ତରୁଣ କବିର ଆଶା
ଏଡ଼େ ବିରାଟ ସେ, ପାଏ କି ଭାଷା,
ହାୟରେ ତରୁଣ କବିର ଆଶା !
ଭାବିଥିଲି ଯିବି ଅସୀମ ପଥେ
ସୁରଭି-ଶୀତଳ-ମଳୟରଥେ
କୁସୁମ-ଫଗୁଳ ଫଗୁଣ-ପୁରେ
ବାହି ଗୋ ଦୂରେ !
ଅଶୋକକଳିକା ଶ୍ରବଣେ ଗୁଞ୍ଜି
ଚରମେ ଝୁଲାଇ ବଉଳ-ପୁଞ୍ଜି
ପରିମଳ ପାରି ଯାଆନ୍ତି ମିଶି
ମୁଁ ଦଶ ଦିଶି !
ପରିମଳ ସମ ଗଗନେ ଭାସି
ପାଗଳ କରନ୍ତି ଜୋଛନାରାଶି;
ଜୋଛନା ଡାକନ୍ତା ‘ଆସ ହେ ପ୍ରିୟ’
ଚୁମ୍ବନ ନିଅ !
ଚଇତି-ପବନ ସଙ୍ଗୀତ ଧରି
ସେପାର ଆକାଶେ ଯାଆନ୍ତି ଚଳି,
ମୁକତି ଲଭନ୍ତା ପରାଣ ମମ
ବିହଗ ସମ !
କୋକିଳ ଡାକନ୍ତା, ‘ଆସ ହେ ଭାଇ’
ତରୁଣ ସେ କବି ହୁଅନ୍ତା ବାଇ,
ଗୋଲାପ କହନ୍ତା, ‘ଆସିଲ ସତେ,
ଏତେ ଦିନକେ ?’
ଭାବିଥିଲି ଦୂରି ମଣିଷ-ପ୍ରାସ
ମଧୁର କରିବି ଧରଣୀ-ବାସ
ଏକଇ ଆଦେଶେ, ଜୀବର ହିତେ
ପୃଥିବୀ ପୀଠେ
ଦେଶରୁ ଦେଶରୁ ଯାଆନ୍ତି ଉଡ଼ି
ନିଖିଳ ଜାତିର ହୃଦୟ ଜୁରି
ପ୍ରେମର, ଜ୍ଞାନର ପ୍ରଚାର କରି
ପରାଣ ଭରି
ଭାବିଥିଲି ଅବା ବକୁଳ ତଳେ
ସୁରଭି କୁସୁମ ଶୟନ ପରେ
ଯାପିବି ଜୀବନ ପ୍ରେୟସୀ ଧରି
ସ୍ବପନ ପରି
ବାଛିନେଇଥିଲି ମୋର ପ୍ରେୟସୀ
ଲାବଣ୍ୟ ପ୍ରତିମା, ସମବୟସୀ
ଭାବିଥିଲି ତାରେ କରିବି ସାଥୀ
ପରାଣ ପାତି
ଭାବିଥିଲି ଛାଡ଼ି ପୃଥିବୀ ବାଧା
ପୂଜିବି ସେ ମୋର ହୃଦୟ-ରାଧା
ବଜାଇ ମୁରଲୀ ମୁଁ ଅହରହ
କାହିଁ ବିରହ ?
ଅସର ଚାନ୍ଦିନୀ ଯାମିନୀ ତଳେ
ସେ ରାଧା କୋମଳ ଜଘନ ପରେ
ଜୀବନ ମରଣ ଯାଆନ୍ତି ଭୁଲି
ସପନ ପରି !
ବିଜନ ତଟିନୀ ବେତସ ଗେହେ
ଢାଳି ଦେଇଥାନ୍ତି ଅଳସ ଦେହେ
ଚମକନ୍ତି ଶୁଣି ନୂପୁର ଧ୍ବନି
ପ୍ରେୟସୀ ମଣି !
ମାନସୀ ଆସନ୍ତା ହଲାଇ ବେଣୀ
ଚତୁରେ ଚଳାଇ ନୟମ ବେନି,
ଲଗାଇ ଦିଅନ୍ତା ପ୍ରିୟରେ ତାର
କୁସୁମ-ହାର
ପାଶରେ ଥାଆନ୍ତା ରସ କବିତା,
ଚିର-ଯଉବନ ପ୍ରଣୟ-ଗୀତା
ପ୍ରେୟସୀ ଗାଆନ୍ତା, ଚୂମ୍ବନ୍ତି ମୁଖ
ପୂରନ୍ତା ବୁକ !
ହାଇରେ ତରୁଣ କବିର ଆଶା
ଏଡ଼େ ବିରାଟ ସେ, ପାଏ କି ଭାଷା,
ଆକାଶ ବସୁଧା କେତେ ସେ କରେ
ନିମିଷକରେ
କାହିଁ କଳପନା କାହିଁ ଜୀବନ
ତରୁଣ କବିର ଜଳଇ ମନ,
ଚାରିଆଡୁ ବାଜେ ଦାରୁଣ ବାଧା
କାହିଁ ତା ରାଧା !
ନାହିଁ ରାଧା, ନାହିଁ ବେତସ-ଲୀଳା
ନାହିଁ ପାଶେ ବେଣୀହଲା ଛଇଳା,
ପ୍ରଣୟରେ ମାତି ହେବାକୁ ଗେଲ
କାହିଁ ତା ବେଳ !
ବାଳୁତର ସାଥୀ ନାହିଁ ତା ପାଶେ
ବାଳିକା ସେ ଗଲା ଆନର ଆଶେ,
କାହା ଗଳେ ସୁଖେ ଛନ୍ଦିବ ବାହୁ
କହ ସେ ଆଉ ?
ପ୍ରଣୟୀ ହେବାର ଛାଡ଼ିଛି ଆଶ
କେ ବାଳା ବାନ୍ଧଇ ପ୍ରଣୟ-ପାଶ
କେବଳହିଁ ପ୍ରାଣ-ପୀରତି-ଲଭି
ଗରିବ କବି !
ଗରିବ କବିରେ ସଂସାର ପୀଡ଼େ
କବିତାକୁ ବେଳ ନାହିଁ ଏ ଭିଡ଼େ,
ଫଗୁଣ ଚଳଇ ଚଇତ ଆସେ
କି ଯାଏ ଆସେ !
ପ୍ରଣୟ-କବିତା-ସ୍ବପନ ନାହିଁ
ନିମିଷେ ନିମିଷେ ଗଲେ ଉଭାଇ,
ମଣିଷ ବେଭାରେ ଯାଉଛି ଦ୍ରବି
ତରୁଣ କବି !
ଘୁଞ୍ଚାଇ ନେବାର ଜଗତ ବ୍ୟଥା
ସୁଦୂର ସ୍ବପନ ନିଜର କଥା
ନପାରେ ତୁଳାଇ ଗରିବ କବି
କରୁଣ ଛବି
ମଣିଷ ହୋଇ ତା ଏଡ଼େ ବିଚାର
ଧରାରେ ସରଗ ସୃଜନା ତାର
ଏ କଳପନାକୁ ପାଏ କି ଭାଷା,
ହାଇରେ ତରୁଣ କବିର ଆଶା !