ମୁଖ୍ୟ ସୂଚୀ ଦେଖିବେ

ପରଚେ ହୋଇ ପାରିଲେ ଅଣଆକାରେ

ପରଚେ ହୋଇ ପାରିଲେ'
ଲେଖକ/କବି: ଭୀମ ଭୋଇ

ପରଚେ ହୋଇ ପାରିଲେ ଅଣଆକାରେ ।
ନିଶ୍ଚୟେ ଭେଟ ପାଇବ ଅମନ ପୁରେ । ଘୋଷା ।

ହାଇ ଛାଇ ସମସ୍ତଙ୍କୁ କ୍ଷୁଧା ତୃଷ୍ଣା ଆୟତ୍ତକୁ
ଆଶା ଭରସା ସବୁଙ୍କୁ ଫିଙ୍ଗିଲେ ଦୂରେ ।

ଅବାଇ ମଣ୍ଡଳେ ବାଇ ନେଇ ପାରିଲେ ପୁରାଇ
ତେବେ ସେ ପ୍ରବେଶ ହେବ ସ୍ୱାମୀ ଛାମୁରେ ।୧।

ପିଣ୍ଡ ପ୍ରାଣ ତେଜ୍ୟା କରି ଜନ୍ମ ମୃତ୍ୟୁକୁ ନ ଡରି
କାଳ ବିକାଳକୁ ନିବାରିଲେ ନିଷ୍ଠାରେ ।
ବ୍ରହ୍ମ ଅନଳ ଦିହୁଡି ଜାଳି ଫିଟାଅ କୁହୁଡି
ଅର୍ଗଳୀ କବାଟ ଫିଟିଯିବ ସଧୀରେ ।୨।

ଅବନ୍ଧା ବନ୍ଧରେ ପାଣି ବଳାଅ ଲହଡି ଟାଣି
ଅରୂପାନନ୍ଦ ସ୍ୱାମୀଙ୍କ ଚରଣ ତଳେ ।
ଚିରକାଳ ଥିବ ରହି ବ୍ରହ୍ମଅଙ୍ଗ ତେଜ ବହି
ଉଲଟ ଉଜାଣି ନଦୀ ସମ୍ପୂର୍ଣ୍ଣ ଭରେ ।୩।

ଅମାପ ମାପିଲେ ଯାଇ ଅଖାଦ୍ୟ ପାରିଲେ ଖାଇ
ସାଧୁସଙ୍ଗ କଲେ ପୂର୍ବ ପାତକ ହରେ ।
ଅକଳ୍ପଣା ବ୍ରହ୍ମେ ଧ୍ୟାନ ଲୟ କର ରାତ୍ର ଦିନ
ବଦଳିଲେ ପିଣ୍ଡ ନୂଆ ନବୀନ ଧରେ ।୪।

ଅଦେଖା ଦେଖିଲେ ସାର ଅଜପା ଜପିଲେ ପାର
ଅଚିହ୍ନାକୁ ଚିହ୍ନି ଭଜ ଅଣରୂପରେ ।
ତରିବାକୁ ଥିଲେ ଆଶ ନିର୍ବେଦ କର୍ମରେ ପଶ
ସଦଜ୍ଞାନ ମୁକ୍ତିପଦ ଗୁରୁ ଦୁଆରେ ।୫।

ଅଲେଖ ପୁର ଭୁବନ ନାହିଁ ତହିଁ ବଡ ସାନ
ସମାନରେ ଦୟା ଦୃଷ୍ଚି ସର୍ବଜୀବରେ ।
ବୋଲେ ଭୀମ ହୀନ ଦାସ ଅବନା ମଣ୍ଡଳେ ପଶ
ନିଶୁଣି ଲଗାଇ ଉଠ ଶୂନ୍ୟ ଶିଖରେ ।୬।