ପୃଷ୍ଠା:Aama Madhusudan.pdf/୩୧୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଉନା କାହିଁକି, ମଧୁସୂଦନ ସଠିକ କଥା କହିବା ଆଉ ସେହି ବକ୍ତବ୍ୟକୁ ନିର୍ଦ୍ଧାରିତ ରୀତିରେ କାର୍ଯ୍ୟ କରାଇବାପାଇଁ ତିଳେ ମାତ୍ର ଭୟ କରୁନଥିଲେ ।"
ମଧୁସୂଦନଙ୍କ ନିକଟରେ କାର୍ଯ୍ୟରତ ବିହାରର ପୂର୍ବତନ ମୁଖ୍ୟ ସଚିବ ଓ ପରବର୍ତ୍ତୀ କାଳରେ ବିହାରର ପୂର୍ବତନ ଗଭର୍ଣ୍ଣର ହ୍ୟୁଗ୍‍ ମ୍ୟାକ୍‍ ଫରସନ୍‍, ମଧୁସୂଦନଙ୍କ ଉପରେ ଗଭୀର ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହନ୍ତି, "ମଧୁସୂଦନ ଦାସଙ୍କ ପାଇଁ ଦୁଇଟି ଅତ୍ୟନ୍ତ ମହତ୍ତର ବିଷୟ ଥିଲା । ପ୍ରଥମଟି ଥିଲା କ୍ଷେତରେ ଚାଷ କରୁଥିବା ରୟତଙ୍କର ମଂଗଳ ସାଧନ ଆଉ ଦ୍ୱିତୀୟଟି ହେଲା ଓଡ଼ିଶାର ସ୍ୱତନ୍ତ୍ରତା । ସେ ନିଷ୍ପେଷିତ ଆଉ ଅଧିକାରବିହୀନ ପ୍ରଜାମାନଙ୍କର ଦୁଃଖ-ଦୁର୍ଦ୍ଦଶା ଦୂରକରିବା ପାଇଁ ଅନମନୀୟ ସଂଗ୍ରାମ ଜୁଝି ଚାଲିଥିଲେ । ମୁଁ ୧୯୦୭ରୁ ୧୭ ପର୍ଯ୍ୟନ୍ତ ଜମିଜମା ସ୍ୱତ୍ତ୍ୱ ଓ ଦଲିଲ୍‍ର ନିର୍ଦ୍ଦେଶକ ଥିଲାବେଳେ ସେ ଏ ସଂପର୍କରେ ମୋ' ସହିତ ବହୁବାର ଆଲୋଚନା କରି ତାଙ୍କର ହୃଦୟର ଆବେଗ ପ୍ରଦର୍ଶନ କରିଥିଲେ । ଯେତେବେଳେ ଚାଷୀମାନଙ୍କର ଦାବି ଓ ସ୍ୱତ୍ତ୍ୱ ରକ୍ଷାପାଇଁ ପ୍ରଶ୍ନ ଉତ୍‍ଥାପିତ ହେଉଥିଲା, ମଧୂସୂଦନ ସେହିମାନଙ୍କର ସ୍ୱତ୍ତ୍ୱ ଓ ସ୍ୱାର୍ଥ ରକ୍ଷାପାଇଁ ଅଗ୍ରାଧିକାର ଭିତ୍ତିରେ ସଂଗ୍ରାମ ସଂଚାଳିତ କରିଥାନ୍ତି ।
ଏଥିରୁ ମଧୁସୂଦନଙ୍କର ମହିମାନ୍ୱିତ ଚରିତ୍ରବତ୍ତା ଉପରେ ସମ୍ୟକ ଧାରଣା ହୋଇପାରିବ । ମଧୁସୂଦନ ଓଡ଼ିଶା ଆଉ ଓଡ଼ିଆମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଇଂରାଜୀରେ 'ଦି ଓରିଆ' ନାମକ ସାପ୍ତାହିକ ପତ୍ରିକା ପ୍ରକାଶ କରୁଥିଲେ, ଯହିଁରେ ମୁଖ୍ୟତଃ ପ୍ରାଶାସନିକ ଦୁରାଚାର ଓ ସରକାରଙ୍କର ଅନିୟମିତତା ଉପରେ ଉଗ୍ର ସମାଲୋଚନା କରିବା ସହିତ ପ୍ରକୃତ ସମସ୍ୟାର ସ୍ୱରୂପ ପ୍ରଦର୍ଶନ କରୁଥିଲେ । ଏଥିରେ ବିଚଳିତ ହୋଇ ସରକାର ମଧୁସୂଦନଙ୍କ ନିକଟକୁ ଏକ ଗୋପନୀୟ ପତ୍ର ଜରିଆରେ ନିବେଦନ କରିଥିଲେ ଯେ, ଏହି ସମସ୍ତ ବିଷୟକୁ ନମ୍ର ଆଉ କୋମଳ ସ୍ୱରରେ ପ୍ରକାଶ କରିବାପାଇଁ । ଏହାର ବିରୋଧରେ ମଧୁସୂଦନଙ୍କର ନିର୍ଭୀକ ପ୍ରତ୍ୟୁତ୍ତର ଥିଲା, 'ମୁଁ ସମସ୍ତ ବକ୍ତବ୍ୟକୁ ପରିସ୍ଥିତିର ଗୁରୁତ୍ୱ ନେଇ ନିରପେକ୍ଷ ଆଉ ଯଥାର୍ଥ ଭାବେ ଉପସ୍ଥାପନ କରିଥାଏ । ମୋର ବକ୍ତବ୍ୟ ଯଦି ଆଇନର କୌଣସି ଧାରାକୁ ଉଲ୍ଲଙ୍ଘନ କରିଥାଏ, ମୁଁ ସେଥିପାଇଁ କାରାବରଣ କରିବାକୁ ପ୍ରସ୍ତୁତ ଅଛି, ମାତ୍ର ମୁଁ କୌଣସି ସ୍ଥିତିରେ ଏ ସମସ୍ତକୁ ନମ୍ର କୋମଳ ଭାବରେ ଉପସ୍ଥାପନ କରି ପାରିବି ନାହିଁ, କାରଣ ତାହା ପ୍ରକୃତ ସତ୍ୟର ଅପଳାପ ହେବ ।" ଏହି ଚିଠି ମଧୁସୂଦନ ସରକାରଙ୍କୁ ଅର୍ପଣ କରି ସମସ୍ତ ବିଷୟରେ ଭୀତିହୀନତା ସହକାରେ ଏହି ଚିଠିକୁ ଉତ୍କଳଦୀପିକାରେ ପ୍ରକାଶ କରିଥିଲେ ।
ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ସ୍ମୃତିଚାରଣରେ ମଧୁସୂଦନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଏହିପରି ଥିଲା - ହେ ମଧୁସୂଦନ ! ଓଡ଼ିଆ ଜାତି ତୁମପାଇଁ ଭୀଷ୍ମ ଶ୍ରାଦ୍ଧ କରୁଛି ଓ କରିବ । ତୁମ୍ଭର ଦ୍ୱିତୀୟ ଓଡ଼ିଶା ମାତା ଜନ୍ମ କରିନାହିଁ, କରୁନାହିଁ ଓ କରିବ ବି ନାହିଁ ।
ନେପୋଲିୟନ କହିଥିଲେ, "ନିଜେ ମହାନ ହେବା ଯଥେଷ୍ଟ ନୁହେଁ । ତାଙ୍କର ନେତୃତ୍ୱ ଦେଇ ପାରିବା ଭଳି ବ୍ୟକ୍ତିଙ୍କୁ ଚିହ୍ନିବାର ଅସାଧାରଣ କ୍ଷମତା ରହିଥିବା ଆବଶ୍ୟକ । ଯେଉଁମାନେ ମୁଖ୍ୟ ନେତୃପୁରୁଷଙ୍କ ଆଦର୍ଶରେ ଅନୁପ୍ରେରଣା ଯୋଗାଇ, ମୂଳଲକ୍ଷ୍ୟକୁ ନେଇ ସିଦ୍ଧିସ୍ଥଳରେ

ଆମ ମଧୁସୂଦନ ୩୧୧