ଭୂମିକଂପ ହେବ ଧରଣୀ ଫାଟିବ
ଉଠିବେ ସହସ୍ରଭୁଜା
ସେହି ତୋର ମାତା ସେହି ତୋର ତ୍ରାତା
କର ସେହି ପଦପୂଜା । -ମଧୁସୂଦନ
ଇଂରେଜମାନଙ୍କ ଓଡ଼ିଶା ଅଧିକାର ପରେ ଲାଗି ରହିଥିବା କ୍ରମାଗତ ବିଦ୍ରୋହ ଓ ଅସ୍ଥିରତା
ସ୍ୱରୂପ ୧୮୧୭ରେ ପାଇକ ବିଦ୍ରୋହ ଓ ୧୮୫୭ରେ ସିପାହୀ ବିଦ୍ରୋହ ହୋଇଥିଲାା ଅର୍ଥନୀତିର
ଦ୍ରୁତ ଅବକ୍ଷୟ ସାଙ୍ଗକୁ ୧୮୬୬ର ପ୍ରାଣଶୋଷା ନଅଙ୍କ ଦୁର୍ଭିକ୍ଷର କରାଳ ଆଘାତରେ ଓଡ଼ିଆ
ଜାତି ପରିଣତ ହୋଇଯାଇଥିଲା କଂକାଳସାର ଜନସମୂହରେ । ମହାତ୍ମାଗାନ୍ଧୀ ୧୯୨୧ ସାଲରେ
ଓଡ଼ିଶା ପରିଦର୍ଶନର ବିକଳ ଅନୁଭୂତିକୁ ଏକ ମର୍ମନ୍ତୁଦ ଓ ଯନ୍ତ୍ରଣାକାତର ସ୍ୱରରେ ବର୍ଣ୍ଣନା କରିଛନ୍ତି-
"ଓଡ଼ିଶାରେ କଂକାଳର ଦୃଶ୍ୟ ଦେଖିବି ବୋଲି ମୁଁ ପ୍ରସ୍ତୁତ ଥିଲି । କିନ୍ତୁ ଯାହା ଦେଖିଲି
ସେହି ଅସ୍ଥି ଚର୍ମସାର ସ୍ତ୍ରୀ, ପୁରୁଷ ଆଉ ପିଲାଙ୍କର କରୁଣ ଚେହେରା କେବେ ବି ଭୁଲିବାର ନୁହଁ । ସେମାନେ ଚିତ୍କାର କରି କହୁଥିଲେ "ଆମେମାନେ ଖାଦ୍ୟ ଚାହୁଁ' ଏହିଭଳି ଲୋକଙ୍କ ପାଖରେ
ସ୍ୱରାଜ୍ୟର ଅର୍ଥ ବା କ'ଣ ଥାଇପାରେ ?"
ଏହିମାନେ ହିଁ ଥିଲେ ଓଡ଼ିଶାର ସହସ୍ର ଭୁଜା । ଏହି କଂକାଳସାର ଜନସାଧାରଣଙ୍କୁ ଉପରକୁ
ଉଠାଇବାପାଇଁ ଭୂମିକଂପ ଭଳି ବିସ୍ଫୋରକ ଆନ୍ଦୋଳନ ଦରକାର, ଯହିଁରେ ଅଜ୍ଞାନ ରୂପକ
ଅଂଧକାରର ଧରଣୀ ଫାଟିଯିବ ଓ ଜାଗରଣର ନୂତନ ପ୍ରଭାତ ଉଦୟ ଲାଭ କରିବ । ଓଡ଼ିଶା ଇତିହାସର ସେହି ନୀରନ୍ଧ୍ର ଅଂଧକାରରେ ଭୂମିକଂପ ଭଳି ବିସ୍ଫୋରଣକାରୀ ଜାଗରଣ ସୃଷ୍ଟି କରିଥିଲେ ମଧୁସୂଦନ, ଜାଳିଥିଲେ ସ୍ୱାଭିମାନର ଦୀପଶିଖା ଓ ବିସ୍ମୃତ ଜାତିକୁ ଦେଇଥିଲେ ଆତ୍ମପରିଚୟର ଚେତନା ।