ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କର୍ମ– ଚରିତ୍ର ଉପରେ ଏହାର ପ୍ରଭାବ ଉପଲକ୍ଷ୍ୟ ମାତ୍ର, ତୁମ ମନ ହିଁ ସର୍ବଦା ତୁମର ଅଧ୍ୟୟନର ବିଷୟ । ସେଓ ଫଳର ପତନ ନିଉଟନ୍‌ଙ୍କ ପକ୍ଷରେ ଉଦ୍ଦୀପକ କାରଣ-ସଦୃଶ ହେଲା । ସେ ନିଜ ମନକୁ ଅଧ୍ୟୟନ କରିବାକୁ ଲାଗିଲେ, ତାଙ୍କ ମନରେ ପୂର୍ବରୁ ଅବସ୍ଥିତ ଭାବପରମ୍ପରାକୁ ଅନ୍ୟ ଏକ ପ୍ରକାରରେ ସଜାଇ ତାହା ମଧ୍ୟରେ ଗୋଟିଏ ନୂଆ ଶୃଙ୍ଖଳା ଆବିଷ୍କାର କଲେ; ଏହାକୁ ହିଁ ଆମେ ମାଧ୍ୟାକର୍ଷଣର ନିୟମାବଳୀ କହୁ । ତାହା ସେଓ ଫଳ ବା ପୃଥ୍ବୀ-କେନ୍ଦ୍ରରେ ଅବସ୍ଥିତ କୌଣସି ବସ୍ତୁରେ ନ ଥୁଲା । ଅତଏବ ଯେ କୌଣସି ଲୌକିକ ବା ପାରମାର୍ଥିକ ଜ୍ଞାନ ମନୁଷ୍ୟ ମନରେ ଅବସ୍ଥିତ । ଅନେକ ସ୍ଥଳରେ ସେଗୁଡ଼ିକ ଆବିଷ୍କୃତ (ବା ଅନାବୃତ) ହୋଇ ନ ଥାଏ । ଯେତେବେଳେ ଏହି ଆବରଣକୁ ଧୀରେ ଧୀରେ ଅପସାରିତ କରାଯାଏ, ସେତେବେଳେ ଆମେ କହୁ, ‘ଆମେ ଶିକ୍ଷାଲାଭ କରୁଛୁ,’ ଏବଂ ଏହି ଆବରଣ ଅପସାରଣ କାର୍ଯ୍ୟ ଯେତେ ଯେତେ ଅଗ୍ରସର ହୁଏ, ଜ୍ଞାନ ମଧ୍ୟ ସେତେ ସେତେ ଅଧ୍ଵ ହେଉଥାଏ । ଏହି ଆବରଣ ଯାହାଙ୍କର କ୍ରମଶଃ ଅପସାରିତ ହେଉଛି, ସେ ଅପେକ୍ଷାକୃତ ଜ୍ଞାନୀ । ଯାହାର ଆବରଣ ଖୁବ୍ ବେଶୀ, ସେ ଅଜ୍ଞାନୀ; ପୁଣି ଯେଉଁ ବ୍ୟକ୍ତିଙ୍କଠାରୁ ଅଜ୍ଞାନ ସଂପୂର୍ଣ୍ଣ ଚାଲିଯାଇଛି, ସେ ସର୍ବଜ୍ଞ । ପୂର୍ବେ ଅନେକ ସର୍ବଜ୍ଞ ପୁରୁଷ ଥିଲେ; ମୋର ବିଶ୍ଵାସ ଏ ଯୁଗରେ ମଧ୍ୟ ଅନେକେ ହେବେ; ପୁନଶ୍ଚ ଆଗାମୀ କଳ୍ପସମୂହରେ ମଧ୍ୟ ଅସଂଖ୍ୟ ସର୍ବଜ୍ଞ ପୁରୁଷ ଜନ୍ମଲାଭ କରିବେ । ଅଗ୍ନି ଯେପରି ଖଣ୍ଡେ ଝକମକି ପଥରରେ ନିହିତ ଥାଏ, ଜ୍ଞାନ ମଧ୍ୟ ସେହିପରି ମନ ମଧ୍ୟରେ ହିଁ ରହିଅଛି; ଉଦ୍ଦୀପକ କାରଣଟି ଘର୍ଷଣସ୍ୱରୂପ କାର୍ଯ୍ୟ କରି ଜ୍ଞାନାଗ୍ନିକୁ ପ୍ରଜ୍ଜ୍ୱଳିତ କରିଦିଏ । ଆମର ସକଳ ଭାବ ଓ କାର୍ଯ୍ୟ ଏହିପରି । ଯଦି ଆମେ ଶାନ୍ତ ହୋଇ ନିଜ ଅନ୍ତଃକରଣକୁ ଅଧ୍ୟୟନ କରିବା ତେବେ ଦେଖୁ ଯେ, ଆମର ହସ- କାନ୍ଦ, ସୁଖ-ଦୁଃଖ, ଆଶୀର୍ବାଦ-ଅଭିସମ୍ପାତ, ନିନ୍ଦା—ସୁଖ୍ୟାତି ଇତ୍ୟାଦି—ସବୁ କିଛି ଆମ ମନ ଉପରେ ବହିର୍ଜଗତର ବିଭିନ୍ନ ଆଘାତ ଦ୍ବାରା ଆମ ଭିତରୁ ହିଁ ଉତ୍ପନ୍ନ । ଏହା ଫଳରେ ହିଁ ଆମର ବର୍ତ୍ତମାନ ଚରିତ୍ର ଗଠିତ । ଏହି ଆଘାତ-ସମଷ୍ଟିକୁ ‘କର୍ମ’ କୁହାଯାଏ । ଆତ୍ମାର ଅଭ୍ୟନ୍ତରସ୍ଥ ଅଗ୍ନିକୁ ବାହାର କରିବା ପାଇଁ, ଏହାର ନିଜ ଶକ୍ତି ଓ ଜ୍ଞାନ ପ୍ରକାଶ ପାଇଁ ଯେ କୌଣସି ମାନସିକ ବା ଦୈହିକ ଆଘାତ ପ୍ରଦତ୍ତ ହୁଏ, ତାହା ହିଁ କର୍ମ; ‘କର୍ମ’ ଅବଶ୍ୟ ଏଠାରେ ତାହାର ବ୍ୟାପକତମ ଅର୍ଥରେ ବ୍ୟବହୃତ । ଅତଏବ ଆମେ ସର୍ବଦା ହିଁ କର୍ମ କରୁଛୁ । ମୁଁ କଥା କହୁଛି- ଏହା କର୍ମ । ତୁମେ ଶୁଣୁଛ—ତାହା ମଧ୍ୟ କର୍ମ । ଆମେ ଶ୍ଵାସକ୍ରିୟା କରୁଛୁ—ଏହା କର୍ମ, ବୁଲୁଛୁ—କର୍ମ, କଥା କହୁଛୁ—କର୍ମ, ଶାରୀରିକ ବା ମାନସିକ ଯାହା କିଛି ଆମେ କରୁ, ସମସ୍ତ ହିଁ କର୍ମ । ପ୍ରତି କର୍ମ ଆମ ଉପରେ ତାହାର ଦାଗ ରଖିଯାଉଛି । କେତେଗୁଡ଼ିଏ କାର୍ଯ୍ୟ ଅଛି, ସେଗୁଡ଼ିକ ଯେପରି ଅନେକ କ୍ଷୁଦ୍ର କ୍ଷୁଦ୍ର କର୍ମର ସମଷ୍ଟି । ଯଦି ଆମେ ସମୁଦ୍ରତଟରେ ଦଣ୍ଡାୟମାନ ହୋଇ ଶୈଳଖଣ୍ଡ ଉପରେ ତରଙ୍ଗାଘାତ-ଜନିତ ଧ୍ଵନି ଶୁଣୁ, ତେବେ ତାହା କେଡ଼େ ଭୟାନକ ବୋଲି ବୋଧହୁଏ ! କିନ୍ତୁ ଆମେ ଜାଣୁ, ଗୋଟିଏ ତରଙ୍ଗ ପ୍ରକୃତରେ ଲକ୍ଷ ଲକ୍ଷ ଅତି କ୍ଷୁଦ୍ର ତରଙ୍ଗର ସମଷ୍ଟି ମାତ୍ର । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଟିରୁ ହିଁ ଶବ୍ଦ ଆସୁଛି; କିନ୍ତୁ ତାହା ଆମେ ଶୁଣିପାରୁନା । କିନ୍ତୁ ଯେତେବେଳେ ସେମାନେ ଏକତ୍ର ହୁଅନ୍ତି, ଆମେ ସେହି ଶବ୍ଦ ଶୁଣିପାରୁ । ଆମ ହୃଦୟର ପ୍ରତ୍ୟେକ କମ୍ପନ ମଧ୍ୟ ଗୋଟିଏ ଗୋଟିଏ କର୍ମ । କେତେଗୁଡ଼ିଏ କାର୍ଯ୍ୟ ଆମେ ବୁଝିପାରୁ, ସେଗୁଡ଼ିକ ଯେପରି ଆମର ଇନ୍ଦ୍ରିୟଗ୍ରାହ୍ୟ ହୋଇ