ତମସା ନଦୀ ତଟରେ
ଆଦ୍ୟଶ୍ଳୋକ
ସଙ୍ଗମତିଆରି ବାଣୀ

ତମସାନ‌ଦୀ ତଟରେ ଗମନ୍ତେ ମୁନି ।
ସଙ୍ଗତେ ଗୋଡ଼ାଇଅଛନ୍ତି ଶିଷ୍ୟ ବେନି ।
ନିତ୍ୟକର୍ମ ସମସ୍ତେ ନ‌ଦୀରେ ସାରିଲେ ।
ଆଶ୍ରମକୁ ଯିବାକୁ ବାହାର ହୋଇଲେ ।
କ୍ରୌଞ୍ଚ କ୍ରୌଞ୍ଚୀ ବୋଲି ତ‌ହିଁରେ ପକ୍ଷୀବେନି ।
ବ୍ୟାଧ ସେ କ୍ରୌଞ୍ଚପକ୍ଷୀକି ଗଲାକ ଘେନି ।
କ୍ରୌଞ୍ଚୀ କାନ୍ତ ଗୁଣ ଗୁଣି ରୋଦନ କଲା ।
ବାଲମୀକି ମୁନି ଶ୍ରବଣକୁ ଶୁଭିଲା ।
ବ୍ୟାଧକୁ ଶାପ ଦିଅନ୍ତେ ହେଲା ଶୋଳକ ।
ଦିଶିଲା ତାହାଙ୍କୁ ପଦ୍ୟ ପାଦ ଅନେକ ।
ମନେ ମନେ ଭାଳି ମୁନି ମଠକୁ ଗଲେ ।
ଆସନ କରିଣ ଧ୍ୟାନ କରି ବସିଲେ ।
ମରାଳ ଚଢ଼ିଣ ପିତାମହ ପ୍ରବେଶ ।
ଦେଖି ବାଲମୀକି ପୂଜା କଲେ ବିଶେଷ ।
ଧାତା ବୋଲନ୍ତେ ସୁନ୍ଦର ରାମଚରିତ ।
ଶ୍ଳୋକ ବନ୍ଧରେ ସ୍ଫୁରିଲା ମୁନିଙ୍କ ଚିତ୍ତ ।
ଏହା ଶୁଣି ଦୀନ ବିଶୀ ବିଚାର କଲେ ।
ଗୀତିବନ୍ଧ କରି ରାମାୟଣ ରଚିଲେ ।