ଦାର୍ଢ଼୍ୟତା ଭକ୍ତି/କର୍ଣ୍ଣରାଜା ସମ୍ବାଦ

ଦାର୍ଢ଼୍ୟତା ଭକ୍ତି ଲେଖକ/କବି: ରାମ ଦାସ
କର୍ଣ୍ଣରାଜା ସମ୍ବାଦ

କର୍ଣ୍ଣରାଜା ସମ୍ବାଦ

ମନ ଉବାଚ
ପୁଣି ପୁଚ୍ଛଇ ମନ ରାୟେ । ଚୈତନ୍ୟ ଦେବଙ୍କର ପାୟେ ।
ତୁମ୍ଭେ ଯା କଲଟି ପ୍ରକାଶ । ପଦ ପଦକେ ସୁଧାରସ ।
ସତ୍ୟ ତ୍ରେତୟାର ଚରିତ । ଶୁଣି ମୁଁ ହୋଇଲି ପବିତ୍ର ।
କହ ଦ୍ୱାପର ଯୁଗ କଥା । ଶୁଣି ମୋ ଛାଡ଼ୁ ମନୋବ୍ୟଥା ।
ତା ଶୁଣି କହେ ଚଇତନ । ହେ ମନ ହୁଅ ସାବଧାନ ।
ଦ୍ୱାପର ଯୁଗ ମହାବୀର । କର୍ଣ୍ଣ ନୃପତି ନାମ ତାର ।
ସୋମବଂଶରେ ଅବତାର । ଅଟଇ ମହା ଧନୁର୍ଦ୍ଧର ।
କ୍ଷତ୍ରିୟ ଗରବ ଗଞ୍ଜନ । ଦଇବେ ରବିର ନନ୍ଦନ ।
ଶରଣ ସମ୍ଭାଳିବା ଅର୍ଥେ । ବାହେ ବାନ୍ଧିଣ ଥାଇ ନେତେ ।
ସତ୍ୟ ଅଭଙ୍ଗ କୁଳବନ୍ତ । ଶାନ୍ତ ସୁଶୀଳ ସେ ମହତ ।
କ୍ଷତ୍ରିୟ କୁଳେ ସେ ନିଃଶଙ୍କ । ସର୍ବଦା କାଳେ ରଣରଙ୍କ ।
ଚାଲନ୍ତେ କମ୍ପେ ବସୁମତୀ । ସୁରେ ଅସୁରେ ଡରିଥାନ୍ତି ।
ଏମନ୍ତେ କର୍ଣ୍ଣ ମହାରାଜା । ସୁଖେ ପାଳଇ ଜନ ପ୍ରଜା ।
ତାହାର ଏକଇ କୁମର । ବିଶିକେଶନ ନାମ ତାର ।
ଭାରିଯା ନାମ ଚନ୍ଦ୍ରାବଳୀ । ସତୀ ସାଧବୀ ସେହୁ ବାଳୀ ।
ଏମନ୍ତେ କର୍ଣ୍ଣ ଯେ ରାଜନ । ଦାନେ ମୋହିଲେ ସର୍ବଜନ ।
ନିତି ସୁବର୍ଣ୍ଣ ଶତେ ଭାର । ପ୍ରମାଣ ଦାନ ଦେବ ତାର ।
ଏଥୁ ଉତ୍ତାରୁ ଯେତେ ଜନ । ମାଗନ୍ତି ଅନ୍ନ ବସ୍ତ୍ର ଦାନ ।
ମନ ସନ୍ତୋଷେ ତାଙ୍କୁ ଦେଇ । ବାକ୍ୟ କହନ୍ତି ଚାଟୁଆଇ ।
ଦୁଃଖୀ ବ୍ରାହ୍ମଣ ଯେବେ ଦେଖି । ଜୀବନ୍ତେ ଦିଏ ଅନ୍ନ ଲେଖି ।
ଏମନ୍ତେ କେତେ ଦିନ ଗଲା । ତା କୀର୍ତ୍ତି ଜଗତେ ପୂରିଲା ।
ଜାଣିଲେ ପ୍ରଭୁ ଭଗବାନ । ବିଡ଼ିବା ପାଇଁ ତାର ମନ ।
ଜଗମୋହନ ପୀତବାସ । ମାୟାରେ ହେଲେ ବିପ୍ରବେଶ ।
କନ୍ଧରେ ଶୋଭଇ ପଇତା । ଧାରଣ ପାତ୍ରୀ ଗଡ଼ୁଛତା ।
ଲଲାଟେ ଶ୍ରୀହରି ମନ୍ଦିର । ପୁସ୍ତକ ଯାଉଁଳି କନ୍ଧର ।
ଅତି ସୁନ୍ଦର ଯୁବା ବେଶ । ବଚନେ ଜନ ମନ ତୋଷ ।
ଏମନ୍ତ ବେଶେ ଦିମୋଦର । ବିଜୟ କର୍ଣ୍ଣ ସିଂହଦ୍ୱାର ।
ଉଚ୍ଚାର କଲେ ସାମ ବେଦ । ଆକେଶେ ଘୋଟିଲା ଶବଦ ।
କଣ୍ଠ କୋକିଳସ୍ୱର ଜିଣି । ପାଷାଣ ତରଳେ ତା ଶୁଣି ।
ତା ଶୁଣି କର୍ଣ୍ଣ ମହାବୀର । ପ୍ରବେଶ ବିପ୍ରଙ୍କ ଛାମୁର ।
ଦେଖିଣ ନମସ୍କାର କଲେ । ତତ୍କ୍ଷଣେ ପାଦ ଧୋଇଦେଲେ ।
ଆସନେ ତାଙ୍କୁ ବସାଇଲେ । ବିନୟ ବଚନେ ପୁଚ୍ଛିଲେ ।
କେଉଁ କାରଣେ ମୋର ପୁର । ବିଜୟ କଲେ ଦ୍ୱିଜବର ।
କହ ହେ ସ୍ୱରୂପ ଉତ୍ତର । ଦେବି ମୁଁ ସଂଶୟ ନ କର ।
ଧନ ରତନ ଅଳଙ୍କାର । କି ଅବା ସୁବର୍ଣ୍ଣ ଭଣ୍ଡାର ।
ଯେବା ବାଞ୍ଛିତ ତୁମ୍ଭେ ଚିତ୍ତେ । ସମ୍ଭାଳ କାଲି ପରିଯନ୍ତେ ।
ଯେତେକ ଇଚ୍ଛା ତେତେ ଦେବି । ଦରିଦ୍ର ପଣ ଛଡ଼ାଇବି ।
ଭୋଜନ କରି ମୋର ପୁରେ । ଆଜକ ରହି ଏହିଠାରେ ।
ଶୁଣି କହନ୍ତି ଦ୍ୱିଜବର । ଶୁଣ ତୁ କର୍ଣ୍ଣ ମହାବୀର ।
ତୋ ଦାନୀପଣ ଶୁଣି କର୍ଣ୍ଣେ । ଅତି ଆନନ୍ଦ ମୋର ମନେ ।
ତେଣୁ ଅଇଲୁ ତୋର ପାଶ । କରିଣ ଅତି ପ୍ରତିଆଶ ।
ବାଞ୍ଛିତଧନ ଦେଲେ ନେବୁଁ । ନୋହିଲେ ଲେଉଟିଣ ଯିବୁ ।
ତ୍ୱରିତେ ଦେଲେ ମହା ପୁଣ୍ୟ । କହିଅଛନ୍ତି ଋଷିଗଣ ।
ତୁ ବୋଲୁ କାଲି ପରିଯନ୍ତେ । ଆମ୍ଭେ ନ ରହୁଁ କଦାଚିତେ ।
ନାହିଁ ବୋଇଲେ ଆମ୍ଭେ ଯିବୁ । ଏଠାରେ କିମ୍ପା ବସିଥିବୁ ।
ଶୁଣି ବୋଇଲେ କର୍ଣ୍ଣବୀର । ପବିତ୍ର କର ମୋର ପୁର ।
ଆଜ ମୋ ପୁରରେ ରନ୍ଧନ । କଲେ ମୋ ସୁଫଳ ଜୀବନ ।
ତା ଶୁଣି କହନ୍ତି ଶ୍ରୀହରି । ଶୁଣ ତୁ କର୍ଣ୍ଣ ଦଣ୍ଡଧାରୀ ।
ଭୋଜନ ଯାଚୁଅଛୁ ମୋତେ । ଦେଇ ନ ପାରୁ କଦାଚିତେ ।
ତା ଶୁଣି ବୋଲେ ମହାରାଜ । କହିଲୁ ବିପରୀତ କଥା ।
କି କି ଭୁଞ୍ଜିବ ବିପ୍ର ତୁମ୍ଭେ । ଦେଇ ଯେ ନ ପାରିବୁ ଆମ୍ଭେ ।
ଯାହା ମାଗିବ ତାହା ଦେବି । ନ ଦେଲେ ଅପରାଧୀ ହେବି ।
ପ୍ରଭୁ ବୋଇଲେ ସତ୍ୟକର । ମୋ ହସ୍ତେ ତୋଳିଦିଅ ନୀର ।
ଶୁଣି ନୃପତି ସତ୍ୟ କଲା । ବ୍ରାହ୍ମଣ ହସ୍ତେ ନୀର ଦେଲା ।
ବୋଇଲା ମାଗ ବିପ୍ରବର । ତ୍ରିବାର ସତ୍ୟ ସତ୍ୟ ମୋର ।
କର୍ଣ୍ଣର ଦୃଢ଼ବାକ୍ୟ ଶୁଣି । କହନ୍ତି ପ୍ରଭୁ ଚକ୍ରପାଣି ।
ମନୁଷ୍ୟମାଂସେ ମୋ ଭୋଜନ । ଶୁଣି ବୋଇଲେ ଦାନୀକର୍ଣ୍ଣ ।
କେତେକ ଜନ ଦେବି ଆଣି । ସ୍ୱରୂପ କହ ବିପ୍ରମଣି ।
ତା ଶୁଣି ବୋଲନ୍ତି ଗୋସାଇଁ । ଅନ୍ୟ ମନୁଷ୍ୟେ କାର୍ଯ୍ୟ ନାହିଁ ।
ତୋ ପୁତ୍ର ବିଶିକେସନକୁ । ମାରିଣ ଦେବୁ ହୋ ଆମ୍ଭଙ୍କୁ ।
ଆପଣେ ସ୍ୱହସ୍ତେ ମାରିବୁ । ଭାରିଯା ହାତେ ରନ୍ଧାଇବୁ ।
ତେବେ ମୁଁ ଭୋଜନ କରିବ । ନାସ୍ତି ବୋଇଲେ ଚଳିଯିବି ।
ଶୁଣି ବିଚାରେ ରାଜା ଚିତ୍ତେ । ପୁତ୍ରକୁ ମାରିବି କେମନ୍ତେ ।
ନ ଦେଲେ ସତ୍ୟଭଗ୍ନ ହେବି । ମଲେ ନରକେ ସିନା ଯିବି ।
ଏଣୁ ମୋ ପୁତ୍ର ପଛେ ଯାଉ । ନୋହିବି ସତ୍ୟଭଗ୍ନ ଆଉ ।
ଏମନ୍ତେ ମନେ ବିଚାରିଲା । ଶୁଣ ହୋ ବ୍ରାହ୍ମଣ ବୋଇଲା ।
ତୁମ୍ଭେତ ବିପ୍ରକୁଳେ ଜାତ । ଆମ୍ଭେ ଯେ କ୍ଷତ୍ରିୟ ସମ୍ଭୂତ ।
କିପରି ମୋ ପାକେ ଭୁଞ୍ଜିବ । ତୁମ୍ଭର ଜାତି ନଷ୍ଟ ହେବ ।
ତା ଶୁଣି ବ୍ରାହ୍ମଣ ଗୋସାଇଁ । ବୋଇଲେ ଶୁଣ ବୀର ତୁହି ।
ଆମ୍ଭର ଶାସ୍ତ୍ରେ ଅଛି ଯାହା । ଶୁଣ ତୁମ୍ଭଙ୍କୁ କହୁ ତାହା ।
ଯେ ଅବା ଶ୍ରୀହରି ଭଜଇ । ବ୍ରତରେ ନିଷ୍ଠା ଯାର ଥାଇ ।
ଯେ କରେ ପର ଉପକାର । ସତ୍ୟ ନ ଲଙ୍ଘେ ଯେଉଁ ନର ।
ଯେ ଅବା ସାଧୁସଙ୍ଗ କରେ । ବଞ୍ଚଇ ନାମ ଭଜନରେ ।
ରଣ ରଙ୍ଗରେ ଆଗୁସାର । ଦେବା ଦୟାରେ ନିରନ୍ତର ।
ନାରୀ ହୋଇଣ ପତିବ୍ରତା । ନ ଲଙ୍ଘେ ନିଜ ସ୍ୱାମୀ କଥା ।
ଏମନ୍ତ ଲୋକଙ୍କର ଘର । ନ ପୁଚ୍ଛୁ ଜାତି ଗୋତ୍ର ତାର ।
ଭୁଞ୍ଜିବା ସତଟି ଆମ୍ଭର । ଶୁଣି ଚକିତ ନୃପବର ।
ନବରେ ହୋଇଲା ପ୍ରବେଶ । ନିଜ ପତ୍ନୀଙ୍କ ରାଇ ପାଶ ।
କହିଲେ ଗଭୀର ବଚନ । ଶୁଣରେ ଯୁବତୀ ରତନ ।
କେବଣ ଦେଶୁ ବିପ୍ରବର । ଆସି ମିଳିଲେ ସିଂହଦ୍ୱାର ।
ଅନେକ ବେଦଧ୍ୱନି କଲେ । ଭୋଜନ ଦେବୁ କି ବୋଇଲେ ।
ତାଙ୍କ ବଚନେ କଲି ସତ୍ୟ । ଏବେ ବୋଲନ୍ତି ମାର ପୁତ୍ର ।
ନୋହିଲେ ସତ୍ୟଭଗ୍ନ ହୁଅ । ଆମ୍ଭଙ୍କୁ ଯାଅ ବୋଲି କହ ।
ଏଥକୁ କହ ତୁ ବିଚାରି । ଦେବା କି ନାହିଁ ପୁତ୍ର ହାଣି ।
ନଦେଲେ ସତ୍ୟଭଗ୍ନ ହୋଇ । ନରକେ ପଡ଼ିବ ହେ ଯାଇଁ ।
ସ୍ୱାମୀକି କହନ୍ତେ ଏମନ୍ତ । ଆସି ମିଳିଲା ନିଜ ସୁତ ।
ଦ୍ୱାଦଶ ବରଷର ବାଳ । ଦେହ ତା ଦୁଶଇ ଉଜ୍ଜଳ ।
ସୁନ୍ଦରପଣେ ତାକୁ ସରି । କେହି ନ ଥିବେ ତିନିପୁରୀ ।
ଚତୁର ବିବେକ ସିହାଣ । ପୁଚ୍ଛଇ ମାତାଙ୍କ ଚରଣ ।
କି ବୋଲି ବିଚାର ହେଉଛ । ମୋତେ କିମ୍ପାଇ ଲୁଚାଉଛ ।
କିମ୍ପା ଚିନ୍ତିତ ଦଣ୍ଡଧାରୀ । ଭୋ ମାତା କହ ସତ୍ୟକରି ।
ଶୁଣି କହନ୍ତି ନିଜ ମାତ । ଶୁଣ କୁମର କହେ ସତ୍ୟ ।
ପିତା ତୋ ବିପ୍ରେ କଲେ ସତ୍ୟ । ତୋତେ ମାରିଣ ଦେବେ ଭାତ ।
ଶୁଣିଣ ରାଜାର କୁମର । କେ କହୁ ଆନନ୍ଦ ତାହାର ।
ଭୋ ତାତ ମାତ! ତୁମ୍ଭେଶୁଣ । ଜନ୍ମିଲେ ଅବଶ୍ୟ ମରଣ ।
ଯେବେ ଏ ଦେହୁ ଜୀବ ଯିବ । ଅବଶ୍ୟ ମାଟିରେ ମିଶିବ ।
ଶାଗୁଣା ଶୃଗାଳଙ୍କ ଗ୍ରାସ । ନୋହିଲେ ଦେହ ଧୂଳି ପାଶ ।
ଏଥୁ ବା ଅନ୍ୟ କାର ଦେହ । ମଲେ ହୁଅଇ ଏକା କହ ।
ବିପ୍ର ଭୁଞ୍ଜିବ ମୋର ମାଂସ । ଏଥିରୁ ବଡ଼ ଭାଗ୍ୟ କିସ ।
ବହନ କରି ମୋତେ ମାର । ଭୋ ତାତ! ବିଳମ୍ବ ନ କର ।
ପୁତ୍ର ମୁର୍ଖୂ ଏହା ଶୁଣି । ବହନ ଗଲେ ନୃପମଣି ।
ପ୍ରଭୁଙ୍କୁ ଡ଼ାକି ଘେନିଗଲେ । ମନ୍ଦିରେ ପ୍ରବେଶ ହୋଇଲେ ।
ପୁତ୍ରକୁ ଧରି ଧାତିକାରେ । ଉଭା କରାଇଲା ଛାମୁରେ ।
କର୍ଣ୍ଣ ଶ୍ରୀହସ୍ତେ ପାଟଖଣ୍ଡା । ଧରିଣ ଅତି ପରଚଣ୍ଡା ।
ଗୋବିନ୍ଦ ଜାଣି ତାର ମନ । ଉହାଡ଼ କଲେ ସୁଦର୍ଶନ ।
ଚକ୍ର ପୁତ୍ରକୁ ଘେନି ଗଲେ । ମାୟା କୁମର ଉଭାହେଲେ ।
ଯା ମାୟା ଦେବେ ଅଗୋଚର । ମନୁଷ୍ୟ କେତେକ ମାତର ।
ରାଜା ଧରିଣ କରବାଳ । କାଟିଲେ ଶିର ଯେ ତତ୍କାଳ ।
ରାଣୀ ହସ୍ତରେ ନେଇ ଦେଲେ । ରନ୍ଧନ କରସି ବୋଇଲେ ।
ରାଜା ହସ୍ତରୁ ରାଣୀ ଧରି । କାଟିଲେ ତୁଳା ପ୍ରାୟ କରି ।
ମୁଣ୍ଡ ମାତ୍ରକ ଲୁଚାଇଲେ । କାନ୍ଦିବେ ବୋଲି ବିପ୍ର ଗଲେ ।
ଆବର ଯେତେକ ମାଏସ । ସଜାଡ଼େ ମନର ହରଷ ।
ଘୃତ ମରିଚଗୁଣ୍ଡା ତୁଲେ । ହଳଦୀ ପକାଇ ବଳିଲେ ।
ଜିରା ମରିଚ ହିଙ୍ଗୁଧାର । ପକାଇ କଲେକ ମହୁର ।
ଥୋକାଏ ସଙ୍ଗତେ ତିନ୍ତୁଳି । ପକାଇ କଲେକ ଆମ୍ୱଳି ।
ଭଜା କାକରାଦି ପାଚଲ । ରାନ୍ଧଣା ଏକୁଁ ଏକ ଭଲ ।
ଦିବ୍ୟ ଅରୁଆ ଅନ୍ନମାନ । ବହନ କଲେକ ରନ୍ଧନ ।
ବିପ୍ରଙ୍କୁ ଡ଼ାକି ନୃପ ଗଲେ । ଭୋଜନ କରିବ ବୋଇଲେ ।
ଶୁଣି ବୋଇଲେ ବିପ୍ରମଣି । କପଟ କଲା ତୋର ରାଣୀ ।
ଲୁଚାଇ ଥୋଇଅଛି ଶିର । ଆମ୍ଭ ଅଯୋଗ୍ୟ ସେ ଆହାର ।
ଶୁଣି ନୃପତି ବେଗେ ଗଲେ । ଭୋ ସଖୀ କି କଲୁ ବୋଇଲେ ।
ତୁ ପୁଣି ଲୁଚାଇଲୁ ମୁଣ୍ଡ । ବିପ୍ରତ ରାଗରେ ପ୍ରଚଣ୍ଡ ।
ଶୁଣି ଜାଣିଲେ ମହାସତୀ । ନିଶ୍ଚେ ସେ ଅଟେ ମହାଯତି ।
ଏମନ୍ତ ବୋଲି ମୁଣ୍ଡ ଧରି । ଛେଚିଲେ ଖଣ୍ଡ ଖଣ୍ଡ କରି ।
ରାନ୍ଧାଣା ବିଧି ବେଗେ କଲେ । ବିପ୍ରଙ୍କୁ ଡାକିଣ ଆଣିଲେ ।
ଆସନ ପାଦାସନ ଦେଇ । କଦଳୀ ପତ୍ରେକ ବିଛାଇ ।
ଆପଣେ କର୍ଣ୍ଣ ମହାରାଣୀ । ସୁପକ୍ୱ ପରଶିଲେ ଆଣି ।
ଦେଖି ବୋଲନ୍ତି ବ୍ରହ୍ମବତ୍ସ । ଏକ ପତ୍ରକେ ବାଢ଼ିଅଛ ।
ଏଥେ କି ବିଷ ଅଛ ଭରି । ମୋତେ ମାରିବ ବୋଲିକରି ।
ଏ ଘରେ ଅଛ ଯେତେ ଜନ । ସମସ୍ତେ କରିବ ଭୋଜନ ।
ନୋହିଲେ ଲେଉଟିଣ ଯିବି । ମୁଁ କିମ୍ପା ଏକାକୀ ଭୁଞ୍ଜବି ।
ଶୁଣି ଚକିତ ରାଜା ରାଣୀ । ଆବର ବେନି ପତ୍ର ଆଣି ।
ଅନ୍ନ ବ୍ୟଞ୍ଜନ ଯେ ବାଢ଼ିଲେ । ଭୁଞ୍ଜିବା ବୋଲି ଆରମ୍ଭିଲେ ।
ପ୍ରଭୁ ଜାଣିଲେ ତାଙ୍କ ମନ । ବୋଇଲେ ଶୁଣ ହୋ ରାଜନ ।
ଆବର ପତ୍ରେକ ପକାଅ । ଭୁଞ୍ଜବ ପରା ତୋର ପୁଅ ।
ଶୁଣି ବୋଇଲେ କର୍ଣ୍ଣବୀର । କାହୁଁ ପାଇବି ପୁତ୍ର ମୋର ।
ତୁମ୍ଭର ଦେଖୁଁ ଦେଖୁଁ ଏଥେ । ହାଣିଲି ପରା ମୋର ହସ୍ତେ ।
ତା ମାଂସ କଲଇଁ ରନ୍ଧନ । ଆଉ କି ଅଛି ମୋ ନନ୍ଦନ ।
ଶୁଣି ବୋଇଲେ ନରହରି । ଶୁଣ ତୁ କର୍ଣ୍ଣ ଦଣ୍ଡଧାରୀ ।
ସର୍ବଦା ସାଧୁଙ୍କ ଚରଣ । ସେବାରେ ଥାନ୍ତି ପାଞ୍ଚଜଣ ।
ଦୁଃଖୀ ଦରିଦ୍ରଙ୍କୁ ଦେଖିଲେ । ଦିଅନ୍ତି ଅନ୍ନ ବସ୍ତ୍ର ଭଲେ ।
ଯୋଗୀ ସନ୍ନ୍ୟାସୀ ବ୍ରହ୍ମଚାରୀ । ବ୍ରାହ୍ମଣ ବୈଷ୍ଣବ ଭିକାରୀ ।
ଏମାନେ ପ୍ରବେଶିଲେ ଯେତେ । ନାହିଁ ନ ବୋଲେ କଦାଚିତେ ।
ଶକ୍ୟ ଅନୁକ୍ରମେ ଯେ ଦେଇ । ନଥିଲେ କହଇ ବିନୟୀ ।
ଦୁଆରୁ ନିରାଶ ହୋଇଣ । ଲେଉଟି ନାହିଁ ଏକଜଣ ।
ଏମନ୍ତେ କେତେ ଦିନ ଗଲା । ତା କୀର୍ତ୍ତି ଜଗତେ ପୂରିଲା ।
ଜାଣିଲେ ପ୍ରଭୁ ଭଗବାନ । ବିଡ଼ିବାପାଇଁ ତାର ମନ ।
ମାୟା ସନ୍ନ୍ୟାସୀ ରୂପ ଧରି । ବିଜୟ କଲେ ନରହରି ।
ହସ୍ତରେ ଦଣ୍ଡ କମଣ୍ଡଳ । ତୁଳସୀ ମାଳ ବକ୍ଷସ୍ଥଳ ।
କଷାବସନ ପରିଧାନ । ସର୍ବାଙ୍ଗେ ବିଭୂତି ଭୂଷଣ ।
ଏମନ୍ତ ବେଶେ ଦାମୋଦର । ମିଳିଲେ ଅବନ୍ତୀ ନଗର ।
ତକ୍ଷକେ ରାଇ ଆଜ୍ଞା ଦେଲେ । ହେ ସର୍ପଯିବୁ ତୁ ବୋଇଲେ ।
ଯେ ଦୀନବନ୍ଧୁ ଦାସ ପୁଅ । ତାକୁ ଦଂଶିବୁ ବେଗେ ଯାଅ ।
ଆଜ୍ଞା ପ୍ରମାଣେ ସର୍ପଗଲା । ଦାସଙ୍କ ପୁତ୍ରକୁ ଦଂଶିଲା ।
ତା ଜ୍ୟେଷ୍ଠ ପୁତ୍ର ପ୍ରାଣ ହାରି । ତକ୍ଷଣେ ଗଲା ଯମପୁରୀ ।
ଏଥି ଉତ୍ତାରୁ ମାତା ପିତା । ଜାଣିଲେ ପୁତ୍ର ମଲା କଥା ।
ଭାଇ ଭାରିଯା ଆଦି ତାର । ବେଢ଼ିଲେ ଚାରି ପାରୁଶର ।
ମୃତ ଦେହକୁ ପକାଇଣ । ଅନେକ କରନ୍ତି ରୋଦନ ।
ନିଜ ସ୍ୱାମୀର ଗୁଣ ଗୁଣି । ଅନେକ କାନ୍ଦେ ସେ ତରୁଣୀ ।
ମାତା ପୁତ୍ରର ଗୁଣମାନ । ଚିନ୍ତିଣ କରନ୍ତି ରୋଦନ ।
ପିତା ଯେ ଅନେକ ପ୍ରକାରେ । ପୁତ୍ରକୁ ଧରି ଶୋକ କରେ ।
ଆବର ଭ୍ରାତା ଗୁଣ ଗୁଣି । କାନ୍ଦିଣ ଲୋଟଇ ଧରଣୀ ।
ଏମନ୍ତେ ଚାରିଜଣ ଯାକ । ଅନେକ କରୁଛନ୍ତି ଶୋକ ।
ଏହି ସମୟେ ଦାମୋଦର । ପଚାରି ପଚାରି ଦାଣ୍ଡର ।
ଲୀଳା ଭାବରେ ବିଜେ କଲେ । ଭକ୍ତର ଦ୍ୱାରେ ସେ ମିଳିଲେ ।
ଏଡ଼େ ବିଶ୍ୱାସ ଅଛି ତୋର । କାହୁଁ ମରିବ ତୋ କୁମର ।
ଆମ୍ଭେ ଯେ ଦେଉଛ କଲ୍ୟାଣ । ଲଭ ତୁ ଆପଣା ନନ୍ଦନ ।
ତୋ ପୁତ୍ର ଚିରଜୀବୀ ହେଉ । ଅନ୍ତେ ଗୋବିନ୍ଦ ପାଦ ପାଉ ।
ତୋ ରାଣୀ ତୁହି ବେନି ଜନ । ଲଭ ହୋ ବୈକୁଣ୍ଠ ଭୁବନ ।
ଆମ୍ଭ କଲ୍ୟାଣେ ଏହା ହେଉ । ତୋ କୀର୍ତ୍ତି ଯୁଗେ ଯୁଗେ ରହୁ ।
ଏବେ ତୁ ଯାଅ ଦଣ୍ଡଧାରୀ । ଡ଼ାକ ହୋ ପୁତ୍ର ନାମ ଧରି ।
ରାଣୀ ସଙ୍ଗତେ ତୁମ୍ଭେ ଯାଅ । ଦେଖି ଆସିବ ତୁମ୍ଭ ପୁଅ ।
ଶୁଣିଣ ରାଜା ରାଣୀ ଗଲେ । ଶ୍ରୀକୃଷ୍ଣ ମାୟା ନ ଜାଣିଲେ ।
ଡ଼ାକିଲେ ଆସରେ କୁମର । ଭୁଞ୍ଜବା ହେଉଛି ଉଛୁର ।
ମାତା ପିତାଙ୍କ ଡ଼ାକ ଶୁଣି । ଧାଇଁ ଅଇଲା ପୁତ୍ରମଣି ।
ପୁତ୍ର ଦେଖିଣ ବାପା ମାୟେ । ଅଇଲେ ଘେନିଣ ତନୟେ ।
ଘରେ ପ୍ରବେଶ ହେଲେ ଯାଇଁ । ଦେଖିଲେ ବିପ୍ର ଆଉ ନାହିଁ ।
ବିଚାର କଲେ ମନେ ମନ । ନିଶ୍ଚୟେ ପ୍ରଭୁ ଭଗବାନ ।
ଛାର ପୁତ୍ରର ପାଇଁ ଗଲୁ । ଅମୂଲ୍ୟ ନିଧି ହରାଇଲୁ ।
ଆନର ବଳେ କି ଏ କଥା । ମଲାର ଜୀଏ କି ସର୍ବଥା ।
ଏମନ୍ତ ବୋଲି ତିନିଜଣ । ଚିତ୍ତେ ଚିନ୍ତିଲେ ନାରୟଣ ।
ପ୍ରଭୁ ଶୂନ୍ୟରେ ଡ଼ାକ ଦେଲେ । ମୁହିଁଟି ଶ୍ରୀହରି ବୋଇଲେ ।
ଆଉ କେ ମାଗିଲେ ଭୋଜନ । ପୁତ୍ରକୁ ନ ଦେବୁ ମାରିଣ ।
ଶୂନ୍ୟ ଶବଦ ଏହା ଶୁଣି । ଆନନ୍ଦେ କର୍ଣ୍ଣ ବୀରମଣି ।
ପୁତ୍ର ଭାରିଯା ତିନିଜଣ । କେବଳ ଗୋବିନ୍ଦ ଭଜନ ।
କାଳେ ବୈକୁଣ୍ଠ ପରାପତ । ଶୁଣ ହେ ମନୁ ନୃପନାଥ ।
ଦାନର ମହିମା ଏମନ୍ତ୍ । କେବଳ ଥିବ ଦୃଢ଼ଚିତ୍ତ ।
ଏ ମନ ଚୈତନ୍ୟ ସମ୍ୱାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ।
ଯେ ପ୍ରାଣୀ ଶ୍ରଦ୍ଧାରେ ଶୁଣିବ । ହେଲେ ତରିବ ଭବାର୍ଣ୍ଣବ ।
ସୁଜନେ କୃଷ୍ଣ ଚିନ୍ତାକର । ଦେହ ସଂସାର ନୋହେ ଚିର ।
ହରି ପଦାରବିନ୍ଦ ଗତି । ମୋ ଚିତ୍ତ ରହୁ ଭୃଙ୍ଗମତି ।
ସୁଖ ଶ୍ରୀକୃଷ୍ଣ ପାଦ ଦୁଇ । ଅନ୍ୟ ଶରଣ ମୋର ନାହିଁ ।
ସାଧୁ ପାଦହିଁ ନାମ ନାବ । ମୋତେ ଏ ଦୁଇ ଆଜ୍ଞାହେବ ।
ଭୋ ପ୍ରଭୋ ଏତେ ମାତ୍ର କର । ଶରଣ ଜନ୍ମେ ଜନ୍ମେ ମୋର ।