ଚୁଟିଆ ମୂଷା
ଲେଖକ/କବି: ନନ୍ଦକିଶୋର ବଳ

ଚୁଟିଆ ମୂଷା

 
ଚୁଟିଆ ମୂଷାରେ ଚୁଟେଇ ମୂଷି,
ଧାନ ଅମାରକ ଖାଉଥା ବସି ।

କରୁଥା ଯାହା ତୋ ମନର ଖୁସି,
ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,
ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଷବାହନ ଅଟୁରେ ମୂଷା,
ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ,
ଅବଧାନ ବେତ ମାରିବେ ମୋତେ ।

ଟୁଉକୁ ମୂଷାରେ ଟୁକେଇ ମୂଷି,
ଖାଇବୁ ଯେତେକ ଖା'ରେ ଖୁସି ।

ଅମାରେ ଯେତେକ ଧାନ ତୁ ଖାଉ,
ଚାଉଳ ହାଣ୍ଡିରୁ ଚାଉଳ ନେଉ ।

ବିହନ ଓଳିଆ କାଟୁ କିପାଇଁ,
ଏତେ ଖାଇ ପେଟ ପୂରଇ ନାହିଁ ?

ରାତିରେ ବାହାରି ରୁଉଟୁ ରୁଟୁ,
କଖାରୁ ଗଛଟି ମୂଳରୁ କାଟୁ ।

ଝାଉଁଳି ପଡ଼ଇ ପିଢ଼ା କଖାରୁ,
କେତେ କଷିଫୁଲ ଅଯଥା ମାରୁ !

ଖରା ଗଡ଼ିଯାଏ ବୁଡ଼ଇ ବେଳ,
ସାହି ପିଲାମାନେ ହୋଇଣ ମେଳ ।

ଗୀତ ଗାଇ ଗାଇ ବୁଲନ୍ତି ଗାଆଁ,
"ଜହ୍ନିଫୁଲ ଫୁଟେ ଠୋ-ଠା ।

ଚୁଟିଆ ମୂଷା କହି ଯାଇଛି
ଚାଉଳ ମୁଠିଏ ଦେଇ ଯା ।"