ପୃଷ୍ଠା:Aama Madhusudan.pdf/୩୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାତ୍ର ୨୫,୦୦୦ ଟଙ୍କାର ପାରଳା ମହାରାଜାଙ୍କ ବକେୟା ଦେୟ ବାବଦକୁ । ଓଡ଼ିଶା ଦେଶ ମିଶ୍ରଣ ଆନ୍ଦୋଳନର ଆଦ୍ୟ ଯଜ୍ଞଶାଳା ଆଉ ଓଡ଼ିଶାର ଦ୍ୱିତୀୟ ଦୁର୍ଗ ବାରବାଟୀର ଅଧ୍ୟକ୍ଷ ମଧୁସୂଦନ ସେହିଦିନ ଗୃହବାନ ସ୍ଥିତିରୁ ଗୃହହୀନ ଅନିକେତ ଅବସ୍ଥାକୁ ପ୍ରାପ୍ତ ହୋଇଥିଲେ । ସେହିଦିନ ଶୈଳବାଳାଙ୍କର ମଧ୍ୟମ ଭ୍ରାତା ଚନ୍ଦ୍ର କୁମାର ହାଜରା ଡିଗୀଟାକୁ ୨୫, ୦୦୦ ଟଙ୍କାରେ କିଣି ନେଇଥିଲେ । ଆଉ ନିଦାରୁଣ ଭାଗ୍ୟର କ୍ରୀଡ଼ନକ ମଧୁସୂଦନ ସେହି ଦିନଠାରୁ ବାସ କରୁଥିଲେ ମଧୁସ୍ମୃତିରେ, ଏକମାତ୍ର ଅଲଂଘ୍ୟ ସର୍ତ୍ତରେ, ଭଡ଼ାଦାତା ଭାବରେ ମାସିକ ଅଢେ଼ଇ ଶହ ମୁଦ୍ରା ବିନିମୟରେ ।
କ୍ରମେ ଉତ୍ତରା ପବନଟି ବହିଥିଲା ଉତ୍ତଳା ହୋଇ ଆଉ ତାହାରି ଆଘାତରେ ଭସାମେଘ ସବୁ ନିରୁଦ୍ଦିଷ୍ଟ ହୋଇଗଲେ । କ୍ଷଣକ ମଧ୍ୟରେ ଜ୍ୟୋତ୍ସ୍ନାର ପ୍ଳାବନ ମଧୁସ୍ମୃତିକୁ ରୂପାନ୍ତରିତ କରିଥିଲା ମହୋତ୍ସବରେ । ହେଲେ ତାହା ଥିଲା ସ୍ୱଳ୍ପକାଳ ସ୍ଥାୟୀ । ମଝିରେ ମଝିରେ ଜାଡ଼ୁଆ ପବନ ବହି ଚାଲିଥିଲା ଉଚ୍ଚାଟ ହୋଇ । କୁହେଳିର ଘନ ଆସ୍ତରଣ ଆକ୍ରାନ୍ତ କରିଦେଲା ସମସ୍ତ ପରିବେଶକୁ, ମଧୁସ୍ମୃତିକୁ ନିରୁଦ୍ଦିଷ୍ଟ କରି । ମଧୁସୂଦନ ଚାହିଁ ରହିଛନ୍ତି ସେହି ଝାପ୍‍ସା କୁହେଳି ମଧ୍ୟରେ ଲୁକ୍କାୟିତ ମଧୁସ୍ମୃତିକୁ ଆଉ ତାହାରି ଭିତରେ ସ୍ମୃତିର ପ୍ରବାହ ବହି ଚାଲିଛି ଅତୀତକୁ ରୋମନ୍ଥନ କରି । ତାହାଥିଲା ୨୨.୧୧.୧୯୨୬ ତାରିଖ । ମଧୁସୂଦନଙ୍କ ଜୀବନରେ ସେହି ଦିବସଟି ଥିଲା ଘନକାଳିମାରେ ଆବରିତ ବେଦନାବିଦ୍ଧ ଅଲଂଘ୍ୟ ଦିନ, ଯହିଁରେ କ୍ରମାଗତ କଷଣ ଆଉ ବିଷାଦର ଦୁର୍ନିବାର ଯାତନା ବହି ଚାଲିଥିଲା କୁହେଳିର ଆବର୍ତ୍ତନ ପରି । ତାହାରି ପ୍ରଚ୍ଛଦପଟ୍ଟରେ କ୍ରମଶଃ ଉଦୀପ୍ତ ହୋଇ ଆସୁଥିଲା ତାଙ୍କ ଜୀବନର ସବୁଠାରୁ କ୍ଲେଶଦାୟକ ଶୋକାକୂଳ ମୁହୂର୍ତ୍ତଟି । ସମଗ୍ର ଦେଶରେ ଦଳିତ ଜାତିର ଅର୍ଥନୈତିକ ସଂସ୍ଥାପନ ଲାଗି ପ୍ରତିଷ୍ଠିତ ପ୍ରଥମ ଉଦ୍ୟୋଗ 'ଉତ୍କଳ ଟ୍ୟାନେରି' ଯାହା ମହାତ୍ମାଗାନ୍ଧୀଙ୍କୁ ଦିଗ୍‍ଦର୍ଶନ ଦେଇଥିଲା, ତାହା ଚିରକାଳ ଲାଗି ବିଲୁପ୍ତ ହୋଇଗଲା । ଉତ୍କଳ ଟ୍ୟାନେରିର ପ୍ରକୃତ ମୂଲ୍ୟ୨.୫୦ ଲକ୍ଷ ଟଙ୍କା ଥିଲାବେଳେ, ତାହା ମାତ୍ର ୬୨,୦୦୦ ଟଙ୍କାରେ ନିଲାମ ହୋଇଗଲା ୨୨.୧୧.୧୯୨୬ରେ, ଯାହା ମହାତ୍ମାଗାନ୍ଧୀଙ୍କୁ ମଧ୍ୟ ଦାରୁଣ ଭାବରେ ମର୍ମାହତ କରିଥିଲା । ଜ୍ୱାଳା ଆଉ ଯନ୍ତ୍ରଣାରେ ମଧୁସୂଦନ ସଂଜ୍ଞାହୀନ ହୋଇ ପଡ଼ି ରହିଲେ ଦୀର୍ଘ ଛଅଘଣ୍ଟା କାଳ । ମାତ୍ର ସଂଜ୍ଞାପ୍ରାପ୍ତ ହେବାବେଳକୁ ବିଷାଦର କାଳିମା ଅନ୍ତର୍ହିତ ହୋଇଯାଇଥିଲା । ସେହି ଉଦାତ୍ତ ମହତ୍ତର ଶକ୍ତି ନିକଟରେ ସମର୍ପିତ ଆବେଦନରେ ସେ ଯେପରି ଫେରିପାଇଥିଲେ ଅସୀମ ତିତିକ୍ଷା ଆଉ ଉତ୍ତରଣର ଅନୁତ୍ତରିତ ଜିଗୀଷା ।
ମଧୁସ୍ମୃତି ଉପରୁ କୁହେଳିର ଆସ୍ତରଣ ହଟିଗଲା, ଆଉ ଜ୍ୟୋତ୍ସ୍ନାର ଆବର୍ତ୍ତନରେ ଉଦ୍‍ବେଳିତ ପବନଟି ବହି ଆଣିଥିଲା ପ୍ରସ୍ଫୁଟିତ ଆମ୍ର ବକୁଳର ଭୁରୁଭୁରୁ ଗନ୍ଧ । ମାତ୍ର କିଛିକ୍ଷଣଲାଗି । ପର ମୁହୂର୍ତ୍ତରେ ପୁଣି ବହି ଆସିଲା କୁହେଳିର ନିବିଡ଼ ଆବରଣ । ଆଉ ତାହାରି ପ୍ରଚ୍ଛଦ ପଟ୍ଟରେ ମଧୁସୂଦନଙ୍କର ସ୍ମୃତିର ଗବାକ୍ଷଟି ଯେପରି ଫିଟିପଡ଼ିଲା ଏକ ମର୍ମନ୍ତୁଦ ବିଷାଦଭରା ଘଟଣାପ୍ରବାହକୁ ରୂପାୟିତ କରି । ତାହା ଥିଲା ୪.୮.୧୯୨୭ର ଶୋକାର୍ତ୍ତ ମୁହୂର୍ତ୍ତଟି । ହଁ, ସେହିଦିନ ମଧୁସୂଦନ ଉଦ୍‍ଘୋଷିତ ହୋଇଥିଲେ ଦେଓ୍ୱାଳିଆ ଭାବରେ । ଆଇନର ପରିପ୍ରେକ୍ଷୀରେ ସେ ଚିହ୍ନିତ

୩୨୬ ଆମ ମଧୁସୂଦନ