ମଧୁସୂଦନଙ୍କ ସିଦ୍ଧି ଓ ଉପଲବ୍ଧି
ସମଗ୍ର ଓଡ଼ିଶା ପ୍ରଦେଶ ହିଁ ହେଉଛି ମଧୁବାବୁଙ୍କର ସିଦ୍ଧି ଆଉ ଉପଲବ୍ଧି । ସେ ଥିଲେ ନବ
ଓଡ଼ିଶାର ନିର୍ମାତା । ତାଙ୍କର ବିହୁନେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପରିକଳ୍ପନା ଥିଲା ଅଚିନ୍ତନୀୟ ।
ତାଙ୍କ ଅଧିନାୟକତ୍ୱରେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି 'ଓଡ଼ିଶା' ପ୍ରଦେଶ ଗଠନପାଇଁ ବିରାମହୀନ ସଂଗ୍ରାମ
ଓ ୧୯୩୬ ସାଲରେ ଓଡ଼ିଶା ପ୍ରଦେଶର ସ୍ଥାପନା ହେଉଛି ଏକ ଯୁଗାନ୍ତକାରୀ ଘଟଣା ।ସ୍ୱାଧୀନତା
ପ୍ରାପ୍ତିର ପରବର୍ତ୍ତୀ ଯୁଗରେ, ତତ୍କାଳୀନ ରାଜନୈତିକ ନେତୃବର୍ଗ, ମଧୁସୂଦନ ତଥା ଓଡ଼ିଶା ପ୍ରଦେଶର
ସଂଗ୍ରାମର ସ୍ମୃତିକୁ ନିଶ୍ଚିହ୍ନ କରିଦେବାପାଇଁ ଯତ୍ପରୋନାସ୍ତି ଉଦ୍ୟମ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା
ପ୍ରଦେଶର ଗଠନ, ୟୁରୋପରେ ବିସ୍ମାର୍କଙ୍କର ନେତୃତ୍ୱରେ ବିଖଣ୍ଡିତ ଜର୍ମାନୀ ଭାଷୀ ଅଞ୍ଚଳର
ଏକତ୍ରୀକରଣ ଏବଂ ମାଜନୀ ଆଉ ଗାରିବାଲିଡ଼ିଙ୍କ ପ୍ରଚେଷ୍ଟା ବିଭିନ୍ନ ଭାଗରେ ବିଭାଜିତ ଇଟାଲୀଭାଷୀ
ଅଞ୍ଚଳରେ ଇଟାଲୀ ଦେଶର ସ୍ଥାପନା ସହ ତୁଳନୀୟ । ପ୍ରାୟ ୧୮୭୦ ବେଳକୁ ସ୍ୱତନ୍ତ୍ର ଇଟାଲୀ ବା
ଜର୍ମାନୀ ଦେଶ ପ୍ରତିଷ୍ଠିତ ହୋଇଥିଲା । ମଧୁସୂଦନ ୟୁରୋପ ପରିଭ୍ରମଣ କାଳରେ ୧୮୯୭ ସାଲରେ
ଜର୍ମାନୀ ଆଉ ଇଟାଲୀ- ଏହି ଦୁଇ ଦେଶ ପରିଦର୍ଶନ କରି, ସେହି ଦେଶମାନଙ୍କର ସ୍ଥାପନା, ଶାସନ,
ଶିଳ୍ପ, ସଂସ୍କୃତି ଆଦି ଅଧ୍ୟୟନ କରି କେବଳ ଅନୁପ୍ରେରଣା ଲାଭ କରିନଥିଲେ , ୟୁରୋପରେ ଏହି
ଦେଶମାନଙ୍କ ଭଳି ପୂର୍ଣ୍ଣାଙ୍ଗ ସ୍ୱୟଂସଂପୂର୍ଣ୍ଣ ନେସନ ଭଳି ଓଡ଼ିଶା ପ୍ରଦେଶ ଗଠନପାଇଁ
୨୫.୧୦.୧୯୦୩ରେ ଉତ୍କଳ ସମ୍ମିଳନୀର ଆବାହନୀ ଅଧିବେଶନରେ ଆହ୍ୱାନ ଦେଇଥିଲେ ।
ପରିଣାମରେ ୧୯୦୦ ସାଲର କ୍ଷୁଦ୍ର ଓଡ଼ିଶା ଡିଭିଜନ ସହିତ ୧୯୦୫ ସାଲରେ ବିଭାଜିତ
ଓଡ଼ିଆଭାଷୀ ପଶ୍ଚିମ ଓ ଉତ୍ତର ଅଂଚଳର ମିଶ୍ରଣ, ପ୍ରାୟ ୧୯୩୩ ସାଲରେ ଷଢେ଼ଇକଳା ଓ
ଖରସୁଆଁର ସଂଯୁକ୍ତି ଆଉ ଅବଶେଷରେ ବିଖଣ୍ଡିତ ଓଡ଼ିଆଭାଷୀ ଦକ୍ଷିଣାଞ୍ଚଳ ଓ ଖଡ଼ିଆଳର
୧୯୩୬ ସାଲରେ ସମ୍ମିଶ୍ରଣରେ ମଧୁସୂଦନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନା କରିଥିଲେ । ଏହା
ଯେପରି ଥିଲା ପ୍ରସ୍ତର ଖଣ୍ଡ ସହିତ ପ୍ରସ୍ତର ଖଣ୍ଡ ଯୋଡ଼ି ପ୍ରାସାଦ ନିର୍ମାଣର ଯୋଜନା । ଏହିଭଳି
ପରିକଳ୍ପନା ସମଗ୍ର ଦେଶରେ ଅନନ୍ୟ ।