ଛମାଣ ଆଠଗୁଣ୍ଠ/ଓକିଲ ରାମ ରାମ ଲାଲ
←ଆସାମି ଚଲାଣି | ଛମାଣ ଆଠଗୁଣ୍ଠ ଲେଖକ/କବି: ଓକିଲ ରାମ ରାମ ଲାଲ |
କଟକ ସେସନ୍ ଜଜକୋର୍ଟ→ |
ବିଂଶ ପରିଚ୍ଛେଦ
ଓକିଲ ରାମ ରାମ ଲାଲ :
କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡ଼କୁ ଆଖି ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥୀ, ଅର୍ଥର ଦାସ, ବେଳ ପଡ଼ିଲେ କେହି କାହାରି ନୁହେଁ । ତୁମେ ତ ଦେଖୁଛ, କାହା ଦୁଆରେ ଦୂବ ମରୁ ନାହିଁ, କାହାର ଦୁଆରେ ମଣିଷ ପେଲାପେଲି । ଅବସ୍ଥା ସବୁ କରାଏ । ଜଣେ ବିଲାତୀ କବି କହିଛନ୍ତି, 'ସୂର୍ଯ୍ୟହୀନ ଜଗତ ଆଉ ବନ୍ଧୁହୀନ ଜୀବନ ସମାନ ।' ଏଣୁ ମନୁଷ୍ୟକୁ ବନ୍ଧୁ ଛାଡ଼ିପାରେ ନାହିଁ । ଦଣ୍ତବତ ମଙ୍ଗରାଜେ !' ଆସାମୀ ଚମକି ପଡ଼ି ଅନାଇଲେ । ପୂର୍ବ ସେ ଢେର ଢେର ଦଣ୍ତବତ ଶବ୍ଦ ଶୁଣିଥିଲେ; ମାତ୍ର ଆଜି ଦଣ୍ତବତ ଶବ୍ଦଟା ପୁଣି ତାଙ୍କ ପିଣ୍ତରେ କିଛି ପ୍ରାଣ ପଶିଲାପରି ଜଣାଗଲା । ବନ୍ଦୀ କିଛି କଥା କହି ନ ପାରି ଗୋଡ଼ଠାରୁ ମୁଣ୍ତ ଯାଏ ସେହି ମୂର୍ତ୍ତିକୁ ଦର୍ଶନ କରୁଛନ୍ତି । ବିଶାଳ ମୂର୍ତ୍ତି ଆଣ୍ଠୁଲମ୍ବିତ ବାହୁ, ଦେହରେ ଢିଲା ହାତ ଆଜାନୁଲମ୍ବିତ ଛ'କଲିଆ ବନ୍ଧଲଗା, ସ୍ଥାନେ ସ୍ଥାନେ କାଳି ଚିହ୍ନିତ ଚପକନ, ମୁଣ୍ତରେ ହାତେ ଚଉଡ଼ା ଚବିଶ ହାତ ଲମ୍ବ ଜରିମୁହାଁ ଢାଲିଆ ପାଗବନ୍ଧା, ପାଛୋଡ଼ି ଖଣ୍ତକ ପଛରୁ ଫେରିଆସି ବାଁ କାନି ଡାହାଣ କାନ୍ଧରେ ଡାହାଣ କାନି ବାଁ କାନ୍ଧରେ ଛାତିରେ ଛକ ପଡିଛି, ତିନି ଫୁଲିଆ ମାଣିକବନ୍ଦୀ ଖଦି ପିନ୍ଧା, ଗୋଡ଼ରେ ଫୁଲପକା ମରହଟ୍ଟା ଯୋତା, କାନରେ ପାହାଡ଼ୀ ଶର କଲମ, ଯାଉଁଳୀ ନିଶ, ଏକଗାଲିଆ ଗାଲେ ପାନ । ସେହି ମୂର୍ତ୍ତି ଦେଖି ଆଶା ଭରସା ବିସ୍ମୟ, ସନ୍ଦେହ ଆସାମୀ ମନକୁ ମନ୍ଥି ପକାଉଛି । କିଛି କଥା କହିପାରୁ ନାହିଁ । ଜଣା ଲୋକପରି, ସେହି ଲୋକପରି ଦଣ୍ତବତ କଲେ, ଏ କିଏ ! ଆମ୍ଭେମାନେ ଅନୁମାନ କରୁଁ ଏ ଜଣେ ବନ୍ଧୁ ହେବେ । ଚାଣକ୍ୟ ଶାସ୍ତ୍ରରେ ଆମ୍ଭମାନଙ୍କର ବିଶେଷ ଜ୍ଞାନ ଥିବାରୁ ଏପରି ମୀମାଂସା କରିବାକୁ ସାହସ କରିଅଛୁଁ । ଶାସ୍ତ୍ରରେ ଅଛି,"ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବଃ । "ବୋଇଲେ ରାଜଦ୍ୱାରେ କି କଚେରିରେ; ଶ୍ମଶାନେ କି ମଶାଣିପଦାରେ ତିଷ୍ଠତି କି ଥାନ୍ତି ଇତ୍ୟର୍ଥଃ, ସେ ବାନ୍ଧବଃ ଅର୍ଥାତ୍ ଓକିଲମାନେ କଚେରିରେ ଆଉ ବିଲୁଆମାନେ ମଶାଣିରେ ଥାଆନ୍ତି, ଏମାନେ ବାନ୍ଧବ । କେବଳ ଜୀବିତ ଆସାମୀକୁ ବହୁତ ବେଳ ଯାଏ ଭକ ଭକ କରି ଚାହିଁ ରହିବାକୁ ହେଲାନାହିଁ । ପହରା ବରକନ୍ଦାଜ ଗୋପୀ ସିଂହ ଚିହ୍ନାଇଦେଇ ହିଲା, "ଦେଖ, ଏହାଙ୍କର ନାମ ରାମ ରାମ ଲାଲା, କଚେରୀରେ ବଡ଼ ଓକିଲ, ୟାଙ୍କୁ ଆଚ୍ଛା କରି ଧର, ସାହାବ ଏହାଙ୍କ କଥା ଖୁବ୍ ଶୁଣନ୍ତି ।" ଓକିଲବାବୁ ଖୁସିହୋଇ ଛାତି ଆଉ ଦୁଇ ବାହୁରେ ଦୁଇଥର ଆଖି ବୁଲାଇଲେ, ଦୁଇଥର ଗଳା ଖଙ୍କାରି ପୁରୁଣା ସ୍ନେହୀ ମଣିଷ ପରି କହିଲେ, "ମଙ୍ଗରାଜେ; ମାମଲାଟା ଏତେ ବଢ଼ିଗଲା, ଆଗରୁ ମୋତେ ଖବର ଦେଲେନାହିଁ ? ସଂସାର ଯାକ ମାମଲା ମୋ ପାଖରେ ଲୋକମାନେ ଥୁକ ପକାଇବାକୁ ସୁଦ୍ଧା ବେଳ ଦେଉନାହିଁନ୍ତି । ତେବେ ମଧ୍ୟ ଆପଣଙ୍କ ନାମ ଯେପରି କାନରେ ପଡ଼ିଲା ଧାଇଁଛି ।" ମଙ୍ଗରାଜେ ଫଁ କରି ନିଃଶ୍ୱାସଟାଏ ପକାଇ ଭୋ କରି କାନ୍ଦି ପକାଇଲେ, ହାତ ଯୋଡ଼ି ଭୂଇଁରେ ମୁଣ୍ତ ଲଗାଇଦେଲେ ।
ଓକିଲ - "ଉଠନ୍ତୁ, ଉଠନ୍ତୁ, ଏଣିକି ସବୁ ମୋତେ ଲାଗିଲା, ଆପଣ ନିଶ୍ଚିନ୍ତରେ ବସନ୍ତୁ, କିଛି ପରବାଏ ନାହିଁ । କାଲି ରାତିରେ ସାହେବଙ୍କ କୋଠିକି ଯାଇଥିଲି, ଢେର ଢେର ମାମଲା କଥା ପଡ଼ିଲା । ଆପଣଙ୍କ କଥା ମୋତେ ଜଣାଥିଲେ ଆଜି କଣ ବୋଲି କଣ କରି ପକାଇଥାନ୍ତି, ଆପଣଙ୍କ ମକଦ୍ଦମା ହାଲ ମୁଁ ସବୁ ବୁଝିଗଲିଣି, ସବୁ ମିଛ, ସବୁ ମିଛ । ସେହି ମୁହଁପୋଡ଼ା ଦାରୋଗା; ତାହାରି ଏତେ ଖେଳ । ସେହି ଦାରୋଗା ହାଲ କଣ କରିବି, ଦେଖିବେ । ଥରେ ସାହେବଙ୍କ ସଙ୍ଗରେ କଥାହେଉ । "ମଙ୍ଗରାଜେ - (ହାତ ଯୋଡ଼ି) 'ଓକିଲ ସାହେବ, ମୁଁ କଣ କରିବି, ମୋତେ ବଞ୍ଚାନ୍ତୁ, ମୋତେ ପ୍ରାଣ ଦିଅନ୍ତୁ, ଆପଣ ମୋର ଧର୍ମର ବାପ, ମୁଁ ପିଲାଲୋକ, ପିଲା ବୁଦ୍ଧି, ଆପଣଙ୍କୁ ସବୁ ଲାଗିଲା ।"
ଓକିଲ - "ଆପଣଙ୍କୁ କିଛି କହିବାକୁ ହେବ ନାହିଁ, ମୁଁ ତ ସବୁ ଜାଣେ, ସବୁ କରିବି । ତେବେ ଗୋଟାଏ କଥା ଜାଣନ୍ତି, ମାମଲାଟା କିଛି ଟାଣ, ଭାରି ଟାଣ, ଫାଶିର ମାମଲା, ବେଳରୁ ନ ଜାଣିଲେ ଫାଶି ଠିକ୍ । ପୁଣି ସେହି ପୋଡ଼ାମୁହାଁ ଦାରୋଗାର ପିଛା ଧରି ଚାଲିଛି । ଆପଣ ତ ବୁଦ୍ଧିମନ୍ତ ଲୋକ, ଅଧିକ କଣ କହିବି, କଚେରୀ ମାମଲା କଥା ସବୁ ଆପଣଙ୍କୁ ଜଣା, କିଛି ଖରଚ ଲାଗିବ, ଖରଚକୁ ଡରିଲେ ହେବ ନାହିଁ, ହାତ ଫିଟାଇବାକୁ ହେବ । ଦାରୋଗା କଣ କହି ବୁଲୁଚି, ଶୁଣିଲେଣି ତ ? ଫାଶି ମକଦ୍ଦମା । ପ୍ରାଣ ଥିଲେ ସବୁ । ଟଙ୍କା ଆପଣ ଅର୍ଜିଛନ୍ତି କି ଟଙ୍କା ଆପଣଙ୍କୁ ଅର୍ଜିଛି ? ଆପଣ ସେଥିର ଗୋଟାଏ ଠିକ୍ କରିପକାନ୍ତୁ ।"
ମଙ୍ଗରାଜେ - (କାନ୍ଦି କାନ୍ଦି) "ଆଜ୍ଞା, ଏଥିରେ କେତେ ଟଙ୍କା ଲାଗିବ? ମୋ ହାତରେ ତ ଗୋଟିଏ ପଇସା ନାହିଁ, ସାଙ୍ଗରେ କେହି ଲୋକ ନାହିଁ । ଯେ ଗୁମାସ୍ତା ଚାକର ଆସିଛନ୍ତି, ଦାରୋଗା ସେମାନଙ୍କୁ ମୋ ସାଙ୍ଗରେ କଥା କହି ଦେଉନାହିଁ । ମୋତେ ଖଲାସ କରିଦେଉନ୍ତୁ, ଘରକୁ ଗଲେ ହଜାର ଟଙ୍କା ଆପଣଙ୍କୁ ଦେବି ।"
ଗୋପୀ ସିଂହ - "ଆହା ମଙ୍ଗରାଜେ, ତୁମେ କି ଏହି ବୁଦ୍ଧିରେ ଜମିଦାରୀ କରୁଥିଲ ? ଏଠାରେ କଣ କିଣା ବିକା କଥା ଯେ ଧାର ଉଧାର ଚଳିବ ? ମକକେଲ ବୋଲେ ରଖ ମଉସା, ଓକିଲ ବୋଲେ ଆଣ ପଇସା । ଟଙ୍କାଟି ଥୁଅ, କଥାଟି କୁହ, ଟଙ୍କା କାଢ଼, ଟଙ୍କା କାଢ଼ । ମାମଲା ଜିଣିବ ତ ଟଙ୍କା କାଢ଼ । ଓକିଲ ସାହେବ, ମୁଁ ଆଉ ଆସାମୀ ସାଙ୍ଗରେ କଥା କହିବାକୁ ଦେବି ନାହିଁ । ନାଜର ଦୁଇପଦ କଥା କହିବାକୁ ହୁକୁମ ଦେଇଥିଲେ । ମୁଁ କିଛି ଏକଲା ନାହିଁ ; ଆମ୍ଭେମାନେ ଚାରିଜଣ ।"
ଓକିଲ - "ଶୁଣୁଛ ତ ମଙ୍ଗରାଜେ ! ସହଜ କଥା ନୁହେଁ, ବରକନ୍ଦାଠାରୁ ହାକିମ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତ କରିବାକୁ ହେବ । ମାମଲା ଯେପରି ଟାଣ, ଆଉ କେହି ଓକିଲ ହୋଇଥିଲେ ନଗଦ ଦଶହଜାର ଧରି ମଧ୍ୟ ମୁହଁ ଦେଇପାରନ୍ତା ନାହିଁ,ମୁଁ ବୋଲି ଏଥିରେ ପଶୁଛି । ଆପଣ ଯେତେବେଳେ ଧର୍ମ ବାପ ବନାଇଲେଣି, ଆଉ କଣ ଭସାଇଦେବି ? ଆଚ୍ଛା, ଏହି ମାମଲାରେ ଯେତେ ଟଙ୍କା ଖରଚ ହେବ, ମୁଁ ଖରଚ କରୁଛି, ଏଥରେ ତ ଦଶହଜାରରୁ ପଇସାଏ ଊଣା ନୁହେଁ । ଆପଣଙ୍କ ଜମିଦାରୀ ମୋତେ କଟକବାଲା ଲେଖି ଦେଉନ୍ତୁ । ସବୁ ଟଙ୍କା ଯେ ଏବେ ଖରଚ ହୋଇଯିବ; ଏପରି ନୁହେଁ । ଆପଣ ଖଲାସ ହେଲେ ମୁଁ କଡ଼ା ଦାମ ହିସାବ ବୁଝାଇଦେବି ।"
ମଙ୍ଗରାଜେ ଗାଲରେ ହାତ ଦେଇ ଦଣ୍ତେ ବସି କଣ ଭାବିଲେ, ସାପର ଗୋଡ଼ ସାପକୁ ଦିଶେ । କଟକବାଲା ଅର୍ଥ ମଙ୍ଗରାଜେ ଭଲ ଜାଣନ୍ତି । ତେବେ ମନୁଷ୍ୟ ଭାସି ଯାଉଥିବାବେଳେ ବାଘ ଲାଞ୍ଜଟା ମଧ୍ୟ ହାତରେ ପଡ଼ିଲେ ଛାଡ଼େ ନାହିଁ ।
ଓକିଲ ରାମ ରାମ ଲାଲ କାର୍ଯ୍ୟବେଳେ ଖୁବ୍ ଚଞ୍ଚଳ । ଦୁଇଘଣ୍ଟା ମଧ୍ୟରେ ସିଠାମ କିଣି କବଲା ଚିଠା, ସାଫି ଶେଷ କଚେରୀରେ କାର୍ଜିଖାନାରେ କବଲା ରେଜଷ୍ଟରୀ ସମାପ୍ତ । ଓକିଲ ସାହେବ ଶେଷରେ କହିଲେ -"ମଙ୍ଗରାଜେ ! ଆପଣ ବେପାରବାଏ ହାଜତଖାନାରେ ବସିଥାନ୍ତୁ, ମୁଁ ଅଛି, ଚିନ୍ତା ନାହିଁ ।"