ପୃଷ୍ଠା:Aama Madhusudan.pdf/୨୧୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅସମାହିତ ବିରୋଧାଭାସରେ ଗାନ୍ଧିଜୀ


ମହାତ୍ମାଗାନ୍ଧୀଙ୍କ ଉପରେ ମଧୁସୂଦନଙ୍କର ପ୍ରଭାବ ଅକଳ୍ପନୀୟ ଆଉ ଅଚିନ୍ତନୀୟ ଥିଲା । ସ୍ବଦେଶୀ ଶିଳ୍ପାୟନରେ ମଧୁସୂଦନ ଅଗ୍ରଜ ଆଉ ବରିଷ୍ଠ ଥିଲେ । ମଧୁସୂଦନ, ବ୍ରିଟିଶ ନିଷ୍ପେଷଣର ଦାରୁଣ ବିପର୍ଯ୍ୟସ୍ତ ଭୂମିକା ସଂପର୍କରେ ବାଲ୍ୟକାଳରୁ ସଚେତନ ଥିଲେ । ମାତ୍ର ୧୮୯୪ ସାଲରୁ ସେ ସିଦ୍ଧାନ୍ତ ଗ୍ରହଣ କରିଥିଲେ ଯେ, ତାଙ୍କର ବ୍ୟବହୃତ ସମସ୍ତ ପଦାର୍ଥ ସ୍ୱଦେଶୀ ହେବା ଆବଶ୍ୟକ, କିନ୍ତୁ ଏହା ତ୍ୱରିତ ରୀତିରେ ସମାହିତ ହେବା ସଂଭବ ନୁହେଁ । ତେଣୁ ସେ ପ୍ରଥମେ ତାଙ୍କର ପଦଦେଶରେ ପରିଧାନ ଜୋତାକୁ ସ୍ୱଦେଶୀ କରିବାପାଇଁ ସଂକଳ୍ପ କଲେ ଏବଂ ଅବଶେଷରେ ପହଞ୍ଚିଲେ ଚମଡ଼ା କଷେଇ ଶିଳ୍ପରେ । ସେହି ୧୮୯୫-୯୬ ସାଲ ବେଳକୁ ଓଡ଼ିଶାର ସର୍ବୋଚ୍ଚ ରପ୍ତାନି ଥିଲା ମୃତଜନ୍ତୁର ଚମଡ଼ା ଆଉ ଶିଙ୍ଗ । ମଧୁସୂଦନ କୌଣସି ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଚମଡ଼ା ଶିଳ୍ପକୁ ଆଦରି ନେଇ ନଥିଲେ, ସେ ଓଡ଼ିଶାର ସର୍ବୋଚ୍ଚ ପରିମାଣର ରପ୍ତାନି ଦ୍ରବ୍ୟକୁ ସ୍ୱଦେଶରେ ବିନିଯୋଗପାଇଁ ଚମଡ଼ା କଷେଇ ଶିଳ୍ପକୁ ଗ୍ରହଣ କରିଥିଲେ । ମାତ୍ର ଓଡ଼ିଶାରେ କିମ୍ବା ଭାରତରେ ମୃତ ଜନ୍ତୁର ଚମଡ଼ାରୁ କଷେଇ ଯୋତା ତିଆରି କରିବାର କୌଣସି ପ୍ରକ୍ରିୟା ଉପଲବ୍‌ଧ ନଥିଲା ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଗଡ଼ଜାତରେ ମୃତ ଗୋରୁ ଓ ଅନ୍ୟ ଗୃହପାଳିତ ବା ମୃତ ବନ୍ୟଜନ୍ତୁ ଆଦିଙ୍କ ଚମଡ଼ା ନୌକାରେ ମହାନଦୀ କିମ୍ବା ବ୍ରାହ୍ମଣୀ ନଦୀରେ ଆଣି ପାରାଦ୍ୱୀପ ଅଥବା ଚାନ୍ଦବାଲିବାଟେ କଲିକତା ଦେଇ ବିଦେଶକୁ ରପ୍ତାନି କରାଯାଉଥିଲା । ମାତ୍ର ଏହି ଚମଡ଼ାକୁ କଷେଇ କରିବାପାଇଁ କୌଣସି କୌଶଳ ଉପଲବ୍ଧ ନଥିଲେ ମଧ୍ୟ ମଧୁସୂଦନ ଏହାର ଅନ୍ୱେଷଣରେ ଲାଗି ପଡ଼ିଥିଲେ । ୧୮୯୭ ସାଲରେ ସେ ୟୁରୋପ ଭ୍ରମଣ କାଳରେ, ଜର୍ମାନୀରେ ଥିବା ବୃହତ ଚମଡ଼ା ଶିଳ୍ପରେ, ଚମଡ଼ା ପ୍ରସ୍ତୁତି କୌଶଳ ସନ୍ଦର୍ଶନ କରି ହତଚକିତ ହୋଇ ଯାଇଥିଲେ । ସେହିଠାରେ ସେହି କୌଶଳର ପ୍ରୟୋଗବିଧି ସଂପର୍କରେ ତଥ୍ୟ ଆହରଣ କରି, ଜର୍ମାନୀରେ ପ୍ରସ୍ତୁତ ସେହି ଅତୀବ ଉନ୍ନତ ପ୍ରକ୍ରିୟାର ଯନ୍ତ୍ରପାତି ଆମଦାନି

ଆମ ମଧୁସୂଦନ ୨୧୧