ଥକାମନ ଚାଲ ଯିବା
ଲେଖକ/କବି: ସାରିଆ ଭିକ

ଥକାମନ ଚାଲଯିବା
ଚକାନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ
ବେନି ନେତ୍ର ପଖାଳିବା ।ଘୋଷା।

ବାଟରେ ବାଟ ମଙ୍ଗଳା
ଦେଖିବା ଅଠର ନଳା
ପାଞ୍ଚ ମନ ଏକ ମେଳେ
ନରେନ୍ଦ୍ରେ ସ୍ନାନ କରିବା ।୧।

ପହଞ୍ଚିବା ବଡ଼ଦାଣ୍ଡେ
ସେ ରେଣୁ ପାଇବା ତୁଣ୍ଡେ
ଛତା ତଳେ ରହି ଦଣ୍ଡେ
ସାଧୁଙ୍କ ସେବା କରିବା ।୨।

ସିଂହଦ୍ୱାରେ ଭିଡାଭିଡ଼ି
ବାଜୁଅଛି ବେତବାଡ଼ି
ଠେଲି ଦେଇ ଯିବା ମାଡ଼ି
ଧକା ବାଜିଲେ ସହିବା ।୩।

ବାଇଶି ପାବଚ୍ଛେ ବିକା
ହେଉଛି କୈବଲ୍ୟ ଚଖା
ହାଣ୍ଡିକ ପଡ଼େ ସିଉକା
ମନ ରଙ୍କା ଛଡାଇବା ।୪।

ଗରୁଡ଼ ପଛରେ ଦେଖ
ଦିଶୁଛି କଳା ଶ୍ରୀମୁଖ
କହଇ ସାରିଆ ଭିକ
ବଳରାମଙ୍କୁ କହିବା ।୫।