ଚନ୍ଦନ ଲାଗି ସମୟେ
ଚନ୍ଦନ ଲାଗି ସମୟେ
ଚନ୍ଦନ ଲାଗି ସମୟେ ଚିନ୍ତ ଚିନ୍ତାମଣି କି ।
ସୁବେଶର ଲାଗି ଶେଷ ଲାଗି ହୋଇ ଝୀନବାସ
କଟୀରେ ସୁବର୍ଣ୍ଣ ଝୁମ୍ପା ଆହା କେଡ଼େ ଠାଣି କି ॥ପଦ॥
ତିନିବାଡ଼େ ତିନିଲୋକ ସେବକ ପଶୁପାଳକ
ରତ୍ନସଂହାସନେ ଉଭା ଯୋଡ଼ି ବେନି ପାଣି କି ॥୧॥
ଚନ୍ଦନ ସଂସ୍କାର ସାରି ପ୍ରଭୁ ଅଙ୍ଗେ ଲାଗିକରି
ହରି ଭଦ୍ରା ସୁଦର୍ଶନ କମଳା ଘରଣୀ ଙ୍କି ॥୨॥
ହଡ଼ପ ନାୟକ ରହି ବିଡିଆ ପତ୍ରକୁ ବହି
କରାଇ ମଣୋହି ତହିଁ କମ୍ବୁଚକ୍ରପାଣି କି ॥୩॥
ଡାକଇ ଖୁଣ୍ଟିଆ ଦ୍ୱିଜ ମଣିମା ଭୋ ଦେବରାଜ
ଅଖିଳ ବ୍ରହ୍ମାଣ୍ଡ ନାଥ ପ୍ରଭୁମନ ଜାଣିଙ୍କି ॥୪॥
ନିଜ ନିଜ ଗୁଣାବଳୀ ବୀଣା ନାଦେ କୁତୁହଳୀ
ପଳାଇ ଦୂରିତ ପାପ ହରିଧ୍ୱନି ଶୁଣି କି ॥୫॥
ସେକାଳେ କଳା ଶ୍ରୀମୁଖ ଶୁଣନ୍ତି ସକଳ ଦୁଃଖ
ଦର୍ଶନେ ପ୍ରସନ୍ନ ହୋଇ ରଖ ଦୁଃଖୀ ଶ୍ରେଣୀ କି ॥୬॥
ଆର୍ତ୍ତେ ଶ୍ରୀଚନ୍ଦନ ଭାଷେ ଚିନ୍ତାବଳୀ ମଧ୍ୟେ ଭାସେ
କରୁଣା ନାବେ ବସାଇ କୂଳେ ରଖ ଆଣି କି ॥୭॥