ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମଧୁବାବୁଙ୍କର ରଙ୍ଗମଂଚରେ ବାରମ୍ବାର ନାଟକ ଅଭିନୟ କରିବା ସମ୍ଭବ ହୋଇଥିଲା । ଏ । ମଞ୍ଚର ଦୃଶ୍ୟାବଳୀ ଓ ସରଞ୍ଜାମ ସର୍ବସାଧାରଣ ସମ୍ପତ୍ତିରେ ପରିଣତ ହୋଇଥିଲା ।
"ଆମ୍ଭମାନଙ୍କର ଶ୍ରଦ୍ଧୟ ମଧୁସୂଦନ ଦାସ ଆପଣାର ଭୂତାଙ୍କ ବିବାହ ସମୟରୁ କଲିକତାରୁ କେତେଗୁଡ଼ିଏ ଦୃଶ୍ୟ ଅଣାଇଥିବାରୁ ଉତ୍ସାହ ସହ କେତେକ ବର୍ଷ ବଂଗଳା ଓ ଓଡ଼ିଆ ନାଟକମାନଙ୍କରେ ଅଭିନୟ ଦେଖିବାକୁ ସମର୍ଥ ହୋଇଥିଲୁ । ମାତ୍ର ସେସବୁ ଦୃଶ୍ୟ ରଖିବାପାଇଁ ସ୍ଥାନାଭାବ ଏବଂ କାଳଗ୍ରାସ ଯୋଗୁଁ ନଷ୍ଟ ହୋଇଗଲା ।” (ଉତ୍କଳଦୀପିକା ୯.୨.୧୮୯୫)
ବହୁବର୍ଷ ଧରି ମଧୁବାବୁ କଟକରେ ସ୍ଥାୟୀ ରଂଗମଂଚ ପ୍ରତିଷ୍ଠାକରି ରଙ୍ଗମଞ୍ଚ ପରିବେଷଣ କଳାକୁ ଉନ୍ନୀତ କରିବା ସହିତ ନୂତନ ଓଡ଼ିଆ ନାଟକ ରଚନାଲାଗି ପ୍ରୋହନ ଯୋଗାଇ ଆସିଥିଲେ । ଏ ସଂପର୍କରେ ଏକ ବିବରଣୀ-
"୧୮୯୧ରେ କଟକର ଆମେଚର ଥିଏଟର ଦଳକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କଲିକତାରୁ ବହୁ ଅର୍ଥ ବ୍ୟୟକରି ମଧୁବାବୁ କେତେକ ଦୃଶ୍ୟ ଅଣାଇଥିଲେ । ନିଜ ବସା (ବିହାରୀବାଗର ପଶ୍ଚାତ ଭାଗରେ ରଙ୍ଗଭୂମି ନିର୍ମାଣ ମଧ୍ୟ କରି ଦେଇଥିଲେ ଏବଂ ଯେତେବେଳେ ଇଚ୍ଛା ସେତେବେଳେ ଅଭିନୟ କରିବାକୁ ଅନୁମତି ଦେଇଥିଲେ ।” (ଦେଶପ୍ରାଣ ମଧୁସୂଦନ ପୃଷ୍ଠା-୭୦)
କେବଳ ନାଟକ ପ୍ରଦର୍ଶନ, ମଞ୍ଚ ପରିଚାଳନା ତଥା ଅଭିନୟ ନିର୍ଦ୍ଦେଶନାରେ ପାରଦର୍ଶୀ ନଥିଲେ ମଧୁସୂଦନ । ସେ ସମୟରେ ପ୍ରଦର୍ଶନ କରାଯାଉଥିବା ନାଟକମାନଙ୍କର ମୂଲ୍ୟାୟନ ସହିତ ଧାରାବାହିକ ଭାବେ ସମାଲୋଚନା ସବୁ ଉତ୍କଳଦୀପିକାର ପୃଷ୍ଠାରେ ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରକାଶ କରିଥିଲେ । ଏହି ପର୍ଯ୍ୟାୟରେ ଲାଲା ଜଗନ୍ମୋହନଙ୍କର ସତୀ ନାଟକଠାରୁ ଆରମ୍ଭ କରି ରାମଶଙ୍କରଙ୍କର ବହୁନାଟକର ସମାଲୋଚନା ପ୍ରକାଶ କରିଥିଲେ । ମଧୁବାବୁ କଂସ ଓ ରାବଣ ଚରିତ୍ରକୁ ଓଡ଼ିଆ ରଂଗମଂଚ ଉପରକୁ ଆଣିବାପାଇଁ ଯେଉଁ ମତ ପ୍ରକାଶ କରିଥିଲେ, ତାହାକୁ ଆଧାରକରି ରାମକର କିଛି ପୌରାଣିକ ନାଟକ ରଚନାରେ ବ୍ରତୀ ହୋଇଥିଲେ ।
ମଧୁସୂଦନଙ୍କର ସ୍ଥାୟୀ ରଂଗମଂଚଟି ବିହାରୀବାଗରେ ନିର୍ମିତ ହୋଇଥିଲା, ମାତ୍ର ସେ ୧୮୯୨ ସାଲରେ ମିଶନ ରୋଡ଼ର ନିଜ ଘରକୁ ଆସିବା ପରେ ସ୍ଥାୟୀ ରଂଗମଂଚଟି ଅବହେଳିତ ଅବସ୍ଥାରେ ରହିଯାଇଥିଲା । କିନ୍ତୁ ଦୀର୍ଘକାଳ ଧରି ସେ ନାଟକ ସମାଲୋଚନା ଲେଖିବାର ଧାରାକୁ ଅବ୍ୟାହତ ରଖିଥିଲେ ।
ହାୟଃ ! ଆଜି ଓଡ଼ିଶାର ଏହି ଆଦ୍ୟ ନାଟ୍ୟ ମଂଚ ସଂସ୍ଥାପକଙ୍କର ବିବରଣୀ ବିସ୍ମତିର ଗର୍ଭରେ ଲୀନ ହୋଇଯାଇଛି । ଗଭୀର ପରିତାପର ବିଷୟ, ସାହିତ୍ୟ ସମାଲୋଚକ ଏହି ଗୌରବୋଜ୍ଜଳ ପୃଷ୍ଠାଗୁଡ଼ିକୁ ଉନ୍ମୋଚନ କରିବାପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇ ନାହାନ୍ତି ।

ଆମ ମଧୁସୂଦନ ୭୯