ଜାତି ପ୍ରତି ଅନ୍ତିମ ଅଭିଭାଷଣ
ଓଡ଼ିଶା ଠିଆ ହୋଇଥିଲା ଦୋଛକିର ଏକ ସନ୍ଧିକ୍ଷଣରେ, ୧୯୩୨ ସାଲର ଡିସେମ୍ବର ୨୪
ତାରିଖରେ, ତୃତୀୟ ଗୋଲ୍ଟେବୁଲ୍ ବୈଠକର ଅନ୍ତିମ ଅଧିବେଶନରେ । ଶେଷ ମୁହୂର୍ତ୍ତରେ
ଓଡ଼ିଶା ପ୍ରଦେଶର ସ୍ଥାପନା ଉଦ୍ଘୋଷିତ ହୋଇଥିଲା । ଏହା ଉଦ୍ବେଳିତ କରିଥିଲା ରୁଗ୍ଣକାୟ
ଜରାଗ୍ରସ୍ତ ମଧୁସୂଦନଙ୍କୁ । ଏହା ତାଙ୍କର ପ୍ରାଜ୍ଞ ଚିଦାକାଶରେ ଭରି ଦେଇଥିଲା ଦୁର୍ବାର ଶକ୍ତି,
ପ୍ରବଳ ଉଦ୍ଦୀପନା ଓ ସର୍ବୋପରି ଅବଦମିତ ପ୍ରାଣସତ୍ତା ।
ଆଗରୁ ୧୯୩୨ ସାଲର ଜୁନ୍ ମାସରେ ପ୍ରକାଶିତ ହୋଇଥିଲା ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ସୀମାନିର୍ଦ୍ଧାରଣ କମିଟି (ଓଡ଼େନଲ୍) ରିପୋର୍ଟ । ଏହା ନୈରାଶ୍ୟଜନକ ହୋଇଥିଲେ ମଧ୍ୟ, ଓଡ଼ିଶା ଡିଭିଜନ ସହିତ ସଂଯୁକ୍ତ ହୋଇଥିଲା ଗଂଜାମ ଜିଲ୍ଲାର ମୁଖ୍ୟଭାଗ ଏବଂ ଜୟପୁର ଆଉ ଖଡ଼ିଆଳ ଜମିଦାରି । ମାତ୍ର ବାଦ୍ ପଡ଼ିଯାଇଥିଲା ଗଂଜାମର କିଛି ଅଞ୍ଚଳ, ପାରଳାଖେମୁଣ୍ଡି ସମେତ ବହୁ ଜମିଦାରି ଏବଂ ସିଂହଭୂମି ଆଉ ମେଦିନୀପୁର ସମେତ ଅନେକ ବିଚ୍ଛିନ୍ନ ଅଂଚଳ, ହେଲେ ଆଶା
ନିରାଶାର ଦୋଛକିରେ ଠିଆ ହୋଇଥିଲା ଓଡ଼ିଶା । ସଂଶୟ ବିଜଡ଼ିତ ଓଡ଼ିଶାର ଗତିପଥ ଯେପରି
ବିଧୂରିତ କରିଥିଲା ସମସ୍ତ ପୃଷ୍ଠଭୂମିକୁ । ଆଗାମୀ ଯାତ୍ରାର ପଥ ଥିଲା ଦୁର୍ଗମ ।
ଲଣ୍ଡନର ଗୋଲ୍ଟେବୁଲ୍ ବୈଠକରୁ ଫେରି, ଭୁବନାନନ୍ଦ ଦାସଙ୍କର ପ୍ରଚେଷ୍ଟାରେ ଆହୂତ ହୋଇଥିଲା
ନେତୃ ସମ୍ମିଳନୀ କଟକର ଶ୍ରୀରାମଚନ୍ଦ୍ର ଭବନରେ । ୧୯୩୩ ସାଲର ଫେବ୍ରୁଆରି ୧୨ ଆଉ ୧୩
ତାରିଖରେ । ସୁଦୀର୍ଘ ଦୁଇମାସ ଧରି ଦାରୁଣ ଜଠର ଯନ୍ତ୍ରଣାରେ ପୀଡ଼ିତ ହୋଇ ମଧୁସୂଦନ ଚିକିତ୍ସିତ ହେଉଥିଲେ
କଲିକତାର ଏକ ନର୍ସିଂହୋମ୍ରେ ଆଉ ଫେରି ଆସିଥିଲେ କଟକକୁ ଜାନୁଆରି ମାସର ଶେଷ ଭାଗରେ ।
ଦୀର୍ଘ କାଳ ଧରି ମଧୁସୂଦନ ଯୁଝି ଚାଲିଥିଲେ ମୃତ୍ୟୁ ସହିତ । ମନରେ ଅପରାଜେୟ ଶକ୍ତି ତାଙ୍କୁ ସଂଜୀବିତ
କରି ରଖିଥିଲା ସୁଦୀର୍ଘ କାଳଲାଗି । ତାଙ୍କର ତିରୋଧାନ ଲାଗି ମାତ୍ର ବାକି ରହିଥାଏ ଏକ ବର୍ଷରୁ କମ୍
ସମୟ । ନିଜର କୃତି ସଂପର୍କରେ ଆକଳନ କରିବା ଦୁଃସାଧ୍ୟ ହୋଇ ପଡ଼ିଥିଲା ଉତ୍ତରଦାୟାଦମାନଙ୍କୁ ।
ବହୁ ବକ୍ତବ୍ୟ ରହିଯାଇଥିଲା ଗୋପ୍ୟ ଆଉ ଅନୁଚ୍ଚାରିତ ।