ପୃଷ୍ଠା:Aama Madhusudan.pdf/୩୧୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କର ଯେ ମୁଁ ଓଡ଼ିଶା ପରିଦର୍ଶନରେ ଆସୁଅଛି ।' ବଡ଼ଲାଟଙ୍କର ପରିଦର୍ଶନ ଉପଲକ୍ଷେ ପୁରୀଠାରେ ଗୋଟିଏ ଭବ୍ୟ ଦରବାରର ଆୟୋଜନ ହୋଇଥିଲା, ମାତ୍ର ମୋ' ପରି ବ୍ୟକ୍ତିଙ୍କପାଇଁ ସେଠାରେ ସ୍ଥାନ ନଥିଲା । ସେ ମୋ' ବିଷୟରେ ଅନୁସନ୍ଧାନ କଲେ ଆଉ ପ୍ରଶ୍ନ କଲେ, 'ମିଷ୍ଟର ଦାସ କାହାନ୍ତି ?'
ହଁ, ମଧୁସୂଦନ ଏଥର ତାଙ୍କର କାଳଜୟୀ ଅଭିଭାଷଣରେ ସେହି ଗୌରବଦୀପ୍ତ ଘଟଣା ପ୍ରବାହକୁ ଉପସ୍ଥାପିତ କରୁଛନ୍ତି ଅତୀବ ବିହ୍ୱଳିତ ଆଉ ବଜ୍ର ନିର୍ଘୋଷ କଣ୍ଠରେ, ଯାହା ଶ୍ରୋତୃମଣ୍ଡଳୀକୁ ନବ ଉଦ୍ଦୀପନାରେ ରସାଣିତ ଆଉ ମନ୍ତ୍ରମୁଗ୍ଧ କରି ଦେଇଥିଲା ।
"ଲର୍ଡ କର୍ଜନଙ୍କର ମହନୀୟ ଉଦ୍ଦେଶ୍ୟ ଥିଲା ଓଡ଼ିଶା ଜାତି ପ୍ରତି ହୋଇଥିବା ସମସ୍ତ ଭୁଲ ସିଦ୍ଧାନ୍ତର ପ୍ରତିବିଧାନ କରିବା । ସେ ଓଡ଼ିଆଭାଷୀ ଅଂଚଳ ସଂପର୍କୀୟ ସମସ୍ତ ଦଲିଲ୍‍ ଆଉ କାଗଜପତ୍ର ଆଣିବା ପାଇଁ ଆହ୍ୱାନ କଲେ ଏବଂ ଏହାର ଆଧାରରେ ଯେଉଁସବୁ ଅଂଚଳରେ ମିଶ୍ରଣ ହେବ ତାହାର ସିଦ୍ଧାନ୍ତ ଗ୍ରହଣ କଲେ । ପାରଳାଖେମୁଣ୍ଡି ପ୍ରଶ୍ନର ଉତ୍ଥାପନ କରିବା ପାଇଁ ସେତେବେଳେ କୌଣସି ଆବଶ୍ୟକତା ନଥିଲା । ଏହାର କିଛିକାଳ ପରେ ମାନ୍ଦ୍ରାଜର ଲାଟ କାର୍ଯ୍ୟକାରୀ ବଡ଼ଲାଟ ହେଲେ । ମୁଁ ତାହାଙ୍କୁ ପ୍ରଶ୍ନ କଲି, ଏହି ମକଦ୍ଦମାରେ ଆପଣ ଜଣେ ପକ୍ଷ । ଏହିଭଳି ସ୍ଥିତିରେ ମୋର ଏହି ମକଦ୍ଦମାରେ ରାୟଦେବା ପାଇଁ ଅଧିକାର ଇଂରେଜୀ ପ୍ରଣୋଦିତ ନ୍ୟାୟବିଧି ଅନୁସାରେ ଆପଣଙ୍କର ନାହିଁ । ମୁଁ କାର୍ଯ୍ୟକାରୀ ବଡ଼ଲାଟଙ୍କୁ ପଚାରିଲି, ଏହା ପ୍ରକୃତରେ କ'ଣ ନ୍ୟାୟ ନୀତି ଉପରେ ପର୍ଯ୍ୟବସିତ ? ତୁମ୍ଭେ ଏବେ କେଉଁଠି ଦଣ୍ଡାୟମାନ ? କର୍ଜ୍ଜନଙ୍କ ସମୟରେ ମୁଁ ଯେଉଁଠାରେ ଦଣ୍ଡାୟମାନ ହୋଇ ରହିଥିଲି, ଏବେ ମଧ୍ୟ ସେହିଠାରେ ଦଣ୍ଡାୟମାନ ହୋଇ ରହିଛି । ସେତେବେଳେ ଆମର ଯେଉଁ ଦାବି ଥିଲା ବର୍ତ୍ତମାନ ମଧ୍ୟ ସେହି ଦାବି ରହିଛି । ସେହିଠାରୁ ପୁଣି ଆମେ ଆନ୍ଦୋଳନ ଆରମ୍ଭ କରୁଛୁ । ପାରଳାଖେମୁଣ୍ଡିର ପ୍ରଶ୍ନ ଆଦୌ ଉଠୁନାହିଁ । ଜାତିର ଦୂରନ୍ତ ଚେତନାକୁ ଉଦ୍‍ବୁଦ୍ଧ କରନ୍ତୁ । ତାହା ଉଦ୍ଦୀପିତ ଜାଗରଣରେ ନିଶ୍ଚୟ ପ୍ରଜ୍ଜ୍ୱଳିତ ହେବ ।
ମୋର କର୍ଣ୍ଣର ଗହ୍ୱରରେ ପ୍ରତିଧ୍ୱନିତ ହେଉଛି ତାହାର ଉଦାତ୍ତ ମହିମାଦୀପ୍ତ ଆହ୍ୱାନ ।
ଯା'ର ଜୟଭେରୀ ଗଂଗା ଗୋଦାବରୀ
ଶୁଣିଥିଲେ ଚକିତେ
ଓଡ଼ିଆ ବୋଲିଣ ଘୃଣିତ ଏତେ ଦିନେ ।
ତୁମ୍ଭର ଜୀବନକୁ ଜାତୀୟ ଯଜ୍ଞବେଦୀରେ ସମର୍ପିତ କର । ପୂର୍ବ ଇତିହାସର ସେହି ଶୌର୍ଯ୍ୟତାର ଗୌରବଦୀପ୍ତ ବେଳାରେ ଜାତି ଯେଉଁଭଳି ଦୁର୍ବାର ସଂଗ୍ରାମ କରିଥିଲା, ସେହି ଗରିମାମୟ ସ୍ଥିତିକୁ ପ୍ରାପ୍ତକର ।"
ମଧୁସୂଦନଙ୍କର ସେହି ବଜ୍ର ନିର୍ଘୋଷ କଣ୍ଠରେ ଏହି ଉଦ୍‍ଘୋଷଣା ପ୍ରତିଧ୍ୱନିତ ହୋଇଥିଲା ପ୍ରମତ୍ତ ଉଦ୍ଦାମତାରେ । ଏକ ବିପୁଳ ଉଦ୍ଦୀପନା ସଭାସ୍ଥଳକୁ ପ୍ରକମ୍ପିତ କରିଥିଲା । ମଧୁସୂଦନ ଭାବର ପ୍ରଖର ଉନ୍ମାଦନାରେ ଯେପରି ନିଜର ସ୍ଥିତି ହରାଇ ବସୁଥାନ୍ତି । କ୍ରମଶଃ ତାହାଙ୍କର ସ୍ୱର ନମ୍ରତା ଆଉ ସ୍ନିଗ୍ଧତା ଲାଭକଲା । ପୁଣି ସେ କହି ଚାଲିଲେ-

ଆମ ମଧୁସୂଦନ ୩୧୯