ପୃଷ୍ଠା:Aama Madhusudan.pdf/୩୧୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହି ସ୍ରୋତର ଆଦ୍ୟରେ ଜନନୀ, ମଧ୍ୟରେ ଜନ୍ମଭୂମି ଏବଂ ଶେଷରେ ସ୍ୱର୍ଗ । ପ୍ରତ୍ୟେକ ଆତ୍ମାର ଏହି ଗତି । ମନୁଷ୍ୟ ଜୀବନର ଆଦ୍ୟ ଜନନୀ, କାର୍ଯ୍ୟ ଜନ୍ମଭୂମି, ପୁରସ୍କାର ମୁକ୍ତି ବା ସ୍ୱର୍ଗ । ଏଥିପାଇଁ ଜନନୀ ଜନ୍ମଭୂମି ସ୍ୱର୍ଗଠାରୁ ଗରୀୟସୀ ।
ପ୍ରଥମେ ମାତା ରକ୍ତ ଦେଇଥିଲେ । ସେହି ରକ୍ତ ବୃଦ୍ଧି କରିବା ପାଇଁ ମୋ' ଜନ୍ମଭୂମି ମୋତେ ଶସ୍ୟାଦି ଦେଉଅଛି । ଅତଏବ ଶରୀରର ଆଦ୍ୟ ପଦାର୍ଥ ଦିଏ ମାତା, ତାହାର ରକ୍ଷକ ଓ ବର୍ଦ୍ଧକ ଜନ୍ମଭୂମି । ଆମ୍ଭେମାନେ ପ୍ରଥମେ ପ୍ରସବ ହେଲାବେଳେ ଭୂମିଷ୍ଠ ହେଲୁ ବୋଲି କହନ୍ତି ଅର୍ଥାତ୍‍ ଆମ୍ଭମାନଙ୍କୁ ମାତା ଜନ୍ମଭୂମି କ୍ରୋଡ଼ରେ ଅର୍ପଣ କରି, ସେହି ଜନ୍ମଭୂମିର ପୂଜା କରିବାକୁ ଆଦେଶ ଦିଅନ୍ତି ।"
ଏହା ପରେ ମଧୁସୂଦନଙ୍କର ମହୀୟାନ ପ୍ରେରଣାଦାୟୀ କବିତା 'ଉତ୍କଳ ଜନନୀଙ୍କର ଉକ୍ତି'ର କିଛି ଉଦ୍ଦୀପକ ଉଚ୍ଛ୍ୱସିତ ପଙ୍‍କ୍ତି ପ୍ରଦତ୍ତ ହେଲା-

"ନାହିଁ ମୋର ମାନ ନାହିଁ ମୋର ଧନ
 ବଦନେ ଲାଗିଛି ଧୂଳି
ବୀର ପ୍ରସବିନୀ ଶୋଣିତ ରହିଛି
 ତୋ' ଶିରାରେ ଦେବି ଢାଳି
ସେ ଶୋଣିତ ବଳେ ବୁଦ୍ଧିର କୌଶଳେ
 ହେବୁ ତୁହି କର୍ମ ବୀର ।"


ମଧୁସୂଦନ ଜନ୍ମଭୂମିକୁ ଯେଉଁ ଏଶ୍ଚର୍ଯ୍ୟ, ଗାରିମା, ସମସ୍ତ ପ୍ରାକୃତିକ ବିଭବ ଆଉ ଶସ୍ୟ ସଂଭାରରେ ଯେତେ ସମୃଦ୍ଧି ପ୍ରଦାନ କରିଛନ୍ତି, ତାହାହିଁ ଆମ୍ଭମାନଙ୍କର ଶରୀରରେ ଶୋଣିତ ରୂପରେ ପ୍ରବାହିତ ହୋଇ ବହିଚାଲିଛି । ଅନ୍ୟ ଅର୍ଥରେ ମଧୁସୂଦନଙ୍କର ଏକାନ୍ତ ଦାୟାଦ ରୂପେ ତାଙ୍କର ଅନନ୍ୟ ଚେତନା, ତେଜସ୍ୱିତା ଶୋଣିତ ହୋଇ ଆମ୍ଭମାନଙ୍କର ଶରୀରରେ ପ୍ରବାହିତ ହୋଇ ବହି ଚାଲିଛି ।
ଉତ୍କଳ ଜନନୀ ଆଉ ତାହାଙ୍କର ଏକନିଷ୍ଠ ଦାୟାଦ ଉତ୍ସର୍ଗୀକୃତ ଆଉ ସମର୍ପିତ ସନ୍ତାନ ମଧୁସୂଦନଙ୍କର ମଧ୍ୟରେ କିଭଳି ଅବା ପାର୍ଥକ୍ୟ ରହିଛି ? ଉଭୟେ ଯେ ଏକାତ୍ମା ଶରୀରର ଅଂଶ ବୋଲି ଭାବୁଥିଲେ' (ଉତ୍କଳ ଦୀପିକା) ଏଣୁ ମଧୁସୂଦନ ହିଁ ସମଗ୍ର ଓଡ଼ିଶାର ଭୂଖଣ୍ଡରେ ସର୍ବତ୍ର ସଂପ୍ରସାରିତ ଆଉ ବିସ୍ତାରିତ ହୋଇଛନ୍ତି । ଏତେ ଅକଳ୍ପନୀୟ ବିଭବ ଏତେ ଅନନୁମେୟ ସଂପଦ

ପ୍ରଦାନ କରି କିଏବା ଜନ୍ମଭୂମିକୁ ଏହିଭଳି ଏଶ୍ଚର୍ଯ୍ୟଶାଳିନୀ ଆଉ ମହିମାମଣ୍ଡିତ କରିପାରିଛ ?ଏକ ହିଁ ମଧୁସୂଦନ ଯେପରି ସହସ୍ର ରୂପଧରି ସମଗ୍ର ଜାତିଟାର ସହସ୍ର କ୍ଷେତ୍ରରେ ବିଚରଣ କରୁଥିଲେ ।' ଏହାଥିଲା ମହାନ ବ୍ୟାଖ୍ୟାକାର ବିଶ୍ୱନାଥ କରଙ୍କର ପ୍ରଦତ୍ତ ମଧୁସୂଦନଙ୍କ ପ୍ରତି

ଅବିସ୍ମରଣୀୟ ଶ୍ରଦ୍ଧାଞ୍ଜଳି ।

ଆମ ମଧୁସୂଦନ ୩୧୩