କର୍ଜନଙ୍କ ମନୋବଳ ଓ ରିସ୍ଲେ ସର୍କୁଲାରକୁ କାର୍ଯ୍ୟକାରୀ କରାଇବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ଥିଲେ ।
ତେଣୁ ତାଙ୍କର ସରି ଆସୁଥିବା କାର୍ଯ୍ୟକାଳ ମଧ୍ୟରେ ସେ ରିସ୍ଲେ ସର୍କୁଲାରକୁ କାର୍ଯ୍ୟକାରୀ
କରିବାପାଇଁ ନିର୍ଦ୍ଦେଶନାମା ସେପ୍ଟେମ୍ବର ୧୬ ତାରିଖରେ ଜାରି କରିଥିଲେ, ଯହିଁରେ ନିର୍ଦ୍ଦେଶ
ଥିଲା, ମାତ୍ର ମାସକ ପରେ ଅକ୍ଟୋବର ୧୬ ତାରିଖରେ ଏ ସମସ୍ତ ବ୍ୟବସ୍ଥା ବାସ୍ତବ କ୍ଷେତ୍ରରେ
ରୂପାୟିତ କରିବାକୁ । କାର୍ଯ୍ୟ ସମ୍ପାଦନ କରାଇବାର ଅଦ୍ଭୁତ କ୍ଷମତା ଥିଲା ଲଡର଼୍ କର୍ଜନଙ୍କର ।
ଏହି ନୂତନ ସଂଯୋଜନା ଅନୁସାରେ ବଂଗ ପ୍ରଦେଶର ଚଟ୍ଟଗ୍ରାମ ,ଢାକା, ରାଜାସାହି ଅଞ୍ଚଳ
ଆସାମ ସହିତ ସଂଯୁକ୍ତ ହୋଇ ହେବ ପୂର୍ବ ବଙ୍ଗ ଓ ଆସାମ ପ୍ରଦେଶ । ପଶ୍ଚିମ ବଂଗ ପ୍ରଦେଶର
ଛୋଟନାଗପୁର ଡିଭିଜନର ଅପେକ୍ଷାକୃତ ହିନ୍ଦୀ ସଂସ୍କୃତିସମ୍ପନ୍ନ ସରପୂଜା, ଯଶପୁର, ଉଦୟପୁର,
କୋରିଆ ଆଉ ଚଙ୍ଗଭରକର ଅଞ୍ଚଳଟି ମଧ୍ୟପ୍ରଦେଶ ଛତିଶିଗଡ଼ ଡିଭିଜନରେ ମିଶିବ ।
ମଧ୍ୟପ୍ରଦେଶର ଛତିଶଗଡ଼ ଡିଭିଜନରୁ ସମ୍ବଲପୁର ଜିଲ୍ଲା, କଳାହାଣ୍ଡି, ପାଟନା, ସୋନପୁର,
ବାମଣ୍ଡା, ରେଢ଼ାଖୋଲ ଏବଂ ଛୋଟନାଗପୁର ଡିଭିଜନର ଗାଂଗପୁର ଆଉ ବଣାଇ ଗଡ଼ଜାତ
ଅଂଚଳ ଆସି ଓଡ଼ିଶା ଡିଭିଜନରେ ସାମିଲ ହେବ ।
ଏହି ପ୍ରଦେଶ ପୁନର୍ଗଠନର ନିର୍ଦ୍ଦେଶନାମାକୁ ଅକ୍ଟୋବର ୧୬ ତାରିଖରେ କାର୍ଯ୍ୟକାରୀ
କରିବାପାଇଁ ସମ୍ବଲପୁରରେ ଏକ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଗଲା । ଏହି
ସମାରୋହରେ ଅଧ୍ୟକ୍ଷତା କରିବାପାଇଁ ବଂଗ ପ୍ରଦେଶର ଗଭର୍ଣ୍ଣର ସାର୍ ଏଣ୍ଡ୍ରୁ ଫେଜର ୧୫
ତାରିଖ ସକାଳ ୯ଟାରେ ସସ୍ତ୍ରୀକ ସମ୍ବଲପୁରରେ ପହଞ୍ଚିଲେ । ସମ୍ବଲପୁର ଷ୍ଟେସନଠାରେ
ଛତିଶଗଡ଼ର କମିଶନର ମିଷ୍ଟର ଲାରି ସାହେବ, ସମ୍ବଲପୁରର ଡେପୁଟି କମିଶନର, ଗଡ଼ଜାତର
ରାଜାସମୂହ, ପଦସ୍ଥ କର୍ମଚାରୀ ଓ ଜନତା ତାଙ୍କୁ ହାର୍ଦ୍ଦିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଚାରିବର୍ଷ
ପୂର୍ବେ ଭାଷା ଆନ୍ଦୋଳନ ସଂକ୍ରାନ୍ତରେ ଅନୁସନ୍ଧାନ କରିବାପାଇଁ ଆସିବାବେଳେ ଫ୍ରେଜର ସାହେବଙ୍କୁ
ଯେଉଁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା, ତାହାର ପୁନରାବୃତ୍ତି ହେଲା । ସେ ଓହ୍ଲାଇବା
ସଂଗେସଂଗେ ଦଶଟି ବୋମା ଫୁଟାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଗଲା । ମଧ୍ୟପ୍ରଦେଶ ଆଉ
ଛୋଟନାଗପୁରରୁ ସମଗ୍ର ଓଡ଼ିଆଭାଷୀ ପଶ୍ଚିମାଞ୍ଚଳ ଓଡ଼ିଶାରେ ସାମିଲ ହେବା ଅବକାଶରେ
ଆନନ୍ଦର ଉଦ୍ଦୀପନା ଖେଳି ଯାଇଥିଲା ସର୍ବତ୍ର । ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁସୂଦନଙ୍କ
ନିର୍ଦ୍ଦେଶରେ ପ୍ରତିନିଧି ଭାବରେ ଦାମୋଦର କର, ଚନ୍ଦ୍ରଶେଖର ନନ୍ଦ ଓ ବ୍ରହ୍ମାନନ୍ଦ ଷଡ଼ଙ୍ଗୀ ଆସି
ସମ୍ବଲପୁରରେ ଚଉଦ ତାରିଖ ଦିନ ପହଞ୍ଚି ସମ୍ବଲପୁରର ବନ୍ଧୁମାନଙ୍କୁ ଆନ୍ତରିକ ଅଭିନନ୍ଦନ
ଜ୍ଞାପନ କରିଥିଲେ ।
ସ୍ମରଣୀୟ ଅକ୍ଟୋବର ୧୬ ତାରିଖ ପହଞ୍ଚିଲା । ଏହି ଉପଲକ୍ଷେ ରାସ୍ତାଘାଟ ସବୁ ସୁସଜ୍ଜିତ
ହେଲା । ସାରା ପରିବେଶରେ ଆନନ୍ଦ ଉଚ୍ଛ୍ୱାସ ଯେପରି ଲହରି ଭାଙ୍ଗିଲା । ପୂର୍ବାହ୍ମରେ ଏକ
ସ୍ୱତନ୍ତ୍ର ସନନ୍ଦ ପ୍ରଦାନ କରାଯାଇଥିଲା । ଏଥିରେ ଗଡ଼ଜାତ ରାଜାମାନଙ୍କୁ ଅପେକ୍ଷାକୃତ
ତଳସ୍ତରରେ ପ୍ରତିଷ୍ଠିତ କରାଯାଇଥିଲା ଏବଂ ଗଭର୍ଣ୍ଣର ଫ୍ରେଜର ସାହେବ ଏହି ସନନ୍ଦର
ପରିସୀମାରେ କୌଣସି ବ୍ୟତିକ୍ରମ ହେବ ନାହିଁ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।
ପୃଷ୍ଠା:Aama Madhusudan.pdf/୧୪୦
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୧୪୧