ଧୂଳିଘର
ଲେଖକ/କବି: ଚିନ୍ତାମଣି ମହାନ୍ତି

ଧୂଳିଘର

ଆସ ଆସ କିଏ ଦେଖିବ ଧୂଳିଘର ମୋହର
ସରୁ କୁଟିକମଗୁଡ଼ିକ ଆହେ କେଡ଼େ ସୁନ୍ଦର !

ଏଇ ଘରଟିରେ ଖେଳିବି ମୁହିଁ ନିତି କଣ୍ଢେଇ
ଏ ଘର ଗୁହାଳ, ଏଘର ହେବ ଧାନ ମରେଇ ।

ଶୋଇବାଘର ଏ ହୋଇବ ହାଣ୍ଡିଶାଳ ତେଣିକି ।
ଏହି ଯେ ଚାଳିଆ ଖଣ୍ଡିକ ଏଠି ପଡ଼ିବ ଢେଙ୍କି ।

ଏଘରେ ବସି ମୁଁ ପଢ଼ିବି ଏକୁଟିଆ ନିରୋଳେ
ବିଭୁଙ୍କୁ ପ୍ରାର୍ଥନା କରିବି ପ୍ରେମ ଭକତି ଭୋଳେ ।

ଧୂଳିଘର ଦେଖି ମୋହର ପରିହାସ କରନା
ଲୁଚିଅଛି ଏହା ଭିତରେ ମୋର ଶିଶୁ କଳ୍ପନା ।

ଲୁଚିଥାଏ ଯଥା କୁସୁମହାର ମଧ୍ୟରେ ସୂତା
ଅଥବା ସୁକୀର୍ତ୍ତି ମଧ୍ୟରେ ଯଥା ସତ୍ୟ ସାଧୁତା ।

ସ୍ୱଭାବେ ଶିଶୁ ମୁଁ ବିଭୁଙ୍କ ଭାବେ ସଦା ମଗନ
ତେଣୁ ତାଙ୍କ ବିଶ୍ୱ ସର୍ଜନା କରେ ଅନୁକରଣ ।