ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମହାନଦୀକୁ ନୌକାରେ ପାର ହୋଇ ଗଙ୍ଗାଧର ସମ୍ବଲପୁର ଯିବା କଥା ସେ ପସନ୍ଦ କରି ପାରିଲେ ନାହିଁ । ପଣ୍ଡିତ ଘନଶ୍ୟାମ ମିଶ୍ର ବିଦ୍ୟାଳୟରେ ଷଷ୍ଠଶ୍ରେଣୀ ଖୋଲାଇ ପଢ଼ାପଢ଼ି କରାଇଲେ । ଷଷ୍ଠଶ୍ରେଣୀରେ ଗଙ୍ଗାଧର 'ରଘୁବଂଶ', 'କ୍ଷେତ୍ରତତ୍ତ୍ୱ', 'ବୀଜଗଣିତ' ପଢ଼ିଲେ । କିନ୍ତୁ ଷଷ୍ଠ ଶ୍ରେଣୀ ପାଇଁ ସରକାରୀ ଅନୁମତି ମିଳିଲା ନାହିଁ । ସେହି ସମୟରେ ପଣ୍ଡିତ ଘନଶ୍ୟାମ ମିଶ୍ର ଛୁଟିନେଇ ବରପାଲିରୁ ଚାଲିଆସିଲେ । ବସ୍ତୁତଃ ଗଙ୍ଗାଧର ଏହି ପର୍ଯ୍ୟନ୍ତ ଆନୁଷ୍ଠାନିକ ଶିକ୍ଷାପ୍ରାପ୍ତ ହୋଇଥିଲେ । କିନ୍ତୁ ପଞ୍ଚମ ଶ୍ରେଣୀରେ ପଢ଼ିବାବେଳେ ସେ ପଣ୍ଡିତ ଘନଶ୍ୟାମ ମିଶ୍ରଙ୍କ ଘରକୁ ଯାଇ 'ସୂତ୍ରସାର' ଓ 'ସିଦ୍ଧାନ୍ତ ଚନ୍ଦ୍ରିକା' ଭଳି ସଂସ୍କୃତ ବ୍ୟାକରଣର ସୂତ୍ର ଶିକ୍ଷା କରିଥିଲେ ।

ଗଙ୍ଗାଧର ପାଠ ପଢ଼ୁଥିବା ସମୟରେ ତାଙ୍କ ବାପାଙ୍କର ଆର୍ଥିକ ଅବସ୍ଥା ଖୁବ୍‍ ଶୋଚନୀୟ ଥିଲା । ବହି କିଣିବା ଦୂରେ ଥାଉ, ସଫାଲୁଗା ଖଣ୍ଡେ ପିନ୍ଧି ସ୍କୁଲ୍‍କୁ ଆସିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନଥିଲା । ବିଦ୍ୟାଳୟକୁ ପରିଦର୍ଶକ ଆସିବେ ବୋଲି ପ୍ରଧାନଶିକ୍ଷକ ଗଙ୍ଗାଧରଙ୍କ ପାଇଁ 'ଲଙ୍ଗ୍‍ କ୍ଲଥ୍‍' ହେବା ନିମିତ୍ତ ଚୈତନ୍ୟଙ୍କ ଠାରୁ ଟଙ୍କାଏ କି ଦେଢ଼ଟଙ୍କା ନେଇଥିଲେ । ହେଲେ, ଦରଜି ତାହା ସିଲେଇ କରିସାରିବା ପୂର୍ବରୁ ବିଦ୍ୟାଳୟ ପରିଦର୍ଶନ କରିବାକୁ ଇନ୍‍ସ୍‍ପେକ୍ଟରର ଜେନେରାଲ ସାହେବ ପହଞ୍ଚିଗଲେ । ଗଙ୍ଗାଧର ସେଇ କଚାସିଲେଇ ପୋଷାକ ପିନ୍ଧି ସ୍କୁଲ୍‍ ଗଲେ । ପରେ ତାହା ଆଉ ସିଲେଇ ହୋଇ ପାରିଲା ନାହିଁ । ପାଠ ପଢ଼ିବା ସମୟରେ ଗଙ୍ଗାଧର ତନ୍ତରେ ଲୁଗା ବୁଣି ପାରିବାରିକ ଗୁଜୁରାଣ ମେଣ୍ଟାଇବାରେ ପିତାଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କର ହସ୍ତାକ୍ଷର ସୁନ୍ଦର ହୋଇଥିବାରୁ ସେ ତମସୁକ ଲେଖି କିଛି ଅର୍ଥ ମଧ୍ୟ ଉପାର୍ଜନ କରୁଥିଲେ । ଋଣ ଆକାରରେ ଦେଣନେଣ ବ୍ୟବସ୍ଥାରେ ତମସୁକ ଥିଲା ସରକାରୀ ଦଲିଲ ତୁଲ୍ୟ । ଏହିସବୁ ଆୟରୁ ଗଙ୍ଗାଧର ପଢ଼ିବା ସମୟରେ ବହି କିଣାରେ ଦୁଇଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥିଲେ । ସାଙ୍ଗସାଥୀଙ୍କ ଠାରୁ ବହି ମାଗିଆଣି ସେ ପଢ଼ୁଥିଲେ । ଅଧିକନ୍ତୁ ବିଦ୍ୟାଳୟରେ ଶିକ୍ଷାଲାଭ ପାଇଁ ସେ ସମୟରେ କୌଣସି ଫିସ୍‍ ଦେବାକୁ ପଡୁନଥିଲା । ସନ୍ଧ୍ୟାରେ ଶିକ୍ଷକଙ୍କ ଘରକୁ ଯାଇ ପାଠ ବୁଝିବାରେ କିଛି ବି ଖର୍ଚ୍ଚ କରିବାକୁ ହେଉନଥିଲା । ଗଙ୍ଗାଧର ତାଙ୍କ ଶିକ୍ଷାଜୀବନର ସ୍ମୃତିଚାରଣ କରି ଆତ୍ମଜୀବନୀରେ ଲେଖିଛନ୍ତି, "ସେତେବେଳେ ଶିକ୍ଷକଙ୍କ ବସା ଋଷି ଆଶ୍ରମତୁଲ୍ୟ ବୋଧ ହେଉଥିଲା ।"

୧୮୭୮ ମସିହାରେ ଗଙ୍ଗାଧରଙ୍କର 'ଦୁର୍ବାକ୍ଷତ' ବିଧାନ ହେଲା । ଏବଂ ଯୁବତୀ ଶାନ୍ତା ରେମଣ୍ଡାରୁ ବରପାଲି ଆସିଲେ । ପତ୍ନୀ ଆସିବା ପରେ ଯୁବକ ଗଙ୍ଗାଧରଙ୍କ ଗାର୍ହସ୍ଥ୍ୟ ଜୀବନ ଆରମ୍ଭ ହେଲା । କିନ୍ତୁ ତାଙ୍କ ଜୀବନଧାରା, ତନ୍ତକାମ ଓ ଲେଖାଲେଖି ଆଦିକୁ ଲକ୍ଷ୍ୟ କଲେ ସେ ଗୃହୀ ଅପେକ୍ଷା ଗୃହରେ ଥିବା ଜ୍ଞାନଲିପ୍‍ସୁ, ଅଧ୍ୟୟନପିପାସୁ ଓ ଉଦ୍ଭାବନକାମୀ ତପସ୍ୱୀ ପରି ମନେ ହୁଅନ୍ତି । ବୋହୂ ଆସିବା ପରେ ଚୈତନ୍ୟ ମେହେର ଗଙ୍ଗାଧରଙ୍କ ଉପରେ ପରିବାରପୋଷଣର ଭାର ନ୍ୟସ୍ତ କରି ସାହୁକାରୀ ବ୍ୟବସାୟ କଲେ । ଏଣିକି ତନ୍ତଚାଳନାରେ ଗଙ୍ଗାଧର ଅଧିକ ସମୟ ବିନିଯୋଗ କଲେ । ସେ କାଗଜଫର୍ଦ୍ଦ ଭଳି ଚିକ୍‍କଣ ଓ ପତଳା ଶାଢ଼ି ବୁଣି ପାରୁଥିଲେ । ଯୌବନରେ ଉତ୍କୃଷ୍ଟ ବୟନଶିଳ୍ପୀ ଭାବେ ସେ ସୁଖ୍ୟାତ ହୋଇଥିଲେ । ବରପାଲିର

କୌଷେୟବସ୍ତ୍ର ପାଇଁ ତାଙ୍କରି ନାମରେ ବିକ୍ରୟ କେନ୍ଦ୍ର ସଂପର୍କିତ ବିଜ୍ଞାପନ ମଧ୍ୟ ପ୍ରକାଶ

ଆମ ଗଙ୍ଗାଧର.୧୧