।
ବୋଇଲେ ଅପରାଧ ମୋର । ଦୟା ତେଜିଲେ ଦେବ ହର ॥
ଆଉ ଜୀବନେ କାର୍ଯ୍ୟ ନାହିଁ । ଆକୁଳେ ଦଶଦିଗ ଚାହିଁ ॥
ନାରାଚ ପାଷାଣେ ଘଷିଲା । କଣ୍ଠ ତଣ୍ଟିରେ ବସାଇଲା ॥
ଡାକିଲେ ପ୍ରଭୁ ଦେବ ହର । ରହରେ ବିରୂପା ଶବର ॥
କିମ୍ପାଇଁ ହାରୁଛୁ ଜୀବନ । ମୁହିଁ ଜାଣିଲି ତୋର ମନ ॥
ପ୍ରସନ୍ନ ହେଇ ମାଗ ବର । ଯେ ଇଚ୍ଛା ମନରେ ତୋହର ॥
ଶବର ମନେ ବିଚାରିଲା । ଯେ ପ୍ରାଣୀ ପରହିତେ ଥାଇ ॥
ସ୍ୱର୍ଗ ପ୍ରାପତ ହୁଏ ତାରେ । ଶୁଣି ମୁଁ ଅଛଇ ସଂସାରେ ॥
ଏମନ୍ତ ମନେ ବିଚାରିଲା । କର ଯୋଡ଼ିଣ ଜଣାଇଲା ॥
ବୋଇଲା ପ୍ରଭୁ ମହେଶ୍ୱର । ମୋ ଅପରାଧ କ୍ଷମାକର ॥
ଷଡ଼ ଯେ ନାରୀ ଛନ୍ତି ମରି । ଜୀଇଁବେ ନାସିକା କଅଁଳି ॥
ଅସ୍ତୁ ବୋଇଲେ ଶୂଳଧର । ତକ୍ଷଣେ ଦେଖିଲା ଶବର ॥
ବୋଲଇ ଆଗୋ ନାରୀମାନେ । କିମ୍ପା ଅଇଲ ଘୋର ବନେ ॥
ଶୁଣି ସାଧବ ବୋହୂମାନେ । ବୋଲନ୍ତି ଶୁଣ ସାବଧାନେ ॥
କନିଷ୍ଠ ନଣନ୍ଦ ଆମ୍ଭର । ତା ଲାଗି ହେଲୁ ଏତେ ଦୂର ॥
ନାମ ତା ତଅପୋଇ ବାଳୀ । କାଟିଲା ନାକର ବଉଳି ॥
ନାକୋଇ ହୋଇ ପଳାଇଲୁ । ଲଜ୍ଜାରେ ବନସ୍ତେ ପଶିଲୁ ॥
ବ୍ୟାଘ୍ର ଦେଖିଣ ମୋହ ଯାଇ । ପଡ଼ିଣ ଥିଲୁ ଏହିଠାଇଁ ॥
କେଉଁ ବିଧାତା ବରଦେଲା । ନାସିକାମାନ କଅଁଳିଲା ॥
ଶବର ସମସ୍ତ କହିଲା । ତାହାଙ୍କୁ ପଥ ଦେଖାଇଲା ॥
ସେ ବାପା ଭାଇ ଘର ଗଲେ । ନିଶ୍ଚିନ୍ତ ହୋଇଣ ରହିଲେ ॥
କହଇ ଗୋପିନାଥ ଦାସ । ଉଦ୍ଧାର ମତେ ପୀତ ବାସ ॥
ଇତି ଶ୍ରୀକୃଷ୍ଣ ଋକ୍ମିଣୀ ସତ୍ୟଭାମା ଉକ୍ତୌ ସାଧବଷଡ଼ବଧୂ ଉଦ୍ଧାରଣେ ନାମ ତୃତୀୟୋଽଧ୍ୟାୟ ॥
ଚତୁର୍ଥ ଅଧ୍ୟାୟ
ଏମନ୍ତ କୃଷ୍ଣ ବାଣୀ ଶୁଣି । ହସି ବୋଲନ୍ତି ଠାକୁରାଣୀ ॥
ସେ ତଅପୋଈ କିସ କଲା । କେମନ୍ତ ହୋଇଣ ରହିଲା ॥
ଏମନ୍ତେ କେତେ ଦିନ ଗଲା । ସାଧବ ମନେ ବିଚାରିଲା ॥
ଏବେ କରିବା ସୁବିଚାର । ତଅପୋଈର ବିଭାଘର ॥
ଜ୍ୟେଷ୍ଠ ଭ୍ରାତାର ଏହିବାଣୀ । ସମସ୍ତେ ଭାଇମାନେ ଶୁଣି ॥
ବୋଇଲେ କହିବା ଉଚିତ । ଯେ ସାଧୁ ଶ୍ରେଷ୍ଠ କୁଳବନ୍ତ ॥
ଅଇଶ୍ୱର୍ଯ୍ୟରେ ଥିବ ରହି । ବିଭା କରିବା ତଅପୋଈ ॥
କହନ୍ତି ସାଧବ ନନ୍ଦନ । ଏମନ୍ତ ଗଲା କେତେ ଦିନ ॥
ବିରଞ୍ଚି ବୋଲିଣ ସାଧବ । ତାହାର ଧନ ଅସମ୍ଭବ ॥
କୁବେର ସମ୍ପତ୍ତିକୁ ବଳି । ପ୍ରତାପ ନ ପାରିବ କଳି ॥
ସେହି ଦ୍ୱୀପରେ ତାର ଘର । ତା ପୁତ୍ର ନାମ ରତ୍ନାକର ॥
ସୁନ୍ଦର ସୁବୁଦ୍ଧି ପଣ୍ଡିତ । ଗରିଷ୍ଠ ପଣେ ବଳବନ୍ତ ॥
ତାହାକୁ ବିଭା କରିବାକୁ । ତା ପିତା ବିଚାରେ ମନକୁ ॥
ଦୂତମାନଙ୍କୁ ଡକାଇଲା । ପ୍ରସଙ୍ଗ କରିଣ ପେଶିଲା ॥
ତକ୍ଷଣେ ଦୂତମାନେ ଗଲେ । ଥୋକାଏ ରାଜ୍ୟ ସେ ବୁଲିଲେ ॥
ତନୟ ସାଧବର ସୁତ । ସେ ରାଜ୍ୟେ ସେହି ଭାଗ୍ୟବନ୍ତ ॥
ଏକ ଭଉଣୀ ସାତ ଭାଇ । ତାହାର ନାମ ତଅପୋଈ ॥
ତାହାଙ୍କ ହାତରେ ଦୂତ ଆସି । ପ୍ରସଙ୍ଗ କହିଲେ ବିଶେଷି ॥
ବୋଇଲେ ବିରଞ୍ଚି ସାଧୁତ । ତାହାଙ୍କ ପୁତ୍ର ବଳବନ୍ତ ॥
ତଅପୋଈକି ବିଭାକର । ଏ କଥା ଉଚିତ ବେଭାର ॥
ଏମନ୍ତ କହି ଦୂତମାନେ । ମେଲିଣ ହୋଇଲେ ବହନେ ॥
ଯାଇ ସାଧବ ତୋଷ ହୋଇ । ଯେ ବିଧି ବିଧାନ ଭିଆଇ ॥
କୁଳ ଧର୍ମର ଯେଉଁ ରୀତି । ସେହି ପ୍ରକାରେ ସେ କରନ୍ତି ॥
ମଙ୍ଗଳ କୃତ୍ୟ ଯେ ଭିଆଣ । ମିଳି ବହୁତ ନାରୀଗଣ ॥
ନବୀନ ଭାଣ୍ଡ ମଙ୍ଗୁଳିଲେ । ସମସ୍ତ ହୁଳହୁଳି ଦେଲେ ॥
ବସ୍ତ୍ର ଭୂଷଣ ଅଳଙ୍କାର । ଯେ ପୂଜା ବିଧି ଉପଚାର ॥
ଦେଇଣ ସମସ୍ତେ ପୂଜନ୍ତି । ଯୁବତୀ ହୁଳହୁଳି ଦିଅନ୍ତି ॥
ଶଙ୍ଖ ମହୁରୀ ନାନା ବାଦ୍ୟ । ବାଜନ୍ତେ ଉଛୁଳେ ଶବଦ ॥
ସେଠାରୁ ହୁଅନ୍ତି ମେଲାଣି । ବର କନ୍ୟାକୁ ଘରୁ ଆଣି ॥
ଢ଼ାଳନ୍ତି ନେଇ ତୀର୍ଥ ଜଳ । ଯୁବତୀ ହୋଇ ଏକମେଳ ॥
ତ୍ୱରିତେ ତହୁଁ ପୋଛି ଦେଲେ । ମଳିନ ବସ୍ତ୍ର ପିନ୍ଧାଇଲେ ॥
ଏଥି ଉତ୍ତାରୁ ଆରଦିନ । ବିଭା ଉତ୍ସବ ଯୋଗ ଲଗ୍ନ ॥
ବ୍ରାହ୍ମଣ ଜଉତିଷ ଆସି । ବିଶେଷ ପଚାରନ୍ତି ବସି ॥
କହନ୍ତେ ସମସ୍ତେ ଶୁଣିଲେ । ବିଭା ଉଦ୍ୟମ ପଚାରିଲେ ॥
ମଙ୍ଗଳ ବାଦ୍ୟ ଉଚ୍ଚାରନ୍ତି । ବରକୁ ବେଦୀରେ ବସାନ୍ତି ॥
ବ୍ରାହ୍ମଣେ ବେଦ ବାକ୍ୟ ଭାଷି । ବୋଇଲେ କନ୍ୟାକୁ ଆଣସି ॥
ତା ଶୁଣି କନ୍ୟାକୁ ଅଣାଇ । ଲବଣ ଚଉଁରୀ ପକାଇ ॥
ଅଷ୍ଟରତ୍ନର ଅଳଙ୍କାର । ଖଞ୍ଜିଲେ କନ୍ୟାର ଶରୀର ॥
ଝିନ ବସନେ ପିନ୍ଧାଇଣ । ଦେବାଙ୍ଗ ବସ୍ତ୍ର ଉପରେଣ ॥
ଦେଇଣ କନ୍ୟାକୁ ଆଣିଲେ । ବେଦୀ ଉପରେ ବସାଇଲେ ॥
ଅନେକ ବାଦ୍ୟ ବଜାବନ୍ତି । ଯୁବତୀ ହୁଳହୁଳି ଦିଅନ୍ତି ॥
ଶବଦ ଶୁଭେ ଘୋରନାଦ । ବ୍ରାହ୍ମଣେ ପଢ଼ୁଛନ୍ତି ବେଦ ॥
ଜନ ଗହଳେ ନୁହେଁ ପଶି । ଦେଖି ବର କନ୍ୟାକୁ ତୋଷି ॥
ସମସ୍ତେ ଧନ୍ୟ ଧନ୍ୟ କଲେ । ବିଭା ଉତ୍ସବ ବଢ଼ାଇଲେ ॥
ବନ୍ଧୁ କୁଟୁମ୍ବ ଜ୍ଞାତିଜନ । ଭୋଜନ କଲେ ମିଷ୍ଟଅନ୍ନ ॥
ସେଦିନ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ॥
ସାତ ଭାଇଙ୍କି ଅଣାଇଲା । ବିରଞ୍ଚି ସାଧବ ଉଠିଲା ॥
ବୋଇଲା ମେଲାଣି ଆମ୍ଭଙ୍କୁ । ବହନ ଦିଅ ହେ ଯିବାକୁ ॥
ଶୁଣି ତନୟ ସାଧୁ ସୁତେ । ଉଦ୍ୟମ କଲେ ଯିବା ଅର୍ଥେ ॥
ସଜ କରିଣ ରାଜଦୋଳି । ବସାଇ ତଅପୋଈ ବାଳୀ ॥
ସୁବର୍ଣ୍ଣ ଚାନ୍ଦ ଘରେ ଥିଲା । ସାଧବ ବେଗେ ଅଣାଇଲା ॥
ଉପରେ ଟଣାଇଲା ସେହି । ଦେଖି ଆନନ୍ଦ ତଅପୋଈ ॥
ଚନ୍ଦ୍ରକୁ ବେଢ଼ି ଯେହେ ତାରା । ଅତି ସୁନ୍ଦର ଦିଶେ ତୋରା ॥
ଦେଖିଣ ନଗ୍ର ନାରୀମାନେ । ବୋଲନ୍ତି ଧନ୍ୟ ତୋ ଜୀବନ ॥
ସାତ ଭାଇରେ ତଅପୋଈ । ଦଣ୍ଡେ ମୂର୍ଚ୍ଛାନ୍ତି କେହି ନାହିଁ ॥
ଭାଉଜ ଦେଖି ନ ପାରିଲେ । ଏହାର ଲାଗି ଦୂର ହେଲେ ॥
ସାନ ଭାଉଜ ନଣନ୍ଦର । ଦଣ୍ଡେ ହେ ନୁହେଁ ଅଭ୍ୟନ୍ତର ॥
କେମନ୍ତେ ମୂର୍ଚ୍ଛିବ ଏହାକୁ । ଆସିବା ଯାଏ ତା ଘରକୁ ॥
ଏମନ୍ତ ଶୁଣି ତଅପୋଈ । ବେନି ନୟନୁ ଲୁହ ବୋହି ॥
ଭାଉଜ କାନ୍ଦେ ଶୋକଭରେ । ଲୁହ ପୋଛିଣ ବେନି କରେ ॥
ସାହି ପଡ଼ିଶା ଯେତେ ଥିଲେ । କାନ୍ଦିଣ ପ୍ରବୋଧନ କଲେ ॥
ଏମନ୍ତ ସୈନ୍ୟ ସାଜ ହେଲେ । ଯେ ଯାହା ବାହନ ଚଢ଼ିଲେ ॥
ବରକୁ ସେବେଶ କରାଇ । ପାଲିଙ୍କି ଉପରେ ବସାଇ ॥
ଆଗରେ ଗଲେ ତଅପୋଈ । ପଛରେ ବର ଚଳିଯାଇ ॥
ତଅପୋଈର ସାତ ଭାଇ । ପାଛୋଟି ଖଣ୍ଡେ ଦୂର ଯାଇ ॥
ବିରଞ୍ଚି ସାଧବକୁ କହି । ଯେ ଯାହା ରୂପେ ମାନ୍ୟ ହୋଇ ॥
ଲେଉଟି ଘରକୁ ଅଇଲେ । କନ୍ୟା ଘେନିଣ ସେହି ଗଲେ ॥
ଯାଇଣ ମିଳିଲେ ରାଜ୍ୟରେ । ଶୁଣ ହେ ଏଥୁ ଅନନ୍ତରେ ॥
ଚଉଠି ସାତ ଯେ ମଙ୍ଗଳା । ଏ ରୂପେ ସବୁ ଯେ ବଢ଼ିଲା ॥
ଏମନ୍ତେ ଶ୍ରୀକୃଷ୍ଣର ବାଣୀ । ଋକ୍ମିଣୀ ସତ୍ୟଭାମା ଶୁଣି ॥
ବୋଲନ୍ତି ଶୁଣ ଦେବହରି । ସେତ ସ୍ୱର୍ଗର ଅପସରୀ ॥
ସାଧବ ଘରେ ସେ ରହିଲା । କେମନ୍ତ ସ୍ୱର୍ଗକୁ ସେ ଗଲା ॥
କହନ୍ତି କମଳ ଲୋଚନ । ଶୁଣ ଗୋ ରମଣୀ ରତନ ॥
ସେ ଚିତ୍ରସେନ ସ୍ୱର୍ଗପୁରେ । ଭାଳଇ ବସି ନିରନ୍ତରେ ॥
ନିକଟ ଦିନ ଆସି ହୋଇ । ଷୋଳ ବରଷ ପୁରି ନାହିଁ ॥
ଏମନ୍ତ ସମୟେ ଗନ୍ଧର୍ବ । ଇନ୍ଦ୍ରଙ୍କୁ ବୋଇଲା ଭୋ ଦେବ ॥
ଏବେ ମୁଁ କରିବି କେମନ୍ତ । ବିଚାରି କହ ଶଚୀନାଥ ॥
ଇନ୍ଦ୍ର ବୋଇଲେ ଚିତ୍ରସେନ । ଷୋଳ ବରଷ ଯେଉଁ ଦିନ ॥
ସମ୍ପୂର୍ଣ୍ଣ ହୋଇବଟି ଯେବେ । ବିମାନ ଘେନିଯିବୁ ତେବେ ॥
ବସି କରି ତୋହର ନାରୀ । ମଞ୍ଚୁ ଆଣିବୁ ସ୍ୱର୍ଗପୁରୀ ॥
ଶୁଣିଣ ଇନ୍ଦ୍ରର ବଚନ । ଗନ୍ଧର୍ବ ଗଣୁଥାଇ ଦିନ ॥
ଷୋଳ ବରଷ ଯହୁଁ ହେଲା । ବିମାନ ଘେନି ସେ ଚଳିଲା ॥
ପୁଷ୍ପ ବିମାନ ଆକାଶରେ । ରହିଣ ଥିଲା ସେ ଗୁପ୍ତରେ ॥
ଦେଖ ଦଇବର ଗତି । ଯେ ଯାହା କର୍ମ ସେ ଭୁଞ୍ଜନ୍ତି ॥
ତଅପୋଈକି ନେବା ପାଇଁ । ଗନ୍ଧର୍ବ ଆସିଥିଲେ ତହିଁ ॥
ସାତମଙ୍ଗଳା ବିଧି ସାରି । ଅଷ୍ଟମଙ୍ଗଳା ବିଧି କରି ॥
ତଅପୋଈକି ଭାଇ ସାଥେ । ବସାଇ ଗଜଦନ୍ତ ରଥେ ॥
ଘରକୁ ଘେନିଣ ଗମନ୍ତି । ଶୂନ୍ୟେ ଦେଖିଲା ତାର ପତି ॥
ଆସିଣ ପଥ ଓଗାଳିଲେ । ସବୁଙ୍କୁ ଘଉଡ଼ାଇ ଦେଲା ॥
ତଅପୋଈକି ଘେନିଯାଇ । ପୁଷ୍ପକ ବିମାନେ ବସାଇ ॥
ସ୍ୱର୍ଗରେ ଯାଇଣ ମିଳିଲା । ଇନ୍ଦ୍ର ଛାମୁରେ ଜଣାଇଲା ॥
ମାନବ ରୂପ ତାର ଗଲା । ଦେବ ଶରୀର ପ୍ରକାଶିଲା ॥
ଆନନ୍ଦ ହୋଇ ବେନି ଜନେ । ସୁଖେ ରହିଲେ ସ୍ୱର୍ଗ ସ୍ଥାନେ ॥
କହଇ ଶିଶୁ ଗୋପିନାଥ । ଉଦ୍ଧର ଶଙ୍ଖ ଚକ୍ର ହସ୍ତ ॥
ଇତି ଶ୍ରୀକୃଷ୍ଣ ସତ୍ୟଭାମା ଉକ୍ତୌ ତଅପୋଇ ବିବାହ ଓ ସ୍ୱର୍ଗଗମନ ଚତୁର୍ଥ ଅଧ୍ୟାୟ ॥
ପଞ୍ଚମ ଅଧ୍ୟାୟ
ଏଥ ଉତ୍ତାରୁ ଏବେ ଶୁଣ । କହିବା ତହିଁର ବିଧାନ ॥
ଯହୁଁ ସେ ତଅପୋଈ ବାଳି । ସ୍ୱର୍ଗଭୁବନେ ଗଲା ଚଳି ॥
ଦେଖି ତାହାର ବନ୍ଧୁ ଜନେ । ଚକିତେ ଚାହିଁଲେ ଗଗନେ ॥
କହନ୍ତେ ସମସ୍ତେ ଶୁଣିଲେ । ବହୁତ ଜନ ମେଳ ହେଲେ ॥
ଦୂରରୁ ଶୁଭିଲା ଶବଦ । ସକଳେ ହୋଇଲେ ନିବେଦ ॥
ବୃଦ୍ଧ ବିବେକ ଜନମାନେ । ବିଚାର କଲେ ମନେ ମନେ ॥
ବୋଇଲେ ସ୍ୱର୍ଗ ଅପସରୀ । ମର୍ତ୍ତେ ଜନ୍ମିଲା ଦେହ ଧରି ॥
ଭୋଗ ସରନ୍ତେ ସେହୁ ଗଲା । ସ୍ୱର୍ଗରେ ଯାଇଣ ବସିଲା ॥
ପୁଣି ତନୟ ସାଧୁ ସୁତ । ବୋଇଲେ ଏ କଥା ଉଚିତ ॥
ଯେବେ ସେ ଦେବତା ନୁହନ୍ତା । ସ୍ୱର୍ଗର ଚାନ୍ଦକି ମାଗନ୍ତା ॥
ଏମନ୍ତ ଶୁଣି ତହୁଁ ଗଲେ । ନିଜ ଭୁବନେ ପ୍ରବେଶିଲେ ॥
ସେ ସାତ ଭାଇ ମେଳେ ହୋଇ । ଭାଳନ୍ତି ଏକମନ ହୋଇ ॥
ବୋଲନ୍ତି ଦେବତାର ମାୟା । କେ ଅବା ଜାଣିଥିଲା ଏହା ॥
ନ ବୁଝି ଆମେ ଏତେ ସରି । କୁଳବଧୂଙ୍କୁ ଦୂର କରି ॥
ନାସିକାମାନ କଟାଇଣ । ଘଉଡ଼ି ଦେଲଇ ତକ୍ଷଣ ॥
ନିରାଶ ହୋଇ ପଳାଇଲେ । କେ କାହିଁ ପ୍ରାଣ ଯେ ହାରିଲେ ।
ଏବେ କରିବା ଆମ୍ଭେ କିସ । ସବୁ ମରିବା ଖାଇ ବିଷ ॥
ଧନ ସମ୍ପଦ ଅକାରଣ । ଦଇବ ଦେଲା ଯେ କଷଣ ॥
ମାତା ପିଅର ଆମ୍ଭ ମଲେ । ଆମ୍ଭ କଷଣ ନ ଦେଖିଲେ ॥
କହିଣ ବିକଳ ହୁଅନ୍ତି । ନୟନୁ ଲୋତକ ଗଡାନ୍ତି ॥
ଏମନ୍ତେ ଗଲା କେତେ ଦିନ । ଦୁଃଖିତ ହେଲେ ଅନୁଷଣ ॥
ବହୁତ ବୋଇଲା କଷଣ । ଜଗତେ ଶୁଭିଲା ଘୋଷଣ ॥
ସାଧବ ପୁତ୍ର ହୋଇ କରି । ଭାରିଯା ଦେଲୁ ଦୂର କରି ॥
ଏବେ ପାଇଁଲେ ଏଡ଼େ ଦୁଃଖ । ହୋଇଲେ ଅତିହିଁ ନିରେଖ ॥
ସେ କୁଳବଧୂମାନେ ଥିଲେ । ସମସ୍ତେ ବାରତା ପାଇଲେ ॥
ଶୁଣିଣ ହୋଇଲେ ଊଷତ । ବହନ ପେଶି ଦେଲେ ଦୂତ ॥
ସେ ଯାହା ଅନୁରୂପେ ଗଲେ । ସାଧବ ମନ୍ଦିରେ ମିଳିଲେ ॥
କହିଲେ ସକଳ ବିଧାନ । ଶୁଣ ହୋଇଲେ ତୋଷ ମନ ॥
ସକଳ ବନ୍ଧୁ ଘରେ ଗଲେ । ଭାରିଯାମାନଙ୍କୁ ଦେଖିଲେ ॥
ଦେଖିଣ କଲେ ସେ ରୋଦନ । ବହଇ ଅଶ୍ରୁ ଘନ ଘନ ॥
ସକଳ କଥା ମାନ ନେଇ । ବହୁତ ହେଲେ କୁହାକୁହି ॥
ବୋଇଲେ ଆସ ଯିବା ଘର । ନାହିଁ ଯେ କଲେ ନାରୀ ବର ॥
ବହୁତ କଷ୍ଟରେ ଅଇଲେ । ଯେ ଯାହା ସୁଖେ ରାଜ୍ୟ କଲେ ॥
ଧନ ବସନ ରତ୍ନମାନ । ବହୁତ ବିପ୍ରେ କଲେ ଦାନ ॥
ପୁତ୍ର ଦୁହିତା ହେଲେ ଜାତ । ଏମନ୍ତେ ବଂଶ ଅପ୍ରମିତ ॥
ସେହି ସାଧବ ବୋହୂ ଯେତେ । ଏ ଓଷା କଲେକ ସମସ୍ତେ ॥
ଭାଦ୍ରବ ମାସ ରବିବାର । ଖୁଦୁରୁକୁଣୀ ଆଦ୍ୟ ସାର ॥
ସେଦିନ ଉପବାସ କରି । ମଙ୍ଗଳା ଦେବୀଙ୍କୁ ସମରି ॥
ଓଷା ମନ୍ଦିର ଯତ୍ନ କଲେ । ଚୂନରେ ଯତନେ ଲିପିଲେ ॥
ମଙ୍ଗଳା ଦେବୀ ରୂପ ଦେଖି । ସମସ୍ତେ ମାନ୍ୟ କଲେ ଦେଖି ॥
ସାତ ବୋଇତ ଯେ ଦେଖିଲେ । ସାତ ସାଧବ ବସାଇଲେ ॥
ତଅପୋଈକି ମଙ୍ଗ କୋଣେ । ଦେଖି ହସିଲେ ଜଣେ ଜଣେ ॥
ବୋଇଲେ ଏପରି ସୁନ୍ଦରୀ । ନାକ କାଟିଲା ସବୁଙ୍କରି ॥
ସାନବୋହୂର ପ୍ରୀତି ସିନା । ଭାଇମାନଙ୍କର ଦୁଲ୍ଲଣା ॥
କେ ବୋଲେ ନଣନ୍ଦ ଆମ୍ଭର । କରିଛି ଯେତେ ଉପକାର ॥
କେ ବୋଲେ ଦୋଳିରେ ବସିଲା । କେବୋଲେ ଛେଳି ରଖିଥିଲା ॥
କେ ବୋଲେ ଭାତ ମୂଷାମାଟି । ବନସ୍ତେ ଖାଉଥିଲା ଖୁଣ୍ଟି ॥
ପାଉଁଶ ଲୁଣ ଏ ଖାଇଲା । ତେଣୁଟି ଭାଇଙ୍କି କହିଲା ॥
କେହୁ ବୋଲଇ ଏହିଠାରେ । ତୀକ୍ଷ୍ଣ ଛୁରୀଟି ବେଲେକରେ ॥
ପୁଣି ହିଁ ନାକ ଯେ କାଟିବ । ଆମ୍ଭଙ୍କୁ ବଳେ ବିନାଶିବ ॥
ଏମନ୍ତ ପରିହାସ କରି । କହନ୍ତି ସାଧବର ନାରୀ ॥
ତହିଁ ଉତ୍ତାରୁ ସର୍ବେ ଗଲେ । ଯେ ଯାହା ବିଧିରେ ଆଣିଲେ ॥
ବିବିଧ ଫୁଲମାଳ ମାନ । କର୍ପୂର କସ୍ତୁରୀ ଚନ୍ଦନ ॥
ଅଗୁରୁ ଧୂପ ଦୀପାବଳୀ । ବନ୍ଦାଇ ଦେଲେ ହୁଳହୁଳି ॥
ଶ୍ରୀଫଳ ଆଦି ଯେତେ ଫଳ । କାକୁଡ଼ି ମକା ଯେ କଦଳି ॥
ଉଖୁଡ଼ା ମୁଆଁ ଠୁଳ କରି । ଚାଙ୍ଗଡ଼ାମାନଙ୍କରେ ଭରି ॥
ଦେଇଣ ମଙ୍ଗଳା ପୂଜିଲେ । ଆନନ୍ଦେ ହୁଳହୁଳି ଦେଲେ ॥
ଉଠିଣ ଗଲେ ଯେଝା ଘରେ । ଆସି ମିଳିଲେ ପ୍ରଭାତରେ ॥
ଏମନ୍ତ ପ୍ରତି ପାଳି କରି । ପ୍ରାତସ୍ନାନକୁ ତହିଁ ସାରି ॥
ପଥେ ଆସନ୍ତେ ହୁଳ ହୁଳି । ଦିଅନ୍ତି ନବୀନ ଦୁଲ୍ଲଳୀ ॥
ଯାହାର ଯେ ଇଚ୍ଛା କଳ୍ପନା । ମଙ୍ଗଳା ନାମେ ସୁମରଣା ॥
କହନ୍ତି ଯେଝା ମନ ଜାଣି । ଦୟା କରନ୍ତି ଠାକୁରାଣୀ ॥
ଦେଖିଲା ଗୋପିନାଥ ଦାସ । ଏ ତଅପୋଈ ଗୀତ ଶେଷ ॥
କହନ୍ତି ପ୍ରଭୁ ପୀତବାସ । ଋକ୍ମିଣୀ ସତ୍ୟଭାମା ତୋଷ ॥
ଇତି ଶ୍ରୀ ଋକ୍ମିଣୀ ସତ୍ୟଭାମା ଉକ୍ତୌ ସାଧବ ପୁତ୍ରବଧୂ ସ୍ୱସ୍ଥାନଗମନଂ ନାମ ପଞ୍ଚମୋଽଧ୍ୟାୟ ।