ପତିତ ପାବନ ବାନା (ଆର୍ତ୍ତ ଦାସ)

ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ପତିତ ପାବନ ବାନା (ବୀରକେଶରୀ ଦେବ) ଆଉ ପତିତ ପାବନ ବାନା ଦେଖନ୍ତୁ ।
ପତିତ ପାବନ ବାନା
ଲେଖକ/କବି: ଆର୍ତ୍ତ ଦାସ

ପତିତ ପାବନ ବାନା

ପତିତ ପାବନ ବାନା ଆଉ କେତେ ବେଳକୁ ।
ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ ।।

ଦୂରେ ଥାଇ ଡ଼ାକ ଦେଲେ ଡେରିଥାଅ କର୍ଣ୍ଣକୁ ।
ନିକଟରେ ନ ଶୁଣିଲ ମୋ କର୍ମ ଅବଳକୁ ।୧।

ଲକ୍ଷ ଯୋଜନରେ ଗଜ ଚିନ୍ତା କଲା ପ୍ରଭୁଙ୍କୁ ।
ଚକ୍ର ପେଶି ଗ୍ରାହ ନାଶି ରଖିଲ ତ ଗଜକୁ ।୨।

ଦ୍ରୌପଦୀ ଯେ ଚିନ୍ତା କଲା ବିବସନ ବେଳକୁ ।
କୋଟି ବସ୍ତ୍ର ଦେଲ ପ୍ରଭୁ ତୁମ୍ଭେ ତେତେ ବେଳକୁ ।୩।

ରୁପିଲାର ବୃକ୍ଷ ଗୋଟି ଛେଦୁଅଛ ମୂଳକୁ ।
ନିନ୍ଦା ହେବ ବାଇ ବାନା ଏ ମହୀ ମଣ୍ଡଳକୁ ।୪।

ବଡ଼ ଦେଉଳରେ ଅଛ ଦାରୁଭୂତ ହୋଇକି ।
ଭଣିଲେ ଆରତ ଦାସ ତୁମ୍ଭ ମନେ ନାହିଁକି । ୫।