ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପ୍ରକାଶକଙ୍କ ନିବେଦନ

ବେଦମୂର୍ତ୍ତି ଶ୍ରୀରାମକୃଷ୍ଣ ପରମହଂସଦେବଙ୍କର ମହାଭାଷ୍ୟସ୍ବରୂପ ସ୍ୱାମୀ ବିବେକାନନ୍ଦ ପୃଥିବୀବକ୍ଷରେ ଆଧ୍ୟାତ୍ମିକତାର ଘୂର୍ଣ୍ଣ୍ୟାବର୍ତ୍ତ କରି ସୁପ୍ତ ମାନବାତ୍ମାକୁ ଯେ କେବଳ ଜାଗ୍ରତ କରିଗଲେ, ତାହା ନୁହେଁ, ଜାଗ୍ରତ ଆତ୍ମା ପାଇଁ ଅଗ୍ରସର ହେବାର ଦିଗଦର୍ଶନ ଓ ଅବଲମ୍ବନ ମଧ୍ୟ ନିର୍ଦ୍ଦେଶ କରିଦେଇଗଲେ । ସ୍ୱାମୀଜୀଙ୍କର ପ୍ରାଣନିଃସୃତ ଅଗ୍ନିଗର୍ଭ ଓଜଃଶକ୍ତିସମ୍ପନ୍ନ ବାଣୀ-ସ୍ପନ୍ଦନ ଅମୃତସନ୍ତାନର ଜୀବନ ମନ୍ତ୍ର, ପୃଥିବୀବାସୀ ମନୁଷ୍ୟର ଅଗ୍ରଗାମୀ ହେବା ପାଇଁ ଏକ ଅମୋଘ ଆଲମ୍ବନ । ତାଙ୍କର ଏହି ବାଣୀ-ସନ୍ଦନକୁ ସାମଗ୍ରିକ ଭାବରେ ଲିପିବଦ୍ଧ କରିବା ମନୁଷ୍ୟ-ଶକ୍ତିର ବହିର୍ଭୁତ; ତଥାପି କରୁଣାମୟଙ୍କର ଅଶେଷ ପ୍ରେମାଶୀର୍ବାଦସ୍ବରୂପ ସେହି ବାଣୀର କିଛି ଅଂଶ ଆମେ ଲାଭ କରିଛୁ ‘ସ୍ୱାମୀଜୀଙ୍କ ବାଣୀ ଓ ରଚନା’ରୂପରେ ।

ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏହି ଗ୍ରନ୍ଥାବଳୀ ୧୯୬୩ ଖ୍ରୀଷ୍ଟାବ୍ଦରେ ପ୍ରଥମ ଥର ପାଇଁ ଓଡ଼ିଆଭାଷାରେ ଦଶଖଣ୍ଡରେ ପ୍ରକାଶିତ ହୋଇଥିଲା । ଅତ୍ୟନ୍ତ ଆନନ୍ଦର କଥା ଯେ ଶ୍ରୀରାମକୃଷ୍ଣଦେବଙ୍କର ୧୫୦ତମ ଜନ୍ମଉତ୍ସବ ପାଳନ ଉପଲକ୍ଷେ ଓଡ଼ିଶାର ବହୁମାନ୍ୟଗଣ ଓ ବିଶିଷ୍ଟବ୍ୟକ୍ତିଙ୍କୁ ନେଇ ଗଠିତ କମିଟି “ସ୍ୱାମୀଜୀଙ୍କ ବାଣୀ ଓ ରଚନା’କୁ ସଂଶୋଧନ ଓ ବିଷୟର ପୁନର୍ବିନ୍ୟାସ କରି ନୂତନ ସଂସ୍କରଣରୂପେ ଦଶମଖଣ୍ଡରେ ପୁନଃ ପ୍ରକାଶନ କରିବା ପାଇଁ ଆମମାନଙ୍କୁ ଉତ୍ସାହିତ କରିଥିଲେ । ଭଗବତ୍ କୃପା ଏବଂ ଓଡ଼ିଶାବାସୀଙ୍କର ସଦିଚ୍ଛା ଏହି ଗ୍ରନ୍ଥାବଳୀର ପୁନଃ ମୁଦ୍ରଣର ପ୍ରଚେଷ୍ଟାକୁ ସଫଳ କରିଥିଲା । ଶ୍ରୀଶ୍ରୀ ଭଗବାନଙ୍କ ଆଶୀର୍ବାଦରୁ ପ୍ରଥମଖଣ୍ଡର ଚତୁର୍ଥ ସଂସ୍କରଣ ପ୍ରକାଶିତ ହେଲା ।

ଦଶ ଖଣ୍ଡରେ ବିଭିକ୍ତ ଏହି ଗ୍ରନ୍ଥାବଳୀର ୧ମ ଖଣ୍ଡରେ ଚିକାଗୋ ବସ୍ତୁତା, କର୍ମଯୋଗ ଓ ରାଜଯୋଗ, ୨ୟ ଖଣ୍ଡରେ ଜ୍ଞାନଯୋଗ, ୩ୟ ଖଣ୍ଡରେ ଧର୍ମ ଓ ଦର୍ଶନ, ୪ର୍ଥଖଣ୍ଡରେ ଭକ୍ତିଯୋଗ ଓ ‘ଦେବବାଣୀ’,୫ମ ଖଣ୍ଡରେ ଭାରତରେ ବିବେକାନନ୍ଦ ଏବଂ ଭାରତପ୍ରସଙ୍ଗ, ୬ଷ୍ଠ ଖଣ୍ଡରେ ସ୍ବାମୀଜୀଙ୍କର ମୌଳିକ ବଙ୍ଗଳା ରଚନାରୁ ଅନୁବାଦ ଓ ପତ୍ରାବଳୀ, ୭ମ ଖଣ୍ଡରେ ପତ୍ରାବଳୀ ଓ ଇଂରାଜୀ କବିତାର ଅନୁବାଦ, ୮ମ ଖଣ୍ଡରେ ପତ୍ରାବଳୀ ଓ ମହାପୁରୁଷ-ପ୍ରସଙ୍ଗ’, ୯ମ ଖଣ୍ଡରେ ସ୍ୱାମୀ-ଶିଷ୍ୟ-ସମ୍ବାଦ’ ଓ ସ୍ୱାମୀଜୀଙ୍କ ସହିତ ବିଭିନ୍ନ ବ୍ୟକ୍ତିଙ୍କର କଥୋପକଥନ ଏବଂ ୧୦ମ ଖଣ୍ଡରେ ମେରୀ ଲୁଇ ବର୍କଙ୍କ ଲିଖିତ ଗ୍ରନ୍ଥରେ (Swami Vivekananda: New Discoveries in America) ପ୍ରକାଶିତ