ପୃଷ୍ଠା:Aama Madhusudan.pdf/୨୭୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସରକାରଙ୍କ ସହିତ ଆପୋଷ ଆଲୋଚନା ମଧ୍ୟରେ ସ୍ଥିରୀକୃତ ହେଲା ଯେ, ରାଣୀ ସୂର୍ଯ୍ୟମଣି ସ୍ୱନିଯୁକ୍ତ ମ୍ୟାନେଜରଙ୍କ ଜରିଆରେ ମନ୍ଦିରର ପରିଚାଳନାକୁ ନିଜର କର୍ତ୍ତୃତ୍ୱ ମଧ୍ୟରେ ରଖିପାରିବେ । ରାଣୀ ସୂର୍ଯ୍ୟମଣିଙ୍କୁ ମନ୍ଦିର ପରିଚାଳନାରେ ସହାୟତା କରିବାପାଇଁ ମଧୁସୂଦନ ଦାସ ରାଣୀଙ୍କ ଅନୁମୋଦନ କ୍ରମେ ଏକ କମିଟି ଗଠନ କରିଥିଲେ, ଯେଉଁ କମିଟି ରାଣୀଙ୍କର ନିର୍ଦ୍ଦେଶନାରେ ମନ୍ଦିରର ପରିଚାଳନାର ତଦାରଖ କରୁଥିଲେ । ପ୍ରକୃତରେ ମଧୁସୂଦନ ଦାସ ୧୯୩୪ ସାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ତଥା ଗଜପତି ବଂଶର ସୁରକ୍ଷାପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ ।
ରାଜା ମୁକୁନ୍ଦଦେବ ବୟଃପ୍ରାପ୍ତ ହୋଇ ୧୮୯୭ ସାଲରେ ଗାଦିନସିନ ହେଲେ ଓ ସୋନପୁର ରାଜବଂଶରେ ବିବାହ କରିଥିଲେ । ମାତ୍ର ଶେଷ ପର୍ଯ୍ୟନ୍ତ ଅପୁତ୍ରିକ ଥିଲେ । ତାଙ୍କ ପ୍ରଶାସନ ମଧ୍ୟ ତ୍ରୁଟିଶୂନ୍ୟ ନଥିଲା । ତେଣୁ ପର୍ଦ୍ଦା ଅନ୍ତରାଳରେ ରାଣୀ ସୂର୍ଯ୍ୟମଣିଙ୍କୁ ବହୁ ସମସ୍ୟାର ସମାଧାନ କରିବାକୁ ପଡ଼ୁଥିଲା ଏବଂ ନାଟ୍ୟକାର ରାମଶଙ୍କର ରାୟଙ୍କର ସହାୟତାରେ ମଧୁସୂଦନ ଶ୍ରୀମନ୍ଦିର ପରିଚାଳନା ଶୃଙ୍ଖଳିତ କରି ରଖିଥିଲେ । ପରବର୍ତ୍ତୀକାଳରେ ରାଣୀ ସୂର୍ଯ୍ୟମଣିଙ୍କ ପରାମର୍ଶ କ୍ରମେ ଭୂତପୂର୍ବ ବୃଦ୍ଧ ମ୍ୟାନେଜର ରାୟ ବାହାଦୂର ରାଜକିଶୋର ଦାସଙ୍କୁ ପୂର୍ବ ଦସ୍ତୁର ମତେ ଦେବାନ ଭ୍ରମରବର ରାୟ ଶାଢ଼ି ଦେଇ ନଜର ଦେବାନ ରୂପେ ନିଯୁକ୍ତି ପ୍ରଦାନ କରାଗଲା । ଶ୍ରୀମନ୍ଦିରର କାର୍ଯ୍ୟଧାରା ସୁପରିଚାଳିତ ହେଲା ।
ରାଜା ମୁକୁନ୍ଦଦେବ ପୁତ୍ରହୀନ ଥିଲେ । ମାତ୍ର ସୂର୍ଯ୍ୟମଣି ପାଟମହାଦେଈଙ୍କ ଦୂରଦର୍ଶିତା ଆଉ ପୁରୋଦୃଷ୍ଟି ବଳରେ ବାମଣ୍ଡା ରାଜା ସୁଢ଼ଳ ଦେବଙ୍କ ପୌତ୍ର ଲାଲ୍‍ମୋହନ ଦେବ, ଯୁବରାଜ ରୂପେ ଗୃହୀତ ହେଲେ ଏବଂ ୧୪.୨.୧୯୨୬ରେ ରାଜା ମୁକୁନ୍ଦ ଦେବଙ୍କର ପରଲୋକ ପ୍ରାପ୍ତିପରେ, ଯୁବରାଜ ରାମଚନ୍ଦ୍ର ଦେବ (୪ର୍ଥ) ନାମରେ ନାମିତ ହୋଇ ସିଂହାସନ ଆରୋହଣ କରିଥିଲେ । ଏହାପରେ ସୁଦୀର୍ଘ ଶହେ ବର୍ଷ ଧରି ଗଜପତି ବଂଶ ତଥା ଶ୍ରୀମନ୍ଦିର ପରିଚାଳନାରେ ଉପୁଜିଥିବା ବିକ୍ଷୁବ୍ଧ ଘନଘଟା ଓ ଝଡ଼ଝଞ୍ଜାର ଅବସାନ ଘଟିଥିଲା । ଏକ ଶହ ବର୍ଷବ୍ୟାପୀ ବ୍ରିଟିଶ ସାମ୍ରାଜ୍ୟବାଦର ଦୂରଭିସନ୍ଧିମୂଳକ ସମସ୍ତ ଘୃଣ୍ୟ ଚକ୍ରାନ୍ତକୁ ପ୍ରତିହତ କରି ବିପଦସଂକୁଳ ସମୟଧାରାକୁ ଅତୀବ ସାହସିକତାର ସହ ଅତିକ୍ରମ କରି ଅବଶେଷରେ ୨୪-୧୧-୧୯୨୬ର ପୁଣ୍ୟତିଥିରେ ମହା କାର୍ତ୍ତିିକ ମାସର ପଞ୍ଚତୀର୍ଥ କ୍ଷେତ୍ର ପରିକ୍ରମା ଦିବସରେ ରାଣୀ ସୂର୍ଯ୍ୟମଣି ପରଲୋକ ଗମନ କରିଥିଲେ । ଊନବିଂଶ ତଥା ବିଂଶ ଶତାବ୍ଦୀର ପୂର୍ବ ଭାଗର ପ୍ରେକ୍ଷାପଟ୍ଟରେ, ଓଡ଼ିଶାର କୌଣସି ନାରୀନେତ୍ରୀଙ୍କର ଭୂମିକା ସମଗ୍ର ଓଡ଼ିଆ ଜାତୀୟତା, ଓଡ଼ିଆ ସଂସ୍କୃତି ତଥା ଶ୍ରୀମନ୍ଦିରର ସୁରକ୍ଷା ଲାଗି ସମର୍ପିତା ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କର ଅବିସ୍ମରଣୀୟ ଅବଦାନକୁ ଅତିକ୍ରମ କରିପାରିନାହିଁ । ଅଥଚ ଓଡ଼ିଆ ଜାତିର ଦୁର୍ଭାଗ୍ୟ ଯେ ଏହି କୀର୍ତ୍ତିିଶାଳିନୀ ମହିୟସୀ ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କର ଗରିମାମୟ ତଥା ମହିମାଦୀପ୍ତ ସ୍ମୃତି ସମ୍ଭାର ଆଜି ବିସ୍ମୃତି ଗର୍ଭରେ ବିଲୁପ୍ତ । ଏହା ହିଁ ଏ ଜାତିର ଚରମ ଦୁର୍ଭାଗ୍ୟ ।

୨୭୬ ଆମ ମଧୁସୂଦନ