ଜଗନ୍ନାଥ ତତ୍ତ୍ୱ ଚଉତିଶା

ଜଗନ୍ନାଥ ତତ୍ତ୍ୱ ଚଉତିଶା
ଲେଖକ/କବି: ଅଚ୍ୟୁତାନନ୍ଦ ଦାସ

କହଇ ଚୈତନ୍ୟ ବାରେ ଶୁଣରେ ମନାଇ
କ୍ଷୀରସିନ୍ଧୁ ମଧ୍ୟେ ଦେଖ କଳ୍ପବଟ ଛାଇ ।୧।
ଗୁପତ ହୋଇଛି ମହାନିତ୍ୟ ଯେଉଁଠାଇ
ଘନ ଘନ ହୋଇ ନିଦ ମାଡ଼ଇ ସେଠାଇଁ ।୨।
ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମରେ ହେଜ
ଚାରିଦ୍ୱାରେ ଆବୋରି ରହିଛି ଚାରି ବେଦ ।୩।
ଛାମୁ ଦର୍ଶନକୁ ବାଟ ପଡ଼ିଛି ସଧୀରେ
ଜଗନ୍ନାଥ ମହାପ୍ରଭୁ ସିଂହାସନ ପରେ ।୪।
ଝୀନ ଯେ ପତନୀ ଦେଖ ତାଙ୍କ ଅଙ୍ଗେ ଶୋଭା
ନିତ୍ୟ କିଶୋରୀ ରାଧିକା ତାଙ୍କ ଅଙ୍ଗ ପ୍ରଭା ।୫।
ଟାକି ହର ବ୍ରହ୍ମା ଯାକୁ କରିଛନ୍ତି ଆଶ
ଠୁଳ ଶୂନ୍ୟ ପରେ ଦେଖ ଲାଗିଛି ରାହାସ ।୬।
ଡାକହାକ ଶବଦ ନିର୍ଣ୍ଣୟ ଯେଉଁଠାଇଁ
ଡୋଳା ସମାଧିକୁ ଚାହାଁ ଢୋଳାଇବାକୁ ନାହିଁ ।୭।
ନାଦରେ ବିନ୍ଦୁକୁ ଯେବେ ପାରିବୁ ମିଶାଇ
ତିନି ମୂର୍ତ୍ତି ଏକ ବ୍ରହ୍ମ ଦେଖିବୁ ସେଠାଇଁ ।୮।
ଥୟେ କରି ମନ ନେଇ ଭୂରୂମଧ୍ୟେ ଭର
ଦୟା କ୍ଷମା ଶାନ୍ତି ହୋଇ ଦାସୀ ଅଙ୍ଗ ଧର ।୯।
ଧର୍ମ ଅର୍ଥ କାମ ମୋକ୍ଷ ହେଉଅଛି ଦୂର
ନେବା ଆଣିବାକୁ ଆଉ ନାହିଁ ଯେ ବିଚାର ।୧୦।
ପାଣି ନାହିଁ ପଙ୍କ ନାହିଁ ମାଡ଼ୁଛି ଲହଡ଼ା
ଫୁଲ ଗୋଟି ଫୁଟିଅଛି ସହସ୍ର ପାଖୁଡ଼ା ।୧୧।
ବାରିବୁ ବାସନା ଯେବେ ଗୁରୁ ଆଜ୍ଞା ପାଇ
ଭ୍ରମର ଚୁମ୍ବିବ ତେବେ କର୍ଣ୍ଣିକାରେ ରହି ।୧୨।
ମଲା ମଲା ବୋଲୁଛନ୍ତି ଶୁଣରେ କହ୍ନାଇଁ
ଜଗତକୁ ମଲା ଜୀବ ରୋମେ ଟଳିନାହିଁ ।୧୩।
ର ଏଟି ରାଧିକାରୂପ ନିତ୍ୟରେ ରାଉଛି
ଲୟେ କରି ଭୁଷଣ୍ଡ ଅମର ହୋଇଅଛି ।୧୪।
ବାଇ କି ପରଚେ ଯେବେ ହୋଇବୁ ସୁମନ
ଶିଶୁବେଦ ଘରେ ଦେଖ ସୁଆଙ୍ଗ ଭଜନ ।୧୫।
ସ୍ୟଟି ଯେ ଶେଷଦେବ ଫଣିମଣି ପରେ
ସ୍ୱରୂପରେ ଥାଇ ଗୋପୀ ଅରୂପ ଦେଖିଲେ ।୧୬।
ହଟି ଅଟନ୍ତି ହରି ହୃଦେ ତାଙ୍କୁ ଚିହ୍ନ
ହରି-ଗୁଣି ମିଶାଇବୁ ସହଜ ସୂତ୍ରେଣ ।୧୭।
କ୍ଷମାନିଧି ପାଦପଦ୍ମେ ପଶ ଯା ଶରଣ
ଛାର ବାଇ ଦାସ ଟୋକା ଅଚ୍ୟୁତ ଅଧମ ।୧୮।