ଜାତି, ଜାଗୃତି ଓ ପ୍ରଗତି/ଓଡ଼ିଆଙ୍କ ଶେଷ ଆଶ୍ରା ଦାଦନ !

ଜାତି, ଜାଗୃତି ଓ ପ୍ରଗତି  (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଓଡ଼ିଆଙ୍କ ଶେଷ ଆଶ୍ରା ଦାଦନ !

ଜାତି, ଜାଗୃତି ଓ ପ୍ରଗତି / ୧୨୧

ଓଡ଼ିଆଙ୍କ ଶେଷ ଆଶ୍ରା ଦାଦନ!

ପରି ପ୍ରାକୃତିକ ସଂପଦରେ ପୂର୍ଣ୍ଣ ରାଜ୍ୟରେ ଦାଦନଯାତ୍ରା ଏକ ନିୟମିତ ପ୍ରକ୍ରିୟା । ବିଶେଷ କରି ଅତୀତରେ ଉପକୂଳ ଏବଂ ମଧ୍ୟ ଓଡ଼ିଶାରେ ଏହା ଏକ ସାଧାରଣ ଘଟଣା ଥିଲା । କାମଧନ୍ଦା ଅନ୍ୱେଷଣରେ ଏହିସବୁ ଅଞ୍ଚଳର ବହୁ ଲୋକ ଆଧୁନିକ ଶିଳ୍ପର ବିକାଶ ଫଳରେ ରେଙ୍ଗୁନ, କଲିକତା, ସୁରଟ ପରି ସହରକୁ ଚାଲିଯାଉଥିଲେ । ସେତେବେଳେ ଓଡ଼ିଶାର ଅର୍ଥନୀତି ସଂପୂର୍ଣ୍ଣ ରୂପେ ନିର୍ଭରଶୀଳ ଥିଲା କୃଷି ଉପରେ । ଯାହା ମାତ୍ର ୪ ମାସପାଇଁ କାମଧନ୍ଦା ଯୋଗାଇଦିଏ । ବାକି ଆଠମାସପାଇଁ ସହର ଉପରେ ନିର୍ଭର କରିବାକୁ ହୁଏ ଗରିବ ଓଡ଼ିଶାକୁ । ବ୍ୟାପକ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଧାନଚାଷ ପରେ ଜମି ପଡ଼ିଆ ପଡ଼ୁଥିବାରୁ, ସେଥିରେ ନିୟୋଜିତ କୃଷି ଶମିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ହାତ ବାନ୍ଧି ବସି ରହୁଥିଲେ । ନିଜ ଗାଁ’ରେ ବା ନିଜ ରାଜ୍ୟରେ ନିଯକ୍ତିର ଅନ୍ୟ ବିକଳ୍ପ ନ ଥିବାରୁ ପେଟ ପୋଷିବାପାଇଁ ଦେଶାନ୍ତରୀ ହେବା ଥିଲା ସେମାନଙ୍କର ଏକମାତ୍ର ପନ୍ଥା । ବିଶେଷ କରି ଯୁବକମାନେ ହିଁ ପରିବାରର ବୋଝମୁଣ୍ଡାଇ ପ୍ରବାସ ଯାତ୍ରା କରୁଥିଲେ । ମାତ୍ର ଏବେ ସମୟ ବଦଳିଛି । ଏ ଯାତ୍ରାରେ ଏବେ ସାମିଲ ହୋଇଛନ୍ତି ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ।

ପୌଷ ପୂଣ୍ଣିର୍ମା ପରେ ପରେ ଆରମ୍ଭ ହୁଏ ଏହି ଦାଦନ ଯାତ୍ରା । ଭୋକିଲା ପେଟର ଆହ୍ୱାନ ସେମାନଙ୍କୁ ବାଧ୍ୟ କରେ ଦେଶାନ୍ତରୀ ହେବାକୁ । ଘରେ ତାଲା ପକାଇ, ପିଲାଛୁଆଙ୍କ ସହ ଦୈନନ୍ଦିନ ବ୍ୟବହାର୍ଯ୍ୟ ଅଳ୍ପକିଛି ସାମଗ୍ରୀ ସହ ସେମାନେ ଦଳ ଦଳ ହୋଇ ବାହାରନ୍ତି ଦାଦନ ଖଟିବାପାଇଁ । ଟ୍ରେନ୍ ସେମାନଙ୍କୁ ବୋହିନିଏ ପଶ୍ଚିମବଙ୍ଗ, ଛତିଶଗଡ଼, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳ, କର୍ଣ୍ଣାଟକ ପରି ରାଜ୍ୟକୁ । ଜୀବନ ସଂଗ୍ରାମପାଇଁ ସେମାନେ ନିଜ ଘର, ଗାଁ’ ଭିଟାମାଟି ଛାଡ଼ି ଡେଇଁପଡ଼ନ୍ତି କେଉଁ ଏକ ଅନିଶ୍ଚିତ ଭବିଷ୍ୟତକୁ । ଯେଉଁଠାରୁ ଫେରିବାର କୌଣସି ବାଟ ନ ଥାଏ । ନ ଥାଏ ମଧ୍ୟ ସୁରକ୍ଷାର ଭରସା । ସେମାନଙ୍କ ଅନୁପସ୍ଥିତିରେ ଖାଁ ଖାଁ ଲାଗେ ଗାଁ’ଦାଣ୍ଡ- ଶୂନ୍ୟ ହୁଏ କୂଅ, ଚଉରା । ଗୋବରଲିପା ଘରର ମାଟିକାନ୍ଥ ଉପରେ ଠିଆ ହୁଏ ଉଈ ହୁଙ୍କା ।


୧୨୨ / ଜାତି, ଜାଗୃତି ଓ ପ୍ରଗତି
ସାଧାରଣତଃ ଅକ୍ଟୋବର ମାସରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଡିସେମ୍ବର/ଜାନୁୟାରୀରୁ ବୃଦ୍ଧିପାଇ ମାର୍ଚ୍ଚ/ଏପ୍ରିଲ ଆଡ଼କୁ ଚରମ ସୀମାରେ ପହଞ୍ଚେ । ସେଇଥିପାଇଁ ଏଇ ଦୁଇମାସକୁ କୁହାଯାଏ ଶ୍ରମିକଚାଲାଣ ଋତୁ । ଏହି ସମୟରେ ପଶ୍ଚିମାଞ୍ଚଳର ରେଳଷ୍ଟେସନ୍‌ଗୁଡ଼ିକ ଭର୍ତ୍ତି ହୋଇଯାଏ ଏମାନଙ୍କ ଭିଡ଼ରେ । ମୁଖରିତ ହୋଇଉଠେ ପ୍ଲାଟଫର୍ମ । ଶୁଖିଲା ମୁହଁ, ଭୋକିଲା ପେଟରେ ଦୂରଗାମୀ ଟ୍ରେନ୍‌କୁ ଅପେକ୍ଷା କରି ବସି ରହିଥା’ନ୍ତି ଏହି ଉପେକ୍ଷିତ ମଣିଷମାନେ ।

ଅବିଭକ୍ତ କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର (କେବିକେ) ସମେତ ଅବିଭକ୍ତ ବୌଦ, ଫୁଲବାଣୀ, ସୁନ୍ଦରଗଡ଼, ସମ୍ବଲପୁର ପରି ଜିଲ୍ଲାର ବହୁଲୋକ ପେଟ ପୋଷିବାପାଇଁ ଅନ୍ୟ ରାଜ୍ୟର ଇଟାଭାଟି, ନିର୍ମାଣ ସଂସ୍ଥା କିମ୍ବା ନୂଆ କରି ମୁଣ୍ଡ ଟେକିଥିବା ଶିଳ୍ପାନୁଷ୍ଠାନରେ ନିଯୁକ୍ତିପାଇଁ ଚାଲିଯାଆନ୍ତି । ବିଶେଷକରି ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ଖପ୍ରାଖୋଲ, ତୁରେକେଲା, ବଙ୍ଗୋମୁଣ୍ଡା ବ୍ଲକ୍ ଓ କଳାହାଣ୍ଡି ଜିଲ୍ଲାର ସଦର ବ୍ଲକ୍ ସମେତ ଗୋଲାମୁଣ୍ଡା ଏବଂ ନୂଆପଡ଼ା ଜିଲ୍ଲାର କୋମନା, ଖରିଆର ତଥା ସିନାପାଲି ଅଞ୍ଚଳରେ ଶ୍ରମିକ ଚାଲାଣ ଏକ ସାଧାରଣ ଘଟଣା । ଗତ କିଛବିର୍ଷ ହେଲା ବରଗଡ଼ ପରି କୃଷି ସମୃଦ୍ଧ ଅଞ୍ଚଳରୁ ମଧ୍ୟ ଲୋକେ କାମଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଯାଉଥିବା ଦେଖାଯାଉଛି । ମୋଟାମୋଟି ଭାବରେ କହିବାକୁ ଗଲେ ସମଗ୍ର ପଶ୍ଚିମ ଓଡ଼ଶା ଏବେ ମ୍ରିୟମାଣ ଏଇ ଦାଦନ ଦୁଃଖରେ ।

ପଶ୍ଚିମାଞ୍ଚଳର ବିଭିନ୍ନ ଜିଲ୍ଲାରେ ସହସ୍ରାଧିକ ସଂଖ୍ୟାରେ ସକ୍ରିୟ ଥିବା ଶ୍ରମିକ ଦଲାଲମାନେ ଏହି ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । କେବଳ ବଲାଙ୍ଗୀର ଜିଲ୍ଲାରେ ପଞ୍ଜିକୃତ ଦଲାଲଙ୍କ ସଂଖ୍ୟା ୪ଶହରୁ ଅଧିକ । ଏମାନଙ୍କ ସହ ବିନା ପଞ୍ଜିକରଣରେ ମଧ୍ୟ ବହୁ ଦଲାଲ ବାହାରକୁ ଶ୍ରମିକ ଚାଲାଣ କରନ୍ତି । ଏମାନେ ପ୍ରଥମେ ଗାଁ’ ଗାଁ’ ବୁଲି ଦରିଦ୍ର ପରିବାରଗୁଡକୁ ଠାବ କରନ୍ତି । ତା’ ପରେ ବେଳଉଣ୍ଡି ସେମାନଙ୍କୁ ମୋଟା ମଜୁରି, ଉପଯୁକ୍ତ ଆଶ୍ରୟ, ଚିକତ୍ସା ସୁବିଧା ପ୍ରଭୃତି ବହୁ ଲୋଭନୀୟ ଆଶ୍ୱାସନା (ମାତ୍ର ଅନେକ କ୍ଷେତ୍ରରେ ସେଗୁଡକ ମିଥ୍ୟା ଓ ପ୍ରତାରଣା ପ୍ରମାଣିତ ହୁଏ) ଦେଇ ଅଗ୍ରୀମ ବାବଦକୁ ଆଗତୁରା କିଛି ଟଙ୍କା ଦେଇଦିଅନ୍ତି । ଶ୍ରମିକ ଜଣକ ଅଗ୍ରୀମ ଗ୍ରହଣ କରିସାରିଲା ପରେ ତା’ର ଆଉ ମୁକୁଳିବାର ଯୁ’ ନ ଥାଏ । ନିଜ ଗାଁ, ନିଜ ରାଜ୍ୟଠାରୁ ହଜାର ହଜାର କିଲୋମିଟର ଦୂରରେ, ସେହି ଅଜଣା ମାଟିରେ ନିଜର ବୋଲି ସେମାନଙ୍କର କେହି ନ ଥାନ୍ତି । ଏକମାତ୍ର ନିଯୁକ୍ତିଦାତା ହିଁ ସେମାନଙ୍କର ଭାଗ୍ୟବିଧାତା । କମ୍ ମଜୁରି ଦେଇ ଗଧ ପରି ସେମାନଙ୍କୁ ଖଟାଯାଏ । କୌଣସି ସୀମା ନ ଥାଏ ନିର୍ଦ୍ଧାରିତ କାମ ବା ସମୟର । ଅଗ୍ରୀମ ଟଙ୍କା ନେଇଥିବାରୁ ସେମାନେ କାମ ଛାଡ଼ିପାରନ୍ତି ନାହିଁ । କାରଣ କର୍ମକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଉକ୍ତ ଟଙ୍କାର ବହୁଳ ଅଂଶ ସେମାନେ ଗାଁ’ ମହାଜନର ଦେଣା, ଘର ମରାମତି, ଦରକାରୀ ଆସବାବ ଓ ଚାଷ ଉପକରଣ

ଜାତି, ଜାଗୃତି ଓ ପ୍ରଗତି / ୧୨୩
କିଣା ପରି ଜରୁରୀ ଆବଶ୍ୟକତାରେ ଖର୍ଚ୍ଚ କରିଦେଇଥାନ୍ତି । ସୁତରାଂ ଅଗ୍ରୀମ ବାବଦକୁ ଶ୍ରମିକ ଜଣକ ନେଇଥିବା ଟଙ୍କା ଫେରସ୍ତ କରିବାପାଇଁ ତାକୁ ତା’ର ପତ୍ନୀ ତଥା ପିଲାଛୁଆଙ୍କୁ ମାଲିକ ପାଖରେ ବନ୍ଧା ରଖି ଗାଁ’କୁ ଫେରିଥାଏ ।

ପଶ୍ଚିମାଞ୍ଚଳରୁ ଚାଲାଣ ହେଉଥିବା ୮୦ ପ୍ରତିଶତ ସରଳ ଓଡ଼ିଆ ଶ୍ରମିକଙ୍କ ନିଯୁକ୍ତିଦାତା ହେଉଛନ୍ତି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁର ଇଟାଭାଟି ମାଲିକ ଏବଂ ସେମାନଙ୍କ ବିରୋଧରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା, ଶୋଷଣ ତଥା ପ୍ରତାରଣାର ଅଭିଯୋଗ ସବୁଠାରୁ ବେଶୀ । ନିକଟରେ ଟିଟିଲାଗଡ଼ ଉପଖଣ୍ଡର ସିନ୍ଧେଇକେଲା ଅଞ୍ଚଳର ୬ଟି ଗ୍ରାମରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ବିଶାଖାପାଟଣାଠାରେ ଦାଦନ ଖଟିବାକୁ ଯାଇ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଏହାର ଏକ ବଳିଷ୍ଠ ପ୍ରମାଣ । ଏ ସମ୍ବନ୍ଧରେ ସେଠାରେ କାର୍ଯ୍ୟରତ ରାଧାକାନ୍ତ ସାହୁ ନାମକ ଜଣେ ଶ୍ରମିକ ଅଭିଯୋଗ କରିବାରୁ ଗତ ୨୦ ତାରିଖରେ ତାଙ୍କୁ ପ୍ରବଳ ମାଡ଼ ମାରି ମୁହଁ ବନ୍ଦ କରି ଦିଆଯାଇଛି । ଏହିଭଳି ଅସଂଖ୍ୟ ଘଟଣା ଦୈନିକ ଘଟୁଛି ଆମର ଏହି ଅନଗ୍ରସର ଅଞ୍ଚଳର ଓଡ଼ିଆ ପରିବାର ଉପରେ।

ଚାଳିଶ/ପଚାଶ ବର୍ଷ ତଳେ ସ୍ଥିତି କିନ୍ତୁ ଏମିତି ନ ଥିଲା । ପେଟ ପୋଷିବାପାଇଁ ଏ ଅଞ୍ଚଳବାସୀଙ୍କୁ ବାହାରକୁ ଯିବାକୁ ପଡୁ ନ ଥିଲା । ପେଟପାଇଁ ଗାଁ’ ଭିଟାମାଟି ଛାଡ଼ି ବାହାରକୁ ଯିବା ଥିଲା ସେମାନଙ୍କ ମର୍ଯ୍ୟାଦାବିରୁଦ୍ଧ । ତା’ର କାରଣ ହେଲା ଯେତେ ଗରିବ ହେଲେ ମଧ୍ୟ କୌଣସି ପରିସ୍ଥିତିରେ ବି ସେମାନଙ୍କର ପେଟ ଅପୋଷା ରହୁ ନ ଥିଲା । କିଛି ନ ହେଲେ ଗୌନ୍ତିଆ କି ସାହୁକାରର ଜମିରେ ସେମାନଙ୍କୁ ମିଳିଯାଉଥିଲା ଅତିକମରେ ୬ ମାସର ନିଯୁକ୍ତି । ବାକି ୬ ମାସର ଖୋରାକି ଯୋଗାଇ ଦେଉଥିଲା ଗାଁ’ ମୁଣ୍ଡର ଜଙ୍ଗଲ । କେନ୍ଦୁ, ମହୁଲ, ଝୁଣା, ଲାଖ ପ୍ରକୃତି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେମାନେ କଷ୍ଟେମଷ୍ଟେ ଚଳିଯାଉଥିଲେ । ଆଜି ଜଙ୍ଗଲ ନାହିଁ, କି ଅବଲମ୍ବନ ବି ନାହିଁ । ରାଉରକେଲା ଓ ହୀରାକୁଦ ପରି ଗଢ଼ି ଉଠିଥିବା ଅସଂଖ୍ୟ ଶିଳ୍ପନଗରୀ ଓଡ଼ିଶା ବେକାରୀଙ୍କୁ ନିଯୁକ୍ତି ଦେଇପାରୁନାହିଁ । ଫଳରେ ଗରିବୀ ବଢ଼ୁଛି । ଆଉ ଏହି ଗରିବଙ୍କ ନିକଟରେ ଗରିବୀ ହଟାଇବାର ଏକମାତ୍ର ସମାଧାନ ହେଉଛି ଦାଦନ ଯାତ୍ରା ।

ସତେ କ’ଣ ଓଡ଼ିଶା ମାଟିରୁ ଏହି ଯାତ୍ରା ବନ୍ଦ ହେବନାହିଁ । ଓଡ଼ିଆ ପୁଅଝିଅ କ’ଣ ଏମିତି ଅନ୍ୟ ରାଜ୍ୟରେ କିଣା ବିକା ହୋଇ ଅତ୍ୟାଚାରିତ ହୋଇଚାଲିଥିବେ । ଆମେ କେବଳ ନୀରବଦ୍ରଷ୍ଟା ହୋଇ ଚାହିଁଥିବା ଆଉ ଆମ ରାଜନେତା, ସମାଜଚିନ୍ତକଗଣ ପିଣ୍ଡା ଉପରେ ବସି ଭାଷଣବାଜିଦ୍ୱାରା କୁମ୍ଭୀର କାନ୍ଦଣା କାନ୍ଦୁଥିବେ !


***